spot_img
Home Blog Page 315

ପାକିସ୍ତାନ ପାଇଁ କାମ କରୁଥିବା ଗୁପ୍ତଚର ରାଜସ୍ଥାନର ଜୈସଲମରରୁ ଗିରଫ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ପାଇଁ କାମ କରୁଥିବା ଜଣେ ଗୁପ୍ତଚରକୁ ରାଜସ୍ଥାନ ଜୈସଲମରରୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁହେଲେ ମହେନ୍ଦ୍ର ପ୍ରସାଦ। ସେ DRDO ଗେଷ୍ଟ ହାଉସ୍ ରେ ମ୍ୟାନେଜର ଥିଲା। ଟଙ୍କା ଲୋଭରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI କୁ ସେ ଦେଶର ଗୁପ୍ତ ଓ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଥିବାର ଅଭିଯୋଗ ଥିଲା। ତା ଉପରେ ବହୁ ଦିନରୁ ନଜର ରଖିଥିଲା ପୋଲିସ। ପକ୍କା ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି। ରିମାଣ୍ଡରେ ନେଇ ଅଭିଯୁକ୍ତକୁ ଅଧିକ ଜେରା କରିବ ରାଜସ୍ଥାନ ପୋଲିସ। କେଉଁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସେ ପ୍ରଦାନ କରିଥିଲା, କେଉଁ କେଉଁ ଅଧିକାରୀଙ୍କ ସହିତ ସଂପର୍କରେ ଥିଲା, ଏହି ତଥ୍ୟ ଓଗାଳିବ ପୋଲିସ। ମହେନ୍ଦ୍ର ପ୍ରସାଦର ପ୍ରକୃତ ଘର ହେଉଛି ଉତ୍ତରାଖଣ୍ଡର ଅଲମୋଡ଼ା। ସୋସିଆଲ ମିଡିଆ ଜରିଆରେ ସେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ସହିତ ସଂପର୍କରେ ଥିଲା। ଚନ୍ଦନ ଫିଲଡ ଫାୟାରିଂ ରେଞ୍ଜକୁ କେଉଁ ଅଧିକାରୀମାନେ ଆସୁଛନ୍ତି, କେଉଁ ବୈଜ୍ଞାନିକମାନେ ଆସୁଛନ୍ତି, ମହେନ୍ଦ୍ର ତାର ତଥ୍ୟ ପ୍ରଦାନ କରିଥିବାର ସୂଚନା ମିଳିଛି। ଜୈସଲମରରେ ସେନାର ଅନେକ  ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପରୀକ୍ଷା ନିରୀକ୍ଷା ହୋଇଥାଏ।

ପୁରୀରୁ କୋଟପାଡ ଯାଉଥିବା ବେଳେ ଓଲଟିଲା OSRTC ବସ୍

ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଆଖୁସିଙ୍ଗ ନିକଟରେ ଓଲଟିଲା OSRTC ବସ୍ । ପୁରୀରୁ କୋଟପାଡ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ ଜମିକୁ ଓଲଟି ପଡିଛି । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ୧୦ ଜଣ ସାମାନ୍ୟ ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି | ଭୋର ୩ଟା ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପଦ୍ମପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଗାଡି ଚାଳକକୁ  ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା। ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ । ସୁନ୍ଦରଗଡ଼ ଟାଉନ ଥାନା  ହରିଓଁ କଲୋନୀରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ କହଳକୁ ନେଇ ଗତକାଲି ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।  ଝଗଡା ପରେ ସ୍ବାମୀ ଧ୍ରୁବ କେରକେଟାକୁ ତଣ୍ଟି ଚିପି ହତ୍ୟା କରିଛି ସ୍ତ୍ରୀ । ନିଜେ ମେଡିକାଲ ଯାଇ ଘଟଣାକୁ ଅନ୍ୟମୋଡ଼ ଦେବା ପାଇଁ ଯୋଜନା କରିଥିଲା ସ୍ତ୍ରୀ । ସନ୍ଦେହ ବଢ଼ିବାରୁ ପୋଲିସକୁ ଖବର ଦେଇଥିଲେ ମେଡିକାଲ କର୍ମଚାରୀ । ହତ୍ୟାକରୀ ସ୍ତ୍ରୀ ଉର୍ମିଳା କେରକେଟାକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ଶ୍ରୀମନ୍ଦିର ପରିକ୍ରମା ପରିସରରେ ଧମକପୂର୍ଣ୍ଣ ଲେଖା

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଧମକପୂର୍ଣ୍ଣ ଲେଖା। ପରିକ୍ରମା ମାର୍ଗ କାନ୍ଥରେ ଲେଖା ଯାଇଛି ଏହି ଧମକପୂର୍ଣ୍ଣ କଥା। ଲେଖାଯାଇଛି – ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ପରିକ୍ରମା ମାର୍ଗରେ ଏହା ଦେଖିବାକୁ ମିଳିଛି। ବାଲିସାହି ପ୍ରବେଶ ପଥର ଠିକ୍ ଡାହାଣ ପଟେ ଥିବା ବୁଢ଼ୀ ମା’ ଠାକୁରାଣୀଙ୍କ କାନ୍ଥରେ ଦୁଇଟି ସ୍ଥାନରେ ଏହା ଲେଖାଯାଇଛି। ଗୋଟିଏ ପାର୍ଶ୍ବରେ ଅଛି ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ। କିଛି ଫୋନ ନମ୍ଵର ବି ଲେଖାଯାଇଛି। ତା ପାଖରେ ଲେଖାଯାଇଛି – ଫୋନ କର, ନ କଲେ ପୁରୀ ରହିବ, କୁଳ ବୁଡ଼ିବ, ଆତଙ୍କବାଦୀ ଇତ୍ୟାଦି ଲେଖାଯାଇଛି। ସେହିପରି ଅନ୍ୟ ପାର୍ଶ୍ଵରେ ପୁଲିସ ନାଁ ସହ ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ବୋଲି ଲେଖା ଯାଇଛି।   କଡ଼ା ସୁରକ୍ଷା ସତ୍ତ୍ଵେ କିଏ ଏପରି ଲେଖିଛି, ତାକୁ ନେଇ ପ୍ରଶ୍ନ ଉଠିଛି।

ପୁଣି ପାତ୍ରପଡା ଓଭରବ୍ରିଜ ଉପରେ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ପୁଣି ପାତ୍ରପଡା ଓଭରବ୍ରିଜ ଉପରେ ଦୁର୍ଘଟଣା । ବାଇକ ଆରୋହୀଙ୍କୁ ପିଟିଲା ଟ୍ରକ। ବାଇକ ଆରୋହୀ ଗୁରୁତର । ଟ୍ରକ୍ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଲା ଡ୍ରାଇଭର । ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଘଟିଛି ଦୁର୍ଘଟଣା। ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଠିକ ସେହି ସ୍ଥାନରେ ଗତ ଶନିବାର ରାତିରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଯାଇଥିଲା ମା’ ଓ ୮ ବର୍ଷୟା କୁନି ଝିଅର ଜୀବନ । ସେପଟେ ଗାଡିଟିକୁ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ ।

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ଇଡି ନୋଟିସ୍, ଆଜି ହେବେ ହାଜର

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କୁ ଇଡିର ନୋଟିସ । ଏକ ବେଟିଂ ଆପ୍ ମାମଲାରେ ସମନ ଜାରି କରିଛି । ଆଜି ଇଡିରେ ହାଜର ହେବାକୁ ନୋଟିସ କରାଯାଇଛି । କେନ୍ଦ୍ର ତଦନ୍ତକାରୀ ସଂସ୍ଥା ବେଟିଂ ଆପ୍‌ 1xBet ମାମଲାରେ ତାଙ୍କର ବୟାନ ରେକର୍ଡ କରିବ। ବେଆଇନ ବେଟିଂ ଆପ୍ ସହ ତାଙ୍କର ସମ୍ପୃକ୍ତି ଅଭିଯୋଗରେ ED ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଛି । ବେଆଇନ 1X ବେଟିଂ ଆପ୍ ର ବ୍ରାଣ୍ଡ୍ ଆମ୍ବାସାଡାର୍ ଅଛନ୍ତି ରାଇନା । ସେପଟେ ଚର୍ଚ୍ଚିତ ଖେଳାଳି ରାଇନାଙ୍କ ବିରୋଧରେ ଏପରି ନୋଟିସକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ ପ୍ରେମୀ ।  ରାଇନାଙ୍କ ସମେତ ଅନେକ ଚର୍ଚ୍ଚିତ ଅଭିନେତା ଓ ଷ୍ଟାର୍ ଖେଳାଳି ମଧ୍ୟ ଏହି ବେଟିଂ ଆପ୍ ମାମଲା ଜଡ଼ିତ ଥିବା ED ଜାଣିବାକୁ ପାଇଛି ।

 

ଦୀର୍ଘ ୪ ବର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଆରମ୍ଭ ହେବ ବିମାନ ସେବା

ନନ୍ଦିଘୋଷ ବ୍ୟୁରୋ: ଭାରତ-ଚୀନ୍ ମଧ୍ୟରେ ପୁଣି ଆରମ୍ଭ ହେବ ବିମାନ ସେବା। ଦୀର୍ଘ ୪ ବର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୀନ ଗସ୍ତ ପୂର୍ବରୁ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ବିମାନ ସେବା ଆରମ୍ଭ ହେବା ପରେ ଉଭୟ ଦେଶର ଲକ୍ଷ ଲକ୍ଷ ଛାତ୍ର, ବ୍ୟବସାୟୀ ଏବଂ ପର୍ଯ୍ୟଟକ ଉପକୃତ ହେବେ। ଭାରତ-ଚୀନ ମଧ୍ୟରେ ସିଧା ବିମାନ ଉଡ଼ାଣ ଆସନ୍ତା ମାସରୁ ପୁଣି ଥରେ ଆରମ୍ଭ ହୋଇପାରେ।୨୦୨୦ ପ୍ରାରମ୍ଭରେ ଭାରତ ଏବଂ ଚୀନ୍ ମଧ୍ୟରେ ସମସ୍ତ ସିଧାସଳଖ ବାଣିଜ୍ୟିକ ବିମାନ ସେବା ବନ୍ଦ କରିଦିଆଯାଇଥିଲା। ଏହାର କିଛି ମାସ ପରେ ୨୦୨୦ ଜୁନ୍ ମାସରେ ଲଦାଖର ଗଲୱାନ୍ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ  ହିଂସାତ୍ମକ ସଂଘର୍ଷ ହୋଇଥିଲା। ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୂରେଇବାରେ ଲାଗିଥିଲା।

ବିମାନ ଚଳାଚଳ ବନ୍ଦ କରାଯାଇଥିଲା। ସିଧାସଳଖ ବିମାନର ଅଭାବ ଯୋଗୁଁ ଚୀନ ଯାଉଥିବା ଲୋକଙ୍କୁ ହଂକଂ, ସିଙ୍ଗାପୁର କିମ୍ବା ବ୍ୟାଙ୍କକ ଭଳି ସହର ଦେଇ ଯିବାକୁ ପଡ଼ୁଥିଲା। ଏହି ପରିବହନ ଯୋଗୁଁ ୬ରୁ ୭ ଘଣ୍ଟାର ଯାତ୍ରାକୁ ୧୫ରୁ ୨୦ ଘଣ୍ଟା ଲାଗୁଥିଲା। ସିଧାସଳଖ ବିମାନ ତୁଳନାରେ ପରିବହନ ବିମାନର ଟିକେଟ୍ ମଧ୍ୟ ବହୁତ ମହଙ୍ଗା ଥିଲା। ବର୍ତ୍ତମାନ ସିଧାସଳଖ ବିମାନ ପ୍ରଚଳନ ସହିତ, ଯାତ୍ରୀମାନଙ୍କର ବହୁତ ସମୟ ଏବଂ ଟଙ୍କା ସଞ୍ଚୟ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୮ରେ ଚୀନର ତିଆନଜିନ୍ ସହରରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ SCO ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି।

ଏହି ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସିଧାସଳଖ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବିମାନ ସେବା ପୁନଃ ଆରମ୍ଭ କରିବା ଦୁଇ ଦେଶର ସମ୍ପର୍କକୁ ଆହୁରି ନିକଟତର କରିଛି।

ବିହାର ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ SIR ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଆସିପାରେ ରାୟ

ନନ୍ଦିଘୋଷ ବ୍ୟୁରୋ: ବିହାର ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ SIR ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଆସିପାରେ ରାୟ। ଗତକାଲି ଶୁଣାଣି କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଭୋଟ ତାଲିକା ସଂଶୋଧନ SIR ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଏକାଧିକ ଆବେଦନକାରୀ। ଆବେଦନକାରୀଙ୍କ ଅଭିଯୋଗକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଆଧାର କାର୍ଡ ନାଗରିକତାର ପ୍ରମାଣ ନୁହେଁ। ଆବେଦନକାରୀ ପକ୍ଷ ଓକିଲଙ୍କ ଯୁକ୍ତି ହେଉଛି, ୨୦୦୩ ମସିହାରେ ବିହାରରେ SIR ଦ୍ଵାରା ଭୋଟର ତାଲିକା ସଂଶୋଧନ ହୋଇଥିଲା। ସେହି ସଂଶୋଧନ ଆଧାରରେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଭୋଟର ତାଲିକାରେ ପଞ୍ଜିକୃତ ହୋଇ ପରବର୍ତ୍ତୀ ନିର୍ବାଚନରେ ଭୋଟ ଦାନ କରିଆସୁଛନ୍ତି। ତେବେ ସଂଶୋଧିତ ତାଲିକାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଦ ପଡିଛନ୍ତି ୬୫ ଲକ୍ଷ ଭୋଟର।

ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ବିଭିନ୍ନ ସଂଗଠନ। ଆବେଦନକାରୀଙ୍କ ଏହି ଯୁକ୍ତିକୁ କୋର୍ଟ ଏକ ପ୍ରକାର ସହମତ ହୋଇଥିବା ନେଇ ସଙ୍କେତ ଦେଇଛନ୍ତି। ଏବେ ସେହି ମାନଙ୍କୁ ପୁଣିଥରେ ସଂଶୋଧନ ତାଲିକାରେ ଆଣିବାର କଣ ଆବଶ୍ୟକତା ରହିଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ତେବେ ଉଭୟ ନିର୍ବାଚନ କମିଶନଙ୍କ ଓକିଲ ଓ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭିନ୍ନ ସାମ୍ବିଧାନିକ ଯୁକ୍ତି ଉପସ୍ଥାପନ କରିଛନ୍ତି । ଏହାକୁ ନେଇ ଆଜି ଆସିପାରେ ଚୂଡାନ୍ତ ରାୟ। ଯଦି SIRକୁ ଆବେଦନକାରୀ ପକ୍ଷ  ଅବୈଧ ପ୍ରମାଣ କରିଦିଅନ୍ତି ତେବେ ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।…

କଂଗ୍ରେସକୁ ତୃଣମୂଳ ସ୍ତରରୁ ସଂଜୀବନୀ ଦେବାକୁ ଭକ୍ତଙ୍କ ପ୍ରୟାସ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଥର ଲାଗି ନୂଆ ଢାଞ୍ଚାରେ କଂଗ୍ରେସ ତୃଣମୂଳ ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି । ଜିଲ୍ଲା ମୁଖିଆ ଚୟନ ପୂର୍ବରୁ ବ୍ଲକ, ଏନଏସି, ମ୍ୟୁନିସିପାଲିଟି ସଭାପତି ଚୟନ କରିବାକୁ ପିସିସି ନିର୍ଦ୍ଦେଶ ଦେଇଛି । ଅଗଷ୍ଟ ୨୦ ସୁଦ୍ଧା ବ୍ଲକ ସଭାପତି ପାଇଁ ଜିଲ୍ଲା ସଂଯୋଜକମାନେ ବିଭିନ୍ନ ବର୍ଗର ୫ଟି ନାମ ଚୂଡାନ୍ତ କରି ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ମଧ୍ୟବର୍ତ୍ତୀକାଳୀନ ସଭାପତିମାନେ ଜିଲ୍ଲା ସଂଯୋଜକ ଭାବରେ ନାମିତ କରାଯିବା ପରେ ସଭାପତି ଚୟନ ପୂର୍ବରୁ କିପରି ବ୍ଳକ ସଭାପତି ଚୟନ କରାଯିବ ତାହାକୁ ନେଇ କଂଗ୍ରେସ ଅନ୍ଦର ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ମାହୋଲ ଅଛି ସଂଗଠନ ନାହିଁ । ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଫୋକସ କରିଛି କଂଗ୍ରେସ । ପ୍ରଥମଥର ଲାଗି ପ୍ରଥମେ ଜିଲ୍ଲା ସଭାପତି ବଦଳରେ ପ୍ରଥମେ ବ୍ଲକ, ଏନଏସି, ମ୍ୟୁନିସିପାଲିଟି ସଭାପତି ଚୟନ କରିବାକୁ ଅଣ୍ଟା ଭିଡିଛି ପିସିସି । ଏନେଇ ଜିଲ୍ଲା ସଂଯୋଜକମାନଙ୍କୁ ଗୁରୁ ଦାୟିତ୍ବ ଦେଇଛି ପିସିସି । ଅଗଷ୍ଟ ୨୦ ତାରିଖ ସୁଦ୍ଧା ବ୍ଲକ ଓ ନଗର କଂଗ୍ରେସ ସଭାପତି ପଦ ପାଇଁ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି, ମହିଳା ଓ ପଛୁଆ ବର୍ଗରୁ ମୋଟ ୫ ଜଣ ନାଁ ଚୂଡାନ୍ତ କରି ପିସିସିକୁ ୨୫ ଅଗଷ୍ଟ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି  ସୁପାରିସ କି ଲବି ନୁହେଁ । ଜିଲ୍ଲାସ୍ତରରୁ ଏଆଇସିସିର ଟିମ ଚୟନ କରିବେ ଜିଲ୍ଲା କଂଗ୍ରେସ ସଭାପତି । ପଡୋଶୀ ରାଜ୍ୟର କ୍ୟାବିନେଟ ଓ ପିସିସି ସ୍ତରର ଜଣେ ଜଣେ ନେତା ଜିଲ୍ଲା ଗସ୍ତରେ ଜିଲ୍ଲା ସଭାପତି ଚୟନ କରିବେ । ୨ ମାସ ମଧ୍ୟରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ତେବେ ଜିଲ୍ଲା ସଭାପତି ଚୟନ ପୂର୍ବରୁ କାହିଁକି ପ୍ରଥମେ ବ୍ଲକ ସଭାପତି ଚୟନ କରାଯିବ ସେ ନେଇ ଭିନ୍ନ ଯୁକ୍ତି ବାଢିଛନ୍ତି ପିସିସି ସଭାପତି ।

ପିସିସିର ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବା ଏଆଇସିସି ଓଡିଶାରେ ନୂଆ ଫର୍ମୁଲା ଆପଣାଇଛି । ନିର୍ବାଚନ ନୁହେଁ, ସିଲେକ୍ସନ ବେସିସରେ କମିଟି ଗଠନ କରାଯିବ । ସଂଗଠନ ସୂର୍ୟନ ନାମରେ ଅଭିଯାନ ଆରମ୍ଭ କରାଯିବ । ତେଣୁ ଅଧିକାଶ ଜିଲ୍ଲା ସଂଯୋଜକ ହିଁ ଜିଲ୍ଲା ସଭାପତି ହେବା ନିଶ୍ଚିତ ବୋଲି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । କଂଗ୍ରେସ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ ହାତକୁ ନେଇ ଚାଲିଥିବା ବେଳେ ତୃଣମୂଳସ୍ତରରେ କଂଗ୍ରେସ ସଂଗଠନ ଦୁର୍ବଳ ବୋଲି ରାଜନୈତିକ ସମୀକ୍ଷକ କେ. ରବି କହିଛନ୍ତି ।

ଦାୟିତ୍ବର ୭ ମାସ ପରେ ବି ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ସଂଗଠନକୁ ନୂଆରୂପ ଦେଇପାରିନାହାନ୍ତି । ୨୦୨୪ ନିର୍ବାଚନ ପରେ ପ୍ରଥମ ଥର ଲାଗି ଏଆଇସିସି ଓଡିଶାକୁ ଫୋକସ କରିଥିବାରୁ ରାଜ୍ୟ କଂଗ୍ରେସକୁ ଘାରିଛି ସଂଗଠନ ଚିନ୍ତା ।

ତଳକୁ ତଳକୁ ଯାଉଛି ରାଜ୍ୟ ଏମଏସଏମଇ, ଉଠିବାରେ ସହଯୋଗ କରୁନାହାନ୍ତି ବଡ଼ ଶିଳ୍ପ ସଂସ୍ଥା

ନନ୍ଦିଘୋଷ ବ୍ୟୁରୋ:  ରାଜ୍ୟର ଏମଏସଏମଇ କ୍ଷେତ୍ରକୁ ବଡ଼ ଶିଳ୍ପ ସଂସ୍ଥାମାନେ ସହଯୋଗ କରୁନାହାନ୍ତି । ଖୋଲା ମଞ୍ଚରେ ଏଭଳି ବଡ଼ ଅଭିଯୋଗ ଆଣିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଖାଲି ଅଭିଯୋଗ ନୁହେଁ, ଶିଳ୍ପ ମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ତୁରନ୍ତ ତଦାରଖ କରିବାକୁ କହିଛନ୍ତି ଗୋକୁଳାନନ୍ଦ । ରାଜ୍ୟର ଶିଳ୍ପ ଗୁଡିକ କାହିଁକି ରାଜ୍ୟର ଏମଏସଏମଇ ସାମଗ୍ରୀ କିଣୁ ନାହାଁନ୍ତି ବୋଲି ଶିଳ୍ପ ମନ୍ତ୍ରୀ ପ୍ରଶ୍ନ କରନ୍ତୁ ବୋଲି ଦାବି କରିଛନ୍ତି ଏମଏସଏମଇ ମନ୍ତ୍ରୀ । ସେପଟେ ଶିଳ୍ପ ମନ୍ତ୍ରୀ ମଧ୍ୟ ଏହା ଉପରେ ଉତ୍ତର ରଖିଥିବା ବେଳେ କ୍ଷୁଦ୍ର ମଧ୍ୟମ ଶିଳ୍ପ ସଂଘ ମଧ୍ୟ ଓଡ଼ିଶାରେ ଚାଲିଥିବା ଏହି ଅସହଯୋଗ କଥା ଉଠାଇଛନ୍ତି ।

ଓଡ଼ିଶାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସହଯୋଗ ମିଳୁନାହିଁ । ଯାହାକୁ ନେଇ ଖୋଲା ମଞ୍ଚରେ ଶିଳ୍ପ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡିଶା ଆସେମ୍ବଲି ଅଫ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ-ଓସମୀର ୪୦ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚ ଉପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଏମଏସଏମଇ ମନ୍ତ୍ରୀ ଏଭଳି ପ୍ରଶ୍ନ କରିଛନ୍ତି । ଶିଳ୍ପ ବିଭାଗର ବଡ଼ ଭାଇର ଭୂମିକା ରହିଛି । ରାଜ୍ୟର ଏମଏସଏମଇକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । କିନ୍ତୁ ବଡ଼ ଶିଳ୍ପ ଦେଉଛନ୍ତି କ’ଣ ବୋଲି ପ୍ରଶ୍ନ କରିଛନ୍ତି ଏମଏସଏମଇ ମନ୍ତ୍ରୀ । ରାଜ୍ୟରେ ବଡ଼ ଶିଳ୍ପ ଓଡ଼ିଶାର ଏମଏସଏମଇରୁ କିଛି କିଣୁ ନାହାଁନ୍ତି ବୋଲି ବଡ଼ ଅଭିଯୋଗ ଆଣିଛନ୍ତି । ଏପରିକି ସେମାନଙ୍କର ଜିଏସଟି ଚେକ କରନ୍ତୁ ବୋଲି ଶିଳ୍ପ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଓଡିଶାରୁ କେତେ ସାମଗ୍ରୀ ଆଣୁଛ ଓ ବାହାରୁ କେତେ ଆଣୁଛ ଓ କାହିଁକି ଆଣୁଛ ବୋଲି ଶିଳ୍ପ ମନ୍ତ୍ରୀଙ୍କୁ ପ୍ରଶ୍ନ କରନ୍ତୁ ବୋଲି କହିଛନ୍ତି ଗୋକୁଳାନନ୍ଦ ମଲ୍ଲିକ ।

ଓଡିଶା ଆସେମ୍ବଲି ଅଫ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜ-ଓସମୀ ମଧ୍ୟ ସମାନ ଅଭିଯୋଗ ଆଣିଛି । ରାଜ୍ୟରେ ଏମଏସଏମଇ କ୍ଷେତ୍ରକୁ ବଡ଼ ଶିଳ୍ପ ସହଯୋଗ କରୁନାହାନ୍ତି ବୋଲି କହିଛି ଓସମୀ । ସରକାର ଯଦି ରାଜ୍ୟର ଏମଏସଏମଇ ସାମଗ୍ରୀ କିଣନ୍ତେ ରାଜ୍ୟର ଏମଏସଏମଇ କ୍ଷେତ୍ର ବହୁ ସମୃଦ୍ଧି ହୁଅନ୍ତା । ବଡ଼ ଶିଳ୍ପ ଛୋଟ ଶିଳ୍ପକୁ ସହଯୋଗ କରିବା ଦରକାର । ଯାହା ଫଳରେ ରାଜ୍ୟର ସାମଗ୍ରିକ ପ୍ରଗତି ହୋଇପାରିବ ବୋଲି କହିଛି ସଂଘ । ସେପଟେ ଏମଏସଏମଇ ମନ୍ତ୍ରୀଙ୍କ ଖୋଲା ମଞ୍ଚରେ ଆହ୍ୱାନର ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଏକ୍ଷେତ୍ରରେ ଶିଳ୍ପ ବିଭାଗ କାମ କରୁଛି ଓ ଏମଏସଏମଇ ବଢ଼ିବା ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ।