ନନ୍ଦିଘୋଷ ବ୍ୟୁରୋ: ୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି । ଗତକାଲି ବାତିଲ ପୋଲିସ ସବ ଇନିସପେକ୍ଟର ପରୀକ୍ଷାରେ କୋଟି କୋଟିର ଡିଲ ହୋଇଛି । କଥାକୁ ଚାପି ଦେବାକୁ ବସିଥିବାବେଳେ ସାମ୍ନାକୁ ଆସିଯିବାରୁ ସରକାର ଗୁଣିଆ ହୋଇ ଡାଆଣୀ ଛଡାଇବା କାମ କରୁଛନ୍ତି । ଏହି ଆନ୍ତଃରାଜ୍ୟ ରାକେଟରେ ବହୁ ବଡ଼ ପଣ୍ଡା ସାମିଲ ଅଛନ୍ତି । ସେମାନଙ୍କୁ ଘୋଡାଇବା ପାଇଁ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ସରକାର ଏଥିରେ ସାମିଲ ଥାଇ କିପରି କ୍ରାଇମବ୍ରାଞ୍ଚ ତଦନ୍ତରୁ ଫଳ ବାହାରିବ ବୋଲି ପ୍ରଶ୍ନ କରିଛି ବିଜୁ ଯୁବ ଜନତା ଦଳ । ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଏହାର ପ୍ରତିବାଦ କରି ସିବିଆଇ ତଦନ୍ତ ଦାବି କରିଛନ୍ତି । ଯେ ପର୍ଯ୍ୟନ୍ତ ଏଥିରେ ସାମିଲ ବଡ଼ ପଣ୍ଡା ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନହେଲା ପର୍ଯ୍ୟନ୍ତ ବିଜେଡି ଚୁପ ବସିବନି । ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ପୂଜା ପରେ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ପ୍ରତିବାଦ ଓ ଆନ୍ଦୋଳନ କରିବ ବୋଲି ଚିନ୍ମୟ ଚେତାବନୀ ଦେଇଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ନୂଆ ସ୍ଲୋଗାନ ଆସିଛି ଟଙ୍କା ଦିଅ ଚାକିରି ନିଅ । ଟଙ୍କା ନେଇ ବିଜେପି ନେତା ଚାକିରି ବିକୁଛନ୍ତି । ଏହାଦ୍ବାରା ମେଧାବୀଙ୍କ ମାନସିକ ସ୍ଥିତି କଣ ଥିବ ବୋଲି ସେ ପ୍ରଶ୍ନ କରିଛନ୍ତି । କିପରି ଏକ କଳା ତାଲିକା ଭୁକ୍ତ ସଂସ୍ଥାକୁ ନିଯୁକ୍ତି ଲାଗି ଆଉଟସୋର୍ସିଂ କଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ଏସଆଇ ପରୀକ୍ଷାରେ ଜାଲିଆତି ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ନନ୍ଦିଘୋଷ ବ୍ୟୁରୋ: ଏସଆଇ ପରୀକ୍ଷାରେ ଜାଲିଆତି ମାମଲାରେ ତନାଘନା। ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ୧୧୭ ଜଣଙ୍କୁ ଗିରଫ କରାଯାଇଛି ବ୍ରହ୍ମପୁର ପୋଲିସ। ଗିରଫଙ୍କ ମଧ୍ୟରେ ୧୧୪ ଜଣ ପରୀକ୍ଷାର୍ଥୀ ଥିବା ବେଳେ, ୩ ଜଣ ଦଲାଲ ଅଛନ୍ତି। କୋଟି କୋଟି ଟଙ୍କାର ହୋଇଥିଲା ଡିଲ। ଆହୁରି ଅନେକ ଦଲାଲଙ୍କ ସମ୍ପୃକ୍ତି ଜଣାପଡ଼ିଛି। ପ୍ରତି ପ୍ରାର୍ଥୀଙ୍କ ଠାରୁ ୨୦ ରୁ ୨୫ ଲକ୍ଷ ଟଙ୍କାର ଡିଲ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ, ୧୧୪ ଜଣ ପ୍ରାର୍ଥୀ ବରମୁଣ୍ଡାରୁ ୩ଟି ବସରେ ଚଢ଼ିଥିଲେ। ୩ ଜଣ ଦଲାଲଙ୍କ ଦ୍ବାରା ବିଜୟନଗରମର ଏକ ଅଜ୍ଞାତ ସ୍ଥାନକୁ ଯାତ୍ରା କରୁଥିଲେ। ଗିରଫ ୩ ଜଣ ଦଲାଣ ଅନ୍ୟ ଏଜେଣ୍ଟଙ୍କ ପାଇଁ କାମ କରୁଥିଲେ। ସମସ୍ତେ ସବ ଇନ୍ସପେକ୍ଟର ପରୀକ୍ଷାକୁ ଭଣ୍ଡୁର କରିବା ପାଇଁ ସଙ୍ଗଠିତ ଅପରାଧରେ ଲିପ୍ତ ଅଛନ୍ତି। ଗତକାଲି ବ୍ରହ୍ମପୁର ପୋଲିସ ଶତାଧିକ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଥିଲା।
ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ସମସ୍ତଙ୍କୁ ଧରିଥିଲା ପୋଲିସ। ବିଜୟନଗରମରେ ଗୋପନୀୟ ପ୍ରଶ୍ନପତ୍ର ପାଇବା ଏବଂ ତା’ପରେ ଭୁବନେଶ୍ୱର ଫେରି ପରୀକ୍ଷା ଦେବା ସେମାନଙ୍କର ଯୋଜନା ଥିଲା। ଏଥିପାଇଁ ପ୍ରାର୍ଥୀଙ୍କ ପିଛା ୨୫ ଲକ୍ଷ ଟଙ୍କାର ଡିଲ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେବା ପରେ ୧୫ ଲକ୍ଷ ଦେବାକୁ ରାଜି ହୋଇଥିଲେ। ଏହି ରାକେଯରେ ଆହୁରି ଅନେକ ଦଲାଲ ସାମିଲ ଥିବା ତଦନ୍ତରୁ ଜଣାପଡିଛି। ଘଟଣାରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି। ବିଏନଏସର ଧାରା ୩୧୯(୨), ୩୧୮(୪), ୩୩୮, ୩୩୬(୩), ୩୪୦(୨), ୧୧୧, ୬୧(୨), ୩(୫), ୧୧(୧) ଓ ୧୨(୧) ଧାରାରେ ମାମଲା ରୁଜୁ ହୋଇଛି। ସମସ୍ତ ୧୧୭ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ। ଜାଲିଆତି ଖବର ଜଣାପଡ଼ିବା ପରେ ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ।
ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ ଥମୁନି ଆନ୍ଦୋଳନ ; ବିଭିନ୍ନ ଦାବିରେ ଜାରି ରହିଛି ପ୍ରତିବାଦ
ନନ୍ଦିଘୋଷ ବ୍ୟୁରୋ: ନିର୍ବାସିତ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ବା ପିଓଜେକେର ନେତା ତଥା ୟୁନାଇଟେଡ କାଶ୍ମୀର ପିପୁଲ୍ସ ନ୍ୟାସନାଲ ପାର୍ଟି ନେତା ସୌକତ ଅଲ୍ଲୀ କାଶ୍ମୀରୀଙ୍କ ବଡ଼ ବୟାନ। ଜଏଣ୍ଟ ଆୱାମି ଆକ୍ସନ କମିଟି ବ୍ୟାନରରେ ଗତ ୨ବର୍ଷ ଧରି ଆନ୍ଦୋଳନ ଚାଲିଛି ଏବଂ ଏହି ଆନ୍ଦୋଳନ ହେଉଛି ତାଙ୍କର ମୌଳିକ ଅଧିକାର। ପାକ୍ ଅଧିକୃତ କାଶ୍ମୀରର ଲୋକଙ୍କୁ ବିଭିନ୍ନ ଅଧିକାରରୁ ଗତ ୭୭ ବର୍ଷ ଧରି ବଞ୍ଚିତ କରାଯାଇଛି । ଲୋକଙ୍କ ଦାବିକୁ ରାଜନୈତିକ ଦଳଗୁଡିକ ନିଜ ନିଜ ସ୍ତରରେ ଉତଥାପନ କରିଆସୁଛନ୍ତି। ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଲୋକ ଏକ ଜଏଣ୍ଟ ଆକ୍ସନ କମିଟି ଗଠନ କରିଛନ୍ତି। ସେମାନେ ଏହି ଆନ୍ଦୋଳନକୁ ଦୀର୍ଘଦିନ ଚଳାଇ ଆସିଛନ୍ତି। ସ୍ଥାନୀୟ ଅଧିବାସୀ ବିଦ୍ୟୁତ ଅଭାବର ଶିକାର ହେଉଥିବାବେଳେ ବେକାରୀ ବଢିଛି। ସେଠାରେ ଚାଲିଥିବା ପପେଟ ସରକାର ଲୋକଙ୍କ ଦାବି ପୂରଣ କରିବାକୁ ଅକ୍ଷମ। ଯଦି ଏହି ସମସ୍ତ ଦାବି ପୂରଣ ନହୁଏ ତେବେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ ଲକଡାଉନ କରାଯିବ ଏବଂ ପାକିସ୍ତାନରୁ ସେଠାକୁ ଯାଇଥିବା ସମସ୍ତ ପ୍ରବେଶ ପଥକୁ ବନ୍ଦ କରିଦିଆଯିବ ବୋଲି ସେ କହିଛନ୍ତି।
ଯଦି ପିଓକେରେ ଲକଡାଉନ ହୁଏ ତେବେ ଲକ୍ଷ ଲକ୍ଷ ଶିଶୁ, ମହିଳା ଓ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ସମସ୍ତ ରାଜନୈତିକ, ସାମାଜିକ ଓ ମୌଳିକ ଅଧିକାର ସଂକ୍ରାନ୍ତ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି।
ରେପୋ ରେଟ ୫.୫ ପ୍ରତିଶତ ଅପରିବର୍ତ୍ତିତ ରଖିଲା RBI
ନନ୍ଦିଘୋଷ ବ୍ୟୁରୋ: ରେପୋ ରେଟ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋରେଟ ରହିଛି ୫.୫ ପ୍ରତିଶତ। ମନିଟାରୀ ପଲିସି କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। ସେହିପରି ଷ୍ଟାଣ୍ଡିଂ ଫାସିଲିଟି ଡିପୋଜିଟ ବା ଏସଡିଏଫ ରେଟ ରହିଛି ୫.୨୫ପ୍ରତିଶତ। ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫ ରେଟ ଓ ବ୍ୟାଙ୍କ ରେଟ୍ ୫.୭୪ ପ୍ରତିଶତ ରଖାଯାଇଛି। ସେ କହିଛନ୍ତି ଦେଶରେ ମୁଦ୍ରାସ୍ଫୀତି ଗତ କିଛି ମାସ ଭିତରେ ଆଶାତୀତ ଭାବେ ତଳକୁ ଖସିଛି। ଜୁନରେ ମୁଦ୍ରାସ୍ଫୀତି ହାର ୩.୭ ପ୍ରତିଶତ ଥିବାବେଳେ ବର୍ତ୍ତମାନ ତାହା ୨.୬ ପ୍ରତିଶତକୁ ହ୍ରାସ ପାଇଛି। ଅଗଷ୍ଟରେ ଏହି ହାର ଥିଲା ୩.୧ ପ୍ରତିଶତ। ଖାଦ୍ୟ ପଦାର୍ଥର ଦର କମିବା ଓ ଜିଏସଟି ହ୍ରାସ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।
ଆମେରିକାରେ ଅଭୂତପୂର୍ବ ସଙ୍କଟ ; ଅନ୍ତରୀଣ ପାଣ୍ଠି ଯୋଗାଣ ବିଲ ହୋଇପାରିଲାନି ଅନୁମୋଦିତ
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ଅଭୂତପୂର୍ବ ସଙ୍କଟ । ଷ୍ଟପଗ୍ୟାପ ଫଣ୍ଡିଂ ବିଲ୍ ବା ଅନ୍ତରୀଣ ପାଣ୍ଠି ଯୋଗାଣ ବିଲକୁ ଅନୁମୋଦନ କରିବାରେ ସିନେଟ ବିଫଳ ହେବା ପରେ ଏହାକୁ ନେଇ ସରକାର ପରିଚାଳନାରେ ଘନସଙ୍କଟ ଦେଖାଦେଇଛି । ଏପରିକି ସରକାରୀ କର୍ମଚାରୀଙ୍କୁ ଛଟେଇ କରିବାକୁ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଧମକ ଦେବା ପରେ ସ୍ଥିତି ଅଧିକ ଜଟିଳ ହୋଇଛି । ସିନେଟରେ ଅନୁଷ୍ଠିତ ଭୋଟରେ ବିଲ କାଟ ଖାଇବା ପରେ ଏହି ସଙ୍କଟ ସୃଷ୍ଟି ହୋଇଛି । ଏପରିକି ଅଣଜରୁରୀ ସେବାକୁ ବାତିଲ କରିବା ଲାଗି ବିଭିନ୍ନ ସଂସ୍ଥା ପଦକ୍ଷେପ ନେବା ଆରମ୍ଭ କରିଥିବା ସୂଚନା ମିଳିଛି । ଫଳରେ ବିମାନଯାତ୍ରା, ଅର୍ଥନୈତିକ ରିପୋର୍ଟ, ଗବେଷଣା, କ୍ଷୁଦ୍ର ବ୍ୟାବସାୟିକ ଋଣ କାର୍ଯ୍ୟାଳୟ ଉପରେ ଏହାର ତୁରନ୍ତ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଡେମୋକ୍ରାଟ ଓ ରିପବ୍ଲିକାନ ସାଂସଦଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲେ ବି ଫଳ ମିଳିନାହିଁ । ମଙ୍ଗଳବାର ହିଁ ରାଜସ୍ବ ବର୍ଷର ଶେଷ ଦିନ ହୋଇଥିବାରୁ ସେହିଦିନ ଅନ୍ତରୀଣ ଆର୍ଥିକ ବିଲ୍ ପାସ୍ ହେବାର ଆବଶ୍ୟକତା ଥିଲା । ବିଲକୁ ପାସ୍ କରିବା ଲାଗି ସୋମବାର ରାଷ୍ଟ୍ରପତି ଟ୍ରମ୍ପ ବୈଠକ କରିଥିଲେ ହେଁ ତାହା ନିଷ୍ଫଳ ହୋଇଛି ।
ଏହି ପ୍ରସଙ୍ଗରେ ତାତିଥିବା ଟ୍ରମ୍ପ କହିଛନ୍ତି- ସିନେଟର ଏହି ପଦକ୍ଷେପ ଯୋଗୁ ଅନେକ କର୍ମଚାରୀ ଛଟେଇ ହେବେ ଏବଂ ବହୁଳ ଲୋକ ପ୍ରଭାବିତ ହେବେ । ଚଳିତ ବର୍ଷ ପ୍ରଥମ ଭାଗରେ ଏଲନ ମସ୍କ ନେତୃତ୍ବରେ ଗଠିତ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ଜରିଆରେ ବହୁ କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ଏବେ ଟ୍ରମ୍ପଙ୍କ ଘୋଷଣା ଅନେକ ଆଶଙ୍କା ସୃଷ୍ଟି କରିଛି । ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ସରକାରୀ ପାଣ୍ଠି ଯୋଗାଣ ବିଲ୍ ସକାଶେ ୬୦ ଭୋଟ ଦରକାର । ସିନେଟରେ ରିପବ୍ଲିକାନଙ୍କ ସଂଖ୍ୟା ୫୩ ଥିବାବେଳେ ଡେମୋକ୍ରାଟଙ୍କ ସଂଖ୍ୟା ୪୫ ରହିଛି । ବିଲ୍ ଲାଗି ଅନୁଷ୍ଠିତ ଭୋଟରେ ବିଲ୍ ସପକ୍ଷରେ ୫୫ ଭୋଟ ମିଳିଥିବାବେଳେ ବିପକ୍ଷରେ ମିଳିଥିଲା ୪୫ । ବିଲ୍ ପାସ୍ ହୋଇ ନପାରିବା ଯୋଗୁ ହଜାର ହଜାର କର୍ମଚାରୀ ବିନା ଦରମାରେ କାମ କରିବେ । ଗତ ୨୦୧୮ ଡିସେମ୍ବରରେ ବି ଟ୍ରମ୍ପଙ୍କ ଶାସନ କାଳରେ ଏହି ଧରଣର ସଙ୍କଟ ଉପୁଜିଥିଲା ଯାହା ୩୫ ଦିନ ଯାଏ ଲାଗି ରହିଥିଲା । ।ଆମେରିକାରେ ୧୯୮୧ ପରଠାରୁ ବର୍ତ୍ତମାନ ସୁଦ୍ଧା ୧୫ଥର ଏହି ଧରଣର ସମସ୍ୟା ସୃଷ୍ଟି ହୋଇଛି
ଫିଲିଫାଇନ୍ସରେ ପ୍ରକୃତି ଦେଖାଇଲା କରାଳ ରୂପ ; ୬୦ ମୃତ
ନନ୍ଦିଘୋଷ ବ୍ୟୁରୋ: ଫିଲିଫାଇନ୍ସରେ ପ୍ରକୃତି ଦେଖାଇଲା କରାଳ ରୂପ । ସୁପର ଟାଇଫୁନ ରାଗାସାର ତାଣ୍ଡବ ପରେ ଏବେ ଭୟଙ୍କର ଭୂକମ୍ପରେ ଥରିଛି ଫିଲିଫାଇନ୍ସ । ଭୂକମ୍ପରେ ୬୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୬.୯ ଭୂକମ୍ପର କେନ୍ଦ୍ରସ୍ଥଳ ସେବୁ ଅଞ୍ଚଳ ବୋଲି ଜଣାପଡିଛି। ବୋଗୋ ଅଞ୍ଚଳରେ ବହୁ ବଡ ବଡ କୋଠା ଓ ରାସ୍ତାଘାଟ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି । କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଯାଇଛନ୍ତି ।
ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ । ଭଙ୍ଗା ଘରଦ୍ବାର ତଳେ ଫସିଥିବା ଲୋକଙ୍କୁ ଖୋଜାଖୋଜି କରି ଉଦ୍ଧାର କରୁଛି ଉଦ୍ଧାରକାରୀ ଦଳ ।
ଏସଆଇ ପରୀକ୍ଷାରେ ଜାଲିଆତି ମାମଲାରେ ତନାଘନା ; ୧୧୯ ଜଣ ଗିରଫ
ବ୍ରହ୍ମପୁର : ଏସଆଇ ପରୀକ୍ଷାରେ ଜାଲିଆତି ମାମଲାରେ ତନାଘନା। ୧୧୯ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ଗିରଫଙ୍କ ମଧ୍ୟରେ ୧୧୭ ଜଣ ପରୀକ୍ଷାର୍ଥୀ ଥିବା ବେଳେ, ୨ଜଣ ଦଲାଲ ଅଛନ୍ତି । କୋଟି କୋଟି ଟଙ୍କାର ହୋଇଥିଲା ଡିଲ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇପାରେ । ଗତକାଲି ବ୍ରହ୍ମପୁର ପୋଲିସ ଶତାଧିକ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଥିଲା । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ସମସ୍ତଙ୍କୁ ଧରିଥିଲା ପୋଲିସ। ଏସଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡ଼ିଥିଲେ । ଓଡ଼ିଶା ପୋଲିସର ସବ୍ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ। ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ପାଇଥିଲା ବ୍ରହ୍ମପୁର ପୋଲିସ।
ଶ୍ରୀକାକୁଲମରୁ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପଚରାଉଚରା କରିଥିଲା ପୋଲିସ। ଏହି ଖବର ଜଣାପଡ଼ିବା ପରେ ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଛାନବିନ ଜାରି ରହିଛି। ଅନ୍ୟ ପରୀକ୍ଷାର୍ଥୀମାନଙ୍କ ଲାଗି ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍ପ ଲାଇନ ନମ୍ବର ହେଲା ୯୦୪୦୪୯ ୩୨୨୩। ଯାହା ଅଭିଯୋଗ ରହିଛି ସେମାନେ ଏହି ନମ୍ବରରେ ଜଣାଇ ପାରିବେ। ଜାଲିଆତି ଖବର ଜଣାପଡ଼ିବା ପରେ ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ।
ଆଜି ମହାମାୟାଙ୍କ ମହାନବମୀ ; ମନ୍ତ୍ରପାଠରେ ପ୍ରକମ୍ପିତ ମଣ୍ଡପ ଓ ପୀଠ
ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ମହାମାୟାଙ୍କ ମହାନବମୀ। ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ । ହୋମ ଯଜ୍ଞ ଓ ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ପୀଠ । ଗତକାଲି ସଂଧ୍ୟାରେ କଖାରୁ ବଳି ଦିଆଯାଇଥିଲା । ପ୍ରମୁଖ ଶକ୍ତିପୀଠଗୁଡ଼ିରେ ମାଆ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସେପଟେ ମାଆଙ୍କୁ ଦର୍ଶନ କରିବାକୁ ସବୁ ମଣ୍ଡପରେ ଭିଡ଼ ଲାଗିଛି । ରାତିରେ ବି ପ୍ରବଳ ଗହଳି
ସଂଧ୍ୟାରେ ଭିଡ଼ ହେବ ବୋଲି ଭୁବନେେଶ୍ଵର କଟକରେ ଲୋକେ ରାତିରେ ଦର୍ଶନ କରିବାକୁ ଯାଉଛନ୍ତି। ତେଣୁ ରାତିରେ ହିଁ ବହୁତ ଭିଡ଼ ହେଉଛି। ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ତଥା ଟ୍ରାଫିକ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ନୂଆପଡା ବାଜି ପୁଣି ଜିତିବ ବିଜେଡି: ୨୦୧୯ ଓ ୨୦୨୪ର ଫଳାଫଳକୁ ନେଇ ଚିନ୍ତାରେ ବିଜେପି
ନୂଆପଡା ବାଜି ପୁଣି ଜିତିବ ବିଜେଡି । ତାରିଖ ଘୋଷଣା ପୂର୍ବରୁ ପ୍ରମିଳାଙ୍କ ଆକଳନ । ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ ତୟାର । ସବୁ ଦଳର ପ୍ରାର୍ଥୀ ଚୂଡାନ୍ତ, ଘୋଷଣା ବାକି । ନୂଆପଡା ବାଜିର କିଏ ହେବ ବାଜିଗର? ପୁଣି ନୂଆପଡାରେ ବିଜୟ ବାନା ଉଡାଇବ କି ବିଜେଡି ? ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ ନୂଆପଡାବାସୀ ବିଜେଡି ପ୍ରାର୍ଥୀଙ୍କୁ ପିନ୍ଧାଇବେ ବିଜୟ ଟୀକା । ଉପନିର୍ବାଚନ ଯେତେବେଳେ ବି ହେବ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଦଳ କହିଛି। ୨୦୨୪ ନିର୍ବାଚନ ପରେ ନୂଆପଡାରେ ପ୍ରଥମ ଉପନିର୍ବାଚନ ହେଉଥିବାରୁ ଦଳ ଏହାକୁ ଗୁରୁତ୍ଵ ଦେଇ ରଣନୀତି ପ୍ରସ୍ତୁତ କରିଛି ବୋଲି କହିଛନ୍ତି ପ୍ରମିଳା । ୨୦୨୪ ନିର୍ବାଚନରେ ବିଜେଡି ନୂଆପଡା ଦଖଲ କରିଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଖଣ୍ଡ ଭୋଟ ପାଇଁ ବୃହତ ବିଜୟ ହାସଲ କରିଥିଲେ । ୧୦ ବର୍ଷ ଧରି ଲଗାତର ବିଜେଡି ଏହି ଆସନ ଦଖଲ କରିଛି। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ଦଳ ଓ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ନୂଆପଡାବାସୀଙ୍କ ଭଲ ପାଇବା ଅତୁଟ ରହିବ ବୋଲି ପ୍ରମିଳା କହିଛନ୍ତି । ତେଣୁ ବିଜେଡି ପୁଣି ଏହି ଆସନ ଜିତିବ ବୋଲି ସେ ଆକଳନ କରିଛନ୍ତି । ଅନ୍ୟପଟେ ବିଜେପି ଓ କଂଗ୍ରେସ ମଧ୍ୟ ନୂଆପଡ଼ା ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ନୂଆପଡାରେ ଏଥର ବିଜୟ ହେବ । ପିସିସି ସଭାପତି କହିଛନ୍ତି ୨୦୨୪ରେ କଂଗ୍ରେସ ପ୍ରାର୍ଥୀ ଚୟନରେ ଭୁଲ୍ କରିଥିଲା। ଏଥର ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରାଯିବ ।
ବିଜେଡି ପଲ୍ଲା ଭାରି ଦେଖି ନୂଆପଡା ଉପନିର୍ବାଚନ ପୂର୍ବରୁ ଦୁଇ ଜାତୀୟ ଦଳର ଚିନ୍ତାରେ ପଡିଯାଇଛନ୍ତି । ୨୦୧୯ ଓ ୨୦୨୪ରେ ବିଜେଡି ନୂଆପଡା ଦଖଲ କରିଥିବାରୁ ଦୁଇ ଜାତୀୟ ଦଳଙ୍କ ପାଇଁ ବିଜେଡି ଗଡରେ ଧସେଇ ପଶିବା ସହଜ ନୁହେଁ। ରାଜନୈତିକ ସମୀକ୍ଷକ କେ. ରବିଙ୍କ ଆକଳନ ହେଉଛି ନୂଆପଡା ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ହେବ। କାରଣ ୨୦୨୪ ନିର୍ବାଚନରେ ବିଜେପି ଏଠାରେ ତୃତୀୟ ସ୍ଥାନରେ ରହିଥିଲା । ବିଜେଡି କହିଛି, ନୂଆପଡା ବିଜେଡିର ଥିଲା ଓ ରହିବ । ଚର୍ଚ୍ଚା ହେଉଛି ବିହାର ବିଧାନସଭା ନିର୍ବାଚନ ସହ ନୂଆପଡା ଉପନିର୍ବାଚନ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଲାଣି । ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ନୂଆପଡା ଆସନରୁ ଚାରିଥର ବିଧାୟକ ହୋଇଥିବାବେଳେ ତିନି ଥର ବିଜେଡି ଟିକେଟରୁ ବିଜୟ ହୋଇ ଅଚଂଳବାସୀଙ୍କ ସୁଖ ଓ ଦୁଃଖର ସାଥୀ ହୋଇଥିଲେ । ଉପନିର୍ବାଚନରେ ଢୋଲକିଆ ପରିବାରର ଜଣେ ସଦସ୍ୟଙ୍କୁ ବିଜେଡି ମଇଦାନକୁ ଓହ୍ଲାଇବାକୁ ସବୁଜ ସଙ୍କେତ ଦେଇସାରିଛି ।
ଓଡ଼ିଶା ଶ୍ରମିକ ଆଇନରେ ସଂଶୋଧନ ନେଇ ତେଜିଲା ବିରୋଧ
ଓଡ଼ିଶା ସପ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ସଂଶୋଧନକୁ ନେଇ ବିବାଦ ଜୋର। ଶ୍ରମିକ ସଂଗଠନଗୁଡ଼ିକ ସହ ଆଲୋଚନା ନକରି କ୍ୟାବିନେଟ ମୋହର ପରେ ତେଜିଲା ବିବାଦ। ସରକାର ଶ୍ରମିକ ଶୋଷଣର ବାଟ ଫିଟାଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ସଂଶୋଧିତ ନିୟମରେ ଶ୍ରମିକମାନେ ସେମାନଙ୍କ ହକ ନେଇ ସ୍ବର ଉତ୍ତୋଳନ କ୍ଷମତା ହରାଇବେ।ସନ୍ଧ୍ୟା ପରେ ମହିଳାଙ୍କୁ କର୍ମସ୍ଥାନରେ ରଖିବା ଦ୍ଵାରା ସେମାନଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ।ଏଥିରେ ଶ୍ରମିକମାନେ ଅଧିକ କାମ କରିବାକୁ ବାଧ୍ୟ ହେବେ। ହେଲେ ପାରିଶ୍ରମିକ ନବଢିବାର ଆଶଂକା ଦେଖାଦେଇଛି।ଶ୍ରମିକ ଦିନକୁ ୮ ଘଣ୍ଟା କାମ କରିବାର ନିୟମ ରହିଛି। ପୂର୍ବରୁ ଓଭରଟାଇମ ନିୟମ ଥିଲେ ମଧ୍ୟ ଓଭରଟାଇମ ପାଉଣା ଦିଆଯାଉନି। EPF, ESI ନିୟମକୁ ଅଧିକାଂଶ ପାଳନ କରୁନାହାନ୍ତି। କାର୍ଯ୍ୟ ସମୟ ବୃଦ୍ଧି ନେଇ ସରକାରଙ୍କ ନିଷ୍ପତ୍ତି ଦ୍ଵାର ଶ୍ରମିକ ଅଧିକ ସମୟ କାମ କରିବେ କିନ୍ତୁ ପରିଶ୍ରମିକ ପାଇବେ ନାହିଁ। ଶ୍ରମିକଙ୍କୁ ମାଲିକମାନେ ଅଧିକ ଶୋଷଣ କରିବେ ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ଶ୍ରମିକ ସଂଗଠନ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ସରକାରଙ୍କ କର୍ପୋରେଟ ପ୍ରୀତି ପଦାରେ ପଡ଼ିଥିବା କହିଛନ୍ତି ଶ୍ରମିକ ସଂଗଠନ। ପୂଜା ପରେ ବିରାଟ ଶ୍ରମିକ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ।
ସଂଶୋଧିତ ନିୟମ ଦ୍ବାରା ନିଯୁକ୍ତି ବୃଦ୍ଧି ପାଇବ ବୋଲି ଶ୍ରମ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି। ପୂର୍ବରୁ ଅଧିକ କାମର ପାରିଶ୍ରମିକ ମିଳୁ ନଥିଲା। ହେଲେ ଏବେ ମିଳିବ। ସେହିପରି ନାଇଟ ସିଫ୍ଟରେ କାମ କରୁଥିବା ମହିଳାମାନଙ୍କ ତାଲିକା ଓ ସ୍ବୀକୃତିପତ୍ର ଦାଖଲ କରିବେ କର୍ମ ସଂସ୍ଥାନ। ନିୟମ ଖିଲାଫ କଲେ କାର୍ଯ୍ୟାନୁଷ୍ଠାନ ହେବ। ସେପଟେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି ଶିଳ୍ପ ସଂଘ।ରାତିରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କଲେ ସେମାନଙ୍କ ସୁରକ୍ଷା ନେଇ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ଉଦ୍ୟୋଗୀ । କେନ୍ଦ୍ରରେ ୪ଟି ଶ୍ରମ ସଂହିତା ଆଣିଥିଲେ। କରୋନା ଭଳି ବିପଦ ସମୟରେ ସଂସଦରେ ଆଲୋଚନା ନକରି ଏହାକୁ ଆଇନର ରୂପ ଦିଆଯାଇଛି। ହେଲେ ଏହାକୁ ନେଇ ଲଗାତର ବିରୋଧ ବିରୋଧ ଫଳରେ ଏପର୍ଯ୍ୟନ୍ତ ସିଧାସଳଖ ଲାଗୁ କରାଯାଇ ପାରିନାହିଁ।

