ପୁରୀ : ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଗୃହ ଯାଞ୍ଚ କରିବ ଏଏସଆଇ । ଯାଞ୍ଚ ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ବୈଷୟିକ କମିଟି । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ହେବ । ଟିମରେ ଏଏସଆଇ ଓ ପରିଚାଳନା କମିଟି ସଦସ୍ୟ ରହିବେ । ଏନେଇ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୂଚନା ଦିଆଯାଇଛି । ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଛି । ଦୁଇଟି ଦ୍ବାର ଖୋଲାଯାଇଥିବା ବେଳେ ଆଉ ଦୁଇଟି ଦ୍ବାର ଖୋଲିବା ନେଇ ଆଲୋଚନା ହୋଇଛି । ପରିକ୍ରମା ପ୍ରକଳ୍ପ ନିର୍ମାଣ ସରିଲା ପରେ ଚାରିଟି ଯାକ ଦ୍ବାର ଖୋଲାଯିବ ।
ରାହୁଲଙ୍କୁ ‘ସୁପ୍ରିମ’ ଆଶ୍ବସ୍ତି, ଏଣିକି ନିର୍ବାଚନ ଲଢ଼ିପାରିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ରାହୁଲଙ୍କୁ ‘ସୁପ୍ରିମ’ ଆଶ୍ବସ୍ତି । ମୋଦି ସାଙ୍ଗିଆ ମାମଲାରେ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଦୁଇ ବର୍ଷ ଜେଲଦଣ୍ଡକୁ କାଏମ ରଖିଥିଲେ ହାଇକୋର୍ଟ । ନିମ୍ନ ଅଦାଲତ ଶୁଣାଇଥିଲେ ଦୁଇ ବର୍ଷ ସଜ୍ଜା । ସୁପ୍ରିମକୋଟଙ୍କ ଏହି ରାୟ ପରେ ନିର୍ବାଚନ ଲଢ଼ିପାରିବେ ରାହୁଲ ଗାନ୍ଧୀ । କାହିଁକି ଅଧିକତମ ଦଣ୍ଡ ଦିଆଯାଇଛି ପ୍ରଶ୍ନ କରିଥିଲେ କୋର୍ଟ ।‘ଅଧିକତମ ଦଣ୍ଡ ସଂସଦୀୟ କ୍ଷେତ୍ରକୁ ପ୍ରଭାବିତ କରିବ’ । ଅଧିକତମ ସଜାର କାରଣ ଟ୍ରାଏଲ କୋର୍ଟ ଦର୍ଶାଇ ନାହାନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଗତ ୧୮ ତାରିଖରେ ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ । ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିବା ବିଜେପି ନେତା ପୂର୍ଣ୍ଣେଶ ମୋଦିଙ୍କୁ ମଧ୍ୟ କୋର୍ଟ ନୋଟିସ କରିଥିଲେ । ୨୦୧୯ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ଦେଇଥିବା ବୟାନକୁ ନେଇ ଆଇପିସିର ଧାରା ୪୯୯, ୫୦୦ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ମାର୍ଚ୍ଚ ୨୩ ତାରିଖରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ସୁରତ ସିଜେଏମ କୋର୍ଟ । ଗୁଜରାଟ ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟ କାଏମ ରଖିଥିଲେ ।
ରାତି ୧୨ଟାରେ ହୀରାକୁଦରେ ପିକରେ ପହଞ୍ଚିବ ବନ୍ୟାଜଳ ପ୍ରବେଶ
ସମ୍ବଲପୁର: ରାତି ୧୨ଟାରେ ପିକରେ ପହଞ୍ଚିବ ବନ୍ୟାଜଳ ପ୍ରବେଶ । ରାତି ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମକୁ ପ୍ରବେଶ କରିବ ୫ ଲକ୍ଷ ୫୦ ହଜାର ଘନଫୁଟ ବନ୍ୟାଜଳ । ରାତି ୧୦ଟାରୁ ଦ୍ରୁତ ଗତିରେ ବଢ଼ିବ ବନ୍ୟାଜଳ ପ୍ରବେଶର ମାତ୍ରା । ସରାଡିହିରେ ଏବେଠାରୁ ବନ୍ୟାଜଳ ବଢିଲାଣି ବୋଲି ସୂଚନା ଦେଇଛନ୍ତି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଏବେ ୬୧୬.୩୭ ଫୁଟରେ ପହଞ୍ଚିଛି ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବନ୍ୟାଜଳ ପ୍ରବେଶର ମାତ୍ରା ଦ୍ରୁତ ଗତିରେ ବଢିଚାଲିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୪ ଲକ୍ଷ ୭୭ ହଜାର ୨୯୦ ଘନଫୁଟ ବନ୍ୟାଜଳ । ଦୁଇଟି ଗେଟ ଦେଇ ୬୭ ହଜାର ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି । ଛତିଶଗଡର ସମୋଦା ବ୍ୟାରେଜର ୮ଟି ଗେଟ୍ ଖୋଲାଯାଇଛି । ୮ଟି ଗେଟ ଦେଇ ସମୋଦାରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ଫଳରେ ହୀରାକୁଦର ଜଳସ୍ତର ଆହୁରି ବଢ଼ିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ।
ଟ୍ରକ ଧକ୍କାରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତେଜନା, ପୋଲିସ ଗାଡ଼ି ଓ ବାଇକରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ
କୋଲକାତା: ଟ୍ରକ ଧକ୍କାରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତେଜନା । ବସ୍, ପୋଲିସ ଗାଡ଼ି, ବାଇକ ଭଙ୍ଗାରୁଜା ସହ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଘଟଣା ଘଟିଛି କୋଲକାତା ବେହଲା ଅଞ୍ଚଳରେ । ସ୍କୁଲ ସାମ୍ନାରେ ପୁଅକୁ ରାସ୍ତା ପାର କରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ବର୍ଷର ପୁଅର ମୃତ୍ୟୁ ଘଟିଥିଲା । ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣାସ୍ଥଳରେ ପୋଲିସ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ବହୁ ଗାଡ଼ି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଏହାସହ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ପୋଲିସ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲାଠି ଚାଳନା କରିବା ସହ ଲୁହ ବୁହା ଗ୍ୟାସ ମାଡ଼ କରିଛି । ଏକାଧିକ ବିକ୍ଷୋଭକାରୀଙ୍କ ସହ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।
୧୦ ଫୁଟ୍ ଦବିଲା ଦେବୀନଦୀ ବନ୍ଧ
ପୁରୀ: ୧୦ ଫୁଟ୍ ଦବିଲା ଦେବୀନଦୀ ବନ୍ଧ । ପୁରୀ ଜିଲ୍ଲା କାକଟପୁର ବାଉରିଆକଣଠାରେ ଦେବୀ ନଦୀରେ ବନ୍ୟା ଜଳ ବିପଦ ସଂକେତ ୪.୯୩ ଥିବା ବେଳେ ବନ୍ୟାଜଳ ଏବେ ୫.୨୦ ଉପରେ ପ୍ରବାହିତ ହେଉଛି । ନଦୀ ବନ୍ଧର ଖଣ୍ଡାସାହିଠାରେ ଏକ ଘଳିଆ ସୃଷ୍ଟି ହୋଇଛି । ଜଳସ୍ତର ବଢିବା ଯୋଗୁଁ ଭଉଁରିଆ ନଦୀର ଝାଡଲିଙ୍ଗ ନୂଆଗଡ଼ ନଦୀବନ୍ଧ ଠାରେ ୧୦ ଫୁଟ ଲମ୍ବର ନଦୀବନ୍ଧ ଦବି ଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଦିଆଯାଇଛି । ଜଳସ୍ତର ବଢ଼ିଲେ ନିକଟସ୍ଥ ୧୦ରୁ ଉର୍ଦ୍ଧ୍ୱ ଗାଁ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ଛତିଶଗଡ଼ରେ ଖୋଲିଲା ୮ଟି ଗେଟ୍, ମହାନଦୀରେ ମାଡ଼ି ଆସୁଛି ବନ୍ୟାପାଣି
ସମ୍ବଲପୁର: ମହାନଦୀରେ ମାଡ଼ି ଆସୁଛି ବନ୍ୟାପାଣି । ଖୋଲିଲା ଛତିଶଗଡ଼ର ସମୋଦା ବ୍ୟାରେଜର ୮ଟି ଗେଟ୍, ୮ଟି ଗେଟ୍ ଦେଇ ସମୋଦାରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ଫଳରେ ହୀରାକୁଦର ଜଳସ୍ତର ଆହୁରି ବଢ଼ିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଏବେ ଜଳଭଣ୍ଡାରର ଜଳସ୍ତର ୬୧୫.୫୨ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୭୭ ହଜାର ୨୯୦ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟରେ ୬୭ ହଜାର ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି । ଆଗକୁ ସ୍ଥିତି ଦେଖି ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ବିନା କୋଚିଂରେ ଓଏଏସ୍ ହେଲେ ଜଗତସିଂହପୁରର ସମୀକ୍ଷା ନାୟକ
ଜଗତସିଂହପୁର: ବିନା କୋଚିଂରେ ଓଏଏସ୍ ହେଲେ ଜଗତସିଂହପୁରର ସମୀକ୍ଷା ନାୟକ । ସମୀକ୍ଷା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୭ ତମ ରାଙ୍କ ହାସଲ କରିଛନ୍ତି । ବିନା କେଚିଂରେ ଏହି ସଫଳତା ହାସଲ କରିଛନ୍ତି ସେ । ଏହି ସଫଳତା ପାଇଁ ସମୀକ୍ଷା ତାଙ୍କ ସ୍ୱାମୀ ଡ.ସୁମନ ସୌରଭ ବରାଳ, ବାପା, ମା ଓ ପରିବାରବର୍ଗଙ୍କୁ ଶ୍ରେୟ ଦେଇଛନ୍ତି ।
ସମୀକ୍ଷା ସ୍କୁଲ ଓ କଲେଜ ସମୟରୁ ବେଶ୍ ଭଲ ଛାତ୍ରୀ ଥିଲେ । ସେ ବର୍ତ୍ତମାନ ଡେରାଡୁନ ସ୍ଥିତ ଏମପିଏସ୍ ଲିମିଟେଡରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । ସମୀକ୍ଷାଙ୍କ ବାପା ଜଣେ ଓକିଲ ଓ ମା’ ଅବସରପ୍ରାପ୍ତ ପ୍ରାଣୀବିଜ୍ଞାନ ରିଡର୍ ହୋଇଥିବାବେଳେ ତାଙ୍କ ସ୍ୱାମୀ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ସମୀକ୍ଷାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

