spot_img
Home Blog Page 3770

ଧାମନଗର ଉପନିର୍ବାଚନ: ଆପରେ ଅଭିଯୋଗ କରିବେ ସାଧାରଣ ଲୋକ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ଶେଷ ପର୍ଯ୍ୟାୟରେ ପ୍ରଶାସନର ପ୍ରସ୍ତୁତି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରାଜନୈତିକ ଦଳ ବିରୋଧରେ ଆସିଛି ଅନେକ ଅଭିଯୋଗ । ରାଜନୈତିକ ଦଳ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଭଳି ଅଭିଯୋଗ ହୋଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକାଇବା ଭଳି ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ । ଏଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ସି. ଭିଜିଲ ଆପ୍ ଜରିଆରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ । ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସିଇଓ । ଏ ପର୍ଯ୍ୟନ୍ତ ୧୦୨ଟି ଅଭିଯୋଗ ହୋଇଥିବା ବେଳେ, ୨୧୬ ଜଣଙ୍କୁ ଗିରଫ କରାଯାଇଛି ।

ରୁଟି ଖାଇବା ପଡିପାରେ ମହଙ୍ଗା, ଦୀପାବଳି ପରେ ବଢିଲା ଦର

ନୂଆଦିଲ୍ଲୀ: ଦୀପାବଳି ପରେ ବଢିଲା ଗହମ ଜାତୀୟ ଖାଦ୍ୟ ସାମଗ୍ରୀର ଦର । ଅଟା ମଇଦା ସୁଜି ସବୁର ଦର ବଢିଛି । ୟୁକ୍ରେନ ରଷ ଯୁଦ୍ଧ ଏହାର ଏକ କାରଣ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କର୍ପୋରେଟ ପ୍ରୀତିକୁ ଟାର୍ଗେଟ କରିଛନ୍ତି ବ୍ୟବସାୟୀ ମହା ସଂଘ ।

ଏଫସିଆଇ ଗହମ ଗଚ୍ଛିତ ରଖିଛି ହେଲେ ଖୋଲା ବଜାରରେ ବିକ୍ରି କରୁନାହିଁ । କର୍ପୋରେଟ ସଂସ୍ଥା ମାନେ ଏହାର ଫାଇଦା ଉଠାଇ ଗଚ୍ଛିତ ରଖିଥିବା ଗହମକୁ କୁଇଣ୍ଟାଲ ପିଛା ୧୯୦୦ ବଦଳରେ ୨୭୦୦ ଟଙ୍କାରେ ବିକ୍ରି କରୁଛନ୍ତି । ତୁରନ୍ତ ଏଫସିଆଇ ଗହମକୁ ଖୋଲା ବଜାରରେ ନ ବିକ୍ରି କଲେ ଦର ଦାମ ଉପରେ ନିୟନ୍ତ୍ରଣ ଆସିବ ନାହିଁ କହିଛି ବ୍ୟବସାୟୀ ମହାସଂଘ ।

ଅଳିଆ ଗଦାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ, ମୁହାଁମୁହିଁ ଆପ୍ ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ପୌର ନିର୍ବାଚନ ପୂର୍ବରୁ ଅଳିଆ ଗଦାକୁ ନେଇ ରାଜନୀତି ସରଗରମ  ।  ଗାଜିପୁର ଲ୍ୟାଣ୍ଡଫିଲ ସାଇଟରେ ବିଜେପିର ହଙ୍ଗାମା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗାଜିଆବାଦ ଗସ୍ତ କରିଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ଦିଲ୍ଲୀ ସରକାର ବିରୋଧରେ ନାରାବାଜୀ ସହ କେଜ୍ରିଓ୍ବାଲ ଓ ସିସୋଦିଆଙ୍କ ହାଏ ହାଏ ନାରା ଲଗାଇଥିଲେ ବିଜେପି କର୍ମକର୍ତ୍ତା ।

ବିଜେପି ବିକ୍ଷୋଭକୁ କାଉଣ୍ଟର କରି ଆପ୍ ପକ୍ଷରୁ ଗାଜିପୁର ଲ୍ୟାଣ୍ଡଫିଲ ସାଇଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ସ୍ଥଳରେ ମୁହାଁମୁହିଁ ହୋଇଛନ୍ତି ଆପ୍-ବିଜେପି କର୍ମୀ । ସଫେଇ ପାଇଁ ଆସୁଥିବା ଫଣ୍ଡ ଦିଲ୍ଲୀ ସରକାର ବନ୍ଦ କରିଦେବାରୁ ଅଳିଆ ଗଦା ହୋଇ ରହିଛି ବୋଲି ବିଜେପି ଅଭିଯୋଗ କରିଛି ।

ଅନ୍ୟପଟେ ଲ୍ୟାଣ୍ଡଫିଲ ସାଇଟରେ ପହଞ୍ଚିବା ପରେ ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ । ଗତ ୧୫ ବର୍ଷ ଧରି ନିଗମ ବିଜେପି ହାତରେ ରହିଛି । ଏହି ୧୫ ବର୍ଷରେ ବିଜେପି ଦିଲ୍ଲୀକୁ ୩ଟି ଅଳିଆ ପାହାଡ଼ ଭେଟି ଦେଇଛି ବୋଲି କେଜରିଓ୍ବାଲ କହିଛନ୍ତି ।

ଆସନ୍ତା ଡିସେମ୍ବର ୨୭ରୁ ଧନୁଯାତ୍ରା, କଂସ ପାଇଁ ଫର୍ମ ପୂରଣ କଲେ ୧୩ ଜଣ

ବରଗଡ: ଆସନ୍ତା ଡିସେମ୍ବର ୨୭ରୁ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ କମ୍ପିବ ବରଗଡ଼ । ଏଥିପାଇଁ ଏବେଠୁ ବରଗଡ଼ ଜିଲ୍ଲାବାସୀଙ୍କ ମନରେ ଦେଖିବାକୁ ମିଳିଲାଣି ଉତ୍ସାହ । ଧନୁଯାତ୍ରାରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ଆଜି ଫର୍ମ ପୂରଣ ହୋଇଛି ।

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଲାଗିଛି କଳାକାରଙ୍କ ଭିଡ଼ । ପୂର୍ବତନ କଂସ ହୃଷୀକେଶ ଭୋଇ ଆଜି ଫର୍ମ ଦାଖଲ କରିଛନ୍ତି । ସେହିପରି ଦୀର୍ଘ ୨୩ ବର୍ଷ ଧରି କଂସ ମହାରାଜା ଭୂମିକାରେ ଅଭିନୟ କରିଥିବା ଗୋପାଳ ସାହୁ ବି ଫର୍ମ ଦାଖଲ କରିଛନ୍ତି । ଏହି ଦୁଇ ଜଣଙ୍କୁ ବାଦ ଦେଲେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଭୁବନେଶ୍ବର ପ୍ରଧାନ ଫର୍ମ ଦାଖଲ କରିବେ ବୋଲି ଜଣାପଡିଛି ।

ବରଗଡ଼ର ଧନୁଯାତ୍ରା ତାରିଖ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମନରେ ଉତ୍କଣ୍ଠା ସେତିକି ଦେଖିବାକୁ ମିଳିଛି । କିଏ ହେବ କଂସ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କଂସ ମହାରାଜ ଭୂମିକାରେ ଅଭିନୟ ପାଇଁ ଆଜି ସୁଦ୍ଧା ପ୍ରାୟ ୧୩ ଜଣ, ମହାମନ୍ତ୍ରୀ ପାଇଁ ୩ ଜଣ, ମହାମନ୍ତ୍ରୀ ସାତ୍ୟକୀ ପାଇଁ ୪ ଜଣ, ଚାଣୁର ପାଇଁ ୫ ଜଣ, ମୁଷ୍ଟିକ ପାଇ ୨ ଜଣ, ଅକ୍ରୁର ପାଇଁ ୪ଜଣ, ଉଗ୍ରସେନ ପାଇଁ ୨ ଜଣ, ବସୁଦେବ ଚରିତ୍ର ପାଇଁ ୩ ଜଣ, ନାରଦ ଚରିତ୍ର ପାଇଁ ୪ ଜଣ ଫର୍ମ ଦାଖଲ କରିଛନ୍ତି ।

ଛଟ୍‌ ପୂର୍ବରୁ ଦୂଷିତ ଯମୁନା, ଆଇସ୍‌ଲ୍ୟାଣ୍ଡର ଭ୍ରମ ସୃଷ୍ଟି କଲା ଦିଲ୍ଲୀ

ନୂଆଦିଲ୍ଲୀ: ଛଟ୍‌ ପୂଜା ପୂର୍ବରୁ ଦୂଷିତ ହୋଇଛି ଯମୁନା ଜଳ । ନଦୀ ପାଣିରେ ବରଫ ଭଳି ଆସ୍ତରଣ ଭାସୁଥିବା ଦେଖାଯାଇଛି । ଅପରିଷ୍କାର ଯମୁନା ପାଣିରେ ଆଜି ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ । ଛଟ୍ ପୂଜାରେ ନଦୀରେ ବୁଡ଼ ପକାଇଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ବାସ ରହିଛି । ଆଜି ସକାଳୁ ଦିଲ୍ଲୀର କାଳନ୍ଦୀ କୁଞ୍ଜ ଅଞ୍ଚଳରେ ଯମୁନା ନଦୀରେ ଏଭଳି ଧଳା ଧଳା ଫେଣ ଭାସୁଥିବା ବେଳେ ସେହି ପାଣିରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।

ଯମୁନା ପାଣିରେ ଆମୋନିଆର ମାତ୍ରା ବଢ଼ିଯିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣ ବଢ଼ିଥିବା ଯୋଗୁ ଯମୁନା ଜଳରେ ଆମୋନିଆର ମାତ୍ରା ବୃଦ୍ଧି ପାଇଛି । ବିହାରରେ ଛଟ ମହାପର୍ବ ପାଇଁ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଷଷ୍ଠୀ ପୂଜା, ୩୧ ଅକ୍ଟୋବରରେ ପୂଜା ସମାପନ ହେବ ।

ବିଶେଷକରି ପଶ୍ଚିମବଙ୍ଗ, ବିହାର ଝାଡଖଣ୍ଡରେ ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରୁଛି । ଛଟ ପୂଜା ପାଇଁ ୧୨୪ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ପାଟନାରେ ଛଟ ପୂଜା ପାଇଁ ୨୧ ଫୁଟ ଲମ୍ବର ଏକ ସ୍ବତନ୍ତ୍ର ପେଣ୍ଟିଂ ମଧ୍ୟ ଲଗାଯାଇଛି ।

କମିଶନରେଟ ପୋଲିସ ସ୍କାନରରେ ଦୁର୍ଦ୍ଦାନ୍ତ ଅପରାଧୀ, ପୁଣି ଜଣେ ତଡିପାର

ଭୁବନେଶ୍ବର: ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ତଡ଼ିପାର କଲା କମିଶନରେଟ୍ ପୋଲିସ । ଅଭ୍ୟାସଗତ ଓ ପେଷାଦାର ଅପରାଧୀ କିଷନ ଓରଫ କ୍ରୀଷ୍ଣା ସିଂକୁ ତଡ଼ିପାର କରାଯାଇଛି । ତା ଘର ପାତ୍ରପଡ଼ା ଉଦୟଗିରି ବିହାରରେ । ଖଣ୍ଡଗିରି ଥାନା ଅଞ୍ଚଳ ଓ ଭୁବନେଶ୍ବର ସହରାଞ୍ଚଳ ପୋଲିସ ପାଇଁ ଏହି ତଡିପାର କଟକଣା ବଳବତ୍ତର ରହିବ ।

୨୦୧୪ରୁ ୨୦୨୨ ମଧ୍ୟରେ କିଷନ ନାଁରେ ଖଣ୍ଡଗିରି ଥାନାରେ ୮ଟି ମାମଲା ରହିଛି । ଭରତପୁର ଥାନାରେ ୨ଟି, ଏୟାରପୋର୍ଟ ଓ ଜଟଣୀ ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି । ଲୋକଙ୍କୁ ଭୟଭୀତ କରିବା ସହ ମାରଣାସ୍ତ୍ର ଦେଖାଇ ଲୁଟ୍ ଓ ଚୋରିରେ ଲିପ୍ତ ଥିଲା କିଷନ । ସହରାଞ୍ଚଳ ପୋଲିସ ଅଧିନିୟମ ଅନୁସାରେ ତଡ଼ିପାର ଆଦେଶ ଜାରି ହୋଇଛି । ଗତକାଲି ବାବୁ ଓରଫ ସଂଗ୍ରାମକୁ ତଡ଼ିପାର କରାଯାଇଥିଲା ।

BCCIର ଐତିହାସିକ ଘୋଷଣା, ପୁରୁଷ ଓ ମହିଳା କ୍ରିକେଟରଙ୍କୁ ମିଳିବ ସମାନ ଦରମା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର  । ଏଣିକି ଆଉ ପୁରୁଷ ଓ ମହିଳାଙ୍କ ବେତନକୁ ନେଇ କୌଣସି ଭେଦଭାବ ରହିବ ନାହିଁ  । ସମସ୍ତ କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍‌ ଫିସ୍‌  । ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ଜୟ ଶାହ ସୋସିଆଲ ମିଡିଆରେ ଏହି ଐତିହାସିକ ନିଷ୍ପତ୍ତିର ସୂଚନା ଦେଇଛନ୍ତି  ।

ମହିଳା କ୍ରିକେଟରଙ୍କ ପାଇଁ ବେତନ ଇକ୍ୱିଟି ପଲିସି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ  । ଏବେ ଆମେ ଲିଙ୍ଗ ସମାନତାର ଏକ ନୂଆ ଯୁଗରେ ଏଣ୍ଟ୍ରି କରୁଛି  । ଏଣୁ ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ବିସିସିଆଇ ଦେବ  ।

ଟେଷ୍ଟ କ୍ରିକେଟରେ ଗୋଟିଏ ମ୍ୟାଚ୍‌ ପାଇଁ ଭାରତୀୟ ପୁରୁଷ କ୍ରିକେଟ ଟିମକୁ ୧୫ ଲକ୍ଷ ଟଙ୍କା ମିଳୁଥିବାବେଳେ ଦିନିକିଆ ପାଇଁ ୬ ଲକ୍ଷ ଟଙ୍କା ମିଳୁଛି  । ସେହିପରି ଟି ୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ଗୋଟିଏ ମ୍ୟାଚ ପାଇଁ ତିନି ଲକ୍ଷ ଟଙ୍କା ମିଳୁଛି  । ଏବେ ଏହି ମ୍ୟାଚ୍‌ ଫିସ୍‌ ମହିଳା କ୍ରିକେଟରଙ୍କୁ ବି ମିଳିବ  ।

କ୍ରିକେଟରେ ପୁରୁଷ ମହିଳାଙ୍କୁ ସମାନ ବେତନ ଲାଗୁ କରିବା ପାଇଁ ଚଳିତ ବର୍ଷ ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ନିଷ୍ପତ୍ତି ନେଇଥିଲା  । ଏଥିଯୋଗୁଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଓ ୬ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଥିଲା  । ୫ ବର୍ଷ ପାଇଁ ଅନ୍ତର୍ଜାତୀୟ ସମେତ ଘରୋଇ କ୍ରିକେଟରଙ୍କୁ ସମସ୍ତ ଟୁର୍ଣ୍ଣାମେଣ୍ଟରେ ସମାନ ଦରମା ମିଳିବ ବୋଲି ସ୍ଥିର କରାଯାଇଛି  ।

 

ଟି-୨୦ ବିଶ୍ବକପରେ ଭାରତ ନେଦରଲ୍ୟାଣ୍ଡସ୍ ମୁହାଁମୁହିଁ, ଭାରତର ବ୍ୟାଟିଂ ନିଷ୍ପତ୍ତି

ସିଡନୀ: ଆଜି ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ ନେଦରଲ୍ୟାଣ୍ଡସ୍ । ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ସେମି ଫାଇନାଲ୍ ରାସ୍ତା ସହଜ କରିବା ପାଇଁ ଭାରତ ଏହି ମ୍ୟାଚ୍କୁ ବଡ ବ୍ୟବଧାନରେ ଜିତିବାକୁ ଲକ୍ଷ୍ୟ ରଖିଛି । ମେଲବୋର୍ଣ୍ଣ ପରି ସିଡନୀରେ ବି ମ୍ୟାଚ୍ ଉପରେ ବର୍ଷା ସାଜିପାରେ ବାଧକ । ଅକ୍ଷର ପଟେଲ ପୁଣିଥରେ ଟିମ ଇଣ୍ଡିଆରେ ନିଜ ସ୍ଥାନ ବଜାୟ ରଖିଛନ୍ତି  ।

ପାକିସ୍ତାନ ବିପକ୍ଷରେ ବିଜୟ ପରେ ଭାରତର ମନୋବଳ ଦୃଢ ରହିଛି । ଭାରତ ବିପକ୍ଷରେ କୌଣସି ଟି-୨୦ ଖେଳିନଥିବାରୁ ପ୍ରଥମ ମ୍ୟାଚକୁ ହାତେଇବାକୁ ଚେଷ୍ଟା କରିବ ନେଦରଲ୍ୟାଣ୍ଡସ୍ । 2016ରେ ସିଡିନୀ ଗ୍ରାଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ସ୍କୋର୍ କରିଥିଲା । ପ୍ରଥମ ବ୍ୟାଟିଂ କରିଥିବା ଟିମକୁ ମିଳିପାରେ ସଫଳତା । ପ୍ରଥମ ବ୍ୟାଟିଂ କରିଥିବା ଟିମ୍ ସିଡନୀରେ 7 ଥର ବିଜୟ ନେଇ ରେକର୍ଡ ରହିଛି । ପ୍ରଥମ ବୋଲିଂ କରିବା ଟିମକୁ 5 ଥର ମିଳିଛି ସଫଳତା ।

ହାତରେ ବେସିନ ଧରି ଟ୍ବିଟର ଅଫିସରେ ପହଞ୍ଚିଲେ ଏଲନ ମସ୍କ, ସେୟାର କଲେ ଭିଡିଓ

ସାନ୍‌ଫ୍ରାନ୍ସିସ୍କୋ: ଆରବପତି ଏଲନ ମସ୍କ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀ ଟ୍ବିଟର ଇଙ୍କ୍‌ର ହେଡକ୍ୱାର୍ଟରରେ ପହଞ୍ଚିଥିଲେ  । କିନ୍ତୁ ମସ୍କ ଟ୍ବିଟର ଅଫିସରେ ଏଣ୍ଟ୍ରି କରିବା ମାତ୍ରେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି  । ମସ୍କ ଫ୍ରାନ୍ସିସ୍କୋସ୍ଥିତ ଟ୍ବିଟର ଇଙ୍କ୍‌ର ମୁଖ୍ୟାଳୟ ପହଞ୍ଚି ନିଜ ଭିଡିଓ ଟ୍ବିଟ କରିଛନ୍ତି  ।

ନିକଟରେ ସେ ହାତରେ ଏକ ବେସିନ୍‌ ଧରି ଟ୍ବିଟର ଅଫିସ ଭିତରେ ପ୍ରବେଶ କରିଥିଲେ  । ଯାହାର ଭିଡିଓ ମଧ୍ୟ ସେ ଟ୍ବିଟରରେ ସେୟାର କରିଥିଲେ  । ପୋଷ୍ଟ କରି ସେ ଲେଖିଥିଲେ ’ଟ୍ବିଟର ଅଫିସ୍‌ ଭିତରେ ପ୍ରବେଶ କରୁଛି, ଖୁବଶୀଘ୍ର ସବୁ ପ୍ରତୀକ୍ଷାର ଅନ୍ତ’ ।

 

ସେହିପରି ମସ୍କ ନିଜ ଟ୍ବିଟର ପ୍ରୋଫାଇଲର ବାୟୋରେ ଚିଫ୍‌ ଟ୍ବିଟ ଲେଖି ଏହା ସଙ୍କେତ ମଧ୍ୟ ଦେଇଛନ୍ତି ଯେ ସେ ହିଁ ଟ୍ବିଟରର ଆଗାମୀ ବସ୍‌  । ଏକ ମିଡିଆ ରିପୋର୍ଟ ଅନୁସାରେ ଟ୍ବିଟର ଅଧିଗ୍ରହଣ ପାଇଁ ମସ୍କଙ୍କ ଆକାଉଣ୍ଟକୁ ୧୩ ବିଲିଅନ ଡଲାର ବ୍ୟାଙ୍କ ପଠାଇବାର ବ୍ୟବସ୍ଥା କଲେଣି  ।

ଚଳିତ ବର୍ଷ ଏପ୍ରିଲ ୧୩ରେ ଟ୍ବିଟର କିଣିବା ପାଇଁ ଘୋଷଣା କରିଥିଲେ ମସ୍କ  । ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୫୪.୨ ଡଲାର ପ୍ରତି ସେୟାର ରେଟ୍‌ରୁ ୪୪ ଆରବ ଡଲାରରେ କିଣିବା ପାଇଁ ଅଫର୍ ଦେଇଥିଲେ  । କିନ୍ତୁ ସେତେବେଳେ ସ୍ପାମ ଓ ଫେକ୍‌ ଆକାଉଣ୍ଟ ପାଇଁ ସେ ଏହି ଡିଲ୍‌କୁ ରଦ୍ଦ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଶୁଣିବାକୁ ମିଳୁଛି  ।

 

ଆହତ ଦନ୍ତାର ଚିକିତ୍ସା ଆରମ୍ଭ, ଆଘାତ କାରଣରୁ ଛୋଟେଇ ଚାଲୁଥିଲା

କେନ୍ଦୁଝର: ଆହତ ଦନ୍ତାର ଚିକିତ୍ସା ଆରମ୍ଭ । ଟ୍ରାଙ୍କୁଲାଇଜ୍ କରିବା ପରେ ଆହତ ହାତୀର ଚିକିତ୍ସା କରୁଛନ୍ତି ବିଶେଷଜ୍ଞ ଦଳ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ୍ ଚମକପୁର ଜଙ୍ଗଲରେ ଏକ ଦନ୍ତାହାତୀ ଗତ କଛି ଦିନ ହେବ ଆହତ ହୋଇଥିଲା ।

ଏହି ଗୋଠଛଡ଼ା ଦନ୍ତାର ସାମ୍ନାପଟ ଡାହାଣ ଗୋଡ଼ରେ କ୍ଷତ ହୋଇଥିବା କାରଣରୁ ସେ ଠିକ ଭାବେ ଚାଲିପାରୁନଥିଲା । ଦନ୍ତାଟି ଛୋଟେଇ ଚାଲୁଥିବା ବନ ବିଭାଗ ଜାଣିବା ପରେ ତାର ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ମଙ୍ଗଳବାର ଦିନ ସ୍ଵତନ୍ତ୍ର ବିଶେଷଜ୍ଞ ଦଳ ଜଙ୍ଗଲରେ ପହଞ୍ଚିଥିଲେ ।

ଡବ୍ଲୁ ଟି ଆଇ, ଓୟୁଏଟି ଓ ନନ୍ଦନକାନନରୁ ଏହି ବିଶେଷଜ୍ଞ ଦଳରେ ଟ୍ରାଙ୍କୁଲାଇଜ୍ ଟିମ୍ ସହ ୬ ଜଣିଆ ବନ୍ୟପ୍ରାଣୀ ଚିକିତ୍ସକ ସାମିଲ ଥିଲେ । କେନ୍ଦୁଝର ଡିଏଫଓଙ୍କ ତତ୍ତ୍ଵାବଧାନରେ ୨ଜଣ ଏସିଏଫ୍ , ରେଞ୍ଜର,  ବନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ  ।

ହାତୀକୁ ଅଚେତ୍ କରିବା ପରେ କ୍ଷତସ୍ଥାନକୁ ପରିଷ୍କାର କରି ସେଥିରେ ଔଷଧ ଲଗାଇବା ସହ ସାଲାଇନ୍ ଓ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା । ଚିକିତ୍ସା ପରେ ଦନ୍ତାହାତୀଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବ ବୋଲି ଆଶା କରିଛନ୍ତି ଚିକିତ୍ସକ ଦଳ ।