spot_img
Home Blog Page 2887

ଜେରା ପରେ ମୁହଁ ଖୋଲିଲା ଅଭିଜିତ ଜାମ୍ବୁରେ , ପଠାଣିକୁ ବହୁବାର ପଠାଇଥଲା ଟଙ୍କା

ଭୁବନେଶ୍ୱର :  ଓଟିପି ସେୟାରିଂରେ ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲା। ଗଣମାଧ୍ୟମରେ ମୁହଁ ଖୋଲିଛି ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେ। ସେ ନିର୍ଦ୍ଦୋଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିବା ଅଭିଜିତ୍ କହିଛି। ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା ସ୍ବୀକାର କରିଛି। ତେବେ isi କିମ୍ବା ପାକିସ୍ତାନ army intelligence ବରିଷ୍ଠ ଅଧିକାରୀଙ୍କ ସହ ଲିଙ୍କ ସଂପର୍କରେ ସେ କିଛି କହିନି। ସେମାନଙ୍କ ପ୍ରରୋଚନାରେ ପଡ଼ି କେତେ ଟଙ୍କା, କେତେ ଥର ଦେଇଛି ସେ ବାବଦରେ ମଧ୍ୟ ମୁହଁ ଖୋଲିନି। ଡାନିସ ଓ ଖୁରାମଙ୍କୁ ସେ ଜାଣିନଥିବା କି ଆଇଏସଆଇ ଏଜେଣ୍ଟଙ୍କ ସହ କଥା ହୋଇନଥିବା କହିଛି। ସତ ଖୋଜିବାକୁ ଆଜି ଜାମ୍ବୁରେକୁ ଜେରା କରିବାକୁ ଭୁବନେଶ୍ବରରେ ପହଞ୍ଚିଛି ଏନଆଇଏ।

ରିମାଣ୍ଡର ତୃତୀୟ ଦିନରେ ଅଭିଜିତକୁ ମିଳିତ ଜେରା କରୁଛନ୍ତି ଏସଟିଏଫ୍, ଏଟିଏସ ଓ ଆଇବି। ଅଭିଜିତ ସ୍ଲିପର ସେଲ୍ ଭଳି କାମ କରି ଆସୁଥିଲା। ଟେରର ଫଣ୍ଡିଂ ନେଇ ମଧ୍ୟ ସତ ସନ୍ଧାନରେ ଲାଗିଛି ତଦନ୍ତକାରୀ ଟିମ୍ । ଅଭିଜିତ 5ଟି ନମ୍ବର ଭିତରୁ 3ଟି ନମ୍ବରରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିବାା ପ୍ରମାଣ ମିଳିଛି । କାହିଁକି ଫାଙ୍କୁଛି ତାର ଖୋଳତାଡ଼ କରିବ ତଦନ୍ତକାରୀ ଟିମ୍ । ମୁମ୍ବାଇରେ ଥିବା ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମାଗିବ ଏସଟିଏଫ୍ ।

ଇଣ୍ଟେଲିଜେନ୍ସ ୟୁନିଟକୁ ଅଭିଜିତ ସହ ଅନ୍ୟ ଅଭିଯୁକ୍ତଙ୍କ ଆର୍ଥିକ କାରବାରର ତଥ୍ୟ ମାଗିଛି ଏସଟିଏଫ୍ । କେଉଁ ସବୁ ଆକାଉଣ୍ଟରୁ କେତେ ଟଙ୍କା ଆସିଛି ତାହା ଜାଣିବା ପାଇଁ ଚାହୁଁଛି ଏସଟିଏଫ୍ । ଅଭିଜିତ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଛି କି ? ପାକିସ୍ତାନ ଇଣ୍ଟେଲିଜେନ୍ସଙ୍କ କଥାରେ ଆଇଏସଆଇ ଏଜେଣ୍ଟଙ୍କୁ କେତେ ଟଙ୍କା ଦେଇଥିଲେ ଅଭିଜିତ ? ଭାରତରେ କେତେ ପାକିସ୍ତାନୀ ଏଜେଣ୍ଟ ସକ୍ରିୟ ଅଛନ୍ତି ? ମେ 14ରେ ଓଟିପି ସେୟାରିଂରେ ଗିରଫ ହୋଉଥିବା ପଠାଣି ସାମନ୍ତ ଲେଙ୍କା, ସୌମ୍ୟରଞ୍ଜନ ମହାନ୍ତି, ସରୋଜ ପଟ୍ଟନାୟକଙ୍କ ସମେତ ୫ ଜଣଙ୍କ ସହ ଅଭିଜିତଙ୍କ କି ସମ୍ପର୍କ ରହିଛି । ଏସବୁ ପ୍ରଶ୍ନ ଉତ୍ତର ଜାଣିବାକୁ ଚାହୁଁଛି ତଦନ୍ତକାରୀ ଟିମ୍ ।

ବିହାରରେ ଜ୍ୟୋତି ମୋର୍ଯ୍ୟ ଷ୍ଟୋରି ରିପିଟ୍ : ଶିକ୍ଷୟିତ୍ରୀ ପତ୍ନୀ ସ୍ୱାମୀକୁ ଛାଡି ପ୍ରିନ୍ସପାଲ ସହ ଫେରାର

ପାଟନା : ପୁଣି ଜ୍ୟୋତି ମୋର୍ଯ୍ୟ କେସ୍ ରିପିଟ୍ ।  ପ୍ରଥମେ ପ୍ରେମ ବିବାହ କରିଥିଲେ, ପରେ ସ୍ତ୍ରୀକୁ ପାଠ ପଢିବାକୁ ଦେଇଥିଲେ ସୁଯୋଗ । ହେଲେ ଶିକ୍ଷୟତ୍ରୀ ହେବାର ଦେଢ ବର୍ଷ ପରେ ସ୍କୁଲର ପ୍ରିନ୍ସିପାଲ ସହ ଫେରାର ହୋଇଗଲା ସ୍ତ୍ରୀ । ଉତ୍ତରପ୍ରଦେଶର ଜ୍ୟୋତି ମୋର୍ଯ୍ୟ ଏବଂ ଆଲୋକ ମୋର୍ଯ୍ୟଙ୍କ କାହାଣୀ ପରି ପୁଣି ବିହାରରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଏପରି ଅଭିଯୋଗ ନେଇ ନିଜ ସ୍ତ୍ରୀକୁ ଖୋଜି ବୁଲୁଛନ୍ତି ବିହାରର ମହୀପୁରା ଗାଁର ଚନ୍ଦନ ।

ସୂଚନା ଅନୁଯାୟୀ, ମହୀପୁରା ଗାଁର ବାସିନ୍ଦା ଚନ୍ଦନ ୧୩ ବର୍ଷ ପୂର୍ବେ ଅର୍ଥାତ ୨୦୧୦ ମସିହାରେ ସରିତା ନାମକ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ  । ବିବାହ ପରେ ସେ ସରିତାଙ୍କୁ ନିଜ ପଢା ଜାରି ରଖିବାକୁ ସୁଯୋଗ ଦେଇଥିଲେ । ଏହାପରେ ୨୦୨୨ ଫେବୃଆରୀରେ ସେ ସରକାରୀ ଶିକ୍ଷୟତ୍ରୀ ଭାବେ ଏକ ସ୍କୁଲରେ ଚାକିରି ଆରମ୍ଭ କଲେ  । ଏହାର ଠିକ୍ ଦେଢ ବର୍ଷ ପରେ ସେହି ସ୍କୁଲର ପ୍ରଧାନ ଶିକ୍ଷକ ରାହୁଲ କୁମାର ସହ ସେ ଫେରାର ହୋଇଯାଇଥିବା ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କରିବା ବେଳେ ନିଜ ସ୍ତ୍ରୀକୁ ଫେରାଇ ଆଣିବାକୁ ପୋଲିସକୁ ଗୁହାରି କରିଛନ୍ତି ।

ସ୍ୱାମୀ ଚନ୍ଦନଙ୍କ କହିବା ଅନୁଯାୟୀ, ସେ ନିଜ ଭଉଣୀଙ୍କ ଶାଶୁଘରେ ସରିତା ସହ ପ୍ରଥମେ ଭେଟ ହୋଇଥିଲେ  ।  ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ଓ ଦୁହେଁ ଦୁହିଁଙ୍କୁ ପ୍ରେମ ବିବାହ କରିଥିଲେ ।  ସେହି ସମୟରେ ସରିତା ଦଶମ ପାଶ୍ କରିଥିଲେ  । ସ୍ତ୍ରୀର ପାଠପଢା ସ୍ୱପ୍ନ ଅଧାରେ ନରହୁ ସେଥିପାଇଁ ତାଙ୍କୁ ପାଠ ପଢିବାର ସୁଯୋଗ ଦେଇଥିଲେ । ଉଭୟଙ୍କର ଏକ ୧୨ ବର୍ଷର ଝିଅ ଓ ୭ ବର୍ଷର ପୁଅ ମଧ୍ୟ ଅଛି ।

ଅନୁଗୁଳ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍

ଅନୁଗୁଳ :  ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ତାଳଚେରରେ ପହଞ୍ଚିବା ପରେ ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ଏହା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ନିର୍ମାଣାଧୀନ ମନ୍ଦିରର ନସ୍କା ଦେଖିବା ସହ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ହିଙ୍ଗୁଳା ମନ୍ଦିରର ନବକଳେବର ନିମନ୍ତେ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ଫାଇଭ-ଟି ସଚିବ ।

ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବ । ଅନ୍ୟ ମନ୍ଦିରଗୁଡ଼ିକର ଉନ୍ନତି ପାଇଁ ଯେଉଁଭଳି ଯୋଜନା ହୋଇଛି, ସେହିଭଳି ଭଲ ଯୋଜନା ମାଆ ହିଙ୍ଗୁଳା ମନ୍ଦିର ପାଇଁ କରାଯିବ । ପରେ ସେଠାରେ ଉପସ୍ଥିତ ଥିବା ଏସଏଚଜି ସଦସ୍ୟା ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଥମ ସୋମବାରରେ ଅଘଟଣ : ଝାଡେଶ୍ୱର ମନ୍ଦିରରେ ବୋଲବମ କାଉଡିଆଙ୍କ ମୃତ୍ୟୁ

ଦେବଗଡ : ଶ୍ରାବଣ ପ୍ରଥମ ସୋମବାରରେ ଶିବ ମନ୍ଦିରରେ ଅଘଟଣ । ଝାଡେଶ୍ୱର ମନ୍ଦିରରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ମନ୍ଦିରରେ ଶୋଇଥିବା ଅବସ୍ଥାରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ଦେବଗଡ ପ୍ରସିଦ୍ଧ ଶୈବପୀଠ ଝାଡେଶ୍ୱର ମନ୍ଦିରରେ ଘଟିଛି ଏହି ଅଘଟଣ । ମୃତକ ଜଣକ ହେଲେ ଦେବଗଡ ଜିଲା କୁଣ୍ଢେଇଗୋଳା ଦେଓଝରଣର ୪୨ ବର୍ଷୀୟ ବିଭୁତି ବେହେରା।

ସୂଚନା ଅନୁଯାୟୀ ବିଭୁତି ଢେଙ୍କାନାଳ ଜିଲ୍ଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ୨ଟି ଗାଡିରେ ବାଲିମୀ ଥାନା ନୁଆଁଗାଁର ୫୦ ଜଣିଆ କାଉଡିଆ ଦଳ ଜଳାଭିଷେକ ପାଇଁ ଦେବଗଡ ଝାଡେଶ୍ୱର ମନ୍ଦିରକୁ ଆସିଥିଲେ । ସଂଧ୍ୟାରେ ନିକଟସ୍ଥ ବାଳିଆପିଟା ନାଳରୁ ଜଳ ସଂଗ୍ରହ କରି ମନ୍ଦିର ପରିସରରେ ସାଇତି ରଖିଥିଲେ । ରାତି ପ୍ରାୟ ୧୧ଟାରେ ଖାଇ ସାରି ମନ୍ଦିର ମଣ୍ଡପରେ ଶୋଇଥିଲେ । ଆଜି ପ୍ରତ୍ୟୂଷ ପ୍ରାୟ ୩ ଟା ସମୟରେ ସାଥୀ ମାନେ ତାଙ୍କୁ ଜଳାଭିଷେକ ପାଇଁ ଉଠାଇ ଥିଲେ ମଧ୍ୟ ସେ ଆଉ ଉଠିନଥିଲେ । ଫଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ବାହାନଗା ଟ୍ରେନ ଟ୍ରାଜେଡି : ସିବିଆଇ ଖୋଜୁଛି ଦୁର୍ଘଟଣା ପଛର ସତ

ବାଲେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡି ମାମଲା । ୩ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଚତୁର୍ଥ ଦିନ । ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ସିବିଆଇ । ଖୋଜୁଛି ଦୁର୍ଘଟଣା ପଛର ସତ । ବାହାନଗା ଟ୍ରେନ ଟ୍ରାଜେଡି ପଛରେ ରହିଛି କି ଷଡ଼ଯନ୍ତ୍ର ।

ଅଭିଯୁକ୍ତଙ୍କ ମୁହଁ ସତ ଆଦାୟ କରିବାକୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ ଟ୍ରେନ ଟ୍ରାଜେଡି ମାମଲାରେ ଆଉ କାହାର ସଂପୃକ୍ତି ରହିଛି , ଅବହେଳା ଯୋଗୁଁ ନା ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଛି ତାକୁ ନେଇ ଖୋଳତାଡ କରୁଛି ସିବିଆଇ । ସିଆରଏସ ରିପୋର୍ଟରେ ଷ୍ଟେସନ ମ୍ୟାନେଜର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେଣୁ ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ କରିଥିବା ସୂଚନା ମିଳିଛି । ଆସନ୍ତାକାଲି ରିମାଣ୍ଡର ଶେଷଦିନ ଥିବାବେଳେ ସିବିଆଇକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଛି । ମାମଲାରେ ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ଚର୍ଚ୍ଚା ହେଉଛି

ବିଶ୍ବ ଶୁଣିବ ଓଡ଼ିଶା ସମବାୟ ସଫଳତାର ଗାଥା: ବେଲଜିୟମରେ ଅନ୍ତର୍ଜାତୀୟ ସମବାୟ ଶିଖର ସମ୍ମିଳନୀ

ଭୁବନେଶ୍ୱର : ବିଶ୍ବ ଶୁଣିବ ଓଡ଼ିଶା ସମବାୟ ସଫଳତାର ଗାଥା । ଆଜି ବେଲଜିୟମରେ ଅନୁଷ୍ଠିତ ହେଉଛି ଅନ୍ତର୍ଜାତୀୟ ସମବାୟ ଶିଖର ସମ୍ମିଳନୀରେ । ଏଥିରେ ଯୋଗଦେଉଛନ୍ତି ସମବାୟ ମନ୍ତ୍ରୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ । ନବୀନ ସରକାରରେ ସମବାୟ ସଂସ୍ଥା ଉପରେ ରହିଛି ଫୋକସ୍ ।

ରାଜ୍ୟର ସମସ୍ତ ୨୪୯୫ ପ୍ୟାକ୍ସ ଓ ୨୧୫ ଲ୍ୟାମ୍ପସକୁ କରାଯାଇଛି ଡିଜିଟାଇଜ୍। ଭିତ୍ତିଭୂମି ପାଇଁ ପ୍ରତି ସମବାୟ ସମିତିକୁ ଦିଆଯାଉଛି ୨୫ଲକ୍ଷ ଟଙ୍କା । ଚାଷୀଙ୍କୁ ବିନା ସୁଧରେ ଋଣ ପରିମାଣ ୫୦ହଜାରରୁ ଲକ୍ଷେ ଟଙ୍କାକୁ ବୃଦ୍ଧି କରାଯାଇଛି ।

୧୩ଶହ ନୂଆ ପ୍ୟାକ୍ସ ଗଢ଼ାଯାଇ ସମବାୟକୁ ଅଧିକ କରାଯାଉଛି ଲୋକାଭିମୁଖୀ । ଓଡ଼ିଶାରେ ସମବାୟର ଏହି ସଫଳତା କଥା ଅନ୍ତଜାର୍ତୀୟ ଫୋରମରେ ଉଠିବ । ସମବାୟ ବ୍ୟାଙ୍କ ସଶକ୍ତ ଓ ଶକ୍ତିଶାଳୀ ହେଲେ ଚାଷୀ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆର୍ଥିକ କାରବାର ସହଜ ହେବ । ଜାତୀୟକରଣ ବ୍ୟାଙ୍କ ଭଳି ସମବାୟ ବ୍ୟାଙ୍କ ସବୁ ପ୍ରକାର ଗ୍ରାହକଙ୍କୁ ସବୁ ପ୍ରକାର ସେବା ଯୋଗାଇପାରିବ ।

ଶ୍ରାବଣର ପ୍ରଥମ ସୋମବାରରେ ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶିବ ମନ୍ଦିର ଯାତ୍ରା କରିଥିଲେ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାଶ ମନ୍ଦିରରେ ପାଣି ଢାଳୁଛନ୍ତି ଭକ୍ତ ।

ମନସ୍କାମନା ପୂରଣ ଲାଗି ଜଳାଭିଷେକ କରୁଛନ୍ତି ଶ୍ରଦ୍ଧାଳୁ । ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡୁଥିବାବେଳେ ଜୁଲାଇ ମାସରେ ଆଜି ଓ ୧୭ ତାରିଖ ଦିନ ଜଳଲାଗି କରାଯିବ । ସେହିପରି ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର ୨୧ ତାରିଖ ଓ ୨୮ ତାରିଖ ଦିନ ମଧ୍ୟ ଜଳଲାଗିର ବ୍ୟବସ୍ଥା ରହିଛି । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ୧୨ ଟି ମୋବାଇଲ ପେଟ୍ରୋଲିଂ ଟିମ, ୧୩ ଟି ପିସିଆର ରହିଛି । ଛକ ମାନଙ୍କରେ ଫାଷ୍ଟ ଏଡ ଓ ମୋବାଇଲ ମେଡିକାଲ ୟୁନିଟ ରଖାଯାଇଛି । ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ ଓ ଫାୟାର ଫାଇଟିଂ ୟୁନିଟ ନିୟୋଜିତ ହୋଇଛନ୍ତି । ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧୀନରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ପୁନଃମତଦାନ, ୬୯୬ ବୁଥରେ ସାନି ଭୋଟିଂ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ପୁଣି ଥରେ ପଞ୍ଚାୟତ ନିର୍ବାଚନ ହେବ । ୬୯୬ ବୁଥ୍‌ରେ ସାନି ମତଦାନ ହେବ । ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଓ ବୁଥ କବ୍‌ଜା ପରେ ଏହି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସଂଧ୍ୟା ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ କରିବେ ।

ମୁର୍ଶୀଦାବାଦ୍‌ର ୧୭୫ଟି ବୁଥ୍‌ରେ, ମାଲଦାର ୧୧୨ ବୁଥ୍‌ରେ, ନଦୀଆର ୮୯ ବୁଥ୍‌ରେ, ଉତ୍ତର ୨୪ ପ୍ରଗଣାର ୪୬ ବୁଥ୍‌ରେ, ଦକ୍ଷିଣ ୨୪ ପ୍ରଗଣାର ୩୬ ବୁଥ୍‌ରେ, ପୂର୍ବମେଦିନୀପୁରର ୩୧ ବୁଥ୍‌ରେ, ହୁଗୁଳିର ୨୯ ବୁଥ୍‌ରେ, ଦକ୍ଷିଣ ଦିନାଜପୁରର ୧୮ ବୁଥ୍‌ରେ, ଜାଲପାଇଗୁରୀର ୧୪ ବୁଥ୍‌ରେ, ବୀରଭୂମୀର ୧୪ ବୁଥ୍‌ରେ, ପଶ୍ଚିମ ମେଦିନାପୁରର ୧୦ ବୁଥ୍‌ରେ, ବାଙ୍ଗରାର ୮ ବୁଥ୍‌ରେ, ହାୱଡ଼ାର ୮ ବୁଥ୍‌ରେ, ପଶ୍ଚିମ ବର୍ଦ୍ଧମାନର ୬ ବୁଥ୍‌ରେ, ପୁରୁଲିର ୪ ବୁଥ୍‌ରେ, ପୂର୍ବ ବର୍ଦ୍ଧମାନର ୩ ବୁଥ୍‌ରେ ଓ ଆଲିପୁରଦୁଆରର ଗୋଟିଏ ବୁଥ୍‌ରେ ସାନି ମତଦାନ ହେବ ।

ସେପଟେ ପଶ୍ଚିମବଙ୍ଗରେ ନିର୍ବାଚନ ସରିଥିଲେ ବି ଥମୁନି ହିଂସା । ହିଂସାରେ ଏପର୍ଯ୍ୟନ୍ତ ଗଲାଣି ୧୯ ଜଣଙ୍କ ଜୀବନ । ଶନିବାର ମତଦାନ ହୋଇଥିବା ବେଳେ, ବିଭିନ୍ନ ସ୍ଥାନରେ ହିଂସା ଓ ବୋମାମାଡ଼ ହୋଇଥିଲା । ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବୁଥରେ ଭଙ୍ଗାରୁଜା କରିବା ସହ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ ।

ମଞ୍ଚେଶ୍ବରରେ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ୱରରେ ମେଡ଼ିସିନ ଗୋଦାମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ମେଡ଼ିସିନ ସାମଗ୍ରୀ । ଗୋଦାମରେ କୋଭିଡ ପାଇଁ ଷ୍ଟକ ଥିବା ସାନିଟାଇଜର, ମାସ୍କ, ସ୍ପିରିଟ, ଅକ୍ସିଜେନ ସିଲିଣ୍ଡର ଗ୍ୟାସ ଟାଙ୍କି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି । ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି । ରାତି ପ୍ରାୟ ୧୦.୪୫ ରୁ ୧୧ଟା ଭିତରେ ନିଆଁ ଲାଗିଥିବା ଜଣାପଡିଛି ।

ନିଆଁର ବେଗ ଏତେ ପ୍ରଖର ଥିଲା କି ଅଗ୍ନିଶମ ବାହିନୀଙ୍କୁ ନିଆଁ ଆୟତ୍ତ କରିବାକୁ ଦୀର୍ଘ ସମୟ ଲାଗିଥିଲା । ପାଣିମାଡ଼ ପରେ ନିଆଁ ଆୟତ୍ତ ନ ହେବାରୁ ଏକ ହାଇଡ୍ରା ଓ ଆଉ ଗୋଟେ ଜେସିବି ସାହାଯ୍ୟରେ ଗୋଦାମର ଏକ ପାର୍ଶ୍ଵକୁ ଭଙ୍ଗା ଯାଇ ପାଣି ମାଡ଼ କରାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରାୟ ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗୋଦାମରୁ ନିଆଁ ଲିଭାଯାଇ ଆୟତ୍ତ କରାଯାଇଥିଲା ।

ଅଗ୍ନିଶମ ବିଭାଗ ଓ କମିଶନରେଟ ପୋଲିସ ସହଯୋଗରେ ଏହି କାର୍ଯ୍ୟ ସଫଳ ହୋଇଥିଲା । ଯାହା ଫଳରେ ଅନ୍ୟ ଗୋଦାମ କୁ ନିଆଁ ଲାଗିବା ସମ୍ଭବ ହୋଇନଥିଲା । ଏହା ସହିତ ଆକ୍ସିଜେନ ସିଲିଣ୍ଡର ଖାଲି ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତୀ ଯାଇଛି । ଗୋଦାମରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ଥିବା କାରଣରୁ ସ୍ଥାନୀୟ ଲୋକଙ୍କୁ ଗୋଦାମ ପାଖରୁ ଦୂରେଇ ରାଯାଇଥିଲା ।

ଉତ୍ତର ଭାରତରେ ଜଳ ପ୍ରଳୟ; ଦିଲ୍ଲୀରେ ରେକର୍ଡ ବର୍ଷା, ପଞ୍ଜାବରେ ସ୍ଥିତି ଅସମ୍ଭାଳ, ହିମାଚଳ ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ବର୍ଷୁଛି ମୌସୁମୀ, ଭାସୁଛି ସହର । ଉତ୍ତର ଭାରତରେ ବନ୍ୟା । ରାସ୍ତାରେ ଚାଲୁଛି ଡଙ୍ଗା । ପାଣି ଭିତରେ ବନ୍ଦ ପଡିଛି କାର, ଟ୍ରକ୍‌ । ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବରେ ପ୍ରବଳ ବର୍ଷା । ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ଏଥରର ବର୍ଷା । ୧୯୮୨ ପରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ଗୋଟିଏ ଦିନରେ ୧୫୩ ମିଲି ମିଟରରୁ ଅଧିକ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜାମ୍ମୁ କାଶ୍ମୀର, ହିମାଚଳ ଓ ୟୁପିରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ଏହି ସବୁ ରାଜ୍ୟରେ ୧୩ରୁ ଅଧିକ ଲୋକଙ୍କ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁ ହୋଇଛି ।

ହିମାଚଳ ପ୍ରଦେଶରେ ସବୁଠୁ ଅଧିକ କ୍ଷତି ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ବ୍ୟାସ ନଦୀର ଜଳସ୍ତର ବଢିବା ସହ ଜନବସତି ଆଡକୁ ମାଡି ଆସିଛି ବନ୍ୟା ଜଳ । ଲୋକଙ୍କ ଘରେ ମଧ୍ୟ ପାଣିପଶି ଛାରଖାର ହୋଇଯାଇଛି । ଉଚ୍ଚସ୍ଥାନରେ ଥିବା ଲୋକଙ୍କ ଘର ମଧ୍ୟ ବନ୍ୟା ଜଳରୁ ସୁରକ୍ଷିତ ନାହାନ୍ତି । ଘରୁ ବାହାରିବାକୁ ହେଲେ ପହଁରି ପହଁରି ଯିବାକୁ ପଡୁଛି । ବନ୍ୟାପାଣି ପ୍ରଖର ଗତିରେ ମାଡିବା ଯୋଗୁଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର ଏକ ଅଂଶ ଧୋଇ ହୋଇଯାଇଛି । ହଠାତ୍ ନଦୀର ପାଣି ପଶି ଆସିବାରୁ ଆଖପାଖରେ ଥିବା କାର, ଦୋକାନ ଏବଂ ଏଟିଏମ୍ ବୁଥ୍ ଭାସିଯାଇଥିବା ଦେଖିବାକୁ ମିଳିଛି ।

ଫଶିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍‌ ବନ୍ୟାଞ୍ଚଳରେ ପହଞ୍ଚିଛନ୍ତି । ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସୁରକ୍ଷିତ ସ୍ଥାନକୁ ନେବା ସହ ସେମାନଙ୍କ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରୁଛନ୍ତି । କିଛି ସ୍ଥାନରେ ବନ୍ୟା ଜଳ ଏତେ ପ୍ରଖର ଯେ ସେ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଶି ରହିଥିବା ଲୋକଙ୍କୁ ନିଜ ନିଜକୁ ସୁରକ୍ଷିତ ରଖିବା ପାଇଁ ଅପିଲ କରାଯାଇଛି । କୁଲୁ ମନାଲିରେ ମଧ୍ୟ ସ୍ଥିତି ଅତି ଭୟଙ୍କର ହୋଇଛି । ଗତରାତିରେ ବନ୍ୟା ପାଣି ମାଡି ମାସିବାରୁ ଅନେକ ସ୍ଥାନ ଏବେ ନଦୀର ଭ୍ରମ ସୃଷ୍ଟି କରିଛି ।

ମନାଲୀରେ ପାର୍କ ହୋଇଥିବା କାର ଗୁଡିକ ଭାସୁ ଯାଉଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଜମ୍ମୁକୁ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଲମ୍ବା ଲାଇନ ହୋଇ ରାସ୍ତାରେ ସବୁ ଟ୍ରକ ଠିଆ ହୋଇଛନ୍ତି । ରାସ୍ତା ଭାସିଯିବାରୁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ଦିଲ୍ଲୀରେ ବର୍ଷା ବିତ୍ପାତର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟିକୁ ବାତିଲ କରିଛନ୍ତି । ସେମାନଙ୍କୁ ଫିଲ୍ଡ ସର୍ଭେ କରି ଲୋକଙ୍କ ଦୁଃଖ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀର ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ୧୫ଟି ଘର ମାଟିରେ ମିଶି ଯାଇଥିବା ବେଳେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଜଣକ ହେଉଛନ୍ତି ୫୮ ବର୍ଷୀୟା ରଞ୍ଜିତ କୌର । ବର୍ଷା ଯୋଗୁ ଦିଲ୍ଲୀର କାଲକାଜୀ ଅଞ୍ଚଳରେ ଏକ କାନ୍ଥୁ ଭୁଶୁଡ଼ି ୧୫ ଲକଜୁରୀ କାର୍‌ ଓ ୧୦ଟି ୨ ଚକିଆ ଯାନ ଭାଙ୍ଗିରୁଜି ଯାଇଛି । ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଛି । ଏହି ସବୁ ଜିଲ୍ଲାରେ ଆହୁରି ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି ।