spot_img
Home Blog Page 3838

ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଅରୁଣ ଗୋଏଲ

ନୂଆଦିଲ୍ଲୀ: ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ । ଶୁକ୍ରବାର ଦିନ ଉଦ୍ଦ୍ୟୋଗ ସଚିବ ପଦରୁ ସ୍ବେଚ୍ଛାକୃତ ଇସତଫା ନେଇଥିଲେ ଗୋଏଲ  । ଶନିବାର ଦିନ ଆଇନ ମନ୍ତ୍ରାଳୟ ନୂତନ ନିର୍ବାଚନ ଆୟୁକ୍ତ ଭାବେ ଗୋଏଲଙ୍କ ନାଁରେ ମୋହର ମାରି ବିଜ୍ଞପ୍ତି ପ୍ରକାଶ କରିଥିଲା  ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି  । ୧୯୮୫ ବ୍ୟାଚ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ନିର୍ବାଚନ ପ୍ୟାନେଲରେ ସାମିଲ ହେବେ  ।  ଗତ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଥିଲେ ଗୋଏଲ। ଅବସରର ୪୦ ଦିନ ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ପଞ୍ଜାବ ଓ କେନ୍ଦ୍ର ସରକାର ଗୋଟିଏ ଦିନରେ ତାଙ୍କ ଇସ୍ତଫା ସ୍ବୀକାର କରିଥିଲେ ।

ପଞ୍ଜାବର ସବୁଠାରୁ ବରିଷ୍ଠ ଆଇଏଏସ ଅଧିକାରୀ ଥିଲେ ଅରୁଣ  । ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଅନେକ ବିଭାଗରେ ସେ ଦାୟିତ୍ବ ନେଇଛନ୍ତି  । ପିଏମଓ ଅଫିସରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇଛନ୍ତି ଗୋଏଲ  ।

ଭୂକମ୍ପରେ ଦୋହଲିଗଲା ଇଣ୍ଡୋନେସିଆ, ୪୪ ମୃତ ୩୦୦ରୁ ଅଧିକ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ । ଜାଭାରେ ଘଟିଥିବା ପ୍ରଳୟଙ୍କରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୪ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଭୂକମ୍ପରେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ଦଶମିକ ୬ ଥିବା ସୂଚନା ମିଳିଛି ।

ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସୁନାମି ଆଶଙ୍କା ନାହିଁ ବୋଲି କୁହାଯାଇଛି । ଜାକର୍ତ୍ତାରୁ ୭୫ କିଲୋମିଟର ଦୂର ସିଆଞ୍ଜୁରରେ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେତେକ ସ୍ଥାନରେ ଅନେକ କୋଠା ଧୂଳିସାତ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ପରେ ପରେ ୨୫ ଥର ଆଫ୍ଟରସକ୍ ଘଟିଥିବା ସୂଚନା ମିଳିଛି ।

ଚାଓ୍ୱଲା ଗଣଦୁଷ୍କର୍ମକାରୀଙ୍କୁ ବେଲ୍‌ ପ୍ରସଙ୍ଗ, ସୁପ୍ରିମକୋର୍ଟଙ୍କ ରାୟର ରିଭ୍ୟୁ ପାଇଁ ପିଟିସନ୍

ନୂଆଦିଲ୍ଲୀ: ଗଣଦୁଷ୍କର୍ମକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ ନେଇ ଦାଏର ହେବ ରିଭ୍ୟୁ ପିଟିସନ । ତଳ କୋର୍ଟ ଓ ହାଇକୋର୍ଟ ଅପରାଧୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବେଳେ ସୁପ୍ରିମକୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ । ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଞ୍ଜୁରୀ ମଧ୍ୟ ମିଳିଛି । ଅଭିଯୁକ୍ତଙ୍କୁ କୋର୍ଟରେ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇ ନଥିଲା । ପୋଲିସ ତଦନ୍ତରେ ଅବହେଳାକୁ କୋର୍ଟ ଦାୟୀ କରିଥିଲେ । ୪୯ ଜଣ ସାକ୍ଷୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ପ୍ରତିପକ୍ଷ ପ୍ରଶ୍ନ ନକରିବା ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ନଥିବା କହି କୋର୍ଟ ୩ ଅଭିଯୁକ୍ତଙ୍କୁ ବେଲ୍ ପ୍ରଦାନ କରିଥିଲେ ।

୨୦୧୨ ଫେବୃଆରୀରେ ଛାବଲା ଅଞ୍ଚଳର ଜଣେ କାମ ସାରି ଘରକୁ ଫେରୁଥିବା ବେଳେ ଏକ ଲାଲ ରଙ୍ଗର କାରରେ ତିନି ଜଣ ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ସହ ନିର୍ଯାତନା ମଧ୍ୟ ଦେଇଥିଲେ । ପୀଡିତାଙ୍କୁ ଘଣ୍ଟା, ଲୁହା ରଡ, ବିୟର କାଚରେ ମାଡ଼ ମାରିଥିଲେ ଅଭିଯୁକ୍ତ । ବିୟର ବୋତଲ କାଚରେ ପୀଡ଼ିତାଙ୍କ ପୂରା ଶରୀରକୁ ମଧ୍ୟ କାଟିଥିଲେ । ଯୁବତୀଙ୍କ ଆଖି ତାଡ଼ି ସେଥିରେ ଗାଡ଼ି ବ୍ୟାଟେରୀରେ ଥିବା ଏସିଡ ଢାଳି ଦେଇଥିଲେ ଅଭିଯୁକ୍ତ । ରାଜଧାନୀ ଛାତି ଉପରେ ଏଭଳି ଭୟଙ୍କର କାଣ୍ଡ ପୁରା ଦେଶକୁ ଦୋହଲାଇ ଦେଇଥିଲା । ହାଇକୋର୍ଟ ତିନି ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବା ବେଳେ ସୁପ୍ରିମକୋର୍ଟ ସେମାନଙ୍କ ବେଲ ଆବେଦନକୁ ମଞ୍ଜୁରୀ ଦେଇଥିଲେ ।

ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା, ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମକୁ ମିଳିବ ଅନୁମତି

ଭୁବନେଶ୍ୱର: ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା । ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି । ପୂର୍ବପରି ଚାଲିବ ବିଧାନସଭା । ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ବିଧାୟକମାନେ ନିଜ ନିଜ ଆସନରେ ବସିବେ । ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମକୁ ଅନୁମତି ମିଳିବ । ଲିଖିତ ଭାବେ ଜଣାଇଲେ ସେମାନେ ଭିଡିଓ କନଫରନେସ୍ ମାଧ୍ୟମରେ ବିଧାନସଭା ଅଧିବେଶନରେ ଯୋଗ ଦେଇପାରିବେ । ସକାଳ ସାଢ଼େ ୧୦ରୁ ସାଢ଼େ ଗୋଟାଏ ଏବଂ ଅପରାହ୍ନରେ ୪ଟାରୁ ୭ ପର୍ଯ୍ୟନ୍ତ ବିଧାନସଭା ଚାଲିବ ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ବିଧାନସଭା ଶୀତ ଅଧିବେଶନର ସୁପରିଚାଳନା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବରୁ କରୋନା କଟକଣା ଭିତରେ ବସୁଥିଲା ବିଧାନସଭା ଅଧିବେଶନ । କିନ୍ତୁ ଏଥର ତାକୁ ହଟାଇ ଦିଆଯାଇଛି । ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଟୁଇଟରରୁ ଆହୁରି କିଛି କର୍ମଚାରୀଙ୍କୁ ଛଟେଇ କରିବେ ଏଲନ ମସ୍କ

ନୂଆଦିଲ୍ଲୀ: ଟୁଇଟରରୁ ଆହୁରି କିଛି କର୍ମଚାରୀଙ୍କୁ ଛଟେଇ କରିବେ ଏଲନ ମସ୍କ । ଆଜି ଏନେଇ ଘୋଷଣା କରିବେ । ସେଲ୍ସ ଓ ପାର୍ଟନରସିପ୍ ଟିମରୁ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛନ୍ତି ଏଲନ ମସ୍କ । ପୂର୍ବରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ମସ୍କ ଛଟେଇ କରିଥିବା ବେଳେ ଆହୁରି କିଛି ଆବଶ୍ୟକତା ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏଲନଙ୍କ ଅଲ୍ଟିମେଟମ ପରେ ଇସ୍ତଫା ଦେଇଥିଲେ କର୍ମଚାରୀ ।

ଟୁଇଟରରେ ଅନେକ ପରିବର୍ତ୍ତନ ହୋଇଥିବା ବେଳେ ଏହାର ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ିଛି । କମ୍ପାନୀରେ ହାର୍ଡକୋର୍ ଓ୍ୱାର୍କ ପାଇଁ ନୂଆ ବସଙ୍କ ଅଲ୍ଟିମେଟମ ପରେ ଶତାଧିକ କର୍ମଚାରୀ ନିଜ ଆଡ଼ୁ ଇସ୍ତଫା ଦେଇଥିଲେ । ଫଳରେ କମ୍ପାନୀକୁ ଏକ ବଡ଼ ଝଟକା ଲାଗିଛି । ଟୁଇଟର ଏବେ ସବୁ ଦିନ ପାଇଁ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ହେଉଥିଲା । ଏହାରି ଭିତରେ କମ୍ପାନୀ ଆହୁରି କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

 

 

କୋରାଇ ଟ୍ରେନ୍ ଦୁର୍ଘଟଣା, ରେଳବାଇ ବିରୋଧରେ ତାତିଲେ ସ୍ଥାନୀୟ ଲୋକ

କୋରାଇ: ଯାଜପୁର କୋରାଇ ଷ୍ଟେସନରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା । ରେଳବାଇ ବିରୋଧରେ ତାତିଲେ ସ୍ଥାନୀୟ ଲୋକ । ରେଳଷ୍ଟେସନରେ ଲୋକ ଧାରଣା ଦେଇଛନ୍ତି । ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ସେହିପରି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦାବି କରିଛନ୍ତି ଆନ୍ଦୋଳନକାରୀ । ଦାବି ପୂରଣ ନହେଲେ ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ମୃତ ମହିଳାଙ୍କ ସ୍ୱାମୀ ଭିନ୍ନକ୍ଷମ । ତାଙ୍କର ୨ଜଣ ଅବିବାହିତ ଝିଅ ରହିଛନ୍ତି । ତେଣୁ ତାଙ୍କ ପରିବାରର ଜଣଙ୍କୁ ଚାକିରି ପାଇଁ ଦାବି ହୋଇଛି ।

ଟ୍ରେନରେ ନା ଟ୍ରାକରେ ଥିଲା ତ୍ରୁଟି, ଟ୍ରେନ୍ ଦୁର୍ଘଟଣାର କରାଯିବ ଉଚ୍ଚସ୍ତରୀୟ ତଦନ୍ତ

କୋରାଇ: ଯାଜପୁର ଟ୍ରେନ୍ ଟ୍ରାଜେଡିର ହେବ ଉଚ୍ଚସ୍ତରୀୟ ତଦନ୍ତ । ପ୍ରଶ୍ନ ଉଠୁଛି, କେମିତି ହେଲା ଯାଜପୁର କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନର ଦୁର୍ଘଟଣା ? ଅଘଟଣ ନା ଅବହେଳା? ଟ୍ରେନ୍‌ ନା ଟ୍ରାକରେ ଥିଲା ସମସ୍ୟା? କାହିଁକି ଲାଇନଚ୍ୟୁତ ହେଲା ମାଲଗାଡ଼ି ଟ୍ରେନର ବଗି ? ଗୋଟିଏ ବଗିର ଚକ କୁଆଡ଼େ ଗଲା? ଦୁର୍ଘଟଣା ପୂର୍ବରୁ ନଥିଲା କି ବଗିର ଚକ ? ଯଦି ଚକ ନଥିଲା କେମିତି ଟ୍ରେନ୍‌ ସହ ହୋଇଥିଲା ସଂଯୋଗ? ଯଦି ଦୁର୍ଘଟଣା ପରେ ଚକ ଖସିଛି ତେବେ ଚକ କୁଆଡ଼େ ଗଲା? ସେଦିଗରେ ତଦନ୍ତ କରାଯାଉଛି ।

ସୂଚନା ଅନୁସାରେ ଆଜି ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମ ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ିଯାଇଥିଲା ମାଲବାହୀ ଟ୍ରେନ୍ । ଯାଜପୁର କୋରାଇ ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରେନ୍। ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଛନ୍ତି ।

ଭୁଶୁଡ଼ିଲା ବେଲବାହାଳି କୁଶେଇ ନଦୀରେ ନିର୍ମାଣାଧୀନ ସେତୁ

ଆନନ୍ଦପୁର: ଭୁଶୁଡ଼ିଲା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳିରେ କୁଶେଇ ନଦୀରେ ନିର୍ମାଣାଧୀନ ସେତୁ । ନିର୍ମାଣକାରୀ ଠିକାସଂସ୍ଥା ଏଆରଏସଏସର ୩ ଜଣ କର୍ମଚାରୀ ଏଥିରେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଆହତମାନଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆଜି ସକାଳୁ ଶ୍ରମିକମାନେ କାମ କରୁଥିବା ବେଳେ ସେତୁର ଗୋଟିଏ ସ୍ପାନ ଅଧାରୁ ଭାଙ୍ଗି ଯାଇଥିଲା । ତା’ ସହିତ ସଂଯୋଗ ହୋଇଥିବା ବିମ୍ ମଧ୍ୟ ତଳକୁ ଖସି ପଡ଼ିଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ପରେ ଠିକାସଂସ୍ଥାର କାମକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହାର ତଦନ୍ତ ପାଇଁ ଦାବି ହୋଇଛି । ଅନ୍ୟପକ୍ଷରେ ଠିକାସଂସ୍ଥାର କର୍ମଚାରୀ ଘଟଣାସ୍ଥଳ ଛାଡ଼ି ଚମ୍ପଟ ମାରିଛନ୍ତି।

କୋରାଇ ଟ୍ରେନ୍ ଦୁର୍ଘଟଣା, ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କଲା ରେଳବାଇ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ପରେ ପ୍ଲାଟଫର୍ମ ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ିଯାଇଛି । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରେନ୍ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ବଡ଼ ଧରଣର ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଜାରି କରାଯାଇଛି ଜରୁରୀକାଳୀନ ହେଲ୍ପଲାଇନ ନମ୍ବର । କୋରାଇ ରେଳ ଷ୍ଟେସନ ପାଇଁ ୮୪୫୫୮୮୯୯୦୫ ନମ୍ବର ଜାରି କରାଯାଇଥିବାବେଳେ ଭୁବନେଶ୍ୱର ଷ୍ଟେସନ ପାଇଁ ୦୬୭୪-୨୫୩୪୦୨୦, ୦୬୭୪-୨୫୩୪୦୨୭ ଓ ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ରୁମ୍ ପାଇଁ ୦୬୭୪-୨୪୯୨୨୪୫ ନମ୍ବର ଜାରି କରାଯାଇଛି ।

କୋରାଇ ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା, ଆର୍ଥିକ ସହାୟତା ଘୋଷଣା କଲା ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: କୋରାଇ ଷ୍ଟେସନରେ ପଣ୍ୟବାହୀ ଟ୍ରେନ୍ ଦୁର୍ଘଟଣା । ରେଳବାଇ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୃତ ବ୍ୟକ୍ତିମାନଙ୍କ ପରିବାର ସଦସ୍ୟମାନଙ୍କୁ ୫ ଲକ୍ଷ, ଗୁରୁତର ଆହତମାନଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତିମାନଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।