spot_img
Home Blog Page 303

ପାଖେଇ ଆସୁଛି ଉପରାଷ୍ଟ୍ରପତି ନିର୍ବାଚନ ; ଆଜି ଚୂଡ଼ାନ୍ତ ହୋଇପାରେ ଏନଡିଏ ପ୍ରାର୍ଥୀଙ୍କ ନାଁ

ନୂଆଦିଲ୍ଲୀ : ପାଖେଇ ଆସୁଛି ଉପରାଷ୍ଟ୍ରପତି ନିର୍ବାଚନ । ନା ଏନଡିଏ ନା ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହେଲାଣି ଘୋଷଣା । ସେପଟେ ଆଜି ଚୂଡ଼ାନ୍ତ ହୋଇପାରେ ଏନଡିଏ ପ୍ରାର୍ଥୀଙ୍କ ନାଁ । ଆଜି ବସିବାକୁ ଥିବା ବିଜେପି ସଂସଦୀୟ ଦଳ ବୈଠକରେ ନାଁ ହୋଇପାରେ ଘୋଷଣା । ସଂସଦୀୟ ଦଳ ବୈଠକ ପୂର୍ବରୁ ଶୁକ୍ରବାର ବିଜେପି ସଭାପତି ଜେ.ପି. ନଡ୍ଡାଙ୍କ ବାସଭବନରେ ଏକାଠି ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦେଶର ଦ୍ବିତୀୟ ସାମ୍ବିଧାନିକ ମୁଖ୍ୟଙ୍କ ନାମ ଚୟନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ନଡ୍ଡାଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଥିଲା ଏନଡିଏ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କିଛି ନାଁ ଚୟନ କରାଯାଇଥିବା ସୂଚନା ମିଳିଛି ।

ସେପ୍ଟେମ୍ବର ୯ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଛିବା ପାଇଁ ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ୭୪ବର୍ଷୀୟ ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ନିର୍ବାଚନ ଆବଶ୍ୟକ ହୋଇଥିଲା। ବିଜେପି ସଂସଦୀୟ ବୋର୍ଡ ବୈଠକ ଆଜି ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ସଂସଦୀୟ ବୋର୍ଡ ସଦସ୍ୟ ଏଥିରେ ଯୋଗଦେବେ। ଭାରତର ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇପାରେ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ଅନ୍ୟାନ୍ୟ ସଂସଦୀୟ ବୋର୍ଡ ସଦସ୍ୟମାନେ ଯୋଗଦେବାର ସମ୍ଭାବନା ରହିଛି। ଏହି ମାସର ଆରମ୍ଭରେ NDAର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମେଣ୍ଟର ସମସ୍ତ ଶୀର୍ଷ ନେତା ଯୋଗ ଦେଇଥିଲେ। ବୈଠକ ପରେ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେପି ନଡ୍ଡା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDAର ପ୍ରାର୍ଥୀଙ୍କୁ ବାଛିବେ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସମସ୍ତ NDA ନେତା ସର୍ବସମ୍ମତିକ୍ରମେ ନେଇଛନ୍ତି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ସିକିମ୍ ରାଜ୍ୟପାଳ ଓମ୍ ମାଥୁରଙ୍କ ନାମ ଶାସକ ମେଣ୍ଟ ଦ୍ୱାରା ବିଚାର କରାଯାଉଛି। ସେମାନଙ୍କ ବ୍ୟତୀତ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାରେ ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ରାଜ୍ୟପାଳ ଭିକେ ସକ୍ସେନା ମଧ୍ୟ ଅଛନ୍ତି।  ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଆଦର୍ଶବାଦୀ ଶେଷାଦ୍ରି ଚାରି କିମ୍ବା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ।

ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦିଅନ୍ତି। ଦୁଇଟି ଗୃହର ସଂଖ୍ୟା ୭୮୧, ଯାହାର ଅର୍ଥ ହେଉଛି ଜଣେ ପ୍ରାର୍ଥୀଙ୍କୁ ନିର୍ବାଚନରେ ବିଜୟୀ ହେବା ପାଇଁ ୩୯୧ ଭୋଟ ଆବଶ୍ୟକ। ଲୋକସଭା ଏବଂ ରାଜ୍ୟସଭାରେ ୪୨୨ ସାଂସଦ ସହିତ, NDA ପ୍ରାର୍ଥୀ ନିର୍ବାଚନ ଜିତିବା ପ୍ରାୟ ନିଶ୍ଚିତ। ଗତ ଅଗଷ୍ଟ ୭ରେ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି ହୋଇଥିବାବେଳେ ଆସନ୍ତା ଅଗଷ୍ଟ ୨୧ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଅଗଷ୍ଟ ୨୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ସେପ୍ଟେମ୍ବର ୯ରେ ହେବ ଭୋଟ ।

ବିହାର ନିର୍ବାଚନ ଲାଗି ଅଣ୍ଟାଭିଡ଼ିଲା କଂଗ୍ରେସ ; ଭୋଟ ଚୋରି ବିରୋଧରେ ଯୁଦ୍ଧଂଦେହୀ ଡାକରା

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନ ଲାଗି ଅଣ୍ଟାଭିଡ଼ିଲା କଂଗ୍ରେସ । ବିହାର ରୋହତାସ ଜିଲ୍ଲାରୁ ଆଜିଠାରୁ ଆରମ୍ଭ ହେବ କଂଗ୍ରେସର ଭୋଟ ଅଧିକାର ଯାତ୍ରା । ରାଜ୍ୟରେ ଭୋଟ ଚୋରି ହେଉଥିବା ଅଭିଯୋଗ କରି କଂଗ୍ରେସ ଆରମ୍ଭ କରିଛି ରଣନୀତି । ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଏହି ଅଭିଯାନରେ ସାମିଲ ହେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଗତ ବୁଧବାର ରାଜ୍ୟରେ ଏସଆଇଆର ବିରୋଧରେ ରଣନୀତି ସ୍ଥିର କରିବା ଲାଗି ରୋହତାସ ଜିଲ୍ଲାର ସାସାରାମରେ ବୈଠକ କରିଥିଲେ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ । ଭୋଟ ଚୋରି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି କଂଗ୍ରେସ ଲକ୍ଷ୍ୟ ରଖିଛି ।

ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନିର୍ବାଚନୀ ଅଖଣ୍ଡତାର ଏକ ସାହସିକ ଦାବି କରି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ସାସାରାମରୁ ତାଙ୍କର ବହୁ ପ୍ରତୀକ୍ଷିତ ‘ଭୋଟର ଅଧିକାର ଯାତ୍ରା’ ଆରମ୍ଭ କରିବାକୁ ଯାଉଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅଧୀନରେ ଭୋଟରଙ୍କ ମତାଧିକାର ହରଣ ଏବଂ ରୀତିମତ ଭୋଟ ଚୋରି ବିରୋଧରେ ଏକ ସ୍ପଷ୍ଟ ଆହ୍ୱାନ ଭାବରେ ପ୍ରସ୍ତୁତ ୧୬ ଦିନିଆ ଯାତ୍ରା ଦେଶର ବିବେକକୁ ଆନ୍ଦୋଳିତ କରିବାକୁ ଲକ୍ଷ୍ୟ ରଖିଛି ।

ଇଣ୍ଡି ମେଣ୍ଟ ଦ୍ବାରା ଆୟୋଜିତ ଏହି ମହତ୍ୱାକାଂକ୍ଷୀ ପଦଯାତ୍ରାରେ ବରିଷ୍ଠ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ବିରୋଧୀ ଦଳର ଶୀର୍ଷ ନେତାମାନେ ସକ୍ରିୟ ଅଂଶଗ୍ରହଣ କରିବେ। “ଏହା କେବଳ ଏକ ଯାତ୍ରା ନୁହେଁ। ଏହା ଏକ ଜନ ଆନ୍ଦୋଳନ। ‘ଭୋଟର ଅଧିକାର ଯାତ୍ରା’ ଗଣତନ୍ତ୍ରର ଇତିହାସରେ ଏକ ମାଇଲଖୁଣ୍ଟ ହେବ । ଏହା ଗରିବ, ଦଳିତ, ପଛୁଆ ବର୍ଗ, ଆଦିବାସୀ, ସଂଖ୍ୟାଲଘୁ ଏବଂ ଅବହେଳିତ ନାଗରିକଙ୍କ ସ୍ୱରକୁ ଲିଭାଇ ଦେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବିରୁଦ୍ଧରେ ଏକ ପ୍ରତିବାଦ।”

କଂଗ୍ରେସ ନିର୍ବାଚନ କମିଶନଙ୍କ ଭୂମିକାକୁ ତୀବ୍ର ସମାଲୋଚନା କରିଛି, ଏସଆଇଆର ପ୍ରକ୍ରିୟାର ଆଳ ଦେଖାଇ ଭୋଟର ତାଲିକାରେ ହେରଫେର କରିବା ପାଇଁ ଶାସକ ବିଜେପି ସହିତ ସହଯୋଗ ଥିବା ଅଭିଯୋଗ କରିଛି। ସାମ୍ପ୍ରତିକ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପକୁ ଉଲ୍ଲେଖ କରି ଖେରା କହିଛନ୍ତି ଯେ କେବଳ ନ୍ୟାୟିକ ଚାପ ପରେ ନିର୍ବାଚନ କମିଶନ ବିରୋଧୀ ଏବଂ ନାଗରିକ ସମାଜ ଦ୍ୱାରା ଉଠାଯାଇଥିବା ବିସଙ୍ଗତିକୁ ଯାଞ୍ଚ କରିବାକୁ ରାଜି ହୋଇଥିଲେ। “ଏହା କେବଳ ଭୋଟ ଚୋରି ନୁହେଁ – ଏହା ପରିଚୟ ଚୋରି” ।

ପୂର୍ବର ଭାରତ ଯୋଡ଼ ଯାତ୍ରା ଯେଉଁ ରୁଟରେ ଯାଇଥିଲା ସେହି ରୁଟରେ ଭୋଟ ଚୋରି ବିରୋଧରେ ଭୋଟ ଅଧିକାର ଯାତ୍ରା । ଆସନ୍ତା ସେପ୍ଟେମ୍ବର ୧୧ରେ ଏହି ଅଧିକାର ଯାତ୍ରା ଶେଷ ହେବା ପରେ ଗାନ୍ଧି ମଇଦାନରେ ସେହିଦିନ କରାଯିବ ମେଗାରାଲି । ଗତ ଅଗଷ୍ଟ ୧୪ରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିଲା ଲୋକତନ୍ତ୍ର ବଚାଓ ମଶାଲ ରାଲି ।

ଭୋଟ ଚୋରି ପ୍ରସଙ୍ଗ ; ଆଜି ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ : ଭୋଟ ଚୋରିକୁ ନେଇ ଚାରିଆଡୁ କଡ଼ା ସମାଲୋଚନା ହେବା ପରେ ଶେଷରେ ବାଧ୍ୟ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ନିର୍ବାଚନ କମିଶନ । ଆଜି ନୂଆଦିଲ୍ଲୀରେ ଏହି ପ୍ରେସ୍ କନଫରେନ୍ସ ହେବ। ଏଥିରେ ଭୋଟ ଚୋରି ଅଭିଯୋଗ ସଂପର୍କରେ ସମସ୍ତ ସ୍ପଷ୍ଟୀକରଣ ରଖିପାରନ୍ତି ନିର୍ବାଚନ କମିଶନ । ପ୍ରତିଦିନ ତଥ୍ୟ ସହିତ ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ ନେଇ ଅଡୁଆରେ ପଡ଼ିଛନ୍ତି ନିର୍ବାଚନ କମିଶନ । ୨୦୨୪ ସାଧାରଣ ନିର୍ବାଚନରେ ବହୁତ ଗଡ଼ବଡ଼ି ହୋଇଥିବା ସେ କହୁଛନ୍ତି । ବିଶେଷ କରି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକରେ ଏହି ଭୋଟ୍ ଚୋରି ହୋଇଛି ।

କର୍ଣ୍ଣାଟକର ମହାଦେବପୁରା ବିଧାନସଭା ଆସନର ଉଦାହରଣ ଦେବା ପରେ ନିର୍ବାଚନର ସ୍ଵଚ୍ଛତା ଓ ନିର୍ବାଚନ କମିଶନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ସେପଟେ ନିର୍ବାଚନ କମିଶନ ସ୍ପଷ୍ଟକରୀଣ ଦେଇଛନ୍ତି, ଭୋଟର ତାଲିକା ପ୍ରସ୍ତୁତିର ସମସ୍ତ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ସାମିଲ ଥିଲେ । କେବେବି କୌଣସି ଦଳ ଆପତ୍ତି ଜଣାଇନଥିଲେକି ତ୍ରୁଟି ଦର୍ଶାଇ ନଥିଲେ । ସେତେବେଳେ ଯଦି ଆପତ୍ତି ଉଠାଇଥାନ୍ତେ, ତେବେ ହୁଏତ ତ୍ରୁଟିକୁ ସଂଶୋଧନ କରାଯାଇଥାନ୍ତା । ବିହାରର ଚିଠା ଭୋଟର ତାଲିକା ସମସ୍ତ ଦଳକୁ ପ୍ରଦାନ କରାଯାଇଛି । ୱେବସାଇଟରେ ବି ଅଛି । ଆପତ୍ତି ଦାଖଲ ପାଇଁ ଦିଆଯାଇଛି ମାସେ ସମୟ ।

ପ୍ରେମ ପାଇଁ ସାଙ୍ଗ ସାଜିଲା ଶତ୍ରୁ: ଇନଷ୍ଟାରେ ଧମକ ପରେ ଖଣ୍ଡାରେ ହାଣି କଲା ହତ୍ଯା

ନନ୍ଦିଘୋଷ ବ୍ୟୁରୋ: ପ୍ରେମ ପାଇଁ ସାଙ୍ଗ ସାଜିଲା ସାଙ୍ଗର ଶତ୍ରୁ । ଭାଇଗିରି ଦେଖାଇ ଖଣ୍ଡାରେ ହାଣି ନେଇଗଲା ଜୀବନ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଗୋରୁହାଟ ନିକଟରେ ଜଘନ୍ଯ ହତ୍ଯାକାଣ୍ଡ । ଘରୁ ଡାକି ସ୍ମୃତି ରଞ୍ଜନ ନାୟକଙ୍କୁ ଆରଏମସି କ୍ୟାମ୍ପସ ପରିସରରେ ନିର୍ମମ ଭାବେ ହତ୍ଯା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଜଟଣୀ ପୋଲିସ ମୃତଦେହ ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବେଳେ ୩ ଜ’ଣ ନାବାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

କିଛି ମାସ ବ୍ଯବଧାନ ପରେ ପୁଣି ଜଟଣୀରେ ଗଡ଼ିଛି ମୁଣ୍ଡ । ମାନସ ଦଳେଇ ହତ୍ୟା କାଣ୍ଡ ମନରୁ ନଲିଭୁଣୁ ଗୋରୁହାଟ ଆଦର୍ଶ କଲୋନୀର ନାବାଳକ ସ୍ମୃତି ରଞ୍ଜନ ନାୟକଙ୍କୁ ଘରୁ ଡାକି ହତ୍ୟା କରିଛନ୍ତି ତାଙ୍କ ନାବାଳକ ସାଙ୍ଗ । ଖୋର୍ଦ୍ଧା ଜଟଣୀ ଗୋରୁହାଟ ହନୁମାନ ମନ୍ଦିର ରେଗୁଲାର ମାର୍କେଟ କ୍ୟାମ୍ପସ ପରିସରରେ ନିର୍ମମ ଭାବେ ହତ୍ଯା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଜଟଣୀ ପୋଲିସ ମୃତଦେହ ବ୍ଯବଚ୍ଛେଦ ପାଇଁ ପଠାଇ ୩ ଜଣ ନାବାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଦିନକୁ ଦିନ ଅଶାନ୍ତ ହେଉଛି ଜଟଣୀ । ଗତ ଏପ୍ରିଲ ୩ ତାରିଖରେ ଶଣ୍ଢକୁଳ ଆଦର୍ଶ ବିଦ୍ୟାଳୟ ନିକଟରେ ମାନସ ଦଳେଇ ହତ୍ଯାକାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତର ଟେର ପାଉ ନଥିବାବେଳେ ଏବେ ପୁଣି ହତ୍ଯାକାଣ୍ଡ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରିଛି । ଆଉ କିଛିଦିନ ପରେ ଗଣେଶ ପୂଜା । ପୂଜା ଆଗରୁ ଜଟଣୀରେ ଲଗାତର ଘଟୁଥିବା ଅପରାଧ ଏବେ ପୋଲିସ ପାଇଁ ଚ୍ଯାଲେଞ୍ଜ ସୃଷ୍ଟି କରିଛି । ସେପଟେ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ସହ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତ ସ୍ମୃତି ରଞ୍ଜନଙ୍କ ପରିବାର

ଶକ୍ତିଶାଳୀ ହେବ କଂଗ୍ରେସ, ନୂଆ ଫର୍ମୁଲାରେ ମଜଭୁତ ହେବ ତୃଣମୂଳ ସଂଗଠନ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ହେବ ଶକ୍ତିଶାଳୀ । ତେଣୁ ଏଥର ନୂଆ ଢାଞ୍ଚାରେ ତୃଣମୂଳ ସ୍ତରର ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି ଦଳ । ପିସିସି ନୁହେଁ ଏଆଇସିସି ନିଜ କାନ୍ଧକୁ ନେଇଛି ଗୁରୁଦାୟିତ୍ବ । ଜିଲ୍ଲା ମୁଖିଆ ଚୟନ କରିବା ପାଇଁ ୩୫ ଜ’ଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି ଦଳ । ଏହି ପର୍ଯ୍ୟବେକ୍ଷକମାନେ ସଂଗଠନ ସୂର୍ୟନ ମାଧ୍ୟମରେ ଜିଲ୍ଲା ଗସ୍ତ କରି ସଭାପତି ବାଛିବେ । ଯାହାକୁ ନେଇ କଂଗ୍ରେସ ଶିବିର ଦେଖିବାକୁ ମିଳିଛି ଉତ୍ସାହ ।

ପିସିସି ନୁହେଁ, ଏଆଇସିସି ଚୟନ କରିବ ଜିଲ୍ଲା ମୁଖିଆ । ସଙ୍ଗଠନ ସୂର୍ୟନ ଅଭିଯାନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ କରାଯିବ । ଏଥିପାଇଁ ୩୫ ଜ’ଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ଏଆଇସିସି । ଖୁବଶୀଘ୍ର ପର୍ଯ୍ୟବେକ୍ଷକମାନେ ଜିଲ୍ଲାସ୍ତରରେ ସଙ୍ଗଠନର ସମୀକ୍ଷା କରି ନେତା ଚୟନ ପ୍ରକ୍ରିୟାକୁ ତ୍ଵରାନିତ କରିବେ । ଗୁଜୁରାଟ ଢାଞ୍ଚାରେ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଫୋକସ କରିଛି ଏଆଇସିସି । ଜିଲ୍ଲା ସଙ୍ଗଠନରେ ଯେମିତି କୌଣସି ଗୋଷ୍ଠୀ ରହିବନି ତାକୁ ଗୁରୁତ୍ଵ ଦେଇ ଏପରି ଅଭିଯାନ ପ୍ରଥମ ଥର ଲାଗି ଓଡ଼ିଶାରେ ଆପଣାଇଛି ଏଆଇସିସି । ସୁପାରିସ କି ଲବି ନୁହେଁ, ଜିଲ୍ଲାସ୍ତରରୁ ଏଆଇସିସିର ଟିମ ତୃଣମୂଳ ସ୍ତରରେ କଂଗ୍ରେସ ସଙ୍ଗଠନକୁ ମଜଭୁତ କରିପାରୁଥିବା ନେତାଙ୍କୁ ଗୁରୁ ଦାୟିତ୍ବ ଦେବେ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ୨ ମାସ ମଧ୍ୟରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରାବାକୁ ଲକ୍ଷ୍ୟ ରଖିଛି ଦଳ । ଏଆଇସିସି ଏପରି ଅଭିଯାନକୁ ନେଇ ଦଳୀୟ ବିଧାୟକମାନେ ବେଶ ଉତ୍ସାହିତ ।

ପିସିସିର ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବା ଲାଗି ଏଆଇସିସିର ନୂଆ ଫର୍ମୁଲାକୁ ନେଇ ଭିନ୍ନ ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ । ସଂଗଠନ ସୂର୍ୟନ ଅଭିଯାନ ଓଡିଶା କଂଗ୍ରେସକୁ କେତେ ବଳ ଯୋଗାଇବ ତାହା ଜିଲ୍ଲା ସଭାପତି ଚୟନ ପରେ ସ୍ପଷ୍ଟ ହେବ । ଉପକୂଳ ଓଡ଼ିଶାରେ ଦଳର ସଂଗଠନ ଦୁର୍ବଳ ରହିଛି । ଏହାକୁ ସଜାଡ଼ିବା ପାଇଁ ଏଆଇସିସି ନୂଆ ଢାଞ୍ଚାକୁ ଆପଣାଇଛି ବୋଲି ରାଜନୈତିକ ସମୀକ୍ଷକ କେ. ରବି କହିଛନ୍ତି ।

ଏଆଇସିସିର ୩୫ ଜଣ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଏନ.ରଘୁବୀର ରେଡ୍ଡୀ, ଜି ସି ଚନ୍ଦ୍ରଶେଖର, ଇ.ତୁକାରାମ, ଡିନ ଶ୍ରେୟାସ ପଟେଲ, ଡି.କେ. ସୁରେଶ, ଚେତନ ଚୌହାନ, ଗୋପୀନାଥ ପାଲାନିୟାପ୍ପନ, ମଣିଜ ଚୌହାଣ, ଗଣେଶ ୟାଦବ ପ୍ରମୁଖ ଅଛନ୍ତି । ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପରେ ଏଆଇସିସି ତୃଣମୂଳ ସଂଗଠନ ସଜାଡିବା ଦାୟିତ୍ବ ନେଇଥିବାରୁ ଆଗକୁ ଦଳ କେତେ ସଫଳ ହେଉଛି ତାହା ଉପରେ ରହିବ ସମସ୍ତଙ୍କ ନଜର ।

ମହାନଦୀ ବିବାଦ ସମାଧାନ ପାଇଁ ସବୁ ଅଂଶୀଦାରଙ୍କୁ ସାମିଲ କରିବାକୁ ଆହ୍ଵାନ

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ଜଳ ବିବାଦର ସମାଧାନ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସର୍ବଦଳୀୟ ବୈଠକ ପରେ ଆସନ୍ତା ୨୮ ତାରିଖରେ ଛତିଶଗଡ଼ ଗସ୍ତ କରିବ ଏହି ସଂଗଠନର ଏକ ପ୍ରତିନିଧି ଦଳ । ୨୯ ତାରିଖରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବ । ମହାନଦୀ ହକ୍ ପାଇବା ଯାଏଁ ଲଢେଇ ଜାରି ରହିବ ବୋଲି ବିଜେଡି କହିଥିବା ବେଳେ ବିଜେପି ସରକାର ସମାଧାନର ବାଟ ବାହାର କରନ୍ତୁ ବୋଲି ଆହ୍ଵାନ ଦେଇଛି ଦଳ । ସେପଟେ କଂଗ୍ରେସ ଚେତାବନୀ ଦେଇ କହିଛି ମହାନଦୀ ସମସ୍ୟାର ସମାଧାନ ନ ହେଲେ ପୂରା ଓଡ଼ିଶାରେ ଆନ୍ଦୋଳନ ମୁଣ୍ଡ ଟେକିବ ।

ଓଡ଼ିଶାରେ ବିଜେପି ସରକାର, ଛତିଶଗଡ଼ରେ ବିଜେପି ସରକାର । କେନ୍ଦ୍ରରେ ବି ବିଜେପି ସରକାର । ୮ ବର୍ଷର ଲଢେଇ ପରେ ଏବେ ସୁଯୋଗ ଆସିଛି ଓଡ଼ିଶାର ଜୀବନ ରେଖାକୁ ନ୍ୟାୟ ଦେବା ପାଇଁ । ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ହୋଇଥିବା ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ୨୮ ତାରିଖରେ ଛତିଶଗଡ଼ର ବିଭିନ୍ନ ସାମାଜିକ ସଂଗଠନ ଓ ୨୯ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରାଯିବ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁକ୍ତି ଅନୁସାରେ କେବଳ ଦୁଇ ରାଜ୍ୟ  ସରକାର ଭିତରେ ସମାଧାନ ସମ୍ଭବ ନୁହେଁ । ମହାନଦୀ ସହ ଜଡ଼ିତ ପ୍ରତ୍ୟେକ ଅଂଶୀଦାର ବା ଷ୍ଟେକ୍ ହୋଲଡରଙ୍କୁ ମଧ୍ୟ ସାମିଲ କରାଯିବା ଆବଶ୍ୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି । ସର୍ବସମ୍ମତିରେ  ସମାଧାନ ପାଇଁ ସରକାର ଚେଷ୍ଟା କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ମହାନଦୀ ଅବବାହିକା ହେଉଛି ୧ ଲକ୍ଷ ୪୧ ହଜାର ବର୍ଗ କିଲୋମିଟର । ଏହାକୁ ସୁରକ୍ଷିତ ରଖିବାକୁ ମଧ୍ୟ ସର୍ବସମ୍ମତି କ୍ରମେ ଆଲୋଚନା ହେବା ଦରକାର । ଟ୍ରିବ୍ୟୁନାଲ ଏହାର ସମାଧାନ ନୁହେଁ । ଆପୋଷ ବୁଝାମଣାରେ ଏହା ସମ୍ଭବ ହୋଇପାରିବ । ସରକାର ଏବଂ ବିରୋଧୀ ଏକାଠି ହୋଇ କାମ କଲେ ସମାଧାନ ହୋଇପାରିବ । ସରକାର ଏ ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟିର ଆବାହକ ସୁଦର୍ଶନ ଦାସ କହିଛନ୍ତି ।

ବିଜେଡି ଆହ୍ଵାନ ଦେଇଛି, ବିଜେପି ସରକାର ଜଳ ବିବାଦର ସମାଧାନ କରନ୍ତୁ । ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଓଡ଼ିଶାର ଜୀବନ ରେଖାକୁ ଜୀବିତ ରଖିବା ପାଇଁ ବିଜେଡି ସବୁ ସ୍ତରରେ ଲଢ଼େଇ ଜାରି ରଖିଛି । ରାଜ୍ୟ ସରକାର ମହାନଦୀ ଜଳ ବିବାଦର ଆପୋଷ ସମାଧାନ କଥା କହୁଥିବା ବେଳେ କି ପ୍ରକାର ଆପୋଷ ସମାଧାନ କରୁଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ମହାନଦୀ ଜଳ ବିବାଦକୁ ଯଦି ଏ ଟ୍ରିପଲ ଇଞ୍ଜିନ ସରକାର ସମାଧାନ ନ କରନ୍ତି, ଓଡ଼ିଶାବାସୀ ଆନ୍ଦୋଳନ କରି ଏ ସରକାରକୁ ଉଚିତ ଶିକ୍ଷା ଦେବେ ।

ସରଳ ହେଲାନି ଖରିଫ ପଞ୍ଜୀକରଣ: ସରକାରୀ ନିୟମରେ ଛନ୍ଦି ହୋଇ ହନ୍ତସନ୍ତ ହେଉଛି ଚାଷୀ, ୧୮ରେ ବିଜେଡିର ବିଶାଳ ସମାବେଶ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ପାଇଁ ସରକାର । ହେଲେ ବିଜେପି ସରକାର ସମୟରେ ଚାଷୀ ବେଶୀ ଅବହେଳିତ । କେତେ ବେଳେ ଟୋକନ୍‌ ସମସ୍ୟା ତ ପୁଣି କେତେ ବେଳେ ପଞ୍ଜୀକରଣ ପାଇଁ ବଂଶାବଳୀ ନିୟମ । ଖରିଫ ଧାନ ବିକ୍ରି କରିବାକୁ ଚାଷୀ ପଞ୍ଜୀକରଣରେ ଏଭଳି ଜଟିଳ ବ୍ୟବସ୍ଥା ଚାଷୀର ମେରୁଦଣ୍ଡ ଭାଙ୍ଗିଲାଣି । ଯାହାକୁ ନେଇ ପଶ୍ଚିମ ଓଡ଼ିଶାର ତାତିଲେଣି ଚାଷୀ । ଏବେ ଚାଷୀଙ୍କ ହକ୍‌ ପାଇଁ ଲଢ଼ିବ ବିଜେଡି । ଆସନ୍ତା ୧୮ରେ ବରଗଡ଼ରେ ଚାଷୀଙ୍କୁ ନେଇ ବିଜେଡି କରିବ ବିଶାଳ ସମାବେଶ । ଚାଷୀ ହନ୍ତସନ୍ତ ହେଉଥିବାବେଳେ ବିଜେପି ଚିରାଚରିତ ଭାବେ ପୂର୍ବ ସରକାରକୁ ଦୋଷ ଠେଲି ଦେବାକୁ ଉଦ୍ୟମ କରିଛି ।

ଏୟା କରିଦିଆଯିବ । ସେଇୟା କରିଦିଆଯିବ । ଚାଷୀ ହସିବେ । କେବଳ ଘୋଷଣା କରିଦେଲେ ଚାଷୀର ହୋଇଯିବ ପଞ୍ଜୀକରଣ । ଏମିତି ଏମିତି ମାଳମାଳ କଥା ଶୁଣି ଚାଷୀ ଥିକି ଗଲେଣି । ହେଲେ ଏ ସରକାରକରେ ଖରିଫ ପଞ୍ଜୀକରଣ ସରଳ ହେବ କ’ଣ ? ସରକାରୀ ନିୟମରେ ଚାଷୀ ଛନ୍ଦି ହୋଇ ବାଧ୍ୟ ହେଲାଣି ରାଜରାସ୍ତାକୁ ଓହ୍ଲାଇବାକୁ । ଚାଷୀଙ୍କ ହିତରେ ବିଜୁ ଜନତା ଦଳ ସବୁବେଳେ ରହି ଆସିଛି ।

ପଶ୍ଚିମ ଓଡ଼ିଶା ରାଜ୍ୟର ଭାତ ହାଣ୍ଡି । ସେଠି ଏବେ ଚାଷୀ ଏବେ ସରକାରଙ୍କ ଜଟିଳ ନିୟମରେ ବେଶୀ ଦହଗଞ୍ଜ ହେଉଛନ୍ତି । ଆଉ ଚାଷୀଙ୍କ ଅଧିକାର ଓ ହକ୍‌ ପାଇଁ ଆସନ୍ତା ୧୮ରେ ବରଗଡ଼ରେ ବିଜୁ ଜନତା ଦଳ ପକ୍ଷରୁ କରାଯିବ ବିରାଟ ଚାଷୀ ମହାସମାବେଶ । ବିକ୍ଷୋଭରେ ସାମିଲ ହେବେ ହଜାର ହଜାର ଚାଷୀ । ପୂର୍ବ ସରକାର ସମୟରେ ଚାଷୀ ପଞ୍ଜୀକରଣ ନେଇ ସରଳ ନିୟମ ଥିଲା । ପି-ପାସ ବ୍ୟବସ୍ଥାରେ ଚାଷୀ ଧାନ ବିକ୍ରି କରି ସୁବିଧାରେ ଡିବିଟି ଜରିଆରେ ପାଇଯାଉଥିଲା ଏମଏସପି ଆଧାରରେ ଧାନ ବିକା ଟଙ୍କା । ହେଲେ ସରକାରୀ ନିୟମରେ ଛନ୍ଦି ହେଲାଣି । ଚାଷରେ କ’ଣ ମନ ଦେବ କେମିତି ନିଜ ନାମଟି ପଞ୍ଜୀକରଣ କରିବ ସେଥିରେ ତାର ଝାଳ ବାହାରିଯାଉଛି । ବିଭିନ୍ନ ଅଫିସ ଦୌଡ଼ି ଦୌଡ଼ି ସେ ଚାଷୀ ନୟାନ୍ତ ହେଉଛି । କ’ଣ ବିଜେପି ସରକାରଙ୍କ ଏପରି ଚାଷୀ ବିକାଶ ଆଭିମୁଖ୍ୟ ବୋଲି ପ୍ରଶ୍ନ କରିଛି ବିଜେଡି ।

ସ୍ବାମୀନାଥନ କମିଟି ଆଧାରରେ ଏ ପର୍ଯ୍ୟନ୍ତ ଧାନର ଏମଏସପି ଦର ବଢିଲାନି । ଅଥଚ ଏବର ସରକାର ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରି ଧାନ କ୍ବିଣ୍ଟାଲ ୩୧୦୦ ଟଙ୍କା କରିଛନ୍ତି ବୋଲି ବାହାବା ନେଉଛନ୍ତି । ଭଲ ଚାଷୀଙ୍କୁ ଅଧିକ ଅର୍ଥ ପାଉ ଏକଥା ସମସ୍ତେ ଚାହାଁନ୍ତି । ହେଲେ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାରେ ଏତେ ଜଟିଳ ନିୟମ କ’ଣ ପାଇଁ ? କ’ଣ ଆଗରୁ ରାଜ୍ୟ ବାହାରୁ ଚାଷୀ ଆସି ପଞ୍ଜୀକରଣ କରୁଥିଲେ ? ବିଜେଡିର ଅଭିଯୋଗ ଏଭଳି ଜଟିଳ ନିୟମ କରିବା ପଛର ଉଦ୍ଦେଶ୍ୟ ହେଉଛି ୮୦୦ ଟଙ୍କା ଇନପୁଟ ସହାୟତା ନ ଦେବାକୁ ଏକ ପ୍ରକାର ଷଡ଼ଯନ୍ତ୍ର । ଯାହାକୁ ବିଜେପି ନେତାମାନେ ବୋନସ୍‌ ବୋଲି ପ୍ରଚାର କରୁଥିବା ଅଭିଯୋଗ ହେଉଛି । ରାଜ୍ୟର ଯୋଗାଣ ମନ୍ତ୍ରୀ ଯାହା ଘୋଷଣା କରୁଛନ୍ତି ତାକୁ ତାଙ୍କ ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ଲାଗୁ କରୁନାହାନ୍ତି । ମନ୍ତ୍ରୀଙ୍କ ଘୋଷଣା ଗୋଟେ ପଟେ । ପ୍ୟାକ୍‌ସ ଓ ଲ୍ୟାମ୍ପସରେ ଚାଷୀ ଯେପରି ହଇରାଣ ହେବା କଥା ହେଉଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି । ନିଜ ସରକାରଙ୍କ ଦୋଷ ଦୁର୍ବଳତା ନ ଦେଖି ଚାଷୀଙ୍କ ସ୍ବାର୍ଥ କଥା ଭୁଲି ପୁଣି ଥରେ ପୂର୍ବ ସରକାରଙ୍କୁ ଦାୟୀ କରିବାକୁ ଭୁଲିନାହାନ୍ତି ।

କେନ୍ଦ୍ର ସରକାରଙ୍କ ନିୟମ ରହିଛି ଟଙ୍କାଟିଏ ବୋନସ ଦେଲେ ଭାରତୀୟ ଖାଦ୍ୟ ନିଗମ ଚାଷୀଙ୍କଠାରୁ ଧାନ କିଣିବନି । ସେଇଥି ପାଇଁ ୮୦୦ ଟଙ୍କା ବିଜେପି ସରକାର ଇନପୁଟ ସବସିଡି ବୋଲି ଘୋଷଣା କରିଛନ୍ତି । ଏବେ ବିଜେପି ନେତା ବୋନସ୍‌ ବୋଲି ଦାବି କରିବା ହାସ୍ୟାସ୍ପଦ । ତେବେ ଆଗାମୀ ୧୮ରେ ବିଜୁ ଜନତା ଦଳର ଚାଷୀଙ୍କ ସ୍ବାର୍ଥରେ ଲଢ଼େଇ ଜୋରଦାର କରିବ ।

ମାଛ ତରକାରୀ ପାଇଁ ସ୍ବାମୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେଇଥିଲା ସ୍ତ୍ରୀ, ବାନ୍ଧିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀଙ୍କୁ ହତ୍ୟା । ହତ୍ୟା କରିବା ପରେ ଗିରଫ ଭୟରେ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର । ଜଣେ ପୁରୁଷ ସହଯୋଗୀ ସହ ମିଶି ଆତ୍ମହତ୍ୟାର ରୂପ ଦେବାକୁ କରିଥିଲା ପ୍ଲାନ । ତଦନ୍ତ ପରେ ସ୍ତ୍ରୀର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଢେଙ୍ଗୁରପାଣି ଗ୍ରାମ ତୁରୀଟୋଲି ଅଞ୍ଚଳରେ ।

ଗତ ରାକ୍ଷୀ ପୂର୍ଣ୍ଣିମାରେ ମାଛ ତରକାରୀକୁ ନେଇ ସ୍ୱାମୀ ବାବୁଲାଲ ଲାକ୍ରା ଏବଂ ସ୍ତ୍ରୀ ସିଂଘିଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ ମଦ ପିଇ ଖାଇବା ଥାଳିକୁ ଲାତ ମାରିବା ସହ ସିଂଘିଙ୍କୁ ଏକ ବାଡ଼ିରେ ପିଟିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସିଂଘି ଘରେ ପଡିଥିବା ଏକ ଫାର୍ସାର ପଛ ପଟୁ ସ୍ୱାମୀଙ୍କ ମୁଣ୍ଡକୁ ଆଘାତ କରିଥିଲେ । ଫଳରେ ବାବୁଲାଲ ଅଚେତ ହୋଇ ପଡି ଯାଇଥିଲେ । ସ୍ୱାମୀ ମରି ଯାଇଥିବା ଭାବି ସିଂଘି ଅନ୍ୟ ଜଣେ ପୁରୁଷ ସହଯୋଗୀ କୁନ୍ଦ ସହ ମିଶି ସ୍ୱାମୀଙ୍କ ବେକରେ ରଶି ଲଗାଇ ରାତିରେ ଘର ବାହାରେ ଥିବା ଏକ ଆମ୍ବ ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ ।

ପରବର୍ତ୍ତୀ ସମୟରେ ମୃତ ବାବୁଲାଲଙ୍କ ଝିଅ ଓ ଜ୍ୱାଇଁଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ବେଳେ ଅଭିଯୁକ୍ତ ସିଂଘି ନିଜ ଦୋଷ ସ୍ୱୀକାର କରିଥିଲା । ଘଟଣା ସ୍ଥଳରେ ପୋଲିସ ସିନ୍ ରିକ୍ରିଏସନ କରିବା ପରେ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାକୁ ରୂପାନ୍ତରିତ କରି ସିଂଘିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଦିବ୍ୟାଙ୍ଗ ସହଯୋଗୀ କୁନ୍ଦ ଫେରାର ଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଛି ।

ନୂଆଁଖାଇ ଲଗ୍ନ ଧାର୍ଯ୍ୟ: ଆସନ୍ତା ୨୮ ତାରିଖରେ ନବାନ୍ନ ଲାଗି

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ୨୮ ତାରିଖରେ ଦିନ ୧୦ଟା ୩୩ରୁ ୧୦ଟା ୫୫ ସମୟରେ ମାଆ ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ନବାନ୍ନ । ଏଥିପାଇଁ ଆଜି ସମ୍ବଲପୁରର ବସିଥିବା ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି ।

ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଲୋକମାନେ ନିଜ ନିଜର ଇଷ୍ଟ ଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବେ । ନୂଆଁ ସରିଆ ଧାନରୁ ପ୍ରସ୍ତୁତ ଚୁଡା, ପିଠା, କ୍ଷୀରି ଓ ସାରୁପତ୍ର ଭଜା ଭୋଗ ଲାଗି କରାଯିବ । ଏହାପରେ ଜୁହାର ଭେଟ ଓ ସାସ୍କୃତିକ କାର୍ଯ୍ୟକ୍ରମ ନୂଆଁଖାଇ ଭେଟଘାଟ ଆରମ୍ଭ ହେବ ।

ହକ ଓ ଅଧିକାରକୁ ନେଇ ୧୮ରେ ବିଜେଡିର ଚାଷୀ ସମାବେଶ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ହକ୍ ଓ ଅଧିକାରକୁ ନେଇ ୧୮ ତାରିଖରେ ବରଗଡ଼ରେ ବିଜେଡି କରିବ ଚାଷୀ ସମାବେଶ । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ରୁ ଗର୍ଜିବେ ହଜାର ହଜାର ଚାଷୀ । ଚଳିତ ଖରିଫ୍ ଋତୁରେ ଚାଷୀଙ୍କ ଧାନ କାର୍ଡ ପଞ୍ଜୀକରଣ ନିୟମକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ୮୦୦ ଟଙ୍କା ଇନପୁଟ ସହାୟତାରୁ ବଞ୍ଚିତ କରିବା ପାଇଁ ଏହା ଷଡ଼ଯନ୍ତ୍ର ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।

ସେହିପରି ନିର୍ବାଚନ ସମୟରେ ବିଜେପି ଦେଇଥିବା ଇସ୍ତାହାର ପତ୍ର ଦେଖାଇ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡ଼ି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ମନ୍ତ୍ରୀଙ୍କ କଥା ପ୍ରାଶାସନିକ ସ୍ତରରେ ଲାଗୁ ହେଉ ନଥିବା କହି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ । ସେହିଭଳି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ରାଜ୍ୟରେ ଜୁମଲା ସରକାର ଚାଲିଥିବା ଓ ଚାଷୀଙ୍କ ପାଇଁ ଏମାନଙ୍କ ଦରଦ ନଥିବା କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।