spot_img
Home Blog Page 309

ଆଜି ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ

ନୁଆଦିଲ୍ଲୀ : ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ।  ସ୍ୱାଧୀନତା ଦିବସ ପାଳନ ଦେଖିବା ପାଇଁ ପ୍ରାୟ 20 ରୁ 25 ହଜାର ଅତିଥି ଲାଲକିଲ୍ଲାରେ ପହଞ୍ଚନ୍ତି, ଯେଉଁଥିରେ ଭିଆଇପି ଅତିଥି ଏବଂ ସାଧାରଣ ଜନତା ମଧ୍ୟ ସାମିଲ ଅଛନ୍ତି । ତେବେ ଲାଲକିଲ୍ଲା ସମେତ ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିଲ୍ଲୀର ପ୍ରତ୍ୟେକ କୋଣରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ଏବଂ ପୋଲିସ ଦ୍ୱାରା ଯାଞ୍ଚ ମଧ୍ୟ କରାଯାଉଛି। ଲାଲକିଲ୍ଲାରେ ପ୍ରବେଶ ପଥ ପୋଲିସ ଦ୍ୱାରା ଯାଞ୍ଚ କରାଯାଉଛି। ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବାହିନୀ ସମେତ ୨୦ ହଜାରରୁ ଅଧିକ ଯବାନଙ୍କୁ ନିୟୋଜିତ କରାଯାଇଛି।ଲାଲକିଲ୍ଲା ଏବଂ ଏହାର ଆଖପାଖରେ ଥିବା ସମସ୍ତ ଭିଭିଆଇପି ରୁଟରେ ସିସିଟିଭି କ୍ୟାମେରା ଲଗାଯାଇଛି। ପ୍ରଥମ ଥର ପାଇଁ, ପାର୍କିଂରେ ଅଣ୍ଡର ଯାନ ସ୍କାନିଂ ସିଷ୍ଟମ ବ୍ୟବହାର କରାଯାଇଛି।  ଦିଲ୍ଲୀ ପୋଲିସ ପକ୍ଷରୁ ଡ୍ରୋନ୍ ପ୍ରତିରୋଧୀ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅନ୍ୟପଟେ ଭୁବନେଶ୍ବର ଗାନ୍ଧିମାର୍ଗରେ ଅନୁଷ୍ଠିତ ହେବ ପରେଡ ଉତ୍ସବ । ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।   ପରେଡ  ୪୯ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ଏହାସହ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା ଲାଗି ଆନ୍ଧ୍ରପ୍ରଦେଶ ପୋଲିସର ଗୋଟିଏ ପ୍ଲାଟୁନ ପରେଡରେ ସାମିଲ ହେବେ । ଚଳିତ ବର୍ଷ ୨୦୨୨ ବ୍ୟାଚର IPS ଅନନ୍ୟା ଅୱସ୍ତି ପରେଡ କାମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଇବେ । ସୁରକ୍ଷା ଦୃଷ୍ଟିକୋଣରୁ ସ୍ବତନ୍ତ୍ର ରଣନୀତି କରି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ମୁହଁ ସମ୍ଭାଳି କଥାବାର୍ତ୍ତା କର ନହେଲେ ପରିସ୍ଥିତି ଭୟଙ୍କର ହେବ, ପାକିସ୍ତାନକୁ ଭାରତର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ :ମୁହଁ ସମ୍ଭାଳି କଥାବାର୍ତ୍ତା କର ନହେଲେ ପରିସ୍ଥିତି ଭୟଙ୍କର ହେବ । ପାକିସ୍ତାନକୁ ଏଭଳି ଚେତାବନୀ ଦେଇଛି ଭାରତ । ପାକିସ୍ତାନର ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ଉଚିତ୍ ଜବାବ ଦେଇଛି ଭାରତ । ଭାରତ ଚେତାବନୀ ଦେଇଛି ଯେ ପାକିସ୍ତାନର କୌଣସି ବି ଭୁଲ୍ ପଦକ୍ଷେପ ଦ୍ବାରା ପାକିସ୍ତାନକୁ ଯନ୍ତ୍ରଣାଦାୟକ ପରିଣାମ ଭୋଗିବାକୁ ପଡିପାରେ ।

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ୍ ଆଜି ଏକ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ପାକିସ୍ତାନ  ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ ଯୁଦ୍ଧ ପାଇଁ ଉସକାଉଥିବା ଭଳି ବୟାନ ଦେଉଛି  । ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଭାରତ ବିରୋଧୀ ବୟାନ ଦେବା ପାକିସ୍ତାନ ନେତୃତ୍ୟଙ୍କ କାମ  । ତେବେ ସେ ଏଥିରେ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ଯେ, ସେ ନିଜର ବୟାନ ଉପରେ ସଂଯମ ରଖୁ ନହେଲେ କିଛି ବି ଦୁଃସାହାସିକ କାମର ପରିଣାମ ଅତି ଭୟଙ୍କର ହେବ  ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଚେତାବନୀ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଗମ୍ଭୀର ପ୍ରତିକ୍ରିୟା ଆସିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ମଙ୍ଗଳବାର (୧୨ ଅଗଷ୍ଟ, ୨୦୨୫) ଚେତାବନୀ ଦେଇଥିଲେ ଯେ ଭାରତକୁ ତାଙ୍କ ଦେଶରୁ ଗୋଟିଏ ବୁନ୍ଦା ପାଣି ମଧ୍ୟ ନେବାକୁ ଦିଆଯିବ ନାହିଁ। ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ଏହି ବିବୃତ୍ତି ଆସିଛି।

ଇସଲାମାବାଦରେ ଏକ ସମାରୋହରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଥିଲେ, “ଯଦି ତୁମେ ଆମର ପାଣି ବନ୍ଦ କରିବାକୁ ଧମକ ଦିଅ, ତେବେ ତୁମେ ପାକିସ୍ତାନରୁ ଗୋଟିଏ ବୁନ୍ଦା ପାଣି ମଧ୍ୟ ଛଡ଼ାଇ ନେଇପାରିବ ନାହିଁ। ଯଦି ଭାରତ ଏପରି କିଛି କରିବାକୁ ଚେଷ୍ଟା କରେ, ତେବେ ତାକୁ ଶିକ୍ଷା ଦିଆଯିବ।” ପାକିସ୍ତାନ ବାରମ୍ବାର ଦାବି କରିଆସୁଛି ଯେ ତାକୁ ପାଣି ପ୍ରବାହିତ ହେବା ବନ୍ଦ କରିବା ଯୁଦ୍ଧର ଏକ କାର୍ଯ୍ୟ ଭାବରେ ବିବେଚନା କରାଯିବ।

ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିବୃତ୍ତି ପୂର୍ବରୁ, ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତ ବିରୋଧୀ ବିବୃତ୍ତି ଦେଇଥିଲେ। ସେମାନେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ସିନ୍ଧୁ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ ସହିତ ତୁଳନା କରିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଯଦି ଆମକୁ ଯୁଦ୍ଧ କରିବାକୁ ବାଧ୍ୟ କରାଯାଏ, ତେବେ ସେଥିରୁ ପାକିସ୍ତାନ ପଛକୁ ହଟିବ ନାହିଁ।

ଏହି ସମୟରେ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ୍ ଭାରତ-ଆମେରିକା ସମ୍ପର୍କ ଉପରେ କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ ଏହି ସହଭାଗୀତା ପାରସ୍ପରିକ ସମ୍ମାନ ଆଧାରରେ ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଦୃଢ଼ । ଗତ କିଛି ବର୍ଷ ମଧ୍ୟରେ ଏହି ସମ୍ପର୍କ ବିସ୍ତାରିତ ହୋଇଛି । ଏହି ମାସରେ ଆମେରିକାରୁ ଏକ ପ୍ରତିରକ୍ଷା ନୀତି ଦଳ ଆସୁଛି । ଏହି ମାସରେ ଆଲାସ୍କାରେ ଦୁଇ ଦେଶ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ହେବ।”

 

 

 

ଜମ୍ମୁକାଶ୍ମୀରରେ ଫାଟିଲା ବାଦଲ, ବନ୍ୟାରେ ଭାସିଯାଇ ୧୭ ମୃୃତ

ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ କାଶ୍ମୀର କିସ୍ତୱାଡ଼ରେ ବାଦଲ ଫଟା ବର୍ଷା। ପାଣିରେ ଭାସି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ୫୦ରୁ ଅଧିକ ଆହତ ହୋଇଛନ୍ତି। ଚାଶୋଟି ଅଂଚଳରେ ଏହି ଅଘଟଣ ଘଟିଛି। ଗୁରୁବାର ଜମ୍ମୁର କିସ୍ତୱାରର ଚାଶୋଟି ଅଞ୍ଚଳରେ ମେଘ ଫାଟିବା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ମେଘ ଫାଟିବା ଘଟଣା ପରେ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିସ୍ତୱାଡ଼ର ଚାଶୋଟି ଅଞ୍ଚଳରେ ବାଦଲ ଫଟା ବର୍ଷାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବହୁ କ୍ଷତି ହେବାର ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। କ୍ଷୟକ୍ଷତିର ଆକଳନ କରାଯାଉଛି । ଆବଶ୍ୟକ ଉଦ୍ଧାର ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଆଗାମୀ ୪ରୁ ୬ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ହେବା ନେଇ ସମ୍ଭାବନା ରହିଛି। କୁପୱାରା, ବାରାମୁଲ୍ଲା, ବାନ୍ଦିପୋରା, ଶ୍ରୀନଗର, ଗନ୍ଦେରବଲ, ବଡଗାମ, ପୁଞ୍ଚ, ରାଜୌରି, ରଇସି, ଉଧମପୁର, ଡୋଡା,କାଜିଗୁଣ୍ଡ-ବନିହଲ-ରାମବାନ୍ ଅଂଚଳରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

୬୫ ଲକ୍ଷ ଭୋଟରଙ୍କ ତାଲିକା ଦିଅ : ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ :  ବିହାର ସ୍ପେଶାଲ ଇଣ୍ଟେନସିଭ ରିଭିଜନକୁ ମାମଲାରେ ଆସିଲା ନୂଆ ମୋଡ଼। ସୁପ୍ରିମକୋର୍ଟଙ୍କ ନିର୍ବାଚନ କମିଶନଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ। ଅଗଷ୍ଟ ପହିଲାରେ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡ଼ିଥିବା ନେଇ ତାଲିକା ଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାଦ ପଡିଥିବା ଭୋଟରଙ୍କ ନାମ ତାଲିକାରୁ କାହିଁକି ବାଦ ପଡ଼ିଲା ତାକୁ ସାର୍ବଜନୀନ କର। ତୃତୀୟ ଦିନରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୱେବସାଇଟରେ ତଥ୍ୟ ପ୍ରକାଶ କରିବାକୁ ନିର୍ବାଚନ କମିଶନକୁ ୩ ଦିନର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ।

ବହୁଳ ପ୍ରସାରିତ ଖବର କାଗଜ, ଟିଭି ଓ ରେଡିଓରେ ସୂଚନା ଦେବାକୁ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ। ଏପରିକି ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ସାଇଟରେ ମଧ୍ୟ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ ଜାରି କରାଯିବ। ପ୍ରତି ବ୍ଲକର ପଞ୍ଚାୟତରେ ବୁଥ ଲେବଲ ଅଧିକାରୀ ଭୋଟର ତାଲିକାରୁ ବାଦ ପଡିଥିବା ବ୍ୟକ୍ତିଙ୍କର ନାମ ଓ ତାଲିକା ଜାରି କରିବେ। ଏଇ ତାଲିକାକୁ ଦେଖିବାକୁ ବ୍ୟକ୍ତି ଯଦି ଚାହିବେ ଲେଖା କାଗଜପତ୍ର ସହ ଏବଂ କମ୍ପ୍ୟୁଟରରେ ସଫ୍ଟ କପି ଦେଖିବାକୁ ଅଧିକାରୀ ଅନୁମତି ଦେବେ। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ବାଗଚୀ ନିର୍ବାଚନ କମିସନଙ୍କ ଓକିଲଙ୍କୁ ପ୍ରଶ୍ନ କରି କହିଛନ୍ତି ବିହାରରେ ହେଉଥିବା ଏହି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନରେ ଯେଉଁମାନଙ୍କର ନାମ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଛି କାହିଁକି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ନିର୍ବାଚନ କମିସନ ଦେବେନି ? ନାମ କଟିଥିବା ଭୋଟର କାହିଁକି ଦ୍ବନ୍ଦ୍ବରେ ରହିବେ ? ଏଥିପାଇଁ କଣ ପାଇଁ ବୁଥସ୍ତରୀୟ ଅଧିକାରୀ କିମ୍ବା ଅନ୍ୟ ଅଧିକାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଭୋଟର ଯେପରି ସୁବିଧାରେ ତାଙ୍କ ନାମ କଟିଥିବା ନେଇ ଜାଣିପାରିବେ ସେ ନେଇ ସବିଶେଷ କାରଣ ସହିତ ନିର୍ବାଚନ କମିସନ ତାଙ୍କ ଓ୍ବେବସାଇଟରେ ଅପଲୋଡ କରିବା ଦରକାର।

ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯଦିଓ ଆଧାର ଓ ଏପିକ ନମ୍ବର ସଠିକ ପ୍ରମାଣ ନୁହେଁ ତାହେଲେ ନିର୍ବାଚନ କମିସନ ଗୋଟିଏ ସର୍ବସାଧାରଣରେ ନୋଟିସ ଜାରି କରିବା ଦରକାର। SIRର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ ଦେବା। ଏଥିରେ କୌଣସି ନୂଆ ଭୋଟର ଯୋଡ଼ି ହେଉନାହାନ୍ତି। ବିହାରର ସ୍ପେଶାର ଇଣ୍ଟେନସିଭ ରିଭିଜନ୍‌ କେବଳ ସାମ୍ବିଧାନିକ ସଂସ୍ଥାର କ୍ଷମତା ଓ ବ୍ୟକ୍ତିର ସାମ୍ବିଧାନିକ ଅଧିକାର ଭିତରେ ଲଢ଼େଇ ଚାଲିଛି। ଏପରିକି ଖଣ୍ଡପୀଠ ନିର୍ବାଚନ କମିସନଙ୍କ ଓକିଲଙ୍କୁ କହିଛନ୍ତି ପ୍ରସ୍ତୁତ କରାଯାଇଥିବା ଭୋଟର ତାଲିକା ସଂଶୋଧନ ଚିଠାର ଜିଲ୍ଲାଓ୍ବାରୀ ତାଲିକା ଦେବା ଦରକାର। ଭୋଟ ଦେବା ନାଗରିକର ମୌଳିକ ଅଧିକାର। ଏଥିରେ ସ୍ବଚ୍ଛତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଯାହାଦ୍ବାରା ଜଣେ ଯୋଗ୍ୟ ଭୋଟର ଯେପରି ଭୋଟଦାନରୁ ବାଦ ନ ପଡ଼ନ୍ତି ସେ ନେଇ ନିର୍ବାଚନ କମିଶନ ପଦକ୍ଷେପ ନେବା ଦରକାର।

ଜାମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଲା ୨ କିମି ଲମ୍ବର ଜାତୀୟ ପତାକା

ଆସନ୍ତାକାଲି ସାରା ଦେଶ ପାଳିବ ୭୯ତମ ସ୍ଵାଧୀନତା ଦିବସ। ଏହି ଅବସରରେ ସାରା ଦେଶବାସୀଙ୍କ ମଧ୍ୟରେ ପ୍ରସ୍ତୁତି ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଜାମ୍ମୁ କାଶ୍ମୀର ରାଜୈରୀ ଅଂଚଳରେ ଦେଖିବାକୁ ମିଳିଥିଲା ଦୀର୍ଘ ୨ କିଲୋମିଟର ଲମ୍ବର ଜାତୀୟ ପତାକା।ସ୍ଵାଧୀନତା ଦିବସ ପାଳନ ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ଜାତୀୟ ପତାକା ସହିତ ବିଶାଳ ତ୍ରିରଙ୍ଗା ରାଲି।ଏଥିଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହା ପୂର୍ବରୁ ଗତକାଲି ଭାଦରୱାହ ଘାଟିରେ ସ୍ଥାନୀୟ ପୋଲିସ ଦ୍ୱାରା ଆୟୋଜିତ ହୋଇଥିଲା ତ୍ରିରଙ୍ଗା ରାଲି। ପୋଲିସ, ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହିତ ୧୦୦ ମିଟର ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ବାଣ୍ଟିଥିଲେ। 100 ମିଟର ଲମ୍ବା ଜାତୀୟ ପତାକାର ପ୍ରଦର୍ଶନରେ ଲୋକେ କରତାଳି, ଜୟଧ୍ୱନି ଦେଇ ଉତ୍ସାହିତ କରିଥିଲେ। ରାସ୍ତାରେ ଧାଡ଼ି ବାନ୍ଧି ପତାକା ଲହରାଇ ଦେଶପ୍ରେମର ସ୍ଲୋଗାନ ଦେଇଥିଲେ।

ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କଲେ ଭୁବନେଶ୍ବର ମେୟର

ବୁଲା କୁକୁରଙ୍କୁ ନେଇ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେ କହିଛନ୍ତି, କୁକୁର ମାନେ କଥା କହିପାରୁନାହାନ୍ତି ବୋଲି କଣ ସେମାନଙ୍କ ବଂଚିବାର ଅଧିକାର ନାହିଁ । ଜୈବବିବିଧତାର ସମନ୍ୱୟ ପାଇଁ ପ୍ରାଣୀ ଓ ମଣିଷ ସମସ୍ତେ ରହିବାର ଆବଶ୍ୟକତା ରହିଛି । ଆନିମଲ ୱେଲଫେୟାର ବୋର୍ଡ କହିଛି, ବୁଲା କୁକୁରଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ବଞ୍ଚିପାରିବେନାହିଁ । କୁକୁର ପାଇଁ ବ୍ୟକ୍ତିଗତ କେନେଲ ଦରକାର । ନହେଲେ କାମୁଡା କାମୁଡି ହୋଇ ମରିଯିବେ । ବୁଲା କୁକୁର କାମୁଡ଼ିଲେ କି ଗାଡିକୁ ଗୋଡ଼ାଇ ଦୁର୍ଘଟଣା କଲେ ପ୍ରଶାସନକୁ ଜଣାନ୍ତୁ । ସେମାନଙ୍କ ଚିକିତ୍ସା କରାଯିବ । ହେଲେ କୁକୁରଙ୍କୁ ମାରିବା କି ସ୍ଥାନ ପରିବର୍ତ୍ତନ କରିବା ଠିକ ନୁହେଁ ।

ବୁଲାକୁକୁରଙ୍କ ବନ୍ଧ୍ୟାକରଣ ମାମଲା: ପୂର୍ବ ରାୟକୁ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଦିଲ୍ଲୀ NCRରେ ବୁଲାକୁକୁରଙ୍କ ବନ୍ଧ୍ୟାକରଣ ପ୍ରସଙ୍ଗ। ମାମଲାରେ ପୂର୍ବ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ବେଞ୍ଚକୁ ନେଇ ଗଠିତ ଖଣ୍ଡପୀଠ।
ସୁପ୍ରିମକୋର୍ଟ ଗତ ୧୧ ତାରିଖର ରାୟକୁ ସଂରକ୍ଷିତ ରଖିଛନ୍ତି। ବୁଲାକୁକୁର ପ୍ରସଙ୍ଗରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ପାଇଁ ଭର୍ତ୍ସନା କରିଥିଲେ ଅଦାଲତ। ପୂର୍ବ ଆଦେଶରେ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ-ଏନସିଆରର କର୍ତ୍ତୃପକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ବୁଲା କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ପରେ ପ୍ରବଳ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୁଇ ଜଣିଆ ଖଣ୍ଡପୀଠରୁ ମାମଲା ପ୍ରତ୍ୟାହାର କରିନେଇଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷ ଯାହା କରିବା ଉଚିତ ତାହା କରୁନାହାଁନ୍ତି ବୋଲି କହିଛନ୍ତି ଅଦାଲତ। ସେମାନେ ଏଠାରେ ଦାୟିତ୍ୱ ନେବା ଉଚିତ ବୋଲି ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହା କହିଛନ୍ତି।

ଗତ ସୋମବାର ଦିଲ୍ଲୀ ଏନସିଆରର ବିଭିନ୍ନ ସଂଗଠନକୁ ତୁରନ୍ତ ବୁଲା କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ ସହ ସେମାନଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ, ଦିଲ୍ଲୀ ସରକାର, ଦିଲ୍ଲୀ ନଗର ନିଗମ, NDMC, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦର ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୁକୁର ଆଶ୍ରୟସ୍ଥଳ ତିଆରି ସହ ଏନେଇ କୋର୍ଟକୁ ରିପୋର୍ଟ ଦେବାକୁ କହିଥିଲେ। ଆଶ୍ରୟସ୍ଥଳଗୁଡ଼ିକରେ ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ କରିବା, ରାସ୍ତା, କଲୋନୀ କିମ୍ବା ସାର୍ବଜନୀନ ସ୍ଥାନରେ ନଛାଡି ଯତ୍ନ ନେବା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ମୁତୟନ କରିବାକୁ କହିଥିଲେ ଅଦାଲତ। ସମସ୍ତ ଆଶ୍ରୟସ୍ଥଳଗୁଡ଼ିକ ସିସିଟିଭି ଦ୍ୱାରା ମନିଟରିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟପାଳଙ୍କ ଠାରୁ ପିଏଚଡି ଡିଗ୍ରୀ ନେବାକୁ ମନା କଲେ ଛାତ୍ରୀ

ରାଜ୍ୟପାଳଙ୍କ ଠାରୁ ପିଏଚଡି ଡିଗ୍ରୀ ନେବାକୁ ମନା କଲେ ଛାତ୍ରୀ। ତାମିଲନାଡୁରେ ଏମ ଏସ ୟୁନିଭର୍ସିଟିର ଛାତ୍ରୀ ରାଜ୍ୟପାଳ ଆର ଏନ ରବିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ। ବିଶ୍ଵବିଦ୍ୟାଳୟର ୩୨ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ବିଶ୍ଵବିଦ୍ୟାଳୟ କୁଳପତି ତଥା ରାଜ୍ୟପାଳ ଆର ଏନ ରବି। ୬୫୦ରୁ ଅଧିକ ଛାତ୍ରୀ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ।ପ୍ରତ୍ୟେକ ଛାତ୍ରୀ ରାଜ୍ୟପାଳଙ୍କ ନିକଟକୁ ଯାଇ ସେମାନଙ୍କର ଡିଗ୍ରୀ ଗ୍ରହଣ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ।କିନ୍ତୁ ଯେତେବେଳେ ନାଗରକୋଏଲର ରିସର୍ଚ୍ଚ ସ୍କଲାର ଜିନ୍ ଜୋସେଫଙ୍କ ପାଳି ଆସିଥିଲା ସେ ରାଜ୍ୟପାଳଙ୍କୁ ଠାରୁ ଡିଗ୍ରୀ ଗ୍ରହଣ ନକରି ସିଧାସଳଖ ଉପକୁଳପତି ଏନ ଚନ୍ଦ୍ରଶେଖରଙ୍କ ପାଖକୁ ଯାଇଥିଲେ। ବିଶ୍ଵବିଦ୍ୟାଳୟ ଭିସିଙ୍କ ଠାରୁ ସେ ତାଙ୍କର ଡିଗ୍ରୀ ଗ୍ରହଣ କରିଥିଲେ।ଛାତ୍ରୀ ଜିନ୍ ଜୋସେଫ ହେଉଛନ୍ତି ଡିଏମକେର ନାଗରକୋଇଲ୍ ୟୁନିଟର ଉପ-ସଚିବ ଏମ୍ ରାଜନଙ୍କ ପତ୍ନୀ।ସମାରୋହ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଜିନ୍ ଜୋସେଫ୍ ତାଙ୍କର ବକ୍ତବ୍ୟ ରଖିଥିଲେ। କହିଥିଲେ ରାଜ୍ୟପାଳ ଆରଏନ ରବି ତାମିଲନାଡୁ ଏବଂ ତାମିଲମାନଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି। ମୁଁ ତାଙ୍କଠାରୁ ମୋର ଡିଗ୍ରୀ ଗ୍ରହଣ କରିବାକୁ ଚାହୁଁ ନଥିଲି ବୋଲି କହିଥିଲେ ଜିନ ଜୋସେଫ।ତାଙ୍କର ଏହି ବୟାନ ଶୀଘ୍ର ଭାଇରାଲ ହୋଇଗଲା, ଯାହା ତାମିଲନାଡୁ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଥିବା ରାଜନୈତିକ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଲା।ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ପରେ ଜୋରଦାର ଆଲୋଚନା ଚାଲିଛି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମଧ୍ୟ ମନ୍ତବ୍ୟ ଦେବାକୁ ମନା କରିଦେଇଛି।

ବିଜେଡି ଜନପ୍ରତିନିଧିଙ୍କ ଗାଡି ଉପରକୁ ଆକ୍ରମଣ

ବିଜେଡି ଜନପ୍ରତିନିଧିଙ୍କ ଗାଡି ଉପରକୁ ଆକ୍ରମଣ । ଗତ ୧୨ ତାରିଖ ଦିନ ତରଭା ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପାଙ୍କ ସମେତ କେତେକ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନେଇ ଚାରିଗୋଟି ଗାଡିରେ ସୋନପୁର ଜିଲ୍ଲାପାଳଙ୍କୁ ଭେଟିବାକୁ ବାହାରିଥିଲେ । ସୋନପୁର ବ୍ଲକ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ରାସ୍ତାର ପଟାଭାଡି ଛକରେ ହଠାତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ୨୦ରୁ ୨୫ ଜଣ ଦୁର୍ବୃତ୍ତ ଅଟକାଇ ଆକ୍ରମଣ କରିଥିଲେ । ଏହାସହ ସେମାନଙ୍କ ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ । ଘଟଣା ବେଳର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋନପୁର ଥାନାରେ ମାମଲା ଦାୟର ହୋଇଥିବା ବେଳେ କେହି ଗିରଫ ହୋଇନଥିବା ସୂଚନା ମିଳିଛି।

ଭିସୁଟରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ କୋଡ

ସମ୍ବଲପୁର ଭିସୁଟରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ କୋଡ  । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ ହୋଇଛି  । ୨୦୨୫-୨୦୨୬ ବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ  । ଏଥିରେ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ ଦିଆଯାଇଛି  । ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ ଓ ସାର୍ଟ ରହିଥିବାବେଳେ ଝିଅଙ୍କ ପାଇଁ ସାଲଓ୍ବାର କମିଜ୍ ସହ ଓ୍ବେଷ୍ଟକୋଟ ବାଧ୍ୟତାମୂଳକ କରାଯାଇଛି  । ସୁରକ୍ଷା ଦୃଷ୍ଟିରୁ ଝିଅଙ୍କ ପାଇଁ ଓଢଣୀ ବାରଣ କରାଯାଇଛି  । ପେଣ୍ଟ, ସାଲଓ୍ବାର ଓ ଓ୍ବେଷ୍ଟକୋଟର ରଙ୍ଗ ନେଭି ବ୍ଲୁ ଓ ସାର୍ଟର ରଙ୍ଗ ବ୍ଲୁ ରହିବ ବୋଲି କୁହାଯାଇଛି  ।