spot_img
Home Blog Page 3663

କାଶ୍ମୀରରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ଜମ୍ମୁ କାଶ୍ମୀର : କାଶ୍ମୀରରେ କଂଗ୍ରେସର ଭାରତ ଯୋଡ ଯାତ୍ରା । ଆଜି ସକାଳୁ ଜାମ୍ମୁ ନାଗରୋଟାରୁ ପଦଯାତ୍ରା ଆରମ୍ଭ ହୋଇଛି । ସନ୍ଧ୍ୟା ସୁଦ୍ଧା ପଦଯାତ୍ରା ଉଦ୍ଧମପୁରରେ ପହଞ୍ଚିବ । ସକାଳ ପ୍ରାୟ ୮ଟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ହଜାର ହଜାର ସମର୍ଥକ ଓ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଗତକାଲି ସତଓ୍ବାରୀ ଚୌକରେ ଜନସଭାକୁ ସମ୍ବୋଧିତ କରିଥିଲେ ରାହୁଲ ।

କାଶ୍ମୀର ପ୍ରତି କେନ୍ଦ୍ରର ଅବହେଳାକୁ ନେଇ ରାହୁଲ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । କେନ୍ଦ୍ର ସରକାର କାଶ୍ମୀରବାସୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି ବୋଲି ରାହୁଲ କହିଥିଲେ । ସେହି ରାଲିରେ ବାଲାକୋଟ ବିସ୍ଫୋରଣ ଓ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ବିଜେପି ଉପରେ ବର୍ଷିଥିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକର କିଛି ପ୍ରମାଣ ନାହିଁ, କେନ୍ଦ୍ର ସରକାର ମିଛ କହୁଛନ୍ତି ବୋଲି ଦିଗବିଜୟ କହିଥିଲେ । ଯାହାକୁ ନେଇ ରାଜନୀତି ଜୋର ଧରିଛି ।

ଆମେରିକାରେ ଭାରତୀୟଙ୍କୁ ଛଟେଇ, ଚାକିରି ନ ମିଳିଲେ ସରିଯିବ ଭିସା

ନୂଆଦିଲ୍ଲୀ: ଆମେରିକାର ବହୁ ବଡ଼ ବଡ଼ କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସାରିଲାଣି । ଗୁଗୁଲ, ମାଇକ୍ରୋସଫ୍ଟ , ଫେସବୁକ ଏବଂ ଆମାଜନ ଭଳି କମ୍ପାନୀରେ କାମ କରୁଥିବା କର୍ମଚାରୀ ଚାକିରି ହରେଇ ସାରିଲେଣି । ଏହାରି ଭିତରେ ଚିନ୍ତାରେ ଅଛନ୍ତି ସେଠାକାର ଭାରତୀୟ । ସେଠାରେ ଆଇଟି କମ୍ପାନୀରେ କାମ କରୁଥିବା ହଜାର ହଜାର ଭାରତୀୟ  ଚାରିରି ହରେଇ ସାରିଲେଣି ।

ସେଠାରେ ଭାରତୀୟଙ୍କ ଅବସ୍ଥା ଏପରି ହୋଇଛି ଯେ, ଯଦି ସେଠାରେ ରହିବାକୁ ଚାହୁଁଛନ୍ତି ତାହାଲେ ୬୦ ଦିନ ଭିତରେ ଚାକିରି ଖୋଜିବାକୁ ପଡ଼ିବ । ଯଦି ଚାକିରି ନମିଳିଲା ତାହାଲେ ଘରକୁ ଫେରିବା ଛଡ଼ା ଆଉ କିଛି ଉପାୟ ନାହିଁ । କରୋନା ପରଠାରୁ ବହୁ କମ୍ପାନୀରେ ଆଇଟି କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି ।  ଏମାନଙ୍କ ମଧ୍ୟରୁ ୩୦ରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ ।

ଚାକିରି ନମିଳିଲେ ଭିସାର ଅବଧି ଶେଷ ହୋଇଯାଏ । ଏବେ ସେଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଭାରତୀୟ ଚାକିରି ଖୋଜି ଖୋଜି ହନ୍ତସନ୍ତ ହେଉଛନ୍ତି । ଯଦି ଚାକିରି ନ ମିଳିଲେ ଯାଗା ବାଡ଼ି ବିକି ଘରକୁ ଫେରିବା ଛଡ଼ା ଭାରତୀୟଙ୍କ ପାଖରେ ଆଉ କିଛି ବାଟ ନାହିଁ ।

ଦୁବାଇ ସ୍ଥିତ ଭାରତୀୟ ଦୂତାବାସରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ 

ଦୁବାଇ : ବିଦେଶ ମାଟିରେ ମହାନ ବିପ୍ଲବୀଙ୍କୁ ମନେପକାଇଲେ ଓଡ଼ିଆ । ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ତମ ଜନ୍ମ ବାର୍ଷିକୀକୁ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରେ ପାଳନ କରାଯାଇଛି। ଦୁବାଇର ଭାରତୀୟ ଦୂତାବାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁବାଇର ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ସାମିଲ ହୋଇ ବୀର ସୁରେନ୍ଦ୍ର ସାଏଙ୍କ ସାହସିକତା ଏବଂ ବୀରତ୍ୱକୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ମଧ୍ୟ ପାଳନ କରାଯାଇଥିଲା ଯାହା ‘ପରାକ୍ରାମ ଦିବସ’ ଭାବରେ ପାଳନ କରାଯାଏ।

ଦୁବାଇର ଭାରତୀୟ କନସୁଲ୍ ଜେନେରାଲ୍ ଡକ୍ଟର ଅମନ ପୁରୀ ଏହି ଅବସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇ ଟାଣୁଆ ନେତା ଯଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଦୁହିଁଙ୍କ ଅଦମ୍ୟ ସାହସ ଏବଂ ଦେଶପ୍ରେମର ଉଦାହରଣ ଦେଇଥିଲେ। ସମାବେଶକୁ ସମ୍ବୋଧିତ କରି ଅମନ ପୁରୀ କହିଛନ୍ତି ଯେ ‘ବୀର ସୁରେନ୍ଦ୍ର ସାଏ ଜଣେ ଆଦର୍ଶ ଏବଂ ଆଜି ଆମ ସମସ୍ତଙ୍କ ପାଇଁ ତାଙ୍କ ବଳିଦାନ ବିଷୟରେ ଅଧିକ ଜାଣିବା ପାଇଁ ଏକ ସୁଯୋଗ’। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୮ରେ ଉଦ୍ଘାଟିତ ହୋଇଥିବା ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇ ଦେଶ ତରଫରୁ ସାହସୀ ଦେଶପ୍ରେମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଏହି ଅବସରରେ ପାରମ୍ପାରିକ ଭାବେ ପ୍ରଦୀପ ପ୍ରଜ୍ବଳିତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ପରେ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସମାବେଶ ସ୍ଥଳୀରେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଏବଂ ସେହି ସମୟର ସଂଗ୍ରାମ ଉପରେ ଏକ ଭିଡିଓ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ବିଶିଷ୍ଟ ପ୍ରବାସୀ ଓଡିଆ ତଥା ଓଡ଼ିଆ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟ କ୍ୟାପଟେନ ସୌମ୍ୟ ରଂଜନ ପଟ୍ଟନାୟକ, ବୀର ସୁରେନ୍ଦ୍ର ସାଏଙ୍କ ସଂକ୍ଷିପ୍ତ ଜୀବନ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ବୀର ସୁରେନ୍ଦ୍ର ସାଏ କିପରି ନିଜର ବୀରତ୍ୱ ଏବଂ ସାହସିକତା ସହିତ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଓଡିଆଙ୍କୁ ପ୍ରେରଣା ଯୋଗାଉଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ। ସେ ୧୮ବର୍ଷ ବୟସରେ ସୁରେନ୍ଦ୍ର ସାଏଙ୍କ ପ୍ରଥମ ବିଦ୍ରୋହ ଏବଂ ୧୮୫୭ର ସିପାହୀ ବିଦ୍ରୋହରେ ଅଂଶଗ୍ରହଣ ବିଷୟରେ ମଧ୍ୟ କହିଥିଲେ।

ବିଶ୍ୱର କୌଣସି ଦୂତାବାସରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇ ନଥିବାବେଳେ ଦୁବାଇ ସ୍ଥିତ ଦୂତାବାସରେ ପ୍ରଥମ ଥର ପାଇଁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଥିଲା। ଏହି ସ୍ମୃତିଚାରଣ ସମଗ୍ର ଓଡିଆଙ୍କ ପାଇଁ ଏକ ଭାବପ୍ରବଣ ମୂହୁର୍ତ୍ତ ଥିଲା ବୋଲି କହିଛନ୍ତି ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ। ପ୍ରିୟଦର୍ଶୀ ଏହା ମଧ୍ୟ କହିଛନ୍ତି ଯେ, ସୁରେନ୍ଦ୍ର ସାଏ ମୋଟ ୩୭ ବର୍ଷ କାରାଦଣ୍ଡ ଭୋଗିଛନ୍ତି (୧୭ ଏବଂ ୨୦ ବର୍ଷର ଦୁଇଟି ପର୍ଯ୍ୟାୟରେ) ବୋଧହୁଏ ଦୁନିଆର ସବୁଠୁ ଦୀର୍ଘତମ ସମୟ କାରାଦଣ୍ଡରେ ବିତାଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଅନ୍ୟତମ। ସୁରେନ୍ଦ୍ର ସାଏଙ୍କୁ ଜଣେ ଅଜ୍ଞ ନାୟକ ବୋଲି କହି ପ୍ରିୟଦର୍ଶୀ କହିଛନ୍ତି ଯେ, ତାଙ୍କର ସଂଗ୍ରାମ ତଥା ବଳିଦାନର ପ୍ରଚାର କରିବା ପାଇଁ ଆହୁରି ଅନେକ କିଛି କରିବା ଆବଶ୍ୟକତା ରହିଛି।

ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଏବଂ ସେହି ସମୟକୁ ଲୋକଙ୍କ ହୃଦୟରେ ସାଇତି ରଖିବା ପାଇଁ ତାଙ୍କ ସହ ଜଡିତ ବସ୍ତୁ ବିଶେଷକୁ ଡ଼କ୍ୟୁମେଂଟିଂ ବା ଲିଖିତ ଆକାରରେ ରଖିବା ପାଇଁ ବୈଠକରେ ଆଲୋଚନା ହୋଇଛି। ତେବେ ଆନୁଷ୍ଠାନିକ ଭାବେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ ଏକ ଡ଼କ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

ୟୁଏଇର ଦୁବାଇରେ କ୍ରମାଗତ ଚତୁର୍ଥ ବର୍ଷ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ପାଳନ ହୋଇଆସୁଛି। ଜାନୁଆରୀ, ୨୦୨୦ରେ ଭାରତ ବାହାରେ ଦୁବାଇରେ ଏହା ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ଏବଂ ସେହି ଦିନଠାରୁ ଏହାକୁ ପ୍ରତିବର୍ଷ ପାଳନ କରାଯାଉଛି । କୋଭିଡ ଯୋଗୁଁ ୨୦୨୨ରେ ଅନଲାଇନ୍ ମାଧ୍ୟମରେ ସ୍ମୃତିଚାରଣ କରାଯାଇଥିଲା।

ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଦୁର୍ବ୍ୟବହାର କରି ଯାତ୍ରୀ ଗିରଫ

ହାଇଦ୍ରାବାଦ : ବିମାନରେ କ୍ରିଉ ମେମ୍ବରଙ୍କୁ ଦୁର୍ବ୍ୟବହାର କରି ଯାତ୍ରୀ ଗିରଫ । ଦିଲ୍ଲୀରୁ ହାଇଦ୍ରାବାଦ ଆସୁଥିବା ସ୍ପାଇସଜେଟରେ ମହିଳା କ୍ରିଉ ମେମ୍ବରଙ୍କୁ ଯାତ୍ରୀ ଜଣଙ୍କ ଦୁର୍ବ୍ୟବହାର ଦେଖାଇଥିଲେ । ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି ।

ଯାତ୍ରୀ ଜଣଙ୍କ ଦିଲ୍ଲୀ ଜାମିଆ ନଗରର ଅବସର ଆଲାମ ବୋଲି ଜଣାପଡ଼ିଛି । ଅବସରଙ୍କ ସହ ଅନ୍ୟ ଜଣେ ଯାତ୍ରୀ ମଧ୍ୟ ଥିଲେ । ହାଇଦ୍ରାବାଦରେ ବିମାନ ଅବତରଣ କରିବା ପରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । କ୍ରିଉ ମେମ୍ବରଙ୍କୁ ଯାତ୍ରୀଜଣଙ୍କ ଦୁର୍ବ୍ୟବହାର କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସାଧାରଣତନ୍ତ୍ର ଦିବସ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ଗାନ୍ଧୀମାର୍ଗରେ ଫୁଲ୍ ଡ୍ରେସ୍ ରିହର୍ସାଲ

ଭୁବନେଶ୍ବର : ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥର କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଏଥିପାଇଁ ଆଜି ଗାନ୍ଧୀମାର୍ଗରେ ହେଲା ଫୁଲଡ୍ରେସ ରିହର୍ସାଲ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ହୋଇଛି ଫାଇନାଲ ପ୍ରାକ୍ଟିସ୍ ।

ଗାନ୍ଧୀ ମାର୍ଗରେ ୪୩ରୁ ଉର୍ଦ୍ଧ୍ବ ଟ୍ରୁପ କରିଛନ୍ତି ଅଭ୍ୟାସ । ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କ ଅଂଶ ଗ୍ରହଣ । ଏହା ବ୍ୟତୀତ ବାଇକରେ ଡେୟାରଡେଭିଲ ଦୁଃଶାହସିକ କଳା ପ୍ରଦର୍ଶନ ସମେତ ଓଡିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ରିହାରସେଲ କରାଯାଇଛି ।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ, ବାଘନାଚ, ଭାଲୁ ନାଚ ପ୍ରଦର୍ଶନ ହୋଇଛି । ତ୍ରୀସ୍ତରୀୟ ସୁର୭ା ବ୍ୟାବସ୍ଥାରେ ରହିବ ଗାନ୍ଧିମାର୍ଗ । ସୁରକ୍ଷା ଦାୟିତ୍ବରେ ରହିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ୨ଶହ ବଛାବଛା ଅଧିକାରୀ ଓ ବନ୍ଧୁକଧାରୀ ପୋଲିସ ନିୟୋଜିତ ହେବେ । ଚଳିତ ବର୍ଷ ପରେଡ କମାଣ୍ଡିଂ କରୁଛନ୍ତି କେସିଙ୍ଗା ଏସଡିପିଓ ୟସପ୍ରତାପ ଶ୍ରୀମାଲ ।

ଆମେରିକାର ସ୍କୁଲରେ ପୁଣି ଫୁଟିଲା ଗୁଳି, ୯ ଜଣଙ୍କ ମୃତ୍ୟୁ

ଓ୍ବାଶିଂଟନ : ଗୋଟିଏ ଦିନରେ ଆମେରିକାର ଗୁଳିବର୍ଷା । ୩ଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍କୁଲରେ ଗୁଳିକାଣ୍ଡରେ ୨ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି । ଡେଲ୍ ମୋଇନେସ ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍‌କୁ ଲୋକ ଅଟକାଇ ୩ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଜିମା ଦିଆଯାଇଛି । ୨ ଛାତ୍ରଙ୍କୁ ମିଶାଇ ମୋଟ୍ ମୃତକଙ୍କ ସଂଖ୍ୟା ୯ ରହିଛି ।

ଉତ୍ତର କାର୍ଲିଫର୍ଣ୍ଣିଆ ଓ ଲୋୱାରେ ଫୁଟିଛି ଗୁଳି । ଉତ୍ତର କାର୍ଲିଫର୍ଣ୍ଣିଆର ହାଫ୍ ମୁନ୍ ବେ, ସାନ ଫ୍ରାନସିସକୋର ଦକ୍ଷିଣର ୨ଟି ସ୍ଥାନରେ ହୋଇଛି ଗୁଳିମାଡ଼ । ଗୁଳିମାଡ଼ରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ଆହତ ହୋଇଛନ୍ତି । ଏବେସୁଦ୍ଧା ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋ ଇନଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ମାଉଣ୍ଟେନ ମସରୁମ୍ ଫାର୍ମରେ ଗୁଳିକାଣ୍ଡରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ପୂର୍ବରୁ ଦକ୍ଷିଣ କାର୍ଲିଫର୍ଣ୍ଣିଆର ଡ୍ୟାନ୍ସିଂ ହଲରେ ୧୧ ଜଣଙ୍କୁ ଗୁଳି କରି ନିଜେ ନିଜକୁ ମାରିଦେଇଥିଲା ଜଣେ ୭୨ ବର୍ଷୀୟ ଅଭିଯୁକ୍ତ ।

ହକି ବିଶ୍ବକପରେ ଆଜିଠୁ କ୍ବାର୍ଟର ଫାଇନାଲ ମୁକାବିଲା

ଭୁବନେଶ୍ବର :  ହକି ବିଶ୍ବକପରେ ଆଜିଠାରୁ ଆରମ୍ଭ କ୍ବାର୍ଟର ଫାଇନାଲ ପର୍ଯ୍ୟାୟ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆଜି ଦୁଇଟି ମ୍ୟାଚ । ଅପରାହ୍ନ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ହେବ ପ୍ରଥମ କ୍ବାର୍ଟର ଫାଇନାଲ ଟକ୍କର । ସେହିପରି ସଂଧ୍ୟା ୭ଟାରେ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡସ ।

କ୍ବାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହୋଇଥିବାରୁ ହକିପ୍ରେମୀଙ୍କୁ ମଧ୍ୟରେ ଉତ୍କଣ୍ଠା ବଢିଛି । ସେପରେ ଗତକାଲି ଶେଷ ଟିମ ଭାବେ କ୍ବାର୍ଟରରେ ପ୍ରବେଶ କରିଛି କୋରିଆ । ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛି କୋରିଆ । ସେହିପରି ପ୍ରଥମ କ୍ରସଓଭରରେ ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ । ସପ୍ତମ ଦେଶ ଭାବେ ଫ୍ରାନ୍ସ କୁ ୫-୧ ଗୋଲରେ ହରାଇ କ୍ବାର୍ଟର ଫାଇନାଲରେ ପହଞ୍ଚିଛି ଜର୍ମାନୀ । ଫଳରେ ଅଷ୍ଟ୍ରେଲିଆ, ସ୍ପେନ୍, ବେଲଜିୟମ, ନିଉଜିଲ୍ୟାଣ୍ଡ, ନେଦରଲାଣ୍ଡସ, କୋରିଆ, ଇଂଲଣ୍ଡ, ଜର୍ମାନୀ କ୍ବାର୍ଟରରେ ପ୍ରବେଶ କରିଛନ୍ତି ।

ଆଜି ଓ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଖେଳାଯିବ କ୍ବାର୍ଟର ଫାଇନାଲର ସମସ୍ତ ୪ଟି ମ୍ୟାଚ୍ । ଆଜି ଅଷ୍ଟ୍ରେଲିଆ-ସ୍ପେନ ଓ ବେଲଜିୟମ- ନ୍ୟୁଜିଲାଣ୍ଡ ଟକ୍କର ହେବାକୁ ଥିବା ବେଳେ ଆସନ୍ତାକାଲି ନେଦରଲ୍ୟାଣ୍ଡସ୍- କୋରିଆ ଓ ଇଂଲଣ୍ଡ- ଜର୍ମାନୀ ମଧ୍ୟରେ ହେବ ମୁକାବିଲା ।

ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ; କ୍ଲିନସ୍ବିପ୍ ଲକ୍ଷ୍ୟରେ ମେନ ଇନ୍ ବ୍ଲୁ

ଇନ୍ଦୋର :  ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ । ଇନ୍ଦୋରରେ ଖେଳାଯିବ ମ୍ୟାଚ । ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଦୁଇଟି ମ୍ୟାଚ ଜିତି ୩ ଟିକିଆ ସିରିଜ ଉପରେ ପୂର୍ବରୁ କବଜା କରିସାରିଛି ଭାରତ । ତେଣୁ ସିରିଜ୍ କ୍ଲିନସ୍ବିପ୍ ଲକ୍ଷ୍ୟରେ ମ୍ୟାନ ଇନ୍ ବ୍ଲ୍ୟୁ । ଦିନ ୧.୩୦ରେ ଖେଳାଯିବ ମ୍ୟାଚ ।

ପୂର୍ବରୁ ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ଭାରତ । ଭ୍ରମଣକାରୀ ଦଳକୁ ୮ ଓ୍ବିକେଟରେ ହରାଇଥିଲା ଟିମ୍ ଇଣ୍ଡିଆ । ସେହିପରି ହାଇଦ୍ରାବାଦରେ ପ୍ରଥମ ଦିନିକିଆକୁ ୧୨ ରନରେ ଜିତିଥିଲା ଭାରତ । ଆଜିର ମ୍ୟାଚ ଜିତି ଭାରତ ସିରିଜ ପୋଛିବା ଚକ୍କରରେ ଥିବାବେଳେ ସେପଟେ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ଏକଦିବସୀୟ ସିରିଜ ପରେ ଫେବ୍ରୁଆରୀ 1ରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜ

ଆଜି ଦିଲ୍ଲୀ ମେୟର ଓ ଡେପୁଟୀ ମେୟର ନିର୍ବାଚନ

ନୂଆଦିଲ୍ଲୀ : ଆଜି ନିର୍ବାଚିତ ହୋଇପାରନ୍ତି ଦିଲ୍ଲୀ ମେୟର ଓ ଡେପୁଟୀ ମେୟର । ଗତ ଜାନୁଆରୀ ୬ ତାରିଖରେ ଦିଲ୍ଲୀ ପୌର ସଦନର ବୈଠକରେ ହଙ୍ଗାମା ହୋଇଥିବାରୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଆପ୍ ଓ ବିଜେପି ମଧ୍ୟରେ କନ୍ଦଳ ବଢିବାରୁ ନିର୍ବାଚନ ହୋଇପାରି ନଥିଲା ।

ଗତ ଡିସେମ୍ବର ୪ ତାରିଖରେ ମହାନଗର ନିଗମ ଭୋଟ ଅନୁଷ୍ଠିତ ହୋଇଥିବାବେଳେ ୭ ତାରିଖରେ ହୋଇଥିଲା ଗଣତି । ୨୫୦ ଆସନ ବିଶିଷ୍ଟ ନିଗମରେ ଆପ୍ ୧୩୪ଟି ଆସନ ହାସଲ କରିଥିବାବେଳେ ବିଜେପି ୧୦୪ଟି ଆସନ ପାଇଥିଲା । କଂଗ୍ରେସ ୯ଟିରେ ସନ୍ତୁଷ୍ଟ ହୋଇଥିଲା । ମେୟର ଲାଗି ଆପର ପ୍ରାର୍ଥୀ ଶେଲୀ ଓବରୟ ଥିବାବେଳେ ବିଜେପିର ପ୍ରାର୍ଥୀ ଅଛନ୍ତି ରେଖା ଗୁପ୍ତା ।

ଗତବର୍ଷ କେନ୍ଦ୍ର ସରକାର ଏକ ଆଇନ ଆଣି ଉତ୍ତରଦିଲ୍ଲୀର ୧୦୪ ଓ୍ବାର୍ଡ, ଦକ୍ଷିଣ ଦିଲ୍ଲୀର ୧୦୪ ଓ୍ବାର୍ଡ ଓ ପୂର୍ବ ଦିଲ୍ଲୀର ୬୪ ଓ୍ବାର୍ଡକୁ ମିଶ୍ରଣ କରି ମୋଟ ଓ୍ବାର୍ଡ ସଂଖ୍ୟା ୨୫୦ ରଖିଥିଲେ । ମନୋନୀତ ସଦସ୍ୟକୁ ପ୍ରଥମେ ଶପଥ ପାଠ କରାଇବା ଜିଦରେ ଅଟଳ ରହିଥିଲା ବିଜେପି । ସେପଟେ ନିର୍ବାଚିତ ସଦସ୍ୟଙ୍କୁ ପ୍ରଥମେ ଶପଥ ପାଠ କରାଇବା ଦାବିରେ ଆପ୍ ଅଟଳ ଥିଲା । ଏହାକୁ ନେଇ ଦିଲ୍ଲୀରେ ହାଇଡ୍ରାମା ହେବାରୁ ମେୟର ନିର୍ବାଚନ ବାତିଲ ହୋଇଥିଲା ।

ଜେପି ହସ୍ପିଟାଲରେ ଭଙ୍ଗାରୁଜା ଅଭିଯୋଗରେ ୪ ଜଣ ଗିରଫ

ରାଉରକେଲା: ରାଉରକେଲା ଦାଣ୍ଡିଆପାଲି ଜେପି ହସ୍ପିଟାଲରେ ଭଙ୍ଗାରୁଜା ଅଭିଯୋଗରେ 4 ଅଭିଯୁକ୍ତ ଗିରଫ । ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ 17 ତାରିଖ ଦିନ ଘଟିଥିଲା ଘଟଣା । ସଡକ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ଯୁଵକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁକୁ କେନ୍ଦ୍ର କରି ହସ୍ପିଟାଲରେ ଵ୍ୟାପକ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକେ ।

ହସ୍ପିଟାଲର ଝରକା, କବାଟ, ଟିଭି ଓ କମ୍ପ୍ୟୁଟର ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ହୋଇଥିଲା ଆକ୍ରମଣ । ଶହେରୁ ଅଧିକକଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଆଜି 4 ଜଣଙ୍କୁ ଗିରଫ କରିଛି । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ପକ୍ଷରୁ ପୋଲିସ ଡ଼ିଜି, ରାଉରକେଲା ଏସପି ଓ ଡିଆଇଜିଙ୍କ ନିକଟରେ ଦାବି କରାଯାଇଛି ।