ବ୍ରହ୍ମଗିରି: ଚିଲିକାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ପ୍ରିତିନିଧି ଦଳ । ସାତପଡ଼ାରୁ ମୀର୍ଜାପୁର ଯାଇ ସେଠାରୁ ବୋଟ୍ ଯୋଗେ ଚିଲିକା ମୁହାଣକୁ ଯାଇଛନ୍ତି । ଚିଲିକା ଯାଇ ସେଠାରେ ମୁହଣର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ୍ ପ୍ରତିନିଧି ଦଳ । ଏହି ଟିମରେ ୪ ଜଣ ଅବସରପ୍ରାପ୍ତ ବିଚାରପତି ସାମିଲ ଅଛନ୍ତି । ଏବଂ ଛତିଶଗଡ଼ର ଉଚ୍ଚ ଅଧିକାରୀ ଓ ବିଶେଷଜ୍ଞମାନେ ସାମିଲ ଅଛନ୍ତି । ଏଥିରେ ଓଡ଼ିଶାର ବିଶେଷଜ୍ଞ କମିଟି ଓ ପୁରୀ ଜିଲ୍ଲାପାଳ ମଧ୍ୟ ସାମିଲ ଅଛନ୍ତି ।
ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ, ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ
ଭୁବନେଶ୍ୱର: ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ । ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନ କରି ସେଠାରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆହାରର ରାଜ୍ୟ ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା । ଖାଦ୍ୟର ମାନ ଯାଞ୍ଚ କରିବା ସହିତ ଆହାର କେନ୍ଦ୍ରର ପରିବେଶ ଓ ପରିଚ୍ଛନ୍ନତା ଅନୁଧ୍ୟାନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଲୋକଙ୍କ ସଂଖ୍ୟା ଅଧିକ ରହୁଛି । ଭିଡ଼ ପାଇଁ ଆଉ ଟିକେ ଅଧିକ ସ୍ଥାନ ଦରକାର ବୋଲି କହିଛନ୍ତି ସାରଦା ପ୍ରସାଦ ପଣ୍ଡା । ରାଜ୍ୟର କିଛି ସ୍ଥାନରେ ଥିବା ଆହାର କେନ୍ଦ୍ରରେ ଏସି ଲଗାଯାଇଛି । ଏଠାରେ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ଏସି ଲଗାଯିବା ନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ସବୁ ଆହାର କେନ୍ଦ୍ରକୁ ପରିଷ୍କାର ରଖିବା ସହ ଖାଦ୍ୟର ମାନ ଉତ୍ତମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାରଦା ପ୍ରସାଦ ପଣ୍ଡା ।
ଦିଲ୍ଲୀରେ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ
ନୂଆଦିଲ୍ଲୀ: ବର୍ଷାରେ ବେହାଲ ଦିଲ୍ଲୀ । ପବନ ସହ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ବର୍ଷାରେ ରାଜଧାନୀ ଭିଜିବା ପରେ ତାତିରୁ ମିଳିଛି ଆଶ୍ବସ୍ତି । ଆଭ୍ୟନ୍ତରୀଣ ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦରେ ବି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଦିଲ୍ଲୀ-ଏନସିଆର ଆକାଶ ମେଘାଚ୍ଛନ୍ନ ଥିବାବେଳେ ବର୍ଷା ଲାଗି ରହିଥିବା ସୂଚନା ମିଳିଛି । କେତେକ ସ୍ଥାନରେ ଘଣ୍ଟା ପ୍ରତି ପ୍ରାୟ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବର୍ଷା ଯୋଗୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।
ଚଳିତ ସପ୍ତାହରେ ଦିଲ୍ଲୀର ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହୋଇଥିବାରୁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଥିଲା । ତେବେ ଭୀଷଣ ବର୍ଷା ଯୋଗୁ ତାତିରୁ ଆଶ୍ବସ୍ତି ମିଳିଛି । ସେପଟେ ହିମାଚଳ ପ୍ରଦେଶର ଲାଉଲ, ସ୍ପିତି ଓ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖାଯାଇଛି । ପ୍ରଚଣ୍ଡ ତାପରେ ଦେଶ ଛଟପଟ ହେଉଥିବାବେଳେ ଏହି ଦୁଇ ରାଜ୍ୟରେ ତୁଷାରପାତ ଘଟିଛି । ତେଣେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ବରଫ ଭିତରେ ଫସିଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଏସଡିଆରଏଫ ଟିମ୍ ।
ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
ଭୁବନେଶ୍ୱର: ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ । ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ବେ ୨୨୩ କଲେଜର ଅଧ୍ୟକ୍ଷମାନେ ଆବଶ୍ୟକ ସୂଚନା ପ୍ରଦାନ କରିନଥିଲେ । ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଇନଥିବାରୁ ଏସବୁ କଲେଜ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ, ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା । ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନରେ ବିଫଳତା ବୋଲି କୁହାଯାଇଛି । କାର୍ଯ୍ୟରେ ଚରମ ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଖୋଲିବ ବାଓ୍ୱରିଆ ଗ୍ୟାଙ୍ଗର କଳାଚିଠା, ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କମିଶନରେଟ ପୋଲିସ
ଭୁବନେଶ୍ୱର: ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ । ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ । ରାଜ୍ୟ ବାହାରକୁ ଯିବା ପାଇଁ ୨ଟି ଟିମ୍ ଗଠନ । ୟୁପି ଓ ଦିଲ୍ଲୀରେ ଯାଞ୍ଚ କରିବ ସ୍ପେଶାଲ ଟିମ୍ । ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ନେବ ପୋଲିସ । ୟୁପିରୁ ଆସି ରାଜ୍ୟ ସାରା ଲୁଟି ପୁରୀରେ ଅୟସ କରୁଥିଲେ ଲୁଟେରା । ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କ ନାଁରେ ଓଡ଼ିଶାରେ ୨୮ଟି କେସ୍ ରହିଛି । ଖୁବଶୀଘ୍ର ଜେଲରେ ଟିଆଇ ପରେଡ଼ କରିବ ପୋଲିସ । ତେବେ ଗିରଫ ହୋଇଥିବା ସମସ୍ତ ୪ ଜଣଙ୍କ ଘର ୟୁପି ସାମଲି ଜିଲ୍ଲାରେ ।
ପୋଲିସ ପରିଚୟ ଦେଇ ମହିଳାଙ୍କଠୁ ନେଇଗଲେ ସୁନା ଗହଣା, ପ୍ରାୟ ୩ ଲକ୍ଷ ଟଙ୍କାର ଲୁଟ୍ ଅଭିଯୋଗ
ଭଦ୍ରକ: ପୋଲିସ ପରିଚୟ ଦେଇ ମହିଳାଙ୍କୁ ଲୁଟିଲେ । ଭଦ୍ରକ ହେଡପୋଷ୍ଟ ଅଫିସ ଛକରେ ଥିବା ତେଲ ଟାଙ୍କି ସାମ୍ନାରେ ଲୁଟ୍ । ଭୁବନେଶ୍ୱରରୁ ବସରେ ଆସୁଥିବା ପୁଅ ଓ ଝିଅକୁ ଘରକୁ ନେବାକୁ ବାଲେଶ୍ବର ମଇତାପୁରର ନିରୋଦବାଳା ମହାନ୍ତି ଗାଁରୁ ଅଟୋ ଯୋଗେ ଆସିଥିଲେ ଭଦ୍ରକ । ପୋଲିସ ଚେକିଂ ଆଳରେ ସୁନା ଅଳଙ୍କାର ପିନ୍ଧିଥିଲେ ଓହ୍ଲାନ୍ତୁ ନହେଲେ ୫୦ହଜାର ଫାଇନ ଦିଅନ୍ତୁ ବୋଲି କହିଥିଲେ ଲୁଟେରା । ଅଟୋରେ ବସିଥିବା ନିରୋଦବାଳାଙ୍କୁ ୪ ଜଣ ଯୁବକ ଘେରି ପକାଇଥିଲେ । ହାତରେ ପିନ୍ଧିଥିବା ଦୁଇ ଦୁଇ ଭରିର ସୁନା ଅଳଙ୍କାର ଛଡ଼ାଇନେଇଥିଲେ ।
ସେହିପରି ନିକଟରେ ଥିବା ଅନ୍ୟ ଦୁଇ ଜଣ ମହିଳା ପିନ୍ଧିଥିବା ଅଢେଇ ଭରି ଓଜନର ହାରକୁ ମଧ୍ୟ୍ୟ ଲୁଟି ନିମିଷକେ ଫେରାର ହେଇଯାଇଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅଭିଯୋଗ ହୋଇଛି । କିଛି ବୁଝିବା ଆଗରୁ ୪ ଲୁଟେରା ସଙ୍ଗେ ସଙ୍ଗେ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ପରେ ଏନେଇ ମହିଳା ଜଣଙ୍କ ନିକଟସ୍ଥ ସହରାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି CCTV ଯାଞ୍ଚ କରିବା ସହ ଏନେଇ ଅଧିକ ତଦନ୍ତ ଜାରିରଖିଛି ।

