spot_img
Home Blog Page 335

ରାଜ୍ୟରେ ପୋଷ୍ଟାଲ ବ୍ୟବସ୍ଥା ଠପ୍: ସ୍ଲୋ ହୋଇଯାଇଛି ସ୍ପିଡ ପୋଷ୍ଟ, ନା ଚିଠି ଯାଇଛି ନା ଆସୁଛି

ନନ୍ଦିଘୋଷ ବ୍ୟୁରୋ: ଜିପିଓରେ ଲାଗିଛି ଲମ୍ବା ଲାଇନ । ବରିଷ୍ଠଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ,  ମହିଳା ସମସ୍ତେ ଗରମରେ ହେଉଛନ୍ତି ଛଟପଟ । କାହାର ବ୍ୟାଙ୍କ କାଗଜପତ୍ର ଦେବାର ଅଛି ତ କାହାର ସ୍ପିଡପୋଷ୍ଟ ପଠାଇବାର ଶେଷ ତାରିଖ । ପୁଣି କିଏ କିଏ ଦୂରଦୂରାନ୍ତକୁ ରାକ୍ଷୀ ପଠାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଛନ୍ତି । ଧାଡି ସିନା ଲମ୍ବୁଛି, କାମ କିନ୍ତୁ ହେଉନାହିଁ । ନୂଆ ସଫ୍ଟୱେର ଅପଡେଟ ଯୋଗୁଁ ପୋଷ୍ଟ ଅଫିସ ଗୁଡିକରେ କୌଣସି କାମ ହୋଇପାରୁ ନଥିବାରୁ ତିନି ଦିନରୁ ଅଧିକ ହେବ ଏଭଳି ଅବସ୍ଥା ଲାଗି ରହିଛି । ଯାହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ନୂଆ ସଫ୍ଟୱେର ଅପଡେଟ ଯୋଗୁଁ ପୋଷ୍ଟ ଅଫିସ ଗୁଡିକରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି । ତିନି ଦିନରୁ ଅଧିକ ହେଲାଣି ସଫ୍ଟୱେର ଅପଡେଟ ନାଁରେ ବ୍ୟବସ୍ଥା କାମ କରୁ ନଥିବା ବେଳେ ହଜାର ହଜାର ଲୋକେ ଧାଡିରେ ଛିଡା ହୋଇଛନ୍ତି । ଛୋଟ ଛୋଟ ପୋଷ୍ଟ ଅଫିସ ସମେତ ଜିପିଓରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । କୌଣସି ସେକ୍ସନରେ ଲଗଇନ ହୋଇପାରୁ ନ ଥିବାରୁ ପୋଷ୍ଟାଲ ବ୍ୟବସ୍ଥାରେ କୌଣସି କାର୍ଯ୍ୟ ହୋଇପାରୁ ନାହିଁ । ଏପଟେ ଲୋକଙ୍କ ଅଧିକ ନୟାନ୍ତ କରିଛି ପ୍ରବଳ ଗୁଳୁଗୁଳି ଓ ଗରମ । ଏଭଳି ଅବ୍ୟବସ୍ଥାକୁ ନେଇ ବୟସ୍କ ବ୍ୟକ୍ତି ବିଶେଷ ଓ ମହିଳାମାନେ ନିଜର ଅସନ୍ତୋଷ ଝାଡିଛନ୍ତ ।

ପୋଷ୍ଟାଲ ବ୍ୟବସ୍ଥାରେ ନୂଆ ସଫ୍ଟୱେର ଲାଗୁ ହୋଇଥିବାରୁ କୌଣସି ସିଷ୍ଟମରେ ଲଗଇନ ହୋଇପାରୁ ନାହିଁ । ଶନିବାରଠାରୁ ଏଭଳି ସମସ୍ୟା ଲାଗି ରହିଛି । ଏନେଇ ଜିପିଓର ବିଭିନ୍ନ ସ୍ଥାନରେ ନୋଟିସ ମାରି କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରି ଦେଇଥିବା ଅଭିଯୋଗ ହୋଇଛି । ପ୍ରାୟ ସମସ୍ତ ପୋଷ୍ଟ ଅଫିସରେ ଏଭଳି ସ୍ଥିତି ଉପୁଜିଥିବା କୁହାଯାଇଛି । ଏଭଳି ସ୍ଥିତି ପାଇଁ ଜିପିଓ ଅଧିକାରୀ ଅସହାୟତା ପ୍ରକାଶ କରିଛନ୍ତି ।

ସଫ୍ଟୱେର ଅପଡେଟ ସମ୍ପର୍କରେ ଲୋକଙ୍କୁ ବ୍ୟାପକ ଭାବେ ଅବଗତ କରାଯାଇ ନଥିବା ବେଳେ ପୋଷ୍ଟାଲ ସେବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇ ନଥିଲା । ଯେଉଁଥିପାଇଁ ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି ।

ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ନବୀନ ନେଇଥିଲେ ପଦକ୍ଷେପ, ସୁଫଳ ନେଉଛନ୍ତି ରାଜ୍ୟବାସୀ

ନନ୍ଦିଘୋଷ ବ୍ୟୁରୋ: ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିଲେ ପଦକ୍ଷେପ । ଯାହାର ସୁଫଳ ନେଉଛନ୍ତି ରାଜ୍ୟବାସୀ । ୨୦୨୨ ମସିହାରୁ ବର୍ଷକୁ ଦୁଇ ଥର ଲଗାତାର ଭାବେ ଚାଲିଥିବା ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ ବା ଏମଡିଏ ଯୋଗୁଁ ଓଡ଼ିଶାର ୧୧ ଜିଲ୍ଲା ହୋଇଛି ଫାଇଲେରିଆ ମୁକ୍ତ । ଏହାକୁ କେନ୍ଦ୍ର ସରକାର ବି ଦେଇଛନ୍ତି ସ୍ବୀକୃତି । ଫାଇଲେରିଆ ସ୍ଥିତି କମୁଥିଲେ ବି ୧୨ ଜିଲ୍ଲାକୁ ନେଇ ଚିନ୍ତା ରହିଛି । ଯେଉଁଥି ପାଇଁ ଏହି ଜିଲ୍ଲା ଗୁଡ଼ିକରେ ଅଗଷ୍ଟ ୧୦ରୁ ୧୯ ଯାଏଁ କରାଯିବ ଏମଡିଏ କାର୍ଯ୍ୟକ୍ରମ ।

୨୦୦୪ରୁ ବର୍ଷକୁ ଥରେ ହେଉଥିଲା ଡ୍ରଗ୍ ଆଡମିନିଷ୍ଟ୍ରେସନ ବା ଏମଡିଏ କାର୍ଯ୍ୟକ୍ରମ । ୨୦୨୭ ସୁଦ୍ଧା ରାଜ୍ୟକୁ ଫାଇଲେରିଆ ମକ୍ତ କରିବାକୁ ରହିଥିଲା ଲକ୍ଷ୍ୟ । ଏହାକୁ ନେଇ ୨୦୨୨ରୁ ବର୍ଷକୁ ଦୁଇଥର ଏମଡିଏ କାର୍ଯ୍ୟକ୍ରମ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଏହି ସ୍ବାସ୍ଥ୍ୟ ସୁରକ୍ଷା ନୀତି ଯୋଗୁଁ କୋରାପୁଟ, ଗଜପତି, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ବୌଦ୍ଧ, କେନ୍ଦ୍ରାପଡ଼ା, ଗଜପତି, ପୁରୀ, ଜଗତସିଂହପୁର ଓ ଦେବଗଡ଼ ପରି ୧୧ଟି ଜିଲ୍ଲା ହେଲେଣି ଫାଇଲେରିଆ ମୁକ୍ତ । ତେବେ ୧୨ ଜିଲ୍ଲାରେ ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି ଫାଇଲେରିଆ । ଅନୁଗୁଳ, ବାଲେଶ୍ୱର, ବରଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାର ୧୧୫ କାର୍ଯ୍ୟାନ୍ବୟନ ୟୁନିଟରେ ଅଗଷ୍ଟ ୧୦ରୁ ୧୯ ତାରିଖ ଯାଏଁ ଏମଡିଏ କାର୍ଯ୍ୟକ୍ରମ କରାଯିବ । ଏହା ଭିତରୁ ବରଗଡ଼, ଗଞ୍ଜାମ, ସମ୍ବଲପୁର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ପାଇଁ ଅଧିକ ପରିଶ୍ରମର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦୋଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ବିଶ୍ବରେ ଥିବା ଫାଇଲେରିଆ ରୋଗୀଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ଭାରତର । ଦେଶରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡରେ ଫାଇଲେରିଆ ରୋଗୀ ଅଛନ୍ତି । ଏହି ୫ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ଫାଇଲେରିଆ ରୋଗୀ ସଂଖ୍ୟା ଅଧିକ । ୨୦୨୨ରୁ ଯେଉଁଭଳି ଭାବେ ଏମଡିଏ କାର୍ଯ୍ୟକ୍ରମ ଚାଲିଛି, ତାହା ଓଡ଼ିଶାରୁ ଦୃତ ଗତିରେ ଫାଇଲେରିଆ ନିରାକରଣ କରୁଥିବା ନେଇ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ବି ସ୍ବୀକାର କରିଛି ।

ମଶା ଦ୍ବାରା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଫାଇଲେରିଆ ବ୍ୟାପିଥାଏ । ଆରମ୍ଭରୁ ଏହାର ଲକ୍ଷଣ ଜଣାପଡ଼ି ନଥାଏ । ଆଉ ୧୦ରୁ ୧୫ ବର୍ଷ ପରେ ଏହାର ଲକ୍ଷଣ ଦେଖା ଦେଇଥାଏ । ବିନା କୌଣସି ଲକ୍ଷଣରେ ବି ଫାଇଲେରିଆରେ କେହି ସଂକ୍ରମିତ ହୋଇପାରନ୍ତି । ତେବେ ଏମଡିଏ ଯୋଗୁଁ ୨୦୨୪ ଫେବୃଆରୀରେ ୭ ଜିଲ୍ଲାରେ ୮୯ ପ୍ରତିଶତ ଓ ଅଗଷ୍ଟରେ ୧୧ ଜିଲ୍ଲାରେ ୮୭ ପ୍ରତିଶତ ସଫଳତା ମିଳିଥିଲା ।

ରୋହିତ-କୋହଲିଙ୍କ ଦିନିକିଆ କ୍ୟାରିୟର ସମାପ୍ତ ? ୨୦୨୭ ବିଶ୍ବକପ୍ ଖେଳିବା ମୁସ୍କିଲ୍

ବିରାଟ କୋହଲି (୩୬) ଓ ରୋହିତ ଶର୍ମା (୩୮) ଉଭୟେ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି । ଏବେ ସେମାନେ କେବଳ ଦିନିକିଆ ଓ ଆଇପିଏଲ ଖେଳିବେ । ଏହି ଦୁଇ ବରିଷ୍ଠ ଖେଳାଳି ସମ୍ଭବତଃ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜ ଓ ତା’ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବେ । ଏହାପରେ ଦୁହେଁ ଆସନ୍ତା ବର୍ଷ ଜାନୁଆରୀ-ଜୁଲାଇ ମଧ୍ୟରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ୬ଟି ଦିନିକିଆ ଖେଳିବାର ସୁଯୋଗ ପାଇବେ ।

ତେବେ ଏହି ସିରିଜ ସେମାନଙ୍କୁ ୨୦୨୭ ଦିନିକିଆ ବିଶ୍ବକପ୍ ପାଇଁ ପ୍ରସ୍ତୁତ କରିବ କି? ଏହି ଦୁଇ ଖେଳାଳି କ’ଣ କେବଳ ଗୋଟିଏ ଫର୍ମାଟ ଓ ଆଇପିଏଲ ଭରସାରେ ୨ ବର୍ଷ ପର୍ଯ୍ୟନ୍ତ ଖେଳ ଜାରି ରଖିବେ? ବିସିସିଆଇ ସୂତ୍ର ମୁତାବକ, ଏନେଇ ଖୁବଶୀଘ୍ର ଆଲୋଚନା ହେବ । ଆଗାମୀ ବିଶ୍ବକପ ବେଳକୁ ରୋ-କୋ ପାଖାପାଖି ୪୦ ବର୍ଷରେ ଉପନୀତ ହୋଇଯିବେ । ତେଣୁ ଏଥିପାଇଁ ସ୍ପଷ୍ଟ ରଣନୀତି ହେବ ଓ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ । ତେବେ ଏହି ଦୁଇ ଖେଳାଳି ନିଜେ ଦିନିକିଆରୁ ସନ୍ନ୍ୟାସ ନେବେ ନା ବୋର୍ଡ ସେମାନଙ୍କୁ ଧୀରେଧୀରେ ବାହାର କରିବ? ଭାରତୀୟ କ୍ରିକେଟ ପାଇଁ ଏହି ଦୁହିଁଙ୍କର ଅବଦାନ ବହୁତ ରହିଛି । ତେଣୁ ସନ୍ନ୍ୟାସ ପାଇଁ ସେମାନଙ୍କ  ଉପରେ ଚାପ ଦିଆଯିବ ନାହିଁ । ସେମାନେ ନିଜର ଭବିଷ୍ୟତକୁ ନେଇ ଶାରୀରିକ –ମାନସିକ ଭାବେ କେତେ ପ୍ରସ୍ତୁତ, ଏ ବାବଦରେ ସେମାନଙ୍କ ସହ ଆଲୋଚନା କରାଯିବ ।

୧୯୭୧ ଯୁଦ୍ଧରେ ପାକିସ୍ତାନକୁ ଅସ୍ତ୍ର ଦେଉଥିଲା ଆମେରିକା: ଟ୍ରମ୍ପଙ୍କୁ ଆଇନା ଦେଖାଇଲା ଭାରତୀୟ ସେନା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଧମକ ମଧ୍ୟରେ ଭାରତୀୟ ସେନା ୧୯୭୧ର ଏକ ପୁରୁଣା ପେପର କଟିଂ ଶେୟାର କରିଛି । ଉକ୍ତ ନ୍ୟୁଜ କଟିଂରେ କୁହାଯାଇଛି, ଦଶନ୍ଧି ଧରି ଆମେରିକା ପାକିସ୍ତାନକୁ ସମର୍ଥନ କରୁଥିଲା । ୧୯୫୪ ଠାରୁ ପାକିସ୍ତାନକୁ ହତିଆର ଯୋଗାଇବା ନେଇ ଆମେରିକାର ଭୂମିକା ବିଷୟରେ ସେଥିରେ କୁହାଯାଇଛି । ଟ୍ରମ୍ପଙ୍କ ଧମକର ଗୋଟିଏ ଦିନ ପରେ ସେନାର ପୂର୍ବ କମାଣ୍ଡ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

୧୯୭୧ର ଭାରତ-ପାକ୍ ଯୁଦ୍ଧର କିଛି ମାସ ପୂର୍ବରୁ ଏହି ଖବର ପ୍ରକାଶ ପାଇଥିଲା । ଯୁଦ୍ଧର ପରିଣାମସ୍ବରୂପ ବାଂଲାଦେଶ ନିର୍ମାଣ ହୋଇଥିଲା । ଉକ୍ତ ଖବର ଠାରୁ ପାଖାପାଖି ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଆମେରିକା ପାକିସ୍ତାନକୁ ଅସ୍ତ୍ର ଯୋଗାଣରେ ବଡ଼ ଭୂମିକା ନିଭାଇଥିଲା । ୧୯୫୪ ଠାରୁ ପାକିସ୍ତାନକୁ ୨ ଅରବ ଡଲାରର ଅସ୍ତ୍ର ପଠାଇଯାଇଥିବା କୁହାଯାଇଥିଲା । ଟ୍ରମ୍ପଙ୍କ ପକ୍ଷରୁ ଟାରିଫ ବୃଦ୍ଧି ଧମକର କିଛି ଘଣ୍ଟା ପରେ ଭାରତର ବିଦେଶ ମନ୍ତ୍ରଣାଳୟ ମସ୍କୋ ସହ ଉର୍ଜା ସମ୍ବନ୍ଧିତ ଆଲୋଚନାକୁ ଖାରଜ କରି ଏକ ବୟାନ ଜାରି କରିଥିଲା ।

ବ୍ୟାଙ୍କରେ ୧୦ ହଜାରରୁ ଅଧିକ ପଦବୀ ଖାଲି: ଅନଲାଇନ୍ ଆବେଦନ ଆରମ୍ଭ

ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । IBPS ତରଫରୁ ୧୦ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୧୦,୨୭୭ଟି ପଦ ଖାଲି ଥିବାବେଳେ କଷ୍ଟମର ସର୍ଭିସ ଆସୋସିଏଟ୍ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଅଗଷ୍ଟ ୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୧ରେ ସମାପ୍ତ ହେବ । ସେପ୍ଟେମ୍ବରରେ ପ୍ରିଲିମିନାରୀ ଓ ନଭେମ୍ବରରେ ମୁଖ୍ୟ ପରୀକ୍ଷା ହେବ । ଆସନ୍ତା ବର୍ଷ ମାର୍ଚ୍ଚ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

୨୦୨୫ ମସିହା ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଯୋ କୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପଦ ସଂରକ୍ଷିତ ରହିଥିବା ବେଳେ ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ୨୪୯ଟି ପଦ ସଂରକ୍ଷିତ ରହିଛି । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପାରିବେ ।

ନୋଟିଫିକେସନ ଲିଙ୍କ: https://www.ibps.in/wp-content/uploads/DetailedNotification_CRP_CSA_XV_Final_for_Website.pdf

୩୪ ସେକେଣ୍ଡରେ ବଦଳିଗଲା ସବୁକିଛି: ୮ଟି ଫଟୋ ଦେଖିଲେ ଆଖିରୁ ଲୁହ ଝରିଯାଉଛି

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ପ୍ରକୃତିର ଭୟଙ୍କର ତାଣ୍ଡବରେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି । ବାଦଲ ଫାଟିବା କାରଣରୁ ମାତ୍ର ୩୪ ସେକେଣ୍ଡରେ ସତେ ଯେମିତି ସ୍ବର୍ଗ ନର୍କରେ ପରିଣତ ହୋଇଯାଇଛି ।

Dharali Village Uttarkhand Cloudburst

ଏହି ପ୍ରାକୃତିକ ବିପର୍ଯ୍ୟୟରେ ଗାଁ, ଘର, ଦୋକାନ ଓ ହୋଟେଲ ସବୁ ମାଟିରେ ମିଶି ଯାଇଛି ।

Dharali Village Uttarkhand Cloudburst

ଏହି ଦୁର୍ଘଟଣାରେ ଅତି କମରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୧୨ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି । ବାଦଲ ଫାଟିବା କାରଣରୁ ଅଚାନକ ବନ୍ୟା ଓ ମାଟିର ସ୍ଲାବ ଆସିଯାଇଥିଲା ।

Dharali Village Uttarkhand Cloudburst

ଏହି ସ୍ଲାବରେ ଗାଁର ବଜାରକୁ ମାଟିରେ ବଦଳାଯାଇ ଦେଇଥିଲା । କିଛି ବିଲଡିଂ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ୨୦-୨୫ଟି ହୋଟେଲ ଓ ହୋମଷ୍ଟେ ବହି ଯାଇଥିଲା ।

Dharali Village Uttarkhand Cloudburst

ଦୁର୍ଘଟଣା ସୂଚନା ପାଇବା କ୍ଷଣି ଉତ୍ତରାଖଣ୍ଡ ପୋଲିସ, ଏସଡିଆରଏଫ, ଏନଡିଆରଏଫ ଓ ଭାରତୀୟ ସେନାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Dharali Village Uttarkhand Cloudburst

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି ।

Dharali Village Uttarkhand Cloudburst

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ ଆଲୋଚନା କରିଛନ୍ତି ଓ କେନ୍ଦ୍ର ସରକାରଙ୍କ ତରଫରୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି ।

Dharali Village Uttarkhand Cloudburst

ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ବିପଦ ସୃଷ୍ଟି କରିଛି । ନଦୀ, ନାଳ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅପିଲ କରାଯାଇଛି ।

Dharali Village Uttarkhand Cloudburst

ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଛି । ନିଖୋଜ ଲୋକଙ୍କ ସନ୍ଧାନ କାର୍ଯ୍ୟରେ ଉଦ୍ଧାରକାରୀ ଟିମ୍ ଲାଗି ପଡ଼ିଛି । ପ୍ରଭାବିତ ପରିବାରଙ୍କୁ ସହାୟତା ପାଇଁ ପ୍ରୟାସ କରାଯାଉଛି ।

ଉତ୍ତରକାଶୀରେ ବାଦଲ ଫଟା ବର୍ଷାର ତାଣ୍ଡବ ବେଳେ କାହିଁକି ହ୍ବିସିଲ ମାରୁଥିଲେ ଲୋକେ ?

ନନ୍ଦିଘୋଷ ବ୍ୟୁରୋ: ଉତ୍ତରକାଶୀରେ ବାଦଲ ଫଟା ବର୍ଷାର ତାଣ୍ଡବ । ଖିର ଗଙ୍ଗା ନଦୀରେ ହଠାତ ବନ୍ୟା ଆସି ନିମିଷକରେ ଗୋଟିଏ ପରେ ଗୋଟିଏ ଗାଁକୁ ଧୋଇ ନେଲା । ଶତାଧିକ ଲୋକ ବନ୍ୟା ପାଣିରେ ଭାସି ଗଲେ । ଘର, ହୋଟେଲଠାରୁ ଆରମ୍ଭ କରି ପାଣିର ସ୍ରୋତ ଆଗରେ ଯାହା ଆସିଲା ସବୁ କିଛି ଧୋଇଗଲା । ଯାହାର ଭିଡିଓ ଆପଣମାନେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରୁ ଦେଖିବାକୁ ପାଉଥିବେ । ହେଲେ ଭଲ କରି ଏହି ସବୁ ଭିଡିଓକୁ ଦେଖନ୍ତୁ, ଯାହା ସ୍ଥାନୀୟ ଲୋକେ ରେକର୍ଡି କରିଛନ୍ତି । ଏଥିରେ ନଦୀ ପାଣି ସବୁ କିଛି ଛାରଖାର କରୁଥିବା ବେଳେ ଭିଡିଓ ବନାଉଥିବା ଲୋକେ ଚିତ୍କାର କରିବା ବଦଳରେ ହ୍ବିସିଲ ମାରୁଥିବା ଶୁଣିବାକୁ ପାଇବେ । ଏବେ ପ୍ରଶ୍ନ ଉଠିଛୁ, ଏମିତି ବିପର୍ଯ୍ୟୟ ସମୟରେ ଆଖି ଆଗରେ ଲୋକେ ଭାସି ଯାଉଥିବା ବେଳେ ଭିଡିଓ କରୁଥିବା ଲୋକେ କେମିତି ହ୍ବିସିଲ ମାରୁଛନ୍ତି ?

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଗ୍ରାମାଞ୍ଚଳରେ ହ୍ବିସିଲ ମାରିବା କେବଳ ଏକ ମନୋରଞ୍ଜନ ନୁହେଁ, ଜରୁରୀକାଳୀନ ସ୍ଥିତିର ସୂଚନା ଦେବାର ଏକ ପାରମ୍ପରିକ ମାଧ୍ୟମ । ଏ ପରମ୍ପରା ସେ କାଳରୁ ଚାଲି ଆସୁଛି, ଯେତେବେଳେ ନା ମୋବାଇଲ ଥିଲା ନା ମାଇକ ଥିଲା ନା କୌଣସି ସୂଚନା ଦେବାର ସିଷ୍ଟମ ଥିଲା । ଅଞ୍ଚଳରେ ଯେତେବେଳେ ଭୂ-ସ୍ଖଳନ ହେଉଥିଲା କି ବ୍ୟାପକ ବର୍ଷା ଓ ଜଙ୍ଗଲରେ ନିଆଁ ଲାଗୁଥିଲା, ସେତେବେଳେ ଲୋକେ ଜୋର ଜୋରରେ ହ୍ବିସିଲ ବଜାଇ ଅନ୍ୟମାନଙ୍କୁ ସୂଚିତ କରୁଥିଲେ । ବିନା କୌଣସି ସମୟ ନଷ୍ଟ କରି ଯେତେ ଦୂର ସମ୍ଭବ ହ୍ବିସିଲ ବଜାଇ ଶବ୍ଦ ପହଞ୍ଚାଇ ଲୋକଙ୍କୁ ସତର୍କ କରିବାର ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଚିତ୍କାର ବଦଳରେ ହ୍ବିସିଲ କାହିଁକି ?

ସୂଚନାଯୋଗ୍ୟ, କିଛି କହିଲେ କି ଗାଇଲେ ଏହା ପାହାଡ଼ରେ ଗୁଞ୍ଜରିତ ହୋଇଥାଏ । ମଣିଷର ଚିତ୍କାର ବହୁ ସମୟରେ ଭିନ୍ନ ଭିନ୍ନ ପ୍ରକାରରେ ବିଚାର କରାଯାଇଥାଏ । ହେଲେ ହ୍ବିସିଲ ଏକ ସ୍ବଚ୍ଛ, ତୀକ୍ଷ୍ନ ଓ ଚିହ୍ନି ହେବା ପରି ଶବ୍ଦ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ହ୍ବିସିଲ ବାଜିଲେ ନା କେବଳ ମଣିଷ, ପଶୁପକ୍ଷୀ ମଧ୍ୟ ସତର୍କ ହୋଇଯାଆନ୍ତି ଓ ନିଜ ମାଲିକ ପାଖକୁ ଦୌଡିଥାନ୍ତି । ହ୍ବିସିଲ ବାଜିବା ମାତ୍ରାରେ ଆଖପାଖରେ ଥିବା ଲୋକେ ବୁଝି ଯାଇଥାନ୍ତି କି କିଛି ବିପଦ ରହିଛି । ଏହାପରେ ସେମାନେ ହ୍ବିସିଲ ମାରି ଆଗରେ ଥିବା ଲୋକଙ୍କୁ ବପଦ ସମ୍ପର୍କରେ ସୂଚନା ଦେଇଥାନ୍ତି । ଏମିତି ସ୍ଥିତିରେ ଏକ ସାଉଣ୍ଡ ଚେନ୍ ସୃଷ୍ଟି ହୋଇଥାଏ, ଯାହା ଦୂରରେ ଥିବା ଲୋକଙ୍କୁ ବି ସତର୍କ ହେବାକୁ ସୂଚନା ଦେବାକୁ ସକ୍ଷମ ହୋଇଥାଏ ।

ହ୍ବିସିଲ ମରା ପରମ୍ପରା କ’ଣ ?

ସ୍ଥାନୀୟ ବୟୋଜେଷ୍ଠ ବ୍ୟକ୍ତିଙ୍କ ଅନୁସାରେ ଏହି ପରମ୍ପରା ପ୍ରାୟ ୧୦୦ ବର୍ଷ ପୁରୁଣା । ବିଶେଷ କରି କୁମାଉଁ ଏବଂ ଗଢ଼ଓ୍ବାଲ ଅଞ୍ଚଳରେ ବର୍ଷା, ବରଫ ବର୍ଷା କିମ୍ବା ବାଘ ପରି ଜଙ୍ଗଲୀ ଜନ୍ତୁଙ୍କୁ ଦେଖିଲେ ହ୍ବିସିଲ ମରାଯାଇଥାଏ । ଏହି ହ୍ବିସିଲ ଶବ୍ଦ ଗାଁର ଯୁବକ, ଗାଈ ଚରାଳି ଓ ମହିଳାଙ୍କ ପାଖରେ ଶୀଘ୍ର ପହଞ୍ଚି ଯାଇଥାଏ ।

ଏମିତିକି ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ମଧ୍ୟ ଏହାକୁ ଚମତ୍କାର ବୋଲି କହିଛନ୍ତି । ସେମାନଙ୍କ ମତରେ ଏହାକୁ ସଠିକ ଉପାୟରେ ବ୍ୟବହାର କରାଗଲେ ଏହା ବହୁତ ଲାଭଦାୟକ ହେବ । ଯେମିତି କି ଏହା ସ୍ଥିର କରିବାକୁ ପଡ଼ିବ କେଉଁ ସ୍ଥିତିରେ କେତେ ଥର ହ୍ବିସିଲ ମାରିବାକୁ ପଡ଼ିବ । ଏମିତି ହେଲେ ଏହା ଏକ ଭଲ ବିପଦ ସୂଚନା ଦେଉଥିବା ଓ୍ବାର୍ଣ୍ଣିଂ ସିଷ୍ଟମ ହୋଇପାରିବ ।

ପୃଥିବୀ ତଳେ ବି ରହିଛି ଏକ ଜୀବନ ! ଚୀନ ବୈଜ୍ଞାନିକଙ୍କ ବଡ଼ ଦାବି

ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଜାରି ରହିଥିବା ବେଳେ ଏଲିଅନ୍ସକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ଦାବି କରାଯାଉଛି । ଧରିତ୍ରୀ ବାହାରେ ଥିବା ମହାକାଶରେ ନିଶ୍ଚିତ ଭାବେ ଜୀବନ ରହିଛି ବା ଜୀବନର ସମ୍ଭାବନା ରହିଥିବା କୁହାଯାଉଛି । ଏହି ସନ୍ଧାନରେ ବିଶ୍ବର ଅନେକ ମହାକାଶ ସଂସ୍ଥା ଲାଗି ପଡ଼ିଛନ୍ତି । ମାତ୍ର ଚୀନ ଏହି ଅନୁମାନ ଓ ସମ୍ଭାବନା ମଧ୍ୟରେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାନାଡ଼ାର ବୈଜ୍ଞାନିକଙ୍କ ସହ ମିଶି ଚୀନର ବୈଜ୍ଞାନିକମାନେ ଧରିତ୍ରୀ ତଳେ ଅନ୍ଧାରରେ ଜୀବନର ସନ୍ଧାନ କରିଛନ୍ତି । ଉକ୍ତ ସ୍ଥାନରେ ଆଜି ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପହଞ୍ଚି ପାରି ନାହିଁ । ଦୈନନ୍ଦିନ ଜୀବନରେ ଆମ ସମ୍ମୁଖରେ ଆସୁଥିବା ଭୂକମ୍ପରୁ ଧରିତ୍ରୀ ତଳେ ଥିବା ଜୀବନ ଉର୍ଜା ନେଉଥିବା ରିସର୍ଚ୍ଚରେ ଦାବି କରାଯାଇଛି ।

ଧରିତ୍ରୀ ପୃଷ୍ଠରୁ କିଛି କିମି ତଳେ ଜୀବନର ଅସ୍ତିତ୍ବ ନାହିଁ ବୋଲି ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଉଥିଲା । ମାତ୍ର ନିକଟରେ କରାଯାଇଥିବା ଏହି ସନ୍ଧାନ ଏକ ବିଶାଳ ଓ ସକ୍ରିୟ ଜୀବନମଣ୍ଡଳରର ଖୁଲାସା କରିଛି । ଚୀନ ବିଜ୍ଞାନ ଏକାଡେମୀର ଗୁଆଙ୍ଗଝୋଉ ଇନଷ୍ଟିଚ୍ୟୁଟ ଅଫ୍ ଜିୟୋକେମିଷ୍ଟ୍ରି (GIG)ର ରିସର୍ଚ୍ଚରେ ଏହାର ଜବାବ ଖୋଜିବା ପାଇଁ ପ୍ରୟାସ କରାଯାଇଛି । ଧରିତ୍ରୀର ଯେଉଁ ଭୂକମ୍ପ ଗତିବିଧି ହେଉଛି, ତାହା ଏହି ଜୀବଙ୍କ ପାଇଁ ଜେନେରେଟରର କାମ କରିଥାଏ । ଏହାଦ୍ବାରା ଏହି ଜୀବଙ୍କର ଜୀବନ ଚକ୍ର ଚାଲିଥାଏ ।

ବୈଜ୍ଞାନିକଙ୍କ ମୁତାବକ, ଯେଉଁଠାରେ ଜୀବନ ରହିଛି, ତାହା ଧରିତ୍ରୀ ଠାରୁ ବହୁତ ଗଭୀର । ସେଥିପାଇଁ ଆଜି ପର୍ଯ୍ୟନ୍ତ ତୀବ୍ର ପାରାବାଇଗଣୀ ବିକିରଣ ଓ କ୍ଷୁଦ୍ର ଗ୍ରହର ବିନାଶ ପରି ଘଟଣାର ପ୍ରଭାବ ପଡ଼ିନାହିଁ । ଏହି ସ୍ଥାପନା ଜୀବନର ଉତ୍ପତ୍ତି ଓ ବିକାଶ ପାଇଁ ମହତ୍ତ୍ବପୂର୍ଣ୍ଣ ପରିବେଶ ପ୍ରଦାନ କରିପାରେ ।

ଭାରତ ରୁଷ ଠାରୁ ତେଲ କିଣୁ ବୋଲି ୩ ବର୍ଷ ପୂର୍ବେ ଚାହୁଁଥିଲା ଆମେରିକା ! ଏବେ କାହିଁକି ବଦଳିଲା ରଣନୀତି ?  

ରୁଷରୁ ଭାରତ ତୈଳ ଆମଦାନୀ ଉପରେ ଆମେରିକା ଟାରିଫ୍ ଲାଗୁ କରିଛି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତ ରୁଷ ଠାରୁ ତୈଳ କିଣୁ ବୋଲି ୩ ବର୍ଷ ପୂର୍ବେ ଆମେରିକା ଚାହୁଁଥିଲା, ପୂର୍ବ ଆମେରିକୀୟ ରାଜଦୂତଙ୍କ ବୟାନରୁ ଏହା ଜଣାପଡ଼ିଛି । ପୂର୍ବ ରାଜଦୂତଙ୍କ ଟିପ୍ପଣୀ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଟ୍ରମ୍ପ ଭାରତ ଉପରେ ଟାରିଫ ଲଗାଇବା ସହ ଧମକ ମଧ୍ୟ ଦେଇଛନ୍ତି । ଟ୍ରମ୍ପଙ୍କ ଧମକକୁ ନୂଆଦିଲ୍ଲୀ ଜୋରଦାର ବିରୋଧ କରିବା ସହ ନିଜର ହିତ ପାଇଁ ଭାରତ ରୁଷ ସହ ସହଯୋଗ ଜାରି ରଖିବ ବୋଲି କହିଛି । ଏହା ମଧ୍ୟରେ ଆମେରିକାର ପୂର୍ବ ରାଷ୍ଟ୍ରଦୂତଙ୍କ ଏକ ପୁରୁଣା ଟିପ୍ପଣୀ ଭାଇରଲ ହେବାରେ ଲାଗିଛି । ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଜିର ବୟାନର ବିଲକୁଲ ବିପରୀତ ଅଟେ ।

ଭାଇରାଲ ଭିଡିଓରେ ଭାରତରେ ଅବସ୍ଥାପିତ ଥିବା ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହୁଛନ୍ତି, ବିଶ୍ବରେ ଦର ସ୍ଥିର ରଖିବା ପାଇଁ ରୁଷ ଠାରୁ ଭାରତ ଏକ ନିଶ୍ଚିତ ମୂଲ୍ୟ ସୀମାରେ ତୈଳ କିଣିବା ପାଇଁ ଓ୍ବାଶିଂଟନ ପ୍ରୋତ୍ସାହିତ କରିଥିଲା । ଅନ୍ତରାଷ୍ଟ୍ରୀୟ ମାମଲାରେ ବିବିଧତା ଉପରେ ୨୦୨୪ ସମ୍ମିଳନୀ ଅବସରରେ ଗାର୍ସେଟି ଏହା କହିଥିଲେ । ଭାରତର ପଦକ୍ଷେପ ଆମେରିକାର ନୀତିର ଡିଜାଇନର ଅଂଶ ବୋଲି ସେ କହିଥିଲେ ।

ସମ୍ମିଳନୀରେ ସେ କହିଥିଲେ, ‘କୌଣସି ବ୍ୟକ୍ତି ଏକ ନିଶ୍ଚିତ ମୂଲ୍ୟ ସୀମାରେ ରୁଷ ତେଲ କିଣୁ ବୋଲି ଆମେ ଚାହୁଁଥିଲୁ । ସେଥିପାଇଁ ଭାରତ ରୁଷଠାରୁ ତେଲ କିଣିଲା । ଏହା କୌଣସି ଉଲ୍ଲଂଘନ ନଥିଲା । ଏହା ବାସ୍ତବରେ ନୀତିର ଡିଜାଇନ ଥିଲା । ତେଲର ଦର ବଢ଼ୁ, ଏହା ଆମେ ଚାହୁଁନଥିଲୁ ।’

ତେବେ ଉକ୍ତ ଟିପ୍ପଣୀ ସାମ୍ନାକୁ ଆସିବା ପରେ ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ୟୁକ୍ରେନ ଯୁଦ୍ଧର ପ୍ରାରମ୍ଭରେ ଭାରତ ରୁଷ ତେଲ କିଣିବା ଆମେରିକା ନୀତିର ଅଂଶ ଥିଲା । ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅଭିଯୋଗ ଲଗାଉଛନ୍ତି ଯେ, ଭାରତ ୟୁକ୍ରେନ ଯୁଦ୍ଧ ସମୟରେ ତେଲ କିଣି ରୁଷକୁ ସହାୟତା କରୁଛି । ଆମେରିକାର ପ୍ରବଳ ଚାପ ପରେ ବି ଭାରତ ପକ୍ଷରୁ ରୁଷରୁ ନିଜର ସହଯୋଗ କମ କରିବାର ସଂକେତ ମିଳୁନାହିଁ । ଏଥିସହିତ ଭାରତ ଆମେରିକାକୁ କଡ଼ା ଜବାବ ମଧ୍ୟ ଦେଇଛି ।

ମହାକାଳେଶ୍ବରଙ୍କ ଧାମ ଉଜ୍ଜୟିନରେ ରାତିରେ ରହିବାକୁ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ମନା କରାଯାଏ ?

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁ ଧର୍ମର ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ମଧ୍ୟପ୍ରଦେଶ ଉଜ୍ଜୟିନର ମହାକାଳେଶ୍ବରଙ୍କ ପୀଠ ଅନ୍ୟତମ । ହିନ୍ଦୁ ଧର୍ମ ଶାସ୍ତ୍ରରେ ଏହାକୁ ମୋକ୍ଷ ପ୍ରାପ୍ତିର ସ୍ଥାନ ବୋଲି ବିବେଚନା କରାଯାଇଥାଏ । ଏଠାକୁ ଦର୍ଶନ କରିବାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଯେମିତି ଅନ୍ୟ ହିନ୍ଦୁ ମନ୍ଦିରର ଅନେକ ରହସ୍ୟ ରହିଛି, ଉଜ୍ଜୟିନର ମହାକାଳେଶ୍ବର ବାବାଙ୍କର ବି ରହସ୍ୟ ରହିଛି, ଯାହା ବହୁ ଲୋକଙ୍କୁ ଅଜଣା । ଆମେ ଉଜ୍ଜୟିନର ଏମିତି ଏକ ରହସ୍ୟ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣି ବି ମହାକାଳେଶ୍ବରଙ୍କ ଶକ୍ତି ଆଗରେ ଭକ୍ତିରେ ଲିନ ହୋଇଯିବେ ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କୁ ସେଠିକାର ରାଜା କୁହାଯାଇଥାଏ । ଆଉ ଉଜ୍ଜୟିନରେ ରାତିରେ କୌଣସି ରାଜାଙ୍କୁ ରହିବାର ଅନୁମତି ନଥାଏ । ତେବେ ଏମିତି କାହିଁକି ଆସନ୍ତୁ ଜାଣିବା ।

ଧାର୍ମିକ ମାନ୍ୟତା ଅନୁସାରେ, ଉଜ୍ଜୟିନର ରାଜା ଭାବେ ମହାକାଳଙ୍କୁ ମାନ୍ୟତା ମିଳିଛି । ଆଉ ସେହି ଏଠିକାର ଜନତାଙ୍କ ରକ୍ଷକ । ଏହି କାରଣରୁ ଏଠାରେ ଅନ୍ୟ କୌଣସି ରାଜାଙ୍କୁ ରହିବାକୁ ଅନୁମତି ମିଳି ନଥାଏ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ରାଜା ବୋଲି ଲୋକେ ମାନି ଥାନ୍ତି । ଏହି କାରଣରୁ ଏଠାରେ କୌଣସି ରାଜାଙ୍କୁ ଏଠାରେ ରାତିରେ ରହିବାକୁ ଅନୁମତି ଦିଆଯାଇ ନଥାଏ । ଏମିତି ବିଶ୍ବାସ ରହିଛି, ଏଠାରେ କୌଣସି ରାଜା (ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ) ରାତିରେ ରହିଲେ ତାଙ୍କ ଶାସନର ଅନ୍ତ ହୋଇଯାଇଥାଏ ।

ତେବେ ଏମିତି କଥାକୁ ନେଇ କୌଣସି ପ୍ରମାଣ ନାହିଁ । ତଥାପି ବିଶ୍ବାସକୁ ଆଧାର କରି ଏଠାରେ କୌଣସି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ରାତିରେ ରହି ନଥାନ୍ତି । ଯେଉଁମାନେ ଆସିଥାନ୍ତି, ସେମାନେ ମହାକାଳେଶ୍ବରଙ୍କ ଦର୍ଶନ କରିବା ପରେ ଫେରିଯାଇଥାନ୍ତି ।