spot_img
Home Blog Page 3178

ଆଜି ରାଜ୍ୟରେ ଆଉ ତିନୋଟି ଜିଲ୍ଲାରେ ଖୋଲିଲା ସ୍କୁଲ

ବ୍ୟୁରୋ : ଆଜି ଆଉ ତିନୋଟି ଜିଲ୍ଲାରେ ଖୋଲିଲା ସ୍କୁଲ । ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ସ୍କୁଲ ଖୋଲିଛି । ଏହି ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେଉଛି । ସକାଳ ୬ଟା ୩୦ରୁ ୧୦ଟା ଯାଏ ପାଠପଢା ହେଉଛି । ପରେ ୨୬ ତାରିଖରୁ ନିୟମିତ ସମୟାନୁସାରେ ବିଦ୍ୟାଳୟ ଚାଲିବ । ସେହିପରି ଆସନ୍ତାକାଲି, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହି ଜିଲ୍ଲାରେ ସକାଳ ସାଢେ ୬ଟାରୁ ଦିନ ୧୦ଟା ଯାଏ କ୍ଲାସ ଚାଲିବ । ୨୬ ତାରିଖରୁ ନିୟମିତ ସମୟ ଅନୁସାରେ କ୍ଲାସ ହେବାନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ଗତକାଲିଠୁ ରାଜ୍ୟରେ ରାଜ୍ୟରେ ସ୍କୁଲ ଖୋଲିଛି । ତେବେ ଗ୍ରୀଷ୍ଣ ପ୍ରବାହ ପାଇଁ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍କୁଲ ଖୋଲିବା ନିଷ୍ପତ୍ତି ନେବାକୁ ଦାୟିତ୍ବ ଦେଇଥିଲା ଗଣଶିକ୍ଷା ବିଭାଗ ।

ରୂପାନ୍ତରଣ ଫର୍ଦ୍ଦରେ ବାଲେଶ୍ବର , ଆଜି ଗ୍ରାଉଣ୍ଡ ଜିରୋକୁ ଯାଇ ବିକାଶର ସମୀକ୍ଷା କରିବେ 5T ସଚିବ

 

ବ୍ୟୁରୋ :  ଆଜି ରୂପାନ୍ତରଣ ଫର୍ଦ୍ଦରେ ସାମିଲ ହେବ ବାଲେଶ୍ବର । ଗ୍ରାଉଣ୍ଡ ଜିରୋକୁ ଯାଇ ବିକାଶର ସମୀକ୍ଷା କରିବେ 5T ସଚିବ ଭି.କେ ପାଣ୍ଡିଆନ । ଉନ୍ନୟନ ପ୍ରକଳ୍ପର ସମୀକ୍ଷା ପାଇଁ ଆଜିଠୁ ଦୁଇଦିନିଆ ବାଲେଶ୍ବର ଗସ୍ତରେ ଯାଇଛନ୍ତି 5T ସଚିବ  ।
ସକାଳ ୮ଟା ୩୫ମିନିଟରେ ବାଲେଶ୍ବରରେ ପହଞ୍ଚିବା ପରେ ଖଇରା ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ପରିଦର୍ଶନ କରିବେ 5T ସଚିବ । ସେଠାରେ ଆମ ହସପିଟାଲରେ ଚାଲିଥିବା ବିକାଶ କାମର ଅନୁଧ୍ୟାନ କରିବେ । ସେଠାରୁ କୁପାରୀ ପଞ୍ଚାୟତ ଗ୍ରାଉଣ୍ଡକୁ ଯାଇ ଜନସାଧାରଣ ଓ ମିଶନ ଶକ୍ତି ମାଆମାନଙ୍କ ସହିତ ଆଲୋଚନା କରିବେ । ପରେ ଜାମୁଝାଡ଼ି ନିକଟରେ ବାମ୍ବୋ ପ୍ରୋସେସିଂ ୟୁନିଟ ପରିଦର୍ଶନ ସହ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିବେ । ସୋର ୟୁଏନ କଲେଜରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସିଏଚସି ଗସ୍ତ କରି ବିକାଶ କାମର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ । ସେଠାରୁ ସନ୍ତରାଗଡ଼ିଆ ଯାଇ ସାଳନ୍ଦୀ କେନାଲ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ । ପରେ ବାହାନଗା ହାଇସ୍କୁଲ ପରିଦର୍ଶନ କରିବା ସହ ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ପ୍ରଦାନ କରିବେ । ଏହାପରେ ଦିନତମାମ ଏକାଧିକ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ ।

ଶୀତଳାପଲ୍ଲୀ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ପାଇଁ ଜମି: ଅନାଥାଶ୍ରମ, ଦୃଷ୍ଟିହୀନଙ୍କ ସ୍କୁଲ ସ୍ବତନ୍ତ୍ର ଖଜଣା

ଭୁବନେଶ୍ବର: ଗଞ୍ଜାମ କନିସି ଶୀତଳାପଲ୍ଲୀ ମୌଜାରେ ଟାଟା ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଯୋଗାଇ ଦିଆଯାଇଛି ୪୩ ଏକରରୁ ଅଧିକ ଜମି । ଏ ବାବଦରେ ଇନସିଡେମ୍ଟାଲ ଚାର୍ଜ ଓ ବାର୍ଷିକ ଭୂରାଜସ୍ବ, ସେସ ଓ ସମସ୍କ ଦେୟ ଉପରେ ସୁଧ ଛାଡ଼ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଟାଟାକୁ ଉକ୍ତ ଜମି ଲିଜରେ ନେବା ପାଇଁ ଏବେ ଠାରୁ ଏକର ପିଛା ଶହେ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ସେସ ଦେବାକୁ ପଡିବ ।

ସେହିପରି ଅନାଥାଶ୍ରମ, ଦୃଷ୍ଟିହୀନଙ୍କ ପାଇଁ ସ୍କୁଲ ପାଇଁ ସ୍ବତନ୍ତ୍ର ଖଜଣା ଧାର୍ଯ୍ୟ କରାଯାଇଛି । ସରକାରୀ ଜମି ଲିଜ ପ୍ରଦାନ କ୍ଷେତ୍ରରେ ସେସବୁ ଅନୁଷ୍ଠାନଗୁଡିକ ଖଜଣା ବାବଦରେ ଏକର ପିଛା ବାର୍ଷିକ ଶହେ ଟଙ୍କା ଓ ସେସ ବାବଦରେ ବାର୍ଷିକ ଖଜଣାର ୭୫ ପ୍ରତିଶତ ଦେୟ ଦେବେ । ସେହିପରି ଅବଢା ଯୋଜନାର ମୋଟ ଅଟକଳରେ ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି । ଏଥର ଅଟକଳ ୪୨୨୪.୨୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ଓଡ଼ିଶା ଜିଏସଟି ସଂଶୋଧନ ବିଧେୟକ ୨୦୨୩କୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ଏଥିରେ ଜିଏସଟି ବ୍ୟବସ୍ଥାକୁ ସରଳ କରିବା ସହିତ ଟିକସଦାତାଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି । କମ୍ପୋଜିସନ୍ ଲେଭି ଅଧୀନରେ ଟିକସ ଦେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେବାର ପ୍ରସ୍ତାବ ରହିଛି । ଟିକସ ଯୋଗ୍ୟ ବ୍ୟକ୍ତି କର୍ପୋରେଟ ସାମାଜିକ ଦାୟିତ୍ବ ସମ୍ବନ୍ଧୀୟ କାର୍ଯ୍ୟ କରିଥିଲେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପଲବ୍ଧ ହେବନି । ଜିଏସଟି ବିବାଦ ତୁଟାଇବାକୁ ପ୍ରଧାନ ଖଣ୍ଡପୀଠ ଓ ରାଜ୍ୟ ଖଣ୍ଡପୀଠ ଗଠନ ପାଇଁ ପ୍ରସ୍ତାବ ରହିଛି । ସେହିପରି କେତେକ ଅପରାଧରେ ଆର୍ଥିକ ଦେୟ ସୀମା ୧ କୋଟିରୁ ୨ କୋଟିକୁ ବୃଦ୍ଧି ପ୍ରସ୍ତାବ ରହିଛି । ଓଡ଼ିଶା ପ୍ରବରଣ ଆୟୋଗ ନିୟମାବଳୀ ୧୯୯୫ର ସଂଶୋଧନକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଏଥିରେ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ୬୨ରୁ ୬୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମା ବୃଦ୍ଧି, ବେତନ ବୃଦ୍ଧି, ଅତିରିକ୍ତ ପେନସନ ନିବୃତ୍ତ କରିବାକୁ ବ୍ୟବସ୍ଥା କରାଯାଇଛି ।

ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ଜମି ଦେବେ ରାଜ୍ୟ ସରକାର

ରାୟଗଡ଼ା: ମାଆ ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ଜମି ଦେବେ ସରକାର । ରେଳ ବିଭାଗଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି ସହିତ ବଦଳ କରି ଅଣାଯାଇଥିବା ୬ ଏକର ୩୦ଡିସିମିଲି ଜମି ମନ୍ଦିରକୁ ଦିଆଯିବ । ମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ବିନା ପ୍ରିମିୟମ ଓ ବିନା ଇନସିଡେଣ୍ଟାଲ ଚାର୍ଜରେ ମନ୍ଦିର ପରିଚାଳନା ଟ୍ରଷ୍ଟକୁ ଲିଜ୍ ଆକାରରେ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଟ୍ରଷ୍ଟକୁ ରିହାତି ଦରରେ ଏକର ପିଛା ଶହେ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ବ ଓ ଭୂ-ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ସେସ୍ ଦେବାକୁ ପଡିବ ।

୩ ମାସରେ ୬୦ ବର୍ଷର ସମସ୍ୟା ସମାଧାନ, ନର ନାରାୟଣ ଆଶ୍ରମକୁ ୨.୨୭ ଏକର ଜମି

ପୋଟେରୁ: ୬୦ ବର୍ଷର ସମସ୍ୟା ୩ ମାସରେ ସମାଧାନ । ପୋଟେରୁ ନର ନାରାୟଣ ଆଶ୍ରମକୁ ୨.୨୭ ଏକର ଜମି ପ୍ରଦାନ । ଆନନ୍ଦାଶ୍ରୁ ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶିଷ ଢ଼ାଳିଲେ ଭକ୍ତଗଣ । ବିକାଶମୂଳକ କାର୍ଯ୍ୟ ନିମନ୍ତେ ୪୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ସେପ୍ଟେମ୍ବର ମାସ ମଧ୍ୟରେ ଶେଷ କରାଯିବ ସବୁ ନିର୍ମାଣ କାର୍ଯ୍ୟ ।

ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ଅସାଧ୍ୟ କାର୍ଯ୍ୟ ବି ସହଜ ହୋଇପାରେ । ଆଉ ଏହି ଇଚ୍ଛାଶକ୍ତି ଯେତେବେଳେ ଜନହିତ ପାଇଁ ବିନିଯୋଗ ହୁଏ ସେତେବେଳେ ସବୁ ବାଧାବିଘ୍ନ ଦୂର ହୋଇଥାଏ । ଏହାର ଜ୍ବଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ପୋଟେରୁ ଅଞ୍ଚଳର ପୁଲି ମେଟଲା ମୌଜାରେ ନରନାରାୟଣ ଆଶ୍ରମ ପ୍ରସଙ୍ଗରେ । ଗତ ୬ ଦଶନ୍ଧି ଧରି ଆଶ୍ରମର ଜମିଜମାକୁ ନେଇ ଲାଗି ରହିଥିବା ସମସ୍ୟା ମାତ୍ର ୩ ମାସରେ ହୋଇଛି ସମାଧାନ । 5T ସଚିବ ଭି.କେ. ପାଣ୍ଡିଆନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ଦୁଇଟି ପ୍ଲଟରେ ୨.୨୭୩ ଏକର ଜଙ୍ଗଲ ଜମିକୁ ସାର୍ବଜନୀନ ବ୍ୟବହାର ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଆଶ୍ରମରେ ଗୋଷ୍ଠୀ କେନ୍ଦ୍ର ସ୍ଥାପନ ନିମନ୍ତେ ୪୮ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ଯାହାକୁ ନେଇ ଆଶ୍ରମବାସୀ ଓ ଆଶ୍ରମ ସହ ଜଡ଼ିତ ୭୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମଧ୍ୟରେ ଆନନ୍ଦ କହିଲେ ନସରେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବଙ୍କ ଯୋଗୁଁ ଏହି କାର୍ଯ୍ୟ ସମ୍ଭବ ହୋଇଥିବା ଉଲ୍ଲେଖ କରି ଅଜାଡ଼ିଛନ୍ତି ଅସୀମ ଆଶିଷ । ପ୍ରାୟ ୬ ଦଶନ୍ଧି ତଳେ ସ୍ଥାପନ ହୋଇଥିବା ଏହି ଆଶ୍ରମର ଅନ୍ତେବାସୀ ଓ ଆଶ୍ରମ ସହ ଜଡ଼ିତ ଶ୍ରଦ୍ଧାଳୁ ନିଜକୁ ସମାଜସେବାରେ ନିୟୋଜିତ କରି ଆସିଛନ୍ତି । ଆଶ୍ରମଟି ଜଙ୍ଗଲ ଜମିରେ ଗଢ଼ି ଉଠିଥିବାରୁ ଏଠାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହୋଇ ପାରୁ ନଥିଲା, କିମ୍ବା କୌଣସି ଅନୁଦାନ ମିଳିବା ମଧ୍ୟ ସମ୍ଭବ ହେଉ ନ ଥିଲା ।

ଗତ ମାର୍ଚ୍ଚ ମାସରେ 5T ସଚିବଙ୍କ ଗସ୍ତ ସମୟରେ ଆଶ୍ରମ କର୍ତ୍ତୃପକ୍ଷ ଏ ସମ୍ପର୍କରେ କି.କେ. ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସେ ମଧ୍ୟ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ଜଙ୍ଗଲ ଅଧିକାର ଆଇନ ୨୦୦୬ର ଧାରା ୩(୨) ଅନୁସାରେ ଏହି ଜମିକୁ କାଲିମେଳା ବିଡ଼ିଓଙ୍କ ମାର୍ଫତରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହାସହ ଏଠାରେ ଏକ ଗୋଷ୍ଠୀ କେନ୍ଦ୍ର ସ୍ଥାପନ ସହ କାଲିମେଳା ବିଡ଼ିଓ ଓ ଆଶ୍ରମର ପ୍ରାଧିକୃତ ଅଧିକାରୀ ମଧ୍ୟରେ ଏକ ବୁଝାମଣାପତ୍ର ଗତ ଜୁନ୍ ୧୬ ତାରିଖରେ ସ୍ୱାକ୍ଷର ହୋଇଛି । ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ ଖେମୁଣ୍ଡୁଙ୍କ ସୂଚନା ଅନୁସାରେ ଏହା ଫଳରେ ସ୍ଥାନୀୟ ନରନାରାୟଣ ଆଶ୍ରମର ବହୁ ଦିନର ସମସ୍ୟା ସମାଧାନ ହୋଇଛି । ଆଇନ ପରିସର ମଧ୍ୟରେ ସମସ୍ତ କାର୍ଯ୍ୟ କରାଯାଇଛି ଓ ଏହାଦ୍ୱାରା ଆଶ୍ରମର ଉନ୍ନୟନ ନିମନ୍ତେ ଭବିଷ୍ୟତରେ ଅନେକ କାର୍ଯ୍ୟ ହୋଇ ପାରିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆଶ୍ରମର ଅନ୍ତେବାସୀ ଓ କର୍ତ୍ତୃପକ୍ଷ ଦୀର୍ଘ ୬ ଦଶନ୍ଧିର ସମସ୍ୟା ସମାଧାନ କରିବାରେ 5T ସଚିବଙ୍କ ତତ୍ପରତାକୁ ଭୂୟସୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ପାଇଁ ଆମେମାନେ ଅତ୍ୟନ୍ତ ଖୁସି । ତାଙ୍କୁ ଭଗବାନ ବହୁ ପରମାୟୁ ଦିଅନ୍ତୁ ବୋଲି ଆଶ୍ରମର ସାଧୁମାନେ କହିଛନ୍ତି । ଜଣେ ଭକ୍ତ କହିଛନ୍ତି ଯେ, ଆମେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏଥିନେଇ 5T ସଚିବଙ୍କୁ ଅନୁରୋଧ କରିଥିଲୁ । ମାତ୍ର ଦୁଇ ମାସ ମଧ୍ୟରେ ସେ ତାହାକୁ କାର୍ଯ୍ୟରେ ପରିଣତ କରିଛନ୍ତି । ଠାକୁରଙ୍କ ଦୂତ ଭାବରେ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେଥିପାଇଁ ଠାକୁର ସତ୍ୟାନନ୍ଦ ପରମହଂସ ଦେବ, ନୀଳକଣ୍ଠ ଗୋସ୍ୱାମୀ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଆୟୁଷ ଦିଅନ୍ତୁ, ତାଙ୍କର କଲ୍ୟାଣ କରନ୍ତୁ । ସାରା ବିଶ୍ୱର ହଜାର ହଜାର ଭକ୍ତଙ୍କ ସ୍ନେହ ଓ ଶ୍ରଦ୍ଧା ମୁଖ୍ୟମନ୍ତ୍ରୀ ଗ୍ରହଣ କରନ୍ତୁ ବୋଲି କିଛି ଭକ୍ତ କହିଛନ୍ତି ।

ଗାଁ ରାସ୍ତା ପାଇଁ ରାଜ୍ୟ ସରକାରଙ୍କ ଟଙ୍କା ବର୍ଷା

ଭୁବନେଶ୍ବର: ସଡ଼କ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଟଙ୍କା ବର୍ଷା । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣକୁ କ୍ୟାବିନେଟ ଅନୁମୋଦନ । ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀକରଣ, ଅପହଞ୍ଚ ଓ ଅସଂଯୋଜିତ ଗ୍ରାମାଞ୍ଚଳକୁ ମୁଖ୍ୟ ସଡ଼କ ସହ ଯୋଡ଼ିବା ଏହି ଯୋଜନାର ଲକ୍ଷ୍ୟ ।

ଯୋଜନାରେ ୩୬୧ କିମି ରାସ୍ତା ହେବ । ମୋଟ ୯୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।  ସମ୍ପୃକ୍ତ ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଓ ସାମାଜିକ ଉନ୍ନତିକରଣ ପାଇଁ ଗ୍ରାମାଞ୍ଚଳରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ ସ୍ଥଳ, ବ୍ୟବସାୟ କେନ୍ଦ୍ର ଇତ୍ୟାଦିକୁ ସଂଯୋଗୀକରଣ ନିମନ୍ତେ ଉନ୍ନତମାନର ରାସ୍ତା ନିର୍ମାଣ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।

ଏଥିସହ ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ୫ ବର୍ଷରେ ଖର୍ଚ୍ଚ ହେବ ୩ ହଜାର ୩୫୪ କୋଟି ଟଙ୍କା । ରାଜ୍ୟର ସମସ୍ତ ଜିଲ୍ଲାର ବାଳିକା, ଗର୍ଭବତୀ ଓ ପ୍ରସୂତିଙ୍କ ପୁଷ୍ଟିଗତ ଓ ସ୍ବାସ୍ଥ୍ୟଗତ ଉନ୍ନତି ନିମନ୍ତେ ଏହି ଯୋଜନା କାମ କରିବ । ଚଳିତ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ପ୍ରସ୍ତାବ ।

ସଉରା ଭାଷାକୁ ସମ୍ବିଧାନିକ ମାନ୍ୟତା ପାଇଁ କ୍ୟାବିନେଟ ମଞ୍ଜୁରୀ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଗୁଣୁପୁର: ପୂରଣ ହୋଇଛି ଅନେକ ଦିନର ଦାବି । ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ । ପ୍ରସ୍ତାବରେ ମେହାର ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶତାଧିକ ଆଦିବାସୀ ।

ଦାବି ପୂରଣ ହେଲେ ସଉରା ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ । ବିଭିନ୍ନ ବିଷୟରେ ଲେଖା ସୃଷ୍ଟି ସହ ପ୍ରକାଶନ ହୋଇପାରିବ । ସଉରା ଭାଷାର ବିକାଶ, ସଂରକ୍ଷଣ, ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ ହୋଇପାରିବ । ସଉରା ଭାଷାକୁ ମାନ୍ୟତା ଦେବା ଦ୍ବାରା ୫ ଲକ୍ଷ ଆଦିବାସୀ ଉପକୃତ ହେବେ ।

ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପରେ ଗୁଣପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ବ୍ଲକ୍ ମରିଚଗୁଡା ମାତାରବନମ୍ ମନ୍ଦିର ପରିସରରେ ସଉରା ସଂମ୍ପ୍ରଦାୟର ଉତ୍ସବ ସଭା ଅନୁଷ୍ଠିତ । ଏଥିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାସ, ରାୟଗଡା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଅନୁସୟା ମାଝୀ ପ୍ରମୁଖ ସାମିଲ ହୋଇଥିଲେ । ନାଚଗୀତ ବାଜା ଓ ବାଣ ଫୁଟାଇ ଉତ୍ସବ ମନାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଶତାଧିକ ଆଦିବାସୀ ।

ଗତ ୮ ତାରିଖରେ 5T ସଚିବ ଭି.କେ. ପାଣ୍ଡିଆନ ରାୟଗଡା ଗସ୍ତ ସମୟରେ ସଉରା ସଂପ୍ରଦାୟର ଲୋକଙ୍କୁ ଦୀର୍ଘ ଦିନର ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଚିନ୍ତା ବଢ଼ାଇଛି ପିଙ୍କ ହ୍ଵାଟ୍ସଆପ ସ୍କାମ: ଗୋଟିଏ କ୍ଲିକରେ କାଙ୍ଗାଳ, ଚାଲିଯିବ ସବୁ ଗୋପନୀୟ ତଥ୍ୟ

ନୂଆଦିଲ୍ଲୀ: ସାଇବର ଠକଙ୍କ ନୂଆ ଫଣ୍ଡା । ଥରେ ମାତ୍ର ଲିଙ୍କ କ୍ଲିକ କଲେ ଲୁଟେରାଙ୍କ ନିକଟକୁ ଯିବ ଫଟୋ, ଭିଡିଓ ଓ ବ୍ୟାଙ୍କ ଡାଟା । ପିଙ୍କ ହ୍ଵାଟ୍ସଆପ ସ୍କାମ ଏବେ ସାରା ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏ ନେଇ ଆଡଭାଇଜରି ଜାରି କରିଛି କ୍ରାଇମବ୍ରାଞ୍ଚ ।

ଫସିବା ପୂର୍ବରୁ ପିଙ୍କ ହ୍ଵାଟ୍ସଆପକୁ ବେଳହୁଁ ସାବଧାନ । ମୁମ୍ବାଇ ପରେ ଏବେ ଆଡଭାନ୍ସ ଆଡ଼ଭାଇଜରି ଜାରି କରିବ ଓଡିଶା ପୋଲିସ । ଆପଣଙ୍କ ମୋବାଇଲକୁ ଅପଡେଟେଡ଼ ହ୍ଵାଟ୍ସଆପ ଡାଉନଲୋଡ କରିବାକୁ କିଛି ଲିଙ୍କ ଆସୁଛି କି ? ଭୁଲରେ ବି ସେହି ଲିଙ୍କରେ କ୍ଲିକ କରନ୍ତୁ ନାହିଁ । କ୍ଲିକ କରିବା ମାତ୍ରେ ହ୍ୟାକର ପଠାଇଥିବା ପିଙ୍କ ହ୍ବାଟ୍ସଆପ୍ ଅପଲୋଡ଼ ହୋଇଯିବ । ଏହି ଭାଇରସ ସଫ୍ଟୱେର ଜରିଆରେ ଫୋନର ସମସ୍ତ ଗୁରୁତ୍ବପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେଇଯିବ । ଆପଣଙ୍କ କଣ୍ଟାକ୍ଟରେ ଥିବା ଲୋକଙ୍କୁ ମଧ୍ୟ ସ୍କାନରକୁ ନେଇଯିବ ହ୍ୟାକର । ଏପରିକି ଆପଣଙ୍କ ହ୍ଵାଟ୍ସଆପ୍ ନମ୍ବରରୁ ବିଭିନ୍ନ ଗ୍ରୁପକୁ ଅଶ୍ଳୀଳ ମେସେଜ ପଠାଇବ । ଏଭଳି ସ୍କାମକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ।

ପିଙ୍କ ହ୍ଵାଟ୍ସଆପ ହେଉଛି ଅସଲି ହ୍ଵାଟ୍ସଆପର ଅବିକଳ ନକଲ । ଏହାର ରଙ୍ଗ କିନ୍ତୁ ଗୋଲାପୀ । ୨୦୨୧ ମସିହାରେ ଏହି ଭାଇରସ ସମ୍ପର୍କରେ ଜଣାପଡିଥିଲା । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛି ଓଡିଶା ପୋଲିସ । କାରଣ ଅଧିକାଂଶ ଭିଭିଆଇପି, ରାଜନେତା, କର୍ପୋରେଟ ମୁଖ୍ୟଙ୍କୁ ଟାର୍ଗେଟ କରୁଛନ୍ତି ହ୍ୟାକର । ଯଦି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ସଫ୍ଟୱେରକୁ ଅନ ଇନଷ୍ଟଲ କରିବା ସହ ସାଇବର ଥାନାରେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ସାଇବର ଥାନା ଅଧିକାରୀ ରଶ୍ମିତା ଜେନା ।

ଦୁଇ ଦିନରେ ଆସିବ ମୌସୁମୀ: ଆଗମନରେ ବିଳମ୍ବ ଯୋଗୁଁ ରାଜ୍ୟରେ ନିଆଣ୍ଟିଆ ବର୍ଷା, ଚାଷ କାର୍ଯ୍ୟ ପ୍ରଭାବିତ

ଭୁବନେଶ୍ବର: ତାତିରୁ ମିଳିବ ତ୍ରାହି । ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ପ୍ରବେଶ କରିବ ମୌସୁମୀ । କିଛି ଜିଲ୍ଲାରେ ହୋଇଥିବା ପ୍ରାକ୍ ମୌସୁମୀ ବର୍ଷା ଓ ପବନ ଯୋଗୁଁ ମୌସୁମୀ ଅନୁକୂଳ ପାଗ ଦେଖା ଦେଇଛି। ହେଲେ ଚଳିତବର୍ଷ ବିଳିମ୍ବିତ ମୌସୁମୀ ଯୋଗୁଁ ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନରେ ସ୍ବାଭାବିକଠାରୁ ଢେର କମ୍ ବର୍ଷା ହୋଇ ଚାଷକୁ ପ୍ରଭାବିତ କରିଛି । ଏହା ଭିତରେ ଆସନ୍ତା ଜୁନ୍ ୨୪ରେ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାୟୁମଣ୍ଡଳର ନିମ୍ନ ଭାଗରେ ଦୃଶ୍ୟମାନ ହେଉଥିବା ବାୟୁର ଚଳାଚଳ ପଶ୍ଚିମ ଦିଗରୁ ପ୍ରବାହିତ ହେଉଛି । ଦିନେ ଦୁଇ ଦିନ ମଧ୍ୟରେ ଏହାର ପରିମାଣ ବଢିବା ନେଇ ଆକଳନ କରାଯାଇଛି । ଏହା ମୌସୁମୀ ଆଗମନ ପାଇଁ ଅନୁକୂଳ ପାଗ । ଜୁନ ୨୨ତାରିଖରୁ ହାଲୁକା ମଧ୍ୟମ ଧରଣର ବର୍ଷା ରହିବ । କିଛି ଜିଲ୍ଲାରେ ଜୁନ୍ ୨୩ ଓ ୨୪ରୁ ପ୍ରବଳ ବର୍ଷା ସମ୍ଭାବନା ।

କେରଳକୁ ବିଳମ୍ବରେ ମୌସୁମୀ ଛୁଇଁଥିବାରୁ, ଓଡ଼ିଶାରେ ବି ଏହା ବିଳମ୍ବରେ ପ୍ରବେଶ କରିବ । ମୌସୁମୀର ଏହି ବିଳମ୍ବ, ବର୍ଷାର ପରିମାଣ କମାଇ ଦେଇଛି । ଜୁନ ମାସରେ ଅତି କମରେ ୧୫୧.୬ ମିଲିମିଟର ବର୍ଷା ହେବା କଥା । ହେଲେ ଜୁନ ୨୧ ସୁଦ୍ଧା ମାତ୍ର ୩୧.୨ ମିଲିମିଟର ବର୍ଷା ହୋଇଛି । ଯାହା ୭୯.୪ ପ୍ରତିଶତ କମ୍ । ଚାଷ ବୁଣା ସମୟ ହୋଇଥିବାରୁ ବର୍ଷା ଅଭାବ ସମସ୍ୟା ସୃଷ୍ଟି କରିଛି ।

ସେପଟେ ଆସନ୍ତା ଜୁନ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ବାର୍ଷିକ ସମୀକ୍ଷା ବୈଠକ ନେବେ । ବୈଠକରେ ଫୋକସରେ ରହିବ ନିଅଣ୍ଟିଆ ବର୍ଷା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ରୋଡମ୍ୟାପରେ ନିଅଣ୍ଟିଆ ବର୍ଷାର ମୁକାବିଲା ପାଇଁ ପଦକ୍ଷେପ ନେବେ ରାଜ୍ୟ ସରକାର ।

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ମଝିଘରିଆଣୀ ମନ୍ଦିର ରୂପାନ୍ତରଣ ପାଇଁ ମାଗଣାରେ ଜମି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ । ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ, ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ରାସ୍ତା, ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ଜମି, ସ୍ୱତନ୍ତ୍ର ରେଣ୍ଟ ସମ୍ପର୍କୀତ ନୀତି, ମଝିଘରିଆଣୀ ମନ୍ଦିର ରୂପାନ୍ତରଣ ପାଇଁ ଜମି, ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ, ଅବଡା ଯୋଜନାରେ ସଂଶୋଧିତ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ ।

ରାୟଗଡ଼ା ମା’ ମଝିଘରିଆଣୀ ମନ୍ଦିର ରୂପାନ୍ତରଣ ପାଇଁ ଜମି ଦେବେ ସରକାର । ମାଗଣାରେ ୬ ଏକର ଜମି ଯୋଗାଇଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ବୈଠକରେ ହୋଇଥିଲା ଆଲୋଚନା । କେନ୍ଦ୍ର ପାଖକୁ ପ୍ରସ୍ତାବ ପଠାଇବାକୁ କ୍ୟାବିନେଟରେ ଅନୁମୋଦନ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ଯୋଗାଯୋଗ ନଥିବା ରାଜ୍ୟର ସବୁ ଗାଁକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହେବ ରାସ୍ତା । ଏହି ପ୍ରସ୍ତାବରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶୀତଳାପଲ୍ଲୀରେ ହେବ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ । ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଜମି ଦେବେ ସରକାର । ବୈଠକରେ ୪୩.୦୫ ଏକର ଜମି ପାଇଁ ବାର୍ଷିକ ରେଣ୍ଟ ଛାଡ଼ କଲେ ସରକାର । ସେହିପରି ବିଭିନ୍ନ ଚାରିଟେବୁଲ ଟ୍ରଷ୍ଟ ପାଇଁ ସ୍ବତନ୍ତ୍ର ରେଣ୍ଟ ନୀତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଅନାଥାଶ୍ରମ, ଦୃଷ୍ଟିବାଧିତ ସ୍କୁଲ ଓ ଗୋଶାଳା ପାଇଁ ସ୍ୱତନ୍ତ୍ର ରେଣ୍ଟ ଧାର୍ଯ୍ୟ କରାଯାଇଛି ।

ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ଓ ଅବଢ଼ା ଯୋଜନାରେ ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।