spot_img
Home Blog Page 302

ସରଗରମ ବିହାର ରାଜନୀତି; ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ ଦେଖିବାକୁ ମିଳିପାରେ କଡ଼ା ଟକ୍କର

ନନ୍ଦିଘୋଷ ବ୍ୟୁରୋ : ସରଗରମ ବିହାର ରାଜନୀତି । ରାଜନେତାଙ୍କ ମଧ୍ୟରେ ଘଡିକେ ଘୋଡା ଛୁଟୁଛି । ଏନଡିଏ ଓ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଦେଖିବାକୁ ମିଳିପାରେ କଡ଼ା ଟକ୍କର । ଏବେ ସୁଦ୍ଧା ଇଣ୍ଡିମେଣ୍ଟରେ ଆସନ ଭାଗବଣ୍ଟା ଛିଣ୍ଡିପାରୁନଥିବା ବେଳେ ଆରଜେଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ତାଙ୍କର ନିର୍ବାଚନ କ୍ଷେତ୍ର ଘୋଷଣା କରିଛନ୍ତି। ତେଜସ୍ୱୀ ଯାଦବ ଅକ୍ଟୋବର ୧୫ ତାରିଖରେ ରାଘୋପୁର ନିର୍ବାଚନମଣ୍ଡଳୀରୁ ତାଙ୍କର ନାମାଙ୍କନ ଦାଖଲ କରିବେ ।

ସେପଟେ ଏନଡିଏ ଓ ବରୋଧୀ ଇଣ୍ଡି ମେଣ୍ଟ ପାଇଁ କଣ୍ଟା ସାଜିପାରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି। ଆଗାମୀ ବିହାର ନିର୍ବାଚନ ପାଇଁ ୬୫ଟି ଆସନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଜେଏସପି। ହେଲେ କିଶୋରଙ୍କ ନାମ ଏହି ତାଲିକାରେ ନାହିଁ। ଗତ ସପ୍ତାହରେ, ଜେଏସପି ରାଜ୍ୟର ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ୫୧ ଜଣଙ୍କ ନାମ ସହିତ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଥିଲା। ତେବେ ଜେଏସପି ନିଶ୍ଚିତ ରୂପେ ଦୁଇ ମେଣ୍ଟକୁ ଟକ୍କର ଦେଇପାରେ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ। ସେପଟେ ଆରଜେଡି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବଙ୍କୁ ଶକ୍ତ ଧକ୍କା ଦେଇପାରନ୍ତି ବଡ଼ ଭାଇ ତେଜ ପ୍ରତାପ। ତେଜପ୍ରତାପ ଜନଶକ୍ତି ଜନତା ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୨୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ସେ ମହୁଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଛନ୍ତି।

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣା : ସମସ୍ତ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଗଣ ଦୁଷ୍କର୍ମ ଘଟଣାରେ ମୋଟ ୫ ଜଣ ଅଭିଯୁକ୍ତ ସାମିଲ ଥିଲେ । ମୁଖ୍ୟ ଅଭିଯୁକ୍ତ ବି ଗିରଫ ହୋଇଛି । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନରେଟ କମିଶନର । ଏହି ଘଟଣାରେ ପଶ୍ଚିମବଙ୍ଗ ପୋଲିସ ପୀଡ଼ିତା ଓ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଘଟଣା ଘଟିବା ପରଦିନ ନିଜେ ପୋଲିସ କମିଶନର ପୀଡ଼ିତାଙ୍କୁ ମେଡିକାଲରେ ଭେଟିବା ସହ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ।

ପୀଡ଼ିତାଙ୍କ ପରିବାର କିମ୍ବା ତାଙ୍କ ବାପାଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ପୋଲିସ ଯୋଗାଇଦେବାକୁ କମିଶନର କହିଥିଲେ। କିନ୍ତୁ ପୋଲିସ ସୁରକ୍ଷା ଦେବାକୁ ମନା କରିଦେଇଥିଲେ। ଏହାସହିତ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ତଦନ୍ତରେ ସହଯୋଗ ପାଇଁ ମଧ୍ୟ ପଚରାଉଚୁରା କରାଯାଉଛି। ସମସ୍ତ ଅଭିଯୁକ୍ତ ଗିରଫ ହେବା ପରେ ତାଙ୍କ ବିରୋଧରେ କଠୋର ଦଫା ଲାଗିଛି। ପୀଡ଼ିତା ଯେପରି ତ୍ବରିତ ନ୍ୟାୟ ପାଇବେ ସେନେଇ କମିଶନରେଟ୍ ପୋଲିସ ତତ୍ପର ଅଛି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ପୀଡ଼ିତାଙ୍କ ପରିବାର ପ୍ରତି କମିଶନରେଟ୍ ପୋଲିସ ସମବେଦନା ଜଣାଉଛି। ପୀଡିତା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଠି ମହିଳା ପୋଲିସ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି। ଏହାସହିତ ପୀଡ଼ିତା ଓ ତାଙ୍କ ବାପାଙ୍କୁ ସ୍ଥାନୀୟ ପୋଲିସ ଅଧିକାରୀ, ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଫୋନ ନମ୍ବର ଯୋଗାଇ ଦିଆଯାଇଛି। ଯେତେବେଳେ ବି ପୀଡ଼ିତା କିମ୍ବା ତାଙ୍କ ପରିବାର ଆବଶ୍ୟକ ମନେକରିବେ ତତକ୍ଷଣାତ ପୋଲିସ ସହାୟତା ଯୋଗାଇ ଦିଆଯିବ। ତେବେ ପୀଡ଼ିତାଙ୍କୁ ଭୁବନେଶ୍ବର ନେବା ପାଇଁ ବାପା କହୁଥିବା ନେଇ ସାମ୍ବାଦିକମାନେ ପ୍ରଶ୍ନ ପଚାରିବାରୁ ପୋଲିସ କମିଶନର କୌଣସି ମନ୍ତବ୍ୟ ଦେଇନାହାନ୍ତି

କଳାହାଣ୍ଡି ଓ ରାୟଗଡ଼ାର ୯୨ଟି ଗାଁରେ ବେଦାନ୍ତର ବାର୍ଷିକ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ

ନନ୍ଦୀଘୋଷ ବ୍ୟୁରୋ: ବେଦାନ୍ତ ଆଲୁମିନିୟମ, ଏହାର ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ, ପ୍ରୋଜେକ୍ଟ ‘ଆରୋଗ୍ୟ’ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୮ଟି ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଆରମ୍ଭ କରିଛି । ଏଥିରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ୯୨ଟି ଗାଁରେ ବୃଦ୍ଧ ବ୍ୟକ୍ତିଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବା ଏବଂ ଜୀବନର ମାନ ଉନ୍ନତ କରିବାକୁ ଉଦ୍ୟମ କରାଯାଉଛି । ଏହା ଭବାନୀପାଟଣାର ଜଗନ୍ନାଥ ନେତ୍ରାଳୟ ସହିତ ମିଳିତ ଭାବରେ ପରିଚାଳିତ ହେଉଛି । ଅକ୍ଟୋବର ୨୦୨୫ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ କରାଯିବ । ଯାହା ଦ୍ୱାରା ପଛୁଆ ସମ୍ପ୍ରଦାୟକୁ ମାଗଣା ପରାମର୍ଶ, ଅସ୍ତ୍ରୋପଚାର ଓ ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ନେଇ କାମ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ, ପ୍ରାୟ ୪୦ ଜଣ ରୋଗୀଙ୍କର ଅସ୍ତ୍ରୋପଚାର ହେବ । ଏହି ଅଭିଯାନର ଲକ୍ଷ୍ୟ ୨୦୨୬ ଆର୍ଥିକ ବର୍ଷରେ ୩୫୦ରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ।

ସୁଲଭ ଓ ଗୁଣାତ୍ମକ ଚକ୍ଷୁ ଚିକିତ୍ସା ଉପରେ ଦୃଢ଼ ଧ୍ୟାନ ଦେଇ, ବେଦାନ୍ତ ଲାଞ୍ଜିଗଡ଼ର ପ୍ରୋଜେକ୍ଟ ‘ଆରୋଗ୍ୟ’ କଳାହାଣ୍ଡି ଏବଂ ରାୟଗଡ଼ାରେ ସ୍ୱାସ୍ଥ୍ୟସେବା ପାର୍ଥମ୍ୟକୁ ପୂରଣ କରିଚାଲିଛି । ଆଜି ପର୍ଯ୍ୟନ୍ତ, ବେଦାନ୍ତ ଲାଞ୍ଜିଗଡ଼ର ନିରନ୍ତର ଚକ୍ଷୁ ଚିକିତ୍ସା ହସ୍ତକ୍ଷେପ ୧,୭୦୦ରୁ ଅଧିକ ବ୍ୟକ୍ତିଙ୍କୁ ସେମାନଙ୍କର ଦୃଷ୍ଟିଶକ୍ତି ଫେରିପାଇବାରେ ସାହାଯ୍ୟ କରିଛି ।

ଏପରି ପଦକ୍ଷେପକୁ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପଣବ କୁମାର ଭଟ୍ଟାଚାର୍ଯ୍ୟ ପ୍ରଶଂସା କରି କହିଛନ୍ତି, ‘ବେଦାନ୍ତ ଲାଞ୍ଜିଗଡ଼ରେ, ଆମର ସ୍ୱାସ୍ଥ୍ୟସେବା ପଦକ୍ଷେପଗୁଡ଼ିକ ଲୋକଙ୍କ ଜୀବନରେ ଏକ ସ୍ପଷ୍ଟ ପରିବର୍ତ୍ତନ ଆଣିବା ପାଇଁ ତିଆରି କରାଯାଇଛି । ଯାହା ନିଶ୍ଚିତ କରେ. ସବୁଠାରୁ ଦୂରବର୍ତ୍ତୀ ସମ୍ପ୍ରଦାୟ ମଧ୍ୟ ଗୁଣାତ୍ମକ ଚିକିତ୍ସା ସେବା ପାଇପାରିବେ । ପ୍ରୋଜେକ୍ଟ ଆରୋଗ୍ୟ ମାଧ୍ୟମରେ, ଆମେ ମୋବାଇଲ୍ ସ୍ୱାସ୍ଥ୍ୟ ୟୁନିଟଠାରୁ ଆରମ୍ଭ କରି ମୋତିଆବିନ୍ଦୁ ଅସ୍ତ୍ରୋପଚାର ଭଳି ବିଶେଷ ହସ୍ତକ୍ଷେପ ପର୍ଯ୍ୟନ୍ତ ପ୍ରତିରୋଧକ ଏବଂ ଚିକିତ୍ସାମୂଳକ ଚିକିତ୍ସା ସହିତ ହଜାର ହଜାର ପରିବାରଙ୍କ ନିକଟରେ ପହଞ୍ଚିପାରିଛୁ । ପ୍ରତ୍ୟେକ ରୂପାନ୍ତରିତ ଜୀବନ ସୁସ୍ଥ, ଓ ସୁନ୍ଦର ସମ୍ପ୍ରଦାୟ ଗଠନ କରିବା ପାଇଁ ଆମର ମିଶନର ପ୍ରକୃତ ପ୍ରଭାବକୁ ପ୍ରତିନିଧିତ୍ୱ କରେ ।’

ବେଦାନ୍ତ ଲାଞ୍ଜିଗଡ଼ର ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ, ପ୍ରୋଜେକ୍ଟ ଆରୋଗ୍ୟ, ଏହି ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ଆର୍ଥିକ ବର୍ଷ ୨୦୨୪-୨୫ରେ, ୬୬୦ରୁ ଅଧିକ ମୋବାଇଲ୍ ହେଲଥ ୟୁନିଟ୍ (MHU) ପରିଦର୍ଶନ କରାଯାଇଥିଲା । ଯାହା ଦୂରଦୂରାନ୍ତ ଗ୍ରାମଗୁଡିକର ୨୦ ହଜାର ୫ ଶହରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ସ୍ୱାସ୍ଥ୍ୟସେବା ସେବା ଯୋଗାଇ ଦେଇଥିଲା । ଏହା ସହିତ, ୬୮୦ରୁ ଅଧିକ ସାମୁଦାୟିକ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା । ଯାହା ୧୫ ହଜାରରୁ ଅଧିକ ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତା, ସୁସ୍ଥତା ଓ ରୋଗ ନିବାରଣ ବିଷୟରେ ପରାମର୍ଶ ଦେଇଥିଲା । ବେଦାନ୍ତ ଲାଞ୍ଜିଗଡ଼ ଶେଷ ମାଇଲ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଏବଂ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଦାୟିତ୍ୱବାନ ବିକାଶ ସହଯୋଗୀ ଭାବରେ ସକ୍ରିୟ ଭୂମିକା ନିର୍ବାହ କରିଆସୁଛି ।

ଆସିଲା ବାଣ ଫୁଟା ପାଇଁ ସରକାରୀ ଗାଇଡଲାଇନ: ସନ୍ଧ୍ୟା ୭ ଟାରୁ ୯ ଟା ଭିତରେ ଫୁଟାଯିବ ବାଣ

ନନ୍ଦିଘୋଷ ବ୍ୟୁରୋ: ଆସିଲା ବାଣ ଫୁଟା ପାଇଁ ସରକାରୀ ଗାଇଡଲାଇନ । ଏଥର ବି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଯେପରି ଶବ୍ଦ କି ବାୟୁ ପ୍ରଦୂଷଣ ନ ହୁଏ, ତାହାର ତଦାରଖ କରିବାକୁ ଏସପି ଓ ଜିଲ୍ଲାପାଳମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଠି କରାଯାଇଛି । ପ୍ରଦୂଷଣର ମାତ୍ରା ବଢୁଥିବାରୁ ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, କଳିଙ୍ଗନଗର ଓ ତାଳଚେର ପରି ସହରକୁ ସ୍କାନରରେ ରଖାଯାଇଛି ।

ଏଥର ବି ଦୀପାବଳିରେ ସବୁଜ ବାଣକୁ ହଁ ।  ୭ ଟାରୁ ୯ ଟା ଯାଏଁ ବାଣ ଫୁଟାଇ ପାରିବେ ଲୋକ । ଏନେଇ  ସୁପ୍ରିମକୋର୍ଟଙ୍କ ରହିଛି କଡ଼ା ନିର୍ଦ୍ଧେଶ। ଦୀପାବଳିରେ ବାଣ ଫୁଟାଇବା ପାଇଁ ୧୬ ସୂତ୍ରୀ ପରାମର୍ଶମୂଳକ ନିର୍ଦ୍ଦେଶାବଳୀ ଜାରି କରିଛି ପ୍ରଦୂଷଣ ନିୟନ୍ତ୍ରନ ବୋର୍ଡ଼ । ସବୁଜ ବାଣ ଶବ୍ଦ କି ବାୟୁ ପ୍ରଦୂଷଣ କରେନି । ବାଣର ଶବ୍ଦ ୧୨୫ ଡିବିରୁ ଅଧିକ ହୋଇପାରିବ ନାହିଁ । ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷା ସଂସ୍ଥା, କୋର୍ଟ, ଧାର୍ମିକ ସ୍ଥାନ, ସାଇଲେନସ ଜୋନର ୧୦୦ ମିଟର ଦୂରତା ଭିତରେ ବାଣ ନଫୁଟାଇବାକୁ ନିର୍ଦ୍ଦେଶ ରହିଛି ।

ସେହିପରି ଦୋକାନ, ଅଗ୍ନି ପ୍ରବଣ ସ୍ଥାନ, ରାସ୍ତା ଓ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ମଧ୍ୟ ବାରଣ କରାଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ ସୃଷ୍ଟି କରୁଥିବା ବାଣଠାରୁ ଦୂରରେ ରହିବା ଉଚିତ । ବାଣ ଫୁଟାଇବା ସମୟରେ କଟନ ବା ସୂତା କପଡା ପରିଧାନ କଲେ ସୁରକ୍ଷତି ରହି ହେବ । ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ଦ୍ରବ୍ୟ ବ୍ୟବହାର ହୋଇ ପାରିବ ନାହିଁ । ନିୟମ ଖିଲାପ କଲେ ୨୦୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ନିୟମାବଳୀକୁ କଡ଼ାକଡି ପାଳନ କରିବା ଦିଗରେ ଏସପି ଓ ଜିଲ୍ଲାପାଳମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଠି କରାଯାଇଛି । ତେବେ ବାଣଠାରୁ ଦୂରରେ ରହି ଦୀପାବଳିରେ କେବଳ ଦୀପ ଜଳାଇ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, କଳିଙ୍ଗନଗର ଓ ତାଳଚେର ପରି ସହରରେ ସବୁ ସମୟରେ ପ୍ରଦୂଷଣର ମାତ୍ରା ଅଧିକ ଥାଏ । ଗତବର୍ଷ ଦୀପାବଳି ପୂର୍ବ ଦିନ ୧୦୦ ଏକ୍ୟୁ ଥିଲା । ହେଲେ ଦୀପାବଦଳି ସନ୍ଧ୍ୟାରେ ବାଣ ଫୁଟାରୁ ଏହା ବଢ଼ି ୨୩୦ରୁ ୩୪୦ ଏକ୍ୟୁରେ ପହଞ୍ଚିଥିଲା । ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇ ଭଲ, ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଗୁରୁତର ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିବେଚନା କରିଥାଏ । ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ଯେଉଁଥିରେ ରହିଛି ଅଙ୍ଗାରକାମ୍ଳ, ଗନ୍ଧକାମ୍ଳ, ଜବଖାକାମ୍ଳ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍ । ଯାହା ସବୁଜ ଗୃହ ବାସ୍ପ । ଏଥିରେ ବାଣ ଫୁଟାରୁ ବାୟୁମଣ୍ଡଳରେ ସବୁଜ ଗୃହ ବାସ୍ପ ଆହୁରି ବଢିଯାଏ ।

ମୁକୁଳା ଫୁଟପାଥ୍, ମୁକୁଳା ଭାବେ କୋଠାବାଡି ନିର୍ମାଣ, ଯାନବାହନ ସଂଖ୍ୟା ବୃଦ୍ଧି, ରେଳ ଷ୍ଟେସନର ମାଲଗୋଦାମ, କଳକାରଖାନାର ଧୂଆଁ ସହରର ପ୍ରଦୂଷଣ ମାତ୍ରା ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି । ସେହି ସମୟରେ ବାଣ ପ୍ରଦୂଷଣକୁ ଦ୍ବିଗୁଣିତ କରି ଦେଇଥାଏ ।

ପୀତବାସ ପଣ୍ଡା ହତ୍ଯା ଘଟଣା: ୮ ଦିନ ପରେ ବି ପୋଲିସ ହାତ ଖାଲି, ଘଟଣା ପଛରେ ବାଲିଘାଟ ବିବାଦ ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସମ୍ଭାବ୍ୟ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବାବେଳେ ହତ୍ୟା ପଛରେ ବାଲିଘାଟ ବିବାଦ ରହିଥିବା ସନ୍ଦେହ କରି ଏବେ ପୋଲିସ ତଦନ୍ତ ସେଦିଗରେ ଆଗେଇଛି । ହତ୍ୟାକାଣ୍ଡରେ ପୁରୀର ଦୁଇ ଜଣ ସୁଟରଙ୍କୁ ସୁପାରୀ ଦିଆଯାଇଥିବା ସନ୍ଦେହ କରୁଛି ପୋଲିସ । ଦୁଇ ଅପରାଧୀଙ୍କ ଟ୍ରାକ ରେକର୍ଡ ସଂଗ୍ରହ କରି ଜଣଙ୍କୁ ପୋଲିସ ଉଠାଇଥିବା ସୂଚନା ମିଳିଛି । ଦୁଇ ଅପରାଧୀ ପୂର୍ବରୁ ବ୍ରହ୍ମପୁରର ହୋଇଥିବା ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ମଧ୍ୟ ଜଡି଼ତ ଥିଲେ । ପୀତବାସ ପଣ୍ଡା ମର୍ଡ଼ର ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ ଘନେଇଛି । ଏପରିକି ବ୍ରହ୍ମପୁରର କିଛି ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଟ୍ରାକିଂ କରୁଥିବା ଜଣାପଡିଛି ।

ପୀତବାସ ପଣ୍ଡା ପଛରେ ସାମ୍ନାକୁ ଆସିଛି ବାଲିଘାଟ ବିବାଦ । ସନ୍ଦେହ କରି ପୋଲିସର ତଦନ୍ତ ଏବେ ସେ ଦିଗରେ ଆଗେଇଥିବା ଜଣାପଡିଛି । କିଛିଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର ଗୋଟିଏ ବାଲିଘାଟ ବନ୍ଦ ହୋଇଥିବା ବେଳେ ଏହି ଘାଟକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଚଳାଉଥିଲେ । ତେଣୁ ବାଲିଘାଟ ବନ୍ଦ ପଛରେ ପୀତବାସଙ୍କ ଭୂମିକା ଥିବା ସନ୍ଦେହରେ ହତ୍ୟା ହୋଇଥିବା ସନ୍ଦେହ କରୁଛି ପୋଲିସ । ସେଦିଗରେ ପୋଲିସ ନିଜ ତଦନ୍ତ ଧାରାକୁ ମୋଡ଼ିଛି । ବାଲିଘାଟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ପୀତବାସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବାଲିଘାଟ ଲିଜଧାରୀ ଓ ତାଙ୍କ ସହଯୋଗୀଙ୍କ ଉପରେ ପୋଲିସ ନଜର ରଖିଛି । ସନ୍ଦେହରେ କିଛି ଲୋକଙ୍କୁ ଜେରା କରିଥିବା ସୂଚନା ମିଳିଛି । ଦିଗପହଣ୍ଡି ଅଞ୍ଚଳର ଜଣେ ଅପରାଧୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଛି । ଘଟଣା ରାତିରେ ଖଲ୍ଲିକୋଟ ଟୋଲ ଗେଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ପୀତବାସଙ୍କର ଦୁଇ ଶଳାଙ୍କୁ ମଧ୍ୟ ପୋଲିସ ଥାନାକୁ ଡାକି କଥା ହୋଇଥିବା ଜଣାଯାଇଛି । ହତ୍ୟାକାଣ୍ଡରେ ପୁରୀର ଦୁଇ ଜଣ ସୁଟରଙ୍କୁ ହାୟାର କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଏହି ଦୁଇ ଅପରାଧୀଙ୍କ ଟ୍ରାକ ରେକର୍ଡ ସଂଗ୍ରହ କରି ଜଣଙ୍କୁ ପୋଲିସ ଉଠାଇଥିବା ସୂଚନା ମିଳିଛି । ୧୫ ବର୍ଷ ପୂର୍ବରୁ ପୀତବାସଙ୍କ ବିଜିପୁରସ୍ଥିତ ଘରକୁ ବୋମାମାଡ଼ ହୋଇଥିଲା । ସେହି ଘଟଣାର ଫାଇଲ୍ ମଧ୍ୟ ପୋଲିସ ଓଲଟାଇଛି ।

ହତ୍ୟା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର । ସମ୍ପୂର୍ଣ୍ଣ ଘଟଣା ପ୍ରି-ପ୍ଲାନ୍ । ପୋଲିସ ତଦନ୍ତ ଠିକ୍ ଦିଗରେ ଯାଉଛି ଓ ଶୀଘ୍ର ହତ୍ୟା ପଛର କାରଣ ସହ ଷଡ଼ଯନ୍ତ୍ରକାରୀ ଧରାପଡ଼ିବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ କାହ୍ନୁ ଚରଣ ପତି । ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସ୍ମୃତି ସଭାରେ ସେ ଏଭଳି କହିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ଏତେକଥା କିଭଳି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ବିଜେପି ନେତାଙ୍କ ସୂଚନା ମୁତାବକ ନଭେମ୍ବର ୨୬ ତାରିଖରୁ ପୀତବାସଙ୍କ ପିଛା କରୁଥିଲେ ହତ୍ୟାକାରୀ । ଟାର୍ଗେଟ କରି ତାଙ୍କୁ ହତ୍ୟା କରାଯାଇଛି ।

ଏସଆଇ ପରୀକ୍ଷା କେଳେଙ୍କାରୀ: ଗୋଟିଏ ପ୍ରେସ୍ ବିଜ୍ଞପ୍ତି ଜାରି କରି ଓପିଆରବି ଚୁପ

ନନ୍ଦିଘୋଷ ବ୍ୟୁରୋ: ଏସଆଇ ପରୀକ୍ଷା କେଳେଙ୍କାରୀ ନେଇ ଗୋଟିଏ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଚୁପ ବସି ପଡ଼ିଛି ଓପିଆରବି । ଏଯାଏଁ ଧରାପଡ଼ିଲେନି କେଳେଙ୍କାରୀର ମାଷ୍ଟରମାଇଣ୍ଡ । ସେପେଟ କ୍ରାଇମବ୍ରାଞ୍ଚ ଏକାଧିକ ରାଜ୍ୟରେ ଛାନବିନ ଜାରି ରଖିଛି । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଜାରି ହୋଇଛି ଲୁକ ଆଉଟ ସର୍କୁଲାର । ସେପଟେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ଭିତରେ ଆଶଙ୍କା ବଢ଼ିବାରେ ଲାଗିଛି । କଡ଼ା ସୁରକ୍ଷା ଭିତରେ ସାନି ପ୍ରଶ୍ନପତ୍ର ଛାପି ପରୀକ୍ଷା କରିବାକୁ ଦାବି ଉଠୁଛି ।

୧୩ ଦିନ ପୂରିବାକୁ ବସିଲାଣି । ଏଯାଏଁ ଧରାପଡ଼ିଲେନି ସବ ଇନସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ମାଷ୍ଟରମାଇଣ୍ଡ । କୁଆଡ଼େ ଯାଉଛି କ୍ରାଇମବ୍ରାଞ୍ଚ ତଦନ୍ତ ? ଗୋଟିଏ ପ୍ରେସ୍ ରିଲିଜ ଜାରି ନିଜ ଉପରୁ ଦୋଷ ଛଡ଼େଇ ଦେଇ ଚୁପ ବସିଛି ଓପିଆରବି । ସେପଟେ ଘଟଣାରେ କ୍ରାଇମବ୍ରାଞ୍ଚ ଫେରାର ଅଭିଯୁକ୍ତଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି । ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ ।

ସେତିକି ନୁହଁ, ଦଲାଲଙ୍କଠାରୁ ଜବତ ମୋବାଇଲ, କମ୍ପ୍ୟୁଟର ଓ ଅନ୍ୟ ଡିଜିଟାଲ ଡିଭାଇସକୁ ମଧ୍ୟ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଫରେନସିକ ରିପୋର୍ଟରୁ ତଦନ୍ତକାରୀ ସଂସ୍ଥାକୁ ଅନେକ ସୁରାକ ମିଳିପାରେ । ସେହିପରି ଦଲାଲଙ୍କ ଚାର୍ଟ ବ୍ୟାକଅପ୍ ମିଳିବା ପରେ ଚାକିରି ଠକେଇ ସମ୍ପର୍କରେ ଅନେକ ତଥ୍ୟ ହସ୍ତଗତ ହୋଇପାରେ । ୪ଟି ସ୍ପେଶାଲ ଟିମ ଝାଡ଼ଖଣ୍ଡ ଓ ବିହାରରେ ଚଢ଼ାଉ ଜାରି ରଖିଛି । କିନ୍ତୁ ଏଯାବତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ଟିମ । ଘୋଟାଲାରେ ଆହୁରି କିଛି ପରୀକ୍ଷାର୍ଥୀ ବା ଚାକିରି ଆଶାୟୀଙ୍କ ସମ୍ପୃକ୍ତି ଥିବା ନେଇ ଖବର ମିଳିବା ପରେ ସେମାନଙ୍କୁ ଧରିବା ପାଇଁ ଧରପଗଡ଼ ଆରମ୍ଭ ହୋଇଛି ସତ ହେଲେ ଏ ପର୍ଯ୍ୟନ୍ତ ଓପିଆରବିର ତଦାରଖ ଦାୟିତ୍ବରେ ଅବହେଳା ନେଇ କ୍ରାଇମବ୍ରାଞ୍ଚ ହାତ ମାରିପାରୁନି । ଏସବୁ କାହିଁକି ବୋଲି ଏବେ ସବୁ ମହଲରେ ଦାବି ଉଠିଲାଣି ।

ଅନ୍ୟପଟେ ଏହି କେଳେଙ୍କାରୀ ଧରାପଡ଼ିବା ପରେ ସାନି ପୋଲିସ ପରୀକ୍ଷା କରିବା ପାଇଁ ଆଶାୟୀଙ୍କ ଭିତରେ ଦାବି ଜୋର ଧରିଛି । ଓପିଆରବି କହିଛି କ୍ରାଇମବ୍ରାଞ୍ଚ ତଦନ୍ତ ନସରିବା ଯାଏଁ ଓ କେଳେଙ୍କାରୀରେ ସାମିଲ ସମସ୍ତ ଅଭିଯୁକ୍ତ ଧରା ନପଡ଼ିବା ଯାଏଁ ସାନି ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବନି । କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତ କେବେ ସରିବ ?  କେବେ ଧରାପଡ଼ିବେ ମାଷ୍ଟରମାଇଣ୍ଡ ? ସବୁକିଛି ଅନିଶ୍ଚିତତା ଭିତରେ ଗତି କରୁଛି । ସମୟ ଗଡ଼ିଯାଉଥିବାରୁ ଅନେକ ଆଶାୟୀ ହତାଶ ହୋଇପଡ଼ିଛନ୍ତି । ସାନି ବିଜ୍ଞପ୍ତି ବେଳକୁ ସେମାନଙ୍କ ବୟସ ଯଦି ଗଡ଼ି ଯାଇଥିବ ତା’ହେଲେ ସେମାନେ ନିଯୁକ୍ତି ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ଏଭଳି କ୍ଷେତ୍ରରେ ପାପ କିଏ କଲା ଦଣ୍ଡ ପାଉଛି କିଏ ବୋଲି ପ୍ରଶ୍ନ ଉଠୁଛି ।

ଏଭଳି ସ୍ପର୍ଶକାତର ଘଟଣାକୁ ଦୁଇସପ୍ତାହ ବିତିଥିଲେ ମଧ୍ୟ ସରକାର କେବଳ ତଦନ୍ତକାରୀ ସଂସ୍ଥା ଉପରେ ସବୁ ଛାଡ଼ିଦେଇ ଚୁପ ବସିଛନ୍ତି । ଅନେକ ଆଶାୟୀଙ୍କ ମତ, ଯଦି ସରକାର ଚାହାଁନ୍ତେ ତାହେଲେ କଡ଼ା ସୁରକ୍ଷା ଭିତରେ ସାନି ପ୍ରଶ୍ନପତ୍ର ଛାପି ପୁଣି ଥରେ ପରୀକ୍ଷା କରିପାରନ୍ତେ  । ନା ଓପିଆରବି ଏ ନେଇ ଚିନ୍ତା କରୁଛି ନା ସରକାର । କେବଳ ତଦନ୍ତ ଚାଲିଛି ବୋଲି କହି ହଜାର ହଜାର ଆଶାୟୀଙ୍କ ଭାଗ୍ୟକୁ ଅନ୍ଧାର ଭିତରକୁ ଠେଲି ଦେଲାଭଳି ସ୍ଥିତି ସୃଷ୍ଟି ହୋଇଛି ।

ଗର୍ଜୁଛି ବନ୍ଧୁକ, ଫୁଟୁଛି ଗୁଳି: ଅଶାନ୍ତ ରାଜଧାନୀ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱରରେ ଡବଲ ମର୍ଡର । ସରକନ୍ତରାରେ ଫାୟାରିଂ ଆଉ ଚୁନୁକୋଳି ବସ୍ତିରେ ପଥରରେ ଛେଚି ହତ୍ୟା । ଦୁଇଟି ମର୍ଡର କେସରେ ବ୍ୟାକଫୁଟରେ ଥିବା ପୋଲିସ ପାଇଁ ଚିନ୍ତା ବଢ଼ାଇଛନ୍ତି ନିଶାଡ଼ୀ । ମୋବାଇଲ ଲୁଟିବା ପାଇଁ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଦ୍ବିତୀଚନ୍ଦ୍ର ସାହୁ ।

ଗର୍ଜୁଛି ବନ୍ଧୁକ, ଫୁଟୁଛି ଗୁଳି । ଗଡୁଛି ମୁଣ୍ଡ, ରକ୍ତ ରଞ୍ଜିତ ଗାଁ ଦାଣ୍ଡ । ଚୁନୁକୋଳି ବସ୍ତିରେ ବିଭତ୍ସ ହତ୍ୟା । ପଦାରେ ପଡିଲା ପୋଲିସର ପାରିବାପଣିଆ । ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଗାଁ । ସକାଳୁ ସକାଳୁ ଠିକ ଏହି ସ୍ଥାନରେ ଶୁଭିଥିଲା ଭୀଷଣ ଶବ୍ଦ । ଫୁଟିଥିଲା ୪ ରାଉଣ୍ଡ ଗୁଳି । ୨ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିପଡିଥିଲେ ଗାଁର ଯୁବକ ସୁଧାଂଶୁ ଖୁଣ୍ଟିଆ । ଜମିବାଡ଼ି ବିବାଦ ପାଇଁ ମୃତକଙ୍କ ଭାଇ ଗୁଳିମାଡ଼ କରିଥିବା ଜାଣିବାକୁ ପାଇଛି ପୋଲିସ । ସାଇଣ୍ଟିଫିକ ଟିମ, ଖଣ୍ଡଗିରି ଥାନା ପୋଲିସ, ତମାଣ୍ଡୋ ଥାନା ପୋଲିସ କରୁଛି ଛାନବିନ । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ଗୁଳିକାଣ୍ଡ ଘଟିବା ପରେ ସେହି କଥାକୁ ନେଇ ସାହି ଭିତରେ ଦେଖାଯାଇଛି ତୀବ୍ର ଉତ୍ତେଜନା ।

ଏହି ଗୋଟିଏ ଘଟଣା ନୁହେଁ, ଚୁନୁକୋଳି ବସ୍ତିରେ ରବିବାର ବିଳମ୍ବିତ ରାତିରେ ଘଟିଛି ବିଭତ୍ସ ହତ୍ୟା । ପଥରରେ ଛେଚି ଜଣଙ୍କୁ ମାରିଛନ୍ତି ଦୁର୍ବୃତ୍ତ । ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ସରଜମିନ ଯାଞ୍ଚ କରିଛି । ମୃତକ ଜଣଙ୍କ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ଡବଲ ମର୍ଡରକୁ ନେଇ ବ୍ୟାକଫୁଟରେ ଥିବା ପୋଲିସ ପାଇଁ ଆହୁରି ଚିନ୍ତା ବଢ଼ାଇଛନ୍ତି ଛିନତାଇ ଗ୍ୟାଙ୍ଗ । ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଭୁବନେଶ୍ବର ଷ୍ଟେସନ ୬ ନମ୍ବର ପ୍ଲାଟଫର୍ମରେ ହୋଇଛି ଆକ୍ରମଣ । ସାମାନ୍ୟ ମୋବାଇଲ ଛଡାଇ ନେବା ପାଇଁ କାଠ ଫାଳିଆରେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ଦୁର୍ବୃତ୍ତ ।

କ୍ରିମିନାଲଙ୍କ ଅନ୍ତୁଡ଼ିଶାଳ ପାଲଟିଛି ଭୁବନେଶ୍ୱର । ଅପରାଧୀଙ୍କ ହଲ୍ଲାବୋଲ ଯୋଗୁଁ ଅଣନିଶ୍ୱାସୀ ହୋଇପଡିଛି ପୋଲିସ । ଏସବୁରେ ଲଗାମ ଲଗାଇବା ଏବେ କମିଶନରେଟ ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।

ଅପରାଧ ଘଟିବା ପରେ ବିଜେପି ସରକାରରେ ପୋଲିସ ପ୍ରଶାସନ କ୍ରିୟାଶୀଳ ହେବା ଅପରାଧୀଙ୍କୁ ଭୟଶୂନ୍ୟ କରିଦେଉଛି: ନବୀନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଉଦବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଅଶାନ୍ତ ହୋଇଛି ରାଜ୍ୟର ରାଜଧାନୀ । ଖୁଲମଖୋଲା ବଢ଼ୁଛି ଆତଙ୍କରାଜ । କିଏ ଦେବ ଲୋକଙ୍କୁ ସୁରକ୍ଷା ?

ଗୋଟିଏ ଦିନରେ ଭୁବନେଶ୍ବରରେ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା, ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଚନ୍ଦ୍ରଶେଖରପୁରରେ ବୀଭତ୍ସ ହତ୍ୟାକାଣ୍ଡ ସହ ରେଳ ଷ୍ଟେସନରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହା ସମସ୍ତଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି ।

ନବୀନ ଅଭିଯୋଗ କରିଛନ୍ତି, କେବଳ ଘଟଣା ଘଟିବା ପରେ ବିଜେପି ସରକାରରେ ପୋଲିସ ପ୍ରଶାସନ କ୍ରିୟାଶୀଳ ହେବା ଅପରାଧୀଙ୍କୁ ଭୟଶୂନ୍ୟ କରିଦେଉଛି । କଥା କଥାକେ ଦିବାଲୋକରେ ଗୁଳି ଫୁଟୁଛି, ଅପରାଧୀ ଅବାଧ ଭାବେ ବୁଲୁଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ବେଳେ ବିଜେପି ସରକାର ସଜାଗ ନ ହେବା ସବୁଠୁ ଆଶ୍ଚର୍ଯ୍ୟର ବିଷୟ । ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ, ଏକ ଭୟମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନବୀନ ପଟ୍ଟନାୟକ ଦାବି କରିଛନ୍ତି ।

ଜୟ ପଦ୍ମ ଧରିବାକୁ ନେଇ ବିଜେପିର ତୃଣମୂଳ ସ୍ତରରେ ଅସନ୍ତୋଷ, ମାନଭଞ୍ଜନ ପାଇଁ ଭୁବନେଶ୍ବରରେ ଚାଲିଛି ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ: ଜୟ ଢୋଲକିଆଙ୍କ ବିଜେପିରେ ମିଶ୍ରଣ ପରେ ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା । ଆଶାୟୀଙ୍କ ଠାରୁ ତୃଣମୂଳ ସ୍ତରର କର୍ମୀ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଅସନ୍ତୁଷ୍ଟଙ୍କୁ ବୁଝାଇବା ପାଇଁ ଭୁବନେଶ୍ବର ଡାକରା ହୋଇଛି । ଟିକେଟ ଆଶାୟୀ ପ୍ରସନ୍ନ ପାଢୀ ହୁଅନ୍ତୁ କି ଯଦୁମଣି ପାଣିଗ୍ରାହୀଙ୍କୁ ଭିନ୍ନ ଭିନ୍ନ ଜାଗାରେ ଅଲଗା ଅଲଗା ନେତା ବୁଝାଇବା କାମରେ ଲାଗିଛନ୍ତି । ବିଜେପି ନେତାମାନେ ନୂଆପଡ଼ାରେ ବିଜୟ ନେଇ ଆଶା ବାନ୍ଧୁଛନ୍ତି । କିନ୍ତୁ ପ୍ରାର୍ଥୀ ସ୍ଥିର କରିପାରୁନାହିଁ ବିଜେପି । ସଂସଦୀୟ ବୋର୍ଡ ହାତରେ ପ୍ରାର୍ଥୀ ଚୟନର ଦାୟିତ୍ବ ରହିଛି । ଅନ୍ୟପଟେ ରାଜ୍ୟ ନେତାମାନେ ଅସନ୍ତୁଷ୍ଟଙ୍କୁ ମନାଇବାରେ ଲାଗିଛନ୍ତି । ୨୫ ବର୍ଷ ହେଲାଣି ଢୋଲକିଆ ପରିବାର ସହ ବିଜେପି କର୍ମୀମାନେ ଲଢ଼େଇ କରୁଥିବା ବେଳେ, ଏବେ ପରିବର୍ତ୍ତିତ ସ୍ଥିତି ନେଇ କର୍ମୀଙ୍କ ମହଲରେ ବଢ଼ିଛି ଅଡ଼ୁଆ ।

ଜୟ ଢୋଲକିଆଙ୍କ ବିଜେପିରେ ମିଶ୍ରଣକୁ ସହଜରେ ଗ୍ରହଣ କରୁନାହାନ୍ତି ତୃଣମୂଳ ସ୍ତରର କର୍ମୀ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଯେଉଁ ପରିବାର ସହ ବିଜେପି କର୍ମୀମାନେ ଲଢେଇ କରୁଥିଲେ, ଆଜି ସାଲିସ କରିବା ସ୍ଥିତିକୁ ସହଜରେ ହଜମ କରୁପାରୁନାହାନ୍ତି ବିଜେପି ନେତା ଓ କର୍ମୀ । ଲୋକପ୍ରିୟ ବିଧାୟକ ରାଜୁ ଢୋଲକିଆଙ୍କ ପୁଅକୁ ଦଳରେ ମିଶାଇ ବିଜେପିର ଗଡ଼ ଜିତିବା ଲକ୍ଷ୍ୟ ଏବେ ସଙ୍କଟରେ । ଜୟଙ୍କ ମିଶ୍ରଣକୁ ନେଇ ତୃଣମୂଳ ସ୍ତରରେ ହଲଚଲ । ଅନେକ ମଣ୍ଡଳସ୍ତରୀୟ ନେତା ଅସନ୍ତୁଷ୍ଟ ହେବା ସହ ଦଳ ଛାଡ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଜିଲ୍ଲା ଓ ବ୍ଲକସ୍ତରୀୟ ନେତାଙ୍କୁ ମନାଇବା ପାଇଁ ଭୁବନେଶ୍ବର ଡକାଯାଇଛି । ଅଲଗା ଅଲଗା ଜାଗାରେ ବିଜେପି ନେତାମାନେ ଅସନ୍ତୁଷ୍ଟଙ୍କୁ ମନାଇବା ଦାୟିତ୍ବ ନେଇଥିବା ଜଣାପଡ଼ିଛି । କର୍ମୀ ଓ ନେତାଙ୍କୁ ମନାଇବା ପାଇଁ ଚାଲିଛି ଗୁପ୍ତ ବୈଠକ । ୨୦୦୪ରୁ ରାଜେନ୍ଦ୍ର ଢୋଲକିଆ ଓ ତାଙ୍କ ପରିବାର ସହ ବିଜେପି କର୍ମୀମାନେ ଲଢ଼ି ଆସୁଛନ୍ତି । ହେଲେ ଏବେ ଜୟ ଢୋଲକିଆ ଦଳରେ ମିଶିବା ପରେ ଚିର ରାଜନୈତିକ ଶତ୍ରୁ ପାଇଁ ଭୋଟ ମାଗିବାକୁ ନେଇ ସନ୍ଦେହରେ ଦଳର ପୁରୁଣା କର୍ମୀ । ଏବେ ବି ଟିକେଟ ଆଶାରେ ଅଛନ୍ତି ଅନ୍ୟତମ ଆଶାୟୀ ପ୍ରସନ୍ନ ପାଢ଼ୀ । ଜୟଙ୍କ ମିଶ୍ରଣ ପରେ ବି ନୂଆପଡ଼ାରେ ଦଳର ପ୍ରାର୍ଥୀ ନେଇ କିଛି ସ୍ପଷ୍ଟ ଚିତ୍ର ଆସି ପାରୁନାହିଁ । ନୂଆପଡ଼ାରେ ଲଢେଇ ବିଜେପି ଯେତେ ସହଜ ଭାବୁଛି, ବାସ୍ତବ ପକ୍ଷରେ ସେତିକି ସହଜ ହେବନି ବୋଲି ମତ ରଖିଛନ୍ତି ସମୀକ୍ଷକ ।

ଜୟଙ୍କୁ ଦଳରେ ନେଇ ଅଡୁଆରେ ବିଜେପି । ମଣ୍ଡଳ ଓ ଜିଲ୍ଲା ସ୍ତରର କର୍ମୀ ଅସନ୍ତୁଷ୍ଟ । ଟିକେଟ ଆଶା ଛାଡ଼ିନାହାନ୍ତି ଦଳର ଆଶାୟୀ ପ୍ରାର୍ଥୀ । ପାରମ୍ପରିକ ଶତ୍ରୁ ସହ ସାଲିସ କର୍ମୀଙ୍କ ମନୋବଳ ଭାଙ୍ଗୁଛି । ହେଲେ ଦଳର ନେତାମାନେ କହୁଛନ୍ତି, ପ୍ରସ୍ତୁତ ହୋଇଛି ବିଜୟ ପାଇଁ ରଣନୀତି । ମଣ୍ଡଳ ଦାୟିତ୍ବରେ ରହିବେ ମନ୍ତ୍ରୀ, ପଞ୍ଚାୟତ ଦାୟିତ୍ବରେ ରହିବେ ବିଧାୟକ । କିଏ କେଉଁ ଦାୟିତ୍ବରେ ରହିବେ, ତା’ର ତାଲିକା ପ୍ରସ୍ତୁତ ହେଉଛି । ମୋହନ-ମନମୋହନଙ୍କ ଯୋଡ଼ି ଉପରେ ନେତାମାନେ ଭରସା କରୁଥିବା ବେଳେ କର୍ମୀମାନେ କିନ୍ତୁ ମୁହଁ ମୋଡ଼ିଲେଣି ।

ସରକାରରେ ଥିବାରୁ ବିଜେପି ପାଇଁ ନୂଆପଡ଼ା ଉପନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି । ନୂଆପଡ଼ା ଫଳାଫଳ ସରକାରଙ୍କ ଲୋକପ୍ରିୟତାର ପରୀକ୍ଷା ହୋଇଥିବାରୁ ଦଳ ଭାବିଚିନ୍ତି ଗୋଟି ଚଳାଉଛି । ହେଲେ ଜୟଙ୍କ ମିଶ୍ରଣ ପରେ ଅସନ୍ତୁଷ୍ଟଙ୍କୁ ମନାଇବା ଦଳ ପାଇଁ ହେବ ବଡ଼ ଆହ୍ବାନ ।

ଲୋକଙ୍କୁ ଠକିଲେ ଲୋକଙ୍କ ସରକାର: ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଭୁଲିଗଲେଣି ନିର୍ବାଚନୀ ପ୍ରତିଶ୍ରୁତି; ପଦଯାତ୍ରା ଜରିଆରେ ଜନ ଜାଗରଣ ସୃଷ୍ଟି କରୁଛି ବିଜେଡି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଫଳ ବିଜେପି । ପାଣିର ଗାର ପାଲଟିଛି ନିର୍ବାଚନୀ ପ୍ରତିଶ୍ରୁତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ବିଜେପି ସରକାରର ବିଫଳତା ବିରୋଧରେ ଗାଁ ଗାଁରେ ଜନ ସଚେତନତା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନ । ସେହିପରି କଂଗ୍ରେସ ମଧ୍ୟ ଆଦିବାସୀ ଭୋଟରଙ୍କୁ କରୁଛି ସଚେତନ । ଶାସକ ଦଳକୁ ଉଭୟ କରୁଛନ୍ତି ଟାର୍ଗେଟ୍ ।

ସଶକ୍ତ ବିରୋଧୀ ଦଳ ଭାବେ ଲୋକଙ୍କ ସ୍ବର ସାଜି ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ କରୁଛି ବିଜେଡି । ପଦାକୁ ଆସୁଛି ସରକାରଙ୍କ ଦୋଷ ଦୁର୍ବଳତା । ୧୬ ମାସରେ ଓଡ଼ିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି ବିଜେପି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ, ଦିଗହରା ନାରୀ ସୁରକ୍ଷା । ଗାଁ ଗାଁରେ ଠପ୍ ହୋଇଯାଇଛି ବିକାଶ କାମ । ଫେଲ ମାରିଛି ନିର୍ବାଚନୀ ପ୍ରତିଶ୍ରୁତି । ଯାହା ବିରୋଧରେ ଜନ ସଚେତନତା ସୃଷ୍ଟି କରୁଛି ବିଜେଡି । ଗାନ୍ଧୀ ଜୟନ୍ତୀରେ ସଙ୍କଳ୍ପ ପରେ ନଭେମ୍ବର ୯ ତାରିଖରୁ ପଦଯାତ୍ରା ମାଧ୍ୟମରେ ଜନତାଙ୍କୁ ସଚେଚନ କରାଉଛି ଦଳ । ଆଗକୁ ଏହି ଧାରାକୁ ଜୋରଦାର କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନିଜ ଜନ୍ମଦିନରେ ପଦଯାତ୍ରାରେ ସାମିଲ ହୋଇ ସରକାରଙ୍କ ବିରୋଧରେ ଦେବେ ରଣହୁଙ୍କାର । ଓଡ଼ିଶାବାସୀଙ୍କ ସ୍ବାର୍ଥରେ ବାଧକ ସାଜିଲେ ବିଜେଡି ଚୁପ ବସିବନି ବୋଲି ସିଧାସଳଖ ଚେତାବନୀ ଦେଇଛି ଦଳ ।

ବିଜେଡି ଭଳି କଂଗ୍ରେସ ମଧ୍ୟ ବିଜେପି ସରକାରର ମଥ୍ୟା ପ୍ରଚାର ବିରୋଧରେ ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛି । ଶାସକ ଦଳର ମିଥ୍ୟା ଆଦିବାସୀ କାର୍ଡ ବିରୋଧରେ ଜନ ସଚେତନତା ସୃଷ୍ଟି କରାଯିବ । କଂଗ୍ରେସ ସରକାର ସମୟରେ ଲୋକଙ୍କ ପାଇଁ କି ସୁବିଧା କରାଯାଇଥିଲା, ସେ କଥା ଲୋକଙ୍କୁ ବୁଝାଇବ ଦଳ । ବିଶେଷ କରି ଆଦିବାସୀଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି କଂଗ୍ରେସ ନେତା । ଅନ୍ୟପଟେ ବିଜେପି କହିଛି, ଲୋକଙ୍କ ସହ ଯୋଡ଼ି ହୋଇ ବିକାଶମୂଳକ କାମକୁ ଦିଆଯାଇଛି ଗୁରୁତ୍ବ । ଯାହାକୁ କଟାକ୍ଷ କରିଛି ବିଜେଡି ।

ପଦଯାତ୍ରା ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଛି ବିଜେଡି । କଂଗ୍ରେସ ମଧ୍ୟ ଆପଣାଇଛି ସମାନ ପନ୍ଥା । ଆଉ ବିରୋଧୀଙ୍କୁ ଚେକ୍ ଦେବାକୁ ବି ପ୍ରସ୍ତୁତ ରହିଛି ବିଜେପି । ସବୁକୁ ଯଦି ନଜର ପକାଇବା, ତେବେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ସଫଳତା ଓ ବିଫଳତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।