କଟକ: କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ । ଦିଲ୍ଲୀ ପଟିଆଲା ହାଉସକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅବଦୁର ରେହମାନକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ୧୪ତାରିଖରେ ଅବଦୁଲ ରେହମାନର ଦଣ୍ଡ ଘୋଷଣା କରାଯିବ । ଅବଦୁଲ ରେହମାନ ଜଗତପୁର ଅଞ୍ଚଳରୁ ଗିରଫ ହୋଇଥିଲେ । ୨୦୧୫ ଡିସେମ୍ବର ୧୬ରେ ଗିରଫ ହୋଇଥିଲା ଅବଦୁର । ଅଲକଏଦା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ରହି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲା ରେହମାନ ।
ଯୁବକଙ୍କୁ ପୋଲିସ ଥାର୍ଡ଼ଡିଗ୍ରୀ ଅଭିଯୋଗ
ପାଲଲହଡ଼ା: ଯୁବକଙ୍କୁ ପୋଲିସ ଥାର୍ଡ଼ଡିଗ୍ରୀ ଅଭିଯୋଗ । ପାଲଲହଡା ପୋଲିସ ବିରୁଦ୍ଧରେ ଅଭିଯୋଗ ଆଣିଲେ ଖମାର ଥାନା ଅନ୍ତର୍ଗତ ଜଗନ୍ନାଥପୁରର ଆଦିତ୍ୟ ବେହେରା । ଏକ ଚୋରି ଘଟଣାରେ ପାଲଲହଡା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଆଦିତ୍ୟଙ୍କୁ ଘରୁ ଉଠାଇ ନେଇଥିଲା । ତେବେ ଥାନାରେ ଏସଆଇ ଗୋବିନ୍ଦ ସାହୁ ତାଙ୍କୁ ନିର୍ଦ୍ଧୁମ ପିଟିଥିବା ସେ ଅଭିଯୋଗ କରିଛନ୍ତି । ସକାଳେ ପରିବାର ଲୋକ ଥାନାକୁ ଆସିବା ପରେ ପୋଲିସ ଆଦିତ୍ୟଙ୍କୁ ଛାଡି ଦେଇଥିଲା । ପୋଲିସ ମାଡ଼ରେ ଆଦିତ୍ୟଙ୍କ ହାତ, ଗୋଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବାରୁ ତାଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗୋବିନ୍ଦଙ୍କ ପରିବାର । ସେପଟେ ଘଟଣାର ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।
ସମ୍ବିଧାନ କହିବାକୁ ଅଧିକାର ଦେଇଛି, ଚୁପ ରହିଲେ କୌଣସି ସମାଧାନ ହେବ ନାହିଁ: ପ୍ରଧାନ ବିଚାରପତି
ନାଗପୁର: ଭାରତର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଶନିବାର ଏକ କାର୍ଯ୍ୟକ୍ରମରେ ବଡ଼ ବୟାନ ଦେଇଛନ୍ତି । ଛାତ୍ରଛାତ୍ରୀ ଏବଂ ଲ’ ଗ୍ରାଜୁଏଟଙ୍କୁ ପରାମର୍ଶ ଦେଇଛନ୍ତି ଯେ ଚୁପ୍ ରହିଲେ ସମସ୍ୟାର ସମାଧାନ ହୋଇନଥାଏ ଏବଂ ଏହା ଉପରେ ଚର୍ଚ୍ଚା କରିବା ଏବଂ କହିବା ଜରୁରୀ ଅଟେ । ନାଗପୁରରେ ମହାରାଷ୍ଟ୍ର ନ୍ୟାସନାଲ ଲ’ ୟୁନିଭର୍ସିଟିର ପ୍ରଥମ ଦିକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି କହିଥିଲେ ଯେ ସମ୍ବିଧାନ ଏପରି ଏକ ଦସ୍ତାବିଜ ଅଟେ ଯାହା ସୁଶାସନ, ଗରିମା ଏବଂ ସ୍ୱାଧିନତାର ଉତ୍ପାଦନ ଅଟେ । ଏହା କହିବାକୁ ଅଧିକାର ଦେଇଥାଏ । ଆଇନ ପେଶାକୁ ଆପଣାଇ ସମସ୍ତଙ୍କୁ ଭାରତୀୟ ସମ୍ବିଧାନର ମୂଲ୍ୟକୁ ବଳବତ୍ତର ରଖିବା ଆବଶ୍ୟକ ।
ଏହାକୁ ଅଣଦେଖା କରିହେବନି ଯେ, ସମ୍ବିଧାନ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ନ୍ୟାୟ ଆଣିବାର ଦାୟିତ୍ୱ ଦେଇଛି । ଆମକୁ ଏହି ଅଧିକାର ପାଇଁ କହିବାକୁ ହେବ । ଭାରତୀୟ ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଦକରଙ୍କ ଉଦାହରଣ ଦେଇ ପ୍ରଧାନ ବିଚାରପତି କହିଥିଲେ, ଅସଫଳତା ଏବଂ ବିପରୀତ ପରିସ୍ଥିତିରେ ନିରାଶ ହୁଅନ୍ତୁନି । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଆଇକନ ହେବା ପାଇଁ ସମସ୍ତ କଠିନ ବାଧାକୁ କିପରି ବାବାସାହେବ ପାର କରିଥିଲେ ତାକୁ ଜାଣିବାର ଅଛି । ସମ୍ବିଧାନ ହେଉଛି ସବୁଠୁ ବଡ଼ ଅସ୍ତ୍ର । ଏହାକୁ ମାନି ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଜରୁରୀ ବୋଲି କହିଛନ୍ତି ଡିୱାଇ ଚନ୍ଦ୍ରଚୂଡ ।
ପୁଣି ଏକ ନିଚ୍ଛକ ଓଡିଆ କାହାଣୀକୁ ନେଇ ମହୁରତ୍ ହେଲା ଚଳଚ୍ଚିତ୍ର ‘ପ୍ରଥା’
ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତ ପୁଣି ଚଳଚଞ୍ଚଳ ହେଉଛି । ଦର୍ଶକ ମାନେ ନିଜ ମନ ମୁତାବକ ଚଳଚ୍ଚିତ୍ର ଦେଖିବାକୁ ପାଉଥିବାରୁ ପୁଣି ଫେରିଛନ୍ତି ଫିଲ୍ମ ହଲ କୁ ନିଜର ମନପସନ୍ଦ ର ଚଳଚ୍ଚିତ୍ର ଦେଖିବା ପାଇଁ, କାରଣ ଓଡିଆ ଦର୍ଶକ ଖୋଜୁଥିବା ଆମ ରାଜ୍ୟର ପରମ୍ପରା ଓ ରୀତିନୀତିକୁ ନେଇ ହେଉଥିବା କାହାଣୀ ପୁଣି ଦେଖିବାକୁ ପାଇଛନ୍ତି । ନିକଟରେ ସୁପରହିଟ ହୋଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ତା’ର ଉଦାହରଣ । ସେହିପରି ଏକ ନିଛକ ଓଡିଆ କାହାଣୀ କୁ ନେଇ ଆସୁଛି ସାନ୍ଲିସା ସିଗ୍ନେଚର ଫିଲ୍ମସର ପ୍ରଥମ ଅବଦାନ ‘ପ୍ରଥା’ । ଭୁବନେଶ୍ବରର ଏକ ଘରୋଇ ପଞ୍ଚତରକା ହୋଟେଲରେ ଏହି ଚଳଚ୍ଚିତ୍ର ର ମହୁରତ୍ ହୋଇଯାଇଛି ।

ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ଜଗତର ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ସହ ‘ପ୍ରଥା’ ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଓ ଅଭିନେତ୍ରୀଙ୍କ ଛଡା ଅନ୍ୟାନ୍ୟ କ୍ରୁ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ,ଆମ ଗାଁ’ର କାହାଣୀ । ଯେପରି ଏଇ କାହାଣୀର ନାଁ’ କହୁଚି,ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ ବାରିକ, ଶୀତଲ ପାତ୍ର ଓ ମୁମ୍ବାଇ ର ଜଣେ ଅଭିନେତ୍ରୀ ତଥା ମଡେଲ ସିମ୍ରନ କୌର । ସିମ୍ରନ ଲୋକପ୍ରିୟ ଏନିମେସନ୍ ସିରୀଜ ଡୋରେମନ୍ ର ଭଏସ୍ ଆର୍ଟିଷ୍ଟ ଯିଏ ନୋବିତା ପାଇଁ ଭଏସ୍ ଦିଅନ୍ତି ।
ଏମାନଙ୍କ ଛଡା ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶଃ ଆଲୱାହଟ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଏବଂ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ ପଟେଲ ଓ ଇଲ୍ଲୁ ବାନର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅସିତା ଶତପଥି ଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ । ଆମେ ଯୁଗ ଯୁଗନ୍ତାରୁ ବହୁତ କିଛି ପ୍ରଥା, ପରମ୍ପରା ଓ ରୀତିନୀତି ବିନା ପ୍ରଶ୍ନରେ ମାନି ଆସୁଛେ । ଏଗୁଡିକ ମଧ୍ୟରୁ କିଛି ଭଲ ଆଉ କିଛି କ୍ଷତିକାରକ । ଏମିତି ବି କିଛି ପ୍ରଥା ଓ ରୀତିନୀତି ଅଛି ଯାହା ପୂର୍ବ କାଳରେ ଉପଯୁକ୍ତ ଥିଲା ହେଲେ ଆଜିର ସମୟରେ ମୂଲ୍ୟହୀନ ।

ଏସବୁ ଜାଣି ମଧ୍ୟ ଆମେ ସେ ସବୁକୁ ଅନୁକରଣ କରି ଅସୁଛେ । କାହାଣୀଟି ସେହିପରି କିଛି ପ୍ରଥା, ପରମ୍ପରା, ରୀତିନୀତି ଏବଂ ଏଥିରେ ଥିବା କିଛି ବିଶ୍ବାସ, ଅବିଶ୍ବାସ ଓ ଏଥିରେ ଆସିଥିବା ପରିବର୍ତ୍ତନକୁ ଆମ ସାଧାରଣ ଲୋକ କିପରି ଅପଣାଇବାକୁ ସକ୍ଷମ ଏବଂ ଅକ୍ଷମ ହେଉଛନ୍ତି, ତାକୁ ହିଁ ବ୍ୟାକ୍ଷା କରୁଛି । ଗ୍ରାମାଞ୍ଚଳର ଜୀବନ ବଞ୍ଚିବା ଶୈଳୀ ଏବଂ ସହରାଞ୍ଚଳର ଜୀବନ ବଞ୍ଚିବା ଶୈଳୀ କେତେ ଅଲଗା, ସେଇଟା ଆମେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ପାଇବା । ଏକା ଭଳି ପରିସ୍ଥିତିରେ ଥିଲେ ବି ଦୁଇଟା ଲୋକଙ୍କର ଜୀବନ କେତେ ଅଲଗା ହେଇପାରେ ତାହା ଏଇ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶକ କେ. ମୂରଲୀ କ୍ରୀଷ୍ଣା ଆପଣଙ୍କୁ ଦେଖାଇବାର ପ୍ରୟାସ କରିବେ ।
ସ୍ଵରାଜ ଲଭରବୟ ଭୂମିକାରୁ ବାହାରି ଏକ ନୂତନ ଧରଣର ଚରିତ୍ରରେ ଅଭିନୟ କରିବା ପ୍ରଥମ । ଶୀତଲଙ୍କୁ ଜଣେ ଗାଁ ଝିଅର ଭୂମିକାରେ ଆମେ ଦେଖିବାକୁ ପାଇବା । ଏହା ଛଡା ବଲିଉଡ୍ ଅଭିନେତ୍ରୀ ସିମ୍ରନ କୌର ଜଣେ ଆଧୁନିକ, ସ୍ବାଧୀନ ନାରୀର ଚରିତ୍ରରେ ଆସିବେ । ଉଭୟ ଶିତଲ ଏବଂ ସିମ୍ରନ ଭିନ୍ନ ଭିନ୍ନ ପରିବେଶରେ ରହି ମଧ୍ୟ କିପରି ଏକା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ଦୁହେଁ ସେହି ପରିସ୍ଥିତି ସାମ୍ନା କିପରି କରୁଛନ୍ତି, ତାହା ‘ପ୍ରଥା’ କାହାଣୀର ଏକ ମୁଖ୍ୟ ଅଂଶ । ଏହା ଆଜିକା ସମୟରେ ଗ୍ରାମାଞ୍ଚଳର ନାରୀ ଏବଂ ସହରାଞ୍ଚଳର ନାରୀ ମଧ୍ୟରେ ଥିବା ଅନ୍ତରକୁ ପରିବେଷିତ କରିବା ।

ଚଳଚ୍ଚିତ୍ର ଟି କୋରାପୁଟ, ଦିଲ୍ଲୀ ଏବଂ ରାଜସ୍ଥାନରେ ଶୂଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଅଛି l ଚଳଚ୍ଚିତ୍ର ପ୍ରଥା ର ଅନ୍ୟାନ୍ୟ ଦାୟିତ୍ୱ ରେ ଯେମିତି କି ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ ଓ ଲାଇନ୍ ପ୍ରଡୁସର ବିଜୟ ପାତ୍ର ଅଛନ୍ତି l ମହୁରତ ଉତ୍ସବର ମଞ୍ଚ ପରିଚାଳନା ଦାୟିତ୍ୱ ରେ ଥିଲେ ଆର.ଜେ ଗୁଡ୍ଡୀ l ଚଳଚ୍ଚିତ୍ର ପ୍ରଥା ର ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l
ଚାଉଳ ପାଇଁ କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର
ଭୁବନେଶ୍ୱର: ଚାଉଳ ପାଇଁ କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର । ୧୫ ଓ ୧୬ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ କାଟକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ । ଗରିବଙ୍କ କଥା ଭୁଲି କେନ୍ଦ୍ର ପାଇଁ ରାଜ୍ୟ ବିଜେପିର ଓକିଲାତି । ଦୂର ହୋଇନି କୋଭିଡର କୁପ୍ରଭାବ । କିନ୍ତୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟବାସୀଙ୍କୁ କେନ୍ଦ୍ର ସରକାର ୫ କେଜି ଚାଉଳରୁ ବଞ୍ଚିତ କରିଛନ୍ତି । ଏହାର ପ୍ରତିବାଦରେ ପ୍ରଥମେ ବିଜେଡି ଗତ ୩ ତାରିଖରେ ପ୍ରେସମିଟ କରିବା ପରେ ପୂର୍ବପରି ୧୦ କେଜି ଦେବାକୁ ଦାବି କରିଥିଲା ।
ଏବେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କ ହକ୍ ପାଇଁ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ । ଆସନ୍ତା ୧୫ ଓ ୧୬ ତାରିଖରେ ସମସ୍ତ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ ବିଜେଡି । ପୂର୍ବପରି ୧୦ କେଜି ଚାଉଳ ଦେବାକୁ ଦଳ ଦାବି କରିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଗରିବଙ୍କ ଭାତହାଣ୍ଡିରୁ କେନ୍ଦ୍ର ଚାଉଳ କାଢି ନେଇଛି । ଏହାଦ୍ବାରା କୃଷକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଖାଦ୍ୟ ସାମଗ୍ରୀ କିଣିବାରେ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ଯାହାର ସିଧା ପ୍ରଭାବ ଚାଷୀଙ୍କ ଉପରେ ପଡ଼ିବ ବୋଲି ବିଜେଡି କହିଛି ।
ଚାଉଳ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ନେଇ କେନ୍ଦ୍ର ବିରୋଧରେ ବିଜେଡି ଋଣହୁଙ୍କାର ଦେବା ପରେ କଂଗ୍ରେସ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛି । ତୁରନ୍ତ କେନ୍ଦ୍ର ସରକାର ଗରିବଙ୍କୁ ପୂର୍ବପରି ୧୦ କେଜି ଚାଉଳ ଦେବା ସହ ଅନୁଦାନ କାଟ୍ ବନ୍ଦ କରି ସବସିଡି ବାବଦ ଅର୍ଥ ଦେବାକୁ କଂଗ୍ରେସ ଦାବି କରଛି । ନହେଲେ ଆଗାମୀ ଦିନରେ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଚେତବାନୀ ଦେଇଛି କଂଗ୍ରେସ । କେନ୍ଦ୍ର ସରକାର ଓଡ଼ିଶା ହିତାଧିକାରୀଙ୍କ ୫ କେଜି ଚାଉଳ କାଟିଥିଲେ ମଧ୍ୟ ବିଜେପି କିନ୍ତୁ ସଂସଦରେ ଚୁପ ରହିଛି । ରାଜ୍ୟ ବିଜେପି ମଧ୍ୟ ରାଜ୍ୟବାସୀଙ୍କ ହକ୍ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିବାକୁ ପଛାଇ ନାହିଁ ।
ନବ ଦାସ ହତ୍ୟା ମାମଲାରେ ରାଜନୀତିକରଣକୁ ବିଜେଡିର ବିରୋଧ
ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ରାଜନୀତିକରଣକୁ ବିଜେଡିର ବିରୋଧ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ସାଂସଦ ସସ୍ମିତ ପାତ୍ର । ନବ ଦାସ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ତଦନ୍ତ ପ୍ରକ୍ରିୟାର ତଦାରଖ କରୁଛନ୍ତି । ତାଙ୍କ ତତ୍ତ୍ବାବଧାନରେ ତଦନ୍ତ କାମ ଆଗେଇଚାଲିଛି । ଏଭଳି ସ୍ଥିତିରେ ଧର୍ମେନ୍ଦ୍ରଙ୍କ ବୟାନବାଜି ଓ ରାଜନୀତିକରଣକୁ ନାପସନ୍ଦ କରିଛନ୍ତି ସସ୍ମିତ । ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ । ଏ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଅନୁଚିତ୍ ବୋଲି କହିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ।
ତୁର୍କୀ ଭୂମିକମ୍ପରେ ନିଖୋଜ ଭାରତୀୟ ନାଗରିକଙ୍କ ମିଳିଲା ଶବ
ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିୟାରେ ଆସିଥିବା ଭୂମିକମ୍ପକୁ ପ୍ରାୟ ୬ ଦିନ ବିତିଯାଇଛି । ଏହି ଭୂମିକମ୍ପରେ ପ୍ରାୟ ୨୫ ହଜାର ଲୋକ ପ୍ରାଣ ହରାଇଛନ୍ତି । ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ହୋଇଥିବା ଆଶଙ୍କା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସତ୍ତ୍ବେ ପ୍ରବଳ ଥଣ୍ଡା ରେସ୍କ୍ୟୁ ଅପରେସନକୁ କରୁଛି ବାଧାପ୍ରାପ୍ତ । ଏହାରି ମଧ୍ୟରେ ତୁର୍କୀ ଏବଂ ସିରିୟାରେ ଆସିଥିବା ଭୀଷଣ ଭୂକମ୍ପ ପରେ ନିଖୋଜ ଥିବା ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଭାରତୀୟ ଦୂତାବାସ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଦୂତାବାସ ଟ୍ୱିଟ କରି କହିଛି, ୬ ଫେବ୍ରୁଆରୀରେ ଭୂମିକମ୍ପ ପରଠୁ ତୁର୍କୀରେ ଜଣେ ଭାରତୀୟ ନାଗରିକ ବିଜୟ କୁମାରଙ୍କ ଶବ ମିଳିଛି ।
ମଲତ୍ୟାରେ ଏକ ହୋଟେଲର ଭଗ୍ନାବଶେଷ ମଧ୍ୟରୁ ତାଙ୍କର ଚିହ୍ନଟ କରାଯାଇଛି । ଭାରତ ତୁର୍କୀରେ ଭୂକମ୍ପ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଅପରେଶନ ଦୋସ୍ତ ଚଲାଇଛି । ଏହାରି ଜରିଆରେ ଭାରତ ତୁର୍କୀ ଲୋକଙ୍କ ସହାୟତା ଦ୍ରୁତତାର ସହ କରୁଛି । ତୁର୍କୀ ଓ ସିରିଆରେ ଭୂକମ୍ପ ପ୍ରପୀଡ଼ିତ ଇଲାକାରେ ଉଦ୍ଧାର ଲାଗି ଅପରେସନ ଦୋସ୍ତ ମିଶନରେ ସେଠାକୁ ଯାଇଛନ୍ତି ଏନଡିଆରଏଫର ୧୫୨ ଜଣିଆ ୩ଟି ଟିମ୍ । ସେପଟେ ଭୂକମ୍ପଜନିତ ସହାୟତା ଲାଗି ଭାରତ ପଠାଇଛି ମେଡିସିନ ଓ ଡାଏଗ୍ନୋଷ୍ଟିକ କିଟ୍ ।

