spot_img
Home Blog Page 327

ଭାରତ ଉପରେ ଟାରିଫ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ପୁଟିନଙ୍କ ନାଲିଆଖି

ନନ୍ଦିଘୋଷ ବ୍ୟୁରୋ : ଭାରତ ଉପରେ ଟାରିଫ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାଲିଆଖି। ରୁଷ ସହ ଶକ୍ତି ସଂକ୍ରାନ୍ତ ବାଣିଜ୍ୟ ହ୍ରାସ ଲାଗି ଭାରତ ଉପରେ ଆମେରିକା ଯେଉଁ ଚାପ ପକାଉଛି ତାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ପୁଟିନ। ଏହାର ପ୍ରଭାବ ୱାଶିଂଟନ ଉପରେ ପଡ଼ିବ ବୋଲି ସେ କହିଛନ୍ତି। ୧୪୦ ଦେଶର ନିରାପତ୍ତା ଓ ଭୂରାଜନୈତିକ ବିଶେଷଜ୍ଞଙ୍କୁ ନେଇ ଦକ୍ଷିଣ ରୁଷର ସୋଚିରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇ ପୁଟିନ କହିଛନ୍ତି-ରୁଷର ଟ୍ରେଡ ପାର୍ଟନରଙ୍କ ଉପରେ ଆମେରିକା ଜାଣିଶୁଣି ଟାରିଫ ପ୍ରହାର କରୁଛି। ଏହା ଦ୍ବାରା ବିଶ୍ବରେ ଶକ୍ତି ଦରରେ ଅସ୍ଥିରତା ସୃଷ୍ଟି ହେବ। ପ୍ରଭାବରେ ଆମେରିକା ଫେଡେରାଲ ରିଜର୍ଭ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିବ ଯାହାକି ଆମେରିକା ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିବ। ରୁଷଠାରୁ ଯଦି ଭାରତ ଶକ୍ତି କ୍ରୟ ନକରେ ତେବେ ଭାରତ ୧୦ ବିଲିୟନ ଡଲାର କ୍ଷତିର ସମ୍ମୁଖୀନ ହୋଇପାରେ। ଏହା ସହ ଆସନ୍ତା ଡିସେମ୍ବରରେ ଭାରତ ଆସିବେ ବୋଲି ସୂଚନା ଦେଇଥିଲେ। ଭାରତ ସହ ଘଟିଥିବା ବାଣିଜ୍ୟିକ ସମସ୍ୟାର ସମାଧାନ ଲାଗି ସେ ଗସ୍ତକାଳରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହରେ ପୁଟିନଙ୍କ ଗସ୍ତ ହୋଇପାରେ ବୋଲି ସୂଚନା ମିଳିଛି। ଡିସେମ୍ବର ୪ରୁ ୬ ମଧ୍ଯରେ କୌଣସି ଦିନ ପୁଟିନ ଭାରତ ଗସ୍ତରେ ଆସିପାରନ୍ତି ବୋଲି ଚର୍ଚ୍ଚା ହୋଇଛି। ତେବେ ସେ କେଉଁ ସହରକୁ ଗସ୍ତ କରିବେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଜୟପୁର, ଆଗ୍ରା କିମ୍ବା ଗୋଆ ମଧ୍ଯରୁ କୌଣସି ଗୋଟିଏ ସ୍ଥାନକୁ ପୁଟିନ ଆସିବା ସମ୍ଭାବନା ରହିଛି।

ଦୁର୍ଗା ପୂଜା ମଣ୍ଡପରେ ନାଚିବାକୁ ବାରଣ କରିବାରୁ ଶ୍ୱଶୁରଙ୍କୁ ପିଟିପିଟି ମାରି ଦେଲା ବୋହୂ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁରଙ୍କୁ ପିଟିପିଟି ମାରିଦେଇଛନ୍ତି ବୋହୂ। ଦୁର୍ଗା ପୂଜା ମଣ୍ଡପରେ ନାଚିବାକୁ ବାରଣ କରିବାରୁ ବୋହୂ ଏପରି ଚରମ କାଣ୍ଡ । ଘଟଣାଟି ମୌଗଞ୍ଜ ଜିଲ୍ଲାରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ରାମରତିଙ୍କ ବୋହୂ ଏକ ଦୁର୍ଗା ପୂଜା ମଣ୍ଡପରେ ନୃତ୍ୟ ପ୍ରଦର୍ଶନ କରିବାକୁ ଯୋଜନା କରୁଥିଲେ। କିନ୍ତୁ ସେ ଏଥିରେ ବିରୋଧ କରିଥିଲେ। ଏଥିରେ ରାଗିଯାଇ ତାଙ୍କ ନାତି ସୋନୁ ଏକ କୋଦାଳରେ ଆକ୍ରମଣ କରିଥିଲେ ଏବଂ ତା’ପରେ ପୁଅ ବେଦପ୍ରକାଶ ଏବଂ ରାମରତିଙ୍କ ସ୍ତ୍ରୀ ତାଙ୍କୁ ଠେଙ୍ଗାରେ ପିଟିଥିଲେ। ଏହି ନିର୍ମମ ଆକ୍ରମଣରେ ୬୨ ବର୍ଷୀୟ ବୃଦ୍ଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୋଲିସ କହିଛି ଯେ ସେମାନେ ଘଟଣାର ୨୪ ଘଣ୍ଟା ମଧ୍ୟରେ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏବଂ ସେମାନଙ୍କ ଉପରେ ଧାରା ୧୦୩(୧) ଏବଂ ୩(୫) ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି।

 

ଚୌଦ୍ଵାର ଜେଲରୁ ଚମ୍ପଟ ମାରିଲେ ୨ହାର୍ଡକୋର ଅପରାଧୀ

ନନ୍ଦିଘୋଷ ବ୍ୟୁରୋ : ଚୌଦ୍ଵାର ଜେଲରୁ ଚମ୍ପଟ ମାରିଲେ ୨ହାର୍ଡକୋର ଅପରାଧୀ। ପାଣିକୋଇଲି ସୁନା ଦୋକାନୀ ମର୍ଡର କେସର ଅଭିଯୁକ୍ତ ଚୌଦ୍ଵାର ଜେଲରୁ ଖସି ଯାଇଥିବା ସୂଚନା। ଜେଲର ସେଲ କାଟି ଫେରାର୍ ହୋଇଯାଇଥିବା ଜଣାପଡିଛି। ଦଶହରା ପୂଜା ଚାଲିଥିବା ବେଳେ ଜେଲରେ ୱାର୍ଡରଙ୍କ ଅନୁପସ୍ଥିତି ଦେଖି ଫେରାର୍ ହୋଇଛନ୍ତି ଅପରାଧୀ। ଗତ ଜାନୁଆରୀ ୪ ତାରିଖରେ ଯାଜପୁର ପାଣିକୋଇଲି ବଜାରରେ ଥିବା ପଣ୍ଡା ଆଳଙ୍କାର ଲୁଟ କରିବା ପାଇଁ ଆସିଥିଲେ ଉଭୟ ଲୁଟେରା। ଆଳଙ୍କାର ଦୋକାନୀ ଉପରକୁ ଗୁଳିମାଡ କରିଥିଲେ। ଯେଉଁଥିରେ ଆଳଙ୍କାର ଦୋକାନୀ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ପରେ ସେମାନଙ୍କୁ ଯାଜପୁର ଜେଲକୁ ପଠାଇ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ପରେ ସେମାନଙ୍କୁ କଟକ ସ୍ପେଶାଲ ଜେଲ ଚୌଦ୍ଵାରକୁ ସ୍ଥାନାନ୍ତର କରାଯାଇଥିଲା।

ରାବଣ ପୋଡ଼ିବେଳେ ଲୁଟେରାଙ୍କ ହଲ୍ଲାବୋଲ : ୧୫୦ରୁ ଅଧିକ ମୋବାଇଲ ଲୁଟ୍

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବରରେ ରାବଣ ପୋଡି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ । ବରମୁଣ୍ଡା ପଡିଆରେ ଲୁଟେରାଙ୍କ ହଲ୍ଲାବୋଲ । ବାଣଫୁଟା ଚାଲିଥିବା ବେଳେ ପକେଟରୁ ମୋବାଇଲ ଗୋଲ୍ । ବେଶ ଚତୁରତାର ସହ ମୋବାଇଲ ଚୋରି ନେଇ ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନାରେ ଏହାକୁ ନେଇ ଲୋକଙ୍କ ଭିଡ ଜମିଛି । ମୋବାଇଲ ଲୁଟ ନେଇ ହୋଇଛି ମାମଲା । ପୋଲିସର କଡା ସୁରକ୍ଷା ଭିତରେ ବି ଲୁଟେରା ଉତ୍ପାତ କରିଛନ୍ତି । ଜଳକା ହୋଇଯାଇଛି କମିଶନରେଟ ପୋଲିସ । ରାତି ତମାମ ଥାନାରେ ଲୋକଙ୍କ ଭିଡ଼ ପରେ ଶତାଧିକ ମିସିଂ କେସ କରିଛି ପୋଲିସ । ଆନ୍ତଃରାଜ୍ୟ ଗ୍ୟାଙ୍ଗ ଲୁଟ ପାଟ କରିଥିବା ସନ୍ଦେହ କରାଯାଉଛି । କେବଳ ବରମୁଣ୍ଡା ପଡ଼ିଆରୁ ଏତେ ପରିମାଣର ମୋବାଇଲ ଲୁଟ ହୋଇଥିବା ବେଳେ ଅନ୍ୟ ସ୍ଥାନରେ ମଧ୍ୟ ଏହି ଲୁଟେରା ଗ୍ୟାଙ୍ଗ ଲୁଟ ପାଟ କରୁଥିବା ସନ୍ଦେହ କରୁଛି ପୋଲିସ ।

ମଧ୍ୟପ୍ରଦେଶରେ ଚାଞ୍ଚଲ୍ୟ : ସରକାରୀ ଚାକିରି ବଞ୍ଚାଇବାକୁ ଚତୁର୍ଥ ସନ୍ତାନକୁ ବଣରେ ଛାଡି ଚାଲିଗଲେ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ : ଚାକିରି ବଞ୍ଚାଇବା ପାଇଁ ସୈତାନ ସାଜିଲେ ବାପା ମାଆ । ନବଜାତ ଶିଶୁକୁ ଜଙ୍ଗଲରେ ଛାଡି ଚାଲିଗଲେ ଦମ୍ପତି । ସରକାରୀ ଚାକିରି ଚାଲିଯିବା ଭୟରେ ଚତୁର୍ଥ ସନ୍ତାନକୁ ଜଙ୍ଗଲରେ ପଥର ତଳେ ଛାଡି ଚାଲି ଚାଲିଗଲେ ଶିକ୍ଷକ ଦମ୍ପତି। ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସରକାରୀ ନିୟମରେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଉପରେ କଟକଣା ଥିବା ଯୋଗୁଁ  ଚାକିରି ହରାଇବା ଭୟରେ ବୁଲୁ ଦଣ୍ଡୋଲିୟା ଓ ପତ୍ନୀ ରାଜକୁମାରୀ ଗର୍ଭଧାରଣ ଖବର ଗୁପ୍ତ ରଖିଥିଲେ। ୨୩ ସେପ୍ଟେମ୍ବର ଘରେ ପିଲା ଜନ୍ମ ପରେ କେବଳ କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଜଙ୍ଗଲରେ ଛାଡ଼ି ଆସିଥିଲେ।

ବର୍ଷା ଦିନର ରାତିରେ ଶିଶୁଟିକୁ ଦମ୍ପତି ଛାଡି ଆସିବା ପରେ ମଧ୍ୟ ସେ ୩ ଦିନ ବଞ୍ଚି ଯାଇଥିଲା। ଗ୍ରାମବାସୀମାନେ କାନ୍ଦ ଶୁଣି ଶିଶୁଟିକୁ ଉଦ୍ଧାର କରିଥିଲେ। ଥଣ୍ଡାରେ କମ୍ପୁଥିବା ରକ୍ତାକ୍ତ ଶିଶୁକୁ ଉଦ୍ଧାର କରିଥିଲେ ଗ୍ରାମବାସୀ। ସଙ୍ଗେ ସଙ୍ଗେ ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ଡାକ୍ତର ଶିଶୁଟିକୁ ଭର୍ତ୍ତି କରିଥିଲେ । ଶିଶୁଟିକୁ ପିମ୍ପୁଡ଼ି କାମୁଡ଼ିଥିବା  ଏବଂ ହାଇପୋଥର୍ମିଆର ଲକ୍ଷଣ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏପରି ପରିସ୍ଥିତିରେ ଶିଶୁଟି ବଞ୍ଚିବା ଏକ ଚମତ୍କାର ବୋଲି ଡାକ୍ତର କହିଛନ୍ତି । ବର୍ତ୍ତମାନ ଶିଶୁଟି ସୁରକ୍ଷିତ ଥିବାବେଳେ ଚିକିତ୍ସା ଜାରି ରହିଛି ।

ତେବେ ପୋଲିସ ଭାରତୀୟ ନ୍ୟାୟ ସଂହିତାର ବିଏନ୍‌ଏସ୍ ଧାରା ୯୩ ଅଧୀନରେ ମାମଲା ରୁଜୁ କରିଛି। ଏସ୍‌ଡିଓପି କାଲ୍ୟାଣୀ ବର୍କଡ଼େ କହିଛନ୍ତି, “ଆମେ ଉପରିସଟି ଅଧିକାରୀଙ୍କୁ ପରାମର୍ଶ ଦେଉଛୁ। ଧାରା ୧୦୯ ହତ୍ୟା ପ୍ରୟାସ ସମେତ ଅନ୍ୟ ଧାରା ଯୋଡ଼ାଯାଇପାରେ।” ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଅନୁଯାୟୀ, ଭାରତରେ ପରିତ୍ୟକ୍ତ ନବଜାତ ଶିଶୁଙ୍କ ସଂଖ୍ୟା ମଧ୍ୟପ୍ରଦେଶରେ ସର୍ବାଧିକ। ଦାରିଦ୍ର୍ୟ, ସାମାଜିକ କଳଙ୍କ ଏବଂ ପ୍ରତିଗାମୀ ଚାକିରି ସମ୍ପର୍କିତ ଭୟରେ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି।

 

 

 

ଦୁର୍ଗା ଭସାଣ ବେଳେ ମଧ୍ୟପ୍ରଦେଶରେ ବଡ଼ ଅଘଟଣ, ଦୁଇଟି ସ୍ଥାନରେ ବୁଡ଼ିଗଲେ ୧୩ ଜଣ

ନନ୍ଦିଘୋଷ ବ୍ୟୁରୋ : ଦୁର୍ଗା ଭସାଣ ବେଳେ ମଧ୍ୟପ୍ରଦେଶରେ ବଡ଼ ଅଘଟଣ  । ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟପ୍ରଦେଶରେ ଦୁଇଟି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି। ଉଜ୍ଜୟିନୀ ନିକଟସ୍ଥ ଇନ୍ଗୋରିୟାରେ ଏକ ଟ୍ରାକ୍ଟର୍-ଟ୍ରଲି ଚମ୍ବଳ ନଦୀରେ ଖସି ପଡ଼ିଥିଲା । ଯେତେବେଳେ ୧୨ ବର୍ଷର ଏକ ଶିଶୁ ଭୁଲ୍ ହୋଇ ଇଞ୍ଜିନ୍ ଚାଲୁ କରିଥିଲା। ୧୨ ଶିଶୁ ପାଣିରେ ଖସିଥିଲେ, ୧୧ଜଣଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରିଥିଲେ ଯେଉଁମାନଙ୍କ ମଧ୍ୟରେ ୨ଜଣ ଚିକିତ୍ସା ସମୟରେ ଜୀବନ ଚାଲିଯାଇଥିଲା, ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ପୋଲିସ ଓ ଏସ୍‌ଡିଆର୍‌ଏଫ୍ ଦଳ ମଧ୍ୟ ଖୋଜା ଜାରି ରଖିଛନ୍ତି।

ଅନ୍ୟ ଏକ ଘଟଣାରେ ଖଣ୍ଡବା ଜିଲାର ପନ୍ଧନା ତହସିଲରେ ଆର୍ଦଳା ଓ ଜମଲି ଗ୍ରାମର ୨୦-୨୫ ଜଣଙ୍କୁ ନେଇ ଯାଉଥିବା ଟ୍ରାକ୍ଟର୍-ଟ୍ରଲି ପୋଖରୀରେ ଖସି ଯାଇଥିଲା। ଅଧିକାରୀମାନେ ୧୧ ଶବ ଉଦ୍ଧାର କରିଛନ୍ତି ,ଯେଉଁଥିରେ ୮ ନାବାଳିକା ରହିଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଟ୍ରଲି ଓଭରଲୋଡ୍ ଥିଲା। ଘଟଣା ନେଇ ପୋଲିସ ଓ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଅଘଟଣ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି। “ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା, ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ଓ ପରିବାରମାନେ ଧୈର୍ଯ୍ୟ ପାଆନ୍ତୁ,” ସେ କହିଛନ୍ତି।

୨୬ରୁ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୬ରୁ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ। ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ ହୋଇଥିଲା। ୨୬ରୁ ବିମାନ ଯାତ୍ରା ସମ୍ପର୍କରେ ସୂଚନା ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ହେବା ସମ୍ପର୍କରେ ସହମତି ପ୍ରକାଶ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବା ପରେ ଇଣ୍ଡିଗୋ ଏହି ସୂଚନା ଦେଇଛି। ବନ୍ଦ ରହିଥିବା ବିମାନ ସେବାକୁ ପୁନଃପ୍ରଚଳନ କରିବା ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ବୈଷୟିକ କଥାବାର୍ତ୍ତା ଚାଲୁ ରହିଥିଲା। ଗଲୱାନ ସଂଘର୍ଷ ପରେ ପରେ କୋଭିଡ ସମସ୍ୟା ଯୋଗୁ ବିମାନ ସେବା ଅଧିକ ପ୍ରଭାବିତ ହୋଇଥିଲା।

ଆଜି ମେଲାଣି ନେବେ ମାଆ, ରାଜଧାନୀରେ ଅନୁଷ୍ଠିତ ହେବ ଡିଜେ ଓ ନିଶାମୁକ୍ତ ଭସାଣ

ନନ୍ଦିଘୋଷ ବ୍ୟୁରୋ : ଆଜି ରାଜଧାନୀରେ ଅନୁଷ୍ଠିତ ହେବ ଡିଜେ ମୁକ୍ତ ଓ ନିଶାମୁକ୍ତ ଭାସାଣ । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ ଭୁବନେଶ୍ୱର । ୫ ଟି ଜାଗାରେ ହେବ ଭସାଣ ମଞ୍ଚ। ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି । ଭାସାଣ ଲାଗି ରାସ୍ତା, ଘାଟ ଓ ଅଲୋକିକରଣ ବ୍ୟବସ୍ଥା ବି କରାଯାଇଛି ।

ଭସାଣ ସମୟରେ ଅଘଟଣ ରୋକିବା ଲାଗି ଅଗ୍ନିଶମ ଓ ଶାନ୍ତିଶୃଙ୍ଖଳା ଲାଗି ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ସହିଦନଗର ଭୁବନେଶ୍ୱର ଭସାଣ ଉତ୍ସବ କମିଟି, ନୟାପଲ୍ଲୀରେ ରାଜଧାନୀ ମନ୍ଦିର ଭସାଣ ସୁରକ୍ଷା କମିଟି, ଏକାମ୍ର ଦୁର୍ଗା ମହୋତ୍ସବ, ଉତ୍ତର ଭୁବନେଶ୍ୱର ପଟେ ଦୁଇଟା ଭସାଣ ମହୋତ୍ସବ ଆୟୋଜିତ ହେଉଛି । ପ୍ରଶାସନ ପକ୍ଷରୁ ଡିଜେ ବାରଣ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଅଲୋକୀକରଣ ଉପରେ ଧ୍ୟାନ ଦିଆଯାଇଛି ।ଏହା ସହ ରସୁଲଗଡ଼ ଓ ଦାରୁଠେଙ୍ଗ କୌଣସି କମିଟିକୁ ନଯାଇ ନିଜସ୍ଵ ଭସାଣ ଉତ୍ସବ ଆୟୋଜନ କରିଛନ୍ତି । ଭୁବନେଶ୍ୱରରେ ଭସାଣ ଉତ୍ସବ ଲାଗି କମିଶନରେଟ ପୋଲିସ ପକ୍ଷରୁ ମାର୍ଗଦର୍ଶୀକା ଜାରି ହୋଇଛି।

ଥମୁନି ବର୍ଷା , ୭ ଜିଲ୍ଲାକୁ ରେଡ୍ ଓ ୧୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ : ଗଭୀର ଅବପାତ ପ୍ରଭାବରେ ବର୍ଷା । ୭ ଜିଲ୍ଲାକୁ ରେଡ୍ ଓ ୧୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ଭୀଷଣ ବର୍ଷା ନେଇ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଢେ଼ଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ନୂଆପଡ଼ା,ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ସୁନ୍ଦରଗଡ଼, କେଉଁଝର ଜିଲ୍ଲାରେ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ଅଧିକ ରହିବ । ବାଲେଶ୍ୱର ବାହାନଗାରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏହାର ପ୍ରଭାବରେ ଟୁଇନ ସିଟିରେ ଲାଗି ରହିଛି ବର୍ଷା ।

ନକ୍ସଲ ଆତ୍ମସମର୍ପଣର ବିରଳ ଘଟଣା : ଏକାସହ ଛତିଶଗଡ଼ ବିଜାପୁରରେ ଅସ୍ତ୍ର ଛାଡ଼ିଲେ ୧୦୩ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ଼ ବିଜାପୁରରେ ୧୦୩ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏକା ଥରେ ଏତେ ନକ୍ସଲ ଆତ୍ମସମର୍ପଣ କରିବା ବିରଳ ଘଟଣା। ଏହି ମାୱାଦୀଙ୍କ ନାଁରେ ଥିଲା ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ବିଭିନ୍ନ ପଦବୀରେ ସକ୍ରିୟ ଥିବା ମାଓବାଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ DVCM, ଚାରି ଜଣ PPCM, ଚାରି ଜଣ ACM, ପାଞ୍ଚ ଜଣ କ୍ଷେତ୍ର କମିଟି ସଦସ୍ୟ, ପାଞ୍ଚ ଜଣ ମିଲିସିଆ କମାଣ୍ଡର/ଡେପୁଟି କମାଣ୍ଡର, ଚାରି ଜଣ ଜନତାନା ସରକାର ସଭାପତି, ୨୨ ଜଣ ଜନତାନା ସରକାର ସଦସ୍ୟ ଏବଂ ୨୩ ଜଣ ମିଲିସିଆ ପ୍ଲାଟୁନ୍ ସଦସ୍ୟ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି ଯେ ସଂଗଠନର ବିଚାରଧାରା ପ୍ରତି ଭ୍ରମ, ନେତୃତ୍ୱର କ୍ରମାଗତ ଅଭାବ, ସୁରକ୍ଷା ବାହିନୀ ଦ୍ୱାରା ଜବରଦସ୍ତି କାର୍ଯ୍ୟ ଏବଂ ସରକାରଙ୍କ ପୁନର୍ବାସ ନୀତି ଏହି ପଦକ୍ଷେପ ନେବାକୁ ସେମାନଙ୍କୁ ପ୍ରେରଣା ଦେଇଥିଲା। ଆତ୍ମସମର୍ପଣକାରୀ ମାଓବାଦୀମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ₹୫୦,୦୦୦ ଟଙ୍କାର ଲେଖାଏଁ ଚେକ୍ ଦିଆଯାଇଛି। ସରକାରଙ୍କ ନିୟମ ଅନୁସାରେ ସମସ୍ତଙ୍କୁ ଥଇଥାନ କରାଯିବ।