spot_img
Home Blog Page 3757

୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ ପ୍ରକଳ୍ପ

ଭୁବନେଶ୍ୱର: ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଲେ ଯେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଅପେକ୍ଷା କରିବା, ପାଣିକୁ ସାଇତି ରଖିବା ଆଦି ସବୁ ଜଞ୍ଜାଳରୁ ମୁକ୍ତି ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ଧନ୍ୟବାଦ।

ଆଜି ଲୋକସେବା ଭବନର କନ୍‌ଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହର ଗୁଡିକ ହେଲା – ଭୁବନେଶ୍ବର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍‌, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର । ଏହିସବୁ ସହର ଗୁଡିକର ୫.୫୦ ଲକ୍ଷ ଲୋକ ଏଥିରୁ ଉପକାର ପାଇଲେ । ସୂଚନାଯୋଗ୍ୟ ଯେ ପୂର୍ବରୁ 5T ଉପକ୍ରମ ରେ ପୁରୀରେ ସବୁ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ମିଳିଥିଲା। ଆଜି ଗୋପାଳପୁରରେ ମଧ୍ୟ, ରାଜ୍ୟର ଦ୍ବିତୀୟ ସହର ଭାବରେ ଶତ ପ୍ରତିଶତ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥାର ସୁବିଧା ମିଳିଲା। ଏହାବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ସହର ପାଇଁ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଆରମ୍ଭ ଘୋଷଣା କରିଥିଲେ । ଏହାଦ୍ବାରା, ଏହି ୩ଟି ସହରର ୧.୫୦ ଲକ୍ଷ ଲୋକ ଉପକାର ପାଇବେ ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ବପ୍ନ ଏବଂ ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇ ରହିଛି। ୧୯ଟି ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ସେବାରେ ଯୋଡି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଏକ ଐତିହାସିକ ଦିନ । ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ। ତେଣୁ ଆମେ ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ହେଉଛି ଜୀବନ। ଜନସ୍ବାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ବଚ୍ଛ ଜଳ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମ ରେ ଏହି ସୁବିଧା ଦ୍ବାରା ଜନସାଧାରଣ ଙ୍କ ଜୀବନ ଧାରଣ ମାନରେ ପ୍ରଭୂତ ଉନ୍ନତି ଆଣିବ । ବିଶ୍ବର ବଡ ବଡ ସହରର ବ୍ୟବସ୍ଥା ସହିତ ଆଜି ଓଡିଶାର ସହର ଗୁଡିକ ମଧ୍ୟ ଯୋଡି ହୋଇଛନ୍ତି ଏବଂ Bureau of Indian Standardsର ମାନ ଅନୁଯାୟୀ ଉତ୍ତମ ଓ ସ୍ବଚ୍ଛ ଜଳ ପାଇପାରୁଛନ୍ତି। ଏହି ସେବା ପାଇଁ ମୁଖ୍ୟମନ୍ତ୍ରୀ ୱାଟ୍‌କୋ ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବ ଯୋଗୁ ଆଜି ଓଡିଶାବାସୀ ଉନ୍ନତ ମାନର ସେବା ପାଇପାରୁଛନ୍ତି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ସେ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ଓମ୍‌ବାଡସିର ଓଭରସାଇଟ୍‌ ଅଥରିଟି ଜଷ୍ଟିସ ଅନନ୍ତ ପଟ୍ଟନାୟକ କହିଲେ ଯେ ତାଙ୍କର କାର୍ଯ୍ୟର ଆବଶ୍ୟକତା ଯୋଗୁ ସେ ମାଇନିଂ ଅଂଚଳକୁ ପ୍ରାୟତଃ ଗସ୍ତ କରନ୍ତି। ପାଣି ପାଇଁ ଲୋକଙ୍କ ଅସୁବିଧାକୁ ସେ ଅନୁଭବ କରିଛନ୍ତି ବୋଲି ପ୍ରକାଶ କରି କହିଲେ ଯେ ଆଜି ସେ ଅଂଚଳ ଗୁଡିକରେ ପିଇବା ପାଣି କ୍ଷତ୍ରରେ ଉଲ୍ଲେଖନୀୟ କାମ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ବାସ୍ତବରେ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଓ ୱାଟକୋର ସିଇଓ  ପି.କେ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ  ଅଶୋକ ପଣ୍ଡା, ଭୁବନେଶ୍ବରର ମେୟର  ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ୧୯ଟି ସହରର ନେତୃବୃନ୍ଦ, ଅଧିକାରୀଗଣ ଓ ଜନସାଧାରଣ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିଲେ ।

ହରିଆଣାର ପହଞ୍ଚିଲା ଭାରତ ଯୋଡୋ ଯାତ୍ରା

ଚଣ୍ଡିଗଡ଼: ହରିଆଣାର ନୁଁହରେ ପହଞ୍ଚିଲା ଭାରତ ଯୋଡୋ ଯାତ୍ରା । ଯାତ୍ରାକୁ ନେଇ ନୂଆ ଉତ୍ସାହ । ଶହ ଶହ ଲୋକ ସାମିଲ ହୋଇଛନ୍ତି ଯାତ୍ରାରେ । ରାହୁଲ ଗାନ୍ଧୀଙ୍କୁ ନେଇ ନୂଆ କ୍ରେଜ ଦେଖିବାକୁ ମିଳିଛି । ତାଙ୍କ ସହ ସେଲଫି ନେବା ଲାଗି କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ପ୍ରକାଶ ପାଇଛି ।

ସେପଟେ ଭାରତ ଯୋଡୋ ଯାତ୍ରାକୁ ବନ୍ଦ ଲାଗି କେନ୍ଦ୍ରର ଧମକକୁ ବିରୋଧ କରିଛି କଂଗ୍ରେସ । ଦେଶରେ ହେଲଥ ଏମର୍ଜେନସି ଜାରି ହୋଇ ନଥିବାବେଳେ ଓ ବିଜେପି ବିଭିନ୍ନ ସ୍ଥାନରେ ରାଲି କରୁଥିବାବେଳେ କାହିଁକି ଭାରତ ଯୋଡୋ ଯାତ୍ରା ବନ୍ଦ କରାଯିବ ବୋଲି କହିଛି ଦଳ ।

ପୁରୀରେ ଅନୁଷ୍ଠିତ ହେବ ବିଜେଡି ପ୍ରତିଷ୍ଠା ଦିବସ

ପୁରୀ : ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ।  ଏଥିପାଇଁ ଆରମ୍ଭ ହୋଲାଣି ବିଜେଡିର ପ୍ରସ୍ତୁତି ।  ପୁରୀରେ ଅନୁଷ୍ଠିତ ହେବ ବିଜେଡି ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆ ପଡିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ୫୦ ହଜାରରୁ ଅଧିକ କର୍ମୀ ।

ମମିତା ମେହେର ଡିଏନଏ ରିପୋର୍ଟ ମିଶୁନଥିବା ଅଭିଯୋଗ ମିଛ

ଭୁବନେଶ୍ବର : ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲେ  ।  ତେବେ ଗୋବିନ୍ଦ ସାହୁର ସ୍ତ୍ରୀ ଓ ତାଙ୍କ ଓକିଲ ମମିତା ମେହେର DNA ମେଳ ଖାଉନଥିବା ଅଭିଯୋଗ ଆଣିଥିଲେ  । ହେଲେ ଏହି ଅଭିଯୋଗକୁ ଉତ୍ତରାଞ୍ଚଳ IG ଦୀପକ କୁମାର ଖଣ୍ଡନ କରିଛନ୍ତି  । ଘଟଣାସ୍ଥଳରୁ ପୋଲିସ ଜବତ କରିଥିବା ଜିନିଷ ମମିତାଙ୍କର ଓ ତାଙ୍କ ବାପା, ମା ଙ୍କ ସହିତ DNA ମ୍ୟାଚ୍ ହୋଇଛି  । ଯାହା ଲାବୋରେଟୋରୀ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ବୋଲି ଉତ୍ତରାଞ୍ଚଳ IG ସୂଚନା ଦେଇଛନ୍ତି ।

ସ୍ବାସ୍ଥ୍ୟସେବାରେ ବରଦାନ ସାଜିଛି ବିଏସକେଓ୍ବାଇ : ଉପକୃତ ହେଲେଣି ୨୮ ହଜାର ରୋଗୀ

ବରଦାନ ସାଜିଛି ବିଏସକେଓ୍ବାଇ । ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ନାରା ସ୍ବପ୍ନକୁ ସତ କରୁଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଚଳିତ ବର୍ଷ ଏଯାଏଁ ରାଜ୍ୟ ବାହାରେ ୧୦୩ଟି ସୁପର ସ୍ପେଶିଆଲିଟି ଏବଂ ଅନ୍ୟ ହସପିଟାଲରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉଛି । ଏଥିରେ ୨୮ ହଜାର ରୋଗୀ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇଲେଣି । ନଭେମ୍ବର ମାସ ସୁଦ୍ଧା ରାଜ୍ୟ ସରକାର ଏ ବାବଦକୁ ୩୯ କୋଟି ଟଙ୍କା ଖର୍ଚ୍ଚ ବହନ କଲେଣି ।

ରାଜ୍ୟ ହେଲ୍ଥ ଇନ୍ସୁରାନ୍ସ ସୋସାଇଟି ବୈଠକରେ ସୂଚନା ଦେଇଛନ୍ତି ସିଇଓ ଡକ୍ଟର ବୃନ୍ଦା ଡି । ରୋଗୀମାନେ କିପରି ଚିକିତ୍ସାରେ ଅବହେଳିତ ନହେବେ, ସେଥିପାଇଁ ଘରୋଇ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯିବା ସହ ଶୀଘ୍ର ଦେୟ ପୈଠ ପାଇଁ ନୋଡାଲ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତାମିଲନାଡୁର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍, ବେଙ୍ଗାଳୁରୁର ଶ୍ରୀଶଙ୍କରା କ୍ୟାନସର ଫାଉଣ୍ଡେସନ, କୋଲକାତାର ଟାଟା ମେଡିକାଲ ସେଣ୍ଟର, ବିଶାଖପାଟଣା ଓ ସାଙ୍ଗୁରର ହୋମି ଭାବା କ୍ୟାନସର ହସପିଟାଲ, ଗୁଆହାଟିର ବରୁହା କ୍ୟାନସର ଇନଷ୍ଟିଚ୍ୟୁଟ୍, ବାରାଣାସିର ଏଚ.ବି କ୍ୟାନସର ହସପିଟାଲ, ପଣ୍ଡିତ ମାଲବ୍ୟ କ୍ୟାନସର ହସପିଟାଲ ସେଣ୍ଟର, ମୁମ୍ବାଇର ଟାଟା ମେମୋରିଆଲ ଓ ଆଡଭାନ୍ସ ସେଣ୍ଟର ଫର୍ କ୍ୟାନସର ଏହି ଯୋଜନାରେ ସାମିଲ ହୋଇଛି ।

ଫୋର୍ଟିଜ୍ ଗ୍ରୁପର ୨୪ଟି ହସପିଟାଲ, ନାରାୟଣ ହୃଦୟାଳୟର ୭ଟି ସୁପର ସ୍ପେଶିଆଲିଟି ହାର୍ଟ ହସପିଟାଲରେ ଏହି ଯୋଜନାରେ ସାମିଲ ହୋଇଛି । ମୋଟାମୋଟି ଭାବେ ସାରା ଦେଶରୁ ୧୦୩ଟି ମେଡିକାଲ ଏହି ବିଏସକେଓ୍ବାଇ ଯୋଜନାରେ ସାମିଲ ହୋଇଛନ୍ତି । ନଭେମ୍ବର ମାସରେ ରାଜ୍ୟ ବାହାରେ ୪ ହଜାର ୫୦୦ ରୋଗୀ ଚିକିତ୍ସିତ ହୋଇଥିବା ବେଳେ, ସରକାର ୧୧ କୋଟି ୨୬ ଲକ୍ଷ ଟଙ୍କା ପୈଠ କରିଛନ୍ତି । ଏହି ଯୋଜନାରେ ୯୭ ପ୍ରତିଶତ ରୋଗୀ ଉପକୃତ ହୋଇଛନ୍ତି ।

ଉତ୍କଟ ଦାରିଦ୍ର୍ୟସ୍ଥିତି : ବିଶ୍ବରେ ଫେଲ ମାରୁଛି ଦାରିଦ୍ର୍ୟ ଦୂରୀକରଣ ଯୋଜନା

ନୂଆଦିଲ୍ଲୀ : ବିଶ୍ବରେ ଫେଲ ମାରୁଛି ଦାରିଦ୍ର୍ୟ ଦୂରୀକରଣ ଯୋଜନା । ତୀବ୍ର ହେବାରେ ଲାଗିଛି ଦାରିଦ୍ର୍ୟ । ୨୦୨୨ ସୁଦ୍ଧା ବିଶ୍ବରେ ପ୍ରାୟ ୬୮ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ ଭିତରେ ବାସ କରୁଛନ୍ତି ବୋଲି ରିପୋର୍ଟ ଦେଇଛି ବିଶ୍ବବ୍ୟାଙ୍କ ।

୨୦୩୦ ସୁଦ୍ଧା ବିଶ୍ବ ଜନସଂଖ୍ୟାର ୭ ପ୍ରତିଶତ ଅର୍ଥାତ ୫୭ କୋଟି ୪୦ ଲକ୍ଷ ଲୋକ ସର୍ବାଧିକ ଦାରିଦ୍ର୍ୟ ମଧ୍ୟରେ ରହିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୧୯୭୦ ପରେ ବିଶ୍ବ ସବୁଠୁ ଖରାପ ଅବସ୍ଥା ଦେଇ ଗତି କରୁଛି। ପ୍ରଭାବରେ ଚଳିତ ବର୍ଷ ଶେଷ ବେଳକୁ ଉତ୍କଟ ଦାରିଦ୍ର୍ୟ ବୃଦ୍ଧି ପାଇବ । ୨୦୨୦କୁ ବାଦ ଦେଲେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ସବୁଠାରୁ ଖରାପ ସ୍ଥିତି ବୋଲି ବିଶ୍ବବ୍ୟାଙ୍କ ଦର୍ଶାଇଛି ।

କରୋନା ମହାମାରୀର ପ୍ରଭାବ ବ୍ୟତୀତ ଖାଦ୍ୟ ଓ ଶକ୍ତି ମୂଲ୍ୟ ବୃଦ୍ଧି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁ ଏହି ସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୭୩.୩ କୋଟି ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚିନି। ୨୦୩୦ ସୁଦ୍ଧା ୬୭ କୋଟି ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚିନଥିବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।

ବିଶ୍ବରେ ବର୍ତ୍ତମାନ ୭୩ କୋଟି ୩୦ ଲକ୍ଷ ଲୋକ ବିଦ୍ୟୁତରୁ ବଞ୍ଚିତ ହେଉଥିବାବେଳେ ୨୦୩୦ ବେଳକୁ ଏହି ସଂଖ୍ୟା ୬୭ କୋଟିରେ ପହଞ୍ଚିବ । ନିମ୍ନ ଓ ମଧ୍ୟମ ଆୟକରୀ ରାଷ୍ଟ୍ର ବର୍ଗରେ ପ୍ରତି ୧୦୦ ଶିଶୁଙ୍କ ମଧ୍ୟରେ ୬୦ ଜଣ ଶିଶୁ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଏବଂ ୧୦ ଜଣ ଶିଶୁ ସ୍କୁଲ ଯାଇପାରୁନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

ସଂସଦରେ ପ୍ରବଳ ହଟ୍ଟଗୋଳ , ସପ୍ତାହେ ପୂର୍ବରୁ ବନ୍ଦ ହୋଇପାରେ ଅଧିବେଶନ !

ନୂଆଦିଲ୍ଲୀ : ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ । ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗରେ ଘଟିଥିବା ସଂଘର୍ଷର ଆଲୋଚନା ଦାବିରେ ଗୃହକାର୍ଯ୍ୟ ହୋଇଛି ଅଚଳ । ଗତକାଲି ବିଜେପି ବିରୋଧରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ବୟାନକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ସୃଷ୍ଟି ହେବା ପରେ ଆଜି ଭାରତ-ଚୀନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ସେପଟେ ଗୃହକାର୍ଯ୍ୟ ବାରମ୍ବାର ବିଭ୍ରାଟ ହେଉଥିବାରୁ ସପ୍ତାହେ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ ବନ୍ଦ କରିଦିଆଯିବା ସମ୍ଭାବନା ସୃଷ୍ଟି ହୋଇଛି । ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ଭାରତ-ଚୀନ ପ୍ରସଙ୍ଗ ନେଇ ଆଲୋଚନା କରିବା ଦାବି କରି ହଙ୍ଗାମା ସୃଷ୍ଟି କରିଥିଲେ । ପରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ନାରାବାଜି କରିଥିଲେ ।

ସେପଟେ ସଂସଦ ଅଧିବେଶନ କାଳରେ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଆଲୋଚନା ପାଇଁ ସର୍ବଦଳୀୟ ସାଂସଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ସେହିପରି କଂଗ୍ରେସ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧିଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ଆଲୋଚନା କରିଛନ୍ତି ।

ଡଲଫିନ ଗଣନାରେ ୧୮ଟି ଟିମ୍, ଚଳିତ ବର୍ଷ ସଂଖ୍ୟା ବୃଦ୍ଧି ନେଇ ଆଶା

ଖୋର୍ଦ୍ଧା : ଆଜି ଠାରୁ ଚିଲିକାରେ  ଜାରି ରହିଛି ଡ଼ଲଫିନ ଗଣନା । ସାତପଡ଼ା ଓ ବାଲୁଙ୍ଗା ରେଞ୍ଜ ପକ୍ଷରୁ ଆଜି ଠାରୁ  ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ଆସନ୍ତା ୧୩ ତାରିଖ  ଯାଏଁ ଜାରି ରହିବ ।ଏହି ଡ଼ଲଫିନ ଗଣନା କାର୍ଯ୍ୟରେ ଉଭୟ ରେଞ୍ଜ’ର ମୋଟ ୧୮ଟି ଟିମ୍ ସାମିଲ ହୋଇଛନ୍ତି । ଏହା ସହିତ ବୋଟ ମାଧ୍ୟମରେ ଚିଲିକା ଭିତରକୁ ଯାଇ ଜିପିଏସ୍,ଲାଇନଟ୍ରାକ୍, ବାଇନାକୁଲର, ଫଟୋଗ୍ରାଫୀ ଓ ଭିଡିଓ ଗ୍ରାଫୀ ମାଧ୍ୟମରେ ମଧ୍ୟ ସର୍ଭେ କରାଯଉଛି । ତେବେ ଗଣନାର ପ୍ରଥମ ଦିନର ସଂକେତ ଅନୁସାରେ ଚଳିତ ଥର ଡ଼ଲଫିନ  ସଂଖ୍ୟା ବୃଦ୍ଧି ନେଇ ଆଶା କରାଯାଉଛି  ।

ଏହି ଡ଼ଲଫିନ ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ୧୮ଟି ଟିମ୍ ମଧ୍ୟରେ ଚିଲିକା ବନ୍ୟପ୍ରାଣୀ ବନବିଭାଗର କର୍ମଚାରୀ,  ଚିଲିକା ଉନ୍ନୟନ ବିଭାଗର ଅଧିକାରୀ , ପରିବେଶବିତ ଓ Ouat ଛାତ୍ର, ଏନଜିଓ ସଂସ୍ଥା,ପୂର୍ବତନ ଅଧିକାରୀ ଓ ବିଭିନ୍ନ ମୋଟର ବୋଟର କର୍ମକର୍ତ୍ତା ଆଦିଙ୍କୁ ମିଶାଇ ମୋଟ ୧୬୦ ଜଣ ସାମିଲ ହୋଇଛନ୍ତି  । ୧୦ଟି ଟିମ୍ ବାଲୁଙ୍ଗା ଏବଂ ୮ ଟି ଟିମ ସାତପଡ଼ା ଅଞ୍ଚଳରେ ଡ଼ଲଫିନ ଗଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଆଜି ସକାଳ ୬ଟାରୁ  ୧୮ଟି ଟିମ୍ ୧୮ଟି ବୋଟରେ ଚିଲିକାର ଗଭୀର  ଜଳରାଶି ମଧ୍ୟରେ ଡ଼ଲଫିନକୁ ଟ୍ରାକ କରିବା ସହ ଗଣନା କରିଛିନ୍ତି । ଗତ ବର୍ଷ ଚିଲିକାରେ ଡ଼ଲଫିନ ସଂଖ୍ୟା ୧୬୭  ଥିଲା । ତେବେ ଚଳିତ  ଥର  ଗଣନାର ଶେଷ ଦିନ ଅର୍ଥାତ ୨୩ ତାରିଖ ଦିନ ମୋଟ ଡ଼ଲଫିନ ସଂଖ୍ୟା କେତେ ହେଲା ତାହା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରକଶ କରାଯିବ । ଏଥି ସହିତ ଡ଼ଲଫିନ ସଂଖ୍ୟା ସର୍ବାଧିକ ଦେଖାଯାଉଥିବା ରାଜହଂସ  ଅଞ୍ଚଳକୁ ଟୁରିଷ୍ଟ ବୋଟ୍ ଗୁଡିକୁ ବାରଣ ମଧ୍ୟ କରାଯାଇଛି ।

ସୁର ଓ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍ ,ଦଳ ବିରୋଧୀ ମନ୍ତବ୍ୟ ପାଇଁ ନୋଟିସ୍ ଜାରି

ଭୁବନେଶ୍ବର : କଂଗ୍ରେସର ଦୁଇ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ। ସପ୍ତାହେ ମଧ୍ୟରେ ନୋଟିସର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଉଭୟଙ୍କୁ ନୋଟିସ୍ କରିଛି ଦଳ। ପୂର୍ବରୁ ମଧ୍ୟ ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ଦଳୀୟ ଅନୁଶାସନ ମଧ୍ୟରେ ରହିବାକୁ ନୋଟିସ ଜାରି କରାଯାଇଥିବା ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ସୂଚନା ଦେଇଛନ୍ତି।

ଦଳ ବିରୋଧୀ ମନ୍ତବ୍ୟ ପାଇଁ ହାଇକମାଣ୍ଡଙ୍କୁ ଅବଗତ କରାଯାଇଛି, ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି। ତେବେ ବିଧାୟକ ଦଳର କ୍ଷତି ନକରନ୍ତୁ ବୋଲି ସାଲୁଜା କହିଛନ୍ତି। ସେପଟେ ନୋଟିସର ଉଚିତ୍ ଜବାବ୍ ଦେବେ। ଦଳ ଯାହା ଦଣ୍ଡ ଦେବ ଗ୍ରହଣ କରିବେ ବୋଲି ସୁର କହିଛନ୍ତି। ବିଜେପିର ଭୋଟ ରହିଲା। ସେ ଭୋଟ ବିକ୍ରି କଥା କହିନଥିଲେ, ୨୮ ହଜାର ଭୋଟ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। କଂଗ୍ରେସର କେଉଁ ନେତା କି ପ୍ରାର୍ଥୀଙ୍କ ନାଁ କହିନାହାନ୍ତି। ଭୋଟର କିଣା ବିକା ହୋଇଛନ୍ତି। ଅପ୍ରିୟ ସତ କହିବେ, କେହି ରୋକି ପାରିବେନି ବୋଲି ସୁର କହିଛନ୍ତି। କଂଗ୍ରେସ ବିରୋଧରେ ବିନ୍ଦୁଏ ବି କହିବେନି। ସେ ଆଉ ସକ୍ରିୟ ରାଜନୀତିରେ ରହିବେନି କିନ୍ତୁ ଶେଷ ଯାଏଁ କଂଗ୍ରେସ ପାଇଁ କାମ କରିବେ ବୋଲି ସୁର କହିଛନ୍ତି।

ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି; ’ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ଆଉ ରହିବ ନାହିଁ ପାନୀୟ ଜଳ ସମସ୍ୟା । ସଭିଙ୍କ ପାଖରେ ପହଞ୍ଚିବ ବିଶୁଦ୍ଧ ପାଣି ।  ଗୋପାଳପୁରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାର ହେଲା ଶୁଭାରମ୍ଭ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଗୋପାଳପୁରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସହିତ ୧୯ ଟି ସହରରେ ଏହି ସେବା ଉପଲବ୍ଧ ହୋଇଛି । ଏହାଦ୍ବାରା ପ୍ରାୟ ୫.୫ ଲକ୍ଷ ଲୋକ ଉପକୃତ ହେବେ । ରାଜ୍ୟର ଏହି ୧୯ଟି ସହରାଞ୍ଚଳର ବିଭିନ୍ନ ୱାର୍ଡରେ ଏହି ସେବା ଆରମ୍ଭ ହୋଇଛି । ଏହା ବ୍ୟତୀତ ଖୋର୍ଦ୍ଧା, ଜଟଣୀ ଏବଂ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଏହି ଯୋଜନାର କାର୍ଯ୍ୟାରମ୍ଭ କରାଯିବ ।

ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୪ଟି ସହରରୁ ୮୫ଟି ସହରରେ ଶତ ପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରିସାରିଛି । ଏବେ ୧୯ଟି ସହର ଯୋଡ଼ି ହେବା ସହିତ ଅନ୍ୟ ୩ଟି ସହରରେ କାର୍ଯ୍ୟାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାରେ ଆନ୍ତର୍ଜାତୀୟ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି । ସେହିପରି ରାଉରକେଲା ସହରରେ ମଧ୍ୟ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ରାଉରକେଲା ସହରର ୱାର୍ଡ ନମ୍ଵର ୧, ୨, ୩ ଓ ୩୬ ରେ ବସବାସ କରୁଥିବା ୨୦ ହଜାର ଜନସାଧାରଣ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଇବେ ।

ଆସନ୍ତା ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ମିଳିବ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ। ପୁରୀ ପରେ ଗୋପାଳପୁର ସହରରେ ଆଜିଠାରୁ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇଛି। ଏଥିସହ ହିଞ୍ଜିଳିକାଟୁ,ଜଟଣୀ ସହରରେ ଆଜିଠାରୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ସୂଚନା ଦେଇଛନ୍ତି ।