spot_img
Home Blog Page 3290

ସ୍କୁଲରେ ପ୍ରତି ଶନିବାର ହେଉ ହାଫ୍ ଡେ’, ବୋର୍ଡ ପରୀକ୍ଷା ସେମିଷ୍ଟର ପ୍ରଣାଳୀରେ କରାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ନ୍ୟାସନାଲ କରିକୁଲମ ଫ୍ରେମୱର୍କ (ଏନସିଏଫ)ର ମସୁଦାରେ ପରାମର୍ଶ ଦିଆଯାଇଛି ଯେ ଛାତ୍ରଛାତ୍ରୀମାନେ ସପ୍ତାହରେ କେବଳ ସାଢେ ୫ଦିନ ସ୍କୁଲରେ ପାଠ ପଢ଼ିବେ ଏବଂ ପ୍ରତି ଶନିବାର ହାଫ୍ ଡେ ହେବା ଆବଶ୍ୟକ । ଏହିଭଳି ପ୍ରତି ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ମୋଟ ୨୯ ଘଣ୍ଟା କ୍ଲାସରେ ପାଠ ପଢ଼ିବାକୁ ହେବ । ଏଥିରେ ଏହା ମଧ୍ୟ ସୁପାରିଶ କରାଯାଇଛି ଯେ ପ୍ରାରମ୍ଭିକ ଏବଂ ମାଧ୍ୟମକ ବିଦ୍ୟାଳୟ ପାଇଁ କ୍ଲାସର ସମୟ ୪୦ ମିନିଟ ଏବଂ କ୍ଲାସ ୯ରୁ ଆଗକୁ ୫୦ ମିନିଟ ହେଉ । ୨୦୦୫ରେ ଜାରି ଗତ ଏନସିଏଫ ସ୍କୁଲଗୁଡ଼ିକୁ ସ୍କୁଲର ଦିନ ଏବଂ ଶିକ୍ଷା ବର୍ଷର ଟାଇମଟେବୁଲ ବନାଇବାରେ ବହୁତ ସ୍ୱାଧିନତା ଦେଇଥିଲା ।

ତାହା କେବଳ ଏହି କଥା ଉପରେ ଜୋର ଦେଇଥିଲା ଯେ ସ୍କୁଲର ଦିନ ଅତିକମରେ ଛଅ ଘଣ୍ଟା ହେଉ ଏବଂ ପ୍ରତି କ୍ଲାସର ସମୟ ଅତିକମରେ ୪୫ ମିନିଟ ହେଉ । ଏହା ବୀପରିତ ଏନସିଏଫର ନୂଆ ମସୁଦା ସ୍କୁଲର ଦିନ ଏବଂ ଶିକ୍ଷା ବର୍ଷ ପାଇଁ ଏକ ସ୍ୱତନ୍ତ୍ର ରୂପରେଖ ଯୋଗାଇ ଦେଇଛି । ଏହି ଦଲିଲ ଏବେ ଲୋକଙ୍କ ପ୍ରତିକ୍ରିୟା ପାଇଁ ସାର୍ବଜନୀନ କରିଦିଆଯାଇଛି । ଏଥିରେ ପରାମର୍ଶ ଦିଆଯାଇଛି ଯେ ଶିକ୍ଷା ବର୍ଷରେ ଶିକ୍ଷାର ସମସ୍ତ ପର୍ଯ୍ୟାୟରେ ଅତିକମରେ ୧୮୦ ସ୍କୁଲ ଦିନ ବା ୩୪ ସପ୍ତାହ ସାମିଲ ହେଉ । ନୂଆ ଏନସିଏଫ ଦଲିଲ ୨୦୦୫ର ଏନସିଏଫ ତୁଳନାରେ ନିଜ ପରାମର୍ଶରେ ଅଧିକ ସ୍ୱଚ୍ଛତା ରଖିଛି ।

ନୂଆ ଏନସିଏଫ୍ ପ୍ରସ୍ତୁତ କରିଥିବା ବିଶେଷଜ୍ଞ ଚାହୁଁଛନ୍ତି ଯେ ନୂଆ ଏନସିଏଫ ଦସ୍ତାବିଜ ଶିକ୍ଷକମାନଙ୍କ ପାଇଁ ସିଧା ନିର୍ଦ୍ଦେଶ ଭାବେ କାମ କରୁ । ଯାହାଫଳରେ ସେମାନେ ବୋର୍ଡର ସିଦ୍ଧାନ୍ତକୁ ବାଖ୍ୟା କରିବାକୁ ଉଦ୍ୟମ କରିବା ବଦଳରେ ଦଲିଲରୁ ସିଧା ଉଦାହରଣ ଏବଂ ଉପାୟକୁ ଆପଣା ଇପାରିବେ । ପ୍ରକାଶଥାଉକି ଏନସିଏଫ ଏପରି ଏକ ଦଲିଲ ଅଟେ ଯାହା ସେହି ସବୁ ପରିବର୍ତ୍ତନର ଆଧାର ଗଠନ କରେ ଯାହାକୁ ସ୍କୁଲ ପାଠ୍ୟପୁସ୍ତକରେ ମଧ୍ୟ ଅଣାଯାବ । ଏହା ଶିକ୍ଷାର ପାଟର୍ଣ୍ଣ ଏବଂ କ୍ଲାସରେ ମୂଲ୍ୟାଙ୍କନକୁ ମଧ୍ୟ ପ୍ରଭାବିତ କରିବ ।

ଏନସିଏଫର ମସୁଦାରେ ପରାମର୍ଶ ଦିଆଯାଇଛି ଯେ ବୋର୍ଡ ପରୀକ୍ଷା ବର୍ଷରେ ଦୁଇଥର ଆୟୋଜନ କରାଯାଉ । କ୍ଲାସ ୧୨ର ପରୀକ୍ଷା ପାଇଁ ଗୋଟିଏ ସେମିଷ୍ଟର ପ୍ରଣାଳୀ ହେଉ ଏବଂ ଛାତ୍ରଙ୍କୁ ବିଜ୍ଞାନ ଏବଂ ମାନବିକୀୟ ମିଶ୍ରଣକୁ ଆଗକୁ ବଢ଼ାଇବାର ସ୍ୱାଧିନତା ଦିଆଯାଉ । ଯାହାଫଳରେ ସ୍କୁଲରେ ଶ୍ରେଣୀ ୧୧ ଏବଂ ୧୨ରେ କଳା, ବାଣିଜ୍ୟ ଏବଂ ବିଜ୍ଞାନର କଠୋର ସୀମାଗୁଡ଼ିକୁ ଦୂରିଭୂତ କରାଯାଇପାରିବ ।


ଦିଲ୍ଲୀ ଟିକ୍ରି ବର୍ଡରରେ ବଡ଼ଧରଣର ଅଗ୍ନିକାଣ୍ଡ, ଜଳିଗଲା ପ୍ଲାଷ୍ଟିକ ଗୋଦାମ

ନୂଆଦିଲ୍ଲୀ: ଦିଲ୍ଲୀ ଟିକ୍ରି ବର୍ଡରରେ ବଡ଼ ଧରଣର ଅଗ୍ନିକାଣ୍ଡ । ଏକ ପ୍ଲାଷ୍ଟିକ ଗୋଦାମରେ ନିଆଁ ଲାଗି ବିପୁଳ ସମ୍ପତ୍ତି କ୍ଷତି ଘଟିଥିବା ସୂଚନା ମିଳିଛି । ଆଜି ଭୋରରେ ଦିଲ୍ଲୀ ଟିକ୍ରି କଲାନ ଅଞ୍ଚଳ ଅନ୍ତର୍ଗତ ପିଭିସି ମାର୍କେଟ ନିକଟରେ ଥିବା ଏକ ବଡ଼ ପ୍ଲାଷ୍ଟିକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭା କାର୍ଯ୍ୟରେ ୨୬ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କାର୍ଯ୍ୟ କରିଛନ୍ତି । ପବନ ବହିବା ଯୋଗୁ ନିଆଁ ଆୟତ୍ତ କରିବା କଷ୍ଟସାଧ୍ୟ ହୋଇଛି ବୋଲି କହିଛନ୍ତି ଡେପୁଟି ଚିଫ ଫାୟାର ଅଫିସର ଏସକେ ଦୁଆ । ଗତ ସପ୍ତାହରେ ଦିଲ୍ଲୀ ଓ୍ବାଜିରପୁର କାରଖାନାରେ ମଧ୍ୟ ଏକ ଅଗ୍ନିକାଣ୍ଡ ଘଟିଥିଲା ।

ମଇଳା ଲୁଗା ପିନ୍ଧୁଥିବା ବାଳିକାମାନେ ଦେଖିବାକୁ ସୂର୍ପଣଖା ପରି: କୈଳାସ ବିଜୟଭର୍ଗିୟ

ନୂଆଦିଲ୍ଲୀ: ବିଜେପି ନେତାଙ୍କ ହୀନମନୋବୃତ୍ତି । ବିବାଦଘେରରେ କୈଳାସ ବିଜୟଭର୍ଗିୟ । ବାଳିକାଙ୍କୁ ତାତ୍ସଲ୍ୟ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟ । ଯେଉଁ ବାଳିକାମାନେ ମଇଳା ଲୁଗା ପିନ୍ଧନ୍ତି ସେମାନେ ଦେଖିବାକୁ ସୂର୍ପଣଖା ସଦୃଶ ବୋଲି ଏକ ସଭାରେ ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି । ବିଜେପି ପରି ଏକ ଜାତୀୟ ଦଳର ଜଣେ ବରିଷ୍ଠ ନେତାଙ୍କ ଏହି ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ଭଗବାନ ହନୁମାନ ଓ ମହାବୀରଙ୍କ ଜୟନ୍ତୀ ଉତ୍ସବ ଅବସରରେ ଇନ୍ଦୋରରେ ଆୟୋଜିତ ଏକ ଧାର୍ମିକ ସଭାରେ ଯୋଗ ଦେଇ ଏହା କହିଛନ୍ତି କୈଳାସ ।

ମହିଳାମାନଙ୍କୁ ଏକ ଉତ୍ତମ ଶରୀର ଭଗବାନ ଦେଇଛନ୍ତି । ସେମାନେ ସୁନ୍ଦର ପୋଷାକ ପିନ୍ଧିବା ଦରକାର । ଯଦି ସେମାନେ ମଇଳା ପୋଷାକ ପିନ୍ଧିବେ ତେବେ ସୂର୍ପଣଖା ପରି ଦିଶିବେ ବୋଲି କହିଛନ୍ତି ବିଜୟଭର୍ଗିୟ । ସେ ଯେତେବେଳେ ରାତିରେ ବାହାରକୁ ଯାଆନ୍ତି ଯୁବକମାନେ ନିଶାସକ୍ତ ହୋଇ ବୁଲୁଥିବାର ସେ ଦେଖନ୍ତି । ଏହି ଯୁବକଙ୍କୁ ଚାପୁଡା ମାରିବାକୁ ତାଙ୍କର ଇଚ୍ଛା ହୁଏ । ତେବେ ନାରୀମାନଙ୍କ ପ୍ରତି କୈଳାସଙ୍କ ଏହି ହୀନବୟାନ ପରେ ବିଭିନ୍ନ ମହଲରୁ ତୀବ୍ର ବିରୋଧାଭାସ ପ୍ରକାଶ ପାଇଛି । ଏହା ମହିଳାଙ୍କ ପ୍ରତି ଅସୂୟା ଭାବର ପ୍ରମାଣ ବୋଲି କହିଛନ୍ତି ବିରୋଧୀ । କଂଗ୍ରେସ ମୁଖପାତ୍ର ସଂଗୀତା ଶର୍ମା କହିଛନ୍ତି- ବିଜେପି ନେତାମାନେ ମହିଳାମାନଙ୍କୁ ସବୁବେଳେ ଅପମାନିତ କରିଚାଲିଛନ୍ତି । ବିଜେପି ଏହି ଘଟଣାରେ କ୍ଷମା ମାଗୁ ବୋଲି ସେ ଦାବି କରିଛନ୍ତି ।

ବିଜୁ ଓ ନେହେରୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଅଳିଆଗଦାକୁ ବିଜେପି ନେତା ଫିଙ୍ଗିଥିବା ଅଭିଯୋଗ

ଭୁବନେଶ୍ୱର: ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ । ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦାମୋଦର ରାଉତ । ପାରାଦୀପରେ ବିଜୁ ପଟ୍ଟନାୟକ ଓ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଛି । ଜଣେ ବିଜେପି ନେତା ଦୁଇଟିଯାକ ପ୍ରତିମୂର୍ତ୍ତି ଭାଙ୍ଗି ଅଳିଆ ଗଦାରେ ଫିଙ୍ଗିଛନ୍ତି l ରାଜ୍ୟ ସରକାର ଏହାକୁ ଗୁରୁତ୍ଵର ସହ ନେଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାମୋଦର ଦାବି କରିଛନ୍ତି । ଏପରି ହୀନ ରାଜନୀତିକୁ ଡାକ୍ତର ଦାମୋଦର ରାଉତ ନିନ୍ଦା କରୁଛନ୍ତି l

ସେହିପରି ପାରାଦୀପରେ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଏହା ପଛରେ ବିଜେପିର ହାତ ଅଛି । ନେହେରୁ ପରିବାର ପ୍ରତି ବିଜେପିର ରାଗ ଅଛି । ଏହାକୁ ଓଡ଼ିଶାବାସୀ ଗ୍ରହଣ କରିବେନାହିଁ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ସେପଟେ ପାରାଦୀପ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ବିଜେଡି ନଗର ସଭାପତି ବସନ୍ତ କୁମାର ବିଶ୍ବାଳ ।

 

ରୂପ ବଦଳାଉଛି କୋଭିଡ ଭାରିଆଣ୍ଟ, ମ୍ୟୁଟେଟ୍ ହେଉଛି XXB.1.16 ଭାରିଆଣ୍ଟ

ନୂଆଦିଲ୍ଲୀ: ରୂପ ବଦଳାଉଛି କୋଭିଡ ଭାରିଆଣ୍ଟ । XXB.1.16 ଭାରିଆଣ୍ଟ ତୀବ୍ର ବେଗରେ ମ୍ୟୁଟେଟ୍ ହୋଇଥିବା ସୂଚନା ମିଳିଛି । ଏହାର ସବଟାଇପ୍ XXB.1.16.1 ଏବେ ଭାରତରେ ବ୍ୟାପୁଥିବା ଜଣାଯାଇଛି । ବର୍ତ୍ତମାନ ଗୁଜରାଟ ଓ ମହାରାଷ୍ଟ୍ରରେ XXB.1.16.1 ଜରିଆରେ ୧୧୩ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା କୁହାଯାଇଛି । ତେଣେ ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ବଢୁଛି କରୋନା ଗ୍ରାଫ ।

ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ନୂଆ ସଂକ୍ରମିତ । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ହୋଇଛି ୩୧ ହଜାର ୧୯୪ । ସେପଟେ ଦୈନିକ ପଜିଟିଭିଟି ହାର ରହିଛି ୫.୬୩ ପ୍ରତିଶତ । ଚଳିତ ସପ୍ତାହରେ ପଜିଟିଭିଟି ହାର ରହିଛି ୩.୪୭ ପ୍ରତିଶତ । ଗତକାଲି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିଲେ ୬ ହଜାର ୫୦ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୯ ଜଣ । ଏହାସହ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୫୪ରେ ପହଞ୍ଚିଛି ।

ସ୍କୁଲରେ ଶୋଇଥିବା ବେଳେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୁତ୍ତ

କେନ୍ଦୁଝର: ସ୍କୁଲରେ ଶୋଇଥିବା ବେଳେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୁତ୍ତ, ଶିକ୍ଷକଙ୍କ ଅବସ୍ଥା ସଙ୍କଟାପନ୍ନ । ଘଟଣା ଘଟିଛି କେନ୍ଦୁଝର ତେଲକୋଇ କରଦାଙ୍ଗି ପଞ୍ଚାୟତ ରଗଡା ଗାଁ ପ୍ରାଥମିକ ସ୍କୁଲରେ । ଗୁରୁତର ଶିକ୍ଷକ ହେଲେ ଛାମୁଣ୍ଡା ଗାଁର ଛବିଲାଲ ମହାକୁଡ। ସେ ରଗଡା ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି।

ସୂଚନା ଅନୁଯାୟୀ ଗତକାଲି ରଗଡା ଗାଁ ନିକଟ ସଂତେଇଭଞ୍ଜ ଗାଁରେ ହିଙ୍ଗୁଳା ମାଙ୍କ ଯାତ୍ରା ଦେଖି ଡେରି ହେବାରୁ ସ୍କୁଲରେ ଶୋଇପଡିଥିଲେ । କେହି ର୍ଦୁବୃତ୍ତ ସ୍କୁଲର କବାଟ ତାଡ଼ି ଶିକ୍ଷକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛି। ଶିକ୍ଷକଙ୍କ ବାମ ଗୋଡ଼ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

କେନ୍ଦୁଝର ବଡ଼ବିଲରେ ଫୁଟିଲା ଗୁଳି, ଦାମୁ ହଟିଂ ନିକଟରୁ ମିଳିଲା ଗୁଳିବିଦ୍ଧ ମୃତଦେହ

କେନ୍ଦୁଝର: କେନ୍ଦୁଝର ବଡ଼ବିଲରେ ପୁଣି ଫୁଟିଲା ଗୁଳି । ଜଣେ OMDC କର୍ମଚାରୀଙ୍କୁ ଗୁଳିକରି ହତ୍ୟା । ମୃତକ ବଡ଼ବିଲ ଦଲକି ବସ୍ତିର ଦୁଃଶାସନ ବାରିକ ବୋଲି ଜଣାପଡ଼ିଛି । କିଏ ଓ କାହିଁକି ତାଙ୍କୁ ଗୁଳି କରିଛି ସେନେଇ ବଡ଼ବିଲ ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଚଳାଇଛନ୍ତି । ପାରିପାର୍ଶ୍ୱକ ସ୍ଥିତିରୁ ତାଙ୍କୁ କେହି ମୁଣ୍ଡକୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ୁଛି । ଶନିବାର ସକାଳେ ତାଙ୍କର ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି ।

ବଡ଼ବିଲ ଦାମୁ ହଟିଂ ପାଖ ଇଲେକ୍ଟ୍ରିକ୍ ଗ୍ରିଡ୍ ପଛପଟରେ ଥିବା ଏକ ହାଇଟେନ୍ସନ୍ ଟାୱାର ନିକଟରେ ଦୁଃଶାସନଙ୍କ ମୃତଦେହ ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ । ମୃତଦେହ ନିକଟରେ ୨ ଟି ୯ ଏମଏମ୍ ଖୋକା ପଡ଼ିଥିବା ବେଳେ ୩ଟି ଖାଲି ମଦ ବୋତଲ ମଧ୍ୟ ପଡ଼ିଛି । ଘଟଣାର ପ୍ରାୟ ୨ ଶହ ମିଟର ଦୂରରେ ମୃତ ଦୁଃଶାସନଙ୍କ ବାଇକ୍ ଏକ ଗଛ ନିକଟରେ ରହିଛି। ପରିବାର ଲୋକଙ୍କ କହିବା କଥା ଗତକାଲି ସନ୍ଧ୍ୟାରେ ଦୁଃଶାସନ OMDCରେ ଡ୍ୟୁଟି ସାରି ଘରକୁ ଫେରି ନଥିଲେ। ତେବେ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି ।

ଭାରତର ’ସପ୍ତ ମୁକ୍ତିସ୍ଥଳ’ରେ ଶ୍ରୀଜଗନ୍ନାଥଙ୍କ ଧାମ

ଭୁବନେଶ୍ୱର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସାମୂହିକ ଭା‌ବେ ପ୍ରଚାରପ୍ରସାର କରାଯାଉଥିବା ‘ଭାରତର ସପ୍ତ ମୁକ୍ତିସ୍ଥଳ’ରେ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀ ସ୍ଥାନ ପାଇଛି । ଜଗନ୍ନାଥ ଧାମ ପୁରୀ ସହ ଅଯୋଧ୍ୟା, ମଥୁରା, ହରିଦ୍ବାର, ବାରଣାସୀ, ଉଜ୍ଜୈନ ଓ ଦ୍ବାରକା ଏହି ସପ୍ତ ମୁକ୍ତିସ୍ଥଳରେ ରହିଛି। କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥାନ, ତୀର୍ଥସ୍ଥଳ ଓ ଉତ୍ପାଦଗୁଡ଼ିକୁ ନେଇ ଛାପା, ବୈଦ୍ୟୁତିକ ଓ ଡିଜିଟାଲ୍‌ ଗଣମାଧ୍ୟମ ମାଧ୍ୟମରେ ପ୍ରଚାରପ୍ରସାର ଅଭିଯାନ ଚାଲିଛି। ଏଥିସହ ମନ୍ତ୍ରାଳୟର ଅଫିସିଆଲ୍‌ ୱେବସାଇଟ୍‌ ସହ ସୋସିଆଲ୍‌ ମିଡିଆ ହାଣ୍ଡେଲ୍‌ ମଧ୍ୟମରେ ବି ଏହାର ପ୍ରଚାର କରାଯାଇଥାଏ ।

ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ବାରା ଚିହ୍ନିତ ତୀର୍ଥ ସ୍ଥାନ ଓ ଐତିହ୍ୟ ସ୍ଥଳଗୁଡ଼ିକର ସାମଗ୍ରିକ ବିକାଶ ନିମନ୍ତେ ‘ତୀର୍ଥଯାତ୍ରା କାର୍ଯ୍ୟକଳ୍ପ ଓ ଆଧ୍ୟାତ୍ମିକ, ଐତିହ୍ୟ ବିକାଶ ରାଷ୍ଟ୍ରୀୟ ଅଭିଯାନ(ପ୍ରସାଦ)’ ଅଧୀନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷନ ରେଡ୍ଡି ଗତକାଲି ରାଜ୍ୟସଭାରେ ଏହି ଉତ୍ତର ରଖିଥିଲେ। ସେ ଆହୁରି କହିଥିଲେ, ଦେଶର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ‘ସ୍ବଦେଶ ଦର୍ଶନ’ ଯୋଜନାରେ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିସହ ଅଧିକ ମାତ୍ରାରେ ତଥା ବର୍ଷତମାମ୍‌ ପର୍ଯ୍ୟଟକ ଆସୁଥିବା ପର୍ଯ୍ୟଟନ ତଥା ତୀର୍ଥସ୍ଥଳଗୁଡ଼ିକର ବିକାଶ ପାଇଁ ସ୍ବଦେଶ ଦର୍ଶନ ଯୋଜନାକୁ ଏସ୍‌ଡି ୨.୦ ଭାବେ ନୂଆ ରୂପ ଦିଆଯାଇଛି। ଏହି ଯୋଜନାରେ ଏଥର ଦ୍ବାରକାକୁ ପୂର୍ଣ୍ଣ ରୂପରେ ବିକାଶ କରାଯିବାକୁ ମନୋନୀତ କରାଯାଇଛି ।

ବାୟୁସେନା ଇତିହାସରେ ଯୋଡିହେଲା ନୂତନ ଫର୍ଦ୍ଦ, ସୁଖୋଇ ଫାଇଟର ଏୟାରକ୍ରାଫ୍ଟରେ ଉଡିଲେ ରାଷ୍ଟ୍ରପତି

ତେଜପୁର: ସୁଖୋଇରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମ ଗସ୍ତରେ ଯାଇଥିବା ରାଷ୍ଟ୍ରପତି  ସ୍ଥାନୀୟ ତେଜପୁର ଏୟାରବେସରୁ ସୁଖୋଇ ୩୦-MKI ଫାଇଟର ଏୟାରକ୍ରାଫ୍ଟରେ ଉଡ଼ିଛନ୍ତି ମହାମହିମ । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧବିମାନ ସୁଖୋଇରେ ଚଢ଼ିବା କ୍ଷେତ୍ରରେ ଦ୍ରୌପଦୀ ହେଉଛନ୍ତି ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି । ପୂର୍ବରୁ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରଫୋର୍ସ ବେସରୁ ସୁଖୋଇରେ ଚଢ଼ିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ତେଜପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଗତକାଲି ରାଷ୍ଟ୍ରପତି କାଜିରଙ୍ଗା ନ୍ୟାସନାଲ ପାର୍କରେ ଆୟୋଜିତ ଗଜ ଉତ୍ସବରେ ଯୋଗଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଗତ ୬ ତାରିଖରୁ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ସୁଖୋଇରେ ଉଡିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରତିରକ୍ଷା ବିଭାଗ ପିଆରଓ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ ।

 

ଶ୍ରୀଲଙ୍କାରେ ରାଡାର ବେସ୍ କରିବ ଚୀନ୍, ଶ୍ରୀହରିକୋଟା ଓ ଚାନ୍ଦିପୁରରେ କରିପାରେ ଗୁଇନ୍ଦାଗିରି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତିଆରି ହେବ ଚାଇନା ରାଡାର । ହଁ ଏମିତି କିଛି ପ୍ଲାନ ପ୍ରସ୍ତୁତ କରୁଛି ଡ୍ରାଗନ । ଚୀନର ବିଆରଆଇ ଋଣ ପାହାଡ଼ ତଳେ ଦବି ହୋଇ ରହିଛି ଶ୍ରୀଲଙ୍କା । ଏହାର ଫାଇଦା ନେଇଛି ଶ୍ରୀଲଙ୍କାକୁ ବ୍ଲାକମେଲ କରୁଛି ଚୀନ୍ । ହମ୍ବନଟୋଟା ବନ୍ଦର ପରେ ରାଡାର ଷ୍ଟେସନ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି ଚୀନ୍ । ୨ ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ନ କରିବାର ସର୍ତ୍ତ ରଖି ରାଡାର ଷ୍ଟେସନ ପ୍ରତିଷ୍ଠା ପାଇଁ ଶ୍ରୀଲଙ୍କାକୁ ମାଗିଛି ଅନୁମତି । ଚୀନର ଏହି ଚକ୍ରାନ୍ତ କେବଳ ଭାରତ ପାଇଁ ନୁହେଁ ଆମେରିକା ଓ ବ୍ରିଟେନ୍ ପାଇଁ ମଧ୍ୟ ସୃଷ୍ଟି କରିବ ବଡ଼ ବିପଦ ।

ବ୍ରିଟେନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ୍ ଏହି ରାଡାର ସାହାର୍ଯ୍ୟରେ ଭାରତ, ଆମେରିକା ଓ ବ୍ରିଟେନର ନୌସେନା କାର୍ଯ୍ୟକଳାପ ଉପରେ ନଜର ରଖିବ । ଏହି ରାଡର ମାଧ୍ୟମରେ ଭାରତର କୁଡନକୁଲମ, କଲପକ୍କମ ପରମାଣୁ ବିଦ୍ୟୁତ କେନ୍ଦ୍ର, ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ଏବଂ ଆମେରିକା ତଥା ବ୍ରିଟେନର ମିଳିତ ନୌସେନା ଘାଟି ଡିଆଗୋଗାର୍ସିଆ ଉପରେ ରଖିପାରିବ ଗୁଇନ୍ଦା ନଜର ।

ଚୀନ୍ ଶ୍ରୀଲଙ୍କାରେ ଡୋଣ୍ଡ୍ରା ଉପକୂଳରେ ନୂଆ ଜଙ୍ଗଲ ରାଡାର ଲଗାଇବାକୁ ଚାହୁଁଛି । ଏହି ରାଡାରକୁ ଶ୍ରୀଲଙ୍କାର ରୁହାନା ଘଞ୍ଚ ଜଙ୍ଗଲରେ ଲଗାଯିବ । ଏହି ପ୍ରକଳ୍ପର ତଦାରଖ ଚୀନର ସାଇନ୍ସ ଏକାଡେମୀ କରିବ । ରଣନୈତିକ ଦୃଷ୍ଟିରୁ ଏହି ଅଞ୍ଚଳ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଚୀନ ମହାଶକ୍ତିଶାଳୀ ରାଡାର ସାହାର୍ଯ୍ୟରେ ଭାରତର ଶ୍ରୀହରିକୋଟା ମହାକାଶ କେନ୍ଦ୍ର, ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଅନେକ ସାମରିକ ପ୍ରତିଷ୍ଠାନ ଉପରେ ନଜର ରଖିପାରିବ । ଏହା ବ୍ୟତୀତ ଚୀନ୍ ତା’ର ଉପଗ୍ରହକୁ ମଧ୍ୟ ସହଜରେ ପରିଚାଳନା କରିପାରିବ ।

କେବଳ ଭାରତ ମହାସାଗର ନୁହେଁ, ଆରବ ସାଗରରେ ପତିଆରା ବିସ୍ତାର କରିବାକୁ ଷଡ଼ଯନ୍ତ୍ର କରୁଛି ଚୀନ୍ । ନିଜର ଦବଦବା ଜାରି ରଖିବା ପାଇଁ ଏହାକୁ ଚାରି ପଟୁ ଘେରିବାକୁ ଯୋଜନା କରୁଛି । ଆରବ ସାଗରର ପଶ୍ଚିମରେ ଥିବା ଜିବୁତି ଠାରେ ଚୀନର ଏକ ନୌସେନା ଘାଟି ପ୍ରସ୍ତୁତ ହୋଇସାରିଛି। ସେହିଭଳି ଆରବ ସାଗରର ଉତ୍ତରରେ ପାକିସ୍ତାନର ଗ୍ଵାଦର ବନ୍ଦର ନିକଟରେ ମଧ୍ୟ ଚୀନ୍ ନୌସେନା ଘାଟି ନିର୍ମାଣ କରିବାକୁ ଯାଉଛି । ତେବେ ଚାଲାକି ଚୀନର ଏହି ଯୋଜନା ପଛର ନିଶାନା ଭାରତ ନୁହେଁ ତ । କାରଣ ଭାରତ ସୀମାର ଚତୁପାର୍ଶ୍ୱରେ ହିଁ ସାମରିକ ଘାଟି ଗଢି ଚାଲିଛି ଡ୍ରାଗନ ।