spot_img
Home Blog Page 294

ଅଭିନେତା ବିଜୟଙ୍କ ରଣହୁଙ୍କାର ; ୨୦୨୬ ବିଧାନସଭା ନିର୍ବାଚନ ଲାଗି ହେଲେଣି ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁରେ ବିଗ୍ ଫାକ୍ଟର ସାଜିଲେଣି ଅଭିନେତା ତଥା ତାମିଲଗା ଭେଟ୍ରି କାଜାଗମ ନେତା ବିଜୟ । ଡିଏମକେ ସହ ମେଣ୍ଟ ହେବ ନାହିଁ ବୋଲି ସେ ଘୋଷଣା କରିବା ପରେ ବଢିଛି ଚର୍ଚ୍ଚା। ଏପରିକି ବିଜେପି ବିରୋଧରେ ସେ ଗର୍ଜନ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ମଦୁରାଇରେ ଏକ ବଡ଼ ଧରଣର ରାଲି କରି ସେ ଏହି ଘୋଷଣା କରିବା ପରେ ସେ ଆସନ୍ତା ୨୦୨୬ ନିର୍ବାଚନରେ ପ୍ରମୁଖ ଫାକ୍ଟର ହେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇଛି। ସେ ବିଜେପିକୁ ଫାଶିଷ୍ଟ ଓ ଡିଏମକେକୁ ବିଷ ବୋଲି ସମ୍ବୋଧନ କରିବା ପରେ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ତାମିଲନାଡୁକୁ ବିଜେପି ଅବହେଳା ପ୍ରଦର୍ଶନ କରିଆସୁଛି ଏବଂ ଆରଏସଏସ ସହ ବିଜେପି ସମ୍ପର୍କ ରଖିଛି ବୋଲି କହିଛନ୍ତି ବିଜୟ।

ତାମିଲ ଧୀବରମାନଙ୍କୁ ଗିରଫ କରାଯାଉଥିବାରୁ କଚ୍ଚଥିବୁ ଦ୍ବୀପକୁ ଅଧିକାରକୁ ଅଣାଯାଉ ବୋଲି ସେ କହିଛନ୍ତି । ସେ ଏଆଇଏଡିଏମକେକୁ ବି ସମାଲୋଚନା କରିଛନ୍ତି। ସେହିପରି ମହିଳା ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ବି ସେ ତୀବ୍ର ସମାଲୋଚନା କରିଛନ୍ତି। ଖୁବ ଶୀଘ୍ର ୨୦୨୬ ନିର୍ବାଚନ ଲାଗି ଟିଭିକେ ପ୍ରାର୍ଥୀ ଦେବ ଏବଂ ଦଳ ସମସ୍ତ ୨୩୪ ଆସନରେ ଲଢିବ ବୋଲି ସେ କହିଛନ୍ତି। ବିଜୟ ମଦୁରାଇ ପୂର୍ବ ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ ଇଣ୍ଡିମେଣ୍ଟର ସଦସ୍ୟଙ୍କ ସଂଖ୍ୟା ୧୫୯ ଥିବାବେଳେ ଏନଡିଏର ସଦସ୍ୟ ସଂଖ୍ୟା ରହିଛି ୭୪। ଇଣ୍ଡିମେଣ୍ଟର ସଦସ୍ୟ ଥିବା ଡିଏମକେର ୧୩୪, କଂଗ୍ରେସର ୧୭ ଓ ଭିସିକେର ୪ ସଦସ୍ୟ ରହିଛନ୍ତି। ଏନଡିଏର ସଦସ୍ୟ ଏଆଇଏଡିଏମକେ ବିଧାୟକଙ୍କ ସଂଖ୍ୟା ରହିଛି ୬୧। ବିଜେପିର ୪ ଓ ପିଏମକେର ରହିଛନ୍ତି ୫ ବିଧାୟକ।

ବିହାରରେ କଂଗ୍ରେସର ଭୋଟ ଅଧିକାର ଯାତ୍ରାକୁ ବିପୁଳ ଜନସମର୍ଥନ ; ଆଜି ବରାରିରୁ ପୂର୍ଣ୍ଣିଆ ଓ କତିହାର ଦେଇ ଯିବ ରାଲି

ନନ୍ଦିଘୋଷ ବ୍ୟୁରୋ: ବିହାରରେ କଂଗ୍ରେସର ଭୋଟ ଅଧିକାର ଯାତ୍ରାକୁ ବିପୁଳ ଜନସମର୍ଥନ । ଭୋଟ ଅଧିକାର ଯାତ୍ରା ରୁଟରେ ସାମିଲ ହେଉଛନ୍ତି ହଜାର ହଜାର ଲୋକ । ଆଜି ଏହି ରାଲି ବରାରିରୁ ପୂର୍ଣ୍ଣିଆ ଓ କତିହାର ଯିବ । ୧୬ ଦିନର ଏହି ଯାତ୍ରା ଅତିକ୍ରମ କରିବ ୨୦ ଜିଲ୍ଲାର ୧୩୦୦ କିଲୋମିଟର ରାସ୍ତା । ବିହାର ଭୋଟ ଚୋରି ବିରୋଧରେ ଚାଲିଥିବା ଏହି ଅଭିଯାନକୁ ସହଯୋଗୀ ଦଳ ପକ୍ଷରୁ ବି ସମର୍ଥନ କରାଯାଉଛି । ଆସନ୍ତା ୧ରେ ପାଟନାରେ ଏହି ରାଲି ଶେଷ ହେବ ଏବଂ ସେଠାରେ ବିଶାଳ ସମାବେଶର ଆୟୋଜନ କରାଯାଇଛି । ଏହି ଯାତ୍ରାକୁ ଏକ ରାଜନୈତିକ ଅଭିଯାନ ନୁହେଁ ବରଂ ଏକ ସାମ୍ବିଧାନିକ ଯୁଦ୍ଧ ବୋଲି କଂଗ୍ରେସ କହିଛି ।

ଔରଙ୍ଗାବାଦ, ଗୟା, ନାଳନ୍ଦା, ଶେଖପୁରା, ମୁଙ୍ଗେର, ଭାଗଲପୁର, ପୂର୍ଣ୍ଣିଆ, ଦରଭଙ୍ଗା, ସୀତାମଢି, ଚମ୍ପାରନ, ସିବନ, ଛାପ୍ରା ଓ ଆରା ଦେଇ ଏହି ରାଲି ପାଟନାରେ ପହଞ୍ଚିବ। ଗତ ୧୭ରେ ସାସାରାମରୁ ଆରମ୍ଭ ହୋଇଥିଲା ଅଭିଯାନ।

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଗିରଫ

ସରକାରୀ ଅନୁଦାନ ହେରଫେର ଅଭିଯୋଗ। ଗିରଫ ହେଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ। ଗତ ୨୦୨୩ ସେପ୍ଟେମ୍ବରରେ ତାଙ୍କ ଲଣ୍ଡନ ଗସ୍ତ ସମ୍ପର୍କରେ ଜେରା ପରେ ତାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ରାଷ୍ଟ୍ରପତି ଥିବାବେଳେ ଏକ ଉତ୍ସବରେ ଯୋଗଦେବା ଲାଗି ସେ ବ୍ରିଟେନର ଏକ ବିଶ୍ବବିଦ୍ୟାଳୟକୁ ଯାଇଥିଲେ। ବ୍ୟକ୍ତିଗତ କାରଣକୁ ନେଇ ସେ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ହାଭାନାରେ ଗ୍ରୁପ ୭୭ ସମ୍ମିଳନୀରେ ଯୋଗଦେଇ ଫେରିବାବେଳେ ସେ ଲଣ୍ଡନରେ ରହିଥିଲେ। ସେ ଓ ପତ୍ନୀ ମୈତ୍ରପ ୟୁନିଭର୍ସିଟି ଅଫ ଓଭରହାମ୍ପଟନରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇଥିଲେ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାନିଲ। ଏହି ମାମଲାରେ ତାଙ୍କର ବୟାନ ରେକର୍ଡ କରିବା ପାଇଁ ବିକ୍ରମସିଙ୍ଘେ CID କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଗିରଫ କରାଯାଇଥିଲା।

ଶ୍ରୀଲଙ୍କାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ପରେ ୨୦୨୨ରେ ଦେଶର ଅର୍ଥନୀତିକୁ ସ୍ଥିର କରିବା ପାଇଁ ବିକ୍ରମସିଙ୍ଘେଙ୍କୁ ଶ୍ରେୟ ଦିଆଯାଏ, କିନ୍ତୁ ସେ ସେପ୍ଟେମ୍ବରରେ ପୁଣି ନିର୍ବାଚନରେ ହାରିଗଲେ।ଦକ୍ଷ ରାଜନେତା ଓ ବିଚକ୍ଷଣ କୂଟନୀତିଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିଲେ ରାନିଲ । ସେ ପ୍ରଥମେ ୟୁନାଇଟେଡ ନ୍ୟାସନାଲ ପାର୍ଟିରେ ଯୋଗ ଦେଇଥିଲେ । ୧୯୭୭ରେ ତତକାଳୀନ ଜେ.ଆର ଜୟବର୍ଦ୍ଧନେ ସରକାରରେ ସେ ଥିଲେ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ । ପ୍ରଥମ ଥର ଲାଗି ଅଗଷ୍ଟ ୧୯୯୩ରରୁ ୧୯୯୪ ହୋଇଥିଲେ ପ୍ରଧାନମନ୍ତ୍ରୀ । ମେ ୨୦୨୨ରେ ସେ ପଞ୍ଚମ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ । ଗତ ୨୦ ଜୁଲାଇ ୨୦୨୨ରେ ରାନିଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।

ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆଲୋଚନା କରିଛନ୍ତି ବଡ ଭାଇ ପ୍ରେମ ପଟ୍ଟନାୟକ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଆଲୋଚନା କରିଛନ୍ତି ବଡ ଭାଇ ପ୍ରେମ ପଟ୍ଟନାୟକ। ସମ ଅଲଟିମେଟରେ ନବୀନଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ପ୍ରେମ ପଟ୍ଟନାୟକ। ଏଥିସହିତ ସେ ଭି.କେ. ପାଣ୍ଡିଆନଙ୍କ ସହ ମଧ୍ୟ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଛନ୍ତି। ଡିହାଇଡ୍ରେସନ ଯୋଗୁଁ ନବୀନ ଚାରି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ଅବରଭେସନ ରୁମରେ ରହିଥିଲେ। ଦିନକ ପରେ ତାଙ୍କୁ କ୍ୟାବିନକୁ ସ୍ଥାନାନ୍ତର କରାଯାଇଥିଲା। ସୁସ୍ଥ ହେବା ପରେ ଗତ ବୁଧବାର ରାତିରେ ସେ ନବୀନ ନିବାସ ଫେରିଛନ୍ତି। ନବୀନ ନିବାସ ଫେରିବା ପରେ ତାଙ୍କୁ ଦଳୀୟ ନେତାମାନେ ଭେଟିବା ସହ ବଡ ଭାଇ ମଧ୍ୟ ଭୁବନେଶ୍ବର ଆସିଛନ୍ତି ତାଙ୍କ ସ୍ବାସ୍ଥ୍ୟ କଥା ବୁଝିବାକୁ।

୪ ବର୍ଷର ପୁଅକୁ ପାଇବା ପାଇଁ ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ ମାଆ

୪ ବର୍ଷର ପୁଅକୁ ପାଇବା ପାଇଁ ମହିଳା କମିଶନରେ ଦ୍ବାରସ୍ଥ ହେଲେ ମାଆ । ଆଜି କାଲି କହି କୁନି ପୁଅଙ୍କୁ ମାଆ କୋଳରୁ ସ୍ବାମୀ ଛଡେଇ ନେଇଥିବା ଅଭିଯୋଗ । ପୁଅକୁ ଝୁରି ଝୁରି ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି ଜନ୍ମକଲା ମାଆ । ନ୍ଯାୟ ସହିତ ପୁଅକୁ ପାଇବା ଆଶାରେ ମହିଳା କମିଶନଙ୍କ ନିକଟରେ ଗୁହାରି କରିଛନ୍ତି ନିରାକାରପୁର ମହିଳା ଭାରତୀ ଦାସ । ୨୦୧୯ରେ ଭୁବନେଶ୍ବର ଡୁମଡୁମାର ପ୍ରମୋଦ ମହାପାତ୍ରଙ୍କୁ ବିବାହ କରିଥିଲେ । ଦୁଇବର୍ଷ ରହିଲା ପରେ ପାରିବାରିକ କଳହରୁ ଶ୍ବଶୂର ଘର ଲୋକ ଘରୁ ବାହାର କରି ଦେଇଛନ୍ତି । ପୁଅକୁ ମାଗିବା ପରେ ଘର ଲୋକଙ୍କ ସହ କଥାହୋଇ ପୁଣି ଥରେ ସ୍ବାମୀ ଘରକୁ ନେଉଥିଲେ । ପରବର୍ତ୍ତୀ ସମୟରେ ସ୍ବାମୀ ଘର ଲୋକ ମାଡମାରି ବାହାର କରି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣାରେ ଭାରତୀ ଦାସଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିପାରିନାନାହିଁ ।

ଆସନ୍ତାକାଲି ପୁଣି ଖୋଲିବ ହୀରାକୁଦ

ଆସନ୍ତାକାଲି ପୁଣି ଖୋଲିବ ହୀରାକୁଦ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ପ୍ରବଳ ବର୍ଷାକୁ ନଜରରେ ରଖି ସତର୍କତା ଜାରି। ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ। ମହାନଦୀ ଭିତରକୁ ନ ଯିବାପାଇଁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ।

ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍

ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍। ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ଓ ଗେଜେଟ୍ ନୋଟିଫିକେସନ ପରେ ଏହା ଆଇନରେ ପରିଣତ ହୋଇଛି। ଆଗରୁ ସଂସଦର ଉଭୟ ଗୃହରେ ଏହା ଗୃହୀତ ହୋଇଥିଲା । ଆଇନ ହେବା ପରେ ଡ୍ରିମ 11, ଗେମସ 24X7 ଓ ମୋବାଇଲ ପ୍ରିମିୟର ଲିଗ୍, ନଜାରା ଟେକନୋଲୋଜିସ ଲିମିଟେଡ ଦ୍ବାରା ପରିଚାଳିତ ୩.୮ ବିଲିୟନ ଡଲାରର ଗେମିଂ ଶିଳ୍ପ ପ୍ରଭାବିତ ହେବ। ଅଗଷ୍ଟ ୨୦ରେ ଲୋକସଭାରେ ଓ ୨୧ରେ ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। ଏବେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଗାଇଡଲାଇନ ପ୍ରସ୍ତୁତ କରିବ ଏବଂ ଦେଶରେ ଇ-ସ୍ପୋର୍ଟସ ଇଭେଣ୍ଟ ଆୟୋଜନ କରିବା ଲାଗି ଗାଇଡଲାଇନ ପ୍ରସ୍ତୁତ ହେବ। ବୃହତ କ୍ରୀଡ଼ା ନୀତି ବି ପ୍ରସ୍ତୁତ ହେବ। ନୂଆ ନିୟମ ବଳରେ ଅନଲାଇନ ସୋସିଆଲ ଗେମକୁ ସରକାର ସ୍ବୀକୃତି ଦେବା ସହ ଏହାର ଶ୍ରେଣୀ ବିଭକ୍ତ ଓ ପଞ୍ଜିକରଣ କରାଯିବ। ନିରାପଦ, ବୟସ ଅନୁସାରେ ସାମାଜିକଓ ଶିକ୍ଷାଭିତ୍ତିକ ଗେମ୍ ଲାଗି ବ୍ୟବସ୍ଥା କରାଯିବ। ଭାରତୀୟ ମୂଲ୍ୟବୋଧ ସମ୍ପର୍କିତ ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ ଗେମର ପ୍ରସାରଣ କରାଯିବ। ଅନଲାଇନ ଗେମିଂ ବିଲରେ ଅଫରିଂ, ଅପରେଟିଂ ବା ମନି ଗେମକୁ ନିଷିଦ୍ଧ କରାଯାଇଛି।

ମିଡିଆର କୌଣସି ପ୍ଲାଟଫର୍ମରେ ଅନଲାଇନ ଗେମିଂର ବିଜ୍ଞାପନ ଓ ପ୍ରମୋସନ କରାଯାଇପାରିବ ନାହିଁ। ଟଙ୍କା କାରବାର କ୍ଷେତ୍ରରେ ବ୍ୟାଙ୍କ ଓ ପେମେଣ୍ଟ ସିଷ୍ଟମ ଜରିଆରେ ଅର୍ଥ ନେଣଦେଣ ନିଷିଦ୍ଧ କରାଯାଇଛି। ଆଇଟି ଆଇନ ୨୦୦୦ ଅନୁସାରେ ଅନଲାଇନ ଗେମଗୁଡ଼ିକୁ ବ୍ଲକ କରାଯିବ। ଆଇନ ଅନୁସାରେ ଅନଲାଇନ ଗେମିଂ ଅଥରିଟି ଗଠନ କରାଯିବ। ବ୍ୟବସ୍ଥା ଅନୁସାରେ ନିୟମ ଉଲ୍ଲଂଘନ ହେଲେ ୩ ବର୍ଷ ଜେଲଦଣ୍ଡ କିମ୍ବା ୧କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ। ଅନଲାଇନ ଗେମର ବିଜ୍ଞାପନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ଜରିମାନା କିମ୍ବା ୨ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ଯଦି କୌଣସି ଆର୍ଥିକ କାରବାର ହୁଏ ତେବେ ୩ ବର୍ଷ ଯାଏ ଜେଲ କିମ୍ବା ୧ କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ। ଦଣ୍ଡ ପରେ ଯଦି ପୁନର୍ବାର ଅପରାଧ ଘଟାଯାଏ ତେବେ ୩ରୁ ୫ ବର୍ଷ ଜେଲଦଣ୍ଡ ଓ ୨ କୋଟି ଟଙ୍କା ଯାଏ ଜରିମାନା ବ୍ୟବସ୍ଥା ରହିଛି।

ନବୀନ ନିବାସରେ ବଡ଼ଭାଇ ପ୍ରେମ ପଟ୍ଟନାୟକ

ନବୀନ ନିବାସରେ ବଡ଼ଭାଇ ପ୍ରେମ ପଟ୍ଟନାୟକ। ନବୀନଙ୍କୁ ଭେଟିବାକୁ ପହଞ୍ଚିଲେ ବଡ଼ ଭାଇ ପ୍ରେମ। ନବୀନଙ୍କ ଅସୁସ୍ଥତା ଖବର ଶୁଣି ଭୁବନେଶ୍ଵରରେ ପହଞ୍ଚିଛନ୍ତି ବଡ଼ ଭାଇ। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କରିଛନ୍ତି ଆଲୋଚନା। ଡିହାଇଡ୍ରେସନ ପାଇଁ ଗତ ରବିବାର ଦିନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ। ମେଡିକାଲରେ ସ୍ବତନ୍ତ୍ର ଡାକ୍ତରୀ ଟିମର ଚିକିତ୍ସା ପରେ ବୁଧବାର ରାତିରେ ସୁସ୍ଥ ହୋଇ ଫେରିଥିଲେ ନବୀନ। ମେଡିକାଲରୁ ଡିସଚାର୍ଜ ହେବା ପରେ ନବୀନ ନିବାସକୁ ଯାଇ ଦଳ ସୁପ୍ରିମୋଙ୍କୁ ଭେଟୁଛନ୍ତି ବରିଷ୍ଠ ବିଜେଡି ନେତା।

ଜାତୀୟ ରାଜପଥରେ ଟ୍ରାଫିକ ଜାମ ଯନ୍ତ୍ରଣା: ବରମୁଣ୍ଡାରୁ ଆଇଗିଣିଆ ଲାଗୁଛି ଗୋଟିଏ ଘଣ୍ଟା

ଜାତୀୟ ରାଜପଥରେ ଟ୍ରାଫିକ ଜାମ ଯନ୍ତ୍ରଣା। ବରମୁଣ୍ଡାରୁ ଆଇଗିଣିଆ ଲାଗୁଛି ଗୋଟିଏ ଘଣ୍ଟା। ଜାତୀୟ ରାଜପଥରେ ଅସମ୍ଭାଳ ଭିଡ। ଗାଡ଼ିର ଲମ୍ବା ଲାଇନ, ଅସନ୍ତୋଷ ଜାହିର କଲେ ପଥଚାରୀ। ସକାଳରୁ ମଧ୍ଯରାତ୍ରି, ଯେତେବେଳେ ଯିବ ସେତେବେଳେ ଭିଡ। ଭିଡରେ ଫସିଲା ଆମ୍ବୁଲାନ୍ସ ଓ ଦମକଳ ଗାଡି। ଦିନେ କି ଦୁଇ ଦିନ ନୁହଁ, ୧୦ ଦିନ ଧରି ରାସ୍ତାରେ ହନ୍ତସନ୍ତ ହେବେ ଲୋକେ। ୧୬ ନମ୍ବର ଜାତୀୟ ରାଜପଥ। ଏହି ରାସ୍ତା ରାଜଧାନୀ ଭୁବନେଶ୍ଵରର ପ୍ରମୁଖ ପ୍ରବେଶ ପଥ ହୋଇଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଖଣ୍ଡଗିରି ଫ୍ଲାଇ ଓଭରର ଗ୍ରେଡ୍ ସେପାରେଟର ଷ୍ଟ୍ରକଚର ମରାମତି ଯୋଗୁଁ ଖଣ୍ଡିଗିରିରୁ ଖୋର୍ଦ୍ଧା ପଟ ରାସ୍ତାକୁ ବନ୍ଦ କରାଯାଇ ସର୍ଭିସ ରାସ୍ତା ବ୍ୟବହାର କରାଯାଉଛି। ଫଳରେ ଭୁବନେଶ୍ଵରରୁ ଖୋର୍ଦ୍ଧା ଯାଉଥିବା ଗାଡି ଖାରବେଳ ହୋଟେଲ୍ ପାଖରୁ ରୀତା ଟିଭିଏସ୍ ଶୋରୁମ୍ ପର୍ଯ୍ୟନ୍ତ ସର୍ଭିସ ରାସ୍ତାରେ ଯାଉଛନ୍ତି। ହେଲେ କଟକଣାର ପ୍ରଥମ ଦିନରୁ ଆରମ୍ଭ ହୋଇଛି ଟ୍ରାଫିକ ବିଭ୍ରାଟ। ଦିନ କଥା ଛାଡନ୍ତୁ, ସନ୍ଧ୍ୟା ୫ଟା ହେଲେ ଆରମ୍ଭ ହେଉଛି ଅସମ୍ଭାଳ ଭିଡ। ଗଣମାଧ୍ଯମରେ ଖବର ପ୍ରସାରଣ ପରେ ରାସ୍ତାର ଗୋଟିଏ ଲେନ ଖୋଲାଯାଇ ଯାନାବାହନ ଛଡ଼ାଯାଉଛି। ତେବେ ଏନଏଚଏଆଇର ଏଭଳି କାର୍ଯ୍ୟଶୈଳୀକୁ ନେଇ ବର୍ଷିଛନ୍ତି ଲୋକେ।

ଭୁବନେଶ୍ଵର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଦେଶର ଅନ୍ୟତମ ଗୁରୁତ୍ବପୂର୍ଣ ରାଜପଥ । ତାମିଲନାଡୁ, ଅନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ଯୋଗାଯୋଗ କରୁଛି। ଭୁବନେଶ୍ବର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାରୁ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଫୁଲବାଣୀ ଆଦି ଜିଲ୍ଲାକୁ ଯିବାକୁ ହେଲେ ଏହା ହିଁ ପ୍ରମୁଖ ରାସ୍ତା  । ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ। ପଶ୍ଚିମବଙ୍ଗରୁ ଭୁବନେଶ୍ବର ଦେଇ ଅନ୍ଯ ରାଜ୍ଯକୁ ଯାଉଥିଲା ଏହି ଗାଡ଼ି। କିନ୍ତୁ ଭିଡରେ ଘଣ୍ଟାଏ ଫସିବା ପରେ ଗାଡି ଇଞ୍ଜିନରୁ ଧୂଆଁ ବାହାରିବା ସହିତ ମଝି ରାସ୍ତାରେ ଅଟକିବାକୁ ପଡ଼ିଛି। ଜାତୀୟ ରାଜପଥ ମରାମତି ନେଇ ୨୧ ତାରିଖରୁ ଆସନ୍ତା ୧ ତାରିଖ ପର୍ଯ୍ଯନ୍ତ ଭୁବନେଶ୍ବରରୁ ଖୋର୍ଦ୍ଧା ପଟ ରାସ୍ତା ବନ୍ଦ ରହିବ। ଏନେଇ ଲୋକଙ୍କ ଲାଗି ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ସମସ୍ତେ ଅବଗତ ନାହାନ୍ତି। ଯାହା ଫଳରେ ଯାତ୍ରୀ ଭିଡରେ ଫସିବା ସାଙ୍ଗକୁ ଅସୁବିଧାର ସମୁଖୀନ ହେଉଛନ୍ତି।

ରାଜ୍ୟରେ ଅବହେଳିତ ସରକାରୀ ସ୍କୁଲ: ଶିକ୍ଷକଙ୍କ ସଂଖ୍ୟା ବି ବହୁତ କମ

ରାଜ୍ୟର ସ୍କୁଲଗୁଡିକରେ ଯାହା ଭିତ୍ତିଭୂମି ଯାହା ଅଛି ତାକୁ ସଂରକ୍ଷିତ ଓ ସୁରକ୍ଷିତ କରିବାର ଆବଶ୍ୟକତା ଅଛି। ଯେଉଁଥିପାଇଁ ସରକାରୀ ସ୍କୁଲଗୁଡିକ ଅବହେଳିତ ଅବସ୍ଥାରେ ରହୁଛି । ଯତ୍ନ ନେବାକୁ କେହି ନାହିଁ ବୋଲି ଆଇସିଏସଇର ସଂଘ ଆସୋସିଏସନ ଅଫ ସ୍କୁଲସ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ-ଏଏସଆଇଏସସି ପକ୍ଷରୁ କୁହାଯାଇଛି । ସେପଟେ ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ୟାପକ ଶିକ୍ଷକଙ୍କ ଅଭାବ ରହିଛି । ଯାହାକି ପୂରଣ ହେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ସେପଟେ କିନ୍ତୁ ଆଇସିଏସଇ ବୋର୍ଡ ସ୍କୁଲ ଗୁଡିକରେ ଏଆଇ , ରୋବୋଟିକସ ଓ ସ୍କିଲ ଡେଭଲପମେଣ୍ଟକୁ ଗୁରୁତ୍ୱ ଦେଉଛି । ଏଥିପାଇଁ ପ୍ରଶିକ୍ଷଣ ବି ଚାଲିଛି। ଜୋନାଲ ଲେଭଲ ପ୍ରୋଗ୍ରାମ ହେଉଛି । ରାଉରକେଲା, ଭୁବନେଶ୍ୱର ପରେ ଆଗକୁ ବ୍ରହ୍ମପୁରରେ ପ୍ରୋଗ୍ରାମ ହେବ । ତେଣୁ ଜାତୀୟ ଶିକ୍ଷା ନୀତିକୁ ସଠିକ ଢଙ୍ଗରେ ଲାଗୁ କରିବାକୁ ହେଲେ ସବୁ ଦିଗକୁ ଦୃଷ୍ଟି ଦେବାକୁ ପଡିବ। ସେପଟେ ରାଜ୍ୟରେ ଜାତୀୟ ଶିକ୍ଷାନୀତି ଅଧାଖଣ୍ଡିଆ ଲାଗୁ ହୋଇଥିବା ଶିକ୍ଷାବିତମାନେ ଅଭିଯୋଗ କରିଛନ୍ତି । ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଭଳି ରାଜ୍ୟ ନିଜର ଶିକ୍ଷା ନୀତି କରୁଛନ୍ତି । ଓଡିଶା ସରକାର ମଧ୍ୟ ନିଜର ସ୍ଥିତିକୁ ଦେଖି ନିଜର ସ୍ୱତନ୍ତ୍ର ଶିକ୍ଷା ନୀତି କରିବାକୁ ଦାବି ହୋଇଛି।

ସେପଟେ ଉତ୍କଳ ଅଭିଭାବକ ସଙ୍ଘ ମଧ୍ୟ ସରକାରଙ୍କ ଲୁଚକାଳି ଖେଳକୁ ତୀଵ୍ର ସମାଲୋଚନା କରିଛି । ରାଜ୍ୟର ସ୍କୁଲରେ ଆବଶ୍ୟକ ଭିତ୍ତିଭୂମି ବିକାଶ ନ କରି ଶିକ୍ଷକ ନିଯୁକ୍ତି ନ କରି ସରକାର କେବଳ ଘୋଷଣାରେ ସୀମିତ ରହୁଥିବା ଅଭିଯୋଗ କରିଛି ସଂଘ। ଏପରିକି ଜାତୀୟ ଶିକ୍ଷା ନୀତି ନାଁରେ ପିଲାଙ୍କ ଉପରେ ବହୁ ଅନାବଶ୍ୟକ ପାଠ୍ୟକ୍ରମ ଲଦି ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ସେପଟେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଜାତୀୟ ଶିକ୍ଷନୀତିକୁ ଆଧାର କରି ରାଜ୍ୟରେ ନୂତନ ଶିକ୍ଷକ ପଦବୀ ପୂରଣ ହେବ। ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ୧୫ ହଜାର ଲେଖାଏଁ ଶିକ୍ଷକ ନିଯୁକ୍ତି ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ । ସେହିପରି ଜାତୀୟ ଶିକ୍ଷା ନୀତିରେ ଶିଶୁ ବାଟିକାରୁ ପଞ୍ଚମ ପାଇଁ ନିଜ ଭାଷାରେ ଶିକ୍ଷା ଦେବା ସହ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି। ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବହୁ ଘୋଷଣା କରାଯାଉଛି । କିନ୍ତୁ ଏ ସବୁର ସଠିକ କ୍ରିୟାନ୍ଵୟନକୁ ନେଇ ବିଭିନ୍ନ ସ୍ତରରେ ପ୍ରଶ୍ନ ଉଠୁଛି।