spot_img
Home Blog Page 3222

୩ଶହ ଫୁଟ ଗଭୀର ବୋରୱେଲକୁ ଖସିପଡ଼ିଲା ଅଢ଼େଇ ବର୍ଷର ଶିଶୁ

ସିହୋର: ପୁଣି ବୋରୱେଲରେ ଫସିଲା ଜୀବନ । ମଧ୍ୟପ୍ରଦେଶର ସିହୋରରରୁ ଆସିଛି ଏଭଳି ଅଭାବନୀୟ ଘଟଣା । ବୋରୱେଲରେ ଫସିରହିଛି ଜଣେ ଅଢ଼େଇ ବର୍ଷର ଶିଶୁ । ୩୦୦ଫୁଟ ଗଭୀର ବୋରୱେଲରେ ଫସି ରହିଛି ଶିଶୁ କନ୍ୟା । ପ୍ରାଥମିକ ସୂଚନାନୁସାରେ, ପଡ଼ିଶା ଘର ପାଖ କ୍ଷେତରେ ଖେଳୁଥିବା ସମୟରେ ଖୋଲା ବୋରୱେଲକୁ ଖସିପଡ଼ିଛି ଶିଶୁଟି । ଖବର ମିଳିବା କ୍ଷଣି ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାନୁଯାୟୀ, ସିହୋର ଅଞ୍ଚଳର ନିବାସୀ ରାହୁଲଙ୍କ ଅଢ଼େଇ ବର୍ଷର ଝିଅ ରାନୀ କ୍ଷେତରେ ଖେଳିବା ସମୟରେ ପଡ଼ିଶାଘରର ଏକ ଖୋଲା ବୋରୱେଲକୁ ଖସିପଡ଼ିଥିଲା । ଏହି ବୋରୱେଲ ତିନି ମାସ ତଳେ ଖୋଳାଯାଇଥିଲା ଏବଂ ସେବେଠୁ ଖୋଲା ରହିଥିଲା । ଖବର ପାଇବା କ୍ଷଣି ସ୍ଥାନୀୟ ପ୍ରଶାସନ ଏବଂ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହିତ ସେମାନେ ସଙ୍ଗେ ସଙ୍ଗେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଥିଲେ । ବୋରୱେଲ ଟି ଅଧିକ ଗଭୀର ଥିବାରୁ ଉଦ୍ଧାର କରିବାରେ ସମସ୍ୟା ହେଉଛି ।

ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା, ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି । ୨୮୮ ଛୁଇଁଲା ମୃତ୍ୟୁସଂଖ୍ୟା । ବାଲେଶ୍ବର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ପରେ ମୃତ୍ୟୁସଂଖ୍ୟା ୨୮୮ ହୋଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବାଲେଶ୍ୱରରୁ ଭୁବନେଶ୍ୱରକୁ ୧୯୩ ମୃତଦେହ ଆସିଥିଲା । ଭୁବନେଶ୍ବରରୁ ଏବେସୁଦ୍ଧା ୧୧୦ ମୃତଦେହ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବାଲେଶ୍ୱରରେ ୯୪ଟି ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ଭଦ୍ରକ ଜିଲ୍ଲାରେ ଜଣେ ମୃତକଙ୍କ ମୃତଦେହ ପରିଜନଙ୍କୁ ହସ୍ତାନ୍ତର ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସମୁଦାୟ ୨୦୫ ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୮୩ଟି ମୃତଦେହ ଏଯାଏ ଚିହ୍ନଟ ହୋଇପାରିନାହିଁ । ଚିକିତ୍ସାଧୀନ ଥିବା ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ରହିଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ବାହାନଗା ଟ୍ରେନ ଟ୍ରାଜେଡି: ରେଳ ମନ୍ତ୍ରାଳୟର ଆବେଦନ ଆଧାରରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି । ରେଳ ମନ୍ତ୍ରାଳୟର ଆବେଦନ ଆଧାରରେ ମାମଲା ରୁଜୁ କଲା ସିବିଆଇ । ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପିଠାରୁ ତଦନ୍ତ ଭାର ନେଇଛି ସିବିଆଇ । ଘଟଣାକୁ ନେଇ ପୂର୍ବରୁ ବାଲେଶ୍ବର ଜିଆରପି ଥାନାରେ ମାମଲା ରୁଜୁ ହୋଇଥିଲା । ସକାଳୁ ବାହାନଗା ଷ୍ଟେସନରେ ସିବିଆଇର ୧୦ ଜଣିଆ ଟିମ୍ ଛାନବିନ୍ କରିଥିଲା ।

ଦୁର୍ଘଟଣା ସ୍ଥଳ ସହ ଷ୍ଟେସନରେ ସରଜମିନ ଅନୁଧ୍ୟାନ କରିଥିଲା । ଷ୍ଟେସନ ମ୍ୟାନେଜରଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ ପଚରାଉଚରା କରାଯାଇଥିଲା । ସିବିଆଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି । କେମିତି ଓ କେଉଁ ପରିସ୍ଥିତିରେ ଟ୍ରେନ୍ ଦୁର୍ଘଟଣା ହେଲା, ସେନେଇ ତଥ୍ୟ ନେଇଛନ୍ତି ସିବିଆଇ ଟିମ୍ । ଅପରେଟିଂ ସିଷ୍ଟମରେ ସମସ୍ୟା ଥିଲା କି, ସେ ସବୁର ଯାଞ୍ଚ ହୋଇଛି । ଷ୍ଟେସନର ସିଗନାଲ ରୁମ୍‌ରେ କରାଯାଇଛି ଛାନବିନ ।

ଏହାପରେ ଷ୍ଟେସନରେ ଥିବା ରିଲେ ରୁମରେ ମଧ୍ୟ ତଦନ୍ତ କରାଯାଇଛି । ଦୁର୍ଘଟଣା ଦିନ କିଭଳି ଭାବେ ଏହି ରୁମରେ ପରିଚାଳନା କରାଯାଇଥିଲା । କେଉଁମାନେ ସେଦିନ ଉପସ୍ଥିତ ଥିଲେ, କେଉଁମାନେ ଅପରେଟ୍ କରୁଥିଲେ । ସେନେଇ ଟିକିନିଖି ତଥ୍ୟ ନେବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛି ସିବିଆଇ ଟିମ୍ । ଦୁର୍ଘଟଣା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି କି ? ସେସବୁର ତଦନ୍ତ କରୁଛନ୍ତି ସିବିଆଇ ଟିମ୍ ।

ବାହାନଗା ରେଳ ଦୁର୍ଘଟଣା: ୩୯ ମୃତକଙ୍କ ପରିବାର ପାଇଲେ ୧.୯୫ କୋଟି

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି । ୭ଟି ଜିଲ୍ଲାର ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ସହାୟତା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

ଟଙ୍କା ଲୋଭ; ମିଛ ସ୍ତ୍ରୀ ଅଭିନୟ, ମୋ ସମ୍ମାନ ଗଲା

କଟକ: ସ୍ୱାମୀଙ୍କୁ ମୃତ ଦର୍ଶାଇ ବାହାନଗା ଟ୍ରେନ ଦୁର୍ଘଟଣାରେ ଟଙ୍କା ହାତେଇବା ଉଦ୍ୟମ ଘଟଣାରେ ନୂଆ ଟ୍ବିଷ୍ଟ  । ପତ୍ନୀଙ୍କ ବିରୋଧରେ ଏତଲା ଦେଲେ ସ୍ବାମୀ ବିଜୟ ଦତ୍ତ। ମାଣିଆବନ୍ଧ ଥାନାରେ ବିଜୟ ଏତଲା ଦେଇଛନ୍ତି । ଟଙ୍କା ଲୋଭରେ ମୃତ ବ୍ୟକ୍ତିଙ୍କୁ ସ୍ୱାମୀ ବନାଇବା ନେଇ ସାଂଘାତିକ ଖେଳ ଖେଳିଛନ୍ତି ବୋଲି ସେ ଲିଖିତ ଅଭିଯୋଗ କରିଛନ୍ତି।

ନିଜର ସମ୍ମାନ ହାନି ହେବା ସହ ବଡ଼ମ୍ବା ମାଣିଆବନ୍ଧ ଅଞ୍ଚଳର ସମ୍ମାନ ହାନି ଘଟିଛି। ତେଣୁ ତୁରନ୍ତ ପତ୍ନୀ ଗୀତାଞ୍ଜଳି ଦତ୍ତଙ୍କୁ ଗିରଫ ପାଇଁ ବିଜୟ ଥାନାରେ ଗୁହାରୀ କରିଛନ୍ତି। ତେବେ ଗତ ୪ ତାରିଖରୁ ପତ୍ନୀ ଗୀତାଞ୍ଜଳି କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି ବୋଲି ସେ ଦର୍ଶାଇଛନ୍ତି ।

ଏପଟେ ସେହି ୪ ତାରିଖ ଦିନ ଗୀତାଞ୍ଜଳି ଶବକୁ ନେଇ ସାଂଘାତିକ ଖେଳ ଖେଳିବାକୁ ଯାଇ ଧରାପଡିଥିଲେ । ବାହାନଗା ରେଳ ଦୁର୍ଘଟଣା ପରି ବିପତ୍ତି ସମୟରେ ସହାୟତା ରାଶି ହଡ଼ପ ପାଇଁ ଗୀତାଞ୍ଜଳି ଚକ୍ରାନ୍ତ କରିଥିଲେ । ଟଙ୍କା ପାଇଁ ମୃତ ବ୍ୟକ୍ତିଙ୍କୁ ସ୍ବାମୀ ବୋଲି ପରିଚୟ ଦେଇଥିଲେ ମହିଳା । ବାଲେଶ୍ବର ନୋସି ବିଜନେସ ପାର୍କ ପରିସରରେ ଏହି ଘଟଣା ଘଟିଥିଲା ।

ଅନେକ ସମ୍ପର୍କୀୟ ମୃତକଙ୍କୁ ଚିହ୍ନଟ କରୁଥିବାବେଳେ ହଠାତ ପହଞ୍ଚି କାନ୍ଦବୋବାଳି କରିଥିଲେ ଗୀତାଞ୍ଜଳି । ନିଜ ସ୍ବାମୀ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା କହିଥିଲେ । ସ୍ବାମୀ ବିଜୟ ଦତ୍ତଙ୍କର ରେଳ ଦୁର୍ଘଟଣାରେ  ମୃତ୍ୟୁ ହୋଇଥିବା ନେଇ ମିଛ କହିଥିଲେ। ଏମିତିକି ଏକ ଶବ ଉପରୁ ଧଳା କପଡ଼ା ଉଠାଇ ନିଜ ସ୍ବାମୀ ବୋଲି ଦର୍ଶାଇଥିଲେ।

ପରେ ସ୍ବାମୀଙ୍କ ଆଧାରକାର୍ଡ ସହିତ, ପୂର୍ବ ଫଟୋ, ଏବଂ ସ୍ବାମୀଙ୍କ ନାମ ଥାଇ ଆଧାର କାର୍ଡ ମାଗିବା ପରେ ଅକଳରେ ପଡ଼ିଯାଇଥିଲେ। ପଚରାଉଚରା ପରେ ଗୀତାଞ୍ଜଳିଙ୍କର ଚାଲବାଜି ଧରାପଡ଼ିଯାଇଥିଲା। ପରେ ଜିଆରପି ତାଙ୍କୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସେ।

କଟକ ଏସସିବି ମେଡିକାଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ

କଟକ: ଓଡିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକ ଏସସିବି ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ଦିଦି । ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏସସିବିରେ ପଶ୍ଚିମବଙ୍ଗର ୫୩ ଜଣ ଯାତ୍ରୀ ଚିକିତ୍ସିତ ହେଉଛନ୍ତି ।

ସେହିପରି ପଶ୍ଚିମବଙ୍ଗର ୨ ଜଣ ମନ୍ତ୍ରୀ ଭୁବନେଶ୍ବର ଏମ୍ସରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆହତଙ୍କ ଚିକିତ୍ସା ସମ୍ପର୍କରେ ସମୀକ୍ଷା କରିଛନ୍ତି । ବାହାନଗା ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ବହୁ ଯାତ୍ରୀ ମୃତାହତ ହୋଇଥିଲେ। ଗତ ୩ ତାରିଖ ଦିନ ସେ ବାହାନଗା ପରିଦର୍ଶନ କରିବା ସହ ଆହତଙ୍କୁ ଭେଟିଥିଲେ ମମତା।

ବ୍ରିଜଭୂଷଣ ଶରଣ ସିଂଙ୍କ ବାସଭବନରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ରେସଲର ଭର୍ସେସ ଫେଡେରେସନ ବିବାଦ। କୁସ୍ତି ସଂଘ ସଭାପତିଙ୍କ ଘରେ ଦିଲ୍ଲୀ ପୋଲିସ। ଉତ୍ତରପ୍ରଦେଶ ଗୋଣ୍ଡାସ୍ଥିତ ବ୍ରିଜଭୂଷଣ ଶରଣ ସିଂଙ୍କ ବାସଭବନରେ ପହଞ୍ଚିଛି ଦିଲ୍ଲୀ ପୋଲିସର ଏକ ଟିମ୍ । ଯୌନ ଶୋଷଣ ଅଭିଯୋଗ ପ୍ରସଙ୍ଗରେ ପୋଲିସ ୧୨ଜଣଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି। ହେଲେ ବ୍ରିଜଭୂଷଣଙ୍କୁ ପୋଲିସ ଜେରା କରିଛି କି ନାହିଁ ସେ ସମ୍ପର୍କରେ ଜଣାପଡ଼ିନାହିଁ।

କୁସ୍ତି ସଂଘ ସଭାପତି ତଥା ବିଜେପି ବାହୁବଳି ନେତା ବ୍ରିଜଭୂଷଣଙ୍କ କେତେଜଣ ସମର୍ଥକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିବା ଜଣାପଡ଼ିଛି। କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏବେସୁଦ୍ଧା ୧୩୭ଜଣଙ୍କ ବୟାନ ରେକର୍ଡ କରିଛି। ସେପଟେ ଆସନ୍ତା ୯ ତାରିଖରେ ହେବାକୁ ଥିବା ଦେଶବ୍ୟାପୀ ଆନ୍ଦୋଳନକୁ ଖାପ୍ ପଞ୍ଚାୟତ ପକ୍ଷରୁ ସ୍ଥଗିତ ରଖାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ଏପ୍ରିଲ ୨୮ତାରିଖରେ ଦିଲ୍ଲୀର କନ୍ନୌଟ ଥାନାରେ ବ୍ରିଜଭୂଷଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା ।

ବିଜେପି ନେତାଙ୍କ ଫ୍ଲାଟରେ ମିଳିଲା ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ

ଭୁବନେଶ୍ୱର: ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ମିଳିଲା ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ । ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ବରଗଡ ପାଇକମାଳର ହୀରାପୁରର ଧନୁର୍ଜୟ ପାଣ୍ଡେ । ୫ବର୍ଷ ହେଲା ପ୍ରଦୀପଙ୍କ ଘରେ କାମ କରୁଥିଲେ ଧନୁର୍ଜୟ । ଲକ୍ଷ୍ମୀସାଗର ଭବାନୀ ଆପାର୍ଟମେଣ୍ଟରେ ପ୍ରଦୀପଙ୍କ ସହ ରହୁଥିଲେ ଡ୍ରାଇଭର ଧନୁର୍ଜୟ ।

ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ସେନେଇ ସ୍ପଷ୍ଟ ହୋଇନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଫ୍ଲାଟକୁ ସିଲ୍ କରିଛି। ମୃତ୍ୟୁ ଘଟଣାର ସମସ୍ତ ଦିଗ ନେଇ ତଦନ୍ତ ଚାଲିଛି ।

ବାଗେଶ୍ୱର ବାବା ଜାଣିଥିଲେ କି ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ? ଏମିତି ଦାବି କଲେ…

ନୂଆଦିଲ୍ଲୀ: ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଯଦି ସେ ଭବିଷ୍ୟ ଦେଖିପାରନ୍ତି, ତେବେ ସେ ବାହାନଗା ଟ୍ରେନ ଦୁର୍ଘଟଣା ବିଷୟରେ କାହିଁକି ଜଣାଇ ପାରିଲେ ନାହିଁ ବୋଲି କହି ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି ।

ପ୍ରସିଦ୍ଧ ଧାର୍ମିକ ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରୁଛନ୍ତି ଯେ, ଆପଣଙ୍କ ଶକ୍ତି ଭାରତରେ ହେବାକୁ ଥିବା ବଡ଼ ଘଟଣା ବିଷୟରେ ସଙ୍କେତ ଦେଇପାରେ କି ? ଉତ୍ତରରେ ସେ କହୁଛନ୍ତି ହଁ । ହେଲେ ବଡ଼ ଘଟଣା ବିଷୟରେ ସଙ୍କେତ ମିଳିବା ଏବଂ ଏହାକୁ ରୋକିବା ୨ଟା ଭିନ୍ନ କଥା । ଭଗବାନ କୃଷ୍ଣ ମହାଭାରତ ହେବ ବୋଲି ଜାଣିଥିଲେ, କିନ୍ତୁ ସେ ଏହାକୁ ରୋକି ପାରିନଥିଲେ । ତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି । ଯଦି ବାବା ଭବିଷ୍ୟ ଦେଖିପାରନ୍ତି, ତେବେ ବାଲେଶ୍ବରରେ ହୋଇଥିବା ଟ୍ରେନ ଦୁର୍ଘଟଣା ବିଷୟରେ କାହିଁକି ଜଣାଇଲେ ନାହିଁ । ଜଣାଇଥିଲେ ଦୁର୍ଘଟଣାକୁ ରୋକାଯାଇପାରିଥାନ୍ତା ବୋଲି କହି ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି।

ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କର ଚମତ୍କାରିତା ପାଇଁ ଗତ କିଛି ମାସ ହେଲାଣି ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ସେ ସମସ୍ତଙ୍କ ଅତୀତକୁ ଦେଖି ପାରୁଥିବା ଦାବି କରନ୍ତି । ବେଳେବେଳେ ସେ ଭବିଷ୍ୟବାଣୀ ମଧ୍ୟ କରୁଥିବା ଦେଖାଯାଏ ।

 

ବାହାନଗା ଟ୍ରେନ ଦୁର୍ଘଟଣା: ଚାଲିଛି ମୃତ ଯାତ୍ରୀଙ୍କ ଶବ ଚିହ୍ନଟ ପ୍ରକ୍ରିୟା

ବାହାନଗା: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବ ଚିହ୍ନଟ ପ୍ରକ୍ରିୟା ଜୋରସୋରରେ ଚାଲିଛି । ଭୁବନେଶ୍ବରରୁ ଆସିଥିବା ୧୯୩ ମୃତଦେହରୁ ଏବେସୁଦ୍ଧା ୯୬ ମୃତଦେହ ଚିହ୍ନଟ ସହ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇସାରିଛି । ସେଥିରୁ ଏମ୍ସରେ ଥିବା ୧୨୩ ମୃତଦେହରୁ ୭୦ ମୃତଦେହ ପଠାସରିଛି । ସେହିପରି କିମ୍ସରେ ଥିବା ୨୦ ମୃତଦେହରୁ ୭ ମୃତଦେହ ଚିହ୍ନଟ ରହିଛି । ସମ୍‌ରେ ୨୦ ମୃତଦେହରୁ ୯ ମୃତଦେହ ପରିବାରକୁ ପଠାଯାଇଛି । ଆମ୍ରିରେ ଥିବା ୬ଟି ମୃତଦେହରୁ ୩ଟି ଆଇଡେଣ୍ଟିଫାଏ ସରିଛି।

ସେହିପରି କ୍ୟାପିଟାଲ ହସ୍ପିଟାଲରେ ୫ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ହାଇଟେକ୍ ମେଡିକାଲରେ ଥିବା ୧୪ ମୃତଦେହରୁ ୨ଟି ମୃତଦେହ ଚିହ୍ନଟ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ଏହାସହ ଶବ ଚିହ୍ନଟରେ ବିଳମ୍ବ ହେଉଥିବାରୁ ଶବ ସଂରକ୍ଷଣ ପାଇଁ ଏମ୍ସରେ ସମସ୍ତ ପ୍ରକାରର ବୈଜ୍ଞାନିକ ବ୍ୟବସ୍ଥା କରାଯାଇଛି । ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କ୍ଷେତ୍ରରେ ସମସ୍ତ ସହଯୋଗ ଲାଗି ପଦକ୍ଷେପ ନିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ଏମ୍ସରେ ୨୪ ଘଣ୍ଟା ଫରେନ୍ସିକ ଲ୍ୟାବ ଖୋଲା ରହୁଛି । ଶବ ଚିହ୍ନଟରେ ଦ୍ବନ୍ଦ୍ବ ହେଲେ ଡିଏନଏ ପରୀକ୍ଷା କରାଯିବ । ରେଲୱେ ପକ୍ଷରୁ ଶବ ଖୋଜା ପାଇଁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ତାହାହେଲା- ୮୪୫୫୮୮୫୯୯୯ ଓ ୦୬୭୪- ୨୫୩୪୦୨୭ । ଦୁଇ ଜଣ ଲୋକୋ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ସେ କହିଛନ୍ତି ।