spot_img
Home Blog Page 3181

ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭ-୨୦୨୩ର ଦ୍ୱିତୀୟ ସଂସ୍କରଣ ଆୟୋଜିତ, ଓଡ଼ିଶାର ପ୍ରଗତିରେ ଶତମୁଖ ନିବେଶକ ଓ ବୈଷୟିକ ବିଶେଷଜ୍ଞ

ଭୁବନେଶ୍ୱର: ଓଡ଼ିଶା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଦି ଇକୋନୋମିକ୍‌ ଟାଇମ୍ସର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ହୋଟେଲ“ଭିଭାନ୍ତା’ ଠାରେ “ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭ”ର ଦ୍ୱିତୀୟ ସଂସ୍କରଣ ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥ ଭାବେ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିବା ସହିତ ଭିଡିଓ ବାର୍ଭା ମାଧ୍ଯମରେ ଶୁଭେଛା ଜଣାଇଥିଲେ । ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ସେ ସମସ୍ତ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ । ସମାରୋହରେ ଯୋଗଦେଇଥିବା ପ୍ରତିନିଧି ଓ ଅଂଶ ଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦଶନ୍ଧି ମଧ୍ଯରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ଅଭିନବ କେନ୍ଦ୍ର ଏବଂ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଭାବରେ ଉଭା ହୋଇଛି । ଇନଫୋସିସ୍‌, ଟିସିଏସ୍‌, ଟେକ୍‌ ମହିନ୍ଦ୍ରା ଭଳି ବଡ଼ ବଡ଼ ଆଇଟି କମ୍ପାନି ରାଜ୍ୟରୁ ସଫ୍ଟଓ୍ୱେର ରପ୍ତାନୀରେ ଯୋଗଦାନ କରୁଥିବାରୁ ବର୍ଷ ବର୍ଷ ଧରି ସେମାନେ କ୍ରମାଗତ ଭାବେ ଅଭିବୃଦ୍ଧି କରୁଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଅନେକ ଘରୋଇ ଆଇଟି କଂପାନି ବ୍ୟବସାୟିକ ପରିପକ୍କତା, ବଜାର ଅଧିଗ୍ରହଣ ଏବଂ ଗୁଣାତ୍ମକମାନ ଦୃଷ୍ଟିରୁ ମୂଲ୍ୟ ଶୃଙ୍ଖଳାରେ ଉନ୍ନତି ଆଣିଛନ୍ତି । ଏହା ରାଜ୍ୟର ଆଇଟି କ୍ଷେତ୍ରର ରୂପାନ୍ତରଣର ଏକ ସ୍ପଷ୍ଟ ସଙ୍କେତ । ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ଆମର ପ୍ରଗତିଶୀଳ ନୀତି ଢାଞ୍ଚା ଅନେକ ଆଗଧାଡ଼ିର ଆଇଟି ଏବଂ ଆଇବିଏମ, ଡେଲୋଇଟ୍‌ ଏବଂ କନସେଣ୍ଟ୍ରିକ୍ସ ଭଳି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ରାଜ୍ୟକୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି, ଆମ ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ସରକାର ଗୁରୁତ୍ବ ଦେଉଛି । ରାଜ୍ୟକୁ ୧୦ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବାରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨ ୨ର ବଡ଼ ସଫଳତା, ପ୍ରକୃତରେ ଓଡ଼ିଶାର ପରିବର୍ତ୍ତନ ଏବଂ ନୂତନ ଓଡ଼ିଶାର ଆଗମନକୁ ଦର୍ଶାଉଛି । ବିଶ୍ବସ୍ତରୀୟ ଦକ୍ଷତା, ନୂଆ ଦକ୍ଷତା ଏବଂ ଉନ୍ନତ ଦକ୍ଷତା କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆମର ପ୍ରତିଭା ସମ୍ବଳମାନକୁ ଗୁଣାତ୍ମକ ଏବଂ ସଂଖ୍ୟାତ୍ମକ ଭାବରେ ସୁଦୃଢ଼ କରୁଛୁ , ଯାହା ଦ୍ବାରା ଶିଳ୍ପକୁ ମାନବ ସମ୍ବଳ ନିଯୁକ୍ତି ପାଇଁ ଅଧିକ ଦୂରକୁ ଚାହିଁବାକୁ ପଡିବ ନାହିଁ । ସ୍କିଲ୍ ଇନ୍ ଓଡ଼ିଶା ଆଜି ଶିଳ୍ପ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଉଭୟ ସ୍ବଳ୍ପ କାଳୀନ ଓ ଦୀର୍ଘମିଆଦୀ ପାଠ୍ୟକ୍ରମରେ ପ୍ରାୟ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯାଇଛି । ରାଜ୍ୟ ସରକାରଙ୍କଦ୍ୱାରା ଅନେକ ଲୋକାଭିମୁଖୀ ଯୋଜନାରେ ପ୍ରକୃତ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଡିଜିଟାଲ ମାଧ୍ଯମକୁ ଗୁରୁତ୍ବ ଦିଆଯାଉଛି । ପ୍ରକୃତ ହିତାଧିକାରୀ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିଭିନ୍ନ ଯୋଜନାର ଅନ୍ତର୍ଭୁକ୍ତ କରାଇବା ପାଇଁ ରାଜ୍ୟସରକାର ନିରନ୍ତର ଚେଷ୍ଟିତ । ତୃଣମୂଳ ସ୍ତରରେ ସରକାରୀ ଯୋଜନା ଉପଲବ୍ଧ କରାଇ ଲୋକଙ୍କ ଜୀବନଶୈଳୀରେ ଅନେକ ଉନ୍ନତି ଓ ପରିବର୍ତ୍ତନ କରାଯାଉଛି । ସାଧାରଣ ଲୋକଙ୍କ ଜୀବନରେ ହେଉଥିବା ଏହି ବାସ୍ତବ ଉନ୍ନତି ଓ ପରିବର୍ତ୍ତନକୁ ସାମାଜିକ ପ୍ରଗତି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଉଦଘାଟନୀ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ରୀଡା ଓ ଯୁବସେବା ତଥା ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ଯକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ସ୍ବତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ଓଡ଼ିଶା କମ୍ପୁଟର ଆପ୍ଲିକେଶନ ସେଣ୍ଟରର ସିଇଓ ମନୋଜ ପଟ୍ଟନାୟକ, ଦି ଇକୋନୋମିକ୍‌ ଟାଇମ୍ସର ସମ୍ପାଦକ ଅନୁପ ବର୍ମା ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଇଣ୍ଡିଆ ଇଲେକ୍ଟ୍ର।ନିକ୍ସ ସେମି କଣ୍ଡକ୍ଟର ଆସୋସିଏସନ ମଧ୍ଯରେ ଏକ ବୁଝାମଣାପତ୍ର(ଏମଓୟୁ) ସ୍ବାକ୍ଷରିତ ହୋଇଥିଲା । ଏହାଦ୍ବାରା ଓଡ଼ିଶାରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ନବସୃଜନ ବୃଦ୍ଧି ଏବଂ ଓଡ଼ିଶାକୁ ଜାତୀୟ ସ୍ତରରେ ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା କ୍ଷେତ୍ରରେ ସହାୟକ ହେବ । ଆହୁରି ମଧ୍ଯ କନକ୍ଲେଭରେ ଭିଏଲଏସଆଇ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ଚାପ୍ଟର ଆରମ୍ଭ ଘୋଷଣା କରାଯାଇଥ୍ବଲା |

ଏହି ସମାବେଶରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୫ରୁ ଉର୍ଦ୍ଧ ବକ୍ତା ଏବଂ ୪୦ ୦ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ଏହି ସମାବେଶରେ ୫ ଗୋଟି ଆଲୋଚନା ଚକ୍ର, ଯଥା- ଓଡ଼ିଶାର ଡିଜିଟାଲ ସମ୍ପ୍ରସାରଣ କ୍ଷେତ୍ରରେ ଥିବା ଆହ୍ଵାନ ଓ ସୁଯୋଗ, ଆଇଟି ଏବଂ ଇଏସଡିଏମ୍‌ ଇକୋସିଷ୍ଟମର ବ୍ୟାପକ ସମ୍ପ୍ରସାରଣ, ସେମିକଣ୍ଡକ୍ଟର କମ୍ପାନୀ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି, ସାଇବର ସୁରକ୍ଷା, ମୂଲ୍ୟବାନ୍‌ ସରକାରୀ ତଥ୍ୟର ସୁରକ୍ଷା, ଜନସେବାରେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର, ସ୍ବାସ୍ଥ୍ୟସେବାରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ସିସିଟିଭି ସ୍କାନରରେ ରହିବ ଧାନ ବିକ୍ରୟ କେନ୍ଦ୍ର, ରବି ଓ ଖରିଫ ଋତୁରେ ଠକାମିରୁ ରକ୍ଷା ପାଇବେ ଚାଷୀ

ଭୁବନେଶ୍ୱର: ଧାନ କିଣାରେ ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବାବୁ ସାବଧାନ ! ଏଣିକି ସିସିଟିଭି ସ୍କାନରରେ ରହିବ ଧାନ ବିକ୍ରୟ କେନ୍ଦ୍ର । ଧାନର ଅଭାବୀ ବିକ୍ରି ଉପରେ ଏହା ରୋକ ଲଗାଇବାରେ ସହାୟକ ହେବ । ଏହାଦ୍ବାରା ଚାଷୀମାନେ ଶୋଷଣରୁ ରକ୍ଷା ପାଇପାରିବେ। ଧାନ କିଣା ସମୟରେ ସବୁ ଗତିବିଧି ସିସିଟିଭି ଦ୍ବାରା ମନିଟର କରାଯିବ। ଏହାର ସିଧାସଳଖ ତଦାରଖ ସମବାୟ ବିଭାଗରେ କରାଯିବ । ଏଥିରେ ଚଞ୍ଚକତା ଧରାପଡ଼ିଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ। ରାଜ୍ୟର ୨୭୧୦ ପ୍ୟାକ୍ସ, ଲ୍ୟାମ୍ପସ ଓ ନିୟନ୍ତ୍ରିତ ବଜାର କମିଟି ଅର୍ଥରୁ ଏହି ସିସିଟିଭି ଲଗାଯିବ। ଜିଲ୍ଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ସିସିଟିଭି ଲଗାଇବାକୁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନିଷ୍ପତ୍ତି ନେଇଛି ।

ଚାଷୀଙ୍କ ଅର୍ଥନୈତିକ ବିକାଶ ହେଲେ ଯାଇ ଦେଶର ବିକାଶ ହୋଇପାରିବ। ଭାରତ ଏକ କୃଷି ପ୍ରଧାନ ଦେଶ। ଅନ୍ୟ ରାଜ୍ୟମାନଙ୍କ ପାଇଁ ଭାତ ହାଣ୍ଡି ସାଜିଛି ଓଡ଼ିଶା । ମଣ୍ଡି, ଗୋଦାମ ଘର, ପିଣ୍ଡି ବ୍ୟବସ୍ଥା ପାଇଁ ବିଭିନ୍ନ ସମୟରେ ଚାଷୀ ଦାବି କରିଛନ୍ତି । କଟନୀ ଛଟନୀର ଅନେକ ଅଭିଯୋଗ ବି ଆସିଥାଏ । ଏଣିକି ସିସିଟିଭି ଲଗାଗଲେ, ବହୁ ମାତ୍ରାରେ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଚାଷୀ ମହଲରେ ପ୍ରଶଂସା କରାଯାଇଛି ।

ଚାଷୀ ଓ ଚାଷର ସଶକ୍ତିକରଣ ପାଇଁ କାଳିଆ, ବଳରାମ ପରି ମେଗା ସ୍କିମ୍ କରିଛନ୍ତି ରାଜ୍ୟ ସରକାର । ଏପରିକି ସ୍ବତନ୍ତ୍ର କୃଷି ବଜେଟ ଜରିଆରେ କୃଷିର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି । ତେବେ ଚାଷୀ ଯେପରି ଉଚିତ୍ ପ୍ରାପ୍ୟ ପାଇବ, ସେଥିପାଇଁ ଯତ୍ନବାନ ହୋଇଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଏକ ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି । ସେମାନଙ୍କ ଚାଷ ସହ ଅନ୍ୟ ଆୟ କ୍ଷେତ୍ରକୁ ସମୀକ୍ଷା କରାଯାଇ ଆୟ ବୃଦ୍ଧି ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି ।

 

 

କଂଗ୍ରେସ ଦଳ ବିରୋଧରେ ଷଡ଼ଯନ୍ତ୍ର ପାଇଁ ଜୟଦେବ ଭବନରେ ଆଲୋଚନାଚକ୍ର ହୋଇଥିଲା: ସୁର ରାଉତରାୟ

ଭୁବନେଶ୍ୱର: ଉଗ୍ର ରୂପ ନେଉଛି କଂଗ୍ରେସ କନ୍ଦଳ । ଜାନକୀ-ବସନ୍ତ ଆଲୋଚନାଚକ୍ରକୁ ନେଇ ଦଳ ଭିତର ତୁ ତୁ ମେ ମେ ଜୋରଦାର ହୋଇଛି । ଏ ପ୍ରସଙ୍ଗରେ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ଵାଳଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କଂଗ୍ରେସ ଦଳ ବିରୋଧରେ ଷଡ଼ଯନ୍ତ୍ର ପାଇଁ ଜୟଦେବ ଭବନରେ ଆଲୋଚନାଚକ୍ର କରାଯାଇଥିଲା । ଏହା ଦଳର ବହୁତ କ୍ଷତି କରିଛି । ଦଳରେ ଥାଇ ମୋକିମ୍ ଓ ଚିରଞ୍ଜୀବ ବିଶ୍ଵାଳ ଦଳ ବିରୋଧୀ କାମ କରିଥିବା ସୁର କହିଛନ୍ତି । କଂଗ୍ରେସ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ମିଳିବନି କହିବା ଲଜ୍ୟାର କଥା  । ଏହା ବିରୋଧରେ ଏଆଇସିସି ସଭାପତିଙ୍କୁ ଚିଠି ଲେଖି ଅବଗତ କରିବେ ବୋଲି ସେ କହିଛନ୍ତି । ବିନା କାରଣରେ ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା । ତେଣୁ ଏହି ଦୁଇ ନେତାଙ୍କ ବିରୋଧରେ କାହିଁକି ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆ ଯିବ ନାହିଁ ବୋଲି ସୁର ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ପିସିସି ସଭାପତିଙ୍କୁ ସମସ୍ତକୁ ନେଇ ଚାଲିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । କଂଗ୍ରେସ ଏକଜୁଟ ହୋଇ କାମ କରିବାକୁ ସେ ଦଳୀୟ ନେତାଙ୍କୁ ଅନୁରୋଧ କରିଛନ୍ତି । ପିସିସି ସଭାପତି ଏହାକୁ କଂଗ୍ରେସର ପରିବାର କଥା ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି । କଂଗ୍ରେସ ଦଳକୁ ମଜବୁତ କରିବାକୁ ଆଲୋଚନାଚକ୍ରର ପରିକଳ୍ପନା ହୋଇଥିଲା ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ରଥଖଳାରେ ସମ୍ପନ୍ନ ହେବ ଚକଅଖ ଡେରା ନୀତି

ପୁରୀ: ଘୋଷଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ଅବସରରେ ବିଧି ଓ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ରଥଖଳାକୁ ବିଜେ କରିବ ଆଜ୍ଞାମାଳ । ମହାରଣା ସେବାୟତଙ୍କ ଉପସ୍ଥିତିରେ ଭୋଇ ସେବକମାନେ ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ଡେରା ନିତୀ ସମ୍ପର୍ଣ୍ଣ କରିବେ ।

ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ଶୁକ୍ରବାର ୨୦ ତମ ଦିବସ ହୋଇଥିବା ବେଳେ ଭଉଁରୀ ବିଧି ପାଳନ କରାଯିବ । ଏହି ଅବସରରେ ନରେନ୍ଦ୍ର ରାତ୍ର ଚାପରେ ମହାପ୍ରଭୁଙ୍କୁ ୨୧ ଘେରା ନୌକା ବିହାର କରିବାର ପରମ୍ପରା ରହିଛି । ପ୍ରଭୁଙ୍କ ନୌକାଗୁଡିକୁ ୭ ଘେରା ଲେଖା ବୁଲା ଯିବାର ବିଧି ରହିଛି । ସେପଟେ ରଥ ଖଳାର ଚକ ଅଖ ଡେରା ଯିବା ସ୍ଥାନ ସମତୁଲ ହୋଇନଥିବାରୁ ସମସ୍ୟା ଉପୁଜିପାରେ ବୋଲି ଆଶଂକା କରାଯାଉଛି । ତେଣୁ OBCC, ଟାଟା ପ୍ରୋଜେକ୍ଟର ଅଧିକାରୀଙ୍କ ସହ ମହାରଣା ଓ ଭୋଇ ସେବାୟତଙ୍କ ତତ୍ୱାବଧାନରେ ଯାଞ୍ଚ କରାଯାଇଛି । ଯାତ୍ରା ପୂର୍ବରୁ କାମ ସାରିବାକୁ ବ୍ୟବସ୍ଥା କରାଯାଉଛି ।

 

ପ୍ରବଳ ଖରା ଯୋଗୁ କଟକ ଏସସିବି ଓ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାରରେ ରକ୍ତ ଅଭାବ

କଟକ: ସବୁଠି ପ୍ରଚଣ୍ଡ ରୌଦ୍ରତାପ । ଖରା ପାଇଁ ରକ୍ତ ସଂଗ୍ରହରେ ହେଉଛି ସମସ୍ୟା । ଫଳରେ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ । ରାଜ୍ୟର ପ୍ରମୁଖ ତଥା ବୃହତ ଏସସିବି ଓ ସେଣ୍ଟ୍ରାଲ ରେଡକ୍ରସ୍ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି । ପ୍ରତିଦିନ ଏହି ଭଣ୍ଡାର ଉପରେ ନିର୍ଭର କରନ୍ତି ପ୍ରାୟ ୨ ହାଜର ଉର୍ଦ୍ଧ୍ବ ରୋଗୀ । ଥାଲାସେମିଆ, କର୍କଟ, ବୋନମ୍ୟାରୋ, ସାଧାରଣ ତଥା ଜଟିଳ ଅପରେସନ ସାଙ୍ଗକୁ ଦୁର୍ଘଟଣା ପାଇଁ ରକ୍ତ ଆବଶ୍ୟକତା ରହିଛି । ତେଣୁ ଖରା ଯୋଗୁଁ ରକ୍ତ ଅଭାବ ଦେଖା ଦେଇଥିବାରୁ କାହାକୁ ଘଣ୍ଟା ଘଣ୍ଟା ତ କାହାକୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି ।

ପ୍ରତିବର୍ଷ ଗ୍ରୀଷ୍ମ ୨-୩ ମାସ ଏହି ସଙ୍କଟ ଦେଖାଦିଏ । ତେବେ ଚଳିତବର୍ଷ ଅଧିକ ଖରା ଯୋଗୁ ରକ୍ତଦାନ ପାଇଁ କେହି ଆଗକୁ ଆସୁନାହାନ୍ତି । ଏପରିକି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି ମଧ୍ୟ ରକ୍ତ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ପ୍ରତିଦିନ ଥାଲାସେମିୟା ଓ ଅନ୍ୟ ଜରୁରୀ ଅପରେସନ ରୋଗୀଙ୍କୁ ବିନା ଡୋନାର ରକ୍ତ ଯୋଗାଇ ଦିଆଯାଉଛି । ଏହି ସ୍ଥଳେ ଅନେକ ସମୟରେ ଭଣ୍ଡାରରେ ସମସ୍ତ ଗ୍ରୁପର ରକ୍ତ ମିଳିବା ସମ୍ଭବପର ହୋଇପାରୁ ନାହିଁ । ତେବେ ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଉଭୟ କତୃପକ୍ଷ କହିଛନ୍ତି ।

ଇଟାଲୀ ମିଲାନ ସହରରେ ଭୟାବହ ବିସ୍ଫୋରଣ

ନୂଆଦିଲ୍ଲୀ: ଇଟାଲୀ ମିଲାନ ସହରରେ ଭୟାବହ ବିସ୍ଫୋରଣ । ପାର୍କିଂରେ ରଖାଯାଇଥିବା ଭ୍ୟାନରେ ବିସ୍ଫୋରଣ ଯୋଗୁ ଅନ୍ୟ କିଛି ଗାଡ଼ିରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ବିସ୍ଫୋରଣରେ ଜଣେ ଆହତ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇ ନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ ବିସ୍ଫୋରଣ ଯୋଗୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ପାଖରେ ଥିବା ଏକ ସ୍କୁଲ ଓ ଜନବସତି ଅଞ୍ଚଳକୁ ଖାଲି କରାଯାଇଛି । ପୂରା ଅଞ୍ଚଳକୁ ସିଲ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋସିଆଲ ମିଡିଆରେ ଅଗ୍ନିକାଣ୍ଡ ସମୟର ଭିଜୁଆଲ ଭାଇରାଲ ହୋଇଛି ।

ଇମ୍ରାନ ଖାନଙ୍କୁ ମୁକ୍ତି ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ବସ୍ତି । ଇମ୍ରାନ ଖାନଙ୍କୁ ମୁକ୍ତି ଲାଗି ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ପୂର୍ବରୁ ଗିରଫ ଅବୈଧ ବୋଲି କହିଥିଲେ ପାକିସ୍ତାନ ସୁପ୍ରିମକୋର୍ଟ । ଆସନ୍ତାକାଲି ଇମ୍ରାନଙ୍କୁ ହାଜର କରିବା ଲାଗି ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ ବା ଏନଏବିର ଅନୁରୋଧକୁ ଅଗ୍ରାହ୍ୟ କରିଥିଲେ ପ୍ରଧାନ ବିଚାରପତି । କୋର୍ଟ ପରିସରରେ ଅଦାଲତଙ୍କ ବିନା ଅନୁମତିରେ ଇମ୍ରାନଙ୍କୁ ଗିରଫ କରିବା କୋର୍ଟ ଅବମାନନା ବୋଲି କହିଛନ୍ତି କୋର୍ଟ ।

ସେପଟେ ଇସଲାମାବାଦରେ ଅବସ୍ଥିତି ସୁପ୍ରିମକୋର୍ଟ, ପାର୍ଲାମେଣ୍ଟ ଆଦି ସ୍ଥାନରେ ଆର୍ମି କରିଛି ଫ୍ଲାଗମାର୍ଚ୍ଚ । ଅଲ କାଦିର ଟ୍ରଷ୍ଟ ଦୁର୍ନୀତି ପ୍ରସଙ୍ଗରେ ମାମଲାର ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ଉମର ଆଟା ବନ୍ଦିଆଲ, ଜଷ୍ଟିସ ମହମ୍ମଦ ଅଲ୍ ମାଝାର ଓ ଜଷ୍ଟିସ ଅଥର ମିନାଲ୍ଲା । ଅନ୍ୟପକ୍ଷରେ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଗୃହଯୁଦ୍ଧ ସ୍ଥିତି। ସୁଧୁରୁନି ପାକିସ୍ତାନ ସ୍ଥିତି । ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରୁ ବାହାରେ । ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପ୍ରାଣ ହରାଇଲେଣି ୮ ଜଣ । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣ ୧୯୦୦ । ପୂରା ଦେଶରେ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ସରକାରୀ ସମ୍ପତ୍ତି ପୋଡ଼ାଜଳା କରିଛନ୍ତି ଇମ୍ରାନଙ୍କ ସମର୍ଥକ ।

ପାଖେଇ ଆସିଲାଣି ଶୀତଳ ଷଷ୍ଠୀ, ସମ୍ବଲପୁରରେ ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ସମ୍ବଲପୁର: ଆଉ ଦିନ କେଇଟା ପରେ ବିଶ୍ବପ୍ରସିଦ୍ଧ ଶୀତଳଷଷ୍ଠୀ । ଦୁଲୁକିବ ସମ୍ବଲପୁର । ଯାତ୍ରାକୁ ସୁରୁଖୁରୁରେ ସମାପନ ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ସିସିଟିଭି ନଜରରେ ରହିବ ପୂରା ସହର । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ହେବ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ । ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଏସପି ଓ ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିକୁ ନେଇ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିର ସଭ୍ୟମାନେ ଉପସ୍ଥିତ ରହି ନିଜ ଅଞ୍ଚଳରେ ଯାତ୍ରା ଯେଉଁ ରାସ୍ତା ଦେଇ ଯିବ ସେହି ସବୁ ରାସ୍ତାର ମରାମତି ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଏହାସହ ଅନ୍ୟାନ୍ୟ ମୌଳିକ ସୁବିଧାକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଆସିଥିବା ରାସ୍ତା, ବିଜୁଲି ଓ ପରିମଳ ସମସ୍ୟା ଅଭିଯୋଗ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଶୀତଳଷଷ୍ଠୀ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ଏଥର ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦେବ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ସମ୍ବଲପୁର ସହରର ସବୁ ଅଞ୍ଚଳରେ ସିସିଟିଭି କ୍ୟାମେରା ସହ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବ ଜିଲ୍ଲା ପୋଲିସ ।

 

ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଲେ ହିଞ୍ଜିଳିକାଟୁ ଓ ଶେରଗଡ଼ ବାସିନ୍ଦା

ଆସିକା: ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳର ଲୋକ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବାରୁ ଲୋକମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଗତ ୭ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଗସ୍ତରେ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ବିକାଶ କାମ ଅନୁଧ୍ୟାନ କରିଥିଲେ 5T ସଚିବ । ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ ସହ ମନ୍ଦିରର ଉନ୍ନତି, ସ୍ମାର୍ଟକ୍ଲାସ୍ ଓ ବିଭିନ୍ନ କଲେଜକୁ ଯାଇ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।

ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ 5T ସଚିବ। ଶୀଘ୍ର ସବୁ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗସ୍ତ ପରେ ସମସ୍ତ ସମସ୍ୟାର ସାମଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କୌଣସି ରାଜନୈତିକ ଆଲୋଚନା ହୋଇନି ବୋଲି କହିଲେ ନବୀନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ନବୀନ ପଟ୍ଟନାୟକ । ବିଶେଷକରି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଦାବି ଉପସ୍ଥାପନ କରିଛନ୍ତି ନବୀନ । ଭୁବନେଶ୍ବରରେ ଏୟାର ଟ୍ରାଫିକ ଜାମ ଯୋଗୁଁ ପୁରୀରେ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିମାନ ବନ୍ଦରର ସୀମା ନିର୍ଦ୍ଧାରଣ କାମ ସରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏ ନେଇ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି । ସେହିଭଳି ବର୍ତ୍ତମାନ ତୃତୀୟ ସାମ୍ମୁଖ୍ୟ ଗଠନର ସମ୍ଭାବନା ନାହିଁ ବୋଲି ସେ ଅନୁଭବ କରୁଥିବା କହିଛନ୍ତି । ବିଜେଡି କିନ୍ତୁ ସମଦୂରତା ନୀତିରେ ବିଶ୍ବାସ କରୁଛି ।