spot_img
Home Blog Page 3261

ଜମି ରେଜିଷ୍ଟ୍ରେସନ ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ

କଟକ: ଜମିଜମା ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ । ଭିଡ଼ ସମସ୍ୟା ଦୂର କରିବା ଲାଗି ଏବେ ଅନ୍ ଲାଇନ୍ ସ୍ଲଟ୍‌ ବୁକିଂ କରିବାକୁ ପଡ଼ିବ । ସ୍ଲଟ୍ ବୁକିଂ ସମୟରେ ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜୀକରଣ ହେବ । ଏନେଇ ଆଇଜିଆର ପକ୍ଷରୁ ଗତକାଲି ଘୋଷଣା କରାଯାଇଛି ।

ଆଇଜିଆରଙ୍କ ଘୋଷଣା ଅନୁସାରେ ଏଣିକି ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ ବା ପଞ୍ଜୀକରଣ ପାଇଁ ସବ୍ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର ଆବଶ୍ୟକତା ରହିବ ନାହିଁ । ଜମି କିଣାବିକା ପାଇଁ ଅନଲାଇନରେ ଆଗୁଆ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ । ସ୍ଲଟରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ । ଯଦି ଅନଲାଇନରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇ ନଥିବେ ତେବେ ଜମି କିଣିବା ପାଇଁ ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ଅନଲାଇନରେ ପଞ୍ଜୀକରଣ କରାଇ ତତ୍କାଳ ସ୍ଲଟ୍‌ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିବ । ଏଭଳି ନିୟମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି ।

ଜଣେ ବ୍ୟକ୍ତି ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ବି ତା’ର ଜମିଜମା କିଣାବିକା ପଞ୍ଜୀକରଣ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନରେ ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇବେ । ଫଳରେ ଜାଲିଆତି କରି ଜମି କିଣାବିକା ଉପରେ ମଧ୍ୟ ଅଙ୍କୁଶ ଲାଗିପାରିବ ।

ଏବେ ରାଜ୍ୟର ୨୦୫ଟି ସବ୍ ରେଜିଷ୍ଟ୍ରେସନ୍ କେନ୍ଦ୍ରରେ ଅନଲାଇନ୍ ସ୍ଲଟ୍‌ ବୁକିଂ କରାଯାଉଛି । ଏହାକୁ ନେଇ ବିଧିବଦ୍ଧ ଗେଜେଟ୍‌ ମଧ୍ୟ ପ୍ରକାଶ କରାଯାଉଛି । ମେ’ ୨୩ ତାରିଖ ଦିନ ଏନେଇ ଓଡ଼ିଶା ଗେଜେଟରେ ଏ ସଂପର୍କିତ ନିୟମ ଓ ସୂଚନା ଜାରି କରାଯାଇଛି ।

କାଲି କର୍ଣ୍ଣାଟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ଆଉ ୨୪ ମନ୍ତ୍ରୀ

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ଆଉ ୨୪ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ତଥା ହାଇକମାଣ୍ଡଙ୍କ ମଧ୍ୟରେ ଆଲୋଚନା ପରେ ନୂଆ ମନ୍ତ୍ରୀମାନଙ୍କ ନାମ ସ୍ଥିରୀକୃତ ହୋଇଛି । ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶିବକୁମାର ଶପଥ ନେବା ସହ ୮ ମନ୍ତ୍ରୀ ଶପଥ ନେଇଥିଲେ । ସେହି ୮ ମନ୍ତ୍ରୀଙ୍କ ମଧ୍ୟରେ ଥିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେ ।

ବିଭିନ୍ନ ସମ୍ପ୍ରଦାୟର ଉଚିତ ପ୍ରତିନିଧିତ୍ବକୁ ଆଧାର କରି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୨୪ ଆସନରୁ କଂଗ୍ରେସ ୧୩୫ ଆସନରେ ବିଜୟ ହୋଇଥିଲା । ବିଜେପିକୁ ୬୬ ଓ ଜେଡିଏସକୁ ମାତ୍ର ୧୯ଟି ଆସନ ମିଳିଥିଲା ।

 

ଚିତାଙ୍କ ପିଛା ଛାଡ଼ୁନି ବିପଦ, ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୨ ଚିତା ଛୁଆ

ଭୋପାଳ: ଚିତାଙ୍କ ପିଛା ଛାଡ଼ୁନି ବିପଦ । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୨ ଚିତା ଛୁଆ । ପ୍ରବଳ ଉତ୍ତାପ ସହି ନପାରି ଚିତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୋଟିଏ ଚିତା ଛୁଆର ମୃତ୍ୟୁର ୨ ଦିନ ପରେ ପୁଣି ଥରେ ୨ ଛୁଆଙ୍କ ମୃତ୍ୟୁ ଚିନ୍ତାର କାରଣ ହୋଇଛି । ଗତ ମାର୍ଚ୍ଚରେ ନାମିବ୍ୟାରୁ ଆସିଥିବା ଚିତାଙ୍କଠାରୁ ୪ଟି ଛୁଆ ଜନ୍ମିଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ୩ଟି ଛୁଆଙ୍କ ମୃତ୍ୟୁ ଘଟିଛି ।

ଗତ ୨୩ ତାରିଖରେ ପ୍ରଥମେ ଗୋଟିଏ ଛୁଆର ମୃତ୍ୟୁ ଘଟିଥିବାବେଳେ ଗତ ୨୫ ତାରିଖରେ ଆଉ ୨ଟି ଛୁଆଙ୍କ ମୃତ୍ୟୁ ଘଟିଥିଲା । କୁନୋ ନ୍ୟାସନାଲ ପାର୍କରେ ତାପମାତ୍ରା ୪୫ ରୁ ୪୭ ଡିଗ୍ରୀ ହୋଇଥିବାରୁ ସେହି ଉତ୍ତାପ ସହ୍ୟ କରି ପାରି ନଥିଲେ ଛୁଆ । ଅନ୍ୟ ଚିତାଙ୍କ ସୁରକ୍ଷା ଲାଗି ନାମିବ୍ୟା ଓ ସାଉଥ ଆଫ୍ରିକା ଚିତା ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି କୁନୋ ପାର୍କ କର୍ତ୍ତୃପକ୍ଷ ।

ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଆସନ୍ତା ୨୮ରେ ଘୋଷଣା ହେବ ତାରିଖ

ଭୁବନେଶ୍ୱର: ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ ପ୍ରକ୍ରିୟା ଚାଲିଥିବା ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ, ପରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ । ୨୮ ମେ’ରେ ଯୁକ୍ତ ୨ ରେଜଲ୍ଟର ତାରିଖ ଘୋଷଣା ହେବ । ସବୁ ଠିକ୍ ରହିଲେ ୩୦ କିମ୍ବା ୩୧ରେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ଫଳ । ସେହିପରି ୮ ଜୁନ୍ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ଫଳାଫଳ । ତେବେ ୨୮ ମେ’ରେ ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିବ ଉଚ୍ଚଶିକ୍ଷା ପରିଷଦ ।

ତାତିରେ ଲାଗିବନି ବ୍ରେକ୍, ପଶ୍ଚିମ ଓଡ଼ିଶାରେ ହେବ ନିଆଁ ବର୍ଷା

ଭୁବନେଶ୍ୱର: ମଧ୍ୟାହ୍ନରେ ପ୍ରବଳ ତାତି, ଅପରାହ୍ନରେ ପ୍ରବଳ ବର୍ଷା । ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ସକାଳୁ ପ୍ରବଳ ଖରା ସହିତ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳୁଛି । ୨୯ ତାରିଖ ପର୍ଯ୍ୟନ୍ତ ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି । ଆଜି ରାଜ୍ୟର ୮ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ୨୧ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସମେତ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

ସେପଟେ କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବାର ସମ୍ଭାବନା ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାଚ୍ରା ଅଧିକ ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ଉପକୂଳ ଓଡ଼ିଶାରେ କାଳବୈଶାଖୀ ହେଲେ ମଧ୍ୟ ତାତି ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ବୋଲି କହିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର।

ଆଜିଠୁ ଜୁନ ୧ ତାରିଖ ଯାଏ ସପ୍ଲିମେଣ୍ଟାରୀ ଫର୍ମ ଫିଲଅପ, ଜୁଲାଇ ୩ରୁ ୮ ଯାଏ ପରୀକ୍ଷା

କଟକ: ମାଟ୍ରିକରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ । ଛାତ୍ରଛାତ୍ରୀମାନେ ଦେଇପାରିବେ ସପ୍ଲିମେଣ୍ଟାରୀ ପରୀକ୍ଷା । ଏଥିପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ଫିଲଅପ । ଜୁନ ୧ ତାରିଖ ଯାଏ ଫର୍ମ ଫିଲଅପ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୩ରୁ ୮ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଯେଉଁମାନେ ସପ୍ଲିମେଣ୍ଟାରୀ ପରୀକ୍ଷାରେ କୃତକାର୍ଯ୍ଯ ହେବେ ସେମାନେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ସୁଯୋଗ ପାଇବେ ।

ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଅଦ୍ଭୁତପୂର୍ବ ସଫଳତା ମିଳିଛି । ମୋଟ୍ ପାସ୍ ହାର ୯୬.୧୯ ପ୍ରତିଶତ ରହିଛି । ସେପଟେ ଆସନ୍ତାବର୍ଷଠାରୁ ମାଟ୍ରିକରେ ଗୋଟିଏ ଫାଇନାଲ ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ସମେଟିଭ୍ ପରୀକ୍ଷା ପରିବର୍ତ୍ତେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଏଥରଠୁ ପ୍ରତିବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ମହାନଦୀ ଟ୍ରିବ୍ୟୁନାଲଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

କଟକ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟାକଟ୍ ଅଞ୍ଚଳ ପରିଦର୍ଶନ ପରେ ଆଜିଠୁ କଟକ ନରାଜ, ମୁଣ୍ଡଳୀ, ଅଂଶୁପା ଓ ଚିଲିକା ହ୍ରଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମୁଣ୍ଡଳୀ ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନରେ ଯିବା ପରେ ମହାନଦୀରେ ମିଶିଥିବା ସାପୁଆ ନଦୀ ପରିଦର୍ଶନ କରିବେ ।

ଏହା ସହିତ ଟିମ ନରାଜ ବ୍ୟାରେଜ ,ମହାନଦୀ ବ୍ୟାରେଜ ଓ ବିରୂପା ବ୍ୟାରେଜ ପରିଦର୍ଶନ ସହିତ ଯୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବେ । ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ କେତେ ପ୍ରଭାବିତ ହୋଇଛି ଓଡ଼ିଶା ସେନେଇ ସ୍ଥିତି ପରଖୁଛନ୍ତି ଟିମ୍ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍.ଖାନଓ୍ବାଲିକର, ବିଚାରପତି ଡକ୍ଟର ରାଜିବ ରଞ୍ଜନ, ବିଚାରପତି ଇନ୍ଦ୍ରମିତ୍ କୌରଙ୍କୁ ନେଇ ଗଠିତ ଟିମ୍ ମହାନଦୀ ପ୍ରବାହିତ ହୋଇଥିବା ଓଡ଼ିଶାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି ।

ସମ୍ବଲପୁର, ଝାରସୁଗୁଡ଼ା ଓ ଅନୁଗୁଳର ବିଭିନ୍ନ ସ୍ଥାନରେ ସ୍ଥିତି ପରଖିଛନ୍ତି ଟିମ୍ । ଛତିଶଗଡ଼ର ମନମାନି ଫଳରେ ଅଣମୌସୁମୀ ସମୟରେ ଜଳପ୍ରବାହ କମିବା ଦ୍ବାରା ଜଳସେଚନ, ପାନୀୟ ଜଳ, ଜୈବ ବିବିଧତା ଓ ମତ୍ସ୍ୟଜୀବୀ ବେଶ ପ୍ରଭାବିତ ହେଉଛନ୍ତି । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ କଟକ ନରାଜ, ମୁଣ୍ଡଳୀ, ଅଂଶୁପା ଓ ଚିଲିକା ହ୍ରଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି ।

କର୍ଣ୍ଣାଟକ ପରେ ଅନ୍ୟ ରାଜ୍ୟ ଉପରେ ଫୋକସ

ଜୟପୁର :  କର୍ଣ୍ଣାଟକ ବିଜୟ ପରେ ଅନ୍ୟ ରାଜ୍ୟ ଉପରେ କଂଗ୍ରେସର ଫୋକସ । ଆଜି ରାଜସ୍ଥାନ କଂଗ୍ରେସର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପିସିସି ସଭାପତି ଗୋବିନ୍ଦ ଦୋତସାରାଙ୍କ ସମେତ ବହୁ କଂଗ୍ରେସ ନେତା ।

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକରେ ସାମିଲ ହୋଇ ଆସନ୍ତା ନିର୍ବାଚନରେ ଦଳର ବିଜୟ ସମ୍ପର୍କରେ ଆଲୋଚନା କରିବେ । ଏହା ସହ ରାଜ୍ୟ କଂଗ୍ରେସରେ ଥିବା ମତପାର୍ଥକ୍ୟ ଦୂର ଉପରେ ବୈଠକରେ ରହିବ ଫୋକସ ।

ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିବାବେଳେ ଏହି ବୈଠକରେ ସେମାନଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର ଲାଗି ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି । ଏହା ସହ ସରକାରଙ୍କ ସଫଳତା, ମନ୍ତ୍ରୀ ଓ ବିଧାୟକଙ୍କ କାର୍ଯ୍ୟଧାରାର ରିପୋର୍ଟ, ପ୍ରମୁଖ ନିର୍ବାଚନ ପ୍ରସଙ୍ଗ, ପ୍ରାର୍ଥୀମାନଙ୍କ ନାମ ଆଗୁଆ ଘୋଷଣା ଉପରେ ଆଲୋଚନା କରାଯିବ ।

ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଶକ୍ତି ବିଭାଗର ଅତିରିକ୍ତ ସଚିବ ହେଲେ ମନସ୍ୱିନୀ ସାହୁ

ଭୁବନେଶ୍ୱର: ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ଶକ୍ତି ବିଭାଗର ଅତିରିକ୍ତ ସଚିବ ହେଲେ ମନସ୍ବିନୀ ସାହୁ । ପାରାଦୀପ ଏଡିଏମ ହେଲେ ଦିଗନ୍ତ ରାଉତରାୟ । ଦିଗନ୍ତଙ୍କୁ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜ୍ୟ ବିହନ ନିଗମର ଏମଡି ଭବେଶ ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ଭବେଶ ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

କଳାହାଣ୍ଡି ଏଡିଏମ ହେଲେ ତନ୍ମୟ କୁମାର ଦରଓ୍ୱାନ । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଆରତି ସାହୁଙ୍କ ବଦଳି କରାଯାଇଛି । ତାଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଦୀନକୃଷ୍ଣ କରଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଜ୍ୟୋତିଶଙ୍କର ସାହୁଙ୍କ ବଦଳି କରାଯାଇଛି । ଢେଙ୍କାନାଳ କାମାକ୍ଷାନଗର ଉପଜିଲ୍ଲାପାଳ ହୋଇଛନ୍ତି ନାରାୟଣ ଚନ୍ଦ୍ର ନାୟକ ।

କେବେ ହୋଇଥିଲା ନିର୍ମାଣ ଏବଂ କିଏ କରିଥିଲେ ଉଦଘାଟନ? ଜାଣନ୍ତୁ ପୁରୁଣା ସଂସଦ ଭବନର ଇତିହାସ

ନୂଆଦିଲ୍ଲୀ: ଆସନ୍ତା ୨୮ ମଇରେ ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ଉଦଘାଟନକୁ ବିରୋଧ କରିଛନ୍ତି ତମାମ ବିରୋଧୀ ଦଳ । ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଏହାର ଉଦଘାଟନ କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଏମିତି କି ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ ବୋଲି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ମିଳିତ ଷ୍ଟେଟମେଣ୍ଟ ଜାରି କରି କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ଉଦଘାଟନ କରନ୍ତି ତେବେ ସେମାନେ ଏହି ସମାରୋହରେ ଯୋଗଦେବେ ନାହିଁ । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ସମାରୋହରେ ଯୋଗ ଦେବା ପାଇଁ ଅପିଲ କରାଯାଇଛି ।

ଏବଂ ମାମଲାର ରାଜନୀତିକରଣ ନକରିବା ପାଇଁ କହିଛନ୍ତି । ପ୍ରକାଶଥାଉକି ନୂଆ ସଂସଦ ଭବନର ଶିଳାନ୍ୟାସ ୧୦ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ । ୧୫ ଜାନୁଆରୀ ୨୦୨୧ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଭବନର ନିର୍ମାଣରେ ପ୍ରାୟ ୧୨୦୦ କୋଟି ଟଙ୍କାର ଖର୍ଚ୍ଚ ହୋଇଛି । ଏଚସିପି ନାମକ କମ୍ପାନୀ ଏହାର ଡିଜାଇନ କରିଛି । ତେବେ ଏହାରି ମଧ୍ୟରେ ପୂରୁଣା ସଂସଦ ଭବନକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଥିବ ନିଶ୍ଚୟ । ଏହାର ନିର୍ମାଣ କେବେ ହୋଇଥିଲା? କିଏ ଏହାର ଉଦଘାଟନ କରିଥିଲେ ଏବଂ ଏହି ଭବ୍ୟ କୋଠାର ଡିଜାଇନର କିଏ ଥିଲେ?

ତେବେ ପୂରୁଣା ତଥା ବର୍ତ୍ତମାନର ସଂସଦ ଭବନର ଶିଳାନ୍ୟାସ ୧୨ ଫେବ୍ରୁଆରୀ ୧୯୨୧ରେ ହୋଇଥିଲା । ଏହାର ନିର୍ମାଣ ପ୍ରାୟ ୬ ବର୍ଷ ଚାଲିଥିଲା । ୧୯୨୭ ମସିହାରେ ଏହାର ନିର୍ମାଣ ସରିଥିଲା । ଯେବେ ନୂଆ ସଂସଦ ଭବନ ପ୍ରସ୍ତୁତ ହୋଇଯାଇଥିଲା ତେବେ ଦେଶରେ ଇଂରେଜ ଶାସନ ଥିଲା ଏବଂ ଏହାର ନିର୍ମାଣ ମଧ୍ୟ ଇଂରେଜ ସରକାରଙ୍କ ଦ୍ୱାରା କରାଯାଇଥିଲା । ପୂରୁଣା ସଂସଦ ଭବନର ଉଦଘାଟନ ୧୮ ଜାନୁଆରୀ ୧୯୨୭ରେ ହୋଇଥିଲା । ସେ ସମୟରେ ଦେଶରେ ସର୍ବୋଚ୍ଚ ପଦରେ ଗଭର୍ଣ୍ଣର ଜେନେରାଲ ରହୁଥିଲେ । ସେ ସମୟର ଗଭର୍ଣ୍ଣର ଜେନେରାଲ ଲର୍ଡ ଇରୱିନ୍ ଏହାର ଉଦଘାଟନ କରିଥିଲେ ।

ବ୍ରିଟିଶ ବାସ୍ତୁକାର ଏଡୱିନ ଲୁଟିୟନ୍ସ ଏବଂ ହର୍ବର୍ଟ ବେକର ଏହି ସଂସଦ ଭବନର ଡିଜାଇନ କରିଥିଲେ । ସେ ସମୟରେ ସଂସଦ ଭବନର ନିର୍ମାଣରେ ୮୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ସଂସଦ ଭବନ ୫୬୬ ମିଟର ବ୍ୟାସରେ ନିର୍ମିତ ହୋଇଥିଲା । ହେଲେ ପରେ ଅଧିକ ଯାଗାର ଆବଶ୍ୟକ ପଡ଼ିବାରୁ ୧୯୫୬ରେ ସଂସଦ ଭଭନରେ ଆଉ ଦୁଇଟି ମହଲା ଯୋଡ଼ାଯାଇଥିଲା । ତେବେ ସେ ସମୟରେ ଏହାର ନାଁ ସଂସଦ ଭବନ ନଥିଲା ବରଂ ହାଉସ୍ ଅଫ୍ ପାର୍ଲାମେଣ୍ଟ କୁହାଯାଉଥିଲା । ଏହି ହାଉସ୍ ଅଫ୍ ପାର୍ଲାମେଣ୍ଟରେ ବ୍ରିଟିଶ ସରକାରଙ୍କ ବିଧାନ ପରିଷଦ କାମ କରୁଥିଲା ଏବଂ ସ୍ୱାଧିନତା ପରଠୁ ଏଠାରେ ଆମ ଦେଶର ସାଂସଦ ବସିବାକୁ ଲାଗିଥିଲେ ଏବଂ ଏହାକୁ ସଂସଦ ବୋଲି କୁହାଗଲା ।