ସମ୍ୱଲପୁର : ହୀରାକୁଦ ଖୋଲିଲା ଆଉ ୪ ଗେଟ୍ । ବାମପଟୁ ୮ଟି, ଡାହାଣ ପଟୁ ୪ଟି ଗେଟ୍ ଖୋଲିଛି । ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ଅଧିକ ଥିବାରୁ ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ । ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୧୪.୦୬ ଫୁଟ ରହିଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୫୦ ହଜାର ଘନଫୁଟ ବନ୍ୟାଜଳ
ଗାନ୍ଧୀ ମୂର୍ତ୍ତି ତଳେ ନ୍ୟାୟ ପାଇଁ ଧାରଣା, ରାଜ୍ୟସଭାରୁ ଆପ୍ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦ
ନୂଆଦିଲ୍ଲୀ : ରାଜ୍ୟସଭାରୁ ଆପ୍ ସାଂସଦଙ୍କୁ ନିଲମ୍ବନ ପ୍ରସଙ୍ଗ । ରାତି ତମାମ ପାର୍ଲାମେଣ୍ଟ ପରିସରରେ ଧାରଣା । ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ ବିରୋଧୀ ସାଂସଦ । ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଗୃହରେ ଦାବି ଉଠାଇବାରୁ ସଞ୍ଜୟ ସିଂଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ବିରୋଧୀ ମହାମେଣ୍ଟରେ ଥିବା ସବୁ ଦଳର ସାଂସଦ । ମଣିପୁରରେ କାରଗିଲ ଯୋଦ୍ଧାଙ୍କ ପତ୍ନୀଙ୍କୁ ଉଲଗ୍ନ କରି ପରେଡ କରାଯାଇଥିବା ବେଳେ ସରକାର ଆଦୌ ସମ୍ବେଦନଶୀଳତା ଦେଖାଉନାହାନ୍ତି ।
ରୁଲ ୨୬୭ରେ ନୋଟିସ ଦେବା ସହ ଚର୍ଚ୍ଚା ପାଇଁ ଦାବି କରିବାରୁ ଆମ ଆଦମୀ ପାର୍ଟି ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ରାତି ତମାମ ଆପ୍ ସାଂସଦଙ୍କ ସହ କଂଗ୍ରେସ, ବିଆରଏସ୍, ଟିଏମସି, ସିପିଏମ, ସିପିଆଇ ଆଦି ଦଳର ସାଂସଦମାନେ ଧାରଣାରେ ବସିରହିଥିଲେ । ଗୃହରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ସଞ୍ଜୟ ସିଂଙ୍କୁ ମୌସୁମୀ ଅଧିବେଶନର ସମସ୍ତ ଗୃହକାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।
ମଣିପୁର ପ୍ରସଙ୍ଗରେ ଆଜି ବି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଗୃହକାର୍ଯ୍ୟ ଆରମ୍ଭରୁ ଇଣ୍ଡିଆ ମେଣ୍ଟ ଦଳର ସଦସ୍ୟଙ୍କ ବୈଠକରେ ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଲୋକସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ସାଂସଦ ମନିଷ ତିଓ୍ବାରୀ ଓ ଗୌରବ ଗୋଗୋଇ ମୁଲତବି ପ୍ରସ୍ତାବ ଦେଇଛନ୍ତି । ସେହିପରି ରାଜ୍ୟସଭାରେ ବି ରୁଲ ୨୬୭ ଅନୁସାରେ ଆଲୋଚନା ପାଇଁ ଆପ୍, ବିଆରଏସ୍, ଆରଜେଡି ଆଦି ଦଳର ସାଂସଦ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସସପେନସନ ଅଫ ବିଜନେସ ନୋଟିସ ଦେଇଛନ୍ତି ।
ଲିଫ୍ଟ ମାଗିଲେ, ପୋଲିସ ପରିଚୟ ଦେଇ ଲୁଟିଲେ
ଭୁବନେଶ୍ୱର : ଲିଫ୍ଟ ମାଗିଲେ, ପୋଲିସ ପରିଚୟ ଦେଇ ଲୁଟିଲେ । ଯାହାକୁ ଲୁଟିଲେ ସେହି ଲୋକ ହାତରେ ଧରା ପଡିଲେ । ଏମିତି ଏକ ଘଟଣା ଘଟିଛି ପାହାଳ ଜଗନ୍ନାଥ ମନ୍ଦିର ନିକଟରେ । ପଦିଆ ଦାସ ପେଷାରେ ଜଣେ ଟେକ୍ନିସିଆନ ଏବଂ ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ଗତ ୩ ତାରିଖରେ କାମ ସାରି ଫରୁଥିବା ସମୟରେ ଜଣେ ମହିଳା ପାହାଳ ଜଗନ୍ନାଥ ମନ୍ଦିର ନିକଟରେ ତାଙ୍କୁ ଲିଫ୍ଟ ମାଗିଥିଲେ । କିଛିବାଟ ଆସିବା ପରେ ରାସ୍ତାରେ ଅଟକାଇ ନିଜକୁ ପୋଲିସ ବୋଲି ପରିଚୟ ଦେଇ ପଦିଆଙ୍କ ବ୍ୟାଙ୍ଗ ଚେକ୍ କରିଥିଲେ । ପରେ ୩୫ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ।
ଗତକାଲି ପଦିଆ ଘରକୁ ଫେରୁଥିବାବେଳେ ଲକ୍ଷେଶ୍ବର ମନ୍ଦିରରେ ସଂପୃକ୍ତ ମହିଳାଙ୍କୁ ଦେଖି ତାଙ୍କ ପିଛା କରିଥିଲେ । ମହିଳାଜଣକ ତାଙ୍କୁ ଦେଖି ଦୌଡ଼ି ପଳାଉଥିବାବେଳେ ପିସିଆର ସହାୟତାରେ ତାଙ୍କୁ ଗିରଫ କରିଥିଲେ । ପୋଲିସ ଅଭିଯୁକ୍ତା ମହିଳା ଉର୍ମିଳା ବାରିକଙ୍କୁ ଗିରଫ କରିଛି ପାହାଳ ଥାନା ପୋଲିସ୍ ।
ରାଜ୍ୟରେ ୭ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ରାଜ୍ୟରେ ରହିବେନି ଡାକ୍ତର ଅଭାବ । ୭ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ OPSCକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ OPSC ପଦକ୍ଷେପ ନେବ । ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ୨ ହଜାର ୫୦୦ ପଦବୀ ରହିଥିବାବେଳେ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ୨ ହଜାର ୪୬୫ ପଦବୀ ରହିଛି । ସେହିପରି ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ୧୫୯୭ ପଦବୀ ରହିଛି । SEBC ପ୍ରାର୍ଥୀଙ୍କ ପାଇଁ ୭୧୪ ପଦବୀ ସଂରକ୍ଷିତ ।

