ପାଟନା: ପୁଣି ବୋରଓ୍ବେଲରେ ଖସିପଡ଼ିଲା ଶିଶୁ । ୯୦ ଫୁଟ ଗର୍ତ୍ତରେ ଫସିଛି ତିନି ବର୍ଷର ଶିଶୁ ଶିବମ । ବିହାର ନାଳନ୍ଦା ଜିଲ୍ଲା କୁଲଗାଁରେ ଅଭାବନୀୟ ଘଟଣା । ଘର ପଛପଟେ ଖେଳୁଥିବା ବେଳେ ୯୦ ଫୁଟର ଏକ ବୋରଓ୍ବେଲ ଗର୍ତ୍ତରେ ତିନି ବର୍ଷର ଶିଶୁ ଖସିପଡ଼ିଛି । ପ୍ରାୟ ୪୦ରୁ ୫୦ ଫୁଟ ତଳେ ଶିଶୁଟି ଅଟକି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶିଶୁ ପାଖରେ ଅକ୍ସିଜେନ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଖୁବଶୀଘ୍ର ଏନଡିଆରଏଫ ଟିମ୍ ପହଞ୍ଚିବ ବୋଲି ସୂଚନା ମିଳିଛି ।
ପ୍ରବଳ ବର୍ଷାରେ ବେହାଲ ଗୁଜରାଟ, ଗାଁରୁ ସହର ସବୁଠି ବନ୍ୟା ସ୍ଥିତି
ଗାନ୍ଧୀନଗର: ପ୍ରବଳ ବର୍ଷା ପରେ ଗୁଜରାଟ ବେହାଲ । ରାଜଧାନୀ ଅହମ୍ମଦାବାଦରୁ ଜୁନାଗଡ଼ ଯାଏଁ ବିଗିଡ଼ିଛି ସ୍ଥିତି । ବନ୍ୟାପାଣିରେ ସହର ବୁଡ଼ି ରହିଥିବା ବେଳେ ଏନଡିଆରଏଫ୍ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛି । ହସ୍ପିଟାଲରୁ ଏୟାରପୋର୍ଟ ସବୁଠି ଜଳପ୍ରଳୟର ଚିତ୍ର । ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ଅହମ୍ମଦାବାଦ ଏୟାରପୋର୍ଟ ପରିସର ଉବୁଟୁବୁ ହୋଇଛି । ବିମାନ ବନ୍ଦର ପରିସରରେ ବନ୍ୟାପାଣି ଯୋଗୁ ଯାତ୍ରୀମାନେ ଅସୁବିଧା ଭୋଗୁଥିବା ବେଳେ ଅନେକ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । ବିମାନ ଉଡ଼ାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନେକ ସହରରେ ଆପାର୍ଟମେଣ୍ଟ ବେସମେଣ୍ଟଗୁଡ଼ିକ ବନ୍ୟାପାଣିରେ ବୁଡ଼ି ରହିଛି । ଲୋକମାନେ ମୋଟର ପମ୍ପ ଯୋଗେ ବେସମେଣ୍ଟରୁ ପାଣି ବଢୁଥିବା ଦେଖାଯାଉଛି । ଆଜି ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାରୁ ଉତ୍କଟ ବନ୍ୟା ସ୍ଥିତି ଉପୁଜିଛି । ନଦୀ ଓ ଡ୍ୟାମରେ ଜଳସ୍ତର ଲଗାତାର ବୃଦ୍ଧି ଯୋଗୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ନେଇ ସତର୍କତା ଜାରି କରାଯାଇଛି ।
ଜୁନାଗଡ଼ରେ ବନ୍ୟାପାଣିରେ ଭାସି ଯାଉଥିବା କାର ଅଟକାଇବାକୁ ଯାଇ ଜଣେ ବ୍ୟକ୍ତି ଭାସିଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନବସାରୀ ଜିଲ୍ଲାରେ ବି ବନ୍ୟା ଯୋଗୁ ଗମ୍ଭୀର ସ୍ଥିତି ଉପୁଜିଛି । ବର୍ଷା ଯୋଗୁ ଅହମ୍ମଦାବାଦର ସବୁଠୁ ବଡ଼ ସିବିଲ ହସ୍ପିଟାଲରେ ପାଣି ପଶିଯିବା ଯୋଗୁ ରୋଗୀ ଓ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଇଛି । ସେପଟେ ଯମୁନାରେ ପୁଣି ଜଳସ୍ତର ବିପଦସଙ୍କେତ ଉପରେ ପହଞ୍ଚିଥିବାରୁ ଦିଲ୍ଲୀରେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ହିମାଚଳ, ଉତ୍ତରାଖଣ୍ଡରେ ବି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଏବେ ବି କିଛି ଅଞ୍ଚଳ ଜଳମଗ୍ନ ରହିଛି । ପ୍ରଳୟଙ୍କରୀ ବନ୍ୟା ଯୋଗୁ ଏବେସୁଦ୍ଧା ହିମାଚଳ ପ୍ରଦେଶରେ ପ୍ରାୟ ୮ ହଜାର କୋଟିର କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂ ସୁଖୁ କହିଛନ୍ତି । ଉତ୍ତରାଖଣ୍ଡ ଉତ୍ତରକାଶୀରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅରାକୋଟ-ହିମାଚଳ ହାଇଓ୍ବେ ଜାମ ହୋଇଛି । ଅରାକୋଟ ବଜାର ନିକଟରେ ଲ୍ୟାଣ୍ଡସ୍ଲାଇଡ ହୋଇଥିବା ବେଳେ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି ।
ଖୋଲୁଛି ମଣିପୁର କ୍ରାଇମ ଫାଇଲ, ସାମ୍ନାକୁ ଆସୁଛି ୩ ମାସର ବୀଭତ୍ସ କାଣ୍ଡ
ଇମ୍ଫାଲ: ମଣିପୁରରେ ବର୍ବରତାର ଆଉ ଏକ ଘଟଣାର ସାମ୍ନାକୁ ଆସିଛି । ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବା ଦିନ ଘଟିଥିଲା ଆଉ ଲୋମହର୍ଷକ ଘଟଣା । ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ ହିଂସାକାରୀ । ୨୧ ଓ ୨୬ ବର୍ଷର ଦୁଇ ଯୁବତୀଙ୍କୁ ଯୌନ ଶୋଷଣ ପରେ ହତ୍ୟା କରାଯିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ରାଜଧାନୀ ଇମ୍ଫାଲଠାରୁ କିଛି ଦୂର କୋନୁଙ୍ଗ ମମାଙ୍ଗସ୍ଥିତ ଏକ କାର ସର୍ଭିସ ସେଣ୍ଟରରେ ଦୁଇ ଯୁବତୀ କାମ କରୁଥିଲେ । ସର୍ବସମ୍ମୁଖରେ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଘଟଣାରେ ଏକାଧିକ ମହିଳା ହିଂସାକାରୀ ମଧ୍ୟ ସମ୍ପୃକ୍ତ ରହିଥିଲେ ବୋଲି ପୋଲିସ କହିଛି । ହତ୍ୟା ପରେ ମୃତଦେହକୁ ଏକ ଖୋଲାପଡ଼ିଆରେ ଫୋପାଡ଼ି ଦିଆଯାଇଥିଲା । ସେମାନଙ୍କ ଶରୀର ରକ୍ତ ଜୁଡୁବୁଡୁ ଥିଲା । ଚୁଟି କାଟି ଦିଆଯାଥିବା ବେଳେ ଡ୍ରେସ ମଧ୍ୟ ଚିରି ଦିଆଯାଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।
ରାଜ୍ୟରେ ଏଭଳି ଭୟାନକ ବାତାବରଣ ଥିଲା ଯେ, କିଛି ଦିନ ପର୍ଯ୍ୟନ୍ତ ମୃତଦେହ ନେବାକୁ ବି ପରିବାର ଲୋକେ ଆସିନଥିଲେ । ହେଲେ କିଛିଦିନ ପରେ ଜଣେ ଯୁବତୀଙ୍କ ମାଆ ଥାନାରେ ଜିରୋ ଏଫଆଇଆର ଦେଇଥଲେ । ମେ ପ୍ରଥମ ସପ୍ତାହର ଘଟଣା ହୋଇଥିଲେ ବି ଏବେ ଯାଏଁ ପୋଲିସ ଜଣଙ୍କୁ ବି ଗିରଫ କରିନି । ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ପୋଲିସ ପାଖରେ ଗଣଦୁଷ୍କର୍ମ, ହତ୍ୟା, ଲୁଟପାଟ ଘଟଣାର ହଜାର ହଜାର ମାମଲା ରୁଜୁ ହୋଇଛି ।
କଟକରେ ଭଡ଼ାଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର, ଅସୁସ୍ଥତାରୁ ୧୫ ଦିନ ଛୁଟିରେ ଥିଲେ ଏମ୍. ଚନ୍ଦ୍ରଶେଖର
କଟକ: ବନ୍ଦଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର । କଟକ ଚାଉଳିଆଗଞ୍ଜର ଏକ ଭଡ଼ାଘରୁ ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଡାକ୍ତରଙ୍କ ନାଁ ଏମ୍. ଭେଙ୍କଟ ଚନ୍ଦ୍ରଶେଖର । ସେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ମଳଶାସନ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । କଟକ ଚାଉଳିଆଗଞ୍ଜରେ ଭଡ଼ା ଘରରେ ଏକାକୀ ରହୁଥିଲେ ଡାକ୍ତର । ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏମ୍. ଭେଙ୍କଟ ଚନ୍ଦ୍ରଶେଖରଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ।
ଡାକ୍ତରଙ୍କ ମୃତ୍ୟୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେମିତି ହେଲା ଡାକ୍ତର ଏମ୍. ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ? ଅସୁସ୍ଥ ଥିବାରୁ ସେ ୧୫ଦିନ ଛୁଟିରେ ଥିଲେ । ୪ ବର୍ଷ ହେଲା ସେ କଟକ ଚାଉଳିଆଗଞ୍ଜରେ ଭଡ଼ାଘରେ ରହୁଥିଲେ । ଗତ ୪-୫ ଦିନ ଧରି ବାହାରେ ତାଙ୍କୁ କେହି ଦେଖି ନଥିବା କୁହାଯାଉଛି । ଆଜି ବନ୍ଦ ଘରୁ ଦୁର୍ଗନ୍ଧ ଆସିବା ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ବନ୍ଦଘରୁ ପୋଲିସ ଡାକ୍ତର ଏମ୍. ଭେଙ୍କଟ ଚନ୍ଦ୍ରଶେଖରଙ୍କ ଗଳିତ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ବିକାଶ କାର୍ଯ୍ୟରେ ବାଧା ଦେଉଛନ୍ତି ଅପରାଜିତା ଷଡ଼ଙ୍ଗୀ, ନିଜ ନିର୍ବାଚନମଣ୍ଡଳୀରେ ହେଲା ଜୋରଦାର ବିରୋଧ
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ । ଭୁବନେଶ୍ବର ସହିଦ ନଗର ଫ୍ୟାନ୍ସି ମାର୍କେଟରେ ଅପରାଜିତାଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧ କରିଛନ୍ତି । ବିକାଶମୂଳକ କାର୍ଯ୍ୟରେ ବାଧା ଦେବା କରିବା ଅଭିଯୋଗରେ ବିରୋଧ କରାଯାଇଛି । ଗୋ ବ୍ୟାକ୍ ନାରା ଦେଇ ସ୍ଥାନୀୟ ଲୋକ ତୀବ୍ର ବିରୋଧ କରିଛନ୍ତି ।
ବଲାଙ୍ଗୀର ପଣ୍ଡରାପିଟା ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ
ବଲାଙ୍ଗୀର: ବଲାଙ୍ଗୀର ପଣ୍ଡରାପିଟା ଗାଁରେ ଯୁବକଙ୍କୁ ପିଟିପିଟି ହତ୍ଯା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ପଣ୍ଡରାପିଟା ଗାଁ ମୁଖ୍ୟ ବସ୍ତିରୁ ମୃତ ଦେହ ଉଦ୍ଧାର କରିଛି ବଲାଙ୍ଗୀର ସଦର ଥାନା ପୋଲିସ । ମୃତ ଯୁବକ ଜଣକ ହେଲେ ଭାସ୍କର ତାଣ୍ଡି । ଘଟଣାକୁ ନେଇ ଜଣକୁ ଅଟକ ରଖି ପଚରାଉଚରା କରୁଛି ସଦର ଥାନା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । ମୃତଦେହଟି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଟକ ଯୁବକ ଗାଁର ପ୍ରେମରାଜ ପୋଢ଼ ବୋଲି ଜଣାପଡିଛି ।
କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ୪ ଛାତ୍ରଛାତ୍ରୀଙ୍କୁ କାମୁଡ଼ିଲା ବିଷାକ୍ତ ସାପ, ୩ ଜଣଙ୍କ ମୃତ୍ୟୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରରେ ଅଘଟଣ । କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ୩ ଜଣଙ୍କ ପିଲାଙ୍କ ମୃତ ହୋଇଛି । ଜଣେ ଗୁରୁତରକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ୪ ଜଣ ଛାତ୍ରଛାତ୍ରୀଙ୍କୁ ସାପ କାମୁଡିଥିଲା । ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ।
ଇରାକରେ ଦୁନିଆରେ ସବୁଠୁ ବଡ଼ ଶ୍ମଶାନ
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଶ୍ମଶାନ, ଯେଉଁଠି ପ୍ରତିଦିନ ୨୦୦ ଲୋକଙ୍କ ଶବଦାହ କରାଯାଏ । ଏହି ଶ୍ମଶାନଟି ଇରାକର ନଜାଫ ସହରରେ ଅବସ୍ଥିତ । ଏହାର ନାମ ହେଉଛି ଓ୍ବାଡି ଅଲ-ସଲାମ ଯାହାକୁ ଶାନ୍ତି ଉପତ୍ୟକା ମଧ୍ୟ କୁହାଯାଇଥାଏ । ଇରାକବାସୀଙ୍କର ବିଶ୍ବାସ ଅନୁଯାୟୀ ଏହି ସମାଧି ସ୍ଥଳରେ ମୃତ ବ୍ୟକ୍ତିଙ୍କୁ ସମାଧି ଦିଆଗଲେ ଆତ୍ମା ସିଧାସଳଖ ଈଶ୍ବରଙ୍କ ନିକଟକୁ ଯାଇଥାଏ । ତେଣୁ ଏହି ବିଶ୍ବାସ ଅନୁଯାୟୀ ଇରାକର ଲୋକମାନେ ସେମାନଙ୍କର ପ୍ରିୟ ଲୋକଙ୍କୁ ଏହି ଶ୍ମଶାନରେ ସମାଧି ଦେଇଥାନ୍ତି ।
ରଏଟର୍ସ ନ୍ୟୁଜ ଏଜନ୍ସିର ରିପୋର୍ଟ ଅନୁଯାୟୀ, ଶିଆ ମୁସଲମାନଙ୍କ ପାଇଁ ଏହି ସହର ପବିତ୍ର ଏବଂ ଏହି କାରଣରୁ ଶିଆ ମୁସଲମାନମାନେ ସେମାନଙ୍କର ମୃତ ସମ୍ପର୍କୀୟଙ୍କୁ ସମାଧି ଦେବା ପାଇଁ ଏଠାରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି । ଯେହେତୁ ଇରାକରେ ଇସଲାମିକ୍ ଷ୍ଟେଟର ଆଧିପତ୍ୟ ବୃଦ୍ଧି ପାଇଛି, ସେହିଦିନଠାରୁ ଏହି ଶ୍ମଶାନ ମଧ୍ୟ ବୃଦ୍ଧି ପାଉଛି । ଶ୍ମଶାନର ଐତିହାସିକ ଜିହାଦ୍ ଅବୁ ସାୟବଙ୍କ ମତରେ ବର୍ତ୍ତମାନ ଏଠାରେ ପ୍ରତିଦିନ ୧୫୦ ରୁ ୨୦୦ ଲୋକଙ୍କୁ ସମାଧି ଦିଆଯାଉଛି ।
ମୁସଲମାନମାନେ ନିଜ ସମ୍ପର୍କୀୟଙ୍କୁ ଏଠାରେ କବର ଦେବାକୁ କାହିଁକି ଚାହାଁନ୍ତି ?
ଏହି ପବିତ୍ର ଶ୍ମଶାନରେ ଶିଆ ମୁସଲମାନଙ୍କର ପ୍ରଥମ ଇମାମ ଅଲି ବିନ୍ ଅବି ତାଲିବଙ୍କ ସମାଧି ଅଛି। ଯିଏ କି ଭବିଷ୍ୟବକ୍ତା ମହମ୍ମଦଙ୍କ ଜ୍ୱାଇଁ ଥିଲେ । ଏହି କାରଣରୁ, ଲୋକମାନେ ମୃତ ସମ୍ପର୍କୀୟଙ୍କୁ ତାଙ୍କ କବର ନିକଟରେ କବର ଦେବାକୁ ଚାହାଁନ୍ତି ।
ବଳିଦାନର ପୁରସ୍କାର ଭାବରେ ୱାଡ ଅଲି-ସଲାମରେ ସମାଧି
ଶିଆ ପାରାମିଲିଟାରୀମାନେ ଲଢେଇ କରିବା ପାଇଁ ସାନ୍ନାକୁ ଯିବା ପୂର୍ବରୁ ଅଲିଙ୍କ ସୁନା ଗମ୍ବୁଜ ମନ୍ଦିର ପରିଦର୍ଶନ କରନ୍ତି ଏବଂ ଅନୁରୋଧ କରନ୍ତି ଯେ ଯଦି ଶହିଦ ହୋଇଯାଆନ୍ତି ତେବେ ତାଙ୍କୁ ବଳିଦାନର ପୁରସ୍କାର ଭାବରେ ୱାଡ ଅଲି-ସଲାମରେ ସମାଧି ଦିଆଯିବ । ୨୦୨୧ ରଏଟର୍ସ ଅନୁଯାୟୀ, ୨୦୧୪ରେ ଉତ୍ତର ଏବଂ ପଶ୍ଚିମ ଇରାକର ବୃହତ ଅଂଶକୁ ନିୟନ୍ତ୍ରଣ କରିବା ପରେ ହିଂସା ବୃଦ୍ଧି ପାଇବା ପୂର୍ବରୁ ପ୍ରାୟ ୨୫ ବର୍ଗ ମିଟର ସମାଧିସ୍ଥଳର ମୂଲ୍ୟ ପ୍ରାୟ ୫ ନିୟୁତ ଇରାକୀ ଡିନାରକ ବୃଦ୍ଧି ପାଇଛି । ପ୍ରାୟତ ସବୁ ସମାଧି ପୋଡା ହୋଇଥିବା ଇଟା ଏବଂ ପ୍ଲାଷ୍ଟରରେ ନିର୍ମିତ, ଏବଂ କୁରାନୀୟ କାଲିଗ୍ରାଫିରେ ସଜାଯାଇଥାଏ, କିଛି କବର ଭୂମି ତଳେ ଆଉ କିଛି କବର ଭୂମି ଉପରେ ଥାଏ, ଯାହା ସେମାନଙ୍କ ଭିତରେ ଥିବା ସମ୍ପତ୍ତିକୁ ସୂଚାଇଥାଏ ।
ଭାରସାମ୍ୟ ହରାଇପୋଖରୀରେ ପଡ଼ିଲା ବସ୍, ୩ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ
ଢାକା: ବାଂଲାଦେଶ ଛତ୍ରକଣ୍ଡା ଅଞ୍ଚଳରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀକୁ ଖସିଲା ଯାତ୍ରୀବାହୀ ବସ୍ । ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୫ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି । ଗାଡ଼ି ଚାଳକଙ୍କ ଅବହେଳା ପାଇଁ ବସ୍ ପୋଖରୀରେ ପଡ଼ିଯାଇଥିବା ଅଭିଯୋଗ ହୋଇଛି । କ୍ଷମତାଠାରୁ ଅତ୍ୟଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍ । ୫୨ ଜଣ ଯିବାର କ୍ଷମତା ଥିବା ବେଳେ, ବସ୍ରେ ୬୦ ଯାତ୍ରୀ ଥିଲେ । ଶନିବାର ସକାଳ ୯ଟାରେ ପୁରୋଜପୁରରୁ ବସଟି ବାହାରିଥିଲା । ୧୦ଟା ବେଳକୁ ଛତ୍ରକଣ୍ଡାରେ ପହଞ୍ଚିଥିଲା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀରେ ପଡ଼ିଯାଇଥିଲା ବସ୍ । ବସ୍ ଓଭରଲୋଡ୍ ଥିବାରୁ ଶୀଘ୍ର ପାଣିରେ ବୁଡିଯାଇଥିଲା ।
ବାଂଲାଦେଶରେ ବସ୍ ଦୁର୍ଘଟଣାରେ ଗୋଟିଏ ମାସରେ ୫୬୨ ଜଣଙ୍କ ମୃତ୍ୟୁ ହେଲାଣି । କେବଳ ଜୁନରେ ୫୫୯ ବସ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ୨୦୭ଟି ବାଇକ୍ ଦୁର୍ଘଟଣା ହୋଇଥିବା ବେଳେ, ୧୬୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ମାସକରେ ୭୮ ମହିଳା ଓ ୧୧୪ ଶିଶୁଙ୍କର ମୃତ୍ୟୁ ହେଲାଣି ।

