spot_img
Home Blog Page 3690

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍। ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ । ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ଜିଲ୍ଲାସ୍ତରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ । ସମସ୍ତ ତୋଳାଳିଙ୍କୁ ତୋଳାଳି ପରିଚୟ ପତ୍ର ପ୍ରଦାନ କରାଯିବ। କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନେ ସମସ୍ତେ ଗରିବ ଲୋକ ।

ତେଣୁ କେନ୍ଦୁପତ୍ର ଉପରୁ GST ଉଠାଇବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ପୁଣି ଥରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଅଛନ୍ତି । ବହୁ ଜନଜାତି ମା’ ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି । କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର କାମ କରି ଆସୁଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

ରାଜ୍ୟର ଏହି ନୀତି ଅନ୍ୟ ରାଜ୍ୟ ପାଇଁ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ତୋଳାଳିଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରାଯାଇଛି । ଆଲୋଚନା ପରେ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜ ଘୋଷଣା କରାଯାଇଛି ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଗୋଲକ ବିହାରୀ ନାଏକଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଗୋଲକ ବିହାରୀ ନାଏକଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଶାରୀରିକ ଅସୁସ୍ଥ ଥିଲେ । ଆଜି ଦିନ ୧୦ ଟା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ତିନି ଥର ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ । ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ମନ୍ତ୍ରୀ ରହିଥିଲେ ଗୋଲକ । ଖୁଣ୍ଟାରୁ ଦୁଇଥର ଓ ଉଦଳା ନିର୍ବାଚନ ମଣ୍ଡଳୀରୁ ଥରେ ବିଧାୟକ ରହିଥିଲେ । ତାଙ୍କର ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ପାଖରେ ବଡ଼ ଝିଅ, ଜ୍ବାଇଁ ଓ ପୁଅ ଉପସ୍ଥିତ ଥିଲେ । ବରିଷ୍ଠ ନେତା ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି ଓ ବିଭିନ୍ନ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହି ଶୋକବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଚାଷୀଙ୍କ ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ବରଗଡ଼: ଧାନ ଏମଏସପି ବୃଦ୍ଧି ପାଇଁ ତେଜିଲା ଦାବି। ଚାଷୀଙ୍କ ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି। ବରଗଡ଼ ଗାନ୍ଧୀ ଛକରେ ବିଜେଡିର ଧାରଣା। ଧାନର ଏମଏସପି ୨୯୩୦ ଟଙ୍କା ଦାବି କରିଛି ବିଜେଡି। ଏହାସହ କେନ୍ଦ୍ର ସରକାରଙ୍କ ଅବହେଳା ବିରୋଧରେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ କରାଯାଉଛି ।

୨୦୧୮ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଓଡିଶା ବିଧାନସଭା ପକ୍ଷରୁ ଏହି ପ୍ରସ୍ତାବକୁ ବିଚାର ପାଇଁ କେନ୍ଦ୍ର ନିକଟକୁ ପଠାଯାଇଥିଲା। ୨୦୧୯ ନିର୍ବାଚନ ଇସ୍ତାହାରରେ ବିଜେପି ଧାନର ଉତ୍ପାଦନ ମୂଲ୍ୟ ତୁଳନାରେ ଦେଢଗୁଣା ଏମଏସପି କରିବାକୁ ଘୋଷଣା କରିଥିଲା। ହେଲେ ଏବେଯାଏଁ ଧାନର ଏମଏସପି ବୃଦ୍ଧି ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଯାହାକୁ ନେଇ ତେଜିଛି ପ୍ରତିବାଦ।

ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା, ଆତଙ୍କିତ ଲୋକେ

ଭଦ୍ରକ: ଭୟଙ୍କର ଶବ୍ଦରେ ଥରିଲା ୩ ଜିଲ୍ଲା। ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଭୟଙ୍କର ଶବ୍ଦ ଅନୁଭୂତ। ଶବ୍ଦ ଶୁଣି ଭୟରେ ଘରୁ ବାହାରି ଆସିଥିଲେ ଲୋକ। ଭଣ୍ଡାରିପୋଖରୀ, ଭଦ୍ରକ, ବାରିକପୁର, କେନ୍ଦୁଆପଦା ଅଞ୍ଚଳରେ ଶବ୍ଦ ଶୁଣିଥିବା ଲୋକ କହିଛନ୍ତି।

ସୂଚନା ଅନୁଯାୟୀ ଯାଜପୁର କୋରାଇ ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଣିଛନ୍ତି ଲୋକ। ୧୦ ମିନିଟ୍ ବ୍ୟବଧାନରେ ୨ ଥର ପ୍ରଚଣ୍ଡ ଶବ୍ଦ ହୋଇଛି। ସେହିପରି ଆନନ୍ଦପୁରରେ ମଧ୍ୟ ଲୋକ ଭୟଭୀତ ହୋଇଛନ୍ତି । ତେବେ ଶବ୍ଦ କୁଆଡୁ କେଉଁଠୁ ଆସିଲା ତାହା କେହି କହିପାରୁନାହାଁନ୍ତି ।

ପୂରା ପରିବାରକୁ ମାରିଦେଲା ପୁଅ, କିଛିଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରୁ ଫେରିଥିଲା

ନୂଆଦିଲ୍ଲୀ: ନିଶା ନିବାରଣ କେନ୍ଦ୍ରରୁ ଫେରି ପୁଅର ଜଘନ୍ୟ କାଣ୍ଡ । ପୁରା ପରିବାରକୁ ହତ୍ୟା କରିଛି ନିଶାସକ୍ତ ପୁଅ କେଶବ। ଏଭଳି ଅଘଟଣ ଘଟିଛି ଦିଲ୍ଲୀର ପାଲମ ଅଞ୍ଚଳରେ । ମାଆ, ବାପା, ଭଉଣୀ ଓ ଜେଜେ ମାଆଙ୍କୁ କେଶବ ନିଶାସକ୍ତ ଅବସ୍ଥାରେ ହତ୍ୟା କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି।

ପଡୋଶୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବାରର ୪ ସଦସ୍ୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲା । ଧାରୁଆ ଅସ୍ତ୍ରରେ ଆକ୍ରମଣ ଓ ଗଳା କାଟିବା ଯୋଗୁ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପୁଅର ନିଶା ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ ମା’ ଓ ବାପା। ସ୍ଥିତି ଏଭଳି ଯେ ପୁଅକୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ ପରିବାର। କିଛି ଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରୁ ଫେରିଥିଲା ପୁଅ । ତଥାପି ପୁଅର ନିଶା ଛାଡିନଥିବା ଅଭିଯୋଗ ହାେଇଛି ।

ଟୁଇଟର, ଆମାଜନ ପରେ ଛଟେଇ କରିବ ଗୁଗୁଲ

ନୂଆଦିଲ୍ଲୀ: IT ସେକ୍ଟରରେ ଲେ’ଅଫ୍ ଟ୍ରେଣ୍ଡ । ଟୁଇଟର, ଆମାଜନ ପରେ କର୍ମଚାରୀ ଛଟେଇ କରିବ ଦେଶର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ। ୬ ପ୍ରତିଶତ କର୍ମଚାରୀ ଛଟେଇ ପାଇଁ ଯୋଜନା କରିଛି କମ୍ପାନୀ ।

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଡେଡଲାଇନ । ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଟେକ୍‌ ଜିଆଣ୍ଟକୁ ବିଦା କରିବ ଗୁଗଲ । ଖର୍ଚ୍ଚ କାଟ ପାଇଁ କର୍ମଚାରୀ ଛଟେଇ କରିବାକୁ ପ୍ଲାନ କରିଛି ଗୁଗୁଲ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ । ସେପଟେ ପ୍ରଦର୍ଶନ ଆଧାରରେ କର୍ମଚାରୀଙ୍କ ରାଙ୍କିଂ ପ୍ରସ୍ତୁତ କରିବାକୁ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା।

ତୁର୍କିରେ ଭୂକମ୍ପ ଝଟକା; ଭୟରେ ବିଲ୍ଡିଂ ଉପରୁ ଡେଇଁଲେ ଲୋକେ

ଇସ୍ତାନବୁଲ: ତୁର୍କିରେ ଭୂକମ୍ପ ଝଟକା । ସକାଳୁ ଉତ୍ତରପଶ୍ଚିମ ତୁର୍କୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ ହୋଇଛି । ଇସ୍ତାନବୁଲଠାରୁ ପ୍ରାୟ ୧୭୦ କିଲୋମିଟର ପୂର୍ବରୁ ଏହି କମ୍ପନ ଅନୁଭୂତ ହୋଇଛି ।

ତେବେ ଭୂକମ୍ପ ଝଟକାରେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ମୃତକଙ୍କ ସମ୍ପର୍କରେ ସୂଚନା ନାହିଁ ବୋଲି ଗୃହମନ୍ତ୍ରୀ ସୁଲେମାନ ସୋଏଲ ଟୁଇଟରରେ ପୋଷ୍ଟ କରିଛନ୍ତି । ଭୂମିକମ୍ପ ଭୟରେ ବିଲ୍ଡିଂ ଉପରୁ ଡେଇଁ ପଡ଼ିବା ଯୋଗୁ ୨୨ ଜଣ ଗୁରୁତର ହୋଇଛନ୍ତି । ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାରୁ ଲୋକମାନେ କମ୍ବଳ ଓ ଶୀତବସ୍ତ୍ର ପିନ୍ଧି ଦୀର୍ଘ ସମୟ ଧରି ଘର ବାହାରେ ବୁଲୁଥିବା ଦେଖାଯାଇଥିଲା ।

ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାରରେ ଦୁଲୁକୁଛି ପଦମପୁର

ପଦମପୁର: ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାରରେ ଦୁଲୁକୁଛି ପଦମପୁର । ମଇଦାନରେ ହେଭିଓ୍ବେଟଙ୍କ ରଣହୁଙ୍କାର । ଘର ଘର ବୁଲି ଲୋକଙ୍କ ଭରସା ଜିତିବାକୁ ୩ ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପଦମପୁର ସମର୍ଥନ ଅଧିକ ଥିବା ଦେଖିବାକୁ ମିଳିଛି ।

ଗାଁ ଗାଁରେ ବର୍ଷାଙ୍କ ସମର୍ଥନରେ ବାହାରୁଛନ୍ତି ମାଆ ମାଉସୀ । ସଭାସ୍ଥଳୀକୁ ଆସି ଆଶୀର୍ବାଦ ଢାଳୁଛନ୍ତି ଲୋକମାନେ । ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି। ଏସଏଚଜି ମାଧ୍ୟମରେ ଆତ୍ମନିର୍ଭରଶୀଳ ହେଉଛନ୍ତି ମାଆମାନେ। ସ୍ବାସ୍ଥ୍ୟରୁ ଶିକ୍ଷା ସବୁ କ୍ଷେତ୍ରରେ ସୁବିଧା ମିଳୁଛି । ଘରକୁ ଘର ବୁଲି ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି ବିଜେଡି କର୍ମୀ ଓ ନେତା। ସେହିପରି କଂଗ୍ରେସ ଓ ବିଜେପି ମଧ୍ୟ ସଭା ମାଧ୍ୟମରେ ଲୋକଙ୍କ ନିକଟରେ ପ୍ରତିଶ୍ରୁତି ରଖୁଛନ୍ତି । ଘର ଘର ବୁଲି ଭୋଟଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ ।

ଇସି ନିଯୁକ୍ତି ପ୍ରସଙ୍ଗ; କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ବା ସିଇସି ଓ ନିର୍ବାଚନ କମିଶନର ବା ଇସି ନିଯୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ନିଜ ପସନ୍ଦ ଅନୁସାରେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ଯେପରି ନିର୍ବାଚନ କମିଶନରେ ଅବସ୍ଥାପିତ କରାଯାଉଛି, ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଦାଲତ। ରାଜନୀତିରେ ନଥିବା ତଥା ସ୍ବଚ୍ଛ ବ୍ୟକ୍ତିବିଶେଷଙ୍କୁ ଏହି ପଦବୀରେ ଅବସ୍ଥାପିତ କରିବା ସହ ସ୍ବଚ୍ଛତା ଓ ନିରପେକ୍ଷତା ଭିତ୍ତିରେ ବ୍ୟକ୍ତି ବିଶେଷଙ୍କୁ ଅଭିଷିକ୍ତ କରିବା ଲାଗି ସୁପ୍ରିମକୋର୍ଟ ଦେଇଛନ୍ତି ପରାମର୍ଶ।

କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ସିଇସି ଓ ଇସି ପଦରେ ବାରମ୍ବାର ନିଯୁକ୍ତି କରାଯାଉଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିବା ବେଳେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ଏହି ପଦବୀରେ ନିଯୁକ୍ତି କଲେ ସ୍ୱାଧୀନ ତଥା ନିରପେକ୍ଷ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରତିବନ୍ଧକ ହେବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ କେ.ଏମ. ଯୋଶେଫ, ଅଜୟ ରାସ୍ତୋଗୀ, ଅନିରୁଦ୍ଧ ବୋଷ, ହୃଷୀକେଶ ରୟ, ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମତ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ବିଭିନ୍ନ ବାହ୍ୟଚାପରୁ ମୁକ୍ତ ରଖିବା ପ୍ରସଙ୍ଗରେ ଆଗତ କେତେକ ପିଟିସନର ଶୁଣାଣି କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ।

ସିଇସି ଓ ଇସି ଚୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ଆଇନ ଆଣିବା ଲାଗି ସମ୍ବିଧାନର ଧାର 324(2)ରେ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା କରାଯାଉନାହିଁ । ସମ୍ବିଧାନର ଏହି ବ୍ୟବସ୍ଥାକୁ ଜାଣିଶୁଣି ନିଜ ସ୍ବାର୍ଥ ସପକ୍ଷରେ ବ୍ୟବହାର କରାଯାଉଛି ବୋଲି କୋର୍ଟ କହିଛନ୍ତି । ଟିଏନ ଶେଷାନଙ୍କ ପରଠାରୁ ଦେଶରେ ସିଇସିମାନଙ୍କୁ ଖୁବ୍ କମ ସମୟ ଲାଗି ନିଯୁକ୍ତି କରାଯାଉଛି ଯାହା କି ଉଦବେଗଜନକ। ଫଳରେ ନିର୍ବାଚନ କମିଶନଙ୍କ ଦୃଷ୍ଟିଭଙ୍ଗୀ ସଠିକ୍ ପ୍ରତିଫଳିତ ହୋଇପାରୁ ନଥିବା ସହ ଏହାର ସ୍ବାଧୀନତା କ୍ଷୁଣ୍ଣ ହେଉଛି ।

ଇସି ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ରକ୍ଷା କରାଯାଉଛି ବୋଲି ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀ କହିଥିଲେ ମଧ୍ୟ କୋର୍ଟ ସନ୍ତୁଷ୍ଟ ହୋଇ ନାହାନ୍ତି। ସମ୍ବିଧାନ ପ୍ରତିଷ୍ଠାର ପ୍ରାୟ ୭୦ ବର୍ଷ ପରେ ବି ଇସି ଚୟନ ସଂକ୍ରାନ୍ତ ଆଇନ କାହିଁକି ଆସିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁ ଦଳ କ୍ଷମତାକୁ ଆସୁଛି ସେହି ଦଳ କ୍ଷମତା ଧରି ରଖିବାକୁ ସର୍ବଦା ଚାହୁଁଛି ଏବଂ ନିଜ ଇଚ୍ଛାନୁସାରେ ଯେ କେହି ବ୍ୟକ୍ତିଙ୍କୁ ଇସିଆଇ ଓ ଇସି ପଦବୀରେ ଅବସ୍ଥାପିତ କରାଯାଉଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

କଣ୍ଟାବାଞ୍ଜି ଷ୍ଟେସନରୁ ୨୫ରୁ ଅଧିକ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୨୫ରୁ ଅଧିକ ଶ୍ରମିକ ଉଦ୍ଧାର। ଉଦ୍ଧାର ଶ୍ରମିକ ମାନେ ହେଲେ ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର । ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ  ୧୧ ଜଣ ମହିଳା ଓ ୬ଜଣ ଶିଶୁ ରହିଛନ୍ତି ।  ବେଆଇନ ଭାବେ ତାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ବଙ୍ଗୋମୁଣ୍ଡା ପୋଲିସ ବଙ୍ଗୋମୁଣ୍ଡା ଗୋଲେଇ ଛକ ନିକଟରୁ ଉଦ୍ଧାର କରିଛି।

୩ଟି ଚାରି ଚକିଆ ଗାଡି ସହ ଦାଦନ ସର୍ଦାରକୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଶ୍ରମିକ ମାନେ ୩ଟି ଚାରି ଚକିଆ ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିଲେ।  କଣ୍ଟାବାଞ୍ଜି ପହଂଚିବା ପରେ ସେମାନେ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଯାଇଥାନ୍ତେ ।

ତେବେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗୋଲେଇ ଛକରେ ଗାଡି ଅଟକାଇ ଯାଞ୍ଚ କରିବା ବେଳେ ଗାଡ଼ିରେ ଶ୍ରମିକ ଥିବା ଦେଖି ସମସ୍ତଙ୍କୁ ଥାନାକୁ ନେଇଥିଲା । କାଗଜପତ୍ର ଯାଞ୍ଚ ପରେ ଶ୍ରମିକ ମାନଙ୍କୁ ତାଙ୍କ ଘରେ ଛାଡି ଦିଆଯିବ ବୋଲି ଜଣାପଡ଼ିଛି ।