spot_img
Home Blog Page 3596

ଜାନୁଆରୀ ୧୫ ପରେ ଦେଶରେ ଜଟିଳ ହୋଇପାରେ କୋରୋନା, ୪୦ ଦିନ ଗୁରୁତ୍ବପୂର୍ଣ୍ଣ

ନୂଆଦିଲ୍ଲୀ: ଜାନୁଆରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ । ଜଟିଳ ହୋଇପାରେ ପରିସ୍ଥିତି । ଆଗାମୀ ୪୦ ଦିନ ଗୁରୁତ୍ବପୂର୍ଣ୍ଣ ହେବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ୪ ଦିନ ମଧ୍ୟରେ ୪୧ ବିଦେଶ ଫେରନ୍ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି । ଡିସେମ୍ବର ୨୪ ରୁ ୪୯୮ ଟି ଅନ୍ତର୍ଜାତୀୟ ବିମାନ ଚଳାଚଳର ଯାଞ୍ଚ୍‌ କରାଯାଇଛି ।

ଏହି ସମୟ ମଧ୍ୟରେ କରୋନା ପଜିଟିଭ ମିଳି ଥିବା ଯାତ୍ରୀଙ୍କ ସମସ୍ତ ନମୁନା ଜିନୋମ ସିକୁଏନ୍ସ ପାଇଁ ପଠାଯାଇଛି । ସେହିପରି ଚୀନ ସମେତ ଅନ୍ୟ କିଛି ଦେଶରେ କରୋନାର ମାମଲା ଲଗାତାର ବୃଦ୍ଧି ପାଉଥିବା ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ବିମାନବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ରାପିଡ ଟେଷ୍ଟିଙ୍ଗ୍ ମଧ୍ୟ ଆରମ୍ଭ କରିଛନ୍ତି । ଏଥିରେ କରୋନା ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି ।

ଚେନ୍ନାଇ ବିମାନ ବନ୍ଦରରେ ବୁଧବାର ଦୁଇ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ବେଙ୍ଗାଲୁରୁରେ ବିମାନବନ୍ଦରରେ ଚାରି ଜଣ ବିଦେଶୀ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିବ ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି ।

ପ୍ରେମରେ ବାଧା ଦେଲେ ସ୍ବାମୀ, ପ୍ରେମିକ ସହ ମିଶି ରାସ୍ତାରୁ ହଟାଇଦେଲେ ସ୍ତ୍ରୀ

ଗଜପତି: ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା । ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସସ୍ମିତା ଓ ତାଙ୍କ ପ୍ରେମିକ ଗିରଫ ହୋଇଛନ୍ତି। କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ସନ୍ଦେହରେ ସ୍ତ୍ରୀ ସସ୍ମିତା ଓ ତାଙ୍କ ପ୍ରେମିକ ଗଜପତି ଜିଲ୍ଲା ମୋହନାର ଗାରମେଣ୍ଟ ବ୍ୟବସାୟୀ ଶଙ୍କର୍ଷଣ ଗୌଡ଼ଙ୍କୁ ଗିରଫ କରିଛି ପୋଲିସ ।

ଗତ ୧୯ ତାରିଖରୁ କୃଷ୍ଣଚନ୍ଦ୍ର ନିଖୋଜ ହୋଇଯାଇଥିଲେ । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମାଙ୍କଡଡିଆଁ ନାଳରୁ ଅଖା ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ପୋଲିସ ପୋଲିସ ଜାଣିବାକୁ ପାଇଛି ।

ସସ୍ମିତା ଓ ଶଙ୍କର୍ଷଣ କଲେଜ ସମୟରୁ ପରସ୍ପରକୁ ଭଲ ପାଉଥିଲେ । କୃଷ୍ଣଚନ୍ଦ୍ରଙ୍କ ସହ ସସ୍ମିତାଙ୍କ ବିବାହ ପରେ ବି ଶଙ୍କର୍ଷଣ ତାଙ୍କ ଶାଶୁଘରକୁ ଯାଆସ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ପ୍ରଘଟ ହେବା ପରେ ସସ୍ମିତାଙ୍କୁ କୃଷ୍ଣଚନ୍ଦ୍ର ତାଗିଦ କରିଥିଲେ । ଫଳରେ କୃଷ୍ଣଚନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ସସ୍ମିତା ଓ ଶଙ୍କର୍ଷଣ ଯୋଜନା କରିଥିଲେ ।

କମ୍ପିବ ବାରବାଟୀ, ଓଡ଼ିଆ ପୁଅଙ୍କ କମ୍ପୋଜିସନରେ ଝୁମିବ ବିଶ୍ବ

ଭୁବନେଶ୍ବର: ଓଡ଼ିଆ ପୁଅଙ୍କ କମ୍ପୋଜିସନରେ ଝୁମିବ ବିଶ୍ବ, କମ୍ପିବ ବାରବାଟୀ । ଆସନ୍ତା ୧୧ତାରିଖରେ କଟକରେ ଆୟୋଜିତ ହେବ ହକି ବିଶ୍ବକପ ଉଦଘାଟନୀ ଉତ୍ସବ । ଏଥିପାଇଁ ହକି ଆନ୍ଥେମର କମ୍ପୋଜିସନ ପ୍ରସ୍ତୁତ କରିଛନ୍ତି ଓଡିଶାର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଫେଡେରେସନ ଅଫ ଇଣ୍ଡିଆନ ହକି ପ୍ରସ୍ତୁତ ସଂଗୀତରେ ସ୍ବର ସଂଯୋଜନା କରି ଗୌରବ ଆଣିଛନ୍ତି ପ୍ରେମାନନ୍ଦ ।

ଗୀତଟିକୁ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ ଗାଇଥିବା ବେଳେ ଏହାର ରଚନା କରିଛନ୍ତି ସମୀର ପ୍ରେମାନନ୍ଦ । ମୁମ୍ବାଇରେ ଗୀତଟିର ରେକଡିଂ ସହିତ ଭିଡ଼ିଓ ସୁଟିଂ ହୋଇଛି । ଓଡ଼ିଶା ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରି ନୂଆ ରେକର୍ଡ କରିଛି । ଏହି ଗୌରବମୟ ଅଧ୍ୟାୟରେ ଆଉ ଏକ ଗୌରବ ଯୋଡିଛନ୍ତି ପ୍ରେମାନନ୍ଦ ।

ଓଡିଶା ହକି ବିଶ୍ବକପର ଆୟୋଜକ ହୋଇଥିବା ବେଳେ ଏହାର ହକି ଆନ୍ଥେମର ସ୍ବର ସଂଯୋଜନା କରି ବିଶ୍ବରେ ଓଡ଼ିଶା କଳାର ନିଦର୍ଶନ ଦେଖାଇଛନ୍ତି ପ୍ରେମାନନ୍ଦ । ଆସନ୍ତା ୧୧ ତାରିଖରେ ଯେତେବେଳେ ଓଡିଶାରେ ଉଦଘାଟନୀ ଉତ୍ସବ ସହିତ ଓଡିଆ ପୁଅଙ୍କ କମ୍ପୋଜିସନରେ ବିଶ୍ବ ଝୁମିବ ସେତେବେଳେ ଆହୁରି ଗର୍ବିତ ହୋଇ ଉଠିବ ଓଡ଼ିଶା । ଗତଥର ବିଶ୍ବକପରେ ଲିଜେଣ୍ଡାରୀ ସଙ୍ଗିତ ନିର୍ଦ୍ଦେଶକ ଏଆର ରେହେମାନ କମ୍ପୋଜିସନ କରିଥିଲେ ।

ପୁଷ ମାସରେ କମ୍ବଳ ଅଲୋଡା, ରାଜ୍ୟରେ ଅସ୍ବାଭାବିକ ଭାବେ ବଢୁଛି ତାପମାତ୍ରା

ଭୁବନେଶ୍ବର: ପୌଷ ମାସରେ ଲୋଡ଼ା ହେଉନି କମ୍ବଳ । ଶୀତ ବଦଳରେ ହେଉଛି ଗରମ । ରାଜ୍ୟରେ ଅସ୍ବାଭାବିକ ଭାବେ ବଢୁଛି ତାପମାତ୍ରା । ସ୍ବାଭାବିକ ଠାରୁ ୬ରୁ ୮ଡିଗ୍ରୀ ବଢିଛି ପାରା । ଫଳରେ ଲଗାତାର ଶୀତ କମିବାରେ ଲାଗିଛି । ରାତିରେ ଜାଡ଼ ବଦଳରେ ଅନୁଭୂତ ହେଉଛି ଗରମ । ଓଡ଼ିଶା ଉପକୂଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଉଷ୍ମ ଜଳିୟବାଷ୍ପ ପ୍ରବେଶ କରୁଛି । ଯାହା ତାପମାତ୍ରା ବୃଦ୍ଧି କରାଇବାରେ ସହାୟକ ହୋଇଛି ।

ଆସନ୍ତା ୫ଦିନ ଯାଏ ଏପରି ସ୍ଥିତି ଜାରି ରହିବ । ଫଳରେ ଶୀତ ହେବାର ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର । ତେବେ କେତେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ୁଛି । ଆସନ୍ତା ଦୁଇଦିନ ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କୁହୁଡି ପଡ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଜନ୍ମଦିନ ପାଳୁଛି ନନ୍ଦନକାନନ, ଆଜିଠୁ ନୂଆ ଅତିଥିଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ

ଭୁବନେଶ୍ବର: ଆଜି ନନ୍ଦନକାନନର ଜନ୍ମଦିନ । ୬୩ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ବ୍ୟାପକ କାର୍ଯ୍ୟକ୍ରମ । ଏହି ଅବସରରେ ଚିଲଡ୍ରେନ ପାର୍କ ଓ ପ୍ରାଣୀ ଚିକିତ୍ସାଳୟର ନୂତନ ଅପରେସନ ଥିଏଟର, ଶିଶୁ ପଶୁପାଳନ କେନ୍ଦ୍ର ଉଦଘାଟନ କରାଯିବ । ଆଜିଠୁ ନୂଆ ପଶୁପକ୍ଷୀଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ ।

ମହୀଶୂର ଚିଡିଆଖାନାରୁ ଆସିଥିବା ବିରଳ ପ୍ରଜାତିର ଜନ୍ତୁ ମିରକେଟ, କଳା ହଂସଙ୍କୁ ସ୍ବତନ୍ତ୍ର ଖୁଆଡ଼ରେ ଛଡ଼ାଯିବ । ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେବେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା, ମୁଖ୍ୟ ବନ୍ୟ ସଂରକ୍ଷକ ସୁଶୀଲ କୁମାର ପୋପ୍ଲେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଗତ ୬୨ବର୍ଷରେ ନନ୍ଦନକାନନକୁ ଅନେକ ପଶୁପକ୍ଷୀ ଆସିଛନ୍ତି । ଏଠାରୁ ଅନେକ ପଶୁପକ୍ଷୀ ଅନ୍ୟ ଚିଡିଆଖାନାକୁ ମଧ୍ୟ ଯାଇଛନ୍ତି । ପର୍ଯ୍ୟଟକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି ନନ୍ଦନକାନନ । ଛୁଟି ଦିନ ହେଉ ଅବା ମନୋରଞ୍ଜନ ପାଇଁ ହେଉ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି ନନ୍ଦନକାନନ ।

ଅନୁଗୁଳକୁ ନୂଆବର୍ଷ ଭେଟି ଦେବେ ନବୀନ, ୨୪ଟି ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଶୁଭାରମ୍ଭ

ଅନୁଗୁଳ: ଆଜି ଅନୁଗୁଳରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ । ଜିଲ୍ଲା ଗସ୍ତରେ ଯାଇ ନୂଆବର୍ଷ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମହିଳାଙ୍କୁ ଭେଟିବା ସହ ୨୪୨ କୋଟି ଟଙ୍କା ଋଣର ଡିଜିଟାଲ ଲଞ୍ଚିଂ ଶୁଭାରମ୍ଭ କରିବେ ।

ବହୁ ପ୍ରତିକ୍ଷିତ ଅନୁଗୁଳ ବସଷ୍ଟାଣ୍ଡ, ପାଲଲହଡ଼ାରେ ମହିଳା ଓ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ ହେବ । ଆଗକୁ ନୂଆବର୍ଷ ଆସୁଥିବାରୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ଗସ୍ତ ପାଇଁ ଅନୁଗୋଳ ଷ୍ଟାଡିୟମରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଛେଣ୍ଡିପଦା ବ୍ଲକ୍ ନତଡ଼ା ରେଲୱେ କ୍ରସିଂଠାରେ ଆଉ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଯୋଗଦେବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି ।

ହକି ବିଶ୍ୱକପ୍ ପାଇଁ ରାଜସ୍ଥାନ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରୁଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀମାନେ । ଏହି କ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି । ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିବା ସହ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ପୁଷ୍କର ସିଂ ଧାମି । ଯଥାସମ୍ଭବ ଓଡ଼ିଶା ଆସି ହକି ମହାକୁମ୍ଭରେ ସାମିଲ ହେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରାଜସ୍ଥାନ ରାଜଧାନୀ ଜୟପୁର ଯାଇ ଗେହଲଟଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ନିମନ୍ତ୍ରଣ ପତ୍ର ସହ ହକି ଟି-ସାର୍ଟ ଓ ରୁପା ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସୂଚନାଥାଉକି, ଓଡ଼ିଶାର ଦୁଇଟି ସ୍ଥାନ ବିର୍ଷା ମୁଣ୍ଡା ଷ୍ଟାଡିୟମ, ରାଉରକେଲା ଓ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରରେ ଜାନୁଆରୀ ୧୩ ତାରିଖରୁ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।

ଦୁର୍ବଳ ସଂଗଠନ ସଜାଡିବାକୁ ଓଡିଶା ଗସ୍ତରେ ଆସିଛନ୍ତି ଜେପି ନଡ୍ଡା: ବିଜେଡି

ଭୁବନେଶ୍ୱର : ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇପଡିଥିବା ଦଳୀୟ କର୍ମୀ ଓ ଦୁର୍ବଳ ହୋଇଯାଇଥିବା ସଂଗଠନକୁ ସଜାଡିବା ପାଇଁ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡିଶା ଗସ୍ତରେ ଆସିଛନ୍ତି । ସେ କେବଳ ଓଡିଶା ଆସିନାହାନ୍ତି ସାରା ଦେଶ ଗସ୍ତ କରି ଏଭଳି ସଭା ସମିତି କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଓଡିଶା ଗସ୍ତ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଡକ୍ଟର ପାତ୍ର କହିଛନ୍ତି ଯେ ଯେହେତୁ ଆଗକୁ ନିର୍ବାଚନ ଆସୁଛି ତେଣୁ ବିଜେପିର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ସ୍ୱାଭାବିକ ଭାବେ ଦେଶର ବିଭିନ୍ନ ଅଞ୍ଚଳ ବୁଲି ବୁଲି ସଭାସମିତି କରୁଛନ୍ତି । ସେହି କ୍ରମରେ ସେ ଆଜି ଓଡିଶା ଆସିଛନ୍ତି ଓ ଏଠାରେ ଦୁର୍ବଳ ହୋଇପଡିଥିବା ସଂଗଠନକୁ ସଜାଡିବାକୁ ଉଦ୍ୟମ କରୁଛନ୍ତି ।

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେପି ୩୦ରୁ ୩୦ ଜିଲ୍ଲା ପରିଷଦରେ ଏବଂ ୯୦ ପ୍ରତିଶତରୁ ଅଧିକ ଆସନରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଏଥିରେ ତାଙ୍କ ଦଳର କର୍ମୀ ଓ ନେତାମାନେ ହତୋତ୍ସାହିତ ହେବା ସହିତ ସେମାନଙ୍କ ମନୋବଳ ଭାଙ୍ଗି ଯାଇଛି । ତେଣୁ ହତାଶ ହୋଇପଡିଥିବା
କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀ ନଡ୍ଡା ଓଡିଶା ଗସ୍ତରେ ଆସିଥିବା ଡକ୍ଟର ପାତ୍ର କହିଛନ୍ତି ।

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଅଘଟଣ, ୭ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତେଲଗୁ ଦେଶମ ପାର୍ଟି (ଟିଡିପି)ର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ ଶୋ’ରେ ଅଘଟଣ । ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟାରେ ଚନ୍ଦ୍ରବାବୁ ନାଇଡୁ ନେଲ୍ଲୋର ଜିଲ୍ଲା କୁନ୍ଦୁକୁରରେ ଏକ ରୋଡ ଶୋ’ କରୁଥିଲେ । ଯେତବେଳେ ଶୋଭଯାତ୍ରା ଗୁଡମ ସିୱେଜ କେନାଲ ପାର କରୁଥିଲା, ସେହି ସମୟରେ ଅନେକ କର୍ମୀ କେନାଲକୁ ଖସିପଡ଼ିଥିଲେ ।

ଯାହାଫଳରେ ତିନି ଜଣ ହିଁ ଘଟଣାସ୍ଥଳରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ଅନ୍ୟ ଦୁଇ ଜଣଙ୍କୁ ହସ୍ପିଟାଲ ନେବା ସମୟରେ ମୃତ୍ୟୁ ହୋଇଯାଇଛି । ସେହିପରି ମେଡିକାଲରେ ଅନ୍ୟ ଦୁଇ ଜଣ ପ୍ରାଣତ୍ୟାଗ କରିଥିବା ସୂଚନା । ଅନ୍ୟପକ୍ଷରେ ୬ ଜଣଙ୍କ ଚିକିତ୍ସା ଚାଲିଛି, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହଜାର ହଜାର ସମର୍ଥକ ଚନ୍ଦ୍ରବାବୁ ନାଇଡୁଙ୍କୁ ସ୍ୱାଗତ କରିବା ପାଇଁ ଏକଜୁଟ ହୋଇଥିଲେ, ସେମାନଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା ।

ଭିଡ଼ରୁ ବଞ୍ଚିବା ପାଇଁ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଯାହାଫଳରେ ନିୟନ୍ତ୍ରଣ ହରାଇ ଅନେକ ଲୋକ ପାଖରେ ଥିବା ମୁକୁଳା ଡ୍ରେନକୁ ଖସିପଡିଥିଲେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା ସୂଚନା । ଘଟଣାର ତୁରନ୍ତ ପରେ ଶ୍ରୀ ନାଇଡୁ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଦେଇଥିଲେ । ସେ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ଏବଂ ମୃତକଙ୍କ ପିଲାଙ୍କ ପାଠ ପଢ଼ା ଦାୟିତ୍ୱ ନେବାକୁ ମଧ୍ୟ ଘୋଷଣା କରିଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ ଦଳୀୟ ନେତାମାନଙ୍କୁ ମଧ୍ୟ କହିଛନ୍ତି ।

 

ଆଇସିସି ଟେଷ୍ଟ ରାଙ୍କିଂ: ଜାଡେଜା ଓ ଅଶ୍ୱିନୀ ବିଶ୍ୱର ଟପ୍ ଅଲରାଉଣ୍ଡର୍ସ

ମୁମ୍ବାଇ: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ଆଇସିସି) ଟେଷ୍ଟ ଫର୍ମାଟରେ ଖେଳାଳିଙ୍କ ରାଙ୍କିଂ ଜାରି କରିଛି । ଏଥିରେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନ ଧମାଲ କରିଛନ୍ତି । ଜାଡେଜା ଆହତ କାରଣରୁ ଗତ କିଛି ସମୟ ହେବ ଦଳରୁ ବାହାରେ ଅଛନ୍ତି, ଏହା ସତ୍ତ୍ୱେ ଟେଷ୍ଟ ରାଙ୍କିଂରେ ତାଙ୍କ ଜଲୱା ବଳବତ୍ତର ରହିଛି । ୨୦୨୨ ଶେଷ ହେବାକୁ ଯାଉଛି ଏବଂ ଆଇସିସିର ଚଳିତ ବର୍ଷର ଏହା ଶେଷ ଟେଷ୍ଟ ରାଙ୍କିଂ ଅଟେ ।

ଏଥିରେ ଅଲରାଉଣ୍ଡର୍ସଙ୍କ ରାଙ୍କିଂରେ ଜାଡେଜା ନିଜ ଜଲୱା କାଏମ ରଖିଛନ୍ତି । ସେ ୩୬୯ ପଏଣ୍ଟସ ସହ ଶୀର୍ଷରେ ରହିଛନ୍ତି । ସେହିପରି ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଅଛନ୍ତି । ତାଙ୍କର ୩୪୩ ପଏଣ୍ଟ ରହିଛି । ସେହିପରି ଅଶ୍ୱିନଙ୍କ ବୋଲିଂ ରାଙ୍କିଂରେ ମଧ୍ୟ ସୁଧାର ହୋଇଛି । ସେ ପୂର୍ବରୁ ଶୀର୍ଷ ୫ ଥିଲେ । କିନ୍ତୁ ବାଂଲାଦେଶ ଗସ୍ତରେ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିବା କାରଣରୁ ଗୋଟିଏ ସ୍ଥାନର ସୁଧାର ହୋଇଛି । ସେ ସଂଯୁକ୍ତ ରୂପରେ ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି । ଚତୁର୍ଥ ସ୍ଥାନରେ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରାହ ମଧ୍ୟ ରହିଛନ୍ତି ।

ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚର ତିନି ଇନିଂସରେ ଦୁଇଟି ଅର୍ଦ୍ଧଶତକ ଲଗାଇଥିବା ଶ୍ରେୟସ ଆୟର ମଧ୍ୟ ବ୍ୟାଟିଂ ରାଙ୍କିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତାଙ୍କୁ ୧୦ଟି ସ୍ଥାନର ଫାଇଦା ହୋଇଛି । ଶ୍ରେୟାସ ଆୟର ଶୀର୍ଷ ୨୦ରେ ସ୍ଥାନ ବନାଇଛନ୍ତି । ସେ ଏବେ ୧୬ତମ ସ୍ଥାନରେ ରହିଛନ୍ତି । ସେହିପରି ୬ ବର୍ଷରେ ପ୍ରଥମ ଥର ପାଇଁ ବିରାଟ କୋହଲି ଖରାପ ରାଙ୍କିଂରେ ଥିବା ଦେଖାଯାଇଛି । ୨ଟି ସ୍ଥାନ ଖସି ସେ ୧୪ ତମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଚେତେଶ୍ୱର ପୂଜାରାଙ୍କୁ ମଧ୍ୟ ତିନୋଟି ସ୍ଥାନ ହରାଇଛନ୍ତି । ସେ ଏବେ ୧୯ତମ ସ୍ଥାନକୁ ଖସି ଆସିଛନ୍ତି । ଯେତବେଳେ କି ଅଧିନାୟକ ରୋହିତ ଶର୍ମା ୯ତମ ଏବଂ ଋଷଭ ପନ୍ତ ଷଷ୍ଠ ସ୍ଥାନରେ ରହିଛନ୍ତି ।