spot_img
Home Blog Page 3228

ପଶ୍ଚିମ ଓଡିଶାକୁ ହିଟ୍‌ ଆଲର୍ଟ, ୩ରୁ ୫ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା

ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଖରା । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ । ୪୦ ଡିଗ୍ରୀ ଉପରେ ରାଜ୍ୟର ଅଧାରୁ ଅଧିକ ସହର । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଆଜି ପ୍ରବଳ ତାତି ପାଇଁ ୮ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ବିଶ୍ବର ସବୁଠୁ ଉତ୍ତପ୍ତ ସହର ତାଲିକାର ଶୀର୍ଷରେ ଥିଲା ବାରିପଦା । ଏଠାରେ ତାପମାତ୍ରା ଥିଲା ୪୩. ୫ ଡିଗ୍ରୀ ସେଲସିୟସ ।

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାକୁ ହିଟ୍ ଆଲର୍ଟ ଜାରି ହୋଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ । ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟରେ ସ୍ବାଭାବିକ୍ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ୧୬ ତାରିଖରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି ।

ଆଜିଠୁ ସାତ ଦିନ ସୁନାବେଶରେ ଦର୍ଶନ ଦେବେ ମା’ ତାରିଣୀ

କେନ୍ଦୁଝର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପୀଠରେ ଚାଲିଛି ମା’ଙ୍କ ୮୭ ତମ ଚଇତି ପର୍ବ  । ଏହି ପର୍ବରେ ମା ୭ ଦିନ ଧରି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି  । ବିଶ୍ୱାସ ଅଛି ମା’ଙ୍କ ଏହି ସୁନାବେଶ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ  । ଚଇତି ପର୍ବର ଶେଷ ଦିନରେ ପାଳନ କରାଯାଇଥାଏ ମହାବିଷୁବ ପଣା ସଂକ୍ରାନ୍ତି  ।

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି  । ୨ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଅଫିସର ୫୦ ଜଣ ହୋମଗାର୍ଡ ମୁତୟନ ହୋଇଛନ୍ତି । ଏଥିସହିତ ୪୦ଜଣ ପୂଜକ ମଧ୍ୟ ନିୟୋଜିତ ହୋଇଛନ୍ତି  । ସକାଳ ୫ଟାରୁ ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାର ଫିଟା ରହିଛି ।

ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ଭଦ୍ରକ: ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆରଡି ଆଖଣ୍ଡଳମଣିଙ୍କ ପୀଠରେ ବୈଶାଖୀବ୍ରତ ଆରମ୍ଭ ହୋଇଛି । ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ଭୋର ୪ଟାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଆଗନ୍ତୁକ ଶ୍ରଦ୍ଧାଳୁ ଓ ଗୋପାଳ ଭକ୍ତଙ୍କ ଶୃଙ୍ଖଳିତ ଜଳାଭିଷେକ ପାଇଁ ମନ୍ଦିର ଭିତରେ ଓ ବାହାରେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଭକ୍ତମାନେ ଧାଡିରେ ଆସି ବାବାଙ୍କୁ ଦର୍ଶନ କରିବା ସହ ଜଲଲାଗି କରୁଛନ୍ତି। ମଧ୍ୟାହ୍ନ ପର୍ଯ୍ୟନ୍ତ ଘର୍ଷଣ ଓ ପଣାଭୋଗ ଲାଗି କରାଯିବା ସହ ଅପରାହ୍ଣରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ।

ଦେଉଳରୁ ବାହାରି ଆଜି ଜଗନ୍ନାଥ ବହ୍ଲବ ମଠକୁ ଯିବେ ହନୁମାନ

ପୁରୀ: ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହୁଏ । ତୁଳସୀ ଚଉରା ଉପରେ ଚାଞ୍ଚେରା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ । ଛେନା, କ୍ଷୀର, ଗୁଡ଼ ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଲାଗି କରାଯାଏ । ଆଜିଠୁ ରାସ୍ତାକଡ଼ରେ ପଥିକଙ୍କ ପାଇଁ ଖୋଲେ ଜଳଛତ୍ର । ଆଜି ମହାବୀର ଜୟନ୍ତୀ ମଧ୍ୟ ପାଳନ କରାଯାଏ । ଶ୍ରୀହନୁମାନଙ୍କ ନାମ ଜପ, ଚାଳିଶା ପାଠ କଲେ ସକଳ ବ୍ୟାଧିରୁ ମୁକ୍ତି ମିଳେ ।

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୁଏ । ସକାଳ ଧୂପ ନୀତି ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଏ । ପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ବିଜେ କରାଯାଏ । ବିମାନ ବଡ଼ୁ ସେବକ ଜଗନ୍ନାଥ ବହ୍ଲବ ମଠକୁ ନିଅନ୍ତି । ସବୁ ନୀତିକାନ୍ତି ସରିବା ପରେ ଶ୍ରୀହନୁମାନଙ୍କ ବାହୁଡ଼ା ବିଜେ କରି ଦେଉଳକୁ ଅଣାଯାଏ । ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଆନନ୍ଦ ଉଲ୍ଲାସର ଦିନ  ।

ଆଜି ବର୍ଷର ପ୍ରଥମ ସଂକ୍ରାନ୍ତି, ପଣା ଭୋଗର ବାସ୍ନାରେ ମହକୁଛି ଗାଁ ଠୁ ସହର

ଭୁବନେଶ୍ବର: ଓଡ଼ିଆ ସଂସ୍କୃତି ଓ ଭାବନାର ଦିନଟିଏ । ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ବର୍ଷର ପ୍ରଥମ ସଂକ୍ରାନ୍ତି । ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ଅବସରରେ ଆଜିଠୁ ଆରମ୍ଭ ଓଡିଆ ନବବର୍ଷ । ସ୍ୱତନ୍ତ୍ର ପୂଜା, ଭୋଗ, ହୋମରେ ମହକୁଛି ପରିବେଶ । ପାରମ୍ପରିକ ରୀତିନୀତି ଅନୁସାରେ ଓଡ଼ିଶାରେ ଘରେ ଘରେ ପଣା ଭୋଗର ମହକ ।

ନୂଆବର୍ଷ ପାଳନ ସହ ବେଲ, ଦହି, ଗୁଡ଼, କଦଳୀ ଓ ନଡିଆ ପଣା ସବୁରି ପ୍ରାଣରେ ଖେଳାଇଥାଏ ପୁଲକ । ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ମନ୍ଦିରରେ ଛତୁଆ ଓ ପଣା ଭୋଗର ବିଧି ବି ହେଉଛି ପାଳନ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ବି ହୋଇଥାଏ ପ୍ରଚଳନ । ବିଶ୍ବାସ ରହିଛି ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖିଲେ ମିଳିଥାଏ ଅଶେଷ ପୁଣ୍ୟ । ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ ।

ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବି କୁହାଯାଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ବି ପାଳନ କରାଯାଏ ହନୁମାନ ଜୟନ୍ତୀ । ସଂକ୍ରାନ୍ତି ପର ଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ସଂକ୍ରାନ୍ତିର ଅନ୍ୟ ନାମ ବି ରହିଛି ଜଳ ସଂକ୍ରାନ୍ତି । କାଳ କାଳର ପରମ୍ପରା ଅନୁସାରେ ଆଜି ଉଦଯାପିତ ହୋଇଥାଏ ଝାମୁଯାତ୍ରା । ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ଯାତ୍ରାର ଅନ୍ତ ଭାବେ କଠୋର ତାପ ସହ୍ୟ କରିବାର ଶକ୍ତିର ଉଦାହରଣ ଦେଇଥାନ୍ତି ବ୍ରତଧାରୀ ।

ମେରୁ ଯାତ୍ରା ଉତ୍ସବମୁଖର ହୋଇଥାଏ ଦକ୍ଷିଣ ଓଡିଶା ସମେତ ଅନ୍ୟାନ୍ୟ ଜିଲ୍ଲା । କେବଳ ଓଡ଼ିଶାରେ ନୁହେଁ, ବିଦେଶରେ ବି ହିନ୍ଦୁଧର୍ମାବଲମ୍ବୀଙ୍କ ଲାଗି ପବିତ୍ର ଦିନଟିଏ ପଣା ସଂକ୍ରାନ୍ତି । ଆଜିର ଦିନରେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜର ମନସ୍କାମନା ପୂରଣ କରିଥାନ୍ତି ଭକ୍ତ । ଆଜି ବି ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି ।

ପୁରୀ ମଶାଣିଚଣ୍ଡୀ ଛକରେ ବୁଲିଲା ଖଣ୍ଡା, ଆକ୍ରମଣରେ ଜଣେ ବ୍ୟବସାୟୀ ଆହତ

ପୁରୀ: ପୁରୀ ମଶାଣିଚଣ୍ଡୀ ଛକରେ ବୁଲିଲା ଖଣ୍ଡା । ଆକ୍ରମଣରେ ଜଣେ ବ୍ୟବସାୟୀ ଆହତ ହୋଇଛନ୍ତି । ଆକ୍ରମଣରେ ଗୁରୁତର ହୋଇଥିବା ମନୋରଞ୍ଜନ ପଟ୍ଟନାୟକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାରିବାରିକ ବିବାଦରୁ ତାଙ୍କ ଭିଣୋଇ ଟୁନା ବାରିକ ଆକ୍ରମଣ କରିଥିବା ସୂଚନା ମିଳିଛି । ମଶାଣିଚଣ୍ଡୀ ଛକର ମନୋରଞ୍ଜନଙ୍କର ଏକ ହାର୍ଡୱେୟାର ଦୋକାନ ରହିଛି । ଆଜି ସେ ଦୋକାନ ବନ୍ଦ କରି ଘରକୁ ଆସୁଥିବା ବେଳେ, ଭିଣୋଇ ଟୁନା ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ବାସେଳୀ ସାହି ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

ସମ୍ବଲପୁରରେ କଟକଣାରେ ହେବ ହନୁମାନ ଜୟନ୍ତୀ, ସହରରେ ୪୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

ସମ୍ବଲପୁର: ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲିରେ ପୋଲିସ ଉପରକୁ ଆକ୍ରମଣ ଘଟଣାର ତଦନ୍ତ ଜାରି । ସମ୍ବଲପୁର ଡିଆରଡିଏ ହଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଶାନ୍ତି କମିଟି ବୈଠକରେ ସହରର ବିଭିନ୍ନ କମିଟି ଯୋଗ ଦେଇଥିବାବେଳେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ବର୍ଜନ କରିଥିଲା । ଏହାପରେ ସହରରେ ପୋଲିସର ଫ୍ଲାଗମାର୍ଚ୍ଚ କରାଯାଇଛି । ଆସନ୍ତାକାଲି କଟକଣା ମଧ୍ୟରେ ଶୋଭାଯାତ୍ରା ବାହାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉତ୍ତରାଞ୍ଚଳ ଡିଆଜିଙ୍କ ନେତୃତ୍ବରରେ ସହରରେ ୪୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଜଣେ ଏସପି, ୯ଜଣ ଏଏସପି, ୨୭ ଜଣ ଡିଏସପି ମୁତୟନ ରହିବେ ।

ସିସିଟିଭି ଓ ଡ୍ରୋନ୍ ମାଧ୍ୟମରେ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ପୋଲିସ ନଜର ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଗତକାଲି ବାଇକ ଶୋଭାଯାତ୍ରା ବେଳେ ପଥରମାଡ଼କୁ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ୩୬ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଇଁ ଆହ୍ବାନ ଦେଇଛି ହନୁମାନ ଜୟନ୍ତୀ ସମନ୍ବୟ ସମିତି । ଆଜି ଅପରାହ୍ଣ ୩ଟାରୁ ଆସନ୍ତାକାଲି ସଂଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ବଲପୁର ବନ୍ଦ ରଖିବାକୁ ଆହ୍ବାନ ଦେଇଛନ୍ତି ହନୁମାନ ଜୟନ୍ତୀ ସମନ୍ବୟ ସମିତିର ସଭାପତି ରାଜକୁମାର ବଡ଼ପଣ୍ଡା ।

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ । ଏହି ଫଟୋଚିତ୍ର ପ୍ରଦର୍ଶନୀ  ରାଜଧାନୀର ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତ୍ରିତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି । ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି । ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି । ତାହା ବାସ୍ତବରେ ପ୍ରଶଂସନୀୟ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରିବା ସହ ଏହାକୁ ବୁଲି ଦେଖିଥିଲେ । ଏହି ସ୍ୱତନ୍ତ୍ର ଓ ସୁନ୍ର ପ୍ରଦର୍ଶନୀଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଘଟିକାରୁ ରାତି ୯ ଘଟିକା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ।

ଟ୍ୱିଟର ବିକିବେ ଏଲନ୍ ମସ୍କ! ଖୋଜୁଛନ୍ତି ଉପଯୁକ୍ତ କ୍ରେତା

ନୂଆଦିଲ୍ଲୀ: ଟ୍ୱିଟର କିଣିବା ପରେ କେତେ ଖୁସି ଏଲନ ମସ୍କ। ହେଲେ ତାଙ୍କର ସାକ୍ଷାତକାରରୁ ଲାଗୁଛି ମାଇକ୍ରୋବ୍ଲଗଗିଂ ସାଇଟ୍‌ ଟ୍ଵିଟର କିଣିବା ପରେ ପଶ୍ଚାତାପ କରୁଛନ୍ତି ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ।

ରିପୋର୍ଟ ଅନୁଯାୟୀ, ଏହି ସୋସିଆଲ୍ ମିଡିଆ ସାଇଟକୁ  ଅଧିଗ୍ରହଣ ପରେ ପରିଚାଳନା କରିବା ମସ୍କଙ୍କ ପାଇଁ ବେଶ କଷ୍ଟକର ହୋଇପଡିଲାଣି। କାରଣ ଏକ ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଟ୍ୱିଟର କିଣିବା କୌଣସି ପାର୍ଟି ଭଳି କିମ୍ବା ଖୁସି କଲା ଭଳି କଥା ନୁହେଁ। ଯଦିଓ ଟ୍ୱିଟର ବୋରିଂ ନୁହେଁ । କିନ୍ତୁ ଏହା ଏକ  ରୋଲକୋଷ୍ଟର ରାଇଡ ଭଳି । ବିଗତ କିଛି ମାସ ହେବ ଚିନ୍ତାରେ ରହୁଛି । ଉପଯୁକ୍ତ ଲୋକ ମିଳିଲେ ଟ୍ଵିଟରକୁ ବିକ୍ରି କରିଦେବି ।

ମୁଁ ଟ୍ୱିଟର କିଣିବାକୁ ଚାହୁଁନଥିଲି ବରଂ ଏହାର ସେୟାର କିଣିବାକୁ ଚାହୁଁଥିଲି । କିନ୍ତୁ ପରେ ଟ୍ୱିଟର କିଣିବାକୁ ବାଧ୍ୟ ହେଲି । ଗୋଟେ ସମୟ ଥିଲା ଟ୍ୱିଟର କିଣିବାକୁ ପଛଘୁଞ୍ଚା ଦେଇଥିଲି  ହେଲେ ଟ୍ୱିଟର ପକ୍ଷରୁ ମୋତେ କାଠଗଡ଼ାରେ ଠିଆ କରାଇବା ନେଇ ଧମକ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ବାଧ୍ୟ ହୋଇ ଡିଲ୍ ପୂରା କରିବାକୁ ପଡିଲା ବୋଲି କହିଛନ୍ତି ମସ୍କ।

ଟ୍ୱିଟର କିଣିବା ପରେ ଅନେକ ପରିବର୍ତ୍ତନ କରାଯାଇଥିଲା । ଫଳରେ ମାନସିକ ଚାପ ବଢ଼ି ଯାଇଥିଲା। ଏମିତିକି ଅନେକ ରାତି ଠିକ୍ ସେ ଶୋଇନଥିଲେ । କାମର ଚାପ ଏତେ ଥିଲା ଯେ ବେଳେବେଳେ ଅଫିସ୍‌ରେ ଶୋଇପଡୁଥିଲେ ମସ୍କ। ଟ୍ଵିଟରରେ ଚାଲିଥିବା ଛଟେଇ ପ୍ରକ୍ରିୟାକୁ ସେ ସବୁଠାରୁ କଷ୍ଟକର ସମୟ ବୋଲି ମସ୍କ କହିଛନ୍ତି। ତାଙ୍କ ମତରେ ଟ୍ବିଟରରୁ ୮୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବା ଏକ ସହଜ ପ୍ରକ୍ରିୟା ନୁହେଁ। ବର୍ତମାନ କମ୍ପାନୀର କର୍ମଚାରୀ ସଂଖ୍ୟା ୮୦୦୦ରୁ ୧୫୦୦କୁ ହ୍ରାସ କରାଯାଇଛି ।

ବିଦା କରାଯାଇଥିବା କର୍ମଚାରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସମ୍ଭବନଥିଲା । ଫଳରେ ସେମାନଙ୍କୁଇ-ମେଲ୍ ଜରିଆରେ ଛଟେଇ ନେଇ ଅବଗତ କରାଯାଇଥିଲା। ଏତେ ସଂଖ୍ୟାରେ କର୍ମଚାରୀଙ୍କ ସହ ମୁହାଁମୁହିଁ ଆଲୋଚନା କରିବା ସହଜ ନଥିଲା ବୋଲି କହିଛନ୍ତି ମସ୍କ ।

ତେବେ ଗତବର୍ଷ ଅକ୍ଟୋବର ମାସରେ ଟ୍ଵିଟରକୁ ୪୪ ବିଲିୟନ ଡଲାର ଦେଇ କିଣିଥିଲେ ମସ୍କ । ସେବେଠାରୁ ଟ୍ୱିଟରରେ ବହୁ ପରିବର୍ତ୍ତନ ହୋଇଛି । କମ୍ପାନୀର ବହୁ ସଂଖ୍ୟକ କର୍ମଚାରୀଙ୍କୁ ବିଦା କରାଯିବା ସହିତ ଟ୍ୱିଟରର ନୀତି ଏବଂ ବ୍ୟବସାୟରେ ପରିବର୍ତ୍ତନ ଜାରି ରହିଛି । ନିକଟରେ ଟ୍ୱିଟରର ଲୋଗୋ ନୀଳ ପକ୍ଷୀକୁ ବଦଳାଇ ଡଗି ଲୋଗୋ ରଖାଯାଇଥିଲା।

 

କୋଣାର୍କ ଏକ୍ସପ୍ରେସରେ ବିସ୍ଫୋରକ ସାମଗ୍ରୀ ଠାବ

ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସରେ ବିସ୍ଫୋରକ ସାମଗ୍ରୀ ଠାବ । ଭୁବନେଶ୍ବର ଷ୍ଟେସନରେ ଟ୍ରେନର ସାଧାରଣ ବଗିରୁ ବିସ୍ଫୋରକ ଠାବ ହୋଇଛି । ସଫେଇ କର୍ମଚାରୀ ଶବ୍ଦ ଶୁଣି ଓ ଧୂଆଁ ବାହାରିବା ଦେଖି GRPକୁ ଖବର ଦେଇଥିଲେ । ୮ଟି ରେଡ୍‌ ପାରାଚ୍ୟୁଟ ସିଗନାଲ, ୧୫ ରକେଟ ପାରାଚ୍ୟୁଟ ଫ୍ଲାୟର ଠାବ ହୋଇଛି । ଗୋଟିଏ ପାଥ୍ ଫାଇଣ୍ଡର ସର୍ଟ ମଧ୍ୟ ଠାବ କରିଛନ୍ତି ସଫେଇ କର୍ମଚାରୀ । ଆବଶ୍ୟକ ସ୍ଥଳେ ବୋମା ନିଷ୍କ୍ରିୟକାରୀ ଦଳର ସହାୟତା ନିଆଯିବ । ସିସିଟିଭି ଯାଞ୍ଚ ସହ କିଏ ଏସବୁ ସାମଗ୍ରୀ ଆଣିଲା ସେ ନେଇ ଖୋଳତାଡ଼ ଜାରି ରହିଛି ।