ପୁରୀ : ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ । ଏଥିପାଇଁ ଆରମ୍ଭ ହୋଲାଣି ବିଜେଡିର ପ୍ରସ୍ତୁତି । ପୁରୀରେ ଅନୁଷ୍ଠିତ ହେବ ବିଜେଡି ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆ ପଡିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ୫୦ ହଜାରରୁ ଅଧିକ କର୍ମୀ ।
ମମିତା ମେହେର ଡିଏନଏ ରିପୋର୍ଟ ମିଶୁନଥିବା ଅଭିଯୋଗ ମିଛ
ଭୁବନେଶ୍ବର : ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲେ । ତେବେ ଗୋବିନ୍ଦ ସାହୁର ସ୍ତ୍ରୀ ଓ ତାଙ୍କ ଓକିଲ ମମିତା ମେହେର DNA ମେଳ ଖାଉନଥିବା ଅଭିଯୋଗ ଆଣିଥିଲେ । ହେଲେ ଏହି ଅଭିଯୋଗକୁ ଉତ୍ତରାଞ୍ଚଳ IG ଦୀପକ କୁମାର ଖଣ୍ଡନ କରିଛନ୍ତି । ଘଟଣାସ୍ଥଳରୁ ପୋଲିସ ଜବତ କରିଥିବା ଜିନିଷ ମମିତାଙ୍କର ଓ ତାଙ୍କ ବାପା, ମା ଙ୍କ ସହିତ DNA ମ୍ୟାଚ୍ ହୋଇଛି । ଯାହା ଲାବୋରେଟୋରୀ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ବୋଲି ଉତ୍ତରାଞ୍ଚଳ IG ସୂଚନା ଦେଇଛନ୍ତି ।
ଉତ୍କଟ ଦାରିଦ୍ର୍ୟସ୍ଥିତି : ବିଶ୍ବରେ ଫେଲ ମାରୁଛି ଦାରିଦ୍ର୍ୟ ଦୂରୀକରଣ ଯୋଜନା
ନୂଆଦିଲ୍ଲୀ : ବିଶ୍ବରେ ଫେଲ ମାରୁଛି ଦାରିଦ୍ର୍ୟ ଦୂରୀକରଣ ଯୋଜନା । ତୀବ୍ର ହେବାରେ ଲାଗିଛି ଦାରିଦ୍ର୍ୟ । ୨୦୨୨ ସୁଦ୍ଧା ବିଶ୍ବରେ ପ୍ରାୟ ୬୮ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ ଭିତରେ ବାସ କରୁଛନ୍ତି ବୋଲି ରିପୋର୍ଟ ଦେଇଛି ବିଶ୍ବବ୍ୟାଙ୍କ ।
୨୦୩୦ ସୁଦ୍ଧା ବିଶ୍ବ ଜନସଂଖ୍ୟାର ୭ ପ୍ରତିଶତ ଅର୍ଥାତ ୫୭ କୋଟି ୪୦ ଲକ୍ଷ ଲୋକ ସର୍ବାଧିକ ଦାରିଦ୍ର୍ୟ ମଧ୍ୟରେ ରହିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୧୯୭୦ ପରେ ବିଶ୍ବ ସବୁଠୁ ଖରାପ ଅବସ୍ଥା ଦେଇ ଗତି କରୁଛି। ପ୍ରଭାବରେ ଚଳିତ ବର୍ଷ ଶେଷ ବେଳକୁ ଉତ୍କଟ ଦାରିଦ୍ର୍ୟ ବୃଦ୍ଧି ପାଇବ । ୨୦୨୦କୁ ବାଦ ଦେଲେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ସବୁଠାରୁ ଖରାପ ସ୍ଥିତି ବୋଲି ବିଶ୍ବବ୍ୟାଙ୍କ ଦର୍ଶାଇଛି ।
କରୋନା ମହାମାରୀର ପ୍ରଭାବ ବ୍ୟତୀତ ଖାଦ୍ୟ ଓ ଶକ୍ତି ମୂଲ୍ୟ ବୃଦ୍ଧି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁ ଏହି ସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୭୩.୩ କୋଟି ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚିନି। ୨୦୩୦ ସୁଦ୍ଧା ୬୭ କୋଟି ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚିନଥିବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।
ବିଶ୍ବରେ ବର୍ତ୍ତମାନ ୭୩ କୋଟି ୩୦ ଲକ୍ଷ ଲୋକ ବିଦ୍ୟୁତରୁ ବଞ୍ଚିତ ହେଉଥିବାବେଳେ ୨୦୩୦ ବେଳକୁ ଏହି ସଂଖ୍ୟା ୬୭ କୋଟିରେ ପହଞ୍ଚିବ । ନିମ୍ନ ଓ ମଧ୍ୟମ ଆୟକରୀ ରାଷ୍ଟ୍ର ବର୍ଗରେ ପ୍ରତି ୧୦୦ ଶିଶୁଙ୍କ ମଧ୍ୟରେ ୬୦ ଜଣ ଶିଶୁ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଏବଂ ୧୦ ଜଣ ଶିଶୁ ସ୍କୁଲ ଯାଇପାରୁନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।
ସଂସଦରେ ପ୍ରବଳ ହଟ୍ଟଗୋଳ , ସପ୍ତାହେ ପୂର୍ବରୁ ବନ୍ଦ ହୋଇପାରେ ଅଧିବେଶନ !
ନୂଆଦିଲ୍ଲୀ : ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ । ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗରେ ଘଟିଥିବା ସଂଘର୍ଷର ଆଲୋଚନା ଦାବିରେ ଗୃହକାର୍ଯ୍ୟ ହୋଇଛି ଅଚଳ । ଗତକାଲି ବିଜେପି ବିରୋଧରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ବୟାନକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ସୃଷ୍ଟି ହେବା ପରେ ଆଜି ଭାରତ-ଚୀନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ସେପଟେ ଗୃହକାର୍ଯ୍ୟ ବାରମ୍ବାର ବିଭ୍ରାଟ ହେଉଥିବାରୁ ସପ୍ତାହେ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ ବନ୍ଦ କରିଦିଆଯିବା ସମ୍ଭାବନା ସୃଷ୍ଟି ହୋଇଛି । ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ଭାରତ-ଚୀନ ପ୍ରସଙ୍ଗ ନେଇ ଆଲୋଚନା କରିବା ଦାବି କରି ହଙ୍ଗାମା ସୃଷ୍ଟି କରିଥିଲେ । ପରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ନାରାବାଜି କରିଥିଲେ ।
ସେପଟେ ସଂସଦ ଅଧିବେଶନ କାଳରେ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଆଲୋଚନା ପାଇଁ ସର୍ବଦଳୀୟ ସାଂସଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ସେହିପରି କଂଗ୍ରେସ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧିଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ଆଲୋଚନା କରିଛନ୍ତି ।
ଡଲଫିନ ଗଣନାରେ ୧୮ଟି ଟିମ୍, ଚଳିତ ବର୍ଷ ସଂଖ୍ୟା ବୃଦ୍ଧି ନେଇ ଆଶା
ଖୋର୍ଦ୍ଧା : ଆଜି ଠାରୁ ଚିଲିକାରେ ଜାରି ରହିଛି ଡ଼ଲଫିନ ଗଣନା । ସାତପଡ଼ା ଓ ବାଲୁଙ୍ଗା ରେଞ୍ଜ ପକ୍ଷରୁ ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ଆସନ୍ତା ୧୩ ତାରିଖ ଯାଏଁ ଜାରି ରହିବ ।ଏହି ଡ଼ଲଫିନ ଗଣନା କାର୍ଯ୍ୟରେ ଉଭୟ ରେଞ୍ଜ’ର ମୋଟ ୧୮ଟି ଟିମ୍ ସାମିଲ ହୋଇଛନ୍ତି । ଏହା ସହିତ ବୋଟ ମାଧ୍ୟମରେ ଚିଲିକା ଭିତରକୁ ଯାଇ ଜିପିଏସ୍,ଲାଇନଟ୍ରାକ୍, ବାଇନାକୁଲର, ଫଟୋଗ୍ରାଫୀ ଓ ଭିଡିଓ ଗ୍ରାଫୀ ମାଧ୍ୟମରେ ମଧ୍ୟ ସର୍ଭେ କରାଯଉଛି । ତେବେ ଗଣନାର ପ୍ରଥମ ଦିନର ସଂକେତ ଅନୁସାରେ ଚଳିତ ଥର ଡ଼ଲଫିନ ସଂଖ୍ୟା ବୃଦ୍ଧି ନେଇ ଆଶା କରାଯାଉଛି ।
ଏହି ଡ଼ଲଫିନ ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ୧୮ଟି ଟିମ୍ ମଧ୍ୟରେ ଚିଲିକା ବନ୍ୟପ୍ରାଣୀ ବନବିଭାଗର କର୍ମଚାରୀ, ଚିଲିକା ଉନ୍ନୟନ ବିଭାଗର ଅଧିକାରୀ , ପରିବେଶବିତ ଓ Ouat ଛାତ୍ର, ଏନଜିଓ ସଂସ୍ଥା,ପୂର୍ବତନ ଅଧିକାରୀ ଓ ବିଭିନ୍ନ ମୋଟର ବୋଟର କର୍ମକର୍ତ୍ତା ଆଦିଙ୍କୁ ମିଶାଇ ମୋଟ ୧୬୦ ଜଣ ସାମିଲ ହୋଇଛନ୍ତି । ୧୦ଟି ଟିମ୍ ବାଲୁଙ୍ଗା ଏବଂ ୮ ଟି ଟିମ ସାତପଡ଼ା ଅଞ୍ଚଳରେ ଡ଼ଲଫିନ ଗଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଆଜି ସକାଳ ୬ଟାରୁ ୧୮ଟି ଟିମ୍ ୧୮ଟି ବୋଟରେ ଚିଲିକାର ଗଭୀର ଜଳରାଶି ମଧ୍ୟରେ ଡ଼ଲଫିନକୁ ଟ୍ରାକ କରିବା ସହ ଗଣନା କରିଛିନ୍ତି । ଗତ ବର୍ଷ ଚିଲିକାରେ ଡ଼ଲଫିନ ସଂଖ୍ୟା ୧୬୭ ଥିଲା । ତେବେ ଚଳିତ ଥର ଗଣନାର ଶେଷ ଦିନ ଅର୍ଥାତ ୨୩ ତାରିଖ ଦିନ ମୋଟ ଡ଼ଲଫିନ ସଂଖ୍ୟା କେତେ ହେଲା ତାହା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରକଶ କରାଯିବ । ଏଥି ସହିତ ଡ଼ଲଫିନ ସଂଖ୍ୟା ସର୍ବାଧିକ ଦେଖାଯାଉଥିବା ରାଜହଂସ ଅଞ୍ଚଳକୁ ଟୁରିଷ୍ଟ ବୋଟ୍ ଗୁଡିକୁ ବାରଣ ମଧ୍ୟ କରାଯାଇଛି ।
ହକି ବିଶ୍ବକପ ପାଇଁ ବିଏମସି ତତ୍ପର ,ଗ୍ରାଉଣ୍ଡ ଜିରୋରୁ କାର୍ଯ୍ୟ ଅନୁଧ୍ୟାନ
ଭୁବନେଶ୍ବର : ହକି ବିଶ୍ବକପ ପାଇଁ ବିଏମସିର ତତ୍ପରତା । ସୁରୁଖୁରୁରେ ବିଶ୍ବକପ ଆୟୋଜନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳ ବିଭାଗଗୁଡ଼ିକ ସହ ସମନ୍ବୟ ରକ୍ଷା କରିବା ଓ କାର୍ଯ୍ୟର ତଦାରଖ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ନିୟମିତ କାର୍ଯ୍ୟକୁ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରାଯାଉଛି ।
ଏହି କ୍ରମରେ ଆଜି ଭୋର ସମୟରୁ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀ ଜୟଦେବ ବିହାର ଛକରୁ 120ବାଟାଲିଅନ, ପାୱାର ହାଉସ ଛକ, ରାଜଭବନ ଛକ ଓ ଏଜି ଛକ ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି । ରାସ୍ତାରେ କେବୁଲ ଝୁଲିବା, ଅଳିଆ ଆବର୍ଜନା ପଡିବା, ମରାମତି କାର୍ଯ୍ୟ, ସୌନ୍ଦର୍ଯ୍ୟକରଣରେ ଆଦିର ତଦାରଖ କରିଛନ୍ତି ଟିମ୍ । ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭି. ମାଥିଭାଥନାନ ଉପସ୍ଥିତ ରହି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । …
ଭିଜିଲାନ୍ସ ପଞ୍ଝାରେ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ, ୩୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ
ଗଜପତି : ଭିଜିଲାନ୍ସ ପଞ୍ଝାରେ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ । କାଶୀନଗର ଏନଏସିର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ବିଲ୍ କରିବା ପାଇଁ ଠିକାଦାରଙ୍କ ଠାରୁ ୩୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କାଶୀନଗର ଏନଏସିର ଏକ ରାସ୍ତା ସହ କେନାଲ ନିର୍ମାଣ କାର୍ଯ୍ୟର ବିଲ୍ କରିବା ପାଇଁ ନେଉଥିଲେ ଲାଞ୍ଚ । ସୂଚନା ପାଇବା ପରେ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ତତ୍ବାବଧାନରେ ଭିଜିଲାନ୍ସର ଏକ ଟିମ ଯନ୍ତ୍ରୀଙ୍କ ବାସଭବନ ନିକଟରେ ଛକି ବସିଥିଲା ।
କାଶୀନଗର ଏନ୍ ଏ ସି ଅନ୍ତର୍ଗତ ପିଡବ୍ଳୁଡି ରୋଡ଼ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓ ବିଜୁ କଲ୍ୟାଣ ମଣ୍ଡପ ଠାରୁ ମେଡିକାଲ ଓ୍ବେର ହାଉସ ପର୍ଯ୍ୟନ୍ତ ୨୦ ଲକ୍ଷ ଲେଖାଏଁ ମୋଟ ୪୦ ଲକ୍ଷ ବ୍ୟୟ ଅଟକଳରେ ରାସ୍ତା ସହ କେନାଲ ନିର୍ମାଣ କାର୍ଯ୍ୟର ଦାୟିତ୍ଵ ନେଇଥିଲେ କୋରିକାନା ନାମକ ଜଣେ ଠିକାଦାର ।
ଉଭୟ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ମଧ୍ୟବର୍ତ୍ତୀ ରନିଂ ବିଲ୍ କରିବା ବାବଦକୁ ଲାଞ୍ଚ ମାଗିଥିଲେ ଯନ୍ତ୍ରୀ । ଲାଞ୍ଚ ନ ଦେଲେ ଫାଇନାଲ ବିଲ୍ କରିବେ ନାହିଁ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଭିଜିଲାନ୍ସ ଅଭିଯୋଗ କରିଥିଲେ ଠିକାଦାର । ତେବେ ଆଜି ଲାଞ୍ଚ ନେବା ବେଳେ ଧରାପଡିଥିଲେ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ।

