spot_img
Home Blog Page 3584

ବାହା ହେବାକୁ ମନା କରିବାରୁ ନାବାଳିକାଙ୍କୁ ନିର୍ଦ୍ଦୟୀ ଭାବେ ମାଡ଼ ମାରିଲେ ୪୭ ବର୍ଷୀୟ ବ୍ୟକ୍ତି

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରୁ ଏକ ଆଶ୍ଚମ୍ବିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ୪୭ ବର୍ଷୀୟ ବ୍ୟକ୍ତି ନାବାଳିକାଙ୍କୁ ନିର୍ଦ୍ଦୟୀ ଭାବେ ପିଟିଛନ୍ତି । ତାକୁ ବାହା ହେବାକୁ ମନା କରିଦେବାରୁ ଉତ୍ୟକ୍ତ ହୋଇ ବ୍ୟକ୍ତିଜଣଙ୍କ ମାଡ଼ ମାରିଥିବାର ସୂଚନା । ଏହି ଘଟଣା ସହ ସମ୍ବନ୍ଧିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଅଭିଯୁକ୍ତ ପୀଡିତାଙ୍କ ଚୁଟି ଧରି ନେଇଯାଉଥିବାର ଦେଖାଯାଇଛି । ଏଥିସହିତ ପୀଡିତାଙ୍କ ପିଠିରେ ଖଣ୍ଡିଆ ଏବଂ ରକ୍ତର ଅନେକ ଚିହ୍ନ ଦେଖାଯାଇଛି । ପୋଲିସ କହିବା ଅନୁସାରେ ସମ୍ପୂର୍ଣ୍ଣ ଘଟଣା ରାୟପୁରର ଗୁଢ଼ିୟାରୀ ଅଞ୍ଚଳର ଅଟେ ।

ଶନିବାର ରାତିରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପୀଡିତାଙ୍କ ଚୁଟି ଧରି ନିଆଯାଉଥିବାର ଦେଖାଯାଇଛି । ଏହି ଘଟଣାରେ ପୀଡିତାଙ୍କ ଶରୀରରେ ଖଣ୍ଡିଆର ଅନେକ ଚିହ୍ନ ମଧ୍ୟ ଦେଖାଯାଇଛି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି । ଏଥିସହିତ ଅଭିଯୁକ୍ତକୁ ଗିରଫ କରିନେଇଛି । ପୋଲିସର ପ୍ରାରମ୍ଭିକ ତଦନ୍ତରେ ଅଭିୁକ୍ତ ଏବଂ ପୀଡିତାଙ୍କ ଚିହ୍ନଟ ମଧ୍ୟ କରାଯାଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।

ଅଭିଯୁକ୍ତ ଓମକାର ତିୱାରୀ ଓରଫ ମନୋଜଙ୍କ ଦୋକାନରେ କାମ କରୁଥିଲେ ପୀଡିତା । ପୀଡିତା ଜଣଙ୍କ ଚାକିରି ଛାଡ଼ିବା ଏବଂ ଅନ୍ୟ କାରଣକୁ ନେଇ ଅଭିଯୁକ୍ତ ଓମକାର ଉତ୍ୟକ୍ତ ଥିଲା । ଏହି ରାଗ କାରଣରୁ ସେ ପୀଡିତାଙ୍କ ଉପରେ ଆକ୍ରମଣ କରିଛି । ପୋଲିସ କହିବା ଅନୁସାରେ, ଅଭିଯୁକ୍ତ ମନୋଜ ପୀଡିତାଙ୍କୁ ବିବାହ ନେଇ ପ୍ରସ୍ତାବ ଦେଇଥିଲା । ତାଙ୍କର ଏହି ପ୍ରସ୍ତାବକୁ ପୀଡିତାଙ୍କ ମାଆ ମାନିବାକୁ ମନା କରିଦେଇଥିଲେ । ବିବାହ କରିବାକୁ ମନା କରିଦେବାରୁ ଅଭିଯୁକ୍ତ ନାବାଳିକାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥଇଲା ଏବଂ ମଝି ରାସ୍ତାରେ ପୀଡିତାଙ୍କ ଚୁଟି ଟାଣି ଟାଣି ନେଇଥିଲା ।

ବନ୍ୟା ସମୟରେ ତୁର୍କୀ ପଠାଇଥିବା ରିଲିଫକୁ ନୂଆ ପ୍ୟାକିଂ କରି ପଠାଇ ଲୋକହସା ହେଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ବିଶ୍ବ ଆଗରେ ଲୋକହସା ହୋଇଛି ପାକିସ୍ତାନ । ରିଲିଫ ସାମଗ୍ରୀ ଫେରାଇବା ସହ ଶରିଫ ସରକାରଙ୍କୁ ସମାଲୋଚନା କରିଛି ତୁର୍କୀ । ପାକିସ୍ତାନରେ ଗତବର୍ଷ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ ତୁର୍କୀ ପଠାଇଥିବା ରିଲିଫକୁ ନୂଆ ପ୍ୟାକିଂ କରି ପାକିସ୍ତାନ ପଠାଇଥିଲା । ଯାହାକୁ ତୁର୍କୀ ସରକାର ଫେରାଇ ଦେଇଥିବା ଜଣାପଡ଼ିଛି । ତୁର୍କୀରୁ ବନ୍ୟା ପୀଡ଼ିତଙ୍କ ପାଇଁ ଆସିଥିବା ରିଲିଫ ସାମଗ୍ରୀକୁ ପାକିସ୍ତାନ ପୁଣି ତୁର୍କୀକୁ ପଠାଇଥିଲା । ରିଲିଫ ସାମଗ୍ରୀ ଉପରେ ନୂଆ କଭର ପକାଯାଇଥିଲେ ବି ଭିତରେ କଭର ବଦଳାଇ ନଥିଲେ । ତୁର୍କୀକୁ ରିଲିଫ ଓ ରେସ୍କ୍ୟୁ ସାମଗ୍ରୀ ପଠାଇବା ନେଇ ପାକ୍ ପ୍ରଧାନମନ୍ତ୍ରୀ ନିଜେ ମନିଟରିଂ କରୁଥିବା ବେଳେ ଏଭଳି ସ୍ଥିତି ଶେହବାଜଙ୍କ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ଏ ନେଇ ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ସାହିଦ ମାସୁଦ ସୂଚନା ଦେଇଛନ୍ତି ।.

ପ୍ରଳୟଙ୍କାରୀ ବନ୍ୟାରେ ଉବୁଟୁବୁ ନ୍ୟୁଜିଲାଣ୍ଡ

ବାତ୍ୟା ପରେ ବନ୍ୟାର ତାଣ୍ଡବ । ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ନ୍ୟୁଜିଲାଣ୍ଡ । ବାତ୍ୟାରେ ନ୍ୟୁଜିଲାଣ୍ଡର ନର୍ଦନ ଆଇଲାଣ୍ଡ ସାଂଘାତିକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ସ୍ଥତିକୁ ଆହୁରି ସଙ୍ଗୀନ କରିଦେଇଛି । ପ୍ରକୃତିକ ବିପର୍ଯ୍ୟୟ ଯୋଗୁ ନ୍ୟୁଜିଲାଣ୍ଡର ଅଧିକାଂଶ ପ୍ରାନ୍ତ ଛାରଖାର ହୋଇଯାଇଥିବା ବେଳେ ସରକାର ଦେଶସାରା ଏମର୍ଜେନ୍ସି ଘୋଷଣା କରିଛନ୍ତି । ବନ୍ୟା ଯୋଗୁ ପ୍ରାୟ ୧୬ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲକ୍ଷାଧିକ ଲୋକ ତିନି ଦିନ ଧରି ବନ୍ୟାପାଣି ଘେରରେ ରହିଛନ୍ତି ।

ପାଖାପାଖି ଏକ ଲକ୍ଷ ଲୋକ ବେଘର ହୋଇ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟାପାଣିରେ ଲୋକଙ୍କ ଘର ଧୋଇ ଯାଇଥିବା ବଳେ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ଭିତରେ ଅଣ୍ଟା ପର୍ଯ୍ୟନ୍ତ ପଶିଥିବାରୁ ଲୋକମାନେ ଫ୍ରିଜ ଓ ମ୍ୟାଟ୍ରେସ ଉପରେ ବସି ବାହାରକୁ ବାହାରୁଥିବା ସମୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉପକୂଅ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସ୍ଥତି ସାମାନ୍ୟ ହୋଇପାରୁ ନଥିବା ବେଳେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି ।

ତେଲେଙ୍ଗାନା ଭାରତର ଆଫଗାନିସ୍ତାନ ଏବଂ କେସିଆର୍ ଏହାର ତାଲିବାନ: ୱାଇଏସ୍ ଶର୍ମିଳା

ମେହବୁବାବାଦ: ତେଲେଙ୍ଗାନା ହେଉଛି ଭାରତର ଆଫଗାନିସ୍ତାନ ଏବଂ ମୁଖ୍ୟମନ୍ତ୍ରୀ କେସିଆର୍ ଏହାର ତାଲିବାନ ଅଟନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟର ବିରୋଧୀ ୱାଇଏସଆର୍ ତେଲେଙ୍ଗାନା ପାର୍ଟି (ୱାଇଏସଆରଟିପି)ର ମୁଖିଆ ୱାଇଏସ୍ ଶର୍ମିଳା । ଶର୍ମିଳା ମେହବୁବାବାଦରେ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, ତେଲେଙ୍ଗାନା ସିଏମ୍ କେସିଆର୍ ଜଣେ ଏକଛତ୍ରବାଦୀ ଶାସକ, ସେ ଅତ୍ୟାଚାରୀ ଅଟନ୍ତି, ତେଲେଙ୍ଗାନାରେ କୌଣସି ଭାରତୀୟ ସମ୍ବିଧାନ ନାହିଁ, କେବଳ କେସିଆରଙ୍କ ସମ୍ବିଧାନ ରହିଛି । ତେଲେଙ୍ଗାନା ଭାରତର ଆଫଗାନିସ୍ତାନ ଅଟେ ଏବଂ କେସିଆର୍ ଏହାର ତାଲିବାନ ।

ପ୍ରକାଶଥାଉକି, ତେଲେଙ୍ଗାନା ପୋଲିସ ୱାଇଏସ୍ ଶର୍ମିଳାଙ୍କୁ ମେହବୁବାବାଦର ବିଧାୟକ ଏବଂ ବିଆରଏସ୍ ନେତା ଶଙ୍କର ନାଇକଙ୍କ ବିରୋଧରେ ଅନୁଚିତ ଟିପ୍ପଣୀ କରିବା ଅଭିଯୋଗରେ ରବିବାର ହେପାଜତକୁ ନେଇଛି । ଏହି ଅବସରରେ ମେହବୁବାବାଦ ସହରରେ ଆଇନ ବ୍ୟବସ୍ଥାର କୌଣସି ବି ସମସ୍ୟାରୁ ରକ୍ଷା ପାଇବା ପାଇଁ ପୋଲିସ ତାଙ୍କୁ ହାଇଦ୍ରାବାଦ ନେଇଯାଇଥିଲା । ପୋଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୫୦୪ ଏବଂ ଏସସି/ଏସଟି ପିଓଏ ଅଧିନିୟମର ଧାରା ୩(କ) ଆର୍ ଆଧାରରେ ମାମଲା ରୁଜୁ କରାଯାଇଛି ।

ପ୍ରକାଶଯୋଗ୍ୟ, ୱାଇଏସ୍ ଶର୍ମିଳା ଶନିବାର ଏକ ଜନସଭାକୁ ସମ୍ବୋଧିତ କରି ମେହବୁବାବାଦର ବିଧାୟକଙ୍କ ଉପରେ କଥିତ ଭାବେ ନିଜର ପ୍ରତିଶ୍ରୁତି ପୂରଣ ନକରିବାକୁ ନେଇ ଶାଣିତ ଆକ୍ରମଣ କରିଥିଲେ । ସେ କହିଥିଲେ, ନିଜ ଲୋକଙ୍କୁ ସେ ଅନେକ ପ୍ରତିଶ୍ରୁତି ଦେଇଥିଲେ, ଯାହାକୁ ସେ ପୂରଣ କରିପାରିନାହାନ୍ତି । ଯଦି ଆପଣ ନିଜର ପ୍ରତିଶ୍ରୁତି ପୂରଣ କରୁନାହାନ୍ତି ତେବେ ଏହାର ଅର୍ଥ ଯେ ଆପଣ ନମ୍ପୁସକ ଅଟନ୍ତି । ତାଙ୍କର ଏହି ବୟାନ ପରେ ବିଆରଏସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା ।

ଧର୍ମେନ୍ଦ୍ରଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇଲେ ବିଜେଡି ସାଂସଦ ସସ୍ମିତ

ଭୁବନେଶ୍ୱର: ରାଜ୍ୟ ବିଜେପି ଯାହା କୁହେ, ତାହା କରେନି । ନିର୍ବାଚନ ବେଳେ ରାଜ୍ୟ ବିଜେପି ମାଳମାଳ ପ୍ରତିଶ୍ରୁତି ଦିଏ, ଫଳାଫଳ ଘୋଷଣା ପରେ ସବୁ ଭୁଲି ଯାଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି କିଛି ପ୍ରତିଶ୍ରୁତି ମନେ ପକାଇଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ୨୦୧୪ ନିର୍ବାଚନ ପୂର୍ବରୁ ଦଳୀୟ ଇସ୍ତାହାରରେ ରାଜ୍ୟ ବିଜେପି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ହେଲେ ନିର୍ବାଚନ ପରେ ଭୁଲିଗଲେ । ୨୦୧୪ ଓ ୨୦୧୯ରେ ଧାନ ସଂଗ୍ରହ ମୂଲ୍ୟକୁ ଦୁଇଗୁଣ କରିବା ପାଇଁ ବିଜେପି ନେତା ପ୍ରତିଶ୍ରୁତି ଦେଇଥିଲେ, ହେଲେ ସେ ପ୍ରତିଶ୍ରୁତି ବି ଭୁଲିଗଲେ ।

ହରିଦାସପୁରରୁ କେନ୍ଦ୍ରାପଡ଼ା ଦେଇ ପାରାଦୀପକୁ ପାସେଞ୍ଜର ଟ୍ରେନ ଚଳାଚଳ ଓ କୋଷ୍ଟାଲ ହାଇୱେ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛି ବିଜେପି । କେନ୍ଦୁପତ୍ରରୁ ଜିଏସଟି ହଟାଇବା ପାଇଁ ପ୍ରତିଶ୍ରୁତି ଦେଇ ଭୁଲିଗଲେ । ପଦମପୁରକୁ ଟ୍ରେନ ଚଳାଚଳ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ମଧ୍ୟ ଭୁଲିଗଲେ । ଏଭଳି ଅନେକ ପ୍ରସଙ୍ଗରେ ବିଜେପି କେବଳ ପ୍ରତିଶ୍ରୁତି ଦେଇଛି, କିନ୍ତୁ କିଛି ପୂରଣ କରିନାହିଁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ଅସ୍ତ୍ରଶସ୍ତ୍ର ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବନି ଭାରତ; ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହେଉଛି ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ଯୁଦ୍ଧରେ ବ୍ୟବହାର ହେଉଥିବା ଅସ୍ତ୍ରଶସ୍ତ୍ରରେ ଭାରତ ସବୁବେଳେ ଆମେରିକା ଏବଂ ଋଷିଆ ଉପରେ ନିର୍ଭର କରିଆସୁଥିଲା । ଏହି ମାମଲାରେ ବର୍ତ୍ତମାନ ଭାରତ ଆଗକୁ ବଢିଛି । ଅନ୍ୟ ଦେଶ ଉପରେ ଅସ୍ତ୍ରଶସ୍ତ୍ର ପାଇଁ ଆଉ ନିର୍ଭର ହେବ ନାହିଁ ଭାରତ । ଏବେ ନିଜର ସ୍ବଦେଶୀ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି କରୁଛି ଦେଶ । ଆଗାମୀ ଦିନରେ କିଭଳି ଶତ୍ରୁ ସହ କଡା ଟକ୍କର ଦେଇ ପରାସ୍ତ କରିପାରିବ ସେ ଦିଗରେ କାମ କରୁଛି । ଏହି ଐତିହାସିକ କାମ ପଛରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ଏବଂ DRDO ସାମିଲ ରହିଛି । ନିକଟରେ ଆୟୋଜିତ ଏରୋ ଇଣ୍ଡିଆ ୨୦୨୩ ରେ, ଅନେକ ଦେଶର ଯୁଦ୍ଧ ବିମାନର ଶକ୍ତି ପ୍ରଦର୍ଶନ କରାଯାଇଥିଲା ।

ଏହି ସମୟରେ HALର ଏକ ଅଧିକାରୀ ସୂଚନା ଦେଇଥିଲେ ଯେ, ଆଗାମୀ ୮ ରୁ ୧୦ ବର୍ଷ ମଧ୍ୟରେ ଋଷିଆ Mi-17 ବଦଳରେ ଭାରତରେ ଏକ ସ୍ୱଦେଶୀ ମଧ୍ୟମ-ଲିଫ୍ଟ ହେଲିକପ୍ଟର ହେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, HALର ମୁଖ୍ୟ ଏରୋଡାଇନାମିକ୍ସ ଅବଦୁଲ ରସିଦ ତାଜର କହିଛନ୍ତି ଯେ, ଭବିଷ୍ଯତ ପାଇଁ ୧୩-ଟନର ଭାରତୀୟ ମଲ୍ଟି-ରୋଲ ବିଶିଷ୍ଟ ହେଲିକପ୍ଟରର ପ୍ରାଥମିକ ଡିଜାଇନ୍ ଆରମ୍ଭ ହୋଇଯାଇଛି। କେବଳ ପାଣ୍ଠି ପାଇଁ ଅପେକ୍ଷା ରହିଛି। ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍) ର ଅନୁମୋଦନ ହେବାର ଚାରି ବର୍ଷ ମଧ୍ୟରେ, ପ୍ରୋଟୋଟାଇପର ପ୍ରଥମ ଉଡ଼ାଣ ପାଇଁ ପ୍ରସ୍ତୁତ ହେବେ । ଏହାପରେ ଆସନ୍ତା ଚାରି ବର୍ଷ ମଧ୍ୟରେ ପରୀକ୍ଷାର ପ୍ରମାଣପତ୍ର ହାସଲ କରିବେ । ଏହି ହେଲିକପ୍ଟଟି ଆଠ ବର୍ଷ ପରେ ଭାରତୀୟ ବାୟୁସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତି କରିବ । ଏହା ଋଷିଆ ଏମଆଇ-୧୭ ଉପରେ ଭାରି ପଡିବ ବୋଲି HALର ମୁଖ୍ୟ କହିଛନ୍ତି ।

ଜୟନାରାୟଣଙ୍କ ବିରୋଧରେ ସବୁଠି ତୀବ୍ର ପ୍ରତିବାଦ

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ବଢୁଛି ଅଡୁଆ । ଖାଲି ମହିଳା ନୁହଁନ୍ତି, ଜୟନାରାୟଣଙ୍କ ବିରୋଧରେ ଚାରିଆଡେ ହୋଇଛି ତୀବ୍ର ପ୍ରତିବାଦ । ମହିଳାଙ୍କ ଆକ୍ରମଣ କରିବା ଘଟଣାରେ ଏବେ ରାସ୍ତାକୁ ଓହ୍ଲାଇଛି ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ ଭଏସ । ଜୟନାରାୟଣ କ୍ଷମା ନମାଗିଲେ ଅଣ୍ଡାମାଡ କରାଯିବ ବୋଲି କହିଛି ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ ଭଏସ । ନିଜ ଦଳର ବିଧାୟକଙ୍କ ଏଭଳି ଅଶୋଭନୀୟ ଆଚରଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର ସଙ୍ଗଠନ ।

ଜୟନାରାୟଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି କହିଛି ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ ଭଏସ । ଅନ୍ୟପକ୍ଷରେ ସମ୍ବଲପୁର ଧନୁପାଲି ଆଇଆଇସିଙ୍କୁ ଆକ୍ରମଣ ପ୍ରତିବାଦରେ ଜୟନାରାୟଣଙ୍କ ବାସଭବନ ଘେରାଉ କରିଛନ୍ତି ମହିଳା । ଜୟ ନାରାୟଣ ମିଶ୍ରଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନ ଘେରାଉ କରିଛନ୍ତି ମହିଳା ସଙ୍ଗଠନ । ବିରୋଧୀ ଦଳ ନେତା ପଦରୁ ବହିଷ୍କାର ଦାବି କରିଛନ୍ତି ମହିଳା । ଏଥିସହ ମହିଳାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ମହିଳା । ଗତକାଲି ପ୍ରଗତି ଫାଉଣ୍ଡେସନ ପକ୍ଷରୁ ଜୟନାରାୟଣଙ୍କ ବାସଭବନ ଘେରାଉ କରାଯାଇଥିଲା । ଏହା ପୂର୍ବରୁ କିନ୍ନର ସଂଘ ପକ୍ଷରୁ ମଧ୍ୟ ଜୟନାରାୟଣଙ୍କ ବାସଭବନ ଘେରାଉ କରାଯାଇଥିଲା । ଜୟନାରାୟଣଙ୍କ ଏପରି କାର୍ଯ୍ୟକଳାପକୁ ତାଙ୍କ ଦଳର ନେତା ମଧ୍ୟ ଏବେ ବିରୋଧ କରିଛନ୍ତି ।

ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ବିରୋଧୀ ଦଳ ନେତା ପଦ ଏକ ମର୍ଯ୍ୟାଦାଜନକ ଓ ସାମ୍ବିଧାନିକ ପଦବୀ । ଏହାର ମର୍ଯ୍ୟାଦା ରକ୍ଷା କରିବା ବିରୋଧୀ ଦଳ ନେତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ଜୟନାରାୟଣ ମିଶ୍ରଙ୍କ ଅହଙ୍କାର ଗ୍ରହଣୀୟ ନୁହେଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି । ବିରୋଧୀ ଦଳ ନେତା ନିଜ ସୀମା ଭିତରେ ରହି କାମ କରିବା ଦରକାର । ଅତୀତରେ ବିରୋଧୀ ଦଳ ନେତାମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ବିଶ୍ୱାସ ଭାଜନ ହୋଇଛନ୍ତି। ସେମାନଙ୍କ ସମ୍ପର୍କରେ ଏଭଳି ଟିପ୍ପଣୀ ଦେବା ଆଦୌ ଉଚିତ ନୁହେଁ ବୋଲି ବିଜୟ ମହାପାତ୍ର କହିଛନ୍ତି। ପୂର୍ବତନ ବିରୋଧୀ ଦଳ ନେତା ମ୍ୟାନେଜ୍‌ ହେଉଥିବା ନେଇ କହିଥିଲେ ଜୟନାରାୟଣ ମିଶ୍ର । ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ।

ଘରୋଇ ସହାୟିକାଙ୍କୁ ଦରମା ଦେଉ ନାହାନ୍ତି ନୱାଜଉଦ୍ଦୀନ, ଦୁବାଇରୁ ଆସିଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ତାରକା ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ସମସ୍ୟା କମ୍ ହେବାର ନାଁ ନେଉ ନାହିଁ । ପତ୍ନୀ ଆଲିୟା ସିଦ୍ଦିକୀଙ୍କ ସହ ତାଙ୍କର ବିବାଦ ଏବେ ତାଜା ରହିଛି । ନ୍ୟାୟିକ ଲଢେଇ ଜାରି ରହିଛି । ଏହାରି ମଧ୍ୟରେ ତାଙ୍କ ଉପରେ ଆଉ ଏକ ସଙ୍ଗୀନ ଅଭିଯୋଗ ଲାଗିଛି । ସପନା ରବିନ ମସିହ ନାମକ ଜଣେ ଯୁବତୀ କାନ୍ଦି କାନ୍ଦି ଭିଡିଓ ସେୟାର କରିଛନ୍ତି । ସପନା କହିଛନ୍ତି ଯେ ସେ ନୱାଜଙ୍କ ଦୁବାଇ ସ୍ଥିତ ଘରେ ଏକାକୀ ବିନା ଖାଇ ପିଇ ରହୁଛନ୍ତି । ନୱାଜ ତାଙ୍କୁ ଏକାକୀ ଛାଡ଼ି ଦେଇଛନ୍ତି । ସପନା ନୱାଜଙ୍କ ଉପରେ ଦରମା ଦେଇନଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ସୂଚନାଥାଉକି, ସପନା ନୱାଜଙ୍କ ପିଲାଙ୍କ ଦେଖାଶୁଣା କରିବା ପାଇଁ ଦୁବାଇ ଯାଇଥିଲେ ଏବଂ ସେଠାରେ ହାଉସ୍ ହେଲ୍ପ ଭାବରେ କାମ କରୁଥିଲେ ।

ଆଲିୟାଙ୍କ ଓକିଲ ରିଜୱାନ ସିଦ୍ଦିକୀ ସାମାଜିକ ଗଣମାଧ୍ୟମରେ ସପନାଙ୍କ ଭିଡିଓ ସେୟାର କରିଛନ୍ତି । ଭିଡିଓ ସହ ଏକ ନୋଟ୍ ମଧ୍ୟ ରହିଛି ଯେଉଁଥିରେ ଲେଖାଅଛି ଯେ ସପନାଙ୍କୁ ଭୁଲ ହାୟରିଙ୍ଗ କରି ଦୁବାଇ ପଠାଯାଇଥିଲା । ସରକାରୀ ରେକର୍ଡରେ ଲେଖାଯାଇଛି ଯେ, ସପନା ଏକ ସେଲ୍ସ ମ୍ୟାନେଜର ଭାବରେ ଦୁବାଇ ଯାଇଥିଲେ । କିନ୍ତୁ ଦୁବାଇରେ ସେ ନୱାଜଙ୍କ ଘରେ ହାଉସହେଲ୍ପର କାମ କରୁଛନ୍ତି । ନୱାଜଉଦ୍ଦୀନ ନିଜ ପିଲାଙ୍କ ଦେଖାଶୁଣା ପାଇଁ ଏକ କମ୍ପାନୀ ଜରିଆରେ ସପନାଙ୍କୁ ହାୟରିଙ୍ଗ କରିଥିଲେ, କିନ୍ତୁ ହାୟରିଙ୍ଗ ପରଠୁ ତାଙ୍କୁ ଦରମା ମିଳିନାହିଁ । ଆଲିୟା ପିଲାଙ୍କ ସହ ଭାରତ ଆସିବା ପରେ ସପନା ଦୁବାଇ ସ୍ଥିତ ଘରେ ଏକାକୀ ରହିଯାଇଥିଲେ ।

ସପନାଙ୍କ କହିବା ଅନୁସାରେ, ଘରେ ଖାଇବା ପିଇବା ପାଇଁ କିଛି ବି ସାମଗ୍ରୀ ନାହିଁ ଏବଂ ନୱାଜ ଘରର ବିଦ୍ୟୁତ ବିଲ୍ ମଧ୍ୟ ଦେଇନାହାନ୍ତି । ଏପରି ହେଲେ ଦୁଇ ତିନି ଦିନରେ ତାଙ୍କୁ ଏହି ଘର ଖାଲି କରିବାକୁ ପଡ଼ିପାରେ । ସପନା କାନ୍ଦି କାନ୍ଦି ଗୁହାରି କରିଛନ୍ତି ଯେ, ତାଙ୍କୁ କିପରି ଭାବେ ଭାରତ ଆଣିବା ପାଇଁ ବ୍ୟବସ୍ଥା କରାଯାଉ ଏବଂ ଏଥିସହ ଦରମା ମଧ୍ୟ ଦିଆଯାଉ । ସପନାଙ୍କ କହିବା ଅନୁଯାୟୀ, ଆଲିୟାଙ୍କୁ ମଧ୍ୟ ଭାରତ ଆସିବାରେ ଅନେକ ସମସ୍ୟା ଆସିଥିଲା । ସେ ବହୁତ ସମସ୍ୟାର ସମ୍ମୁଖୀନ ହୋଇ ଭାରତ ଆସିଥିଲେ ।

ଆଲିୟା ସିଦ୍ଦିକୀଙ୍କ ଓକିଲ ରିଜୱାନ ଭିଡିଓକୁ ସେୟାର କରି ସରକାରଙ୍କୁ ଅପିଲ କରିଛନ୍ତି ଯେ ସେ ଏହି ଯୁବତୀଙ୍କୁ ସହାୟତା କରନ୍ତୁ । ସୂଚନାଥାଉକି, ନୱାଜଉଦ୍ଦୀନ ସିଦ୍ଦିକୀ ଏବଂ ତାଙ୍କ ସ୍ତ୍ରୀ ଆଲିୟା ସିଦ୍ଦିକୀଙ୍କ ମଧ୍ୟରେ ବିବାଦ ଏବେ କୋର୍ଟରେ ପହଞ୍ଚିଛି । ଆଲିୟାଙ୍କ କହିବା ଅନୁଯାୟୀ, ନୱାଜ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ତାଙ୍କୁ ନିର୍ଯ୍ୟାତନା ଦେଇଛନ୍ତି । ସେହିପରି ନୱାଜଉଦ୍ଦୀନ କହିଛନ୍ତି ଯେ, ଆଲିୟା ଓ ସେ ଦୀର୍ଘଦିନ ହେବ ଅଲଗା ହୋଇଯାଇଛନ୍ତି କିନ୍ତୁ ଏବେ ସମ୍ପତ୍ତି ଏବଂ ବଙ୍ଗଳା ଉପରେ ବେଆଇନ ଭାବରେ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ।

ଶିବସେନା ନାଁ ଓ ଚିହ୍ନ ପାଇଁ ୨ ହଜାର କୋଟି ଟଙ୍କାର ଡିଲ୍ ହୋଇଛି: ସଞ୍ଜୟ ରାୱତ

ମୁମ୍ବାଇ: ଶିବସେନା ନାଁ ଓ ଚିହ୍ନକୁ ନେଇ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀ ନେତା ସଞ୍ଜୟ ରାଓ୍ବତଙ୍କ ଚାଞ୍ଚଲ୍ୟକର ବୟାନ । କହିଛନ୍ତି ଶିବସେନା ନାଁ ଓ ଧନୁ ତୀର ଚିହ୍ନ ଲାଗି ହୋଇଛି ୨ ହଜାର କୋଟି ଟଙ୍କାର ଡିଲ । ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେ ଗୋଷ୍ଠୀକୁ ନେଇ ବିବାଦ ଜାରି ରହିଥିବାବେଳେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀକୁ ଦେଇଥିଲେ ଶିବସେନା ନାଁ ଓ ଧନୁତୀର ଚିହ୍ନ । ସଞ୍ଜୟ କହିଛନ୍ତି ଟଙ୍କା ଡିଲ୍ ସମ୍ପର୍କରେ ଜଣେ ବିଲଡର ଏହି ସୂଚନା ଦେଇଛନ୍ତି । ଏନେଇ ପ୍ରମାଣ ରହିଛି ବୋଲି କହିଛନ୍ତି ସଞ୍ଜୟ । ସେପଟେ ଏହି ଅଭିଯୋଗକୁ ସିନ୍ଦେ କ୍ୟାମ୍ପ ପକ୍ଷରୁ ଖଣ୍ଡନ କରାଯାଇଛି ।

ଲେଖାଶ୍ରୀ ବିଜେପିର ଆତ୍ମଘୋଷିତ ଫରେନ୍ସିକ ଏକ୍ସପର୍ଟ: ଇପସିତା

ଭୁବନେଶ୍ୱର: ମହିଳା ପୋଲିସ ଅଧିକାରୀଙ୍କୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ପ୍ରସଙ୍ଗରେ ଲେଖାଶ୍ରୀଙ୍କୁ ଟାର୍ଗେଟ କଲା ବିଜେଡି । ବିଜେଡି ମୁଖପାତ୍ର ଇପସିତା ସାହୁ ପ୍ରେସମିଟ୍ କରି ଲେଖାଶ୍ରୀଙ୍କୁ ସମାଲୋଚନା କରିଛନ୍ତି । ଇପସିତା କହିଛନ୍ତି ଜଣେ ମହିଳା ହୋଇ ମଧ୍ୟ ଲେଖାଶ୍ରୀ ନିଜ ଦଳର ନେତାଙ୍କ ଏପରି ଆଚରଣ ବିରୋଧରେ ମୁଁହ ଖୋଲିଲେନି । ବିଜେପିର ଜଣେ ନେତ୍ରୀ ପୂର୍ବରୁ ସେ ଜଣେ ମହିଳା ହେଲେ ଏପରି ଏକ ସମ୍ବେଦନଶୀଳ ଘଟଣା ଉପରେ ଲେଖାଶ୍ରୀ ନିଜ ଦଳର ନେତାଙ୍କ କାର୍ଯ୍ୟକଳାପକୁ ବିରୋଧ ନକରିବା ଲଜ୍ଜାଜନକ କଥା ।

ଇପସିତା କହିଛନ୍ତି, ”ଆପଣମାନଙ୍କୁ ସମସ୍ତଙ୍କୁ ଜଣାଥିବ ୨୦୧୪ ମସିହାର ଘଟଣା । ବିଜେଡିର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ବିଜୁ ଜନତା ଦଳର ଦଳୀୟ ଟିକେଟ ପାଇଁ ଖୋଲାଖୋଲି ଭାବରେ ନବୀନ ନିବାସ ଆସିଥିଲେ । ସେହିଭଳି ଭାବରେ ୨୦୧୯ ରେ ଆପଣମାନଙ୍କ ଭିତରୁ କାହାକୁ ଜଣାଥିବ ମ୍ୟାଡାମ ଲେଖାଶ୍ରୀ ସାମନ୍ତ ସିଂହାର ଲୁଚିଛପି ନବୀନ ନିବାସ ଆସିଥିଲେ ବିଜୁ ଜନତା ଦଳର ଦଳୀୟ ଟିକେଟ ପାଇଁ । ଆଶା କରୁଛୁ ଆଉ ନିଶ୍ଚିନ୍ତ ଭାବରେ ୨୦୨୪ ରେ ବି ମ୍ୟାଡାମ ଲେଖାଶ୍ରୀ ସାମନ୍ତ ସିଂହାର ଲୁଚିଛପିକି ଆସିବେ ବିଜୁ ଜନତା ଦଳର ଦଳୀୟ ଟିକେଟ ଓ ନିର୍ବାଚନୀ ଟିକେଟ ନେବା ପାଇଁ । ବୋଧହୁଏ ଲାଗୁଛି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ଭାରତୀୟ ଜନତା ପାର୍ଟିର ଆତ୍ମଘୋଷିତ ଇନଭେଷ୍ଟିଗେଟର ଫରେନ୍ସିକ ଏକ୍ସପର୍ଟ ।

ଯାହାଙ୍କୁ ଭାରତୀୟ ଜନତା ପାର୍ଟିର କିଛି ନେତା ମାନେ ବୋଧହୁଏ ନିଯୁକ୍ତି କରିଛନ୍ତି ଚାଲୁଥିବା ତଦନ୍ତ ଉପରେ ସବୁବେଳେ କିଛି କହିବାକୁ । କିନ୍ତୁ ଲାଗେ ଲେଖାଶ୍ରୀ ସାମନ୍ତ ସିଂହାର ମ୍ୟାଡାମ ଘଟଣା ବିଷୟରେ କିଛି ଜାଣନ୍ତିନି ବା ବିଷୟ ଉପରେ କିଛି ଜାଣନ୍ତିନି ଖାଲି ଆସନ୍ତି ଗଣମାଧ୍ୟମ ସାମ୍ନାରେ ବସନ୍ତି, କେବଳ କଥା ହିଁ କୁହନ୍ତି । ଯାହାପରେ ବାରମ୍ବାର ଲେଖାଶ୍ରୀ ସାମନ୍ତ ସିଂହାର ଗଣମାଧ୍ୟମ ସମ୍ମୁଖରେ ଲୋକଙ୍କ ସାମ୍ନାରେ ଜନତା ଜନାର୍ଦ୍ଦନଙ୍କ ଆଗରେ ଜଣେ ଜୋକର ଭଳି ପ୍ରମାଣିତ ହୋଇଥାନ୍ତି । ମୁଁ ଆଶ୍ଚର୍ଯ୍ୟ ମ୍ୟାଡାମ ଲେଖାଶ୍ରୀ ସାମନ୍ତ ସିଂହାର ଭାରତୀୟ ଜନତା ପାର୍ଟିର ମୁଖପାତ୍ର ପୂର୍ବରୁ ଜଣେ ମହିଳା ତ ! କାରଣ ମୁଁ ବି ବିଜୁ ଜନତା ଦଳର ମୁଖପାତ୍ର ପୂର୍ବରୁ ଜଣେ ମହିଳା । ମୋ ପାଇଁ ସବୁ ମହିଳା ସମାନ ।

କିନ୍ତୁ ଲେଖାଶ୍ରୀ ସାମନ୍ତ ସିଂହାର ଭାରତୀୟ ଜନତା ପାର୍ଟିର ମୁଖପାତ୍ର ପୂର୍ବରୁ ଯଦି ଜଣେ ମହିଳା ହୋଇଥାନ୍ତେ ତାହାଲେ ତାଙ୍କ ଦଳର ନେତା ତଥା ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ମହୋଦୟ ଯେତେବେଳ ଜଣେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମାଡ ମାରିଲେ ଓ ର୍ଦୁବ୍ୟବହାର କଲେ ବା ଅଶାଳୀନ ଭାଷାର ପ୍ରୟୋଗ କରି ଗାଳିଗୁଲଜ କଲେ ତେବେ ଲେଖାଶ୍ରୀ ସାମନ୍ତ ସିଂହାର କେମିତି ଚୁପ ରହିଲେ ଓ କାହିଁକି ଚୁପ ରହିଲେ । ମୋତେ ଲାଗୁଛି ତାର କାରଣ ବି ଏଇଟା ହୋଇଥାଇପାରେ ମ୍ୟାଡାମଙ୍କର ସେ ମାଡ ବୋଧହୁଏ ମନେପଡିଯାଉଥିବ । ଯେତେବେଳ ଜୟନାରାୟଣ ମିଶ୍ର ଦଳର ସଭାପତି ମାନନୀୟ ସମୀର ମହାନ୍ତିଙ୍କୁ ମାଡ ମାରିଥିଲେ ।

ଯେଉଁଭଳି ଭାବରେ ସମୀର ମହାନ୍ତି ଆତଙ୍କିତ ଅବସ୍ଥାରେ ଅଛନ୍ତି ମ୍ୟାଡାମଙ୍କୁ ଲାଗୁଛି କେତେବେଳେ ହୁଏତ ତାଙ୍କ ଉପରେ ଚପଲରେ ବସିବ ସେଥିପାଇଁ ହୁଏତ ସେ ଚୁପ ରହୁଛନ୍ତି । କିନ୍ତୁ ଗୋଟେ ଛୋଟ ଉପଦେଶ ଲେଖାଶ୍ରୀ ମ୍ୟାଡାମଙ୍କୁ କିଛି କହିବା ପୂର୍ବରୁ କିଛି ବଖାଣିବା ପୂର୍ବରୁ ବା ମନଗଢା କାହାଣୀ ତିଆରି କରିବା ପୂର୍ବରୁ ବା ପୂର୍ବ କାହାଣୀ ଲେଖିବା ପୂର୍ବରୁ ମ୍ୟାଡାମଙ୍କୁ ଇନଭେଷ୍ଟିଗେଟ ବା ଫରେନ୍ସିକ ରିପୋର୍ଟ ଉପରେ ପାଠ ଟିକେ ପଢିବାକୁ ପଡିବ ଓ ଡିଗ୍ରୀ ହାସଲ କରିବାକୁ ପଡିବ । ଯେତେବେଳେ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ଡିଗ୍ରୀ ହାସଲ କରିବାକୁ ସମୟ ଅଛି ସେପର୍ଯ୍ୟନ୍ତ ନ୍ୟାୟପାଳିକାକୁ ଓ ପୋଲିସକୁ ତାର ତଦନ୍ତ କରିବାକୁ ଦିଅନ୍ତୁ ।”