spot_img
Home Blog Page 3870

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନିଧନ, ୬୧ ବର୍ଷ ବୟସରେ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କଲେ

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମାତ୍ର ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଧାମନଗର ବିଜେପି ବିଧାୟକ ଥିଲେ ବିଷ୍ଣୁ ସେଠୀ । କିଡନୀ ରୋଗରେ ପୀଡ଼ିତ ହୋଇ ICUରେ ଭର୍ତ୍ତି ହୋଇଥିଲେ । ପ୍ରାୟ ଏକମାସ ହେବ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ସକାଳ ୭ଟା ୪୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ନେଇ ମେଡିକାଲ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ପ୍ରଭାତ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ତାଙ୍କ ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ରାଜ୍ୟ ବିଜେପି ଓ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ।

ରୋକ୍ ଠୋକ୍ ନେତା ଭାବେ ସେ ଜଣାଯାଉଥିଲେ । ଅସମୟରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି । ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜନେତା ସହ ଜଣେ ଲେଖକ ଓ ସାହିତ୍ୟିକ ଭାବେ ସେ ପରିଚିତ ଥିଲେ । ଭଦ୍ରକ ଜିଲ୍ଲା ତିହିଡିରେ ୧୯୬୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ରାଜନୈତିକ ଯାତ୍ରା କଥା ଦେଖିବାକୁ ଗଲେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୦୪ରେ ଏହି ଆସନରୁ ସେ ପରାଜିତ ହୋଇଯାଇଥିଲେ । ୨୦୦୬ ମସିହାରେ ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯ ଏବଂ ୨୦୧୪ରୁ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ହେଲେ ଦୁଇଥର ଯାକ ପରାଜିତ ହୋଇଥିଲେ । ଗତ ନିର୍ବାଚନ ଅର୍ଥାତ ୨୦୧୯ରେ ଧାମନଗର ଆସନରୁ ଶେଷରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଭୟଙ୍କର ହେଉଛି ରୁଷ୍-ୟୁକ୍ରେନ ଯୁଦ୍ଧ: ୟୁକ୍ରେନର ବିଭିନ୍ନ ସହର ଶ୍ମଶାନ ପାଲଟିଛି

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ଥମିନଥିବା ବେଳେ ଏବେ ୟୁକ୍ରେନ୍ରେ ଶ୍ମଶାନର ସଂଖ୍ୟା ବଢିଚାଲିଛି । ୟୁକ୍ରେନର ବିଭିନ୍ନ ସହରରେ ଚଳଚଞ୍ଚଳ ସ୍ଥାନ ଗୁଡିକ ଏବେ ପାଲଟିଛି ଶ୍ମଶାନ । ନିଜର ପ୍ରୀୟଜନଙ୍କୁ ହରାଇ ଲୋକେ ଯେକୌଣସି ସ୍ଥାନରେ ଅନ୍ତିମ କ୍ରିୟା କରୁଛନ୍ତି । ଶହ ଶହ ଶବକୁ ଗୋଟିଏ ସ୍ଥାନରେ ଋଷ୍ ସେନା ପୋତି ଦେଇଥିବା ବେଳେ ଏବେ ସେଗୁଡିକ କଢା ଯାଇ ପୁଣି ଥରେ ଅନ୍ତିମକ୍ରିୟା କରୁଛନ୍ତି ୟୁକ୍ରେନ୍ ବାସୀ ।

ବଡ଼ ବଡ଼ ପାର୍କ ଏବେ ଶ୍ମଶାନ ପାଲଟିଥିବା ବେଳେ ଯାଗାର ଅଭାବ ପଡୁଛି । ଜଙ୍ଗଲ କାଟି ମୃତଦେହକୁ ସମାଧି ଦିଆଯାଉଛି । ୟୁକ୍ରେନ୍ରେ ଏଭଳି ସ୍ଥିତି ପାଇଁ ଋଷ୍କୁ ଦାୟୀ କରିଛନ୍ତି ବିଭିନ୍ନ ଦେଶ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଋଷକୁ ସମାଲୋଚନା କରିବା ସହ ଏଭଳି ଓ୍ବାର କ୍ରାଇମ ପାଇଁ ଜବାବ ଦେବାକୁ ପଡିବ ବୋଲି କହିଛନ୍ତି । ଭବିଷ୍ୟତ ପିଢି କେବେ ବି ଋଷ୍କୁ କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ସମାଲୋଚନା କରିଛନ୍ତି ।

ଅର୍ଥ ହେରଫେର ମାମଲାରେ ଆଜି ପୁଣି ଦିଲ୍ଲୀ ପୋଲିସରେ ହାଜର ହେବେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

ନୂଆଦିଲ୍ଲୀ: ୨୦୦ କୋଟି ଅର୍ଥ ହେରଫେର ମାମଲାରେ ଆଜି ପୁଣି ଦିଲ୍ଲୀ ପୋଲିସରେ ହାଜର ହେବେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ଠକ ସୁକେଶ ଚନ୍ଦ୍ର ଶେଖର ଦେଇଥିବା ଗିଫ୍ଟ ଏବଂ ଅର୍ଥ ସହାୟତା ଉପରେ ଜେରା କରାଯିବ । ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ୍ ପର୍ଣ୍ଣାଡିସ୍ । ତାକୁ ନେଇ ମଧ୍ୟ ପଚରାଉଚରା ହେବ ।

ଠକକୁ ପ୍ରେମ କରି ମନର ରାଜକୁମାର ଭାବୁଥିଲେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ । ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ନଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଜ୍ୟାକଲିନ୍ ସୁକେଶକୁ ବିବାହ କରିବାକୁ ଚାହୁଁଥିଲେ । ସୁକେଶଙ୍କ ଅପରାଧ ବିଷୟରେ ଜାଣି ସୁଦ୍ଧା ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

ହେଲେ ନୋରା ଫତେହିଙ୍କ ସହ ସୁକେଶଙ୍କ ସମ୍ପର୍କ ରହିଥିବା ସନ୍ଦେହ ପରେ ଆଉ ସମ୍ପର୍କ ରଖିନଥିଲେ ଜ୍ୟାକଲିନ୍ ।  ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର ପୋଲିସର କହିବାନୁଯାୟୀ, ଜ୍ୟାକଲିନ୍ ସୁକେଶଙ୍କ ଅପରାଧ ବିଷୟରେ ଜାଣିବା ପରେ ବି ସମ୍ପର୍କ ଭାଙ୍ଗିନଥିଲେ । ନୋରାଙ୍କୁ ସନ୍ଦେହ ହେବା ମାତ୍ରେ ସେ ସୁକେଶଙ୍କ ଠାରୁ ଦୂରେଇଯାଇଥିଲେ ।

ଆଜି ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ, ସାମିଲ ହେବେ ୫ଶହ ବିଦେଶୀ ଅତିଥି

ନନ୍ଦିଘୋଷ ବ୍ୟୁରୋ: ଆଜି ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ । ଲଣ୍ଡନର ଓ୍ବେଷ୍ଟମିନିଷ୍ଟରରେ ଭାରତୀୟ ସମୟ ଅପରାହ୍ନ ସାଢେ ୩ଟାରେ ହେବ ଅନ୍ତିମ ସଂସ୍କାର। ଏଥିରେ ବିଶ୍ବର ବହୁ ନେତା, ରୟାଲ ଫ୍ୟାମିଲି ସାମିଲ ହେବେ । ମହାରାଣୀ ମହାଯାତ୍ରାରେ ରାଜ ପରିବାର ସଦସ୍ୟ ଏକ ସ୍ବତନ୍ତ୍ର କଳା ରଙ୍ଗର ପୋଷାକ ପିନ୍ଧିବେ । ସକାଳୁ ଶେଷଦର୍ଶନ ପରେ ରାଣୀଙ୍କ ପାର୍ଥିବ ଶରୀରକୁ ଘୋଡାଗାଡ଼ିରେ ଓ୍ବିଣ୍ଡସରରେ ଥିବା ପ୍ରିନ୍ସ ଫିଲିପଙ୍କ କବର ନିକଟକୁ ନିଆଯିବ ।

ସେଠାରେ ଚିରନିଦ୍ରାରେ ଶୋଇଯିବେ ମହାରାଣୀ । ଶେଷକୃତ୍ୟରେ ସାମିଲ ହେବାକୁ ପ୍ରାୟ ୫ଶହ ବିଦେଶୀ ଅତିଥି ନିମନ୍ତ୍ରିତ ହୋଇଛନ୍ତି । ଭାରତ ସମେତ ଆମେରିକା, ବେଲଜିୟମ, ସ୍ପେନ୍, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ ଆଦିର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ସାମିଲ ହେବେ । ତେବେ ସିରିଆ, ଭେନେଜୁଏଲା, ମିଆଁମାର, ଆଫଗାନିସ୍ତାନ, ଋଷ ଓ ବେଲାରୁଷକୁ ନିମନ୍ତ୍ରଣ କରାଯାଇନି ।

ରାଜ ପରିବାର ସଦସ୍ୟଙ୍କ ସମେତ ୨ହଜାରରୁ ଅଧିକ ଲୋକଙ୍କ ଗହଣରେ ହେବ ରାଣୀଙ୍କ ଶେଷକୃତ୍ୟ । ଶେଷକୃତ୍ୟ ପାଇଁ ସାରା ବ୍ରିଟେନରେ ୨ମିନିଟ ନିରବ ପ୍ରାର୍ଥନା କରାଯିବ । ଅନ୍ତିମ ସଂସ୍କାର ଲାଗି ବ୍ରିଟେନ ସରକାର ବ୍ୟାଙ୍କ ଛୁଟି ଘୋଷଣା କରିଛନ୍ତି । ସେହିପରି ସିନେମା ହଲ୍, ସ୍କୁଲ, ସୁପରମାର୍କେଟ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ବିଭିନ୍ନ ସହରରେ ୧୨୫ଟି ସ୍କ୍ରିନରେ ଅନ୍ତିମଯାତ୍ରାର ସ୍କ୍ରିନିଂ କରାଯିବ ।

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଘନୀଭୁତ ହେଉଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ନେବ ଲଘୁଚାପ ରୂପ । ପ୍ରଭାବରେ ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ଏଥିପାଇଁ ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ୨୨ ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

କାଲି ପାଇଁ ୬ଜିଲ୍ଲାକୁ ଅରେଞ୍ଜ, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ପୁରୀରେ ୭୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷାରେ ଧସିବ ପାହାଡ, ଧୋଇଯିବ କଚ୍ଚା ରାସ୍ତା, ଭାଙ୍ଗିବ କଚ୍ଚା ଘର । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା କମିବ । ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୦କିଲୋମିଟର ରହିବ ।

ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ସୃଷ୍ଟିହେବ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଆସନ୍ତା ସପ୍ତାହରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।

କଟକ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ ଭିକେ ପାଣ୍ଡିଆନ

କଟକ: କଟକରେ 5T ସଚିବ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ତାଳଦଣ୍ଡା କେନାଲ ଓ ଏସସିବି ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପ୍ରଥମେ ଏସସିବି ବଡ଼ ମେଡିକାଲ ବୁଲି ବିକାଶମୂଳକ କାର୍ଯ୍ୟର ତଦାରଖ କରିଥିଲେ । କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି 5T ସଚିବ ।

ଏହାପରେ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ 5T ସଚିବ । ଶେଷରେ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହେଉଥିବା ପିଣ୍ଡି ବୁଲି ଦେଖିଥିଲେ । ଏଣିକି ରାସ୍ତା ଉପରେ ଯେପରି କୌଣସି ବ୍ୟବସାୟୀ ପରିବା ବିକ୍ରି କରିପାରିବେ ନାହିଁ, ସେଥିପାଇଁ କଟକ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସଚିବ ଓ ଜିଲ୍ଲାପାଳଙ୍କ ସହ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସବିଶେଷ ଆଲୋଚନା କରିଛନ୍ତି 5T ସଚିବ ।

ଜବତ ନୁହେଁ ଗଞ୍ଜେଇ ଚାଲାଣ କରୁଥିଲେ ଅବକାରୀ ଅଧିକାରୀ

କୋରାପୁଟ: ପଟାଙ୍ଗି ଅବକାରୀ ଅଧିକାରୀଙ୍କୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଜବତ ବଦଳରେ କରୁଥିଲେ ରାଜ୍ୟ ବାହାରକୁ ଚୋରା ଚାଲଣ । ଦୁଇ ଜଣ କନେଷ୍ଟବଳ ଏବଂ ଜଣେ ଏଏସଆଇଙ୍କୁ ମିଶାଇ ୭ ଜଣଙ୍କୁ ଗିରଫ କରିଛି ପଟାଙ୍ଗି ପୋଲିସ । ସେମାନଙ୍କ ଠାରୁ ୮ ଶହ ୩ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ହେବ ।

ଏଏସଆଇ ଜଣକ ହେଉଛନ୍ତି ଅରୁପଲୋକ ଦାସ ଓ ଦୁଇ ଏକ୍ସସାଇଜ୍ କନେଷ୍ଟବଳ ହେଲେ ଗୋଲକ ବିହାରୀ ବାଘ, ରାବାଡା ଭେଙ୍କେଟେସ କୁମାର । ସେମାନଙ୍କ ଠାରୁ ଗୋଟାଏ ଟ୍ରକ ଓ ଗୋଟିଏ ବୋଲେରୋ ସହ ୮ ଟି ମୋବାଇଲ ଜବତ ହୋଇଛି । ଅବକାରୀ କର୍ମଚାରୀଙ୍କ ବିଭାଗୀୟ ପରିଚୟ ପତ୍ର ସହ ୪ଟି ATM କାର୍ଡ ଏବଂ ୧୩ ହଜାର ୩୩୫ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । କୋରାପୁଟରୁ ଗଞ୍ଜେଇ ଆନ୍ଧ୍ର ଚାଲାଣ କରୁଥିବା ବେଳେ ଜୋଡିମାଦିଲି ଠାରେ ଧରିଛି ପଟାଙ୍ଗି ପୋଲିସ ।

ଭିସୁଟର ପାଇଁ 2 ହଜାର କୋଟି ଅନୁଦାନ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ବା ଭିସୁଟର ରୂପାନ୍ତରଣ ପାଇଁ 2 ହଜାର କୋଟି ଟଙ୍କା ଅନୁଦାନ ଏବଂ 100 ଏକର ଜମି ଘୋଷଣାକୁ ସ୍ୱାଗତ କରିଛି ଭିସୁଟ ଆଲୁମିନି ଆସୋସିଏସନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କର୍ମକର୍ତ୍ତା । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସାମ୍ବାଦିକ ସମିଳନୀରେ VSSUTର କୁଳପତି ପ୍ରଫେସର ବି. ମାଝୀ, ପୂର୍ବତନ କୁଳପତି ପ୍ରଫେସର ଦେବ କୁମାର ତ୍ରିପାଠୀ, ପୁରାତନ ଛାତ୍ରୀ ରେଣୁବାଳା ମହାନ୍ତି, ବ୍ରହ୍ମାନନ୍ଦ ମିଶ୍ର, ଆଶେଷ ପାଢ଼ୀ ପ୍ରମୁଖ ଆଲୁମିନି ଉପସ୍ଥିତ ଥିଲେ । 1956 ମସିହାରେ ଏକାଡେମିକ୍ ବିଲ୍ଡିଂ ଏବଂ ଚାରିଟି ହଷ୍ଟେଲ ସହିତ ହୀରାକୁଦ୍ ଡ୍ୟାମ୍ ପ୍ରୋଜେକ୍ଟ ଜମି ଉପରେ ପ୍ରତିଷ୍ଠା ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦେକ୍ଷ ପାଇଁ ଭିସୁଟ୍ ନୂତନ ରୂପ ନେବା ସହ ବିଶ୍ଵସ୍ତରୀୟ ହୋଇପାରିବ ବୋଲି ଆଲୁମିନି ଆସୋସିଏସନ ପକ୍ଷରୁ କୁହାଯାଇଛି ।.

ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର: SDPOଙ୍କୁ ବଦଳି

ବଲାଙ୍ଗୀର: କଣ୍ଟାବାଞ୍ଜି ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର ଘଟଣା  । ତଦନ୍ତ ପରେ କଣ୍ଟାବାଞ୍ଜି SDPO ହୃଷୀକେଶ ମେହେରଙ୍କ ଉପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ  । କଣ୍ଟାବାଞ୍ଜି SDPOରୁ ହଟିଲେ ହୃଷୀକେଶ  । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ  ।

ସେପଟେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆହୁରୀ ବାକି ରହିଛି  ।  ଘଟଣାରେ ଯାହାର ବି ସମ୍ପୃକ୍ତି ବାହାରିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି  ।

ନୂଆ ଜର୍ସି ପିନ୍ଧି T20 ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ନୂଆ ଲୁକରେ ଟିମ୍ ଇଣ୍ଡିଆ ।  ଟି୨୦ ବିଶ୍ବକପ ପାଇଁ  ଟିମ ଇଣ୍ଡିଆ ନୂତନ ଜର୍ସି ରିଲିଜ୍ ହୋଇଛି  । କ୍ରିକେଟର ମାନେ ଏହି ନୂତନ ଜର୍ସିକୁ ପରିଧାନ କରିବା ସହ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିଛନ୍ତି  । ଭାରତୀୟ କ୍ରିକେଟ ଟିମ୍ ମଧ୍ୟ ନିଜ ପେଜରେ ଏହି ଫୋଟକୁ ପୋଷ୍ଟ କରିଛନ୍ତି  । ନୂତନ ଜର୍ସି ନୀଳ ରଙ୍ଗର ରହିଥିବାବେଳେ ନୂତନ ଡିଜାଇନ୍ ମଧ୍ୟ କରାଯାଇଛି ।

ଆସନ୍ତା ଅକ୍ଟୋବର ୧୬ ରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବକୁ ଥିବା ଟି-୨୦ ବିଶ୍ବକପ ପାଇଁ ଫ୍ୟାନ୍ସମାନଙ୍କଠାରେ ଦେଖିବାକୁ ମିଳିଛି ଉତ୍ସାହ ଅଷ୍ଟ୍ରେଲିଆରେ । ବିସିସିଆଇ ୧୫ ଜଣିଆ ଟି-୨୦ ସ୍କ୍ବାଡ ଘୋଷଣା କରିସାରିଛି । ସବୁଥର ପରି ଏଥର ମଧ୍ୟ ମ୍ୟାନ ଇନ ବ୍ଲୁ ଟି-୨୦ ବିଶ୍ବକପରେ ପିନ୍ଧିରେ ନୂଆ ଜର୍ସି । ଟି-୨୦ ବିଶ୍ବକପର ଜର୍ସି ପାଇଁ ଭାରତର କିଟ ପାର୍ଟନର MPL ସ୍ପୋର୍ଟସ ନୂଆ ଜର୍ସି ଲଞ୍ଚ କରିବା ନେଇ ପୂର୍ବରୁ ଘୋଷଣା କରିଥିଲା । ଟିମ ଇଣ୍ଡିଆର ନୂଆ ଜର୍ସି ଆଜି ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି ।

ନୂଆ ଜର୍ସି ସ୍କାଏ ବ୍ଲୁ ମିଶ୍ରିତ ରଙ୍ଗରେ ଡିଜାଇନ କରାଯାଇଛି । ଜର୍ସିର ବାମ ପଟେ ବିସିସିଆଇ ଲୋଗୋ ରହିଥିବାବେଳେ ଡାହାଣ ପଟେ MPL ସ୍ପୋର୍ଟସର ଲୋଗୋ ରହିଛି । ନୂଆ ଜର୍ସି ଲଞ୍ଚ ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟର ଶ୍ରେୟାସ ଆୟାର ପ୍ରଶଂସକଙ୍କୁ ଟିମ ଇଣ୍ଡିଆର ନୂଆ ଜର୍ସିରେ ଭାଗ ନେବାକୁ କହିଥିଲେ । ତେବେ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ ନେଇ ସୋସିଆଲ ମିଡିଆରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।