spot_img
Home Blog Page 3281

ସାମ୍ନାକୁ ଆସିଲା ଅମୃତପାଲର ଭିଡିଓ, ପଞ୍ଜାବ ପୋଲିସଙ୍କୁ ଦେଲା ଖୋଲା ଚ୍ୟାଲେଞ୍ଜ

ଚଣ୍ଡିଗଡ଼: ଆତ୍ମସମର୍ପଣ କଳ୍ପନାଜଳ୍ପନା ମଧ୍ୟରେ ପଳାତକ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏକ ଭିଡିଓ ଜାରି କରିଛନ୍ତି । ଅମୃତପାଲ ତାଙ୍କ ଭିଡିଓରେ ପଞ୍ଜାବ ପୋଲିସ ଏବଂ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କର ଗୋଟିଏ ବି କେଶ କେହି ବଙ୍କା କରିପାରିବେ ନାହିଁ ବୋଲି କହିଛନ୍ତି ଅମୃତପାଲ । ଭିଡିଓରେ ଅମୃତପାଲ କହିଛନ୍ତି ଯେ ଏହି ପ୍ରସଙ୍ଗ କେବଳ ତାଙ୍କ ଗିରଫଦାରୀ ଉପରେ ନୁହେଁ । ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ମଧ୍ୟ ବିରୋଧ କରିଛନ୍ତି । ଷଡ଼ଯନ୍ତ୍ର କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଁ ଶିଖ୍ ସମ୍ପ୍ରଦାୟର ଅଧିକାର ପାଇଁ ଲଢ଼େଇ କରୁଛି ବୋଲି କହିଛନ୍ତି ଅମୃତପାଲ ।

https://twitter.com/parteekmahal/status/1641044156931002371?s=20

ବୈଶାଖୀ ଅବସରରେ ସରବତ୍ ଖାଲସା କରିବାକୁ ଅମୃତପାଲ ସିଂ ଭିଡିଓରେ ନିବେଦନ କରିଛନ୍ତି । ସାରା ଦେଶ ତଥା ବିଦେଶରୁ ଶିଖ୍ ସମ୍ପ୍ରଦାୟର ଲୋକ ଏହି ସରବତ ଖାଲସାରେ ଅଂଶଗ୍ରହଣ କରିବା ଉଚିତ ଓ ସେଠାରେ ସମ୍ପ୍ରଦାୟର ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଉଚିତ ବୋଲି ସେ ଭିଡିଓରେ କହିଛନ୍ତି ।

ସୂଚନା ଅନୁସାରେ ଅମୃତପାଲ ସିଂ ବୁଧବାର ଆତ୍ମସମର୍ପଣ କରିବେ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଆଲର୍ଟ ମୋଡରେ ରହିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଅମୃତପାଲ ପଞ୍ଜାବୀରେ କଥା ହେଉଛି । ଏହି ଭିଡିଓରେ ସେ କହିଛନ୍ତି ’ମୋର ଗିରଫଦାରୀ ଓ୍ୱାହେଗୁରୁଙ୍କ ହାତରେ ଅଛି । ମୋର କେହି କିଛି କହିପାରିବେ ନାହିଁ ବୋଲି କହିଛି ଅମୃତପାଲ ।

 

 

UPI ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବନି ଚାର୍ଜେସ୍, ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ: UPI ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଚାର୍ଜେସ୍। ଏହି ଖବରକୁ ନେଇ ଚିନ୍ତାରେ ରହିଥିଲେ ଅନଲାଇନ୍ ପେମେଣ୍ଟ କରୁଥିବା ଗ୍ରାହକ । ୨୦୦୦ରୁ ଅଧିକ ନେଣଦେଣ ଉପରେ ୧.୧ ପ୍ରତିଶତ ଚାର୍ଜ ଦେବାକୁ ପଡିବ । ଗୁଗୁଲ ପେ, ଫୋନ୍ ପେ ଓ ପେଟିଏମ୍ ଭଳି ପ୍ଲାଟଫର୍ମରେ ଆପଣଙ୍କୁ ୨୦୦୦ର ଟ୍ରାଞ୍ଜାକ୍ସନ ଉପରେ ଅଧିକ ପଇସା ଦେବାକୁ ପଡିବ ।

ଏନପିସିଆଇର ସର୍କୁଲାର ପରେ UPI ମହଙ୍ଗା ହେବକି? ଏହି ଚାର୍ଜେସ  ସମସ୍ତ ଅନଲାଇନ୍ ପେମେଣ୍ଟ ଉପରେ ଲାଗୁ ହେବ । ନା କିଛି ଖାସ୍ ଟ୍ରାଞ୍ଜାକ୍ସନ ଉପରେ ଲାଗୁ ହେବ । ଏସବୁକୁ ନେଇ ଚିନ୍ତିତ ଥିଲେ ଆପଣଙ୍କ ପାଇଁ ଖୁସି ଖବର, କାରଣ UPI ଟ୍ରାଞ୍ଜାକ୍ସନରେ ସମସ୍ତଙ୍କୁ ଦେବାକୁ ପଡିବନି ଚାର୍ଜେସ୍ ।

ସର୍କୁଲାର ଅନୁସାରେ, ଏହି ଚାର୍ଜେସ୍ କେବଳ ମର୍ଚେଣ୍ଟ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଲାଗିବ । ଏହାର ଅର୍ଥ ହେଉଛି ଏହି ଚାର୍ଜେସ୍ ବ୍ୟାଙ୍କ ଓ ପ୍ରିପେଡ ୱାଲେଟ୍ ମଧ୍ୟରେ ହେଉଥିବା ପିଅର ଟୁ ପିଅର (p2p) ଓ ପିଅର ଟୁ ମର୍ଚେଣ୍ଟ (p2m) ଟ୍ରାଞ୍ଜାକ୍ସନ ଉପରେ ଲାଗୁ ହେବ ନାହିଁ । ଫଳରେ ଆପଣଙ୍କୁ ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡିବନି । ବିନା ଟେନସନରେ ଆପଣ ଅନଲାଇନ ପେମେଣ୍ଟ କରିପାରିବେ ।

କେଉଁମାନେ ଦେବେ ଚାର୍ଜେସ?

ନୂଆ ପ୍ରସ୍ତାବ କେବଳ ୱାଲେଟ୍ ବା ପିପିଆଇ ପାଇଁ ଲାଗୁ ହେବ । ଯଦି ଆପଣ ୱାଲେଟରୁ ଦୁଇ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ଆପଣଙ୍କୁ ଇଣ୍ଟରଚେଞ୍ଜ ଫି ଦେବାକୁ ପଡିବ । ଅର୍ଥାତ୍ ୱାଲେଟ ଓ କ୍ରେଡିଟ୍ କାର୍ଡରୁ ୟୁପିଆଇ ପେମେଣ୍ଟ କରୁଛନ୍ତି ତାହେଲେ ଚାର୍ଜେସ୍ ଲାଗିବ । ଏଥିରେ ଆପଣଙ୍କୁ ଟୋଟାଲ୍ ପେମେଣ୍ଟର ୧.୧ ପ୍ରତିଶତ ଚାର୍ଜ ଦେବାକୁ ପଡିବ ।  ଡେବିଟ୍ ଓ କ୍ରେଡିଟ୍ କାର୍ଡ ଭଳି ଏଥିରେ ପଇସା କଟିବ । କିନ୍ତୁ ବ୍ୟାଙ୍କ ଟୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଫ୍ରି ରହିଛି ।

ସାଧାରଣ ଜନତାଙ୍କ ଉପରେ କି ପ୍ରଭାବ ପକାଇବ?

ସାଧାରଣ ଲୋକଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ । ଏପରିକି ଦୁଇ ହଜାରରୁ କମ୍ ଟ୍ରାଞ୍ଜାକ୍ସନ କରୁଥିବା ମର୍ଚେଣ୍ଟ ଉପରେ ମଧ୍ୟ କିଛି ପ୍ରଭାବ ପକାଇବ ନାହିଁ ।

କିନ୍ତୁ ଯଦି ଆପଣ କୌଣସି ବ୍ୟକ୍ତି ବା ଦୋକାନୀଙ୍କୁ ଅନଲାଇନ୍ ପେମେଣ୍ଟ କରୁଛନ୍ତି ଏବଂ ପେମେଣ୍ଟ ର ବିକଳ୍ପ ଭାବେ ବ୍ୟାଙ୍କ ଆକାଉଣ୍ଟ ଚୟନ କରୁଛନ୍ତି ,ତାହେଲେ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ। ତେଣୁ ଯେତେବେଳେ କୌଣସି ଦୋକାନୀଙ୍କୁ ଆପଣ କିଛି ପେମେଣ୍ଟ୍ କରୁଛନ୍ତି ସେତେବେଳେ ୱାଲେଟ୍ ବଦଳରେ ବ୍ୟାଙ୍କ ଆକାଉଣ୍ଟକୁ ଚୟନ କରନ୍ତୁ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ ୟୁପିଆଇ ସହିତ ଯୋଡି ହୋଇଥାଏ। ସରଳ ଅର୍ଥରେ କହିଲେ ଫୋନ୍ ପେ,ଗୁଗଲ ପେ ଭଳି ଆପରେ ବ୍ୟାଙ୍କ ଆକୁଣ୍ଟ ସହିତ ୱାଲେଟ୍ ବାଛିବାର ବିକଳ୍ପ ମଧ୍ୟ ମିଳିଥାଏ। ଯେତେବେଳେ ଆପଣ କିଛି ପେମେଣ୍ଟ୍ କରିବାକୁ ଚାହୁଁଛନ୍ତି ସେତେବେଳେ ଫୋନପେ ବା ଗୁଗଲ ପେ ରେ ଥିବା ୱାଲେଟ୍ ଦ୍ୱାରା ପେମେଣ୍ଟ ନକରି ନିଜ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ପେମେଣ୍ଟ୍ କରନ୍ତୁ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଏହି ସବୁ ଆପରେ ଦେଖାଇଥାଏ।

ସେହିଭଳି ଆପଣ ଯଦି କୌଣସି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୟୁପିଆଇ ଦ୍ୱାରା ଟଙ୍କା ପଠାଉଛନ୍ତି ତା ଉପରେ ମଧ୍ୟ କୌଣସି ପ୍ରକାରର ଫି ଦେବାକୁ ପଡ଼ିବ ନାହିଁ। ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପେମେଣ୍ଟ କରୁଛନ୍ତି ତେବେ ନା ଗ୍ରାହକ ନା ଦୋକାନୀ, କାହାକୁ ବି ଚାର୍ଜ ଲାଗିବ ନାହିଁ  । ୱାଲେଟରେ ଦୁଇ ହଜାରରୁ ଅଧିକ ପେମେଣ୍ଟ କରୁଛନ୍ତି ତେବେ ମଧ୍ୟ ଗ୍ରାହକଙ୍କୁ କୌଣସି ଚାର୍ଜ ଲାଗିବ ନାହିଁ ।

ସେହିଭଳି ଯଦି ଜଣେ ଗ୍ରାହକ ବ୍ୟାଙ୍କ ଆକାଉଣ୍ଟରୁ ଲିଙ୍କ ଥିବା ୟୁପିଆଇ ଦ୍ୱାରା ଦୋକାନୀଙ୍କୁ ପେମେଣ୍ଟ କରୁଛନ୍ତି ତେବେ ଉଭୟଙ୍କୁ କୌଣସି ପ୍ରକାର ସରଚାର୍ଜ ଦେବାକୁ ପଡିବ ନାହିଁ । କିନ୍ତୁ ଯଦି ଗ୍ରାହକ ୱାଲେଟ ଜରିଆରେ ଦୁଇ ହଜାରରୁ ଅଧିକ ଟଙ୍କା ପେମେଣ୍ଟ କରୁଛନ୍ତି ତେବେ ଦୋକାନୀଙ୍କୁ ସଚାର୍ଜ ଦେବାକୁ ପଡିବ । ଯାହାକୁ ମଧ୍ୟ ଇଣ୍ଟରଚେଞ୍ଜ ଫିସ୍ ବୋଲି କୁହାଯାଏ ।

ଏପ୍ରିଲ ୨ ଯାଏଁ ଭିଜିବ ଓଡିଶା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ଏପ୍ରିଲ ୨ ଯାଏଁ ତୁହାକୁ ତୁହା ଭିଜିବ ଓଡ଼ିଶା । ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି କାଳ ବୈଶାଖୀ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ବର୍ଷା ଓ ଘଡଘଡି ବିଜୁଳି ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ପାଇଁ ଏହି ସର୍ତକର୍ତା ଜାରି କରାଯାଇଛି ।

ରାଜ୍ୟରେ ଗତ ୩୦ ମିନିଟରେ ୫ ହଜାର ୪୦୦ ଥର ବଜ୍ରପାତ ହୋଇଛି । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ବଜ୍ରପାତ ଘଟି ୫ ଜଣଙ୍କ ମୃତ ହୋଇଛି । ସେପଟେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡିଶା ସମେତ ଉପକୂଳ ଓଡିଶାରେ କିଛି ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏପ୍ରିଲ ତିନି ତାରିଖରୁ ପୁଣି ବୃଦ୍ଧି ପାଇବ ତାପମାତ୍ରା । ତେବେ ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୪୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

କଳିଙ୍ଗ ଷ୍ଟାଡିୟମରେ ନୂଆ ଟେନିସ କୋର୍ଟ, ୧୫୦୦ ଦର୍ଶକ ଏକାଠି ଦେଖିବେ

ଭୁବନେଶ୍ବର: ଆଜି ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହେବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଓଡ଼ିଶା ହେବ ଭାରତର ଟେନିସ ଭିତ୍ତିଭୂମିର ସର୍ବଶ୍ରେଷ୍ଠ ରାଜ୍ୟ । କଳିଙ୍ଗ ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟାଧୁନିକ ଟେନିସ କୋର୍ଟ ଉଦଘାଟନ କରିଛନ୍ତି । ନୂତନ ଷ୍ଟାଡିୟମରେ ଏକାସଙ୍ଗେ ୧୫ଶହ ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ ।

ଷ୍ଟାଡିୟମ ପରିସରରେ ବିଶ୍ବସ୍ତରୀୟ କନଫରେନ୍ସ ରୁମ, ଲାଉଂଜ, ମେଡିକାଲ ରୁମ, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ରୁମ, ବ୍ରଡକାଷ୍ଟ ରୁମ, ମିଡିଆ ସେଣ୍ଟର, ଡ୍ରେସିଂ ରୁମ ବି ଅଛି । ନୂଆ ଷ୍ଟାଡିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ପୂର୍ବରୁ ରହିଛି । ଯେଉଁଠି ୬ଟି ସିନ୍ଥେଟିକ କୋର୍ଟ ଓ ୪ଟି କ୍ଲେ କୋର୍ଟ ମଧ୍ୟ ରହିଛି।

ନୂଆ ଷ୍ଟାଡିୟମରେ ଖେଳାଯିବ ଏସିଆନ୍ ଟେନିସ ଚାମ୍ପିୟନସିପ। ଆସନ୍ତା ଏପ୍ରିଲ ୪ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ । ଜୁନିୟର ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଏସିଆର ୧୫ଟି ଦେଶ ଅଶଂଗ୍ରହଣ କରିବେ । ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଡେଭିସ କପ ଆୟୋଜନ ପାଇଁ ଓଡ଼ିଶା ବିଡ଼ିଂରେ ଭାଗନେବ ବୋଲି ସୂଚନା ମିଳିଛି ।

ହାତରୁ ଖସି ବନ୍ଧୁକରୁ ଫୁଟିଲା ଗୁଳି, ଚାଲିଗଲା ବୃଦ୍ଧଙ୍କ ଜୀବନ

କୋରାପୁଟ: ଦେଶୀ ବନ୍ଧୁକରୁ ଗୁଳି ଫୁଟି ବୃଦ୍ଧାଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି ଅଘଟଣ । ମୃତକ ହେଲେ ୬୫ ବର୍ଷୀୟ ଜାନୀ ମଞ୍ଜୁଳା । ଜିଲ୍ଲାରେ ଆଦିବାସୀଙ୍କ ଚଇତି ପରବ ଚାଲିଛି । ଏନେଇ ଘରେ ରଖିଥିବା ସମସ୍ତ ଅସ୍ତ୍ରଶସ୍ତ୍ର ପୁଜାକରିବା ବିଧି ରହିଅଛି ।

ଵୋଇ କମୂଲୁ ଘରେ ଦେଶୀ ବନ୍ଧୁକ ଟିକୁ ବାହାର କରିବା ସମୟରେ ବନ୍ଧୁକଟି ହାତରୁ ଖସି ଗୁଳି ଫୁଟିଯାଇଥିଲା । ଗୁଳିଟି ସ୍ତ୍ରୀ ଜାନୀ ମଞ୍ଜୁଳାଙ୍କୁ ବାଜିବାରୁ ସେ ଆହତ ହୋଇଥିଲା । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ପଟ୍ଟାଙ୍ଗି ଥାନାରେ ଅଭିଯୋଗ ପରେ ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ ।

ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ରାମେଶ୍ବର ମନ୍ଦିର ଅଭିମୁଖେ ଟାଣିନେଉଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲିଙ୍ଗରାଜଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଛି ରଥଟଣା । ରୁକୁଣା ରଥଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର । ପୋଲିସ ଓ ସ୍ୱେଚ୍ଛାସେବୀଙ୍କ କର୍ଡନରେ ଜାରି ରହିଛି ରଥଟଣା । ରୁକୁଣା ରଥଟଣାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ଝିପି ଝିପି ବର୍ଷା ସତ୍ତ୍ୱେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥକୁ ଟାଣିବାକୁ ଓ ଯାତ୍ରାରେ ସାମିଲ ହେବା ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

ଆଜି ସନ୍ଧ୍ୟା ୭ଟା ସୁଦ୍ଧା ରାମେଶ୍ବର ମନ୍ଦିରରେ ରୁକୁଣା ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି । ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଛି । ସୁରକ୍ଷା ଦାୟିତ୍ବରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି । ପାଞ୍ଚ ଦିନ ଧରି ଆୟୋଜିତ ଯାତ୍ରାରେ ରଥ ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରି ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିର ନିକଟକୁ ଯାଇଥାଏ । ଏହି ପାଞ୍ଚ ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ।

ମୁଣ୍ଡଜାମିନ ପାଇଁ ମାଗିଥିଲେ ୫୦ ଲକ୍ଷ, ମିଳିଲାନି ବୋଲି ବ୍ୟବସାୟୀଙ୍କ ପୁଅକୁ ହତ୍ୟା

ଝାରସୁଗୁଡା: ବ୍ୟବସାୟୀଙ୍କ ପୁଅକୁ ଅପହରଣ ପରେ ହତ୍ୟା ଅଭିଯୋଗ ହୋଇଛି। ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ । ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନିତ ଅଗ୍ରଓ୍ବାଲଙ୍କ ୧୫ ବର୍ଷର ପୁଅ ସମର୍ଥ ଅଗ୍ରଓ୍ବାଲଙ୍କୁ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ଅପରାଧୀ ମାନେ ନାବାଳକର ପିତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ ।

ତାହା ନମିଳିବାରୁ ୨୮ ତାରିଖ ରାତିରେ ସମର୍ଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବରଗଡ ଜିଲାର ଭେଡେନ ଥାନାଞ୍ଚଳରୁ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ମାମଲାର ତଦନ୍ତ କରି ଝାରସୁଗୁଡା ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଝାରସୁଗୁଡା ବିଜୁ ନଗରର ଅମିତ କୁମାର ଶର୍ମା ଓ ବଜ୍ରରାଜନଗରର ଗାନ୍ଧୀଛକର ଦିନେଶ ଅଗ୍ରଓ୍ବାଲ । ତେବେ ଟଙ୍କା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ନା ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଝାରସୁଗୁଡା ଏସପି ।

ପରୀକ୍ଷା ଚାଲିଥିବା ବେଳେ ଝୁଲିପଡିଲେ ରମାଦେବୀ ଛାତ୍ରୀ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି  । ମୃତ ଛାତ୍ରୀ ଯୁକ୍ତ ୨ ଦ୍ୱିତୀୟ ବର୍ଷର ବୋଲି ଜଣାପଡିଛି  । ତାଙ୍କ ଘର ରାୟଗଡା ଜିଲ୍ଲାରେ ହୋଇଥିବା ଜଣାପଡିଛି  । ପରୀକ୍ଷା ଚାଲିଥିବା ବେଳେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି  । ୨ଟି ପେପର ଖରାପ ହୋଇଥିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ହଷ୍ଟେଲରୁ ପୋଲିସକୁ ସୁଇସାଇଡ ନୋଟ ମିଳିଛି  । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ କରୁଛି  ।

ମାଲକାନଗିରିରେ 5T ସଚିବଙ୍କ ମାରାଥନ ଅନୁଧ୍ୟାନ, ଗ୍ରାଉଣ୍ଡ ଜିରୋରେ ହେବ ବିକାଶ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ 5T ସଚିବଙ୍କ ମାରାଥନ ଅନୁଧ୍ୟାନ । ଆଜି ଗ୍ରାଉଣ୍ଡ ଜିରୋରେ କରୁଛନ୍ତି ବିକାଶର ଅନୁଧ୍ୟାନ । ଗୁରୁପ୍ରିୟା ସେତୁ ଉପରେ ବଡପଦାକୁ ସବଷ୍ଟେସନକୁ ଆସୁଥିବା ୩୩କେଭି ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ମାଲାକାନକିରି କୋଟେଲଗୁଡାରେ ଏୟାରଷ୍ଟ୍ରିପ ଟର୍ମିନାଲ ବିଲଡିଂ ଓ ଗେଷ୍ଟହାଉସର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।

ସେଠାରୁ ଚିତ୍ରୋକୋଣ୍ଡା ମିଶନ ଶକ୍ତି କାଫେକୁ ଆସି ମାଆ ଓ ପରେ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍କୁଲର ଲାଇବ୍ରେରୀ, ସ୍କାର୍ଟ କ୍ଲାସରୁମରେ କିଭଳି ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି, ସେ ସମ୍ପର୍କରେ ବୁଲି ଦେଖିଛନ୍ତି । ପରେ ମାଲକାନଗିରିର ମାଳିକେଶ୍ବର ମନ୍ଦିରକୁ ଯାଇ ଏହାର ଉନ୍ନତିକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ସତିଗୁଡ଼ା ଇକୋପାର୍କରେ ବିକାଶର ସମୀକ୍ଷା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ବିଭିନ୍ନ ବ୍ଲକକୁ ଯାଇ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପରିଦର୍ଶନ କରିବା ସହ କାୟାକଳ୍ପ ପୁରସ୍କାର ପାଇଁ ଜିଲ୍ଲାପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟାବାଦ ଅର୍ପଣ କରିଥିଲେ ପାଣ୍ଡିଆନ୍ । ଗତକାଲି ବଣ୍ଡାଘାଟିରେ ପହଞ୍ଚିଥିଲେ ଫାଇଭ-ଟି ସଚିବ ।

ଲୋକଙ୍କ ସମସ୍ୟା ଶୁଣିବା ସହ ବଣ୍ଡାଘାଟିକୁ ବସ୍ ଓ ଖଇରପୁଟରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବଦପଡା କମ୍ପ୍ଲେକ୍ସ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ରାତ୍ରି ଭୋଜନ କରିଥିଲେ । ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ହକି ଗ୍ରାଉଣ୍ଡ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ୩୦୦ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ ଗୁରୁପ୍ରିୟା ସେତୁକୁ ଯାଇ ବୁଲି ଦେଖିଥିଲେ ଫାଇଭ-ଟି ସଚିବ ।

ପିକ୍‌ଅପ୍‌ ଭ୍ୟାନ୍‌ ପିଟିଲା ପରେ ଜଳିଗଲା ବାଇକ୍‌, ୨ ମୃତ

ବାଲେଶ୍ବର: ସହଦେବ ଖୁଣ୍ଟା ଥାନା କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଳିଗଲା ବାଇକ୍ । ଆଜି ଅପରାହ୍ନରେ ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଧିନ କଣ୍ଟାବଣିଆ ନିକଟରେ ଏକ ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ ସହ ଏକ ବାଇକର ଦୁର୍ଘଟଣା ହୋଇଥିଲା । ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପିକ୍ ଅପ୍ ଭ୍ୟାନର ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ସହଦେବ ଖୁଣ୍ଟା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ, ସେମାନେ ସିଂଲା ଥାନା ଅଞ୍ଚଳର ବୋଲି କୁହାଯାଉଛି ।