spot_img
Home Blog Page 3127

ସ୍ତ୍ରୀକୁ କୋଡିରେ ପିଟିପିଟି ମାରିଲା ସ୍ବାମୀ, ପୋଲିସକୁ ଖବର ଦେଲେ ଶ୍ବଶୂର

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । କୋଡିରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି ନୃଶଂସ ସ୍ୱାମୀ । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ସ୍ତ୍ରୀ କନକ ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା । ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଏଥିରେ ଉତକ୍ଷିପ୍ତ ହୋଇ କୋଡ଼ିରେ ପିଟିପିଟି ବୀଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଛି । ଗତକାଲି ରାତିରେ ଏହି ଘଟଣା ହୋଇଥିବା ବେଳେ ହତ୍ୟାକାରୀର ବାପା ରତ୍ନାକର ପ୍ରଧାନ ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି, ପୋଲିଂ ଏଜେଣ୍ଟ ମୃତ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଲେ ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ । ସେହିପରି ମୁଶିଦାବାଦ ଜିଲ୍ଲା ଡୋମକଳର ୮ ନମ୍ବର ବୁଥରେ ଦୁଇ ଜଣ ଟିଏମସି କର୍ମୀ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ କେନ୍ଦ୍ରୀୟ ବାହିନୀ ଯବାନ । ସେପଟେ ସିତାଇ ବିଧାନସଭାର ଦିନହାଟରେ ବାଲଟ ବାକ୍ସ ପୋଡ଼ିଦେଲେ ଦୁର୍ବୃତ୍ତ ।

ପଶ୍ଚିମବଙ୍ଗରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଭୋଟ ଦେଉଛନ୍ତି ୫ କୋଟି ଭୋଟର

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଭୋଟ ଦେଉଛନ୍ତି ୫ କୋଟି ୬୭ ଲକ୍ଷରୁ ଅଧିକ ଭୋଟର । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହା ଅଗ୍ନିପରୀକ୍ଷା ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ।

୨୨ ଜିଲ୍ଲାର ୯୨୮ଟି ଜିଲ୍ଲା ପରିଷଦ ଆସନ, ୯ ହଜାର ୭୩୦ ପଞ୍ଚାୟତ ସମିତି ଏବଂ ୬୩ ହଜାର ୨୨୯ ଗ୍ରାମ ପଞ୍ଚାୟତ ପାଇଁ ଭୋଟ ଦେଉଛନ୍ତି ଜନତା । ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବ ଫଳାଫଳ । ହିଂସାକାଣ୍ଡକୁ ନଜରରେ ରଖି କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ପ୍ରତି ବୁଥରେ ୪ ଜଣ କରି କେନ୍ଦ୍ରୀୟ ବାହିନୀ ଯବାନଙ୍କ ସହ ପଶ୍ଚିମବଙ୍ଗ ପୋଲିସ ମୃତୟନ ରହିଛନ୍ତି । ଅନ୍ୟପଟେ ନିର୍ବାଚନ ଘୋଷଣା ହେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୯ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ବିଷ ଦେଇ ମାରିଦେବାକୁ ଧମକ, ଭୟରେ ସ୍କୁଲ ଯାଉ ନାହାନ୍ତି ପିଲା

ନୟାଗଡ଼: ଖାଦ୍ୟରେ ବିଷଦେଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାରିଦେବାକୁ ଧମକ୍ । ମହିଳା ରୋଷେୟା ଭଗବତୀ ଯାନୀଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକମାନେ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା କନେଡି ଗାଁରୁ ଆସିଛି ଏଭଳି ଅଭିଯୋଗ ।

ଦୁଡା ଓ କନେଡି ଗାଁ ମଧ୍ୟରେ କେନ୍ଦୁପତ୍ରକୁ ନେଇ ବହୁଦିନ ଧରି ବିବାଦ ଚାଲିଥିଲା । କନେଡି ଗାଁର ଛାତ୍ରଛାତ୍ରୀମାନେ ଦୁଡା ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥାନ୍ତି । ଗାଁ ବିବାଦକୁ କେନ୍ଦ୍ରକରି ଦୁଡା ବିଦ୍ୟାଳୟର ମହିଳା ରୋଷେୟା ଭଗବତୀ ଜାନୀ ଗାଁର ଛାତ୍ରଛାତ୍ରୀଙ୍କୁ ଖାଦ୍ୟରେ ବିଷଦେଇ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଫଳରେ କନେଡି ଗାଁର ପ୍ରାୟ ୨୭ ଜଣ ଛାତ୍ରଛାତ୍ରୀ ଭୟରେ ୧୩ ଦିନ ହେଲା ବିଦ୍ୟାଳୟକୁ ଯାଉନାହାନ୍ତି । ମହିଳା ରୋଷେୟା ଜଣକ ବାରମ୍ବାର ଏଭଳି ଧମକ ଦେବା ଫଳରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବିଦ୍ୟାଳୟ ପରିଚାଳନା କମିଟିକୁ ଅବଗତ କରାଇଛନ୍ତି ।

ଏ ବିଷୟରେ ମହିଳା ରୋଷେୟାଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି । ଯଦି ବିଦ୍ୟାଳୟ ପରିଚାଳନା କମିଟି ଏହି ସମସ୍ୟାର ସମାଧାନ ନକରନ୍ତି ତେବେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ରାଜପଥ ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି  । ଖୁବଶୀଘ୍ର ତଦନ୍ତ କରାଯାଇ ଘଟଣାର ସତ୍ୟତା ବାହାର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସାଲା ।

ଅଟୋ, କାର ଓ ବାଇକ୍ ମଧ୍ୟରେ ସିରିଜ ଦୁର୍ଘଟଣା, ୧୦ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ-ବାଲିଆପାଳ ପେଜଗଳା ନିକଟରେ ସିରିଜ ଦୁର୍ଘଟଣା । ୧୦ ଆହତ ମେଡିକାଲରେ ଭର୍ତ୍ତି । ୪ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଟୋ, କାର ଓ ବାଇକ୍ ସିରିଜ ଦୁର୍ଘଟଣା ହେବା ପରେ ଅଟୋଟି  ରାସ୍ତା ତଳକୁ ଚାଲିଯାଇଥିଲା । କାରଟି ରାସ୍ତା କଡରେ ପିଟି ହୋଇ ରହିଯାଇଛି । ଘଟଣାସ୍ଥଳରୁ ସମସ୍ତ ଆହାତଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ପରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବସ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅପହରଣ ନୁହେଁ, ନିଜ ଇଚ୍ଛାରେ ସ୍କୁଲରୁ ଯାଇଥିଲେ ଦୁଇ ଛାତ୍ର

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦକା ଅଞ୍ଚଳରୁ ଦୁଇ ନାବାଳକ ଅପହରଣ ମାମଲା । ସାମ୍ନାକୁ ଆସିଲା ଅପହରଣର ପ୍ରକୃତ ସତ । ଅପହରଣ ନୁହେଁ, ନିଜ ଇଚ୍ଛାରେ ସ୍କୁଲରୁ ଯାଇଥିଲେ ଦୁଇ ଛାତ୍ର । ଅପହରଣ କାହାଣୀର ସତ ସାମ୍ନାକୁ ଆଣିଲେ ଚନ୍ଦକା ଥାନା ପୋଲିସ । ଗତ ତିନିଦିନ ତଳେ ଚନ୍ଦକାର ଏକ ଘରୋଇ ସ୍କୁଲରୁ ନିଖୋଜ ହୋଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କ ସତ ଧରିଛି ସିସିଟିଭି । ଦୁଇ ଜଣ ଅଟୋରୁ ଓହ୍ଲାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା  । ହେଲେ ଦୁଇଜଣ ନାବାଳକଙ୍କୁ କିଡନାପ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

କିଏ କହୁଥିଲା ଗୁଣି ଗାରେଡ଼ି ସନ୍ଦେହ ତ ଆଉ କିଏ କହୁଥିଲା ଆନ୍ତଃରାଜ୍ୟ ପିଲା ଚୋର ଗ୍ୟାଙ୍ଗ ତାଙ୍କୁ ଅପହରଣ କରିନେଇଛି। କିନ୍ତୁ ଭରତପୁର ଛକ ଏବଂ ଫାୟାର ଷ୍ଟେସନ୍ ଛକରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଦୃଶ୍ୟ କଏଦ ହେବା ପରେ ଦୁଇ ନାବାଳକଙ୍କୁ ଅପହରଣ ନୁହେଁ ବୋଲି ସ୍ପଷ୍ଟ କରିଛି ଚନ୍ଦକା ଥାନା ପୋଲିସ ।

ଟ୍ରେନ୍ ଲାଇନକୁ ମାଡ଼ିଗଲା ଘରୋଇ ବସ୍

ସମ୍ବଲପୁର: ସମ୍ବଲପୁର କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ଦୁର୍ଘଟଣା । ଲକ୍ଷ୍ମୀ ଡୁଙ୍ଗୁରୀରେ ଘରୋଇ ବସ୍ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ରେଳ ଲାଇନ ନିକଟକୁ ମାଡ଼ିଗଲା ଯାତ୍ରୀବାହୀ ବସ । ସୌଭାଗ୍ୟ ବଶତଃ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଖବର ପାଇ ସଙ୍ଗେ ସଙ୍ଗେ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ରେଳ ଲାଇନ ନିକଟରୁ କଢ଼ାଯାଇଛି । କିଛି ସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଉଦ୍ଧାର କାର୍ଯ୍ୟ ପରେ ଏବେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ ।

ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କର ୫୨ କୋଟି ଟଙ୍କାର ସମ୍ପତ୍ତି ସିଜ୍‌

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କର ୫୨ କୋଟି ଟଙ୍କାର ସମ୍ପତ୍ତି ସିଜ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆକୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜାମିନ ଦେବାକୁ ମନା କରିଦେଇଥିଲେ ।

ଏହି ଅପରାଧ ଗୁରୁତର ବୋଲି କୋର୍ଟ ଦର୍ଶାଇଛନ୍ତି । ୧୧ ଲକ୍ଷ ଟଙ୍କା ଥିବା ମନୀଷ ସିସୋଦିଆଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ କରାଯାଇଛି ।  ମନୀଷ ସିସୋଦିଆ ଏବଂ ତାଙ୍କ ପତ୍ନୀଙ୍କ ସହ ଜଡ଼ିତ ଦୁଇଟି ସମ୍ପତ୍ତି ସହ ଅନ୍ୟତମ ଅଭିଯୁକ୍ତ ରାଜେଶ ଯୋଶୀ, ଗୌତମ ମଲହୋତ୍ରାଙ୍କ ସମ୍ପତ୍ତି ମଧ୍ୟ ଆଟାଚ କରାଯାଇଛି । ମଦ ଦୁର୍ନୀତି ମାମଲାରେ ସିବିଆଇ ଓ ଇଡି ବାରମ୍ବାର ପଚରାଉଚରା କରିବା ପରେ ଦିଲ୍ଲୀ ଏକ୍ସାଇଜ୍‌ ପଲିସି ମାମଲାରେ ମନୀଷ ସିସୋଦିଆଙ୍କୁ ଫେବୃଆରୀରେ ଗିରଫ କରାଯାଇଥିଲା । ଏପଟେ ଆମ ଆଦମୀ ପାର୍ଟି ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛି  । ସିବିଆଇ ଯେଉଁ ସମ୍ପତ୍ତି ଆଟାଚ କରିଛି ତାହା ଦିଲ୍ଲୀ ମଦ ନୀତି ଆସିବା ପୂର୍ବରୁ ମନିଷ କିଣି ଥିଲେ ବୋଲି କହିଛି ଆମ ଆଦମୀ ପାର୍ଟି ।

ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା, ସାମାନ୍ୟ ଭିଜିବ ଉପକୂଳ

ଭୁବନେଶ୍ବର: ଆଜି ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା । ସାମାନ୍ୟ ଭିଜିବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା । ରାଜ୍ୟରେ ସକ୍ରିୟ ରହିଛି ନିମ୍ନ ମୌସୁମୀ ଚାପରେଖା । ରାଜସ୍ଥାନରୁ ବାହାରି ବାଲେଶ୍ବର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି ପାଞ୍ଚଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ରାୟଗଡା ଏବଂ କନ୍ଧମାଳରେ ୭୦ ରୁ ୧୧୦ ମିଲିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ଆସନ୍ତାକାଲି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ।

ବାହାନଗା ଟ୍ରେନ୍ ଟ୍ରାଜେଡି, ୫ ଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର: ୫ ଦିନିଆ ରିମାଣ୍ଡରେ ଗଲେ ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ତିନି ଅଭିଯୁକ୍ତ । ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ବର ସ୍ପେଶାଲ ସିବିଆଇ କୋର୍ଟ । କ୍ୟାପିଟାଲ ହସ୍ପିଟାଲରେ ତିନି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା । ରିମାଣ୍ଡ ଶେଷ ପରେ ୧୧ ତାରିଖରେ ପୁଣି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ଦୁର୍ଘଟଣାର ଠିକ୍ ୩୫ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ସିଆରପିସି ୩୦୪ ଓ ୨୦୧ ଧାରାରେ ସେମାନଙ୍କୁ ଗିରଫ କରାଯାଇଛି । ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହ ପ୍ରଥମ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି ।

ସିଗନାଲିଂ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିପାରେ ବୋଲି ତିନି ଅଭିଯୁକ୍ତ ପୂର୍ବରୁ ଜାଣିଥିଲେ । ତଥାପି ଏହାର ଠିକ୍ ପରିଚାଳନା ନେଇ ଦାୟିତ୍ବବାନ ନଥିଲେ । ଜୁନ ୨ରେ ସଂଧ୍ୟା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାରେ ଦୁର୍ଘଟଣା ଗସ୍ତ ହୋଇଥିଲା । ସିଗନାଲିଂ ଭୁଲ ଥିବାରୁ ଏକ ମାଲଗାଡିକୁ ଧକ୍କା ଦେଇଥିଲା ଟ୍ରେନ୍ । ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶର ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା । ଏଭଳି ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ରେଳମନ୍ତ୍ରାଳୟ ସୁପାରିସ କରିଥିଲା । ତାପରଠାରୁ ସିବିଆଇ ବାହାନଗା ଆସିବା ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିଲା ।