spot_img
Home Blog Page 2840

୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ, ASI ଗିରଫ

0

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ବାବୁ । ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଭିଜିଲାନ୍ସ ପଞ୍ଝାରେ ଅନୁଗୁଳ ଜିଲ୍ଲା କିଆକଟା ଥାନା ASI ନବୀନ କୁମାର ଶତପଥୀ ।

ଏକ ପାରିବାରିକ କେସକୁ ରଫାଦଫା କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବେଲାଦୁଲାର ପଞ୍ଚାନନ ମେହେରଙ୍କ ପାରିବାରିକ କଳହ ସମାଧାନ ପାଇଁ ASI ନବୀନ ଶତପଥୀ ୧୫ ହଜାର ଟଙ୍କା ଦାବି କରିଥିଲେ । ପଞ୍ଚାନନ ପ୍ରଥମେ ୨ ହଜାର ଦେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ଆଜି ଭିଜିଲାନ୍ସ ଯୋଜନା ମୁତାବକ ବୌଦ୍ଧ ବସଷ୍ଟାଣ୍ଡରେ ASI ନବୀନ ଶତପଥୀଙ୍କୁ ୮ ହଜାର ଟଙ୍କା ଦେଲା ବେଳେ ଧରିଛି । ତାଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ କରି ଗିରଫ କରିଛି ଭିଜିଲାନ୍ସ । ତେବେ ବୌଦ୍ଧ ବୁଟୁପାଲି ସ୍ଥିତ ବାସଭବନରେ ମଧ୍ୟ ରେଡ୍‌ ଚାଲିଥିବା ଜଣାପଡିଛି ।

ରବିବାରକୁ ଛାଡି ୮ ଦିନ ବ୍ୟାଙ୍କରେ ହେବନି କାମ, ଗ୍ରାହକ ଜାଣିନିଅନ୍ତୁ କେବେ ବନ୍ଦ ରହିବ  

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କ  କର୍ମଚାରୀଙ୍କ ପାଇଁ ଖୁସି ଖବର  । ଅଗଷ୍ଟ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ  । ୪ ରବିବାର ଓ ୨ ଶନିବାର ଅର୍ଥାତ ୬ ଦିନ ବ୍ୟାଙ୍କ ବନ୍ଦ ରହିବ  । କିନ୍ତୁ ଅଲଗା ଅଲଗା ଜାଗାରେ ଅଲଗା ଅଲଗା କାରଣରୁ ୮ ଦିନ ବ୍ୟାଙ୍କରେ କାମ ହେବନି  । ଅଗଷ୍ଟ ମାସରେ କେଉଁ କେଉଁ ଦିନ ବ୍ୟାଙ୍କରେ  କାମ ବନ୍ଦ ରହିବ ଜାଣନ୍ତୁ  ।

କୋଚି ଓ ଥିରୁଅନନ୍ତପୁରମରେ ୨୬ ରୁ ୨୯ ଅଗଷ୍ଟ ପର୍ଯ୍ୟନ୍ତ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ  । ୨୬ ଅଗଷ୍ଟ ଚତୁର୍ଥ ଶନିବାର ଓ ୨୭ ଅଗଷ୍ଟ ରବିବାର ରହିଛି  । ସେପଟେ ୨୮ ଅଗଷ୍ଟରେ ଓନାମ ଓ ୨୯ ଅଗଷ୍ଟରେ ତିରୁଓଣମ  କାରଣରୁ କେରଳର ଏହି ଦୁଇ ସହରରେ ବ୍ୟାଙ୍କ ବନ୍ଦ ରହିବ  ।

ସେହିପରି ଚଳିତ ମାସର ଶେଷ ତାରିଖ ଅର୍ଥାତ ଜୁଲାଇ ୩୧ ସୁଦ୍ଧା ଏହି ଗୁରୁତ୍ବପୂର୍ଣ୍ଣ କାମ କରିନିଅନ୍ତୁ  । କାରଣ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିବା ସହ PM ଫସଲ ବୀମା ଯୋଜନାରେ ରେଜିଷ୍ଟ୍ରେସନ କରିବା ପାଇଁ ଏ ମାସ ଶେଷ ତାରିଖ ନିର୍ଦ୍ଧାରିତ ହୋଇଛି  ।

 

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ, ଏକକାଳୀନ ୩ଟି ସ୍ଥାନରେ ରେଡ୍

କଳାହାଣ୍ଡି: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ। ଭବାନୀପାଟଣା ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଛାପା । ଏକକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ । ଭବାନୀପାଟଣା ମନ୍ଦାରବଗିଚାପଡ଼ାରେ ଥିବା ଘର, ନର୍ଲା ବ୍ଲକରେ ବଲବସପୁରରେ ଥିବା ପୈତୃକ ଘର ଓ ସରକାରୀ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ ।

ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୩ଜଣ ଡିଏସପି, ୪ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସହକାରୀ ଯନ୍ତ୍ରୀଙ୍କ ଘରୁ ୨୦ଭରିରୁ ଅଧିକ ସୁନା ଠାବ ହୋଇଥିବା ସୂଚନା ମିଳିଛି । ଏକାଧୀକ ସ୍ଥାନରେ ଜମି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।

ପିଲାଙ୍କୁ ଦେଖି ଗାଡି ଅଟକାଇଲେ, ନିଜେ ଓହ୍ଲାଇ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି

କଟକ: ରାଷ୍ଟ୍ରପତିଙ୍କ କଟକ ଗସ୍ତ ଆରମ୍ଭ ହୋଇଥିଲା ମା’ କଟକ ଚଣ୍ଡୀଙ୍କ ଦର୍ଶନରୁ । ମନ୍ଦିରରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ମନ୍ଦିର କର୍ମକର୍ତ୍ତା । କଟକ ଚଣ୍ଡୀ ମନ୍ଦିର ପହଞ୍ଚିବା ବେଳେ ଉପସ୍ଥିତ ଲୋକଙ୍କୁ ହାତ ହଲାଇ ନମସ୍କାର କରିଥିଲେ ମ୍ୟାଡାମ ପ୍ରେସିଡେଣ୍ଟ । ଏହି ସମୟରେ ଛୋଟ ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ମହାମହିମ ରାଷ୍ଟ୍ରପତି ।

କଟକ ଚଣ୍ଡୀ ମନ୍ଦିରରୁ ମାଆଙ୍କ ଦର୍ଶନ ସାରି ଶୈଳବାଳା ମହିଳା ମହାବିଦ୍ୟାଳୟ ଗଲାବେଳେ ଛକ ଉପରେ ଠିଆ ହୋଇଥିବା ପିଲାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ । ନିଜେ ଗାଡ଼ିରୁ ଓହ୍ଲାଇ ପିଲାଙ୍କ ସହ ମିଶିବା ସହ ଚକୋଲେଟ୍ ଦେଇଥିଲେ । ପିଲାମାନେ ବି ପାଖରେ ରାଷ୍ଟ୍ରପତିଙ୍କୁ ପାଇ ବେଶ ଖୁସି ହୋଇଥିଲେ। ସେଠାରୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଯାଇ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଂଗ୍ରହାଳୟ ବୁଲି ଦେଖିଥିଲେ ।

ସଂସଦକୁ ବ୍ୟାପିଛି ମଣିପୁର ନିଆଁ, ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି ଆଲୋଚନା ପାଇଁ ରାଜି ସ୍ପିକର

ନୂଆଦିଲ୍ଲୀ: ଏନଡିଏ ଭର୍ସେସ ଇଣ୍ଡିଆ । ସଂସଦରେ ମଣିପୁର ନେଇ ଗତିରୋଧ ଜାରି । ଆଜି ବି ବିରୋଧରେ ଜୋରଦାର ହଙ୍ଗାମା । ମଣିପୁର ପ୍ରସଙ୍ଗରେ କାହିଁକି ଆଲୋଚନା ଚାହୁଁନାହାନ୍ତି ସରକାର ? ଭାରତର ଏକ ଅଭିନ୍ନ ଅଙ୍ଗ ପ୍ରତି କାହିଁ ସରକାର ସମ୍ବେଦନଶୀଳତା ଦେଖାଉନାହାନ୍ତି ? ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ସାଂସଦ । ମଣିପୁର ପ୍ରସଙ୍ଗକୁ ନେଇ ଆଜି ଏନଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ ।

ଲୋକସଭାରେ  କଂଗ୍ରେସ ଓ ବିଆରଏସ୍ ଅନାସ୍ଥା ପ୍ରସ୍ତାବ ଗ୍ରହଣ ହୋଇଥିବା ବେଳେ ଆଲୋଚନା ପାଇଁ ରାଜି ହୋଇଛନ୍ତି ସ୍ପିକର । ବିରୋଧୀ ସାଂସଦଙ୍କ ହଲ୍ଲାବୋଲ ପରେ ଲୋକସଭା ଦିନ ୧୨ଟା ଯାଏଁ ମୁଲତବି କରିଦିଆଯାଇଛି। ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବୟାନ ପାଇଁ ବିରୋଧୀ ଜିଦ୍ ଧରିଥିବା ବେଳେ ସରକାର କିନ୍ତୁ ଏଥିରେ ଅରାଜି । ଫଳରେ ୫ଦିନ ଧରି ସଂସଦରେ ଅଚଳାବସ୍ଥା ଲାଗି ରହିଛି ।

ସେପଟେ ରାଜ୍ୟସଭାରେ ରୁଲ ନମ୍ବର ୨୬୭ ଆଧାରରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସସପେନସନ ଅଫ ବିଜନେସ ନୋଟିସ ଦେଇଥିଲେ କଂଗ୍ରେସ ସାଂସଦ ମନିଷ ତିଓ୍ବାରୀ, ଆପ୍ ସାଂସଦ ରାଘବ ଚଡ୍ଡା, ଆରଜେଡି ଏମପି ମନୋଜ ଝା । ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଅଭିଭାଷଣ ବେଳେ ମାଇକ ବନ୍ଦକୁ ନେଇ ବିରୋଧୀ ରାଜ୍ୟସଭାରେ ହଙ୍ଗାମା କରିଥିଲେ । ଅନ୍ୟପଟେ ଆପ୍ ସାଂସଦ ସଞ୍ଜୟ ସିଂଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ପାର୍ଲାମେଣ୍ଟ ପରିରସରେ ବିରୋଧୀ ସାଂସଦଙ୍କ ଧାରଣା ଜାରି ରହିଛି । ଧାରଣାସ୍ଥଳରେ ପହଞ୍ଚି ସଞ୍ଜୟ ସିଂଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ସାସଂଦ ସୋନିଆ ଗାନ୍ଧୀ ।

ମାଲାକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ, ଜାତୀୟ ରାଜପଥରେ ଅଟକିଛି ଗାଡି ମୋଟର

ମାଲକାନଗିରି: ମୋଟୁ 326 ନମ୍ବର ଜାତୀୟ ରାଜପଥରେ MV- 96 ଓ କୋକରକୋଣ୍ଡା ପୋଲ ବୁଡ଼ିଲା । ପୋଲ ଉପରେ ଚାଲିଛି ୨ ରୁ ୩ ଫୁଟ ପାଣି । ପୋଲର ଉଭୟ ପାର୍ଶ୍ବରେ ଅନେକ ଗାଡିମୋଟର ଅଟକି ରହିଛି । ଫଳରେ ମାଲକାନଗିରି ସହ କାଲିମେଳା ବ୍ଳକ, ଏମଭି-୭୯,ମୋଟୁକୁ ଯୋଗାଯୋଗ ବନ୍ଦ ରହିଛି । ପୋଲ ପାଖରେ ପୋଲିସ ପ୍ରଶାସନ ସଜାଗ ରହିଛି ।

ଚଳିତ ମୌସୁମୀ ସିଜିନର ପ୍ରଥମ ଅବପାତ ଘନୀଭୁତ ହେବା ପରେ  ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବ ।  ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅତିପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଓ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ।

କେତେକ ସ୍ଥାନରେ ୭୦ରୁ ୨ଶହ ମିଲିମିଟର ବର୍ଷା ସମ୍ଭାବନା ରହିଛି । ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ୨୭ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ମନା ହୋଇଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ ଓ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି। ଏହା ସହ ଆକସ୍ମିକ ବନ୍ୟା ଏବଂ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟାର ସ୍ଥିତି ଉପୁଜିବ ।

ହାଇକୋର୍ଟ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି, ନ୍ୟାୟ ପ୍ରଦାନରେ ନିରପେକ୍ଷତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ

କଟକ: ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାମାଜିକ ଓ ଆର୍ଥିକ ଅନଗ୍ରସରଙ୍କୁ ନ୍ୟାୟ ଉପରେ ସମ୍ବିଧାନରେ ପ୍ରାଥମିକତା ଦେବା ଉଚିତ । ନ୍ୟାୟ ପ୍ରଦାନ ବେଳେ ନିରପେକ୍ଷତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଲେ ମ୍ୟାଡାମ ପ୍ରେସିଡେଣ୍ଟ । ବଂଚିତ ବର୍ଗକୁ ସୁବିଧାରେ ନ୍ୟାୟ ପ୍ରଦାନ ଆମ କର୍ତ୍ତବ୍ୟ ହେବା ଉଚିତ । କିଛି ଆଇନଜୀବୀ ବିନାମୂଲ୍ୟରେ ଆଇନ ଯୋଗାଉଛନ୍ତି ।

ଏହା ବଂଚିତ ବର୍ଗଙ୍କୁ ଉଚିତ୍ ନ୍ୟାୟ ଦେବାରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କଲେ ରାଷ୍ଟ୍ରପତି । ଏହି ଅବସରରେ ହାଇକୋର୍ଟର ସଫଳ ଯାତ୍ରା ଉପରେ ସେ ଆଲୋକପାତ କରିଥିଲେ । ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଏକ ସ୍ମରଣୀୟ ଦିନ । ମାତ୍ର ୪ ଜଣ ବିଚାରପତିଙ୍କୁ ନେଇ ଆରମ୍ଭ ହୋଇଥିଲା ଓଡ଼ିଶା ହାଇକୋର୍ଟ । ଏବେ ହାଇକୋର୍ଟରେ ୩୩ ଜଣ ବିଚାରପତି ରହିଛନ୍ତି । ଓଡ଼ିଶା ହାଇକୋର୍ଟର ୭୫ବର୍ଷର ସୁଦୀର୍ଘ ଯାତ୍ରା ।

ଅନେକ ସଫଳ ବିଚାରପତିଙ୍କୁ ସୃଷ୍ଟି କରିଛି ଓଡ଼ିଶା ହାଇକୋର୍ଟ । ପ୍ରାକୃତିକ ବିପର୍ଯ୍ୟୟ ମାନବ ସମାଜ ପାଇଁ ଏକ ଆହ୍ୱାନ । ପିଲାବେଳୁ ଆଦିବାସୀ ଜୀବନଯାତ୍ରା ଦେଖିଥିବାରୁ ପ୍ରକୃତି ସହିତ ଆଦିବାସୀ ଜୀବନଶୈଳୀ ଯୋଡ଼ି ହୋଇରହିଛି । ତାକୁ ସେ ହୃଦୟଙ୍ଗମ କରିଥିବା କହିଛନ୍ତି । କାରଗିଲ ବିଜୟ ଦିବସ ଅବସରରେ ସହିଦଙ୍କ ସମୃତିଚାରଣ କରି ମହାମହିମ । ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ କଥା ମନେପକାଇଲେ ।

ବୁଧବାର ବନକଲାଗି ପାଇଁ ପୁଣିଥରେ ଦତ୍ତମହାପାତ୍ର ନିଯୋଗକୁ ନିର୍ଦ୍ଦେଶ

0

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ପାଇଁ ଦତ୍ତମହାପାତ୍ର ନିଯୋଗକୁ ପୁଣିଥରେ ନିର୍ଦ୍ଦେଶ ଜାରି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ । ନିର୍ଦ୍ଦେଶକୁ ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ହେବ ବୋଲି କହିଛି ।

ମହାପ୍ରଭୁଙ୍କ ବନକଲାଗି ନୀତି ଦୀର୍ଘ ବର୍ଷ ହେଲା ବୁଧବାର ହେଉଛି । ଚଳିତବର୍ଷ ରଥଯାତ୍ରା ପରେ ନିର୍ଦ୍ଧାରିତ ବୁଧବାର ଜୁଲାଇ ୧୨ତାରିଖରେ ବନକଲାଗି ନକରିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୧୮ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସେବକମାନଙ୍କ ସହ ଦତ୍ତମହାପାତ୍ର ନିଯୋଗ ମଧ୍ୟ ଉପସ୍ଥିତ ଥିଲେ ।

ବୁଧବାର ବନକଲାଗି ପାଇଁ ଉପଯୁକ୍ତ ଦିନ ବୋଲି ବୈଠକରେ ନିର୍ଦ୍ଧାରଣ ହୋଇଥିଲା । ସେହି ଅନୁସାରେ ବନକଲାଗି ପାଇଁ ଦତ୍ତମହାପାତ୍ର ନିଯୋଗକୁ ଆଗୁଆ ଅବଗତ କରାଯାଇଥିଲା । ମାତ୍ର ଦତ୍ତମହାପାତ୍ର ନିଯୋଗ ଏହା ସମ୍ପାଦନ କରି ନଥିଲେ । ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଯାହାର ଜବାବରେ ନିଯୋଗ ପକ୍ଷରୁ ଦାଖଲ କରାଯାଇଥିବା ଉତ୍ତର ସନ୍ତୋଷଜନକ ତଥା ଗ୍ରହଣୀୟ ନୁହେଁ ।

ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ, କଟକରେ ରହିଛି ଏହି କାର୍ଯ୍ୟକ୍ରମ

କଟକ: ଓଡ଼ିଶାରେ ମ୍ୟାଡାମ ପ୍ରେସିଡେଣ୍ଟ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି କଟକ ଯିବେ ମହିମହିମ । ସଡକ ପଥରେ ରାଷ୍ଟ୍ରପତି ଭୁବନେଶ୍ବରରୁ କଟକ ଆସିବା ପରେ ପ୍ରଥମେ ଆରାଧ୍ୟ ଦେବୀ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିବେ । ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ୧୫ ମିନିଟ ରହିବେ । ସେଠାରୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯାଇ ମଧୁବାବୁଙ୍କ ଜନ୍ମସ୍ଥାନରେ ୧୫ ମିନିଟ ବିତାଇବେ ।

ପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଯାଇ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ୨୦ ମିନିଟ ସଂଗ୍ରହାଳୟ ବୁଲି ଦେଖିବେ । ସେଠାରୁ ବାହାରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମକୁ ଆସି ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ଯୋଗ ଦେବେ । ଏକ ଘଣ୍ଟାର କାର୍ଯ୍ୟକ୍ରମ ସାରି ସେ ବାରବାଟୀ କିଲ୍ଲା ପରିସରରେ ଥିବା ନ୍ୟାୟ ସଂଗ୍ରହାଳୟକୁ ଯାଇ ୧୦ ମିନିଟ ଧରି ପରିଦର୍ଶନ କରିବେ ।

ସେଠୁ ମଧ୍ୟାହ୍ନ ଭୋଜନ ପାଇଁ ରାଷ୍ଟ୍ରପତି ହାଇକୋର୍ଟ ପରିସରକୁ ଯିବେ । ଏହାପରେ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବ ଓ ପରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଭୁବନେଶ୍ବର ଫେରିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସହରରେ 60 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ପରିଚାଳନା ଉପରେ ଅଧିକ ଗୁରୁତ୍ବ ଦେଇଛି ପୋଲିସ । ରାଷ୍ଟ୍ରପତିଙ୍କ ଯିବା ରାସ୍ତାରେ ପଡୁଥିବା ୨୨ଟି ସ୍କୁଲ, କଲେଜ ସହ କଟକର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।

ପାକିସ୍ତାନ କବଳରୁ କାରଗିଲ ପାହାଡକୁ ଆଜି ମୁକ୍ତ କରିଥିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଆଜି କାରଗିଲ୍ ବିଜୟ ଦିବସ । ଯେଉଁ ବିଜୟ କଥା ମନେ ପଡିଲେ ଭାରତୀୟଙ୍କ ଛାତି କୁଣ୍ଢେମୋଟ ହୋଇଯାଏ, ଆଉ ପାକିସ୍ତାନର ହୋସ୍ ଉଡିଯାଏ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା । ୨୪ ବର୍ଷ ପରୁଣା ଏକ ଯୁଦ୍ଧ । ଶତ୍ରୁ କବ୍‌ଜାରେ ଥିଲା କାରଗିଲର ପାହାଡ଼ ।

ପାକିସ୍ତାନୀ ସେନାର ଅନୁପ୍ରବେଶ ପରେ ବଦଳି ଯାଇଥିଲା ସମ୍ପୂର୍ଣ୍ଣ କାରଗିଲର ଚିତ୍ର । ରଣକ୍ଷେତ୍ର ପାଲଟିଥିଲା କାରଗିଲ ବକ୍ଷ । ଗୋଳାବାରୁଦ, ବୋମା ବିସ୍ଫୋରଣରେ କମ୍ପିଥିଲା ସେହି ପାହାଡିଆ ଉପତ୍ୟକା । ସାରା ବିଶ୍ବ ଦେଖୁଥିଲା ଭାରତୀୟ ଯବାନ କେମିତି ସମସ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ଦେଶର ସୁରକ୍ଷା ଲାଗି ଲଢୁଛନ୍ତି । ପାକିସ୍ତାନର ମୁଖା ଖୋଲିସାରିଥିଲା ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ କାରଗିଲରେ ଭାରତୀୟ ସେନାର କଡ଼ା ଜବାବରେ ଅସ୍ତବ୍ୟସ୍ତ ପାକିସ୍ତାନ ଅନ୍ତର୍ଜାତୀୟ ସହାୟତା ଲୋଡି ହତାସ ହୋଇଥିଲା ।

ବିମାନ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରିଥିଲେ ସରିଫ । ଶେଷରେ କାରଗିଲ ଖାଲି କରି ପଳାୟନ କରିଥିଲେ ପାକିସ୍ତାନୀ ସୈନ୍ୟ । ୧୯୯୯ ଜୁଲାଇ ୨୬ରେ ସମାପ୍ତ ହୋଇଥିଲା ଅପରେସନ ବିଜୟ । ସେହି ଗୌରବମୟ ଦିନକୁ ଆଜି ପୂରିଛି ୨୪ବର୍ଷ । ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଦେଶ ପାଇଁ ଜୀବନ ଦେଇଥିଲେ ଓଡ଼ିଶାର ଅନେକ ଯବାନ । ବୀର ଯବାନମାନଙ୍କୁ ମନେ ପକାଇବା ପାଇଁ ତାଙ୍କର ବୀରଗାଥାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ କାରଗିଲ୍ ବିଜୟ ଦିବସ ପାଳନ କରାଯାଏ ।