ଜଗଦଲପୁର: ଛତିଶଗଡ଼ର ଜଗଦଲପୁରଠାରୁ ୧୧ କିଲୋମିଟର ଦୂର ଗ୍ରାମ ମାଲଗାଁରେ ଛୁଇ ଖଣିରେ ଖୋଳା ଚାଲିଥିବା ସମୟରେ ଅଘଟଣ ଘଟିଛି । ଖଣି ଭୁଶୁଡ଼ି ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । କୁହାଯାଉଛି ଯେ ୧୦ରୁ ଅଧିକ ଗ୍ରାମବାସୀ ଫସିରହିଛନ୍ତି । ଶବଗୁଡ଼ିକୁ ଜେସିବି ସହାୟତାରେ କଢ଼ାଯାଇଛି । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପୋଲିସ ଏବଂ ଏସଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏପର୍ଯ୍ୟନ୍ତ ସୁଦ୍ଧା ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମନ ସିଂହ ଦୁଃଖ ପ୍ରକାଶ କରିଛନ୍ତି ।
କୁଲତା ଓ ମେହେର ସମାଜକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ
ପଦମପୁର : ପଦମପୁରରେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଆସି ଆଲୋଚନା କରିଛନ୍ତି ବିଭିନ୍ନ ବ୍ୟକ୍ତି । ଲୋକଙ୍କ ଗହଣରେ ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି ନବୀନ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି କୁଲତା ଓ ମେହେର ସମାଜ । ଉଭୟ ସମାଜକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ସମାଜକୁ ଜମି ଓ ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିପାଇଁ ଉଭୟ ସମାଜର ପ୍ରତିନିଧି ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ଉଭୟ ସମାଜ । ଉତ୍କଳ ଯାଦବ ମହାସଭା ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ତୈଳିକ ସମାଜ ଭେଟି ପଦମପୁରରେ କଲ୍ୟାଣ ମଣ୍ଡପ ପାଇଁ ଜାଗା ଦାବି କରିଛନ୍ତି । ଏଥିପାଇଁ ଲିଖିତ ଭାବେ ଜଣାଇବାକୁ ପ୍ରତିନିଧିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପଦମପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ।
ବିଜେପି ମିଛ କହୁଛି, ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛି: ନବୀନ
ପଦମପୁର: ତାଳୁରୁ ତଳିପା । ପୂରା ଧୋଇଦେଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ବିଜେପିର ଅସଲ ମୁଖା ଖୋଲିଛନ୍ତି । କେନ୍ଦ୍ର ବିଜେପି ମନ୍ତ୍ରୀମାନଙ୍କ ମିଛ ଓ ପ୍ରତାରଣାର କଡ଼ା ଜବାବ ଦେଇଛନ୍ତି । ପଦମପୁରରେ ଭୋଟ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । କଟାକ୍ଷ କରି କହିଛନ୍ତି, ପଦମପୁର ରେଳ ଷ୍ଟେସନ କେଉଁଠି? କେଉଁ ଗାଁ ଦେଇ ଯାଉଛି ବିଜେପି ଟ୍ରେନ?
ଆକ୍ରମଣ ମୁଦ୍ରାରେ ରହି ନବୀନ କହିଲେ, ବହୁତ ହୋଇଗଲା । ବହୁତ ମିଛ କହିଲ, ଲୋକଙ୍କୁ ଭୁଆଁ ବୁଲାଇଲ । ତୁମ ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା? ଧାନ ଏମଏସପି ଦିଗୁଣା କାହିଁକି ଧୂଆଁବାଣ ହୋଇ ରହିଲା? ଚାଷୀଙ୍କୁ କାହିଁକି ସାର ଓ ଋଣ ମିଳୁନି? ଏଫସିଆଇ କାହିଁକି ଧାନ କିଣୁନି? ଏମିତି ପ୍ରଶ୍ନର ନାଗଫାଶରେ ନବୀନ କେନ୍ଦ୍ରକୁ ବାନ୍ଧିଛନ୍ତି । କେନ୍ଦ୍ରର ଅବହେଳା ବିରୋଧରେ ଗର୍ଜିଛନ୍ତି ।
ପଦମପୁର ପ୍ରଚାରକୁ ଆସି ନବୀନ ବିଜେପି ସକରାର ଉପରେ ଜୋରଦାର ବର୍ଷି କହିଛନ୍ତି, ୨୦୨୨ ସୁଦ୍ଧା ସବୁ ଲୋକଙ୍କୁ ଘର ଦେବାକୁ କେନ୍ଦ୍ର କହିଥିଲା । ଏହା କେବଳ ଘୋଷଣାରେ ରହିଗଲା । ରାଜ୍ୟ ସରକାର ବର୍ଷକୁ ପ୍ରାୟ ୫ ଲକ୍ଷ ଘର ନିର୍ମାଣ କରୁଥିଲେ । ମାତ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସରକାର ଏହାକୁ ୨ ବର୍ଷ ହେବ ବନ୍ଦ କରିଛନ୍ତି । ପଦମପୁରର ୨୫ ହଜାର ଲୋକ ଘରରୁ ବଂଚିତ ହୋଇଛନ୍ତି । ଭଲ କାମ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ସମ୍ମାନିତ କରୁଥିଲା ବେଳେ ଓଡ଼ିଶା ବିଜେପି ଏମପିମାନେ ଘର ବନ୍ଦ କରି ବାହା ବାହା ନେଉଛନ୍ତି ।
ଟେକାର ଜବାବ ପଥରରେ ଦେଇ ନବୀନ କହିଲେ, ୨୦୧୮ରେ କେନ୍ଦ୍ର ବିଜେପି ମନ୍ତ୍ରୀ ଏଠାରେ କହିଥିଲେ ରେଳ ଚାଲିବ। ବରଗଡ଼ରୁ ପଦମପୁର ହୋଇ ନୂଆପଡ଼ା ଚାଲିବ ରେଳ । କଟାକ୍ଷ କରି ନବୀନ କହିଲେ, କେଉଁଠି ପଦମପୁର ରେଳ ଷ୍ଟେସନ? ପଦମପୁରର କେଉଁ ଗାଁ ଦେଇ ଏ ଟ୍ରେନ ଯାଉଛି? ବିଜେପୁର ଉପନିର୍ବାଚନ ସମୟରେ ଏ ପ୍ରତିଶ୍ରୁତି ମିଳିଥିଲା । ଏବେ କେନ୍ଦ୍ରର ବିଜେପି ମନ୍ତ୍ରୀ କହୁଛନ୍ତି ଜମି ମିଳିନି। ମାନ୍ୟବର ମନ୍ତ୍ରୀ କହିବେ କି କେଉଁ ଗାଁ ଦେଇ ଟ୍ରେନ ଯିବ? ଷ୍ଟେସନ କେଉଁଠି ହେବ । ସର୍ଭେ କେବେ ହେଲା । ଡିପିଆର ହୋଇଛି କି? କେନ୍ଦ୍ର ମନ୍ତ୍ରୀ ମିଛ କହୁଛନ୍ତି । ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଫସଲବୀମା ନେଇ ଏଯାଏ ଶୋଇଥିଲେ ।
ଚାଷୀ ଆନ୍ଦୋଳନକୁ ଓହ୍ଲାଇବାରୁ ଭୋଟ ଭୟରେ ନିଦ ଭାଙ୍ଗିଛି । କେନ୍ଦୁପତ୍ର ଉପରେ ୧୮% ଜିଏସଟି ନେଉଛି କେନ୍ଦ୍ର । ଏହା କି ପ୍ରକାର ନ୍ୟାୟ? ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ମୁଁ ସବୁବେଳେ ଲୋକଙ୍କ ସୁଖଦୁଃଖରେ ଅଛି । ଆପଣମାନେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜୟୀ କରାନ୍ତୁ । ସବୁ ସ୍ବପ୍ନ ପୂରଣ ହେବ ବୋଲି ନବୀନ ପଦମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଜେଏନୟୁରେ ବିବାଦ
ନୂଆଦିଲ୍ଲୀ: ଜାତିବାଦକୁ ନେଇ ପୁଣି ବିବାଦରେ ଜେଏନୟୁ । କ୍ୟାମ୍ପସ ଭିତରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଶ୍ରେଣୀଗୃହ କାନ୍ଥରେ ବିବାଦୀୟ ପୋଷ୍ଟର ଲଗାଯାଇଛି । କଲେଜର ଭାଷା ଓ ସାହିତ୍ୟ ବିଭାଗର ଶ୍ରେଣୀ କାନ୍ଥ ଓ କେତେଜଣ ଅତିଥି ଅଧ୍ୟାପକଙ୍କ ଚ୍ୟାମ୍ବର ଗେଟ୍ ଆଗରେ ବ୍ରାହ୍ମଣଙ୍କ ପ୍ରତି ଅପମାନ ଜନକ ଶବ୍ଦ ବ୍ୟବହାର କରାଯାଇଛି ।
ବ୍ରାହ୍ଣଣ ଭାରତ ଛାଡ଼ । ବ୍ରାହ୍ମଣମାନଙ୍କୁ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ କାନ୍ଥରେ ଉଲ୍ଲେଖ କରାଯାଇଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ନିନ୍ଦା କରିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରାହ୍ମଣ ପ୍ରଫେସରଙ୍କ ଚାମ୍ବର ଆଗରେ ଏହି ସ୍ଲୋଗାନ ଉଲ୍ଲେଖ କରାଯାଇଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଟ୍ୱିଟରରେ ବ୍ରାହ୍ମଣ ଲାଇଫସ ମ୍ୟାଟର ହାସ ଟ୍ୟାଗ୍ ଟ୍ରେଣ୍ଡ କରୁଛି ।
କାଲିଫର୍ଣ୍ଣିଆରୁ ବନ୍ଧା ହେଲା ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ
ନୂଆଦିଲ୍ଲୀ: କାଲିଫର୍ଣ୍ଣିଆରୁ ଧରାପଡିଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର। ଗୋଲ୍ଡି ବିରୋଧରେ ଭାରତରେ ୧୬ରୁ ଅଧିକ ମାମଲା ରହିଛି । ସିଦ୍ଧୁଙ୍କୁ ମାରିବା ପରେ ସେ ଭାରତରୁ କାଲିଫର୍ଣ୍ଣିଆ ଫେରାର ହୋଇଯାଇଥିଲା । ଭାରତର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଗୋଲ୍ଡି ବ୍ରାରଙ୍କୁ ଅଟକ ରଖାଯାଇଛି।
ଭାରତୀୟ ସୁରକ୍ଷା ଏଜେନ୍ସି ଅନୁଯାୟୀ, ଗୋଲ୍ଡି ବରାରକୁ ନଭେମ୍ବର ୨୦ରେ ହେପାଜତରେ ନିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କାଲିଫର୍ନିଆରୁ ଭାରତ ସରକାର କୌଣସି ସରକାରୀ ବିବୃତ୍ତି ଗ୍ରହଣ କରିନାହାଁନ୍ତି। ପୂର୍ବରୁ ଗୁଇନ୍ଦା ଏଜେନ୍ସି ପାଖରେ ଖବର ଥିଲା ଯେ, ଗୋଲ୍ଡି କାନାଡାରୁ କାଲିଫର୍ଣ୍ଣିଆ ଯାଇ ସେଠାରେ ସେ ନିଜର ନୂଆ ଠିକଣା କରିଥିଲା। ସେ କାଲିଫର୍ଣ୍ଣିଆର ବିଭିନ୍ନ ସହର ସାକ୍ରାମେଣ୍ଟୋ, FRIZOW ଓ ସଲ୍ଡ ଲେକ୍କୁ ନିଜର ସୁରକ୍ଷିତ ସ୍ଥାନ କରିଥିଲା।
ଚଳିତ ବର୍ଷ ମେ ୨୯ ତାରିଖରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଦିବାଲୋକରେ ହତ୍ୟା କରାଯାଇଥିଲା । ଗୋଲ୍ଡି ଓ ଲରେନ୍ସ ମିଶି ହତ୍ୟା ଯୋଜନା କରିବା ପରେ ନିଜ ସୁଟରଙ୍କ ସାହାଯ୍ୟରେ ତାଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁ ମୁସେୱାଲାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଞ୍ଜାବ ପୋଲିସ ୨୯ଜଣଙ୍କୁ ଗିରଫ କରିଥିଲା। ଗୋଲ୍ଡି ୨୦୧୭ରୁ କାନାଡାରେ ରହିଆସୁଥିଲା । ନିକଟରେ କାନାଡାରୁ ଆମେରିକା ସିଫ୍ଟ ହୋଇଥିଲା । ବିଦେଶରେ ରହି ବି ଭାରତରେ ମର୍ଡର, ସ୍ମଗଲିଂ ଆଦି ଅନେକ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା ଗୋଲ୍ଡି

