କିଭ୍: ୟୁକ୍ରେନରେ ହେଲିକପ୍ଟର କ୍ରାସ । ପ୍ରାଣ ହରାଇଛନ୍ତି ଜଣେ ମନ୍ତ୍ରୀଙ୍କ ସମେତ ୧୮ଜଣ । ୟୁକ୍ରେନ ରାଜଧାନୀ କିଭ୍ ନିକଟସ୍ଥ ବ୍ରୋଭାରିରେ ଘଟିଛି ଦୁର୍ଘଟଣା । ହେଲିକପ୍ଟରଟି ଏକ କିଣ୍ଡରଗାର୍ଟନରେ ଖସିପଡିବା ସହ ଜଳିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୟୁକ୍ରେନର ଗୃହମନ୍ତ୍ରୀ ଦେନିସ ମୋନାସ୍ତ୍ରିସ୍କି । ହେଲିକପ୍ଟରରେ ଥିବା ମନ୍ତ୍ରୀ ଦେନିସଙ୍କ ଡେପୁଟି ୟେଭେନ ୟେନିନ ଓ ଗୃହ ମନ୍ତ୍ରାଳୟର ସଚିବ ୟୁରିଲ ଲୁବକୋଭିଚ ବି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ଶିଶୁ । ଦୁର୍ଘଟଣାରେ ଆହତ ୨୨ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କେତେକ ଶିଶୁ ଥିବା ସୂଚନା ମିଳିଛି । କିଣ୍ଡରଗାର୍ଟନରେ ହେଲିକପ୍ଟରଟି ଖସିପଡିବା ଯୋଗୁ ସେଠାରେ କେତେକ ଶିଶୁ ମୃତାହତ ହୋଇଥିଲେ । ଘନକୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି ।
ପୁଣି ପଦାକୁ ଆସିଲା ତାଲିବାନୀ ବର୍ବରତା, ଷ୍ଟାଡିଅମରେ ସର୍ବସମ୍ମୁଖରେ ଅଭିଯୁକ୍ତ ୯ ଜଣଙ୍କୁ ଅମାନୁଷିକ ଦଣ୍ଡ
କାବୁଲ: ପୁଣି ପଦାକୁ ଆସିଲା ତାଲିବାନୀ ବର୍ବରତା । ଚୋରି ଅଭିଯୋଗରେ ଚାରି ଜଣଙ୍କ ହାତ କାଟିଦେଲା ତାଲିବାନ । କାନ୍ଦାହାରସ୍ଥିତ ଅହମ୍ମଦ ଶାହୀ ଷ୍ଟାଡିୟମରେ ସର୍ବସମ୍ମୁଖରେ ଘଟିଛି ଘଟଣା । ଚୋରି ତଥା ଯୌନଗତ ଅଭିଯୋଗ କ୍ରମେ ୯ ଜଣଙ୍କୁ ଷ୍ଟାଡିୟମରେ ଦଣ୍ଡ ଦିଆଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ହାତ କାଟିଦିଆଯାଇଛି । ଅଭିଯୁକ୍ତମାନଙ୍କୁ ୩୫ରୁ ୩୯ ଥର ଲେଖାଁଏ ଆଘାତ କରାଯାଇଥିଲା ବୋଲି କହିଛନ୍ତି ଗଭର୍ଣ୍ଣରଙ୍କ ମୁଖପାତ୍ର ହାଜି ଜୈଦ । ତାଲିବାନ ଶାସନ ପରଠାରୁ ଦେଶରେ ସର୍ବସମ୍ମୁଖରେ ଏହି ଧରଣର ବର୍ବରତା ପ୍ରକାଶ ପାଉଛି ବୋଲି ବିଭିନ୍ନ ମହଲରୁ କୁହାଯାଇଛି ।
ତଥାକଥିତ ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶରେ ଦେଶରେ ବିଭିନ୍ନ ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ନିର୍ଯାତନା ଓ ଏପରିକି ମୃତ୍ୟୁଦଣ୍ଡ ଦିଆଯାଉଥିବାରୁ ଆତଙ୍କ ପ୍ରକାଶ ପାଇଛି । ଗତବର୍ଷ ନଭେମ୍ବର ପରଠାରୁ ଦେଶରେ ଉଭୟ ୧୦୦ ମହିଳା ଓ ପୁରୁଷଙ୍କୁ ଏପରି ଦଣ୍ଡ ଦିଆଯାଇଥିବା ସୂଚନା ମିଳିଛି । ଚୋରି, ସାମାଜିକ ନିୟମ ଉଲ୍ଲଂଘନ, ଅନୈତିକ ସମ୍ପର୍କ ଆଦି କାରଣକୁ ନେଇ ଏହି ଦଣ୍ଡ ଦିଆଯାଉଥିବା କୁହାଯାଇଛି । ଗତ ଅଗଷ୍ଟ ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରେ ପ୍ରଥମ ଥର ଲାଗି ଗତବର୍ଷ ଡିସେମ୍ବର ୭ ତାରିଖରେ ଫାରା ସିଟିରେ ଜଣେ ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
ପ୍ରତାରିତ ପ୍ରେମୀଙ୍କ ପ୍ରଥମ ପସନ୍ଦ ବେବଫା ଚା’ବାଲା, ଲାଗୁଛି ଲମ୍ବା ଲାଇନ
ଲକ୍ଷ୍ନୌ: ଭାରତରେ ଚା’ଖଟି ଏକ ନିତିଦିନିଆ କାହାଣୀ । ବହୁ ସମୟରେ ଏହି ଚା ଖଟିରୁ କେତେ ଯେ କାହାଣୀ ଖବରର ଶିରୋନାମା ପାଲଟିଯାଏ। କିନ୍ତୁ ଉତ୍ତର ପ୍ରଦେଶର ଜଣେ ଏଭଳି ଚା ବ୍ୟବସାୟୀଙ୍କ ଚର୍ଚ୍ଚା ଏବେ ସବୁଠି । କାରଣ ଏହି ଦୋକାନର ନାମ ବେବଫା ଚା’ବାଲା । ଏଭଳି ଅଜବ ନାଁ ଶୁଣି ଆପଣଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥାଇପାରେ । ହେଲେ ଦୋକାନୀଙ୍କ ମୁହଁରୁ ଏହାର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ହାପୁଡ ଜନପଦର ଧୌଲଲାନାରେ ଖୋଲିଛି ଏହି ଭିନ୍ନ ଚା’ ଦୋକାନ । ପ୍ରେମରେ ପ୍ରତାରଣା ପାଇଥିବା ବ୍ୟକ୍ତିଙ୍କ ପାଇଁ କିନ୍ତୁ ବ୍ୟବସାୟୀଙ୍କ ଅଜବ ଦରଦ । ପ୍ରେମରେ ଧୋକା ଖାଇଥିବା ଯୁବକ ଯୁବତୀଙ୍କୁ ବ୍ୟବସାୟୀ ଦେଉଛନ୍ତି ସ୍ପେଶାଲ ଅଫର୍ । ଆଜ୍ଞା ହଁ ଯଦି ଆପଣ ପ୍ରେମରେ ଧୋକା ଖାଇଛନ୍ତି ତେବେ କେବଳ ୧୦ ଟଙ୍କା ଦେଇ ଆପଣ ଚା’ ପିଇପାରିବେ । କିନ୍ତୁ ଯଦି ଆପଣ ପ୍ରେମିକ ବା ପ୍ରେମିକାଙ୍କ ସହ ଏଠାକୁ ଚା ପିଇବାକୁ ଆସନ୍ତି ଏଥିପାଇଁ ୧୫ ଟଙ୍କା ଦେବାକୁ ପଡିଥାଏ
ଆପଣ ଭାବୁଥିବେ ବ୍ୟବସାୟୀଙ୍କ ଏଭଳି ନିଷ୍ପତ୍ତି କାହିଁକି ? ସେ ଖୋଦ୍ ପ୍ରେମରେ ଧୋକା ଖାଇଛନ୍ତି କି ? ନା ସେ ପ୍ରେମରେ ଧୋକା ଖାଇ ନାହାନ୍ତି । ହେଲେ ନିଜ ବନ୍ଧୁ ମାନଙ୍କୁ ଦେଖି ଦୋକାନର ଏକ ୟୁନିକ୍ ନାଁ ସେ ରଖିଛନ୍ତି । ଦୋକାନୀଙ୍କ କହିବା କଥା ଯେ, ଅଧିକାଂଶ ସମୟରେ ତାଙ୍କ ସାଙ୍ଗ ମାନେ ପ୍ରେମରେ ପ୍ରତାରଣା ପାଇ ବନ୍ଧୁଙ୍କ ପରାମର୍ଶ ଚାହୁଁଥିଲେ । ଏଭଳି ଅନେକ ବନ୍ଧୁଙ୍କ ହୃଦୟ ଭାଙ୍ଗିଥିବା ସେ ଜାଣିବାକୁ ପାଇଥିଲେ । ଆଉ ସେହି ସାଙ୍ଗମାନଙ୍କ ଠୁ ପ୍ରେରଣା ପାଇ ଚା’ ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ ବ୍ୟବସାୟୀ । ସେବେଠାରୁ ବେବଫା ଚା ବ୍ୟବସାୟୀଙ୍କ ଦୋକାନରେ ପ୍ରେମିକଙ୍କ ଭିଡ ଜମୁଛି । ଅଧିକାଂଶ ଯୁବପୀଢୀଙ୍କ ପ୍ରଥମ ପସନ୍ଦ ପାଲଟିଛି ବେବଫା ଚା ଦୋକାନୀ ।
ଆଜିଠୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ୍, ଶ୍ରେୟସ ଆୟାର ବାଦ୍
ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ୍ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆଜି ହାଇଦ୍ରାବାଦରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୨୧ ରାୟପୁରରେ ଏବଂ ତୃତୀୟ ମ୍ୟାଚ୍ ଇନ୍ଦୋରରେ ଜାନୁଆରୀ ୨୪ରେ ଖେଳାଯିବ । ଏହାପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ବଡ଼ ଝଟକା ଲାଗିଛି ।
ଆହତ ଯୋଗୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟାର ସିରିଜରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସାମିଲ କରାଯାଇଛି । ଶ୍ରେୟସଙ୍କ ପିଠିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସିରିଜରୁ ବାଦ୍ ଦିଆଯାଇଛି । ଚିକିତ୍ସା ପାଇଁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ ପଠାଇ ଦିଆଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିବ ।
ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ସିରିଜ ଖେଳିବ । ଶ୍ରୀଲଙ୍କା ବିପକ୍ଷରେ ବଡ଼ ବିଜୟ ପରେ ଏଥର ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

