spot_img
Home Blog Page 3520

ଦୋଳ ବିମାନକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ୨ ମୃତ

କେନ୍ଦ୍ରାପଡ଼ା: ମେଳଣ ସାରି ବିମାନ ନେଇ ଫେରୁଥବା ବେଳେ ପଛରୁ ଧକ୍କା ଦେଲା ମାଛ ବୋଝେଇ ପିକଅପ ଭ୍ୟାନ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ କଟକ ମେଡିକାଲରେ ମୃତ୍ୟୁ ହୋଇଛି। ଆହତ ୨ ଜଣଙ୍କ ଚିକିତ୍ସା ଜାରି ରହିଛି । କେନ୍ଦ୍ରାପଡ଼ା ବାଲିଆ ମେଳଣରୁ ଫେରୁଥିବା ବେଳେ ଦୁହୁରିଆ ଛକରେ ଘଟିଛି ଦୁର୍ଘଟଣା। ମୃତକ ହେଉଛନ୍ତି ଦୁହୁରିୟା ବଡ଼ଗାଁର ସୋମନାଥ ଦାସ ଓ ଚୌଧୁରୀ ଦିବ୍ୟଜ୍ୟୋତି ଦାସ ।

ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନୀଳଗିରି: ନୀଳଗିରି ଥାନା ଅଞ୍ଚଳରେ କାମ ଦେବା ବାହାନାରେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଝାମ୍ପକୁ ଅଟକ ରଖିଛି ପୋଲିସ । ଅଭିଯୋଗ ଅନୁସାରେ ଖନ୍ତାପଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ କାମ ଦେବାକୁ କହି ଡାକିଥିଲା ଝାମ୍ପ । ସେଠାରେ ନିଶା ଦେଇ ଦୁଷ୍କର୍ମ କରିଥିଲା । ଏନେଇ ଘରେ ଜଣାଇବା ପରେ ସ୍ଥାନୀୟ ଲୋକ ଅଭିଯୁକ୍ତକୁ ମାଡ଼ ମାରିବା ସହ ପୋଲିସ ଜିମା ଦେଇଥିଲେ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ୯ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ କେ.କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତିରେ ମାମଲାରେ ଫସିଥିବା ତେଲେଙ୍ଗାନାର ବିଆରଏସ ନେତ୍ରୀ କେ.କବିତା ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପ୍ରାୟ ୯ ଘଣ୍ଟାର ଜେରା ପରେ ସେ ଇଡି ଅଫିସରୁ ବାହାରିଛନ୍ତି । ଅନେକ ଗୁଡ଼ିଏ ପ୍ରଶ୍ନର କବିତା ଉତ୍ତର ଦେଇଥିବା ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି । ଦରକାର ପଡ଼ିଲେ ପୁଣି ଥରେ ସମନ କରିପାରେ ଇଡି । କବିତାଙ୍କ ବିରୋଧରେ ଇଡି ୧୦ଟି ପ୍ରମାଣ ପାଇଥିବା ଜଣାପଡ଼ିଛି । କବିତାଙ୍କର ପାଖ ଲୋକ ଅରୁଣ ପିଲାଇ ଏହି ଦୁର୍ନୀତିରେ ସାମିଲ ଥିବା କଥା କୁହାଯାଉଛି ।

ବୁଚି ବାବୁ ନାମକ ବ୍ୟକ୍ତିଙ୍କ ସହ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆ ଏବଂ କବିତାଙ୍କ ମଧ୍ୟରେ ରାଜନୈତିକ ସହଯୋଗ ଥିଲା । କେ. କବିତାଙ୍କ ପାଇଁ ଦିଲ୍ଲୀ ଅବକାରୀ ନୀତି ତାଙ୍କୁ ସୁହାଇବା ପରି କରାଯିବ ବୋଲି ଏମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ପ୍ରମାଣ ଇଡିକୁ ମିଳିଛି । ଏଥିପାଇଁ ଆପକୁ ଫଣ୍ଡ ଦିଆଯିବ ବୋଲି ସହମତି ହୋଇଥିବା କଥା କୁହାଯାଇଛି ।

ଟାଙ୍ଗୀ ରେଞ୍ଜ ହାଟ ବରଡ଼ିରେ ମାତିଛି ପାଗଳ ମାଙ୍କଡ଼

ଟାଙ୍ଗୀ: ଟାଙ୍ଗୀ ରେଞ୍ଜ ହାଟ ବରଡ଼ିରେ ମାତିଛି ପାଗଳ ମାଙ୍କଡ଼ । ୪ ଦିନ ହେବ ମାଙ୍କଡ ଆକ୍ରମଣର ଶିକାର ହେଲେଣି ୬ରୁ ଅଧିକ ବ୍ୟକ୍ତି । ଦିନ ଦ୍ୱିପ୍ରହରେ ଘରୁ ବାହାରୁନାହାନ୍ତି ଗ୍ରାମବାସୀ । ଗତକାଲି ସଂଧ୍ୟ୍ୟାରେ ମାଙ୍କଡ଼ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଦୁଇ ଗୁରୁତର ହେଲେ ରଜନୀ ପରିଡ଼ା ଓ ଦିଗମ୍ବର ପରିଡ଼ା । ଗୁରୁତରଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଆହୁରି ବିଗିଡ଼ିବାରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପାଗଳ ମାଙ୍କଡ଼କୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ତାତି କମାଇଛି ପଶ୍ଚିମା ଝଡ଼, ରାଜ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି ତାପମାତ୍ରା

ଭୁବନେଶ୍ୱର: ତାତି କମାଇଛି ପଶ୍ଚିମା ଝଡ଼ । ରାଜ୍ୟରେ ସ୍ବାଭାବିକଠୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି ତାପମାତ୍ରା । ଆଜି ରାଜ୍ୟର ୮ ଜିଲ୍ଲାରେ ପଡ଼ିବ ପଶ୍ଚିମା ଝଡ଼ ପ୍ରଭାବ । ଏଥିପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର ଏବଂ କୋରାପୁଟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଆସନ୍ତା ୧୫ ତାରିଖରୁ ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ଉପରମୁହାଁ ହେବ ପାରଦ ।

ସମୃଦ୍ଧ ସୁନ୍ଦରଗଡ଼ ଗଠନ ପାଇଁ ଗ୍ରାଉଣ୍ଡରେ ଅନୁଧ୍ୟାନ, ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚାଲିଛି ବିକାଶର ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ସୁନ୍ଦରଗଡ଼ ଗସ୍ତର ଦ୍ଵିତୀୟ ଦିନରେ ଘୋଘରଠାରେ ଥିବା ଘୋଘରେଶ୍ଵର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପୂଜକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ଜିଲ୍ଲାର ୪ ବ୍ଲକ ସହିତ ମହାନଗର ନିଗମ କାର୍ଯ୍ୟାଳୟରେ ସମୀକ୍ଷା କରି ଲୋକଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ଲୋକଙ୍କ ସମସ୍ୟା ବୁଝିବା ସହ ଦେଉଛନ୍ତି ସମାଧାନ ପ୍ରତିଶ୍ରୁତି ।

ସେହିପରି ଗୁରୁଣ୍ଡିଆ, ବଣାଇ, କୋଇଡ଼ା, ବିରମିତ୍ରପୁର ବ୍ଲକରେ ସ୍ମାର୍ଟ ସ୍କୁଲକୁ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ । ସୁବିଧା, ଅସୁବିଧା ସମ୍ପର୍କରେ ପଚାରି ଆବଶ୍ୟକତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଜୀବନର ଲକ୍ଷ୍ୟକୁ ଆପଣାଇ ଭବିଷ୍ୟତ ଗଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ 5T ସଚିବ । ପରେ ମିଶନ ଶକ୍ତି କାଫେରେ ଜଳଖିଆ କରି ମା’ଙ୍କ ମନୋବଳକୁ ବୃଦ୍ଧି କରିଥିଲେ । ଆହର କେନ୍ଦ୍ର, ବିଜୁ ସେତୁ, ଡାକ୍ତରଖାନା, ବସଷ୍ଟାଣ୍ଡ, ଇନଡୋର ଷ୍ଟାଡିୟମ ଆଦି ବିଭିନ୍ନ ସ୍ଥାନକୁ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ 5T ସଚିବ । ଆଜି ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଉନ୍ନୟନ କାର୍ଯ୍ୟର ତଦାରଖ କରିବେ।

ହାଇୱା ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ପୁରୀ: ସରପଞ୍ଚଙ୍କ ମୁଣ୍ଡ ଉପରେ ଚଢ଼ିଗଲା ହାଇଓ୍ବା । ଘଟଣାସ୍ଥଳରେ ମହିଳା ସରପଞ୍ଚଙ୍କ ମୃତ୍ୟୁ । ଆଜି ଅପରାହ୍ନରେ ନିମାପଡା ବଳଙ୍ଗା ରାସ୍ତା ଡେଲ୍‌ଟା ଛକ ନିକଟରେ ଘଟିଛି ଦୁର୍ଘଟଣା । ଏକ ହାଇଓ୍ବା ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟଛି । ମୃତକ ହେଲେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଦୀପା ବେହେରା । ଭାଇ ଓ ଅନ୍ୟଜଣେ ସମ୍ପର୍କୀୟ ନିମାପଡାକୁ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଆସି ବୁଲେଟରେ ଘରକୁ ଫେରୁଥିବା ବେଳେ ଡେଲଟା ଛକ ନିକଟରେ ହାଇଓ୍ବାଟି ପଛରୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାଇଓ୍ବାର ଚକ ଚଢିଯାଇଥିଲା । ତେବେ ତାଙ୍କ ଭାଇ ଓ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣାସ୍ଥଳରୁ ହାଇଓ୍ବା ଡ୍ରାଇଭର ଫେରାର ଥିବାବେଳେ ନିମାପଡ଼ା ପୋଲିସ ହାଇଓ୍ବାକୁ ଜବତ କରି ତଦନ୍ତ ଚଳାଇଛି ।

ଚାକିରି ଲାଗି ଜମି ମାମଲା; ଇଡି ରେଡରେ ୧ କୋଟି ନଗଦ, ୨କେଜିର ସୁନା ଜବତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କହିଛି ଯେ, ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ସ୍ଥାନରୁ ରେଡ୍ ସମୟରେ ଏକ କୋଟି ଟଙ୍କାର ବେନାମୀ ନଗଦ ଜବତ କରାଯାଇଛି । ଇଡି ଏହା ମଧ୍ୟ କହିଛି ଯେ ରେଡ୍ ସମୟରେ ୬୦୦ କୋଟି ଟଙ୍କାର ଅପରାଧରୁ ଅର୍ଜିତ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ସୂଚାନା ମିଳିଛି । ତଦନ୍ତରେ ଜଣାଯାଇଛି ଯେ, ୩୫୦ କୋଟି ଟଙ୍କାର ଫ୍ଲାଟ ଏବଂ ୨୫୦ କୋଟି ଟଙ୍କାର ଲେଣଦେଣ ହୋଇଛି ।  ପ୍ରକାଶଥାଉକି, ଇଡି ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦଙ୍କ ପରିବାର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଚାକିରି ବଦଳରେ ଜମି ମାମଲାରେ ସମ୍ବନ୍ଧିତ ମନି ଲଣ୍ଡରିଂ ଅଭିଯୋଗର ଯାଞ୍ଚ କରୁଛି ।

ଇଡି ଶୁକ୍ରବାର ଦିଲ୍ଲୀରେ ଲାଲୁ ପ୍ରସାଦଙ୍କ ପୁଅ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ସମ୍ବନ୍ଧିତ ଅନେକ ସ୍ଥାନରେ ରେଡ୍ କରିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂର ଯାଞ୍ଚ ପାଇଁ ଲାଲୁ ପ୍ରସାଦଙ୍କ ତିନି ଝିଅ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତାମାନଙ୍କ ଠିକଣା ସମେତ ୨୪ ଟି ସ୍ଥାନରେ ରେଡ୍ ମାରିଛି । ଇଡି ଅନୁସାରେ ରେଡରେ ଏକ କୋଟିର ବେନାମି ଟଙ୍କା, ୧୯୦୦ ଆମେରିକୀୟ ଡଲାର, ୫୪୦ ଗ୍ରାମ ସୁନା ଏବଂ ୧.୫ କେଜି ସୁନାଗହଣା ଜବତ କରିଛି ।

ଅନ୍ୟପକ୍ଷରେ ସିବିଆଇ ମଧ୍ୟ ଏହି ମାମଲାରେ ସକ୍ରିୟ ହୋଇଯାଇଛି । ଆଜି ସିବିଆଇର ସମନ ସତ୍ତ୍ବେ ହାଜର ହୋଇନଥିଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଗର୍ଭବତୀ ପତ୍ନୀ ହସ୍ପିଟାଲରେ ଥିବାରୁ ସେ ହାଜର ହୋଇପାରିନାହାନ୍ତି ବୋଲି ଦର୍ଶାଇଛନ୍ତି । ଚାକିରି ଲାଗି ଜମି ମାମଲାରେ ତେଜସ୍ବୀ ଯାଦବଙ୍କୁ ଜେରା ଲାଗି ସିବିଆଇ ଦେଇଥିଲା ସମନ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ସିବିଆଇ କରିଥିଲା ପଚରାଉଚରା ।

୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗ କ୍ରମେ ଏହି ନୋଟିସ ହୋଇଛି । ବହୁଚର୍ଚ୍ଚିତ ଏହି ମାମଲାରେ ଲାଲୁ ପ୍ରସାଦ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ହେମା ଯାଦବ ଓ ଅନ୍ୟମାନଙ୍କ ନାମ ରହିଛି । ସିବିଆଇର ଅଭିଯୋଗ କ୍ରମେ ଏହି ମାମଲାରେ ଚାକିରି ଲାଗି ଜମି ଦୁର୍ନୀତି ହୋଇଥିଲା । ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଘଟଣା ଘଟିଥିଲା । ଗତ ମେ ୨୦୨୨ରେ ମାମଲା ରୁଜୁ ହୋଇଥିଲା । ଜମି ବଦଳରେ ୧୨ ଜଣଙ୍କୁ ରେଳବାଇରେ ଚାକିରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଗଭୀର ସମୁଦ୍ରରେ ଫସିଛି ହଜାରେ ଜୀବନ

ନନ୍ଦିଘୋଷ:  ମଝି ସମୁଦ୍ରରେ ଫସିଗଲା ହଜାରେ ଜୀବନ  । ଗଭୀର ସମୁଦ୍ର ଭିତରେ ଫସି ରହିଛନ୍ତି ଶହ ଶହ ପ୍ରବାସୀ  । ମିଳିଥିବା ସୂଚନା ମୁତାବକ ଇଟାଲୀ କ୍ରେଲୋବ୍ରିଏ ପ୍ରାନ୍ତରେ ଥିବା ସମୁଦ୍ର ଭିତରେ ପ୍ରବାସୀ ଫଶି ରହିଛନ୍ତି । ଇଟାଲୀ କୋଷ୍ଟଗାର୍ଡ ସେନା ଖବର ପାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ  । ସମୁଦ୍ରରେ ବିଶ୍ୱର ବିଭିନ୍ନ ପ୍ରାନ୍ତ ପରିଭ୍ରମଣ କରୁଥିଲେ ପ୍ରବାସୀ  । ସେମାନେ ୟୁରୋପକୁ ଫେରୁଥିଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଜାହାଜ  ।

ମିଳିଥିବା ଖବର ମୁତାବକ  ଖରାପ ପାଣିପାଗ ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।  ଇଟାଲୀ କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରିଛନ୍ତି । ଜାହଜରେ ଏକ ହଜାରରୁ ଅଧିକ ପ୍ରବାସୀ ଯାତ୍ରା କରୁଥିଲେ । ବର୍ତ୍ତମାନ ଇଟାଲୀ କୋଷ୍ଟଗାର୍ଡ ପାଖରେ କେବଳ ୫ଶହ ଲୋକଙ୍କୁ ବଂଚାଇବା ପାଇଁ ସାଧନ ରହିଥିବାବେଳେ ଜାହାଜରେ ଫସିଛନ୍ତି ଏକ ହଜାରରୁ ଅଧିକ ଲୋକ ।

ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଜବାବ ଦେଲେ ଇପସିତା

ଭୁବନେଶ୍ୱର: ବିଜେପିକୁ ଶତକଡ଼ା ପାଠ ପଢାଇଲା ବିଜେଡି । ପ୍ରେସମିଟରେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଜବାବ ଦେଲେ ବିଜେଡି ମୁଖପାତ୍ର ଇପସିତା ସାହୁ । ଜଣେ ଶିକ୍ଷିତ ମହିଳା ହୋଇ ବି ସାଧାରଣ ଜ୍ଞାନ ରଖିନାହାନ୍ତି ଲେଖାଶ୍ରୀ । ରାଜ୍ୟରେ ବିଜେପି ଓ ବିଜେଡିର ଭୋଟକୁ ତୁଳନା କରି ଲେଖାଶ୍ରୀ ନିଜ ଅଜ୍ଞାନତାର ପରିଚୟ ଦେଇଛନ୍ତି । ଗତ ସାଧାରଣ ନିର୍ବାଚନରେ ରାଜ୍ୟର ୭୫ପ୍ରତିଶତ ବିଧାନସଭା ଆସନରେ ବିଜୟ ଲାଭ କରିଥିଲା ବିଜେଡି । ଗତ ପଞ୍ଚାୟତ ନିର୍ବାଚନରେ ବି ୯୦ପ୍ରତିଶତ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଥିଲେ ।

୩୦ରୁ ୩୦ ଅର୍ଥାତ ୧୦୦ ପ୍ରତିଶତ ଜିଲ୍ଲାପରିଷଦ ଗଠନ କରିଛି ବିଜୁ ଜନତା ଦଳ । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ ଲୋକ ଗ୍ରହଣ କରୁନାହାନ୍ତି । ବିଜେପିରୁ ଜିତି ନହେବା ଜାଣି ୨୦୧୪ ଓ ୨୦୧୯ରେ ବିଜେଡିରୁ ଟିକେଟ ନେବାକୁ ଲେଖାଶ୍ରୀ ଉଦ୍ୟମ କରୁଥିଲେ । ଏଭଳି ଲୋକ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ପୂର୍ବରୁ ଶତକଡ଼ା ପାଠ ପଢି ଆସିବାକୁ ଇପସିତା ପରାମର୍ଶ ଦେଇଛନ୍ତି ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁଭଳି ମହିଳାଙ୍କୁ ଆକ୍ରମଣ କରୁଛନ୍ତି ସେ ସମ୍ପର୍କରେ ଲେଖାଶ୍ରୀ କାହିଁକି ପ୍ରତିକ୍ରିୟା ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହିତ ଲେଖାଶ୍ରୀ ମଧ୍ୟ ଜୟନାରାୟଣଙ୍କଠାରୁ ଦୂରରେ ରୁହନ୍ତୁ ବୋଲି ଇପସିତା ପରାମର୍ଶ ଦେଇଛନ୍ତି ।