spot_img
Home Blog Page 3404

ଶିବସୁନ୍ଦର ଦାସ ହୋଇପାରନ୍ତି ଟିମ୍ ଇଣ୍ଡିଆର ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା

ଭୁବନେଶ୍ୱର: ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସ ହୋଇପାରନ୍ତି ଟିମ୍ ଇଣ୍ଡିଆର ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା । ଷ୍ଟିଙ୍ଗ୍ ବିବାଦରେ ଛନ୍ଦି ହୋଇ ଚେତନ ଶର୍ମା ପଦ ଛାଡ଼ିବା ପରେ ଏନେଇ ଚର୍ଚ୍ଚା ବଢ଼ିଛି । ସାମ୍ବାଦିକ ଅମିତ ଚୌବେ ଏନେଇ ଟ୍ବିଟ୍ କରିଛନ୍ତି । ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଶିବସୁନ୍ଦରଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚା ହେଉଛି । ଏବେ ଶିବସୁନ୍ଦର ଦାସ ଚୟନକର୍ତ୍ତା ସଦସ୍ୟ ଅଛନ୍ତି । ଏହି ଦକ୍ଷିଣହାତୀ ଓପନିଂ ବ୍ୟାଟ୍ସମ୍ୟାନ ଦେଶ ପାଇଁ ଶିବସୁନ୍ଦର ୨୩ ଟେଷ୍ଟ, ୪ଟି ଦିନିକିଆ ଖେଳିଛନ୍ତି ।

ଅନ୍ୟପଟେ ବିସିସିଆଇ ସମ୍ପାଦକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ଚେତନ ଶର୍ମା । ବିସିସିଆଇ ସମ୍ପାଦକ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ଜଣାପଡ଼ିଛି । ଏକ ଘରୋଇ ଚ୍ୟାନେଲର ଷ୍ଟିଙ୍ଗ୍ ଅପରସନରେ ଭାରତୀୟ କ୍ରିକେଟ ଟିମ୍ ବିଷୟରେ ବିବାଦୀୟ ଟିପ୍ପଣୀ ରଖିଥିଲେ ଚେତନ। ଫିଟନେସ ପାଇଁ ଖେଳାଳିମାନେ ଇଞ୍ଜେକସନ ନେଉଥିବା କହିଥିଲେ। ବଡ଼ ଖେଳାଳି ଟିମରେ ସିଲେକ୍ଟ ହେବା ପୂର୍ବରୁ ପେନ କିଲର ଇଞ୍ଜେକ୍ସନ ନେଉଛନ୍ତି । ଏହାସହ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ବି ଚାଞ୍ଚଲ୍ୟକର ଖୁଲାସା କରିଥିଲେ ଚେତନ ଶର୍ମା ।

ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଜୋ ବାଇଡେନ, ଆସନ୍ତାବର୍ଷ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଲାଗି ରହିଛି ସାମର୍ଥ୍ୟ

ଓ୍ୱାଶିଂଟନ: ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ସମର୍ଥ ବାଇଡେନ । ୮୦ ବର୍ଷ ବୟସ୍କ ବାଇଡେନ ରାଷ୍ଟ୍ରପତି ହେବା ଲାଗି ସକ୍ଷମ କି ନୁହେଁ ସେନେଇ ବିତର୍କ ଚାଲିଥିବାବେଳେ  ଡାକ୍ତରଙ୍କ ଦ୍ବାରା ଫିଟ୍ ଫର ଡ୍ୟୁଟି ଘୋଷିତ ହୋଇଛନ୍ତି ବାଇଡେନ । ତାଙ୍କର ଶାରୀରିକ ଓ ସ୍ନାୟବିକ ସ୍ଥିତି ସଠିକ୍ ରହିଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ରିପୋର୍ଟରେ କୁହାଯାଇଛି ରାଷ୍ଟ୍ରପତି ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ, କମାଣ୍ଡର ଇନ ଚିଫ ଭାବେ ରାଷ୍ଟ୍ରର ଦାୟିତ୍ବ ନେବା ବାଇଡେନଙ୍କ ପକ୍ଷେ ସମ୍ଭବ । ସେ ନିଜର ସମସ୍ତ ଦାୟିତ୍ବ ସଠିକ୍ ଭାବେ ତୁଲାଇପାରିବେ ।

ଯଦି ଆସନ୍ତାବର୍ଷ ନିର୍ବାଚନରେ ବାଇଡେନ ବିଜୟ ଲାଭ କରନ୍ତି ତେବେ ସେ ହେବେ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି । ବାଇଡେନଙ୍କ ସ୍ବାସ୍ଥ୍ୟ ସେବା ଯାଞ୍ଚ ଲାଗି ଓ୍ବାଲଟର ରିଡ୍ ନ୍ୟାସନାଲ ମିଲିଟାରୀ ମେଡିକାଲ ସେଣ୍ଟରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ସ୍ବଳ୍ପ ସମୟ ଲାଗି କ୍ଷମତା ହସ୍ତାନ୍ତର କରିବା ପରେ ଗତବର୍ଷ ନଭେମ୍ବରରେ ବାଇଡେନଙ୍କ ହୋଇଥିଲା ଫିଜିକାଲ ଟେଷ୍ଟ । ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ବିରୋଧୀ ରିପବ୍ଲିକାନ ଦଳ ପକ୍ଷରୁ ସମାଲୋଚନା କରାଯାଉଥିବା କାରଣରୁ ପୁଣି ଥରେ ଏହି ଟେଷ୍ଟ କରିଛନ୍ତି ବାଇଡେନ । ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ହେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ

ସୁନ୍ଦରଗଡ଼: ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ । ବିଜେଡି ଛାଡ଼ିବା ଐତିହାସିକ ଭୁଲ ଥିଲା । ମାର୍ଚ୍ଚରେ ପୁଣି ବିଜେଡିକୁ ଫେରିବେ ଜର୍ଜ । ସମର୍ଥକଙ୍କ ସହ ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ନେତା । ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜର୍ଜ ତିର୍କୀ । ୨୦୦୬ରେ ବିଜେଡି ଛାଡ଼ିଥିଲେ ଜର୍ଜ ତିର୍କୀ । ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ବିଜେଡିରେ ଯୋଗଦାନ କରିବେ । ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଜର୍ଜ ତିର୍କୀ ।

ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ନୂଆଦିଲ୍ଲୀ: ଷ୍ଟିଙ୍ଗ ଅପରେସନ ବିବାଦ ପରେ ପଦ ଛାଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ଚେତନ । ବିସିସିଆଇ ସମ୍ପାଦକଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । ବିସିସିଆଇ ସମ୍ପାଦକ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାପଡ଼ିଛି । ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟିଙ୍ଗ୍ ଅପରସନରେ ଭାରତୀୟ କ୍ରିକେଟ ଟିମ୍ ବିଷୟରେ ବିବାଦୀୟ ଟିପ୍ପଣୀ ରଖିଥିଲେ ଚେତନ । ଫିଟନେସ ପାଇଁ ଖେଳାଳିମାନେ ଇଞ୍ଜେକସନ ନେଉଥିବା ଚେତନ ଶର୍ମା କହିଥିଲେ । ବଡ଼ ବଡ଼ ଖେଳାଳି ଟିମରେ ଚୟନ ହେବା ପୂର୍ବରୁ ପେନ୍ କିଲର ଇଞ୍ଜେକ୍ସନ ନେଉଛନ୍ତି । ଏହା ସହ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ବି ଚାଞ୍ଚଲ୍ୟକର ଖୁଲାସା କରିଥିଲେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ।

ଜୟନାରାୟଣ ମିଶ୍ରଙ୍କୁ ଘେରିଲେ କିନ୍ନର, ଇସ୍ତଫା ଓ କ୍ଷମା ପ୍ରାର୍ଥନା ଦାବି

ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ଦବଙ୍ଗଗିରି ବିରୋଧରେ ତେଜିଲା ଅସନ୍ତୋଷ । ଜୋର ଧରିଲା ଗିରଫ ଦାବି । ଜୟନାରାୟଣଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ସମ୍ମୁଖରେ କିନ୍ନର କରିଛନ୍ତି ଜୋରଦାର ବିକ୍ଷୋଭ । ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କିନ୍ନର । ଆଜି ଶତାଧିକ କିନ୍ନର ଭୁବନେଶ୍ବରସ୍ଥିତ ଜୟନାରାୟଣଙ୍କ ସରକାରୀ ବାସଭବନର ସମ୍ମୁଖରେ ପହଞ୍ଚି ଜୟନାରାୟଣଙ୍କ ବିରୋଧରେ ନାରାବାଜି କରିଥିଲେ । ଏହା ସହ ପ୍ଲାକାର୍ଡ ପ୍ରଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଏହି ବିକ୍ଷୋଭରେ କିନ୍ନର ପରୀ ଘୋଷଣା କରିଛନ୍ତି- ଯିଏ ଜୟନାରାୟଣ ମିଶ୍ରଙ୍କ ବେକରେ ଜୋତାମାଳ ପିନ୍ଧାଇବ ତାଙ୍କୁ ସେ ୫୧ ହଜାର ଟଙ୍କା ଦେବେ । ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଗଣତାନ୍ତ୍ରିକ ରାଷ୍ଟ୍ର ଲାଗି ଏକ ଲଜ୍ଜା ବୋଲି କହିଛନ୍ତି କିନ୍ନର ନେତା । ମହିଳା ଆଇଆଇସିଙ୍କୁ ଅସଦାଚରଣ ଓ ଆକ୍ରମଣ ପ୍ରତିବାଦରେ ଉଠୁଛି ପଡ଼ୁଛି ଓଡ଼ିଶା । କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ଧମକାଇବା ସହ ଚାପୁଡ଼ା ମାରିଥିଲେ ଜୟନାରାୟଣ ।

ଗାଈ ମାଲିକାନା ପାଇଁ ନୟାନ୍ତ କମିଶନରେଟ ପୋଲିସ

ଭୁବନେଶ୍ୱର: ଗାଈ ମାଲିକାନା ପାଇଁ ନୟାନ୍ତ କମିଶନରେଟ ପୋଲିସ । ‘ବଉଳା’ ପାଇଁ ବାଉଳା ହେଲେ ଭରତପୁର ଥାନା ପୋଲିସ । ଗାଈର ମାଲିକାନାକୁ ନେଇ ଥାନାରେ ଦ୍ବାରସ୍ତ ହୋଇଛନ୍ତି ଭୁବନେଶ୍ବର ଭରତପୁର ଅଞ୍ଚଳର ଭିକାରୀ ନାୟକ ଓ ସନାତନ ପ୍ରଧାନ । ମାଲିକାନାକୁ ନେଇ ଶେଷରେ ଡେମୋ ଦେଖାଇଲା ପୋଲିସ । ଭରତପୁର ଥାନା ଅଞ୍ଚଳର ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭିକାରୀ ନାୟକ ଓ ସନାତନ ପ୍ରଧାନଙ୍କ ଭିତରେ ଗାଈର ମାଲିକାନାକୁ ନେଇ ଟଣାଓଟରା ଦେଖିବାକୁ ମିଳିଛି ।

ହିଣ୍ଡେନବର୍ଗ ମାମଲାକୁ ନେଇ ସୁପ୍ରିମକୋର୍ଟରେ କଂଗ୍ରେସର ଆବେଦନ, ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ମାମଲାକୁ ନେଇ ସୁପ୍ରିମକୋର୍ଟରେ କଂଗ୍ରେସ । ସଠିକ ତଦନ୍ତ ଦାବିରେ କଂଗ୍ରେସ କରିଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ପ୍ରକାଶ କରିଥିବା ରିପୋର୍ଟ ଉପରେ ତଦନ୍ତ ପାଇଁ ବରିଷ୍ଠ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ ଆବେଦନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଏହାର ତ୍ବରିତ ଶୁଣାଣି ପାଇଁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ ।

ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରି ତାଙ୍କ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଆବେଦନ କରାଯାଇଥିଲା । ଏହାର ଶୁଣାଣି ଆଜି କରିବାକୁ ଧାର୍ଯ୍ୟ କରିଥିଲେ ପ୍ରଧାନ ବିଚରାପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ପିଏମ ନରସିଂମାଙ୍କ ଖଣ୍ଡପୀଠ । ଅନ୍ୟପଟେ ଆରବିଆଇ ଓ ସେବିକୁ ଚିଠି ଲେଖି ହିଣ୍ଡେନବର୍ଗ ରିପୋର୍ଟ ଉପରେ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ ।

ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଉପରମୁହାଁ ପାରଦ, ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବଢ଼ୁଛି ତାପମାତ୍ରା । ସ୍ବାଭାବିକଠାରୁ ୪ରୁ ୫ଡିଗ୍ରୀ ଉପରେ ରହୁଛି ପାରଦ । ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ପାରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ମାଲକାନଗିରି, ନୟାଗଡ଼, ବଲାଙ୍ଗୀର, ଅନୁଗୁଳ, ଚାନ୍ଦବାଲି, ନବରଙ୍ଗପୁର, ଭବାନୀପାଟଣା ଆଦି ସହର ଏବେ ହଟସ୍ପଟରେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ନୟାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀରରେ ୩୪ ଡିଗ୍ରୀ ଲେଖାଏଁ ପାରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ପାରା ୩୩ଡିଗ୍ରୀ ଉପରେ ରହିଛି । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ୍ କିରଣ ପାଇଁ ତାପମାତ୍ରା ବୃଦ୍ଧି ହେବ ।

ୟୁଟ୍ୟୁବର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନିଲ ମୋହନ

ନୂଆଦିଲ୍ଲୀ: ପୁଣି ଝଟକିଲେ ଭାରତୀୟ । ଭାରତୀୟ-ଆମେରିକୀୟ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ । ସୁସାନ ଓଜେସିକିଙ୍କ ଇସ୍ତଫା ଘୋଷଣା ପରେ ନୀଲ ମୋହନ ପିନ୍ଧିବେ ମୁକୁଟ । ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ ଦେଇଛନ୍ତି ଇସ୍ତଫା । ୧୯୯୬ରେ ନୀଲ ମୋହନ ଆସେଣ୍ଟ୍ୱରରେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୧୫ରୁ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ ଦାୟିତ୍ବ ତୁଲାଉଥିଲେ ।

୪୯ ବର୍ଷ ବୟସ୍କ ଷ୍ଟାନଫୋର୍ଡ ଗ୍ରାଜୁଏଟ ନୀଲ ମୋହନ କିଛି ଦିନ ଲାଗି ନେଟଗ୍ରାଭିଟି ଷ୍ଟାର୍ଟଅପରେ କାର୍ଯ୍ୟ କରିଥିଲେ । ନେଟଗ୍ରାଭିଟିକୁ ପରବର୍ତ୍ତୀ ପର୍ଯ୍ୟାୟରେ ଡବଲ କ୍ଲିକ ଅଧିଗ୍ରହଣ କରିଥିଲା । ୨୦୦୭ରେ ଡବଲକ୍ଲିକକୁ କିଣିଥିଲା ଗୁଗୁଲ । ଗୁଗୁଲର ଆଡଭର୍ଟାଇଜିଂ ପ୍ରଡକ୍ଟର ଆଡଓ୍ବାର୍ଡସ, ଆଡସେନ୍ସ ଆଦିର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନୀଲ ମୋହନ ।

ଗ୍ୟାସ ଏଜେନ୍ସିରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ୩ଟି ଦମକଳ ବାହିନୀ

ଅନୁଗୁଳ: ଅନୁଗୁଳ କୁମଣ୍ଡ ଭଣ୍ଡୁବର ନିକଟରେ ଗ୍ୟାସ ଏଜେନ୍ସିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଫଳରେ ଏକ ମୋଟର ସାଇକେଲ ସମେତ ଜଳିଗଲା ଜରୁରୀ କାଗଜପତ୍ର ଏବଂ ଅଳ୍ପ କିଛି ଗ୍ୟାସ ଟାଙ୍କି ପୋଡ଼ି ନଷ୍ଟ ହୋଇ ଯାଇଛି । ସୂଚନା ଅନୁସାରେ ଭଣ୍ଡୁବର ନିକଟରେ ଥିବା ସୁପ୍ରିୟା ଗ୍ୟାସ ଏଜେନ୍ସିର କର୍ମଚାରୀ ମାନେ ରାତି ପ୍ରାୟ ୯ଟାରେ ଏଜେନ୍ସି ବନ୍ଦ କରି ଘରକୁ ଯାଇଥିଲେ । ତେବେ ରାତି ପ୍ରାୟ ୧୧ଟା ବେଳେ ଏଜେନ୍ସିର ସ୍କାଏ ଲାଇଟରୁ ଧୂଆଁ ବାହାରିଥିଲା । ପରେ ନିଆଁ ବ୍ୟାପକ ହୋଇ ଏଜେନ୍ସି ଭିତରେ ହୁ ହୁ ହୋଇ ଜଳିଥିଲା ।

ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ୩ଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଭିତରେ ଥିବା ସମସ୍ତ ଜରୁରୀ କାଗଜପତ୍ର, କିଛି ଗ୍ୟାସ ଟାଙ୍କି ଏବଂ ଏକ ମୋଟର ସାଇକେଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।