spot_img
Home Blog Page 3692

୨୦୩୦ ସୁଦ୍ଧା ଚନ୍ଦ୍ରରେ ବାସ କରିବ ମଣିଷ

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ମହାକାଶ ଏଜେନ୍ସି ନାସାର ବୈଜ୍ଞାନିକ ଦାବି କରିଛନ୍ତି ଯେ, ମଣିଷ ୨୦୩୦ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଟରେ ରହିବାକୁ ଲାଗିବ । ଏବଂ ସେଠାରେ କାମ ମଧ୍ୟ କରିବ । ଆର୍ଟେମିସ-୧ ମିଶନ ଆଧାରରେ ଚନ୍ଦ୍ର ଅଭିମୁଖେ ଉତକ୍ଷେପଣ କରାଯାଇଥିବା ଓରିଅନ ସ୍ପେସକ୍ରାଫ୍ଟ ପ୍ରୋଗ୍ରାମର ମୁଖ୍ୟ ହୋବାର୍ଡ ହୁ କହିଛନ୍ତି କି ଆମେ ୮ ବର୍ଷ ମଧ୍ୟରେ ଚନ୍ଦ୍ର ପୃଷ୍ଟକୁ ମଣିଷକୁ ପଠାଇବୁ । ଲୋକ ସେଠାକୁ ଯିବେ ଏବଂ ସେଠାରେ ସାଇଣ୍ଟିଫିକ୍ ପ୍ରୟୋଗ କରିବେ ।

ସୂଚନା ଥାଉକି ନିକଟରେ ନାସା ନିଜର ଶକ୍ତିଶାଳୀ ସ୍ପେସ୍ ଲଞ୍ଚ୍ ସିଷ୍ଟମ ରକେଟ ଜରିଆରେ ଓରିଅନ ସ୍ପେସକ୍ରାଫ୍ଟକୁ ଚନ୍ଦ୍ର ଅଭିମୁଖେ ପଠାଇଛି । ଓରିଅନ ବର୍ତ୍ତମାନ ଚନ୍ଦ୍ର ଚାରି ପାଖେ ବୁଲୁଛି । ଅନେକ ଥର ଟଳିବା ପରେ ଏହି ଲଞ୍ଚିଙ୍ଗ ଗତ ସପ୍ତାହରେ କରାଯାଇଛି । ପ୍ରାୟ ୫୦ ବର୍ଷ ପରେ ନାସା ଚନ୍ଦ୍ର ଅଭିମୁଖେ କୌଣସି ମନୁଷ୍ୟ ମିଶନର ଆରମ୍ଭ କରୁଛି । ସୂଚନାଥାଉକି ଯେଉଁ ଓରିଅନ ସ୍ପେସକ୍ରାଫ୍ଚ ଚନ୍ଦ୍ର ଚାରିପାଖେ ଚକର କାଟୁଛି ସେଥିରେ କୌଣସି ମନୁଷ୍ୟ ନାହାନ୍ତି ।

କିନ୍ତୁ ଆଗାମୀ ଦିନରେ ସେଇ ସ୍ପେସକ୍ରାଫ୍ଟରେ ମଣିଷକୁ ଚନ୍ଦ୍ରକୁ ପଠାଯିବ । ଏବେ ଓରିଅନର ଏହା ଯାଞ୍ଚ କରାଯାଉଛି ଯେ ତାହା ଚନ୍ଦ୍ର ପର୍ଯ୍ୟନ୍ତ ଯାଇ, ତାର ଚକ୍କର ଲଗାଇ, ପୁଣିଥରେ ପୃଥିବୀପୃଷ୍ଟକୁ ସଠିକ୍ ଭାବେ ଫେରୁଛି କି ନାହିଁ । କାରଣ ଏହି ସ୍ପେସକ୍ରାଫ୍ଟ ଜରିଆରେ ଆଷ୍ଟ୍ରୋନଟସଙ୍କୁ ଚନ୍ଦ୍ରକୁ ପଠାଯିବ । ଯଦି ସବୁ କିଛି ଠିକ୍ ରହିଲା ତେବେ ୧୯୭୨ ମସିହା ପରେ ପ୍ରଥମଥର ମଣିଷକୁ ଚନ୍ଦ୍ରକୁ ପଠାଯିବ ।

ଏଥିରେ ଜଣେ ମହିଳା ଆଷ୍ଟ୍ରୋନଟ ମଧ୍ୟ ସାମିଲ ରହିବେ । ଯେଉଁ ଯୋଜନା କରାଯାଇଛି ସେ ଅନୁସାରେ ଆଷ୍ଟ୍ରୋନଟସଙ୍କୁ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ପାଖରେ ଛଡ଼ାଯିବ । ଯେଉଁଠାରେ ସେ ଗୋଟିଏ ସପ୍ତାହ ସମୟ ବିତାଇବେ । ଏହି ସମୟରେ ପାଣିର ଅନ୍ନ୍ୱେଷଣ କରାଯିବ । ଯଦି ପାଣି ମିଳିଯାଏ ତେବେ ଚନ୍ଦ୍ରରୁ ମଙ୍ଗଳ ପାଇଁ ରକେଟ୍ ଲଞ୍ଚ୍ କରାଯାଇ ପାରିବ । ଅର୍ଥାତ ପୃଥିବୀରୁ ମଙ୍ଗଳ ମଧ୍ୟରେ ଚନ୍ଦ୍ର ଏକ ମାଧ୍ୟମ ଭଳି ଉପଯୋଗ ହେବ ।

ମଣିଷଙ୍କୁ ସ୍ଥାୟୀ ଭାବେ ଚନ୍ଦ୍ରରେ ରହିବା ପାଇଁ ସ୍ଥାନ ବନାଇବାକୁ ହେବ । ଯେଉଁଥିପାଇଁ ଖନନ କରିବାର ଆବଶ୍ୟକତା ହେବ । ଏହା ବ୍ୟତୀତ ବୈଜ୍ଞାନିକ ପ୍ରୟୋଗ କରିବାକୁ ହେବ । ହୋବାର୍ଡ ହୁ କହିଛନ୍ତି ଯେ ଏହା ଆମର ପ୍ରଥମ ପଦକ୍ଷେପ ଅଟେ ମଣିଷଙ୍କୁ ଚନ୍ଦ୍ରରେ ରହିବା ପାଇଁ । ଯଦି ଏହା ସଫଳ ହୁଏ ତେବେ ଆମେ ଚନ୍ଦ୍ରରେ ମଣିଷ ବସ୍ତି ବସାଇ ପାରିବା ।

ଫିଫା ବିଶ୍ୱକପରେ ବଡ଼ ଓଲଟପାଲଟ; ଆର୍ଜେଣ୍ଟିନାକୁ ହରାଇଲା ସାଉଦି ଆରବ

କତାର: ଫିକା ପଡିଲା ମେସିଙ୍କ ଯାଦୁ । ଫିଫା ବିଶ୍ୱକପର ତୃତୀୟ ଦିନରେ ବଡ ଓଲଟପାଲଟ ଦେଖିବାକୁ ମିଳିଛି । ଫୁଟବଲ ବିଶ୍ବକପ୍ ଇତିହାସରେ ବଡ଼ ଝଟ୍କା, ବଡ଼ ବିପର୍ଯ୍ୟୟ । ଟାଇଟଲର ପ୍ରମୁଖ ଦାବିଦାରି କୁହାଯାଉଥିବା ଆର୍ଜେଣ୍ଟିନାକୁ ଚିତପଟାଙ୍ଗ କରିଛି ସାଇଦି ଆରବ ଦଳ । ଫୁଟବଲ୍ ବିଶ୍ୱ ରାଙ୍କିଂରେ ୫୧ତମ ସ୍ଥାନରେ ଥିବା ସାଉଦି ଆରବ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ପରାସ୍ତ କରିଛି । ଏହି ପରାଜୟ ସହ ଆର୍ଜେଣ୍ଟିନା ପାଇଁ ସମସ୍ୟା ବଢ଼ିଯାଇଛି ।

ଆର୍ଜେଣ୍ଟିନାର ଆଗାମୀ ମ୍ୟାଚ ୨୭ ନଭେମ୍ବରରେ ମେକ୍ସିକୋ ସହ ଏବଂ ୩୦ ନଭେମ୍ବରରେ ପୋଲାଣ୍ଡ ସହ ରହିଛି । ପ୍ରି କ୍ୱାଟରରେ ଖେଳିବାକୁ ହେଲେ ଆଗାମୀ ଦୁଇଟି ଯାକ ମ୍ୟାଚ ଆର୍ଜେଣ୍ଟିନାକୁ ଜିତିବାକୁ ପଡ଼ିବ ।  ଏହି ପରାଜୟ ସହ ଆର୍ଜେଣ୍ଟିନାର ଟିମ ଗ୍ରୁପ ସିରେ ଶେଷ ସ୍ଥାନରେ ପହଞ୍ଚି ଯାଇଛି । ବିଶ୍ୱ ରାଙ୍କିଂରେ ୩ୟ ସ୍ଥାନରେ ଥିବା ଆର୍ଜେଣ୍ଟିନାର ଆଜିର ପରାଜୟରେ ପ୍ରଶଂସକ ନିରାଶ ହୋଇଛନ୍ତି ।

ମ୍ୟାଚର ୧୦ମ ମିନିଟରେ ଅଧିନାୟକ ଲିଓନେଲ ମେସିଙ୍କ ଗୋଲରେ ପଏଣ୍ଟ ମିଳିବା ସତ୍ତ୍ୱେ ଦଳ ମ୍ୟାଚ୍ ଜିତି ପାରିନାହିଁ । ସାଉଦି ଆରବ ପାଇଁ ସାଲେହ ଅଲସେହରୀ ୪୮ତମ ମିନିଟ ଓ ୫୩ତମ ମିନିଟରେ ସାଲେମ ଅଲଡାବସାରୀ ଗୋଲ କରିଥିଲେ । ଏହାପରେ ଉଭୟ ଟିମ୍ ମଧ୍ୟରୁ କୌଣସି ଟିମ ଗୋଲ  କରିପାରିନଥିଲେ । ଶେଷ କିଛି ମିନିଟରେ ସାଉଦି ଆରବର ଗୋଲ କିପର ଏମ ଏଲ ଔବେସ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ସେ ଅନେକ ଗୋଲ୍ ଅଟକାଇଥିଲେ ।

ଆର୍ଜେଣ୍ଟିନା ଦଳ ପ୍ରାରମ୍ଭିକ କିଛି ମିନଟରେ ତିନୋଟି ଗୋଲ୍ କରିଥିଲା, କିନ୍ତୁ ସମସ୍ତ ଅଫସାଇଡ୍ ରହିଥିଲା । ଏହି ପରାଜୟ ସହ ଆର୍ଜେଣ୍ଟିନାର ଲଗାତାର ୩୬ ମ୍ୟାଚରେ ବିଜୟର କ୍ରମ ଭାଙ୍ଗିଯାଇଛି । ଦଳ ୨୫ ମ୍ୟାଚ ଜିତିଥିଲା ଏବଂ ୧୧ଟି ଡ୍ର ହୋଇଥିଲା । ୧୯୭୪ ପରେ ପ୍ରଥମଥର ଆର୍ଜେଣ୍ଟିନା ନିଜର ପ୍ରଥମ ମ୍ୟାଚରେ ୨ଟି ଗୋଲ୍ ଖାଇଛି । ସେ ସମୟରେ ପୋଲାଣ୍ଡଠାରୁ ତାକୁ ୨-୩ରେ ପରାଜୟ ମିଳିଥିଲା । ବିଶ୍ୱକପ୍ ଇତିହାସରେ ସାଉଦି ଆରବର ଏହା ତୃତୀୟ ବିଜୟ ଅଟେ । ଏବେ ଆର୍ଜେଣ୍ଟିନାକୁ ପ୍ରି କ୍ୱାଟର ଫାଇନଲରେ ପ୍ରବେଶ କରିବାକୁ ହେଲେ ନିଜର ବାକି ଦୁଇଟି ମ୍ୟାଚ ଜିତିବାକୁ ପଡ଼ିବ ।

ବାହା ହେଲେ ଯୁବ ବୈଜ୍ଞାନିକ ଶେଷ କିଷାନ

ସମ୍ୱଲପୁର: ବିବାହ କଲେ ଯୁବ ବୈଜ୍ଞାନିକ ଶେଷ କିଷାନ । ନିଜ ଗାଁ ବାଲାସଙ୍ଗାରୁ ବାହାରି ରେଢ଼ାଖୋଲ ସହର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ବିବାହ ସମ୍ପନ୍ନ ହୋଇଛି । ବାଜା, ଡିଜେ ଆଦି ପାରମ୍ପରିକ ଶୋଭାଯାତ୍ରାରେ ଘରୁ ବାହାରିଥିଲେ ଶେଷ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଅଞ୍ଚଳର ହରେକୃଷ୍ଣ ଜେନାଙ୍କ କନ୍ୟା ଜୟଶ୍ରୀ ଜେନାଙ୍କ ହାତ ଧରିଛନ୍ତି ଶେଷ କିଷାନ । ବୈଦିକି ରୀତିନୀତିରେ ଦୁହିଁଙ୍କ ହାତଗଣ୍ଠି ପଡ଼ିଛି ।

ବରର ପିତା ମାତା ସାଜିଥିଲେ ରେଢ଼ାଖୋଲ ସହର ସ୍ଥିତ ଆଦର୍ଶ ନଗରର ସୁନନ୍ଦ ପ୍ରଧାନ ଏବଂ ତାଙ୍କ ପତ୍ନୀ । ପିଲାଦିନେ ଶେଷ ଭୁବନେଶ୍ବରରେ ପାଠ ପଢ଼ୁଥିବା ସମୟରେ ଟ୍ରେନରେ ଘରକୁ ଆସୁଥିବା ବେଳେ ସୁନନ୍ଦ ଏବଂ ତାଙ୍କ ପତ୍ନୀଙ୍କ ସହ ଦେଖା ହୋଇଥିଲା । ସେଇଠୁ ଶେଷଙ୍କ ମାତା ପିତା ସାଜିଥିଲେ ଉଭୟ । ଜୟଶ୍ରୀଙ୍କୁ ଜୀବନସାଥୀ ଭାବେ ପାଇ ଶେଷ କିଷାନ ଖୁସିଥିବା ବେଳେ, ଜ୍ବାଇଁ ଭାବରେ ଶେଷଙ୍କୁ ପାଇ ଗର୍ବ ଅନୁଭବ କରିଛନ୍ତି ଶ୍ବଶୁର ହରେକୃଷ୍ଣ ଜେନା ।

 ୨୫ କୋଟି ଟଙ୍କାର ୬ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ ।

ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ମାଲକାନଗିରି ସବୁବେଳେ ମୋ ପାଇଁ ସ୍ବତନ୍ତ୍ର ହୋଇ ରହିଛି । ମାଲକାନଗିରିର ବିକାଶ କାମ ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ। ମୋର ପୂର୍ଣ୍ଣ ବିଶ୍ବାସ, ମାଲକାନଗିରି ପରିଚୟ ଆଗକୁ ଆହୁରି ଉଜ୍ଜଳ ହେବ। ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବରେ ବିକାଶ ମାନଚିତ୍ରରେ ମାଲକାନଗିରି ନିଜର ସ୍ଥିତିକୁ ଆହୁରି ଦୃଢ କରିବ।’

ଆଜି ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଅନ୍ବେଷା କାର୍ଯ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ପିଲାମାନଙ୍କ ପାଇଁ ଦୁଇଟି ହଷ୍ଟେଲ। ଏଥିରେ ୬୦୦ ପୁଅ ଓ ୬୦୦ ଝିଅ ରହିବପାଇଁ ବ୍ୟବସ୍ଥା କରାଯାଇଛି। ମୋଟୁ ଟ୍ରାଇ ଜଙ୍କସନ୍ଠାରେ ବିଜୁ ପଟ୍ଟନାୟକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ । ଏହା ଜିଲ୍ଲା ସହିତ ଛତିଶଗଡ ଓ ଅନ୍ଧ୍ରପ୍ରଦେଶକୁ ଗମନାଗମନ ସୁଗମ କରିଛି। ଏହାସହିତ ମାଲକାନଗିରି ବଣ୍ଡା ଅଞ୍ଚଳକୁ ଯୋଡୁଥିବା ଏକ ଉଚ୍ଚସ୍ତରୀୟ ସେତୁ ଓ ବାଲିମେଳା ଠାରେ ତମସା ନଦୀ ଉପରେ ବିଜୁ ସେତୁ, କ୍ରୀଡାର ବିକାଶ ପାଇଁ ଏକ ଜୁଡୋ ଏକାଡେମୀ ଓ ପିଲାମାନଙ୍କ ପାଇଁ ଏକ ସ୍ବଧାର ଗୃହ।

ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମାଲକାନଗିରିବାସୀ ଆଜି ବିକାଶ ସହ ଯୋଡି ହୋଇ ରହିଛନ୍ତି। ବିକାଶ କାମରେ ଆପଣମାନଙ୍କ ସହଯୋଗ ସବୁବେଳେ ଆମକୁ ଉତ୍ସାହିତ କରି ଆସିଛି । ଜିଲ୍ଲାରେ ଶିକ୍ଷା ଓ ସଚେତନତା ପ୍ରସାର ଘଟିଛି । ଯୋଗାଯୋଗରେ ଉନ୍ନତି ଆସିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣ ଯୋଜନାର ସୁଯୋଗ ଆପଣମାନେ ନେଉଥିବା ଖୁସିର କଥା । ମାଲକାନଗିରିର ସଫଳ ଚାଷୀ, ମିଶନଶକ୍ତିର ମା ମାନେ, ଛାତ୍ରଛାତ୍ରୀ, ଯୁବବର୍ଗ – ଏ ସମସ୍ତଙ୍କ ସଫଳତା ଆଜି ଜିଲ୍ଲା ପାଇଁ ନୂଆ ପରିଚୟ ଆଣିଛି ବୋଲି ସେ କହିଥିଲେ ।

ବଣ୍ଡା ଘାଟିର ଝିଅ କରମା ମୁଦୁଲି ଭୁବନେଶ୍ବରର ସବୁଠାରୁ ଭଲ ସରକାରୀ ମହିଳା ୟୁନିଭରସିଟିରେ ପାଠ ପଢୁଥିବାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ସୁଯୋଗ ଆଣିଥାଏ ଓ ଶିକ୍ଷା ହିଁ ଏ ରୂପାନ୍ତର ଆଣିଛି । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା  ସମାରୀ ଟାଙ୍ଗଲୁ ପ୍ରମୁଖ ବକ୍ତବ୍ୟ ରଖି ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।  ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

୬ହଜାର ଟଙ୍କା ସହ ବାଦାମ ଓ ମୁଗ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀଙ୍କୁ ଧରିଛି ଭିଜିଲାନ୍ସ । କୋଦଳା ତହସିଲ ଅନ୍ତର୍ଗତ ବି ନୂଆ ଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟ୍ଟା କରାଇଦେବା ନାମରେ ୬ ହଜାର ଟଙ୍କା ନେଉଥିବା ବେଳେ ଧରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ।

ପୂର୍ବରୁ ଏନେଇ ଭିଜିଲାନ୍ସ ନିକଟରେ ଦଣ୍ଡପାଣି ଅଭିଯୋଗ କରିଥିଲେ। ପରେ ଯୋଜନା ମୁତାବକ ସଞ୍ଜୟଙ୍କୁ କୋଦଳା କକା ହୋଟେଲଠାରେ ଟଙ୍କା ଦେବାକୁ ଡାକିଥିଲେ ଅଭିଯୋଗକାରୀ ଦଣ୍ଡପାଣି । ୬ ହଜାର ଟଙ୍କା ସହ ବାଦାମ୍ ଓ ମୁଗ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ଏହାପରେ ସଞ୍ଜୟଙ୍କୁ ତହସିଲ କାର୍ଯ୍ଯାଳୟକୁ ଆଣି ତନାଘନା କରିବା ପରେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।

ଆସାମ ପୋଲିସ ଗୁଳିରେ ମେଘାଳୟର ୫ଲୋକଙ୍କ ମୃତ୍ୟୁ

ସିଲଂ: ଆସାମର ବନ କର୍ମଚାରୀଙ୍କ ଗୁଳିମାଡ଼ରେ ମେଘାଳୟର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ପରେ ପୁଣିଥରେ ଆସାମ ଓ ମେଘାଳୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ଆସାମ ସୀମାବର୍ତ୍ତୀ ମେଘାଳୟର ପଶ୍ଚିମ ଜୟନ୍ତିୟା ହିଲ୍ସର ମୁକରୋହ ଗାଁରେ ଏହି ଘଟଣା ଘଟିଛି । ଏହାଦ୍ୱାରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ଏବଂ ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ପଡ଼ିଛି । ଘଟଣାଟି ମଙ୍ଗଳବାର ସକାଳ ୭ ଟା ୩୦ ମିନିଟରେ ଘଟିଛି ।

ଗ୍ରାମୀଣ ଲୋକେ ଜଙ୍ଗଲରୁ ଛୋଟ ଟ୍ରକରେ କାଠ ଆଣି ଫେରୁଥିଲେ । ଆସାମର ବନ ବିଭାଗ କର୍ମଚାରୀ ଗୁଳିମାଡ଼ କରିଥିଲେ । ଆସାମର ବନ କର୍ମଚାରୀ ଏହି ଫାୟାରିଂ ଯେଉଁ ସ୍ଥାନରେ କରିଥିଲେ ତାହା ମେଘାଳୟ ଅଧୀନରେ ଆସୁଛି । କର୍ମଚାରୀ ଗାଡିର ଟାୟାର ଉପରକୁ ଗୁଳି ଚଳାଇଥିଲେ, ଯାହାଫଳରେ ଟ୍ରକ୍ ଚକା ସେଇଠାରେ ହିଁ ଧସିଯାଇଥିଲା । ଟ୍ରକ୍ ଡ୍ରାଇଭର ଏବଂ କାଠ ଆଣି ଆସୁଥିବା ଗ୍ରାମବାସୀ ଚିତ୍କାର କରିଥିଲେ । ଏହା ଶୁଣି ଆଖ ପାଖର ଗ୍ରାମବାସୀ ଏକାଠି ହୋଇଥିଲେ । ଭିଡରେ ଘେରିଯିବା ପରେ ବନ ବିଭାଗ କର୍ମଚାରୀ ଫାୟାରିଂ କରି ଦେଇଥିଲେ ।

ଏହି ଗୁଳିମାଡ଼ରେ ଘଟଣାସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଯେତବେଳେ କି ଅନ୍ୟଜଣଙ୍କର ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଉତ୍ତେଜିତ ଗ୍ରାମବାସୀ ବନ କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ଯାହାଫଳରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅନେକ କର୍ମଚାରୀ ଗଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି ।

ଏହି ଘଟଣାର ପୃଷ୍ଟି ମେଘାଳୟର ଡେପୁଟି ଆଇଜି ଡେଭିସ ଏନଆର୍ ମାରକ ମଧ୍ୟ କରିଛନ୍ତି । ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଘଟଣାକୁ ଗୁରୁତର ସହ ନେଇଛନ୍ତି । ସେ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ମେଘାଳୟର ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।

ରାଜଧାନୀକୁ ଖୁବଶୀଘ୍ର ଆସିବ ଆଉ ୪୦ ଇ-ବସ୍, CRUT ପକ୍ଷରୁ ଦିଆଗଲା ସୂଚନା

ଭୁବନେଶ୍ୱର: ରାଜଧାନୀକୁ ଖୁବଶୀଘ୍ର ଆସିବ ଆଉ ୪୦ଟି ଇ-ବସ୍ । CRUT ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନୂଆ ୪୦ଟି ଇଲେକ୍ଟ୍ରିକ୍ ବସ୍‌ ଆସିଲେ ରାଜଧାନୀରେ ବସ୍‌ ସଂଖ୍ୟା ୫୦କୁ ବୃଦ୍ଧି ପାଇବ । ସେହପରି ହକି ବିଶ୍ୱକପ ପୂର୍ବରୁ ଷ୍ଟିଲ ସିଟି ରାଉରକେଲାରେ ଗଡ଼ିବ ମୋ ବସ୍ । ରାଉରକେଲାକୁ ୨୫ଟି ମୋ ବସ୍‌ ଯୋଗାଇ ଦିଆଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ CNG ବସ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କ୍ରୁଟ୍‌ ଏହି ପଦକ୍ଷେପ ନେଇଛି ବୋଲି କ୍ରୁଟ ଏମଡି ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

କାଲିଠୁ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା, ଦିନ ୧୦ରୁ ୧୨ଟା ଯାଏଁ ପରୀକ୍ଷା

କଟକ: ଆସନ୍ତାକାଲିଠୁ ଦଶମ ସମ୍ମେଟିଭ-୧ ପରୀକ୍ଷା । ଦିନ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା । ପ୍ରଥମ ଦିନ ଇଂରାଜୀ, ୨୫ରେ ଗଣିତ ଓ ୨୬ ତାରିଖରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ୨୭ ତାରିଖରେ ପ୍ରାକ୍ଟିକାଲ, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା କରାଯିବ । ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତଥର ମାଟ୍ରିକ ପରୀକ୍ଷା ପାଇଁ ମୋଟ ୩ ହାଜର୨୯ଟି ସେଣ୍ଟର କରାଯାଇଛି । ୩୧୬ ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିଛି । ମାଓ ପ୍ରବଣ ଅଞ୍ଚଳ କନ୍ଧମାଳରେ ୭ଟି, ମାଲକାନଗିରିରେ ୧୦ଟି ଓ କୋରାପୁଟରେ ୫ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ଚଳିତ ଥର ୫ ଲକ୍ଷ ୪୦ ହଜାରରୁ ଅଧିକ ପିଲାମାନେ ପରୀକ୍ଷା ଦେବେ l ପରୀକ୍ଷା କେନ୍ଦ୍ର ଭିତରକୁ କେବଳ ପେନ୍ ଓ ଆଡମିଟ କାର୍ଡ ନେଇପାରିବେ ଛାତ୍ରଛାତ୍ରୀ ।

ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ସିଧାସଳଖ ବିମାନ, ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ଉଡ଼ିବ ବିମାନ । ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ସିଙ୍ଗାପୁର, ବ୍ୟାଙ୍କକ୍‌, ଦୁବାଇକୁ ବିମାନ ସେବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ସପ୍ତାହକୁ ୩ ଦିନ ବିମାନ ଚଳାଚଳ ପାଇଁ ଟେଣ୍ଡର ଆହ୍ୱାନ ହୋଇଛି । ଦିନେ ଛାଡ଼ି ଦିନେ ସହ ସପ୍ତାହାନ୍ତରେ ବିମାନ ଚଳାଚଳ ପାଇଁ ରହିଛି ସର୍ତ୍ତ । ଆଗ୍ରହୀ ବିମାନସେବା କମ୍ପାନୀ ଏଥିପାଇଁ କରିପାରିବେ ଆବେଦନ ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ବିମାନ ଚଳାଚଳକୁ ପ୍ରୋତ୍ସାହନ ଦେବା ପାଇଁ ବିମାନ ଇନ୍ଧନ ଉପରୁ ରାଜ୍ୟ ସରକାର ଟିକସ ଛାଡ଼ କରିଛନ୍ତି । ଇଚ୍ଛୁକ କମ୍ପାନୀ ଏଥିପାଇଁ ୭୦ କିମ୍ବା ତା’ଠାରୁ ଅଧିକ ସିଟ୍ ବିଶିଷ୍ଟ ବିମାନ ବ୍ୟବହାର କରିପାରିବେ । ଟେଣ୍ଡର ଦାଖଲ ପାଇଁ ଆସନ୍ତା ୨୮ ତାରିଖକୁ ସମୟ ଧାର୍ଯ୍ୟ କରାଯାଇଛି ।

୧୨ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓଡ଼ିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୨ ଦଫା ଦାବି ପତ୍ର ଦେଇଛି ସଂଘ । ଏଥିରେ ମୁଖ୍ୟତଃ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । କାରଣ GST ଲାଗୁ ଦ୍ୱାରା ବିକ୍ରି ମୂଲ୍ୟ କମିଯାଉଛି । ତେଣୁ ଏହାର ସମାଧାନ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ।

ସେହିପରି ସିଜନାଲ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିଛି ସଂଘ । ଏହା ୨୦୨୩ ପୂର୍ବରୁ ବଢ଼ିବାର ଥିଲା । ପୂର୍ବରୁ ମିଳୁଥିବା ଛାତ୍ର ବୃତ୍ତି ଓ କନ୍ୟା ବିବାହ ପାଇଁ ୨ ଶହ କୋଟିର ଆର୍ଥିକ ବ୍ୟବସ୍ଥା ପାଇଁ ବି ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ବୋଲି କହିଛନ୍ତି ସଂଘର ସଭାପତି ବିଜୟୀ ମହାନ୍ତି । ରାଜ୍ୟର ୨୨ ଜିଲ୍ଲାରେ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳି ଅଛନ୍ତି ।