spot_img
Home Blog Page 3220

ୟୁପିରେ ଜଙ୍ଗଲରାଜ, ବନ୍ଧୁକ ମୁନରେ ଚାଲିଛି ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ:  ୟୁପିରେ ଜଙ୍ଗଲରାଜ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ବନ୍ଧୁକ ମୁନରେ ଚାଲିଛି ଉତ୍ତର ପ୍ରଦେଶ ସରକାର । ଗ୍ୟାଙ୍ଗଷ୍ଟର ବ୍ରଦର୍ସଙ୍କୁ କଡ଼ା ସୁରକ୍ଷା ଭିତରେ ହତ୍ୟା ପରେ ୟୁପି ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ । ସରକାରଙ୍କୁ ଉତ୍ତରଦାୟୀ କରିବା ସହ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ବିରୋଧୀ । ନ୍ୟାୟିକ ବ୍ୟବସ୍ଥା ଉପରେ ସରକାରଙ୍କର ଭରସା ନାହିଁ ବୋଲି କହିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସୀ । ସେପଟେ ଅତିକକୁ ହତ୍ୟା ପରେ ୟୁପିର କିଛି ସ୍ଥାନରେ ଆତସବାଜୀ କରାଯିବା ସହ ସେଲିବ୍ରେସନ କରାଯିବା ନିନ୍ଦନୀୟ ବୋଲି ଓଓ୍ୱେସୀ କହିଛନ୍ତି । ଯେଉଁ ରାଜ୍ୟରେ ହତ୍ୟାକରୀଙ୍କୁ ହିରୋ ଆଖ୍ୟା ଦିଆଯାଏ, ସେହି ସମାଜରେ କୋର୍ଟ ଓ ନ୍ୟାୟପାଳିକାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି ଓଓ୍ୱେସୀ ।

ଅନ୍ୟପକ୍ଷରେ ଟ୍ୱିଟ୍ କରି ସିଧା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । କଡ଼ା ସୁରକ୍ଷାରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ଅଖିଳେଶ । ଜାଣିଶୁଣି ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ଅଖିଳେଶ ଟ୍ବିଟ୍ କରିଛନ୍ତି । ଏଭଳି ଜଘନ୍ୟ ଅପରାଧ ପାଇଁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରିଦିଆଯାଏ ବୋଲି କହିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ୟୁପି ସରକାରରେ ଆଇନ ବ୍ୟବସ୍ଥା ଉପରେ ଏହା ବିରାଟ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମାୟାବତୀ କହିଛନ୍ତି ।

ସେପଟେ ୟୁପିରେ ଧ୍ୱସ୍ତ ଆଇନଶୃଙ୍ଖଳାକୁ ନେଇ ବର୍ଷିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ସରକାରଙ୍କର ଦାୟିତ୍ୱ । ହେଲେ ସରକାର ଏଥିରେ ବିଫଳ ହୋଇଛନ୍ତି । ୟୁପିରେ ଯାହା ଘଟୁଛି ତା’ ଉପରେ ପୁରା ଦେଶର ନଜର ରହିଛି ବୋଲି ଗେହେଲଟ କହିଛନ୍ତି । ସେହିପରି ଆଇନଶୃଙ୍ଖଳା ଓ ନ୍ୟାୟିକ ପ୍ରକ୍ରିୟାର ଉଲ୍ଲଂଘନ କରିବା ଗଣତନ୍ତ୍ର ପାଇଁ ଉଚିତ ନୁହେଁ ବୋଲି କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସମ୍ବିଧାନର ରକ୍ଷା କରିବା ସହ ଅପରାଧୀକୁ କଠୋର ଶାସ୍ତି ମିଳିବା ଦରକାର । ମାତ୍ର ଦେଶର ଆଇନଶୃଙ୍ଖଳା ବଜାୟ ରଖିବା ଆବଶ୍ୟକ ବୋଲି ପ୍ରିୟଙ୍କା କହିଛନ୍ତି । ୟୁପିରେ ସମ୍ବିଧାନ, ଲୋକତନ୍ତ୍ର ଓ ଆଇନ ବ୍ୟବସ୍ଥାର ଏନକାଉଣ୍ଟର କରାଯାଇଛି । ସରକାର ଏହାର ଜବାବ ଦିଅନ୍ତୁ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି କହିଛନ୍ତି ଜେଡିୟୁ ନେତା ନିରଜ କୁମାର ।

ନୂଆପଡ଼ା ସିଲିଆରିବାହାରାରେ ବାଘ ଆତଙ୍କ, ଗାଈକୁ ଶିକାର କରି ଜଗିଛି କଲରା ପତରିଆ

ନୂଆପଡ଼ା: ନୂଆପଡ଼ା ସିଲିଆରିବାହାରାରେ ବାଘ ଭୟ । ଗାଈକୁ ଶିକାର କରି ଜଗିଛି ବାଘ । ମୋବାଇଲରେ କଏଦ ହୋଇଛି କଲରାପତରିଆର ଚିତ୍ର । ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନର ମୂଷରୀଙ୍ଗ ସଂରକ୍ଷିତ ଜଙ୍ଗଲ ସ୍ଥିତ ସିଲିଆରିବାହାରା ଗାଁରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଗାଈକୁ ଶିକାର କରି ଶିକାରକୁ ଜଗି ରହିଥିଲା । ଏହି କଲରାପତରିଆ ବାଘର ଚିତ୍ର ମୋବାଇଲ କ୍ୟାମେରାରେ କଏଦ ହୋଇଛି । ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ଆସି ବାଘ ଶିକାର ପାଇଁ ଜଗି ରହିଥିଲା । ଜଙ୍ଗଲରେ ଗାଈକୁ ବାଘ ଶିକାର କରି ଖାଇଥିଲା । ହେଲେ ଗାଈକୁ ଖାଇବା ପରେ ବାଘ ଜଙ୍ଗଲକୁ ଯାଇ ପାରିନଥିଲା । ସ୍ଥାନୀୟ ଯୁବକ ବାଘର ଫଟୋ ଓ ଭିଡିଓ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି । ବନଖଣ୍ଡ ଅଧିକାରୀ ସୁଶୀଲ ତ୍ରିପାଠୀଙ୍କ ସମେତ ଏକ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ଶିକାର ପରେ ଦୁଇ ବାଘ ମଧ୍ୟରେ ଲଢେଇ ଯୋଗୁ ବାଘ ଥକି ଥିବା ଅନୁମାନ କରିଛି ବନବିଭାଗ ।

ସ୍ବାଭାବିକ ସ୍ଥିତିକୁ ଫେରୁଛି ସମ୍ବଲପୁର, ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ

ସମ୍ବଲପୁର: ସ୍ୱାଭାବିକ ସ୍ଥିତିକୁ ଫେରୁଛି ସମ୍ବଲପୁର । ସମ୍ବଲପୁରରେ  କର୍ଫ୍ୟୁ ଭିତରେ ଆରମ୍ଭ ହୋଇଛି  CDS ଓ ASO ପରୀକ୍ଷା ।  ପରୀକ୍ଷାର୍ଥୀ କିଭଳି ଭାବେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାଇ ପରୀକ୍ଷା କେନ୍ଦ୍ରକୁ ବିନା ଅସୁବିଧାରେ ପହଂଚି ପାରିବେ ସେନେଇ ତମାମ ବ୍ୟବସ୍ଥା କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାର ପରୀକ୍ଷାର୍ଥୀ ସମ୍ବଲପୁର ଆସୁଥିବାବେଳେ ସେମାନଙ୍କର ଖାଇବା ପିଇବାର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଥିବା ଦେଖିବାକୁ ମିଳିଛି ।  ମୋଟ ୪ଟି ବସର ବ୍ୟବସ୍ଥା କରାଯାଇ ମୁଖ୍ୟ ଷ୍ଟେସନ ଓ ସିଟି ରେଳ ଷ୍ଟେସନରୁ ପରୀକ୍ଷାର୍ଥୀଙ୍କ ସମସ୍ତ ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କର୍ଫ୍ୟୁ କୋହଳ ବେଳେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣିପାରିବେ ।

ଗତକାଲି ସମ୍ବଲପୁରକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି ସୁନୀଲ ବଂଶଲ । ବିଭିନ୍ନ ସ୍ଥାନକୁ ଯାଇ ଆଇନଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିଥିଲେ । ଖୁବଶୀଘ୍ର ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରିବ ବୋଲି ଡିଜିପି କହିଛନ୍ତି । ହିଂସା ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି କଠୋର ହେବ ପୋଲିସ । ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଡିଜିପି । ଅନ୍ୟପଟେ ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ । ସେପଟେ ବାଇକ ରାଲି ବେଳେ ଗଣ୍ଡଗୋଳ ଘଟଣାରେ ୨୬ ଜଣ ଗିରଫ ହୋଇଥିବାବେଳେ ଶୁକ୍ରବାର ପୋଡ଼ାଜଳା ଓ ହିଂସାରେ ୩୦ ଜଣ ଗିରଫ ହୋଇଛନ୍ତି  । ଆଉ ୫୦ ଜଣଙ୍କ ତାଲିକା ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ  । ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଥିବା କହିଛନ୍ତି ଏସପି ।

କେନ୍ଦୁଝରରେ ଗାଁ ସୀମାକୁ ନେଇ ଗଣ୍ଡଗୋଳ, ଦୁଇ ପଡୋଶୀ ଗାଁ ମଧ୍ୟରେ ସଂଘର୍ଷ

କେନ୍ଦୁଝର: କେନ୍ଦୁଝରରେ ଗାଁ ସୀମାକୁ ନେଇ ଗଣ୍ଡଗୋଳ । ଦୁଇ ପଡୋଶୀ ଗାଁ ଭିତରେ ସଂଘର୍ଷରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏଥିସହ ୨ଟି କାର୍, ୧୦ଟି ବାଇକ୍ ସହ ୨୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଛି । କେନ୍ଦୁଝର ଜିଲ୍ଲାର ସୀମାନ୍ତ ଗାଁ ଓରାଳି ଓ ଭଦ୍ରକ ଜିଲ୍ଲାର ସୀମାନ୍ତ ଗାଁ ଆପଣ୍ଡା ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପୂର୍ବରୁ ବିବାଦ ଲାଗିଥିଲା । ହେଲେ ଗତକାଲି ସଂଘର୍ଷ ଉଗ୍ର ରୂପ ଧାରଣ କରିଥିଲା । ୫୩ ନମ୍ବର ରାଜ୍ୟ ରାଜପଥର ଓରାଳି ଛକ ନିକଟରେ ଓରାଳି ଗାଁର ସୂଚନା ଫଳକ ଲାଗିଥିବା ବେଳେ, ଏହି ଛକଟି ଭଦ୍ରକ ଜିଲ୍ଲାର ଓ ଆପଣ୍ଡା ଗାଁର ବୋଲି ଦାବି କରି ଆପଣ୍ଡା ଗ୍ରାମବାସୀ ଅନ୍ୟ ଏକ ସୂଚନା ଫଳକ ଲଗାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା ।

ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳରେ ଓରାଳି ସରପଞ୍ଚଙ୍କ କାର୍ ସହ ତାଙ୍କ ଘର ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆପଣ୍ଡା ଗାଁର ଅଧିକାଂଶ ଦୋକାନୀଙ୍କ ଦୋକାନ ଜାଳି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଆଜି କେନ୍ଦୁଝର ଜିଲ୍ଲାର ଓରାଳି- ଶାଳଣିଆ ରାସ୍ତାକୁ ଆପଣ୍ଡା ଗ୍ରାମବାସୀ ବନ୍ଦ କରି ରଖିଛନ୍ତି । ଭଦ୍ରକ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।

ଲୋକସେବା ଭବନରେ ୧୪ ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ୧୪ଟି ଦେଶର ମନ୍ତ୍ରୀ, ସାଂସଦଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ନୀତି ପରାମର୍ଶଦାତାଙ୍କ ସହ ମଧ୍ୟ ଆଲୋଚନା କଲେ ନବୀନ । ଏହି ଅବସରରେ ରାଜ୍ୟର କଳା, ସଂସ୍କୃତି ଓ ପ୍ରାକୃତିକ ସମ୍ପଦର ବିବରଣୀ ଦେଲେ । ଓଡ଼ିଶା ସବୁ କ୍ଷେତ୍ରରେ ପ୍ରଭାବ ପକାଇବା ଭଳି ବିକାଶ କରୁଛି । ଅର୍ଥ ବ୍ୟବସ୍ଥା ଓ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାର ଅଧିକ ବିକାଶ ହୋଇଛି । ଭାରତ ୭୫ ବର୍ଷ ଧରି ଏକ ଗଣତାନ୍ତ୍ରିକ ପରମ୍ପରାରେ ପରିଚାଳିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କଲେ ୧୪ ଦେଶର ପ୍ରତିନିଧି । ଏସିଆ କନେକ୍ଟ ସେଣ୍ଟରର ପ୍ରଫେସର ଡ. ରୋଜର ମୋଜର, ସୁଇଜରଲାଣ୍ଡର ସୋଭିନାର ଭର୍ଦନିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଆର୍ମେନିଆ ସାଂସଦ ଡିମିଟାର ତାସେଭ, ବୁଲଗେରିଆ ସାଂସଦ ୟୁଲିଆ କ୍ଲେମନକୋ, ୟୁକ୍ରେନ ଓ ସ୍ଲୋଭାକିଆ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।

ଆଜିଠୁ ରାଜ୍ୟରେ ବଦଳିବ ପାଗ, ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିବ ପାଗ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ଆଶ୍ବସ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ପୂର୍ବ ଝାଡଖଣ୍ଡରୁ ବାହାରି ଓଡ଼ିଶା ମଧ୍ୟଦେଇ ସୃଷ୍ଟି ହୋଇଥିବା ନିମ୍ନ ଚାପରେଖା ଏବଂ ଗୁରୁଚାପବଳୟ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଆଜି ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ ସମେତ ୨୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୨୦ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ । ତେବେ ବର୍ଷା ସତ୍ତ୍ବେ ଅଧିକାଂଶ ଜିଲ୍ଲାରେ ୪୦ ଉପରେ ରହିବ ପାରଦ । ଏଥିପାଇଁ ୯ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି କରାଯାଇଛି ।

 

ଦିଲ୍ଲୀ ମଦ ନୀତି ମାମଲା, ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା । ଆଜି ସିବିଆଇରେ ହାଜରେ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମଦ ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଜେରା କରିବ ସିବିଆଇ । ଦିନ ୧୧ଟାରେ ସିବିଆଇରେ ହାଜର ହେବେ କେଜ୍ରିଓ୍ବାଲ । ଏଥିପାଇଁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ମଦ ନୀତି ପରିବର୍ତ୍ତନ ନିଷ୍ପତ୍ତି, କିକବ୍ୟାକ ଆଦି ଅଭିଯୋଗ ସମ୍ପର୍କରେ ତଦନ୍ତକାରୀ ଦଳ କରିବ ଖୋଳତାଡ଼ । କୌଣସି ଏକ ମାମଲାରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ କରିବା ନିକଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।

ସେପଟେ ହାଜର ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା ସିବିଆଇ ଓ ଇଡି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମଦ ନୀତି ମାମଲାରେ ସିବିଆଇ ଓ ଇଡି ମିଛ ଅଭିଯୋଗ କରିଛନ୍ତି । ବିଭିନ୍ନ ମିଛ ଅଭିଯୋଗ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଫସାଇ ଦିଆଯାଇଛି । ଏପରିକି ଏହି ଦୁଇ କେନ୍ଦ୍ରୀୟ ସଂସ୍ଥା ମିଛ ସତ୍ୟପାଠ ବି ଦାଖଲ କରିଛନ୍ତି । ବାରମ୍ବାର ରେଡ୍ ପରେ ବି ଦୁଇ ସଂସ୍ଥା କିଛି ପାଇନାହାନ୍ତି । ବହୁ ନେତାଙ୍କୁ ଏହି ଦୁଇ ସଂସ୍ଥା ମାନସିକ, ଶାରୀରିକ  ନିର୍ଯାତନା ଦେଉଛନ୍ତି । ସେପଟେ ସିବିଆଇ କହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ରବିବାର ଜେରା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଅତିକ୍ ଅହମଦକୁ ଗୁଳି କରି ହତ୍ୟା, ଉତ୍ତେଜନା ଦୃଷ୍ଟିରୁ ୟୁପିରେ ୧୪୪ ଧାରା

ପ୍ରୟାଗରାଜ: ଗ୍ୟାଙ୍ଗଷ୍ଟର ଅତିକ ବ୍ରଦର୍ସଙ୍କ ଅପରାଧ ଦୁନିଆର ଦି ଏଣ୍ଡ । ଉତ୍ତରପ୍ରଦେଶରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ପୋଲିସ ଓ ମିଡିଆ ଉପସ୍ଥିତିରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ଅହମ୍ମଦକୁ ଗୁଳି କରି ହତ୍ୟା କଲେ ୩ ଜଣ। ସାମ୍ବାଦିକ ବେଶରେ ଆସି ଦୁଇ ଭାଇଙ୍କୁ ହତ୍ୟା କରିଛନ୍ତି ୩ ଦୃର୍ବୁତ୍ତ । ଗତକାଲି ରାତି ସାଢେ ୧୦ଟା ବେଳେ ପ୍ରୟାଗରାଜ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ସେମାନଙ୍କୁ ଗୁଳି କରିଥିଲେ ୩ ସୁଟର। ହତ୍ୟାକାଣ୍ଡ ପରେ ୩ଜଣଙ୍କୁ ଗିରଫ କରି ପଚରାଉଚରା ବେଳେ ସେମାନେ କେବଳ ଏହି ୨ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିବାକୁ ଆସିଥିବା କହିଛନ୍ତି ।

ଏହି ଗୁଳିକାଣ୍ଡରେ ଅତିକ ବ୍ରଦର୍ସଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାମ୍ବାଦିକ ଓ ଜଣେ କନଷ୍ଟେବଳଙ୍କ ଆହତ ହୋଇଛନ୍ତି । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩ ଜଣିଆ ବିଚାର ବିଭାଗୟୀ କମିଶନ ମଧ୍ୟ ଗଠନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସେହିପରି ୟୁପିର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପୋଲିସ ଉପସ୍ଥିତିରେ ଏଭଳି ହତ୍ୟାକାଣ୍ଡ ପୋଲିସର ଚରମ ଅବହେଳାକୁ ସ୍ପଷ୍ଟ କରିଛି । ଗତ ୧୩ ତାରିଖରେ ଅତିକର ପୁଅକୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା । ଅତିକ ଅହମ୍ମଦର ସ୍ତ୍ରୀ ଏବେ ବି ଫେରାର ଅଛନ୍ତି । ଅତିକ ଅହମ୍ମଦ ରାଜନେତାରୁ ଗ୍ୟାଙ୍ଗଷ୍ଟାର ପାଲଟିଥିଲା  । ଗତ ୪୦ ବର୍ଷ ହେଲା ଅପରାଧ ଦୁନିଆରେ ରାଜ କରୁଥିଲା ଅତିକ । କିନ୍ତୁ ପୋଲିସ ହେପାଜତରେ ଥାଇ ବି କିପରି ଅତିକକୁ ହତ୍ୟା କରାଗଲା ତାକୁ ନେଇ ପୋଲିସ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି ।

ଗଣମାଧ୍ୟମ ସାମ୍ନାରେ ପୋଲିସ ସୁରକ୍ଷା ଭିତରେ ମାଫିଆ ଅତିକ୍ ଓ ଭାଇ ଅସରଫକୁ ଗୁଳି ମାରି ହତ୍ୟା

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଦୁଇ ଜଣ ମାଫିଆଙ୍କୁ ଗୁଳି କରି ହତ୍ୟା । ଅତିକ ଓ ଅସରଫକୁ ଗୁଳି ମାରି ହତ୍ୟା । ଅତିକ ଓ ଭାଇ ଅସରଫକୁ ପ୍ରୟାଗରାଜ ମେଡିକାଲ କଲେଜ ନିକଟରେ ଗୁଳି କରି ହତ୍ୟା କରାଯାଇଛି । ମେଡିକାଲ ନିଆଯାଉଥିବା ବେଳେ ଗୁଳି ମାରି ହତ୍ୟା । ରାଜନେତାରୁ ଗୁଣ୍ଡା ପାଲଟିଥିବା ଅତିକ ଅହମ୍ମଦକୁ ହତ୍ୟା । କିଛି ଦିନ ତଳେ ଅତିକର ପୁଅକୁ ଏନକାଉଣ୍ଟର କରାଯାଇଥିଲା ।

ଉମେଶ ପାଲ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିଲା ଅତିକ୍ । ସୂଚନା ମୁତାବକ କେହି ହଠାତ ପଛପଟୁ ଆସି ଗୁଳି କରି ପଳାଇଥିଲେ । ପୋଲିସ ଗିରଫ କରିପାରିନଥିଲା । ଡିସିପିଙ୍କ କହିବା ଅନୁସାରେ, ମାମଲାରେ ବର୍ତ୍ତମାନ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ ସେ ଆଉ କିଛି କହିବା ପାଇଁ ମନା କରିଦେଇଥିଲେ । ଦୁଇ ଅଭିଯୁକ୍ତଙ୍କୁ ମେଡିକାଲ ଯାଞ୍ଚ ପାଇଁ ପ୍ରୟାଗରାଜ ମେଡିକାଲ ନିଆଯାଉଥିଲା । ସେମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ ।

ଏହି ସମୟରେ ଅଚନାକ କିଛି ଲୋକ ଆସିଥିଲେ ଏବଂ ଅତିକଙ୍କ ମୁଣ୍ଡରେ ଗନ୍ ରଖି ଫାୟାରିଙ୍ଗ କରିଥିଲେ ଏବଂ ଏହାପରେ ଅସରଫ ଉପରକୁ ଫାୟାରିଙ୍ଗ କରିଥିଲା । କୁହାଯାଉଛି ଯେ ମୋଟ୍ ୧୦ ରାଉଣ୍ଡ ଫାୟାରିଙ୍ଗ ହୋଇଥିଲା । ଏହି ମାମଲାରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆକ୍ରମଣ କରିବା ପୂର୍ବରୁ କିଛି ଲୋକ ନାରାବାଜୀ ମଧ୍ୟ କରିଥିଲେ । ପୋଲିସ କହିବା ମୁତାବକ, ମାମଲାରେ ଗିରଫ ତିନି ଅଭିଯୁକ୍ତ ସାମ୍ବାଦିକଙ୍କ ଭିଡ ଭିତରୁ ବାହାରିଥିଲେ ଏବଂ ଅତିକ ଓ ଅସରଫକୁ ଗୁଳି କରି ହତ୍ୟା କରିବା ପରେ ନିଜ ହାତ ଉପରକୁ ଟେକି ଆତ୍ମସମର୍ପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରୟାଗରାଜର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଦିନେଶ ଗୌତମଙ୍କ କୋର୍ଟ ଉମେଶ ପାଲ ହତ୍ୟା ମାମଲାରେ ଗୁରୁବାର ଅତିକ ଏବଂ ଅସରଫକୁ ୧୩ ଏପ୍ରିଲରୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇ ଦେଇଥିଲେ ।

ସମ୍ବଲପୁରରେ ପରୀକ୍ଷାର୍ଥୀଙ୍କ ପାଇଁ ଆସନ୍ତାକାଲି କର୍ଫ୍ୟୁ କୋହଳ

ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁରରେ ହେବ ଏଏସଓ ଓ ସିଡିଏସ ପରୀକ୍ଷା । ଏଥିପାଇଁ ପରୀକ୍ଷାର୍ଥୀଙ୍କ ପାଇଁ କୋହଳ କରାଯାଇଛି କର୍ଫ୍ୟୁ । ସକାଳ ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ନିର୍ଦ୍ଦିଷ୍ଟ ବସରେ ପରୀକ୍ଷା ପାଇଁ ଯିବାଆସିବା କରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ଯୋଗାଇ ଦେବ ବସ୍ । କ୍ଷେତରାଜପୁର ରେଳ ଷ୍ଟେସନରୁ ବାହାରିବ ୩ଟି ବସ୍ ।

ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ପରୀକ୍ଷାର୍ଥୀଙ୍କୁ ଅଣାଯିବ । ସିଟି ରେଳଷ୍ଟେସନରୁ ଗୋଟିଏ, ଅଇଁଠାପାଲି ବସଷ୍ଟାଣ୍ତରୁ ୩ବସ୍ ବାହାରିବ । ASO ଓ CDS ପରୀକ୍ଷାର୍ଥୀ ଆଡମିଟ କାର୍ଟ ଆଣିବାକୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ପେଡ ଲଞ୍ଚର ବ୍ୟବସ୍ଥା କରିଛି ପ୍ରଶାସନ । କର୍ଫ୍ୟୁ କୋହଳ ବେଳେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣିପାରିବେ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜି୍ଲାପାଳ ଅନନ୍ୟା ଦାସ ।