spot_img
Home Blog Page 3784

ଦୀପାବଳି ପୂର୍ବରୁ ଲିଭିଗଲା ଜୀବନ ଦୀପ, ବସ୍‌ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ

ଭୋପାଳ: ଦୀପାବଳି ପୂର୍ବରୁ ମର୍ମନ୍ତୁଦ ଦୁର୍ଘଟଣା । ଅଧାରେ ରହିଗଲା ଦୀପାବଳି । ମଧ୍ୟପ୍ରଦେଶ ରେୱାରେ ସିରିଜ୍ ଦୁର୍ଘଟଣା ଘଟି ୧୪ ଜଣ ପ୍ରାଣ ହରାଇଛନ୍ତି । ହାଇଦ୍ରାବାଦରୁ ଗୋରଖପୁର ଯାଉଥିବା ବସ୍‌ ଟ୍ରକକୁ ଧକ୍କା ଦେଇଛି । ୪୦ ଜଣ ଆହତ ହୋଇଥିବା ବେଳେ ୨୦ ଗୁରୁତରଙ୍କୁ ପ୍ରୟାଗରାଜ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୩୦ ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ସାମ୍ନାରେ ଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଏହାର ପଛେ ପଛେ ଆସୁଥିବା ଯାତ୍ରୀବାହୀ ବସ୍ ମଧ୍ୟ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ସମସ୍ତ ଯାତ୍ରୀ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଘରକୁ ଦୀପାବଳି ପାଳିବାକୁ ଯାଉଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ରାତି ୧୧ଟାରେ ସୁହାଗି ପାହାଡି ନିକଟରେ ଦୁର୍ଘଟଣା ଘଟିଥିଲା  । ମଧ୍ୟପ୍ରଦେଶର ଜବଲପୁରରୁ ରିୱା ଦେଇ ବସଟି ହାଇଦ୍ରାବାଦରୁ ପ୍ରୟାଗରାଜ ଯାଉଥିଲା  । ଏହି ସମୟରେ ଘାଟିରୁ ବସ୍‌ଟି ତଳକୁ ଓହ୍ଲାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଦୁର୍ଘଟଣା ବେଳେ ବସ ଦ୍ରୁତଗତିରେ ଥିଲା  ।

ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଜନସନଙ୍କ ଜୋରଦାର ଉଦ୍ୟମ, ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା

ଲଣ୍ଡନ: କିଏ ହେବ ବ୍ରିଟେନ ପ୍ରଧାନମନ୍ତ୍ରୀ । ସବୁଠୁ ଚର୍ଚ୍ଚାରେ ଥିବା ଋଷି ସୁନକଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବା ସହଜ ହୋଇନପାରେ । ପୁଣି ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବ୍ରିଟେନ ବସ୍ ହେବା ପାଇଁ ଉଦ୍ୟମ କରୁଛନ୍ତି । ଏଥିପାଇଁ ସେ ସୁନକଙ୍କୁ ପ୍ରଧାନମନ୍ତ୍ରୀ ରେସ୍‌ରୁ ଓହରିଯିବା ପାଇଁ କହିଥିବା ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଋଷିଙ୍କ ପ୍ରତି ସମର୍ଥନ ଓହରିଲେ ବୋରିସ ଜନସନ ଏକ ମାତ୍ର ପ୍ରାର୍ଥୀ ଭାବେ ବିପୁଳ ସମର୍ଥନ ପାଇବେ ।

ପିଏମ ରେସରେ ୭ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତୀୟ ବଂଶୋଦ୍ଭବ ଋଷି ସୁନକ, ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରେସ୍‌ରେ ସବୁଠୁ ଆଗରେ । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ବାଲେସ, ବୈଦେଶିକ ବ୍ୟାପାର ସଚିବ କେମି, ବୈଦେଶିକ ମନ୍ତ୍ରୀ ଜେମ୍ସ, ଗୃହମନ୍ତ୍ରୀ ସୁଏଲା, ମାଇକେଲ ଗୋବଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ । ବ୍ରିଟିଶ ସଂସଦରେ ୩୫୭ ସାଂସଦ ରହିଥିବା ବେଳେ ପିଏମ ପଦର ଦାବିଦାର ପାଇଁ ଅତି କମ୍‌ରେ ଶହେ ସାଂସଦଙ୍କ ସମର୍ଥନ ଆବଶ୍ୟକ ।

୨୦୨୪ ଡିସେମ୍ବରରେ ନିର୍ବାଚନ ହେବ । ତାପୂର୍ବରୁ ବୋରିସ ଜନସନ ପ୍ରଧାନମନ୍ତ୍ରୀ ଥିଲେ ସେହିଁ ପୁଣି ଥରେ ନିର୍ବାଚନ ଜିତିପାରିବେ ବୋଲି ବିରୋଧୀ ଦଳରେ ମଧ୍ୟ ଚର୍ଚ୍ଚା ହେଉଛି ।

୪ ବର୍ଷ ପରେ ପାକିସ୍ତାନକୁ ମିଳିଲା ନିସ୍ତାର, ଏଣିକି ମିଳିବ ଆର୍ଥିକ ସହାୟତା

ଇସଲାମାବାଦ: ଏଫ୍‌ଏଟିଏଫ୍‌ର ଗ୍ରେ ଲିଷ୍ଟରୁ ହଟିଲା ପାକିସ୍ତାନ । ଏନେଇ ଏଫ୍‌ଏଟିଏଫ୍‌ର ପକ୍ଷରୁ ସୂଚନା ଦିଆଯାଇଛି । ଆର୍ଥିକ ହେର୍‌ଫେର୍‌ରେ ମାମଲାରେ ସୁଧାର, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ଓ ଆତଙ୍କ ନିରୋଧୀ କ୍ଷେତ୍ରରେ ପାକିସ୍ତାନର ଉନ୍ନତିମୂଳକ କାମକୁ ଏଫ୍‌ଏଟିଏଫ୍‌ ସ୍ବାଗତ କରିଛି । ପାକିସ୍ତାନ ଏ ଦିଗରେ ଲଢ଼େଇ ଜାରି ରଖିଛି ବୋଲି ଏଫ୍‌ଏଟିଏଫ୍‌ କହିଛି ।

ପାକିସ୍ତାନ ଉପରେ ଆର୍ଥିକ ହେର୍‌ଫେର୍‌ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ହୋଇଥିଲା । ଏହାପରେ ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ ୨୦୧୮ରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିଲା । ୪ ବର୍ଷ ପରେ ପାକିସ୍ତାନକୁ ଏଥିରୁ ନିସ୍ତାର ମିଳିଛି । ଗ୍ରେ ଲିଷ୍ଟରେ ରହିବା ପରେ ପାକିସ୍ତାନ ପାଇଁ ବଡ଼ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥିଲା । ଏହି ଲିଷ୍ଟରେ ଥିବା କାରଣରୁ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରୁ ଏବଂ ବିଶ୍ବ ବ୍ୟାଙ୍କରୁ ଋଣ ନେଇପାରୁ ନଥିଲା ।

ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ ଓ ୟୁରୋପୀୟନ ୟୁନିୟନରୁ ମଧ୍ୟ ଆର୍ଥିକ ସାହାଯ୍ୟ ନେବାର ସମସ୍ୟା ସୃଷ୍ଟି ହେଉଥିଲା । ବର୍ତ୍ତମାନ ପାକିସ୍ତାନର ସ୍ଥିତି ବିପର୍ଯ୍ୟସ୍ତ ଥିବା ବେଳେ ଏବେ ଆର୍ଥିକ ସହଯୋଗ ମିଳିପାରେ ।

ମହାପ୍ରଭୁଙ୍କୁ ଦର୍ଶନ କଲେ, ଶ୍ରୀମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ପୁରୀ: ଆଜି ସକାଳୁ 5T ସଚିବ ଭି.କେ ପାଣ୍ଡିଆନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହାପରେ ବେଢା ପରିକ୍ରମା, ବିମଳା ମନ୍ଦିର, ବଟ ଗଣେଶ, ବେଢା କାଳୀ, ସୂର୍ଯ୍ୟ ମନ୍ଦିର, ଲକ୍ଷ୍ମୀ ମନ୍ଦିର ଦର୍ଶନ, ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ସହ ଶ୍ରୀମନ୍ଦିରର ଆଉ କଣ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ସେନେଇ ସେ ଅନୁଧ୍ୟାନ କରିଛନ୍ତି ।

ତାଙ୍କ ସହ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ, ୨୫ରେ ଅତିପ୍ରବଳ ବର୍ଷା

ଭୁବନେଶ୍ବର: ୱେଲ୍ ମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ । ୧୨ଘଣ୍ଟା ଭିତରେ ନେବ ଅବପାତର ରୂପ । ଉତ୍ତର ପଶ୍ଚିମ ପରେ ଉତ୍ତର ଦିଗରେ ଗତି କରି ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବାତ୍ୟା ହେବା ସହ ବଳ ଗୋଟାଇ ସିଭିୟର ସାଇକ୍ଲୋନର ରୂପ ନେଇପାରେ । ୨୫ ତାରିଖରେ ଏହା ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳ ନିକଟରେ ଯାଇ ପହଞ୍ଚିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

ବାତ୍ୟା ସମୟରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ । ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୨୩ ତାରିଖ ଠାରୁ ଓଡ଼ିଶା ଉପକୂଳରେ ପବନର ବେଗ ୩୦ରୁ ୪୦ କିମି, ୨୪ରେ ୪୦ରୁ ୫୦କିମି, ୨୫ରେ ୫୦ରୁ ୬୦କିମି ପ୍ରତି ଘଣ୍ଟା ରହିପାରେ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୨୪ ଓ ୨୫ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଧାମରା ଠାରୁ ୨୦୦କିମି ଦୂରରେ ସମୁଦ୍ରରେ ଯିବ ବାତ୍ୟା । ଜଗତସିଂହପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ବର୍ଷା ଓ ପବନ ହେବ । ପବନ ଯୋଗୁଁ ବିଶେଷ କିଛି ସମସ୍ୟା ହେବନି । ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି । ତେବେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ବୋଲି ଏସଆରସି କହିଛନ୍ତି ।

କାଶୀନଗର ଅଞ୍ଚଳରୁ ବିପୁଳ ଚନ୍ଦନ କାଠ ଜବତ

ଗଜପତି:  କାଶୀନଗର ଅଞ୍ଚଳରୁ ବିପୁଳ ଚନ୍ଦନ କାଠ ଜବତ । ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ କରିବାବେଳେ ସୀତାପୁର ଗାଁରେ ଏକ ସିମେଣ୍ଟ ଗୋଦାମରୁ ଚନ୍ଦନ କାଠ ଜବତ କରିଛି ପୋଲିସ । ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ ଅମିନ ଦେବ ମଣ୍ଡଳ ଓ ଗୋଦାମ ମାଲିକ ଜନାର୍ଦ୍ଦନ ଚରତି । ଜବତ କାଠର ମୁଲ୍ୟ ଲକ୍ଷେରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଏଗୁଡ଼ିକ ଗୁମ୍ମା ଜଙ୍ଗଲରୁ ଚୋରିକରି ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ପାଇଁ ରଖାଯାଇଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଛି । ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି ।

ପୁନରୁଦ୍ଧାର ହେବ ଶୁକ-ପାଇକା ନଦୀ

ଭୁବନେଶ୍ୱର: ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପଭାବେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ଡେଲ୍ଟାର ଶୁକ-ପାଇକା ନଦୀର ପୁନରୁଦ୍ଧାର ହେବ । ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବ୍ ଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ । ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ବନ୍ଧିତ ଏକ ପ୍ରକଳ୍ପ ଅନୁମୋଦିତ ହୋଇଛି । ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ଏହି ପ୍ରକଳ୍ପର ବୈଷୟିକ, ଆର୍ଥିକ ଏବଂ ପ୍ରଶାସନିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ପ୍ରକଳ୍ପର ବିଭିନ୍ନ ଦିଗ ବିଚାର କରି ଏହି ପ୍ରାକୃତିକ ନାଳର ପୁନରୁଦ୍ଧାର ନିମନ୍ତେ ଖୁବ୍ ଶିଘ୍ର ଟେଣ୍ଡର ଆହ୍ୱାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପୁର୍ନବିନ୍ୟାସ ପରେ ବର୍ଷ ତମାମ ଯେପରି ନଦୀରେ ଯଥେଷ୍ଟ ପାଣି ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜଳ ସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନାଳରେ ଭରା-ଜଳ ରହିଲେ ତାହା ପାର୍ଶ୍ୱବର୍ତ୍ତୀ ସ୍ଥାନର ମୁର୍ତ୍ତିକା ଆର୍ଦ୍ରତା ବଜାୟ ରଖିବାରେ ସହାୟକ ହେବା ସହ ଉଭୟ ପାର୍ଶ୍ୱର କୃଷି ଜମିକୁ ବର୍ଷ ତମାମ ଉତ୍ପାଦନକ୍ଷମ କରିବ ବୋଲି ମହାପାତ୍ର କହିଥିଲେ । ବର୍ଷା ଓ ବନ୍ୟାଋତୁକୁ ଆଖିରେ ରଖି ପ୍ରକଳ୍ପ କାର୍ଯ୍ୟାୟନ ସମୟ-ନିର୍ଘଣ୍ଟ ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ବହୁମାତ୍ରାରେ ବନ୍ୟାପାଣି ନାଳରେ ଆସି ଯେପରି ପ୍ରଭୁତ କ୍ଷତି ନଘଟାଇବ ସେହିପରି ପ୍ରକଳ୍ପ ଡ଼ିଜାଇନ୍ ବୈଷୟିକ କୌଶଳ ଏବଂ କାର୍ଯ୍ୟାୟନ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ପ୍ରକଳ୍ପ ପାଇଁ ପ୍ରାୟ ୪୯.୬୭ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ବୈଠକରେ ଅନୁମୋଦନ କରାଯାଇଥିଲା । ନଦୀର ଉଭୟ ପାର୍ଶ୍ୱରେ ଥିବା ଗ୍ରାମୀଣ ରାସ୍ତାଗୁଡିକୁ ସଂଯୋଗ କରିବା ନିମନ୍ତେ ନଦୀ ଉପରେ ୪ ଟି ପୋଲ ନିର୍ମାଣ ହେବ । ସମୁଦାୟ ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଣାଇଥିଲେ ଯେ ଏହି ପ୍ରାକୃତିକ ନାଳଟି ମହାନଦୀର ଦକ୍ଷିଣ ପାର୍ଶ୍ୱସ୍ଥିତ ଆୟତପୁର ଗ୍ରାମ ପାଖରୁ ବାହାରିଛି । କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକ୍ର ପ୍ରାୟ ୨୧ ଟି ପଞ୍ଚାୟତ ଦେଇ ପ୍ରାୟ ୩୦.୪୫ କି.ମି. ଅତିକ୍ରମ କଲାପରେ ଏହା ପୁନଶ୍ଚ ତାରପୁର ନିକଟସ୍ଥ ବଙ୍କାଳଠାରେ ମହାନଦୀରେ ମିଶିଛି ।

୧୯୫୦ ମସିହାରେ ତତ୍କାଳୀନ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ ଉପାୟଭାବେ ଏହାର ଜଳ ପ୍ରବେଶ ପାର୍ଶ୍ୱ ବନ୍ଦ କରାଯାଇଥିଲା । ଏହି ପ୍ରାକୃତିକ ନାଳଟି ପୁନରୁଦ୍ଧାର ହେଲେ ଅଧିକ ଜଳସେଚନ ସୁବିଧା ସୃଷ୍ଟି ସହ, ମତ୍ସ୍ୟ ଚାଷ ଓ ଉଭୟ ପାର୍ଶ୍ୱ ଜମିରେ ଅର୍ଥକାରୀ ଫସଲ ଆଦି ଉତ୍ପାଦନ ହୋଇପାରିବ । ପ୍ରାକୃତିକ ଜୈବ-ପରିବେଶ ମଧ୍ୟ ପୁର୍ନଜୀବିତ ହେବ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, କଟକ ଜିଲ୍ଲାପାଳ  ଭବାନୀ ଶଙ୍କର ଚଇନୀ, ଜଳ ସଂପଦ ବିଭାଗ ପ୍ରଧାନ ମୁଖ୍ୟ ଯନ୍ତ୍ରୀ  ଭକ୍ତ ରଂଜନ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ପଶ୍ଚିମ ଓଡିଶାରେ ୯ ପ୍ରକଳ୍ପର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡିଶାରେ ୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ । ଲୋକାର୍ପିତ ୯ଟି ପ୍ରକଳ୍ପ ପାଇଁ ୧୪.୬୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଭିତ୍ତିପ୍ରସ୍ତର ରଖାଯାଇଥିବା ୯ଟି ପ୍ରକଳ୍ପର ମୂଲ୍ୟ ୩୩.୬୮ କୋଟି ଟଙ୍କା । ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି ।

ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସ୍କୁଲ, କଲ୍ୟାଣ ମଣ୍ଡପ, ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଆଦିର ବିକାଶ ସହିତ କୋମନାଠାରେ ଏକ ମିଲେଟ୍ ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି । ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମାନଙ୍କ ମଧ୍ୟରେ ଇକୋ ଟୁରିଜିମ, ଭିତ୍ତିଭୂମି, ଇକୋ ପାର୍କ, ଷ୍ଟାଡିଅମ, ହସ୍ତତନ୍ତ ମଲ୍ ଆଦିର ବିକାଶ କାର୍ଯ୍ୟକ୍ରମ ରହିଛି । ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶ ଉପରେ ଗୁରୁତ୍ବ ଦେଇ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି ।

ଗତବର୍ଷ ପରିଷଦର ବାର୍ଷିକ ଗ୍ରାଣ୍ଟକୁ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି । ପଶ୍ଚିମ ଓଡିଶାର ବିକାଶ ପାଇଁ ଭିତ୍ତିଭୂମି ସହିତ କୃଷି, ଜଳସେଚନ ଓ ଶିଳ୍ପ ଉପରେ ବିଶେଷ ଜୋର ଦିଆଯାଉଛି । ତାସହିତ ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ସେହିପରି ହରିଶଙ୍କର, ନୃସିଂହନାଥ ଓ ମା ସମଲେଇ କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ଏକ୍ସପ୍ରେସ୍ ୱେର ପଶ୍ଚିମ ଓଡିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି ।

ଆଗାମୀ ମେକ୍-ଇନ୍-ଓଡିଶା କନ୍କ୍ଲେଭରେ ଶିଳ୍ପ ପାଇଁ ଏକ ସ୍ପେଶାଲ ଇନିସିଏଟିଭ ପ୍ୟାକେଜ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶେଷରେ ପଶ୍ଚିମ ଓଡିଶାରେ ବିକାଶ ରଥକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ଫାଇଭଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭେଟେରିନାରୀ ସର୍ଭିସ ରୁଲରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଆଗକୁ ସାକ୍ଷାତକାର ହଟାଇ କେବଳ ଲିଖିତ ପରୀକ୍ଷା ଓପିଏସସି ମାଧ୍ୟମରେ କରାଯିବ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ କେବଳ ଲିଖିତ ପରୀକ୍ଷା ହେବ ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ବିତୀୟ ବିଚାରବିଭାଗୀୟ ବେତନ କମିଶନଙ୍କ ସୁପାରିସ ଅନୁସାରେ ଦରମା ମିଳିବ । ଏଥିଲାଗି ୯୩କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ ରାଜ୍ୟ ସରକାର । ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି ହୋଇଛି । ହିତାଧିକାରୀଙ୍କ ସ୍ତ୍ରୀ ବି ପାଣି ପଞ୍ଚାୟତରେ ସାମିଲ ହେବେ । ପାଣି ପଞ୍ଚାୟତର ଅବଧି ୩ବର୍ଷରୁ ୫ବର୍ଷକୁ ବୃଦ୍ଧିକୁ ଅନୁମୋଦନ କରିଛି କ୍ୟାବିନେଟ । ଓଏଏସ ଗ୍ରୁପ୍-ଏ ଜୁନିଅର ବ୍ରାଞ୍ଚରେ ୧୨୫ଟି ନୂତନ ପୋଷ୍ଟକୁ ଅନୁମୋଦନ ମିଳିଛି ।

ଫଳରେ ୧୧୮୮ରୁ ବୃଦ୍ଧି ପାଇ ୧୩୧୩ଟି ପୋଷ୍ଟ ହୋଇଛି । ଅନ୍ୟପଟେ ଗଞ୍ଜାମ କାଳିପଲ୍ଲୀ ମଉଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରାଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ହୋଇଥିଲା ଜମି ଅଧିଗ୍ରହଣ ହୋଇଥିଲା । ଏବେ ଏହାକୁ ଫେରାଇ ଦିଆଯିବ । ଫଳରେ ସେହି ଅଞ୍ଚଳରେ ଶିଳ୍ପାନୁକୂଳ ବାତାବରଣ ବିକଶିତ ହୋଇପାରିବ ।

 

କଟକରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ, ଘରୁ ଲୁଟିନେଲେ ୧୮ ଲକ୍ଷ

କଟକ: ପୁଣି ସକ୍ରିୟ ଲୁଟେରା ଗ୍ୟାଙ୍ଗ । ମହାନଦୀ ବିହାର ଅଂଚଳରେ ବଡ ଧରଣର ଡକାୟତି । ଭୋର ସମୟରେ ଘରେ ପଶି ଗୃହକର୍ତ୍ତାଙ୍କୁ ଆକ୍ରମଣ କରିବା ସହିତ ଗୋଡହାତ ବାନ୍ଧି କଳାକନା ବୁଲାଇଲେ ଦୁର୍ବୁତ୍ତ । ଦୀପ୍ତି ପଟ୍ଟନାୟକଙ୍କ ଘରେ ଆଜି ଭୋରୁ ହୋଇଛି ସଶସ୍ତ୍ର ଡକାୟତି । ନଗଦ 18 ଲକ୍ଷ 50 ହଜାର ଟଙ୍କା ସହ ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁତ୍ତ ।

5 ଜଣ ଡକାୟତ ଘରେ ପଶି ପ୍ରଥମେ ମହିଳା ପରେ ଟ୍ୟୁସନ୍ ଦିଦି ଓ ଦୀପ୍ତିଙ୍କୁ ଆକ୍ରମଣ କରିଥିଲେ । ସମସ୍ତଙ୍କୁ ବାନ୍ଧି ଗୋଟିଏ ରୁମରେ ଲକ୍ କରି ଆରମ୍ଭ କରିଥିଲେ ଲୁଟ୍ । ପ୍ରମାଣ ନଷ୍ଟ କରିବାକୁ ଡକାୟତମାନେ ସିସି ଟିଭି ହାର୍ଡଡିସ୍କକୁ ମଧ୍ୟ ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ଓ ସାଇନ୍ଟିଫିକ ଟିମ୍ ପହଞ୍ଚି ଛାନବିନ ଜାରି ରଖିଛି ।