ନନ୍ଦିଘୋଷ ବ୍ୟୁରୋ: କୁକୁର ପାଇଁ ଦୁଇଜଣଙ୍କୁ ଗୁଳିକରି ହତ୍ୟା । ମଧ୍ୟପ୍ରଦେଶ ଇନ୍ଦୋରରେ ଅଭାବନୀୟ ଘଟଣା । ପୋଷା କୁକୁରକୁ ନେଇ ଅଭିଯୁକ୍ତ ରାଜପାଲ ରାଜାଓ୍ବତ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରାଜପାଲ ଘରୁ ଏକ ବନ୍ଧୁକ ଆଣି ପଡ଼ୋଶୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ରାଜପାଲ ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତି । ପୋଲିସ ତାଙ୍କୁ ଗିରଫ କରିବା ସହ ଲାଇସେନ୍ସପ୍ରାପ୍ତ ବନ୍ଧୁକ ପୋଲିସ ଜବତ କରିଛି ।
ଚନ୍ଦ୍ରର ଡାର୍କ ସାଇଡର ପ୍ରଥମ ଛବି ପଠାଇଲା ଋଷ ସ୍ପେସକ୍ରାଫ୍ଟ ଲୁନା-୨୫
ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠର ପ୍ରଥମ ଛବି ପଠାଇଲା ଋଷ ସ୍ପେସକ୍ରାଫ୍ଟ ଲୁନା-୨୫ । ବିଶେଷ କରି ପୃଥିବୀକୁ ଦୃଶ୍ୟମାନ ହେଉ ନଥିବା ଅନ୍ଧାର ପାର୍ଶ୍ବ ଅର୍ଥାତ ଡାର୍କ ସାଇଡର ଫଟୋ ପଠାଇଲା ଲୁନା-୨୫ । ଏସଟିଏସ-ଏଲ ଟେଲିଭିଜନ କମ୍ପ୍ଲେକ୍ସକୁ ବ୍ୟବହାର କରାଯାଇ ଏହି ଇମେଜ କ୍ୟାପଚର କରାଯାଇଛି । ମହାକାଶ ଇତିହାସ କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ବୋଲି କୁହାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା କ୍ରେଟର ଜିମାନର ଏହି ଫଟୋ ପଠାଇଛି ଲୁନା-୨୫ । ଚନ୍ଦ୍ରର ଅନ୍ଧାର ପାର୍ଶ୍ବ କୁହାଯାଉଥିବା ଡାର୍କ ସାଇଡ ସ୍ଥାୟୀ ଭାବେ ପୃଥିବୀର ଦୃଶ୍ୟ ଗୋଚର ହୋଇନଥାଏ । ପୃଥିବୀରୁ ସାଧାରଣତଃ ଜିମାନ କ୍ରେଟର ଦୃଷ୍ଟିଗୋଚର ହୋଇ ନଥାଏ ।
ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା
ପାଟନା: ବିହାର ଅରରିଆରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ଏକ ଖବରକାଗଜ ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ୪ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ବିମଳ ନିଜ ଘରେ ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଫାୟାରିଂ କରିଥିଲେ। ବିମଳଙ୍କ ଛାତିରେ ଏକାଧିକ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସାମ୍ବାଦିକଙ୍କ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଓ ସ୍ଥାନୀୟ ସାଂସଦ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି ।
ଥମୁନି ହିଂସା, ଜଳୁଛି ମଣିପୁର
ନନ୍ଦିଘୋଷ ବ୍ୟୁରୋ: ସାଢ଼େ ତିନି ମାସ ଧରି ଜଳୁଛି ମଣିପୁର । କୁକୀ-ମିତେଇ ବିବାଦକୁ ନେଇ ଜଳୁଛି ପୂରା ରାଜ୍ୟ । ଆଜି ସକାଳୁ ଉଖରୁଲ ଜିଲ୍ଲାର କୁକୀ ଗାଁରେ ଆଖିବୁଜା ଫାୟାରିଂ ହୋଇଥିବା ବେଳେ ତିନି କୁକୀ ପ୍ରତିନିଧିଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀ ଓ ଗ୍ରାମବାସୀଙ୍କ ଦ୍ବାରା ବହୁ ଖୋଜାଖୋଜି ପରେ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ମେ ୩ ତାରିଖରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଲାଗି ରହିଥିବା ବେଳେ ଦେଢ଼ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଚି । ୩ହଜାର ଲୋକ ଆହତ, ଗୁରୁତର ହୋଇଛନ୍ତି । ପ୍ରାୟ ୬୦ ହଜାର ଲୋକଙ୍କ ଘର ଜଳାଇ ଦିଆଯାଇଥିବା ବେଳେ ସେମାନେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ସେପଟେ ହିଂସାଗ୍ରସ୍ତ ରାଜ୍ୟର ସ୍ଥିତି ସମୀକ୍ଷା ପାଇଁ ଆଜିଠୁ ତିନି ଦିନିଆ ମଣିପୁର ଗସ୍ତରେ ଯାଇଛନ୍ତି ସିପିଆଇଏମର ୪ ଜଣିଆ ସଦସ୍ୟ । ସାଧାରଣ ସମ୍ବାଦକ ସୀତାରାମ ୟେଚୁରୀରେ ନେତୃତ୍ବରେ ଚାରି ଜଣିଆ ଟିମ୍ ମଣିପୁର ଗସ୍ତ କରିଛନ୍ତି । ମଣିପୁର ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି ସିପିଆଇଏମ ନେତା ବିନୟ ବିଷ୍ଣୋଇ ।
ବନ୍ଧା ହେଲେ ନକଲି ସୂଚନା ଅଧିକାର କର୍ମୀ
ଭୁବନେଶ୍ବର: ରାଜଧାନୀରୁ ବନ୍ଧା ହେଲେ ନକଲି ସୂଚନା ଅଧିକାର କର୍ମୀ। ଚାକିରି ଆଶାୟୀ, କ୍ରଶର ଲାଇସେନ୍ସ,, ମଦ ଲାଇସେନ୍ସ,, ବଦଳି ଓ ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଠକେଇର ମାଷ୍ଟର ମାଇଣ୍ଡ କିଶୋର ମିଶ୍ରକୁ ଭୁବନେଶ୍ୱରରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ପରେ କୋରାପୁଟ ଏସଡିଜେଏମରେ କରାଗଲା ହାଜର । କିଶୋର ମିଶ୍ର ଗ୍ୟାଙ୍ଗରେ ରାଜ୍ୟ ତମାମ ଲୋକ ସଂପୃକ୍ତ ଥିବା ସୁରାକ ପାଇଛି ଏସଟିଏଫ୍ । କିଶୋରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ଗ୍ୟାଙ୍ଗରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ । ଗତ ୨ରୁ ୩ବର୍ଷ ମଧ୍ୟରେ ତାଙ୍କ ଆକାଉଣ୍ଟରେ ୨କୋଟିରୁ ଅଧିକ ଜମା ହୋଇଛି । ଯାହାର ଆକାଉଣ୍ଟ ଷ୍ଟେଟମେଣ୍ଟ ପାଇଛି ପୋଲିସ ।
ଡମ୍ପରକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍
ବାରିପଦା: ଡମ୍ପରକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ୧୮ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ନଣ୍ଡାଶୋଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ’ବାସୁଦେବ’ ନାମକ ଏକ ଯାତ୍ରୀବାହୀ ବସ ବାଲେଶ୍ଵରରୁ ବାରିପଦା ଆସୁଥିବା ବେଳେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ମୋକିମଙ୍କ ପାଇଁ ବଢ଼ିଲା ଅଡୁଆ
କଟକ: ବିଧାୟକ ମହମ୍ମଦ ମୋକିମଙ୍କ ଭିଜିଲାନ୍ସ କୋର୍ଟ ରାୟ ଉପରେ ହାଇକୋର୍ଟରୁ ରହିତାଦେଶ ପାଇବା ମାମଲା । ମେଟ୍ରୋ ବିଲଡର୍ସ ମାମଲାରେ ଭିଜିଲାନ୍ସ ଜେଲ ଦଣ୍ଡ ସହ ସଭ୍ୟ ପଦ୍ଦ ରଦ୍ଦ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ରଙ୍କ କୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି । ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ସହିତ ଏହାର ପରିସମାପ୍ତି ଘଟାଇଛନ୍ତି କୋର୍ଟ । ଏହିପରି ମାମଲାର ଶୁଣାଣି ପାଇଁ ଜଣିକିଆ ସ୍ୱତନ୍ତ୍ର ବେଞ୍ଚ ଗଠନ କରାଯାଇଥିବା କୋର୍ଟ ଅବଗତ କରାଇବା ସହିତ କେସର ପରିସମାପ୍ତି ଘଟାଇଛନ୍ତି । ମୁଖ୍ୟ ବିଚାରପତି ସୁଭାଶିଷ ତାଳପତ୍ରଙ୍କ କୋର୍ଟରେ ଆଜି ଏହାର ଶୁଣାଣି ହୋଇଥିଲା । ମେଟ୍ରୋ ବିଲ୍ଡର୍ସ ମାମଲାରେ ଭିଜିଲାନ୍ସ ୩ ବର୍ଷ ସଜା ଶୁଣାଇଥିଲେ ।
ଏହା ଉପରେ ମୋକିମ ରହିତାଦେଶ ଆଣିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୨୨ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ଏହା ପରବର୍ତ୍ତୀ ସମୟରେ ଆଉ ତାଲିକାଭୁକ୍ତ ହୋଇପାରିନଥିଲା । ତେବେ ମାମଲାର ତ୍ବରିତ ବିଚାରପାଇଁ ଡାକ୍ତର ରବି ରଂଜନ ସାହୁଙ୍କ ସହ ତିନି ଜଣ ବ୍ୟକ୍ତି ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଯାହାର ଆଜି ଶୁଣାଣି କରି କୋର୍ଟ ଜଣିକିଆ ସ୍ବତନ୍ତ୍ର ବେଞ୍ଚ ଗଠନ କରାଯାଇଥିବା କହି କେସର ଅନ୍ତ ଘଟାଇଛନ୍ତି । ଅନ୍ୟପଟେ ଏହି ମାମଲାର ୬ ମାସ ମଧ୍ୟରେ ଶୁଣାଣି ସରିବ ବୋଲି କୋର୍ଟ ଆଶା କରିଛନ୍ତି ।
ଚିନ୍ତା ବଢ଼ାଇଲା କୋଭିଡର ନୂଆ ଭାରିଆଣ୍ଟ BA.2.86
ନନ୍ଦିଘୋଷ ବ୍ୟୁରୋ: ତିନିଟି ଦେଶରେ ଚିନ୍ତା ସୃଷ୍ଟି କଲା କୋଭିଡର ନୂଆ ଭାରିଆଣ୍ଟ BA.2.86 । ଏହି ଭାରିଆଣ୍ଟ ଅଧିକ ଶକ୍ତିଶାଳୀ ବୋଲି ସୂଚନା ମିଳିଛି । ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ କୁହାଯାଇଛି ମହାମାରୀ କୋଭିଡ-୧୯ର କାରଣ ସାଜିଥିବା ଭାଇରସର ଏକ ନୂଆ ଅତ୍ୟଧିକ ମ୍ୟୁଟେଟେଡ ଲିନିଏଜ BA.2.86 ଏବେ ପ୍ରସାରିତ ହେଉଛି । ଆମେରିକା, ଇସ୍ରାଏଲ ଓ ଡେନମାର୍କରେ ଏହି ନୂଆ ଭାରିଆଣ୍ଟ ପ୍ରଭାବ ବିସ୍ତାର କରୁଛି । ଆମେରିକାର ସିଡିସି ପକ୍ଷରୁ କୁହାଯାଇଛି- ଏହି ମାରାତ୍ମକ ଭୂତାଣୁ ସମ୍ପର୍କରେ ଦୃଷ୍ଟି ରଖାଯାଇଛି ଏବଂ ସତର୍କତା ଜାରି କରାଯାଇଛି । ଏହି ଭାରିଆଣ୍ଟକୁ ମନିଟରିଂ କରାଯାଉଥିବା ନେଇ କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ଭୂତାଣୁ ଅନେକ ପ୍ରକାର ମ୍ୟୁଟେସନରୁ ସୃଷ୍ଟି ହୋଇଛି ବୋଲି ସଂଗଠନ କହିଛି । ୨୦୧୯ରେ କୋଭିଡର ମୁଖ୍ୟ କାରଣ ସାଜିଥିବା ସାର୍ସ କୋଭିଡ-୨ ସମେତ ସମସ୍ତ ଭାଇରସର ମ୍ୟୁଟେସନ ଘଟିବାରେ ଲାଗିଛି । ତେବେ ଅନେକ ଭାରିଆଣ୍ଟର ଖୁବ୍ କମ୍ ପ୍ରଭାବ ରହିବା ବେଳେ କେତେକ ଭାରିଆଣ୍ଟର ପ୍ରଭାବ ଆଦୌ ପଡୁନାହିଁ । ବର୍ତ୍ତମାନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୩ଟି ଭାରିଆଣ୍ଟକୁ ଟ୍ରାକିଂ କରୁଥିବାବେଳେ ୭ଟି ଭାରିଆଣ୍ଟକୁ ମନିଟରିଂ କରୁଥିବା ସୂଚନା ମିଳିଛି ।
ଦିଲ୍ଲୀରୁ ପୁନେ ଯାଉଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ
ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ । ଦିଲ୍ଲୀରୁ ପୁନେ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଯାତ୍ରୀଙ୍କୁ ବାହାର କରାଯାଇ ବିମାନର ଯାଞ୍ଚ ଚାଲିଛି । ଆଇସୋଲେସନ ଓ୍ବେରେ ସୁରକ୍ଷାକର୍ମୀମାନେ ବିମାନର ଯାଞ୍ଚ କରୁଛନ୍ତି । ବିମାନରେ ବୋମା ଥିବା ନେଇ କଲ ସେଣ୍ଟରକୁ ଏକ ଫୋନ କଲ ଆସିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ରହିଛି ।
ପିପିଲି ଚାନ୍ଦୁଆ ଶିଳ୍ପର ହେବ ବିକାଶ, ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ
ପିପିଲି: ପିପିଲି ଚାନ୍ଦୁଆ ଶିଳ୍ପର ହେବ ବିକାଶ । ଏଥିପାଇଁ ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ରୂପାନ୍ତରଣ ପାଇଁ ଗ୍ରାଉଣ୍ଡରେ ଅନୁଧ୍ଯାନ କରି ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଫାଇଭ-ଟି ସଚିବ କହିଛନ୍ତି, ପିପିଲି ଚାନ୍ଦୁଆ ଓଡ଼ିଶା କଳାର ପରିଚୟ । ଏହାର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ପିପିଲି ଇନ୍ଦିରା ଗାନ୍ଧୀ ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ପ୍ରତି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି । ଏହି ସମୟରେ ଫାଇଭ-ଟି ସଚିବଙ୍କୁ ରାକ୍ଷୀ ପିନ୍ଧାଇଦେଇଥିଲେ ମହିଳା । ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରି ଆସନ୍ତା ସାତ ଦିନ ଅର୍ଥାତ ୨୫ ତାରିଖ ଭିତରେ ଧର୍ମାନୁଷ୍ଠାନ ସମ୍ପର୍କିତ ଦାବି ପୂରଣ କରାଯାଇ ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଦେଉଥିବା ଅନୁଦାନକୁ ସ୍ବଚ୍ଛତାର ସହିତ ବିନିଯୋଗ କଲେ ଆଗକୁ ଅଧିକ ଅର୍ଥ ପ୍ରଦାନ କରାଯିବ ବୋଲି ଫାଇଭ-ଟି ସଚିବ କହିଛନ୍ତି । ଦିନେ ଦୁଇଦିନ ମଧ୍ୟ ପିଇବା ପାଣି ସମ୍ପର୍କିତ ଯାହା ବି ସମସ୍ୟା ରହିଛି ତାହାର ସମାଧାନ କରାଯିବ । ଏହି ଅବସରରେ ମିଶନ ଶକ୍ତି ମାଆଙ୍କୁ ପ୍ରଶଂସା କରିଥିଲେ ଭିକେ ପାଣ୍ଡିଆନ ।
ମୁଖ୍ୟମନ୍ତ୍ରୀ ପ୍ରତି ସରକାରୀ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମାଆମାନଙ୍କୁ ସାମିଲ କରୁଛନ୍ତି । ଏହାଦ୍ବାରା ମାଆ ସ୍ବାବଲମ୍ବୀ ହୋଇ ଘର ଚଳାଉଛନ୍ତି । ସେହିପରି ବିଏସକେଓ୍ବାଇ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି । ଏହା ମାଧ୍ୟମରେ ଦେଶର ବଡ଼ ବଡ଼ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି । ଚାଷୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ଯାଏ ବିନା ସୁଧରେ ଋଣ ପ୍ରଦାନ କରୁଛନ୍ତି । ଫସଲ ବୀମା ପ୍ରିମିୟମ ଚାଷୀଙ୍କୁ ଦେବାକୁ ପଡ଼ୁନାହିଁ । ସେହିପରି ଫାଇଭ-ଟି ସ୍କୁଲ ରୂପାନ୍ତରଣ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି ବୋଲି ଫାଇଭ-ଟି ସଚିବ କହିଛନ୍ତି ।

