spot_img
Home Blog Page 383

ଏସଆଇ ପରୀକ୍ଷା କେଳେଙ୍କାରୀ: ବିଜେଡି ଓ କଂଗ୍ରେସ ଟାର୍ଗେଟରେ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: ଏସଆଇ ପରୀକ୍ଷା ସ୍କାମକୁ ନେଇ ଟାର୍ଗେଟରେ ରାଜ୍ୟ ବିଜେପି ସରକାର । ସ୍କାମରେ ବିଜେପିର ବଡ଼ପଣ୍ଡାଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀଙ୍କ ସମ୍ପୃକ୍ତିର ବଡ଼ ଅଭିଯୋଗ ସହ ଏହାର ସିବିଆଇ ତଦନ୍ତ ଦାବି କଲେ ଉଭୟ ବିଜେଡି ଓ କଂଗ୍ରେସ । ଆସନ୍ତା ୬ ତାରିଖରେ ବିଶାଳ ଆନ୍ଦୋଳନର ଡାକରା । ସେହିପରି ଷ୍ଟୁଡେଣ୍ଟସ ଏଗେନଷ୍ଟ କରପସନ ଓ ପରୀକ୍ଷାର୍ଥୀ ବି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ।

ରାଜ୍ୟରେ ଘଟିଗଲା ଏସଆଇ ପରୀକ୍ଷା ନାମରେ ବଡ଼ ସ୍କାମ । ହଜାର ହଜାର ପିଲାଙ୍କ ଭବିଷ୍ୟତ ଅନ୍ଧାର । କେଉଁ ଗାଇଡ଼ଲାଇନରେ ପରୀକ୍ଷା ପରିଚାଳନା ପାଇଁ ୩ଟି ସଂସ୍ଥାକୁ କରାଯାଇଥିଲା ଆଉଟସୋର୍ସିଂ ? ସିଲିକନ, ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବ ୩ ଜଣଙ୍କର କମନ ଲିଙ୍କ ହେଉଛି ଢେଙ୍କାନାଳ । ପରୀକ୍ଷା ସ୍କାମ ପ୍ରତିବାଦରେ ଆସନ୍ତା ୬ରେ ପ୍ରତିବାଦ କରିବ ବିଜୁ ଛାତ୍ର ଓ ଯୁବ ଜନତା ଦଳ । ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆ ନଗଲେ ଚାଲିବ ଜୋରଦାର ଆନ୍ଦୋଳନ । ବହୁ ପରୀକ୍ଷାର୍ଥୀ ବି ହେବେ ଆନ୍ଦୋଳନରେ ସାମିଲ । ଏସଆଇ ପରୀକ୍ଷା ସ୍କାମକୁ ଅର୍ଗାନାଇଜଡ଼ କ୍ରାଇମ ବୋଲି କହିବା ସହ ଏହାର ସୁଚିନ୍ତିତ ସିଡ୍ୟୁଲକୁ ମଧ୍ୟ ଦଳ ଉପସ୍ଥାପିତ କରିଛି । ପାର୍ବଣ ଋୁତୁରେ କ୍ୟାସ ଫର ଜବ ଅପରେସନ କରିବାକୁ ଯୋଜନା ରହିଥିଲା । ବିଜୟନଗରମରେ ପ୍ଲାନ ଥିଲା ପ୍ରଶ୍ନପତ୍ର ଦେବାକୁ । ପ୍ଲାନ ଅନୁଯାୟୀ ଗିରିଶୋଲା ଗେଟ ପାର ହେବା ପରେ ପିଲାଙ୍କୁ ଓରିଜିନାଲ ସାର୍ଟିଫିକେଟ ମାଗିଥିଲେ ଦଲାଲ । ଏହାକୁ ନେଇ ଆରମ୍ଭ ହୋଇଥିଲା ବିଭ୍ରାଟ । ଏହି ଅର୍ଗାନାଇଜଡ କ୍ରାଇମରେ ସାମିଲ ଥିବା ବିଜେପି ନେତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଘଟଣାରେ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବ କାହିଁକି ତଦନ୍ତ ପରିସରଭୁକ୍ତ ହେଉ ନାହାନ୍ତି ବୋଲି ପ୍ରଶ୍ନ କରିଛି ଦଳ । ଯଦି କାର୍ଯ୍ୟାନୁଷ୍ଠାନ ନିଆ ନଯିବ ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଧରିନିଆଯିବ ବୋଲି କହିଛି ଦଳ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି କେସକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଦାବି କରିଛି ବିଜେଡି ।

ସେପଟେ ପରୀକ୍ଷାରେ ଦୁର୍ନୀତିକୁ ସରକାର ପ୍ରୋସାହନ ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏବେ ସୁଦ୍ଧା ୧୫ଟି ପରୀକ୍ଷା ବାତିଲ ହେଲାଣି । ଏସଆଇ ପରୀକ୍ଷା ଘଟଣାରେ ୩୦୦ କୋଟି ଟଙ୍କାର ସ୍କାମ ହୋଇଛି । ଆନ୍ଧ୍ର ପୋଲିସ ଧରିଲା, ଓଡିଶା ପୋଲିସ ବାହା ବାହା ନେଉଛି । ଏହାକୁ ଡାର୍ଟି ପିକ୍ଚର ଫିଲ୍ମ ଡ଼ାଇଲଗ୍  ସମତୁଲ୍ୟ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ସିବିଆଇ ବଦଳରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇ ବିଜେପିର ବଡ଼ ବଡ଼ିଆଙ୍କୁ ବଞ୍ଚାଇବା ଲାଗି ମସୁଧା ହୋଇଛି ବୋଲି କହିଛି ଦଳ ।

ପରୀକ୍ଷାର୍ଥୀଙ୍କୁ କୁହାଯାଇଥିଲା ୨୫ ଲକ୍ଷ ଦିଅ ଚାକିରି ନିଅ । କିଏ ଏହାକୁ  ଚଳାଉଥିଲା । ତାହାର ଖୋଳତାଡ଼ କରାଯାଉ ? ପୂର୍ବତନ  DIGଙ୍କ ପୁଅ ନାଁ ମଧ୍ଯ ସେହି ତାଲିକାରେ ରହିଛି । ଏହିଠାରେ ଜଣାପଡୁଛି ଏହା ଏକ ବଡ଼  ସିଣ୍ଡିକେଟ୍ । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ୧ କୋଟି ଅନୁକମ୍ପା ରାଶି ଦିଆଯାଉ । କ୍ରାଇମବ୍ରାଞ୍ଚ ତଦନ୍ତ ନୁହଁ ବରଂ କୋର୍ଟ ମନିଟରିଙ୍ଗରେ ସିବିଆଇ ତଦନ୍ତ ହେଉ । ପରୀକ୍ଷାର୍ଥୀଙ୍କୁ ନ୍ୟାୟ ନମିଳିଲେ  ଓଡ଼ିଶାର ଜେନଜେଡ ପରିସ୍ଥିତି ସୃଷ୍ଟି ହେବ । ଏଥିଲାଗି ରାଜ୍ୟ ସରକାର ଦାୟୀ  ରହିବେ ବୋଲି କହିଛି ଷ୍ଟୁଡେଣ୍ଟସ୍ ଏଗନେଷ୍ଟ କରପସନ । ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ବଢି ଚାଲିଛି ଅନିୟମିତତା । ଅନ୍ଧାର ହେଉଛି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ।

ଟଙ୍କା ଦିଅ, ଚାକିରି ନିଅ: SI ପରୀକ୍ଷା ଜାଲିଆତିରେ ସାମିଲ ବଡ଼ ସିଣ୍ଡିକେଟ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ପୋଲିସ ସବଇନ୍ସପେକ୍ଟର ନିଯୁକ୍ତି ଜାଲିଆତିରେ କାମ କରୁଛି ଏକ ବଡ ସଙ୍ଗଠିତ ସିଣ୍ଡିକେଟ । ରାଜ୍ୟ ରାଜଧାନୀରୁ ଆରମ୍ଭ କରି ବାହାର ରାଜ୍ୟକୁ ଲମ୍ବିଛି ଚେର । ସରକାରୀ ନିଯୁକ୍ତି ସୁନିଶ୍ଚିତ କରିବାକୁ ଆଦାୟ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଶ୍ରୀକାକୁଲମ ପୋଲିସ ଦ୍ବାରା ଦଲାଲଙ୍କ ସହ ଆଶାୟୀ ପରୀକ୍ଷାର୍ଥୀ ଗିରଫ ହେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ଏହି ସିଣ୍ଡିକେଟ ସହ ରାଜ୍ୟ ସରକାରଙ୍କ ବଡପଣ୍ଡାମାନେ ମଧ୍ୟ ଲିଙ୍କରେ ଥିବା ଚର୍ଚ୍ଚା ହେଉଛି । ସରକାରୀ ପ୍ରୋତ୍ସାହନରେ ଚାଲିଥିଲା ଏହି ସିଣ୍ଡିକେଟ । ଏହି ଘଟଣାରେ ପୂର୍ବରୁ ୧୧୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ଜଣେ ଦଲାଲକୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡରେ ବି ଆରମ୍ଭ ହୋଇଛି ତନାଘନା ।

ଏସଆଇ ନିଯୁକ୍ତି ଜାଲିଆତିରେ ପୂର୍ବରୁ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ପୋଲିସ ଗିରଫ କରିଥିଲା । ଆଜି କ୍ରାଇମବ୍ରାଞ୍ଜ ଆଉ ଜଣେ ଦଲାଲକୁ ଗିରଫ କରିବା ପରେ ଖୋଲିଛି ସିଣ୍ଡିକେଟର ବଡ ଗୁମର । ଖୋଦ କ୍ରାଇମବ୍ରାଞ୍ଚ କହିଛି, ରାଜ୍ୟରେ ପୋଲିସ ନିଯୁକ୍ତି ପ୍ରକ୍ରିୟାରେ କାମ କରୁଛି ସିଣ୍ଡିକେଟର ବଡ ରାକେଟ । ଆଜି କ୍ରାଇମବ୍ରାଞ୍ଚ ସିଣ୍ଡିକେଟ ପାଇଁ କାମ କରୁଥିବା ଆଉ ଜଣେ ଦଲାଲ ବିଶ୍ବରଂଜନ ବେହେରାକୁ ଗିରଫ କରି ବ୍ରହ୍ମପୁର ଜେଏମଏଫସିଙ୍କ କୋର୍ଟରେ ହାଜର କରିଛି । ବିଶ୍ବରଂଜନ ସିଣ୍ଡିକେଟ ମୁଖିଆଙ୍କ ନିର୍ଦ୍ଦେଶରେ ଆଶାୟୀଙ୍କ ଠାରୁ ସଂଗ୍ରହ କରୁଥିଲା ଅରିଜିନାଲ ସାର୍ଟିଫିକେଟ ଓ ବ୍ଲାଙ୍କ ଚେକ । ବିଶ୍ବରଂଜନଙ୍କ ଭଳି ଏହି ସିଣ୍ଡିକେଟରେ ଆଉ ଅନେକ ଦଲାଲ ଥିବା ସନ୍ଦେହ କରାଯାଉଛି । ସେପଟେ ଏହି ଘଟଣାକୁ ନେଇ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡରେ ଆରମ୍ଭ ହୋଇଯାଇଛି ତନାଘନା । ଅଫିସିଆଲ ଲାପଟପ, ପେନ ଡ୍ରାଇଭ ଓ ଅନ୍ୟାନ୍ୟ ଦସ୍ତାବିଜକୁ ନେଇ ଖୋଦ୍ ଓପିଆରବି ଅଧ୍ୟକ୍ଷ କରିଛନ୍ତି ଛାନବିନ । ସେ କହିଛନ୍ତି ସବୁ ଦସ୍ତାବିଜ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରାଯିବ ।

ସରକାରୀ ଚାକିରିରେ ଜାଲିଆତି ପ୍ରଥମ ନୁହେଁ । ଗତ ଜାନୁଆରୀ ୧୭ ତାରିଖରେ ୯୩୩ ପୋଲିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାର୍ଚ୍ଚ ୭ ତାରିଖରେ ପରୀକ୍ଷା ହେବାକୁ ଧାର୍ଯ୍ୟ କରାଯାଇଥିଲା । ହେଲେ ହଠାତ କଣ ହେଲା ଯେ ସରକାର ପରୀକ୍ଷା ବାତିଲ କରିଦେଲେ । ସେତେବେଳେ ପରୀକ୍ଷା ବାତିଲର କାରଣ ସ୍ପଷ୍ଟ କରାଯାଇ ନଥିଲା । ପରବର୍ତ୍ତୀ ସମୟରେ ପୁଣି ଥରେ ସେହି ୯୩୩ ପଦବୀ ପାଇଁ ଆଉ ଥରେ ବିଜ୍ଞପ୍ତି କରି ଚଳିତ ମାସ ୫ ଓ ୬ ତାରିଖରେ ପରୀକ୍ଷା ହେବାର ଥିଲା । କିନ୍ତୁ ୩ ଦଲାଲ ୧୧୪ ଆଶାୟୀଙ୍କ ଠାରୁ ଲାଞ୍ଚ ବାବଦରେ ଅଗ୍ରୀମ ନେଇ ପ୍ରଶ୍ନପତ୍ର ସମ୍ପର୍କରେ ଟ୍ରେନିଂ ଦେବାକୁ ହାଇଦ୍ରାବାଦ ନେଇ ଯାଉଥିବା ବେଳେ ଶ୍ରୀକାକୁଲମ ପୋଲିସ ଧରିଥିଲା । ଶ୍ରୀକାକୁଲମ ପୋଲିସ ଓଡିଶା ପୋଲିସକୁ ସମସ୍ତ ଆଶାୟୀ ଓ ଦଲାଲଙ୍କୁ ହସ୍ତାନ୍ତର କରିଥିଲା । ଏବେ ପ୍ରଶ୍ନ ଉଠୁଛି ମାର୍ଚ୍ଚ ମାସରେ ସରକାର କାହିଁକି ପରୀକ୍ଷା ବାତିଲ କଲେ । ଆଇଟିଆଇ ଗୁଜୁରାଟ ପୂର୍ବରୁ ରିଚ ମାଇଣ୍ଡକୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦେଇଥିଲା । କିନ୍ତୁ ସଂଯୋଗବଶତଃ ଗତ ମାର୍ଚ୍ଚ ମାସରେ ହିଁ ରିଚ ମାଇଣ୍ଡ ସହ ଚୁକ୍ତି ବାତିଲ କରି ସିଲିକନ ଟେକ ଲାବ କାମ ଦେଇଥିଲା ଆଇଟିଆଇ ଗୁଜୁରାଟ । ପରେ ଅବୈଧ ଭାବେ ସିଲିକନ ଟେକ ଲାବ ପଞ୍ଚସଫ୍ଟକୁ ସବଲେଟ କଲା । ଏତେ ବଡ ଘଟଣା ସମ୍ପର୍କରେ ରାଜ୍ୟ ପୋଲିସ ମୁଖିଆ ଜାଣିପାରି ନଥିଲେ ନା ସବୁ ଜାଣି ଅଜଣା ଭଳି ଅଭିନୟ କରୁଥିଲେ ? ବିନା ସରକାରୀ ପ୍ରୋତ୍ସାହନରେ ଏତେବଡ ଜାଲିଆତି ଘଟିବା ସମ୍ଭବ କି ? ବଡବଡିଆଙ୍କ ସହଯୋଗ ବିନା ଏହି ସିଣ୍ଡିକେଟ ଅପରେଟ କରିପାରିପାରିବ କି ? ସିଣ୍ଡିକେଟ ମୁଖିଆକୁ ଘେରିପାରିବ କି କ୍ରାଇମବ୍ରାଞ୍ଚ ? ନା ଛୋଟ ମୋଟ ଦଲାଲଙ୍କ ଗିରଫଦାରୀରେ ନାଲି ଫିତା ତଳେ ଚାପି ହୋଇଯିବ ସବୁ କେଳେଙ୍କାରୀ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

ଗଜପତିରେ ହେବ ପର୍ଯ୍ୟଟନର ବିକାଶ, ୩୭୭ କୋଟିର ପୁଞ୍ଜି ନିବେଶ କରିବେ ନିବେଶକ

ନନ୍ଦିଘୋଷ ବ୍ୟୁରୋ: ଗଜପତି ଜିଲ୍ଲାରେ ପର୍ଯ୍ୟଟନ ବିକାଶ ସହ ବିଭନ୍ନ ପ୍ରକଳ୍ପରେ ୩୭୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ପ୍ରତ୍ୟକ୍ଷ ଗୃପ ଅଫ୍ ଇଣ୍ଡଷ୍ଟ୍ରି । ଏଥିପାଇଁ ୪ ଟି ପ୍ରକଳ୍ପ ଅନୁମୋଦିତ ହେବାସହ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।

ଜିଲ୍ଲାର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଜିରାଙ୍ଗ ବୌଦ୍ଧ ମନ୍ଦିର ସମ୍ମୁଖରେ ନିର୍ମାଣ ହେବ ପଞ୍ଚ ତାରକା ହୋଟେଲ । ଏଥିପାଇଁ ଇଡକୋ ପକ୍ଷରୁ ୨୦ ଏକର ଜମି ହସ୍ତାନ୍ତର ସରିଛି । ଏଥିରେ ଶହେ କୋଟି ଟଙ୍କା ନିବେଶ କରି ୯୦ଟି ଉଚ୍ଚ ବିଳାସପୂର୍ଣ୍ଣ ଆବାସ ବିଶିଷ୍ଠ ରିସୋର୍ଟ ନିର୍ମାଣ ହେବ । ଇକୋ ଲଗଜରୀ ଡିଜାଇନରେ ପ୍ରସ୍ତୃତ ହେବାକୁ ଥିବା ଏହି ରିସୋର୍ଟ ଓ ଏହାର ପରିସର ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଚାହିଦାକୁ ପୂରଣ କରିବ । ଏଥିପାଇଁ ଅନ୍ତର୍ଜାତୀୟ ଆଟମୋସ୍ପେୟାର କୋର ଗ୍ରୁପ ସହ ଅନୁବନ୍ଧିତ ହୋଇଛି । ଫଳରେ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ । ଦୁଇ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ସେହିଭଳି କାଶୀନଗର ଅଞ୍ଚଳର ୮୩ ଏକର ଜମିରେ ଏମଏସଏମଇ ପାର୍କ ନିର୍ମାଣ କରାଯିବ । ଯେଉଁଥିରେ ୨୦ ମେଗା ୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ ସୋଲାର ପାଓ୍ବାର ପ୍ଳାଣ୍ଟ ନିର୍ମାଣ ହେବ । ଯେଉଁଥିରୁ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ବିଦ୍ୟୁତ୍ ଶକ୍ତି ବ୍ୟବହାର କରିପାରିବେ । ଏଥିସହ ଏଠାରେ ଏକ ୨୦ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଠ ଅତ୍ୟାଧୁନିକ ଶୀତଳ ଭଣ୍ଡାର ନିର୍ମାଣ ହେବ । ଯାହାଦ୍ଵାରା ସ୍ଥାନୀୟ ଅଞ୍ଚଳର କୃଷକ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଗଚ୍ଛିତ ରଖି ବଜାରର ଉଚିତ ମୂଲ୍ୟ ପାଇପାରିବେ । ଏହାବାଦ ଗୋଟିଏ ଫୁଡ୍ ପ୍ରୋସେସିଙ୍ଗି ୟୁନିଟ (winer) ମଧ୍ୟ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ପର୍ଯ୍ୟାୟ କ୍ରମେ ସମସ୍ତ ପ୍ରକଳ୍ପ ନିର୍ମାଣ କରାଯିବ । ଏହି ସବୁ ପ୍ରକଳ୍ପରେ ଜିଲ୍ଲାର ୧୦ ହଜାର ୭୦୦ ନିଯୁକ୍ତି ସୃଷ୍ଟି ହେବ । ଏହାଦ୍ବାରା ଜିଲ୍ଲାର ବହୁ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ରୋଜଗାର କ୍ଷମ ହେବା ସହ ସାମୂହିକ ବିକାଶରେ ସହାୟକ ହୋଇପାରିବେ ବୋଲି ପ୍ରତ୍ୟକ୍ଷ ଗୃପ ଅଫ୍ ଇଣ୍ଡଷ୍ଟ୍ରିର ମ୍ୟାନେଜିଙ୍ଗ ଡାଇରେକ୍ଟର ଦିବ୍ୟାସ୍ନାତା ମହାନ୍ତି କହିଛନ୍ତି ।

SI ପରୀକ୍ଷା ଜାଲିଆତି:ବର୍ଷିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ : ପୋଲିସ ଏସଆଇ ପରୀକ୍ଷା ଘୋଟାଲା ପ୍ରସଙ୍ଗକୁ ନେଇ ବିଜେଡିର ସିବିଆଇ ତଦନ୍ତ ଦାବି ଦୋହରାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଯେଭଳି ତଦନ୍ତ ଚାଲିଛି ତାହା ମୁଖ୍ୟ ଦୋଷୀକୁ ଧରିବାରେ ସଫଳ ହେବ କି ବୋଲି ପ୍ରଶ୍ନ କଲା ବିଜେଡି। ତଦନ୍ତର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇବା ସହ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବ କାହିଁକି ତଦନ୍ତ ପରିସରଭୁକ୍ତ ହେଉ ନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି। କେଉଁ ଗାଇଡ଼ଲାଇନ ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ତିନୋଟି ସଂସ୍ଥାକୁ ଆଉଟସୋର୍ସ କରାଯାଉଛି। ଚୋରଙ୍କୁ ଧରିବା ବଦଳରେ ଖସିଯିବା ପାଇଁ ବ୍ୟବସ୍ଥା ହୋଇଥିଲା କି? ଖସିଯିବା ପାଇଁ ବାଟ ରଖି ତିନୋଟି ଏଜେନ୍ସିକୁ ଆଉଟସୋର୍ସ କରାଯାଇଛି। ଏଥିପାଇଁ କଣ ଗାଇଡ଼ଲାଇନ ରହିଛି ଓ କାହା ଦସ୍ତଖତ ରେ ଅନୁମତି ମିଳିଛି। କମିଟିରେ କିଏ କିଏ ସଦସ୍ୟ ରହିଛନ୍ତି। ରାଜ୍ୟବାସୀ ଏହାକୁ ଜାଣିବାକୁ ଚାହୁଁଛନ୍ତି ବୋଲି କହିଛି ବିଜେଡି। ତଦନ୍ତକୁ ନେଇ ସମସ୍ତେ ସନ୍ଦେହରେ। ସିଲିକନ, ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବ ତିନି ଜଣଙ୍କର ଏକ କମନ ଲିଙ୍କ ହେଉଛି ଢେଙ୍କାନାଳ। ଏହାର ତଦନ୍ତ ହେଉ ବୋଲି ଦାବି କଲା ଦଳ। ଭବିଷ୍ୟତ ପିଢୀ ସହ ଚାଲିଛି ଖେଳ। ମୁଖ୍ୟମନ୍ତ୍ରୀ ଯଦି ସ୍ୱଚ୍ଛତା ଚାହୁଁଛନ୍ତି ଏମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ। ୬ ମାସରେ କେତେ ଥର ପରୀକ୍ଷା ପ୍ରକ୍ରିୟାକୁ ରିଭ୍ୟୁ କରାଯାଉଛି। ଘଟଣାର ଯିଏ ତଦନ୍ତ କରୁଛନ୍ତି ସେ ଓପିଆରବି ଅଧ୍ୟକ୍ଷଙ୍କ ବନ୍ଧୁ। ସିବିଆଇ ତଦନ୍ତ ଦାବି ହୋଇଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି କେସକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ।

ଯଦି ଯୁବ ପିଢିଙ୍କ ଭବିଷ୍ୟତ ଚାହୁଁଛନ୍ତି। ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ବୋଲି ଧରିନିଆଯିବ। ଆଗରୁ ସବୁ କ୍ଷେତ୍ରରେ ସମ୍ଭାବନା ଦେଖା ଯାଇଥିଲା। ଏବେ ସବୁ ଭାଙ୍ଗିଯାଇଛି। ରାଜ୍ୟରକ୍ଷମତା ଏବେ ଦିଲ୍ଲୀରେ। ଯଦି ସତରେ ମୁଖ୍ୟମନ୍ତ୍ରୀଙ୍କର କ୍ଷମତା ଅଛି କରିକି ଦେଖାନ୍ତୁ। ମୋବାଇଲ ଫୋନ ଏଠି ଓ ଚାର୍ଜର ଦିଲ୍ଲୀରେ ବୋଲି କହିକି ସମାଲୋଚନା କଲା ଦଳ। ଯୁବ ପିଢ଼ି ତାତିଲେଣି  ମାତିଲେଣି ଓ ଯୁବ ସମାଜକୁ

ଜବାବ ଦେବାକୁ ପଡିବ। ଜବ ସ୍କାମ ର ତଦନ୍ତ ଲୁଚାଇବାକୁ ଅପଚେଷ୍ଟା ଚାଲିଛି। ତଦନ୍ତକୁ ଭିନ୍ନ ଦିଗରେ ନେବାକୁ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ ଆଣିଲା ଦଳ। ଆସନ୍ତା ୬ ତାରିଖରେ ଏହି ପ୍ରସଙ୍ଗରେ ବିଜେଡି ଆନ୍ଦୋଳନ କରିବ। ଏଥିରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ସାମିଲ ହେବ। ଏପରିକି ପରୀକ୍ଷାର୍ଥୀମାନେ ବି ସାମିଲ ହେବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଜୁବୀନ ଗର୍ଗଙ୍କ ମୃତ୍ୟୁର ନୂଆ ମୋଡ : ମ୍ୟାନେଜର ଦେଇଥିଲେ ବିଷ !

ନନ୍ଦିଘୋଷ ବ୍ୟୁରୋ : ଆସାମର ଗର୍ବ ଏବଂ ଭାରତର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ତାଙ୍କ ମୃତ୍ୟୁ ପରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରାଯାଇଥିବାବେଳେ, ଏହି ମାମଲାରେ ପ୍ରତିଦିନ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି। ନିକଟରେ, ତାଙ୍କ ମ୍ୟୁଜିକ ବ୍ୟାଣ୍ଡର ଜଣେ ସଦସ୍ୟଙ୍କ ବୟାନ ପରେ  SITକୁ ଜୁବିନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଏକ ହତ୍ୟା ବୋଲି ପ୍ରମାଣିତ କରିବାକୁ ବାଧ୍ୟ କରାଯାଇଛି ।

ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରର ଲାଜାରୁସ୍ ଦ୍ୱୀପ ନିକଟରେ ପ୍ରସିଦ୍ଧ ଭାରତୀୟ ଗାୟକ ଜୁବିନ୍ ଗର୍ଗଙ୍କ ରହସ୍ୟମୟ ମୃତ୍ୟୁ ତାଙ୍କ ପ୍ରଶଂସକ ଓ ସମଗ୍ର ସଙ୍ଗୀତ ଶିଳ୍ପକୁ ଶୋକରେ ପକାଇ ଦେଇଛି। ଏହି ରହସ୍ୟମୟ ମୃତ୍ୟୁ ମାମଲା ଏବେ ଏକ ଭୟଙ୍କର ମୋଡ଼ରେ ପହଞ୍ଚିଛି। ଅକ୍ଟୋବର ୧ ତାରିଖରେ, ତାଙ୍କ ଦୀର୍ଘକାଳୀନ ପରିଚାଳକ ସିଦ୍ଧାର୍ଥ ଶର୍ମାଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଏବଂ ହତ୍ୟା ଅଭିଯୋଗରେ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗିରଫ କରିଥିଲା। ଜଣେ ସାକ୍ଷୀଙ୍କ ବୟାନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଯେ ଜୁବିନ୍‌ଙ୍କୁ ବିଷ ଦିଆଯାଇଛି  ।

ଉତ୍ତର-ପୂର୍ବ ଭାରତ ମହୋତ୍ସବର ଚତୁର୍ଥ ସଂସ୍କରଣ ସମୟରେ ସିଙ୍ଗାପୁରର ଲାଜାରୁସ୍ ଦ୍ୱୀପରେ ଏକ ୟାଟ୍ ଯାତ୍ରା ସମୟରେ ସେପ୍ଟେମ୍ବର ୧୯ ତାରିଖରେ ୫୨ ବର୍ଷୀୟ ଜୁବୀନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟରେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା । ହେଲେ ଏକ ରିପୋର୍ଟ ଅନୁଯାୟୀ, ସ୍ୱତନ୍ତ୍ର ତଦନ୍ତ ଦଳ (SIT) କୋର୍ଟରେ ଉପସ୍ଥାପିତ ରିମାଣ୍ଡ ନୋଟ୍ ଭିନ୍ନ କଥା ସୂଚାଇ ଦେଉଛି।

ସ୍ୱତନ୍ତ୍ର ତଦନ୍ତ ଦଳକୁ ଦେଇଥିବା ତାଙ୍କ ବୟାନରେ, ଜୁବୀନ ଗର୍ଗଙ୍କ ଘନିଷ୍ଠ ବନ୍ଧୁ ଶେଖର ଜ୍ୟୋତି ଗୋସ୍ୱାମୀ ଅଭିଯୋଗ କରିଛନ୍ତି ଯେ ପରିଚାଳକ ସିଦ୍ଧାର୍ଥ ଶର୍ମା ଓ ମହୋତ୍ସବ ଆୟୋଜକ ଶ୍ୟାମକାନୁ ମହନ୍ତ , ଜୁବୀନଙ୍କୁ ବିଷ ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ସଙ୍ଗରଙ୍କ ପରିଚାଳକ ତାଙ୍କୁ ୟାଟର କୌଣସି ଭିଡିଓ କାହା ସହିତ ସେୟାର ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ, ସେ ଜୋରଜବରଦସ୍ତି ୟାଟର ନିୟନ୍ତ୍ରଣ ନି ହାତକୁ ନେଇଥିଲେ ।

ଶେଖର  ଦାବି କରିଛନ୍ତି ଯେ ଜୁବୀନ୍‌ଙ୍କୁ ପହଁର ଜଣାଥିଲା ।  ସେ ଶର୍ମା ଓ  ତାଙ୍କ ସାଥିଙ୍କୁ ବ୍ୟକ୍ତିଗତ ଭାବରେ ତାଲିମ ଦେଇଥିଲେ। ତେଣୁ, ଦୁର୍ଘଟଣାଜନିତ ବୁଡ଼ିଯିବା ପ୍ରାୟତଃ ଅସମ୍ଭବ। ଜୁବୀନ୍‌ଙ୍କ ଶେଷ ମୁହୂର୍ତ୍ତରେ ସେ ନିଶ୍ୱାସ ନେବାକୁ କଷ୍ଟ ଅନୁଭବ କରୁଥିଲେ ଏବଂ ତାଙ୍କ ମୁହଁ ଓ ନାକରୁ ଫେଣ ମଧ୍ୟ ବାହାରୁଥିଲା ।

ବିଶ୍ୱ ମାନଚିତ୍ରରୁ ପାକିସ୍ତାନକୁ ଲିଭେଇ ଦିଆଯିବ : ଭାରତର ଚେତାବନୀ ଶୁଣି ପାକିସ୍ତାନର ନିଦ ହଜିଲା

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ  ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନୁପଗଡ଼ରେ ପାକିସ୍ତାନ ସୀମା ନିକଟରେ ସୈନିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯଦି ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରେ, ତେବେ ଏହାକୁ ବିଶ୍ୱ ମାନଚିତ୍ରରୁ ଲିଭେଇ ଦିଆଯିବ । ସେ ଚେତାବନୀ ଦେଇଛନ୍ତି ଯେ ଭାରତ ଆଉ ପୂର୍ବ ପରି ସଂଯମ ନୀତି ଗ୍ରହଣ କରିବ ନାହିଁ  ।   ଯେକୌଣସି ଆକ୍ରମଣର ତୁରନ୍ତ ଜବାବ ଦିଆଯିବ ।

୧୦୦ ରୁ ଅଧିକ ପାକିସ୍ତାନୀ ସୈନିକ ଏବଂ ଅନେକ ଆତଙ୍କବାଦୀ ନିହତ

ସେନା ମୁଖ୍ୟ ପ୍ରକାଶ କରିଛନ୍ତି ଯେ  ଅପରେସନ ସିନ୍ଦୂରରେ ପାକିସ୍ତାନରେ ଥିବା ନଅଟି ଆତଙ୍କବାଦୀ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଛି। ଏହି ଆଡ୍ଡାଗୁଡ଼ିକରେ ତାଲିମ ଶିବିର, ଅସ୍ତ୍ରଶସ୍ତ୍ର ଯୋଗାଣ ନେଟୱାର୍କ ଏବଂ ମାଷ୍ଟରମାଇଣ୍ଡ ରହିଥିଲେ। ସେ କହିଛନ୍ତି ଯେ ଏହି ଅପରେସନରେ ୧୦୦ ରୁ ଅଧିକ ପାକିସ୍ତାନୀ ସୈନିକ ଏବଂ ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏହାର ଆକ୍ରମଣରେ ସର୍ବାଧିକ ସଠିକତା ଅବଲମ୍ବନ କରିଛି ଏବଂ କୌଣସି ସାଧାରଣ ନାଗରିକଙ୍କ କ୍ଷତି ନହେବା ନିଶ୍ଚିତ କରିଛି। ସେ କହିଛନ୍ତି, “ଭାରତ କେବଳ ଆତଙ୍କବାଦୀ ଆଡ୍ଡା ଏବଂ ସେମାନଙ୍କର ମାଷ୍ଟରମାଇଣ୍ଡମାନଙ୍କୁ ଟାର୍ଗେଟ କରିଛି,  ।

ଜେନେରାଲ ଦ୍ୱିବେଦୀ ସୈନିକମାନଙ୍କୁ ସର୍ବଦା ସତର୍କ ଏବଂ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, “ଆପଣମାନଙ୍କର ପ୍ରସ୍ତୁତି ସମ୍ପୂର୍ଣ୍ଣ ରଖନ୍ତୁ… ଯଦି ଈଶ୍ୱର ଚାହାଁନ୍ତି, ତେବେ ସୁଯୋଗ ଶୀଘ୍ର ଆସିବ।” ସେ ସାମରିକ ଆଧୁନିକୀକରଣ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଭବିଷ୍ୟତର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଭାରତୀୟ ସେନା ଦ୍ରୁତ ଗତିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ମାନବହୀନ ବାୟୁ ପ୍ରଣାଳୀ (UAV) ଏବଂ ଡ୍ରୋନ୍ ପ୍ରତିରୋଧୀ କ୍ଷମତା ଗ୍ରହଣ କରୁଛି।

ତିନି ଜଣ ସାହସୀ ସୈନିକଙ୍କୁ ସମ୍ମାନିତ କରାଯାଇଥିଲା

ଏହି ଅବସରରେ, ସେନା ମୁଖ୍ୟ ଅପରେସନ ସିନ୍ଦୂରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନି ଜଣ ସାହସୀ ସୈନିକ – କମାଣ୍ଡାଣ୍ଟ ପ୍ରଭାକର ସିଂହ, ମେଜର ରିତେଶ କୁମାର ଏବଂ ହାବିଲଦାର ମୋହିତ ଗେରାଙ୍କୁ ସମ୍ମାନିତ କରିଥିଲେ। ସେ ବିକାନେର ସାମରିକ ଷ୍ଟେସନ ଏବଂ ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ। ସୀମାନ୍ତ ଗ୍ରାମଗୁଡ଼ିକର ଲୋକଙ୍କ ସହିତ ସାକ୍ଷାତ କରି ସେ କହିଥିଲେ, “ତୁମେ ସାଧାରଣ ନାଗରିକ ନୁହଁ, ବରଂ ଦେଶର ସୁରକ୍ଷାରେ ସମାନ ଭାଗୀଦାର ସୈନିକ।”

 

ଭାସି ଆସିଲେ ପୁଳା ପୁଳା ଜେଲି ଫିସ…

ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୂଳ କେଳୁଣୀ ମୁହାଣ ଓ କୋଣାର୍କ ଚନ୍ଦ୍ରଭାଗାରେ ଭାସୁଛି ମୃତ ଵଟମ ଜେଲି ଫିସ । ଆଜକୁ ପ୍ରାୟ ଦୁଇ ଦିନ ହେଲାଣି ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ସମୁଦ୍ର ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ଦେହରେ ଏ ମୃତ ଜେଲି ଫିସ ଲାଳ ବାଜିଲେ କୁଣ୍ଡେଇ ହୋଇ ଯାଦୁ ଭଳି ଫଳିଯାଉଛି। ଜେଲି ଫିସ ଭୟରେ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଡରିଲେଣି। ଉଭୟ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀ ସମସ୍ତଙ୍କ ମୁହଁରେ ସମାନ ପ୍ରଶ୍ନ । ଏମାନେ କେଉଁ ପ୍ରଜାତିର, କେତେ ବିଷାକ୍ତ ? ସ୍ଥାନୀୟ ସମାଜ ସେବୀ କହିବା ଅନୁସାରେ ନିକଟରେ ବଙ୍ଗୋପସାଗର ସୃଷ୍ଟି ଲଘୁଚାପ ପ୍ରଭାଵରେ ବନ୍ୟା ଜଳ ପାଇଁ ଜେଲିଫିସ ମୃତ ହେବା ଅନୁମାନ କରିଛନ୍ତି । ଏ ପ୍ରକାର ଜେଲିଫିସି ସାଧାରଣ ଗଭୀର ସମୁଦ୍ରରେ ଦଳ ଦଳ ହୋଇ ଵାସ କରନ୍ତି ଓ ଅତି ମନ୍ଥର ବେଗରେ ଗତି କରନ୍ତି। ଯେହେତୁ ସମୁଦ୍ରରେ ବଡ଼ ଢେଉ ହୋଇଥିଲା ତେଣୁ ଶକ୍ତିଶାଳୀ ଜୁଆରମାଡ଼ରେ ଘାଇଲା ହୋଇ ମୃତ ଅବସ୍ଥାରେ କୂଳକୁ ଭାସି ଆସିଛନ୍ତି। ପୂର୍ବରୁ ଫନି,ଏୟାସ, ହୁଡୁହୁଡୁ, ତିତିଲି ବାତ୍ୟା ସମୟରେ ବି ବିଭିନ୍ନ ସମୁଦ୍ର କୂଳରେ ମୃତ ଜେଲିଫିସି ଦେଖିବାକୁ ମିଳିଥିଲା।

ବିହାର ପାଟନାରେ ନିର୍ବାଚନ କମିଶନଙ୍କ ଟିମ୍ : ସବୁ ରାଜନୈତିକ ଦଳ ସହିତ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ବିହାର ପାଟନାରେ ନିର୍ବାଚନ କମିଶନଙ୍କ ଟିମ୍ । ନିଜେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ପାଟନାରେ ପହଞ୍ଚିଛନ୍ତି। ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ଜ୍ଞାନେଶ କୁମାର। ତାଙ୍କ ସହିତ ଅନ୍ୟ ଦୁଇ  ନିର୍ବାଚନ କମିଶନର ସୁଖବୀର ସିଂହ ଓ ବିବେକ ଯୋଶୀ ବି ଅଛନ୍ତି। ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିବେ ନିର୍ବାଚନ କମିଶନ। ସମସ୍ତଙ୍କ ମତାମତ ନେବେ, ଆପତ୍ତି ଅଭିଯୋଗ ଶୁଣିବେ। ଏହା ପରେ ପ୍ରାଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ଏହି ସମୟରେ ରାଜ୍ୟର ପ୍ରାଶାସନିକ ଓ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରାଯିବ। ସମସ୍ତ ଆରଡିସି, ପୋଲିସ ଆଇଜି, ଡିଆଇଜି, ଜିଲ୍ଲାପାଳ, ଏସପିଙ୍କୁ ଭେଟିବେ। ଏହା ପରେ ଆସନ୍ତାକାଲି ନିର୍ବାଚନ କମିଶନଙ୍କ ଟିମ୍ ବିଭିନ୍ନ ସଂସ୍ଥାର ନୋଡାଲ ଅଫିସରଙ୍କୁ ଭେଟିବେ। କେମିତି ମୁକ୍ତ ଓ ଅବାଧ ନିର୍ବାଚନ ହେବ, ବାହୁ ଓ ଅର୍ଥ ବଳ ପ୍ରୟୋଗ ନ ହେବ, ମଦ ଓ ଅନ୍ୟ ମାଦକ ଦ୍ରବ୍ୟ କାରବାର କମିବ ତା ଉପରେ ଆଲୋଚନା କରାଯିବ। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, କେନ୍ଦ୍ରୀୟ ଫୋର୍ସଙ୍କ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା ହେବ। ତା ପରେ ଶେଷରେ ବିହାରର ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ  ଭେଟିବେ ନିର୍ବାଚନ କମିଶନ। କେମିତି ସୁରୁଖୁରୁରେ ନିର୍ବାଚନ କରାଯିବ, ତାହା ହେଉଛି ଫୋକସ୍। ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତାକାଲି ଅପରାହ୍ନ ୨ଟାରେ ନିର୍ବାଚନ କମିଶନ ଏକ ପ୍ରେସମିଟ ମଧ୍ୟ କରିବେ ବୋଲି ଜଣାପଡ଼ିଛି।

ଦୁର୍ଗା ଭସାଣ ବେଳେ କଟକରେ ଗଣ୍ଡଗୋଳ : ୬ ଜଣ ଆହତ

ନନ୍ଦିଘୋଷ ବ୍ୟୁରୋ : ମା ଦୁର୍ଗାଙ୍କ ଭସାଣ ବେଳେ କଟକରେ ଗଣ୍ଡଗୋଳ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏପରିକି ଡିସିପି ରିଷିକେଶ ଖିଲାରି ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଆଖିପତାରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଝାଞ୍ଜିରିମଙ୍ଗଳା ପୂଜା କମିଟିର ଶୋଭାଯାତ୍ରା ଚାଲିଥିବା ବେଳେ ଦରଘା ବଜାର ଅଞ୍ଚଳର ହାତୀ ପୋଖରୀ ଛକ ନିକଟରେ ଏହି ଗଣ୍ଡଗୋଳ ହୋଇଥିଲା। ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ଓ କାଚ ବୋତଲ ଫିଙ୍ଗିଥିଲେ। ଏଥିରେ ଅନେକ ଆହତ ହୋଇଛନ୍ତି। ପୋଲିସ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବି ରୋଷର ଶିକାର ହୋଇଥିଲେ। ଏବେ ଗୌରୀ ଶଙ୍କର ପାର୍କରୁ ଦରଘା ବଜାର ଯାଏ ପୋଲିସ ଛାଉଣୀ ରହିଛି। ଏପରିକି କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିବା ଜଣାପଡ଼ିଛି। ରାତିର ଗଣ୍ଡଗୋଳ ଯୋଗୁଁ ବିସର୍ଜନ ହୋଇନପାରି ବହୁତ ମେଢ଼ ଅଟକି ରହିଥିଲେ। ଏବେ କଡ଼ା ପୋଲିସ ସୁରକ୍ଷାରେ ସେହି ମେଢ଼ଗୁଡ଼ିକୁ ଦେବୀଗଡ଼ାକୁ ନିଆଯାଉଛି।

 

ତାଣ୍ଡବ ରଚିଛି ଲଘୁଚାପ ଜନିତ ଲଗାଣ ବର୍ଷା

ନନ୍ଦିଘୋଷ ବ୍ୟୁରୋ ; ଲଘୁଚାପ ଜନିତ ବର୍ଷାରୁ ଗଜପତିରେ ବ୍ୟାପକ କ୍ଷୟକ୍ଷତି। ମୋହନା ବନ୍ଧାଗୁଡ଼ା ଅଂଚଳରେ ପାହାଡ ଧସିଯିବାରୁ ୨ ଜଣ ନିଖୋଜ ହୋଇଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳୁନି। ଗୋରୁ ଚରାଇବାକୁ ଯାଇ ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ l ସେହିପରି  ଅଡବା, ମହେନ୍ଦ୍ରଗଡ଼, ଆର. ଉଦୟଗିରି, ନୂଆଗଡ ଓ ରାମଗିରି ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଘାଟ ଭାଙ୍ଗିବା ସହ କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡିପଡିଛି। ଖଜୁରିପଦା ଠାରୁ ନୂଆଗଡ ରାସ୍ତା ଧୋଇ ହୋଇଯାଇଛି। ଗୁଣପୁର ରାସ୍ତାର ଶିବ ମନ୍ଦିର ନିକଟ ପୋଲର ଆପ୍ରୋଚ ରୋଡ଼ ଓ ରୁବୁଡିସିଂ ଠାରେ ଏକ କଲଭର୍ଟ ଭାସିଯାଇଛି। ଗଜପତି ଜିଲ୍ଲାରେ ବଢୁଛି ମହେନ୍ଦ୍ର ତନୟା ନଦୀ। ବାଗଶାଳା ଗାଁରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଛି। ଆର ଉଦୟଗିରି ପଟ୍ଟନାୟକ କଲୋନୀରେ ପାଣି ପଶିଯାଇଥିଲା। ଗାଁ ଦାଣ୍ଡରେ ୫ ଫୁଟର ପାଣି ଜମି ରହିଥିଲା। ଭୟରେ ଏକ କଲ୍ୟାଣ ମଣ୍ଡପରେ ଆଶ୍ରୟ ନେଇଥିଲେ ଲୋକେ ।

କଳାହାଣ୍ଡି କର୍ଲାପାଟ ଅଂଚଳରେ ଦୁଇ ଭାଇ ଭବାନୀପାଟଣା ଯାଉଥିବାବେଳେ ସେମେଲ ପଦର ନାଳରେ ଭାସି ଯାଇଥିଲେ। ସକାଳୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ଲାଗି ରେସକ୍ୟୁ ଅପରେସନ ଜାରି ରହିଛି।ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୫୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। କନ୍ଧମାଳ ଦାରିଙ୍ଗବାଡି ବ୍ଲକରେ ଲଗାଣ ବର୍ଷାରୁ ଗୁମାଡ଼ି ନଦୀର ଜଳସ୍ତର ବଢିଛି। ଏକ ଅସ୍ଥାୟୀ ପୋଲ ଭାସି ଯିବାରୁ ୩ ପଞ୍ଚାୟତ ତିଲୋରୀ, ବୁଡ଼ାଗୁଡା ଏବଂ ଗୁମିକିଆବାସିନ୍ଦା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ।

ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ଗଞ୍ଜାମର ଋଷିକୂଲ୍ୟା, ବଡ଼ନଦୀ ଓ ଘୋଡ଼ାହାଡ଼ ନଦୀ। ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ପାତ୍ରପୁର ଅଞ୍ଚଳବାସୀ ହନ୍ତସନ୍ତ ହୋଇଛନ୍ତି। ଧରାକୋଟ ଅଂଚଳରେ ଋଷିକୂଲ୍ୟା ପାଣି ଆସି ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି। ବାଲି ମାଡ଼ି ଯାଇ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତିର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଶେରଗଡ଼ ବ୍ରହ୍ମାଣଛାୟୀ ଗ୍ରାମର ନଦୀ କୁଳରେ ଥିବା ପରିବା ଫସଲ ନଷ୍ଟ ହୋଇପଡିଛି।

ନୂଆପଡା ଜିଲ୍ଲା ସୁନ୍ଦର ନଦୀରେ ବଢୁଛି ବନ୍ୟାଜଳ। ନଦୀ କୂଳରେ ଥିବା ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ବୋଡ଼େନ ବ୍ଲକ ପଲସଦା ପଞ୍ଚାୟତ ସହ ଖଡିଆଳ ବ୍ଲକର ବିରିଘଟ ତୁକୁଲା ଓ ବଡ଼ ଦୋହେଲ୍ ପଞ୍ଚାୟତରେ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷ ଜମିରେ ଜମି ରହିଛି ୫ରୁ ୬ଫୁଟ ପାଣି। ବର୍ଷା କମିଥିଲେ ବି ଆନ୍ଧ୍ର ଉପର ମୁଣ୍ଡରେ ଲଗାଣ ବର୍ଷା ଯାଗୁଁ କୋରାପୁଟ  ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ୨ଟି ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି। ୨ ଗେଟ ଦେଇ ୧୦ ହଜାର କ୍ୟୁସେକ ପାଣି ନିଷ୍କାସନ କରାଯାଉଛିl। ବାଲେଶ୍ବର ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗାଁରେ ପ୍ରବଳ ବର୍ଷାରୁ ଘର ଭାଙ୍ଗିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ ।