spot_img
Home Blog Page 311

ବିହାର ନିର୍ବାଚନ ତାରିଖ ଘୋଷଣା ପରେ ସରୁନି ଏସଆଇଆର ବିବାଦ ; ଆଜି ତଥ୍ୟ ଦାଖଲ କରିବେ ଇସି

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ସରୁନି ଏସଆଇଆର ବିବାଦ । ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ୩ ଲକ୍ଷ ୬୬ହଜାର ଭୋଟରଙ୍କ ସମ୍ପର୍କରେ ଆଜି ସୁପ୍ରିମକୋର୍ଟ ନିକଟରେ ସବିଶେଷ ତଥ୍ୟ ଦାଖଲ କରିବେ ନିର୍ବାଚନ କମିଶନ  । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍ ପକ୍ଷରୁ ଆଗତ ପିଟିସନର ଶୁଣାଣି ନେଇ ଏହି ନିର୍ଦ୍ଦେଶ ଦେଇଥିଲେ ଅଦାଲତ  ।

ଏସଆଇଆରର ଚୂଡ଼ାନ୍ତ ତାଲିକାରେ ୨୧ ଲକ୍ଷ ୫୩ ହଜାର ନୂଆ ଭୋଟରଙ୍କୁ ସ୍ଥାନୀତ କରାଯାଇଥିବାବେଳେ ୩ ଲକ୍ଷ ୬୬ ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଥିଲା  । ଏସଆଇଆର ପୂର୍ବରୁ ଅର୍ଥାତ ଜାନୁଆରୀରେ ଥିବା ମୂଳ ଭୋଟର ତାଲିକା ସହ ଏହାକୁ ତୁଳନା କରିବା ଲାଗି କୋର୍ଟ ନିକଟରେ ଦର୍ଶାଇଥିଲେ ଆଡଭୋକେଟ ପ୍ରଶାନ୍ତ କିଶୋର  । ମାମଲାର ଶୁଣାଣି କରୁଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀ  ।

ଜୁନ ସୁଦ୍ଧା ବିହାରର ମୋଟ ଭୋଟର ଥିଲେ ୭ କୋଟି ୮୯ ଲକ୍ଷ  । ୧ ଅଗଷ୍ଟ ୨୦୨୫ ପ୍ରକାଶିତ ଚିଠା ଭୋଟର ତାଲିକାରେ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଥିଲେ  । ଫଳରେ ମୋଟ ଭୋଟର ସଂଖ୍ୟା ହୋଇଥିଲେ ୭ କୋଟି ୨୪ ଲକ୍ଷ  । ଏସଆଇଆର ପ୍ରକ୍ରିୟାରେ ସାମିଲ ହୋଇଥିଲେ ୨୧ ଲକ୍ଷ ୫୩ ହଜାର ଭୋଟର ଏବଂ ବାଦ୍ ପଡିଥିଲେ ୩ ଲକ୍ଷ ୬୬ ହଜାର ଭୋଟର  । ଫଳରେ ୩୦ ସେପ୍ଟେମ୍ବରରେ ପ୍ରକାଶିତ ଚୂଡ଼ାନ୍ତ ଏସଆଇଆରରେ ମୋଟ ଭୋଟର ସଂଖ୍ୟା ହୋଇଥିଲେ ୭ କୋଟି ୪୨ ଲକ୍ଷ  । ଅର୍ଥାତ ମୂଳ ଭୋଟର ତାଲିକାରୁ ସମୁଦାୟ ବାଦ୍ ପଡିଲେ ୪୭ ଲକ୍ଷ ଭୋଟର  ।

କଫ ସିରପ ଖାଇ ୨୦ ପିଲାଙ୍କ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ : ‘ଶ୍ରୀସନ ମେଡିକାଲ୍ସ’ ମାଲିକ ଗିରଫ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ ଖାଇ ୨୦ ପିଲାଙ୍କ ମୃତ୍ୟୁ ଘଟଣାରେ, ଏମପି ଏସଆଇଟିର ବଡ଼ କାର୍ଯ୍ୟାନୁଷ୍ଠାନ । କଫ ସିରପ ନିର୍ମାତା କଂପାନୀ ‘ଶ୍ରୀସନ ମେଡିକାଲ୍ସ’ ମାଲିକ ରଙ୍ଗନାଥନ ଗୋବିନ୍ଦନଙ୍କୁ ଅଟକ ରଖିଛି ପୋଲିସ । ଏହି କାର୍ଯ୍ୟାନୁଷ୍ଠାନ ଅକ୍ଟୋବର ୮ ତାରିଖ ରାତିରେ ନିଆଯାଇଥିଲା। ଗିରଫ ହେବା ପରେ, ଏମପି ଏସଆଇଟି ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମଧ୍ୟପ୍ରଦେଶ ଆଣିବ। ସଂକ୍ରମିତ କଫ ସିରପ ଖାଇବା ପରେ ଛିନ୍ଦୱାଡାରେ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।  ରଙ୍ଗନାଥନ ଗୋବିନ୍ଦନଙ୍କୁ ଧରିବା ପାଇଁ କୋଡ଼ିଏ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

କଫ ସିରପ୍ ସହିତ ଜଡିତ ମୃତ୍ୟୁ ପ୍ରଥମେ ମଧ୍ୟପ୍ରଦେଶର ଛିନ୍ଦୱାଡା ଏବଂ ବେତୁଲ ଜିଲ୍ଲାରେ ଦେଖାଯାଇଥିଲା, ଯେଉଁଠାରେ ଗତ ଦୁଇ ସପ୍ତାହ ମଧ୍ୟରେ ଅନେକ ପିଲାଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ, ରାଜସ୍ଥାନର କିଛି ଅଞ୍ଚଳରେ ସମାନ ସିରପ୍ ସହିତ ଜଡିତ ଘଟଣା ସାମ୍ନାକୁ ଆସିଥିଲା । ଛିନ୍ଦୱାଡା ପ୍ରଶାସନ ଅନୁଯାୟୀ, ଥଣ୍ଡା ସିରପ୍ ଖାଇବା ପରେ ପିଲାମାନେ ବାନ୍ତି, ପରିସ୍ରା କରିବାରେ କଷ୍ଟ ଏବଂ ଉଚ୍ଚ ଜ୍ୱର ଭଳି ଲକ୍ଷଣ ଦେଖାଦେଇଥିଲା। ଏହା ପରେ ପିଲାମାନଙ୍କର କିଡନୀ ଫେଲ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ସମସ୍ତ ମୃତ ପିଲାଙ୍କ ବୟସ ଦୁଇରୁ ପାଞ୍ଚ ବର୍ଷ ମଧ୍ୟରେ ଥିଲା। ଅନେକଙ୍କୁ ନାଗପୁର ଏବଂ ଭୋପାଳର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 

ଗାଜାକୁ ଫେରିବ ଶାନ୍ତି ; ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶାନ୍ତି ଯୋଜନା ସ୍ୱାକ୍ଷର

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ, ସେ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇସ୍ରାଏଲ ଏବଂ ହମାସ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ଏବଂ ହମାସ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସ୍ୱାକ୍ଷର କରିଛନ୍ତି। ଟ୍ରମ୍ପ ଏହାକୁ ଗାଜାରେ ଯୁଦ୍ଧ ଶେଷ କରିବା ଦିଗରେ ଏକ ଐତିହାସିକ ଏବଂ ଅଭୂତପୂର୍ବ ଘଟଣା ଭାବରେ ବର୍ଣ୍ଣନା କରିଛନ୍ତି। ଟ୍ରମ୍ପଙ୍କ ଘୋଷଣା ଗାଜାରେ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି କରିଛି। ଲୋକମାନେ ଘରୁ ବାହାରକୁ ଆସି ରାସ୍ତା ଉପରେ ସେମାନଙ୍କର ଆନନ୍ଦ ପ୍ରକାଶ କରୁଛନ୍ତି।

ଏହି ଚୁକ୍ତିନାମା ଗାଜାରେ ଯୁଦ୍ଧ ବନ୍ଦ କରିବା ଏବଂ ବନ୍ଧକ ଏବଂ ବନ୍ଦୀମାନଙ୍କୁ ମୁକ୍ତ କରିବା ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ। ହମାସ ଗାଜା ଚୁକ୍ତିନାମାରେ ରାଜି ହୋଇଛି, ଯାହା ଗୁରୁବାର ଇଜିପ୍ଟରେ ସ୍ୱାକ୍ଷରିତ ହେବ। ଏହି ଚୁକ୍ତିନାମାରେ ମାନବିକ ସହାୟତା ପାଇଁ ଗାଜାରେ ପାଞ୍ଚଟି କ୍ରସିଂ ତୁରନ୍ତ ଖୋଲିବା, ଗାଜା ପ୍ରତ୍ୟାହାର ମାନଚିତ୍ରରେ ପରିବର୍ତ୍ତନ ଏବଂ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ଜୀବିତ ମୁକ୍ତ କରିବା ଅନ୍ତର୍ଭୁକ୍ତ ଅଛି।

ଘୋଷଣା କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, “ମୁଁ ଘୋଷଣା କରି ବହୁତ ଗର୍ବର ସହ କହୁଛି ଯେ ଇସ୍ରାଏଲ ଏବଂ ହମାସ ଉଭୟ ଆମର ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସ୍ୱାକ୍ଷର କରିଛନ୍ତି। ଏହାର ଅର୍ଥ ହେଉଛି ସମସ୍ତ ବନ୍ଧକଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯିବ, ଏବଂ ଇସ୍ରାଏଲ କିଛି ପରିମାଣରେ ତାର ସେନା ପ୍ରତ୍ୟାହାର କରିବ, ଯାହା ଏକ ଦୃଢ଼, ସ୍ଥାୟୀ ଏବଂ ଚିରସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ ହେବ।”

ରାଷ୍ଟ୍ରପତି କହିଛନ୍ତି ଯେ ସମସ୍ତ ପକ୍ଷଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯିବ ଏବଂ ମଧ୍ୟସ୍ଥତା ପ୍ରୟାସ ପାଇଁ କାତାର, ମିଶର ଏବଂ ତୁର୍କୀକୁ ଧନ୍ୟବାଦ ଦେଇଛନ୍ତି। ଟ୍ରମ୍ପ ଲେଖିଛନ୍ତି ଯେ, “ଆରବ ଏବଂ ମୁସଲିମ ରାଷ୍ଟ୍ର, ଇସ୍ରାଏଲ, ତଥା ଆଖପାଖ ରାଷ୍ଟ୍ର ଏବଂ ଆମେରିକା ପାଇଁ ଏହା ଏକ ମହାନ ଦିନ।” 

ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଏହାକୁ ଏକ ମହାନ ଦିନ ବୋଲି କହିଛନ୍ତି

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସୋସିଆଲ ମିଡିଆରେ କହିଛନ୍ତି, “ଇସ୍ରାଏଲ ପାଇଁ ଏକ ମହାନ ଦିନ। ଆସନ୍ତାକାଲି ମୁଁ ସରକାରଙ୍କ ଏହି ଚୁକ୍ତିନାମାକୁ ଅନୁମୋଦନ କରିବା ଏବଂ ଆମର ସମସ୍ତ ବନ୍ଧକଙ୍କୁ ଫେରାଇ ଆଣିବା ପାଇଁ ଆହ୍ୱାନ କରିବି। ମୁଁ IDF ଏବଂ ସମସ୍ତ ସୁରକ୍ଷା ବାହିନୀର ସାହସୀ ସୈନିକମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନଙ୍କ ସାହସ ଏବଂ ବଳିଦାନ ଆମକୁ ଏହି ସ୍ଥାନରେ ପହଞ୍ଚିବାକୁ ଅନୁମତି ଦେଇଛି। ଆମର ବନ୍ଧକମାନଙ୍କୁ ମୁକ୍ତ କରିବାର ତଥା ଏହି ମିଶନରେ ଯୋଗଦାନ ପାଇଁ ମୁଁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ଦଳକୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି।  ପଡ଼ୋଶୀମାନଙ୍କ ସହିତ ଶାନ୍ତି ବିସ୍ତାର କରିବା ଆମର ଲକ୍ଷ୍ୟus-president-donald-trump-said-israel-hamas-agree-first-phase-gaza-peace-plan।”

ଅସ୍ତ୍ର ତ୍ୟାଗ କଲେ ହାର୍ଡକୋର ନକ୍ସଲ ; ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ : ୧୬ ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ୧୬ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ। ମାଓ ସଙ୍ଗଠନ ଦିନକୁ ଦିନ ଦିଗହରା ହେଉଥିବା ବେଳେ ଅନେକ ମାଓବାଦୀ ସଙ୍ଗଠନରୁ ଓହରି ଆତ୍ମସମର୍ପଣ କରିବାର ଲାଗିଛନ୍ତି। ଏହାରି ମଧ୍ୟରେ ମାଓ ସଙ୍ଗଠନ ପକ୍ଷରୁ ଅନେକ ଚିଠି ଜାରି ହୋଇଥିବା ବେଳେ କିଛି ମାଓ ନେତା ମଧ୍ୟ ଚିଠି ଜାରି କରି ବର୍ତ୍ତମାନ ସମୟରେ ଅସ୍ତ୍ର ତ୍ୟାଗ କରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

ମାଓ ସଙ୍ଗଠନର ପିଏଲଜିଏ ମିଲିଟାରୀ କମ୍ପାନୀ ନମ୍ବର ଜଣେ ଡେପୁଟି କମାଣ୍ଡର, ପିଏଲଜିଏ ମିଲିଟାରୀ କମ୍ପାନୀ ନମ୍ବର ୧ର ଜଣେ ସଦସ୍ୟ, ନର୍ଥ ବ୍ୟୁରୋ ଟେକ୍ନିକାଲ୍ ଟିମ୍ ର ସଦସ୍ୟ, ଏସିଏମ୍, ପାର୍ଟି ସଦସ୍ୟ, କୁତୁଲ୍ ମାଓ କମିଟି ସଦସ୍ୟ, ଜନତାନା ସରକାର ଅନେକ ସଦସ୍ୟ ଏବଂ ମିଲିସିଆ ସଦସ୍ୟ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଶପଥ ନେଇ ସେମାନେ ହିଂସା ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ନକ୍ସଲଙ୍କ ନାଁରେ ମୋଟ ୭୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା।

ଆଜିଠୁ ବିଜେଡିର ପଦଯାତ୍ରା, ସୁଆଣ୍ଡୋରୁ ଆରମ୍ଭ ହେବ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ : ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ। ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି। ମହିଳାଙ୍କୁ ପ୍ରତାରଣା ଓ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା। ପଞ୍ଚାୟତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବଂସ କରିବାକୁ ମସୁଧା। ସମସ୍ୟାରେ ଜର୍ଜରିତ ହେଲେଣି ଚାଷୀ, ଯୁବକ ଓ ଛାତ୍ରଛାତ୍ରୀ। ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କୁ ଉପେକ୍ଷା ପରି ଅନେକ ପ୍ରସଙ୍ଗରେ ଛନ୍ଦି ହେଲେଣି ସରକାର । ଏହା ବିରୋଧରେ ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ। ସେହିପରି ନବୀନ ସରକାରଙ୍କ ସମୟର ସଫଳତା ନେଇ ବି ଲୋକଙ୍କ ପାଖକୁ ଯିବ ବିଜେଡି। ଏଥିପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ ପଦଯାତ୍ରା ଆରମ୍ଭ କରିବ ବିଜେଡି। ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଥିବାରୁ ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରୁ ଆରମ୍ଭ ହେବ ପଦଯାତ୍ରା। ପୁରୀ ଭୁବନେଶ୍ବର ବାଏପାସରେ ଥିବା ପଟ୍ଟନାୟକିଆ ଛକରୁ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଏଁ ଚାଲିବ ପଦଯାତ୍ରା। ବିଜେଡିର ସମସ୍ତ ନେତା ଓ କର୍ମୀ ଗାଁକୁ ଗାଁ ବୁଲି ଜନସମ୍ପର୍କକୁ ବ୍ୟାପକ କରିବେ।

ଘନ ଘନ ବିଜୁଳି କାଟ ସହ ସ୍ମାର୍ଟ ମିଟର ସମସ୍ୟା: ବିଭିନ୍ନ ସମସ୍ୟାରେ ସନ୍ତୁଳି ହେଉଛନ୍ତି ଉପଭୋକ୍ତା

ଘନ ଘନ ବିଜୁଳି କାଟ ସହ ସ୍ମାର୍ଟ ମିଟର ତଥା ଅନ୍ୟାନ୍ୟ ସମସ୍ୟା। ସନ୍ତୁଳି ହେଉଛନ୍ତି ଉପଭୋକ୍ତା। ଏବେ ଶକ୍ତି ବିଭାଗର ବଜେଟ ଖର୍ଚ୍ଚ ହୋଇ ନ ପାରିବାକୁ ନେଇ ଜୋର ଧରିଛି ରାଜନୀତି। ବଜେଟର ମୋଟ ୨୬.୩୮ ପ୍ରତିଶତ ଖର୍ଚ୍ଚ ହୋଇଥିବାରୁ ଏହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ। ଖୋଦ ବିଭାଗ ପକ୍ଷରୁ ମଧ୍ୟ ଅର୍ଥ ଖର୍ଚ୍ଚ ପାଇଁ ତାଗିଦ କରାଯାଇଛି। ଏହାକୁ ନେଇ ବିଦ୍ୟୁତ ଉପଭୋକ୍ତା ମହାସଙ୍ଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ହସ୍ତକ୍ଷେପ କରିବାକୁ ଦାବି କରିଛି। ଓଡିଶାରେ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ହେବା ଜରୁରୀ। କିନ୍ତୁ ଏ ଦିଗରେ ସରକାରଙ୍କ ଗୁରୁତ୍ୱ ନାହିଁ ବୋଲି କହିଛି ମହାସଂଘ। ତେଣୁ ତୁରନ୍ତ ହସ୍ତକ୍ଷେପ କରିବା ସହ ବିଜୁଳି ବିଲରେ ଅଧିକ ଆଦାୟ ହେଉଥିବା ଅର୍ଥ ଉପଭୋକ୍ତାଙ୍କୁ ଫେରାଇବାକୁ ଦାବି କରାଯାଇଛି। ସେପଟେ ବିଜେଡି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି।

ସେପଟେ ଆସନ୍ତା ୧୦ରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଜୁଳି ସମସ୍ୟା ସମ୍ପର୍କିତ ଶୁଣାଣି କରିବେ। ଆୟୋଗଙ୍କ ନିକଟରେ ଲକ୍ଷ ଲକ୍ଷ ଅଭିଯୋଗ ପଡିରହିଛି। ଏଭଳି ସ୍ଥିତିରେ ଶକ୍ତି ବିଭାଗର ବଜେଟ ଅର୍ଥ ଖର୍ଚ୍ଚ ହୋଇ ନ ପାରିବା ଶାସନ ଵ୍ୟଵସ୍ଥାରେ ଅଚଳାବସ୍ଥାକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଶକ୍ତି ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ସମାନ ଅବସ୍ଥା। ଏହି ଧରଣର ଜନ ଅସନ୍ତୋଷ ତୀଵ୍ର ହେଉଥିବାବେଳେ ଆଗାମୀ ନୂଆପଡା ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି କହିଛି କଂଗ୍ରେସ। ସେପଟେ ବିଜେପିର ଚିରାଚରିତ ଉତ୍ତର- ସବୁ ଠିକ ଚାଲିଛି। ରାଜ୍ୟରେ ଦେଖା ଦେଇଥିବା ବହୁବିଧ ବିଜୁଳି ବିଭ୍ରାଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସମୀକ୍ଷା କରି ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଓଇଆରସିଙ୍କ ଜନଶୁଣାଣି ବେଳେ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପାଇଁ କଣ ପଦକ୍ଷେପ ନିଆଯାଉଛି ତା ଉପରେ ନଜର ରହିଛି।

କାଲିଠୁ ବିଜେଡି ପଦଯାତ୍ରା: ଘରକୁ ଘର ବୁଲି ସୃଷ୍ଟି କରାଯିବ ସଚେତନତା

ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ। ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି। ମହିଳାଙ୍କୁ ପ୍ରତାରଣା ଓ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା। ପଞ୍ଚାୟତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବଂସ କରିବାକୁ ମସୁଧା। ସମସ୍ୟାରେ ଜର୍ଜରିତ ହେଲେଣି ଚାଷୀ, ଯୁବକ ଓ ଛାତ୍ରଛାତ୍ରୀ। ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କୁ ଉପେକ୍ଷା ପରି ଅନେକ ପ୍ରସଙ୍ଗରେ ଛନ୍ଦି ହେଲେଣି ସରକାର । ଏହା ବିରୋଧରେ ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ। ସେହିପରି ନବୀନ ସରକାରଙ୍କ ସମୟର ସଫଳତା ନେଇ ବି ଲୋକଙ୍କ ପାଖକୁ ଯିବ ବିଜେଡି। ଏଥିପାଇଁ ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବେ ପଦଯାତ୍ରା ଆରମ୍ଭ କରିବ ବିଜେଡି। କାଲି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଥିବାରୁ ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରୁ ଆରମ୍ଭ ହେବ ପଦଯାତ୍ରା। ପୁରୀ ଭୁବନେଶ୍ବର ବାଏପାସରେ ଥିବା ପଟ୍ଟନାୟକିଆ ଛକରୁ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଏଁ ଚାଲିବ ପଦଯାତ୍ରା। ବିଜେଡିର ସମସ୍ତ ନେତା ଓ କର୍ମୀ ଗାଁକୁ ଗାଁ ବୁଲି ଜନସମ୍ପର୍କକୁ ବ୍ୟାପକ କରିବେ।

ଅନ୍ୟପଟେ ଆସନ୍ତାକାଲି କଂଗ୍ରେସ ବି ସରକାରଙ୍କୁ ଘେରିବ। ଭୋଟ ଚୋରି ଓ ଚାକିରି ବିକ୍ରି ବିରୋଧରେ କଂଗ୍ରେସ କରିବ ପ୍ରତିବାଦ ସମାବେଶ। ବିଜେପି ସରକାର ବିରୋଧରେ ଯୁବ କଂଗ୍ରେସ ଦେବ ରଣହୁଙ୍କାର । ଓଡ଼ିଶାରେ ବି ଭୋଟ ଚୋରି ହୋଇଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଛି କଂଗ୍ରେସ। ଏହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ଯୁବ କଂଗ୍ରେସ । ସେହିପରି ଚାକିରି ବିକ୍ରି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଉ କରିବାକୁ ସଜବାଜ ହେଉଛି କଂଗ୍ରେସ। ସେପଟେ ବିରୋଧୀଙ୍କ ପ୍ରତିବାଦର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ବିଜେପି। ସରକାରଙ୍କ ତୃଟିକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ। ଏହାସାଙ୍ଗକୁ ଜନମତ ସୃଷ୍ଟି କରିବାକୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ସହ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ।

ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ଘଟଣାକୁ ବିତିଲା ଦୁଇ ଦିନ, ତଥାପି ପୋଲିସ ହାତ ଖାଲି

ସୋମବାର, କୁମାରପୂର୍ଣ୍ଣମା । କୁମାରପୂର୍ଣ୍ଣିମା ପାଇଁ ସମଗ୍ର ଜିଲ୍ଲା ଉତ୍ସବ ମୁଖର ଥିବା ବେଳେ ରାତି ପାଖାପାଖି ୧୦ଟା ବେଳକୁ ବ୍ରହ୍ମପୁରରେ ଫୁଟିଲା ଗୁଳି । ପୀତବାସ ପଣ୍ଡା, ଜଣେ ଜଣାଶୁଣା କ୍ରିମିନାଲ ଆଡଭୋକେଟ । ଆରଟିଆଇ ଆକ୍ଟିଭିଷ୍ଟ ସହ ଜଣେ ରାଜନେତା। ଗତ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଗୋପାଳପୁର ବିଧାୟକ ତଥା ଖଣମନ୍ତ୍ରୀ ବିଭୂତି ଜେନାଙ୍କ ପାଖ ଲୋକ। ଗିରିରୋଡରେ ଥିବା ନିଜ ଚାମ୍ବରରୁ ବୈକୁଣ୍ଠନଗରରେ ଥିବା ନିଜ ଘରକୁ ଫେରୁଥିଲେ ସ୍କୁଟି ଯୋଗେ । ଘର ଆଉ ୧୦୦ ମିଟର ଦୂର ଥିଲା । ଏତିକି ବେଳେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ପୀତବାସଙ୍କୁ କଲେ ପଏଣ୍ଟ ବ୍ଲାଙ୍କ ଫାୟାରିଂ। ଗୁଳି ମାଡ଼ରେ ସ୍କୁଟିରୁ ତଳକୁ ଗଳି ପଡିଲେ ପୀତବାସ । ଆଉ ଫେରାର ହୋଇଗଲେ ଦୁଇ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ପୀତବାସଙ୍କୁ ସ୍କୁଟି ଯୋଗେ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଘଟଣାସ୍ଥଳରେ ପହଞ୍ଚି ତନାଘନା କଲା ପୋଲିସ। ରାଜନେତା ମଧ୍ୟ ଦୁଃଖ ପ୍ରକାଶ କଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଭଳି ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ। ଆଉ ଆଇନ ଶୃଙ୍ଖଳାକୁ ନେଇ ଉଠିଲା ପ୍ରଶ୍ନ। ମୁଖ୍ୟମନ୍ତ୍ରୀ କହିଲେ, ଅପରାଧୀଙ୍କୁ ଧରାଯିବ ଓ ଉଚିତ ଶାସ୍ତୀ ଦିଆଯିବ । ଏହାକୁ ଏକ ସୁପାରି କିଲିଂ ବୋଲି କେହି କେହି ଅନୁଭବ କରୁଛନ୍ତି । ତେଣୁ ଏ ଦିଗରେ ପୋଲିସ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି। ହେଲେ ଦୁଇ ଦିନ ପରେ ମଧ୍ୟ ପୋଲିସକୁ କୌଣସି ସୁରାକ ମିଳୁନି।

ଏବେ ପ୍ରଶ୍ନ ଉଠୁଛି, ପୀତବାସଙ୍କୁ ହତ୍ୟା ପଛର ସମ୍ଭାବ୍ୟ କାରଣ କଣ ହୋଇପାରେ । ପୀତବାସ ଜଣେ କ୍ରିମିନାଲ ଓକିଲ ଥିଲେ । ଏବେ ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ଆଶାୟୀ ପ୍ରାର୍ଥୀଙ୍କ ସମ୍ପର୍କରେ ଯୁକ୍ତି କରୁଥିଲେ । ସମ୍ଭବତଃ ଆଶାୟୀଙ୍କ ପକ୍ଷରୁ ଆଦାଲତରେ ମାମଲା ଲଢିଥାନ୍ତେ । ସେହିଭଳି ବହୁ ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ଥିଲେ ପୀତବାସ । କେବଳ ଏହି ଦୁଇଟି ଘଟଣା ନୁହେଁ, ବହୁ ଅପରାଧ ମାମଲାର ଓକିଲ ଥିଲେ ପୀତବାସ । ତେଣୁ ହତ୍ୟାକାଣ୍ଡ ପଛରେ ରହିଛି କି ବୃତ୍ତିଗତ କାରଣ ? ଆଜି ବ୍ରହ୍ମପୁର ଏସପି ପୀତବାସଙ୍କ ଚାମ୍ବରରେ ପହଞ୍ଚି ତଥ୍ୟ ପ୍ରମାଣ ଓ ସୁରାକ ଖୋଜିବାକୁ ଉଦ୍ୟମ କରିଛନ୍ତି । ହତ୍ୟାକାଣ୍ଡ ପୂର୍ବରୁ ପୀତବାସଙ୍କ ସହ କିଏ କିଏ କଥା ହୋଇଥିଲେ, ତାହା ଜାଣିବା ପାଇଁ କଲ ରେକର୍ଡ ମଧ୍ୟ ଯାଞ୍ଚ କରାଯାଇଛି । ହତ୍ୟାକାଣ୍ଡର ଅଳ୍ପ ସମୟ ପୂର୍ବରୁ ପୀତବାସ ସୋସିଆଲ ମିଡିଆରେ ଆକ୍ଟିଭ ଥିଲେ । ସେସବୁକୁ ମଧ୍ୟ ପୋଲିସ ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଏହାରି ଭିତରେ ୬ଟି ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଛି ପୋଲିସ। ଏହାସହ ହତ୍ୟାକାରୀ ଧଳା ଶାର୍ଟ ପିନ୍ଧିଥିଲା ବୋଲି ସୂଚନା ଦେଇଛି ପୋଲିସ।

ଓକିଲାତି ସାଙ୍ଗକୁ ଜଣେ ଆରଟିଆଇ ଆକ୍ଟିଭିଷ୍ଟ ଭଳି କାମ କରୁଥିଲେ ପୀତବାସ । ବିଭିନ୍ନ ପ୍ରସଙ୍ଗରେ ସୂଚନା ସଂଗ୍ରହ କରୁଥିଲେ । ଫଳରେ ପ୍ରତିପକ୍ଷ ଅସୁବିଧାରେ ପଡୁଥିଲେ । ଏହା ମଧ୍ୟ ହତ୍ୟାକାଣ୍ଡ ପଛର କାରଣ ହୋଇପାରେ । ରାଜନେତା ହିସାବରେ ମଧ୍ୟ ରାଜନୈତିକ ଶତ୍ରୁତା ନିଶ୍ଚୟ ରହିଥିବ । ବିଶେଷ କରି ୨୦୨୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ, ଏହି ଶତ୍ରୁତା ଆହୁରି ବୃଦ୍ଧି ପାଇ ଥିାଇପାରେ । ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ଅତି ପାଖ ଲୋକ ଥିଲେ ପୀତବାସ। ଫଳରେ ବିଜେପି ଭିତରେ ତାଙ୍କ ପ୍ରତି କେହି ଅସହିଷ୍ଣୁ ମଧ୍ୟ ହୋଇଥାଇପାରିନ୍ତି । ମନ୍ତ୍ରୀଙ୍କ ପାଖ ଲୋକ ହିସାବରେ ଜିଲ୍ଲାର ବାଲି, ପଥର ଆଦି ଲଘୁ ଖଣିଜ ଦ୍ରବ୍ୟର ଟେଣ୍ଡର ଆଦିରେ ମଧ୍ୟ ପୀତବାସଙ୍କ ଭୂମିକା ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଲଘୁ ଖଣିଜ କାରବାର ସବୁବେଳେ ବିବାଦୀୟ ଓ ସ୍ପର୍ଶକାତର ପ୍ରସଙ୍ଗ । ଏହା ମଧ୍ୟ ହତ୍ୟାକାଣ୍ଡର କାରଣ ହୋଇଥାଇପାରେ । ସେହିଭଳି ଜମିଜମା ବିବାଦ ମଧ୍ୟ ପୀତବାସଙ୍କ ହତ୍ୟାର ଅନ୍ୟତମ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଗୋଟିଗୋଟି ହିସାବ କଲେ ଅସଂଖ୍ୟ ସମ୍ଭାବ୍ୟ କାରଣ ସାମ୍ନାକୁ ଆସିବା ସ୍ବାଭାବିକ । କିନ୍ତୁ ଏହି ସବୁ ସମ୍ଭାବ୍ୟ କାରଣ ଭିତରୁ ପ୍ରକୃତ କାରଣ ଖୋଜିବା ପୋଲିସ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ।

ଭୁଶୁଡି ପଡିଛି ଆଇନଶୃଙ୍ଖଳା: ସନ୍ଧ୍ୟାରେ ଫୁଟୁଛି ଗୁଳି, ଦିନରେ ବୁଲୁଛି ଖଣ୍ଡା

ଭୁଶୁଡି ପଡିଛି ଆଇନଶୃଙ୍ଖଳା। ସନ୍ଧ୍ୟାରେ ଫୁଟୁଛି ଗୁଳି, ଦିନରେ ବୁଲୁଛି ଖଣ୍ଡା । ବ୍ରହ୍ମପୁରରୁ ଭୁବନେଶ୍ବର । ପୁରୀରୁ କଟକ, ସବୁଠି ଭୟର ବାତାବରଣ । ବସରେ ସାଧାରଣ ଲୋକ ହୁଅନ୍ତୁ କି ଘର ପାଖରେ ଶାସକ ଦଳ ନେତା । କେହି ବି ସୁରକ୍ଷିତ ନୁହନ୍ତି । ହତ୍ୟା, ଚୋରି, ମାରପିଟ, ଗଣ୍ଡଗୋଳ ଯେମିତି ଦେହସୁହା ହୋଇପଡିଛି । ପୋଲିସ ନେତାଙ୍କ ହାତବାରିସୀ ସାଜିଥିବାରୁ ରାଜ୍ୟରେ ହୁହୁ ହୋଇ ଅପରାଧ ବଢୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ଓଡିଶାର ଆଇନ ଶୃଙ୍ଖଳା ଉଦବେଗଜନକ । ସରକାର ଏବେଠାରୁ ଯଦି ନଚେତିବେ ତେବେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଅପରାଧୀମାନେ ସ୍ବାଧୀନ ଭାବେ ଅପରାଧ ଘଟାଉଛନ୍ତି । ଅପରାଧ କରି ଜେଲରୁ କଏଦୀ ଖସି ପଳାଉଛନ୍ତି । ରାଜ୍ୟରେ ଶାସକ ଓ ଆଇନ ଶୃଙ୍ଖଳା କେଉଁ ସ୍ଥିତିରେ ଅଛି ତାହା ସହଜରେ ଅନୁମାନ କରିହେଉଛି ବୋଲି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି । କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ପୋଲିସ ଅପରାଧ ନିୟନ୍ତ୍ରଣ କରିବା ପରିବର୍ତ୍ତେ ନେତାଙ୍କ ହାତବାରିସୀ ସାଜିଛି । ପୋଲିସ ବିଭାଗ ପ୍ରତି ଶାସକ ଦଳ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ଅଣାୟତ୍ତ ହୋଇପଡିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଆଇନଶୃଙ୍ଖଳା ଆଉ ନଥିବାବେଳେ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢିଛି । ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି ଲୋକେ ଘରେ ଶୋଉଥିବାବେଳେ ବି ଚୋରି ହେଉଛି । ତାହାର ଅର୍ଥ ନୁହେଁ ଯେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ସୀମା ଟପିଲାଣି ଅରାଜକତା । ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ଏହାକୁ ନେଇ ରାଜ୍ୟ ସରକାର ବ୍ଯକଫୁଟରେ । ରାଜ୍ୟ ସରକାର କିଛି ଦୃଢ ପଦକ୍ଷେପ ନେବେ ନା ନିଜକୁ କେବଳ ସାବାସୀ ଦେଉଥିବେ ।

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଗଠନ କଲା କମିଟି

୬ ଜଣ ବରିଷ୍ଠ ନେତାଙ୍କୁ ନେଇ ଗଠନ ହେଲା ଷ୍ଟିଅରିଂ କମିଟି। କମିଟି ଗଠନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କମିଟିରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ନିରଞ୍ଜନ ବିଶି ଓ ପୂର୍ବତନ ବିଧାୟକ ଆୟୁବ ଖାଁ ସଦସ୍ୟ ଅଛନ୍ତି। ଜୋନାଲ କମିଟିରେ ରହିଛନ୍ତି ୧୦ ବରିଷ୍ଠ ନେତା । ୪ ନେତାଙ୍କୁ ୨ ଏନଏସି ଦାୟିତ୍ବ ଦିଆଯାଇଛି। ନୂଆପଡ଼ା ଏନଏସି ଲାଗି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ସାରଦା ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବାବେଳେ ଖରିଆର ଏନଏସି ଲାଗି ପୂର୍ବତନ ବିଧାୟକ ରୋହିତ ପୂଜାରୀ ଓ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଛି। ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଜୋନ ଦାୟିତ୍ବ ଦିଆଯାଇଛି। ପୂର୍ବତନ ବିଧାୟକ ସରୋଜ ମେହେର ଓ ବିଧାୟକ ମନୋହର ରନ୍ଧାରୀଙ୍କୁ ଜୋନ ଦାୟିତ୍ବ ଦିଆଯାଇଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିିଧାୟକ ଯୋଗେଶ ସିଂହଙ୍କୁ ଜୋନ ଦାୟିତ୍ବ ଦିଆଯାଇଛି। ସେହିପରି ଲୋକାଲ ଆକ୍ସନ କମିଟିରେ ୩ ବରିଷ୍ଠ ନେତା ରହିଛନ୍ତି। ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସଭାପତି ଅବନୀ ଯୋଶୀ ଓ ମନୋଜ ମିଶ୍ର ଲୋକାଲ ଆକ୍ସନ କମିଟି ସଦସ୍ୟ ରହିଛନ୍ତି।