spot_img
Home Blog Page 3928

ଏବେ ବି ଟଳିନି ବିପଦ; ଘନୀଭୂତ ହୋଇପାରୁନି ବାତ୍ୟା ସି-ତ୍ରଙ୍ଗ

ଭୁବନେଶ୍ୱର : ଘନୀଭୂତ ହୋଇପାରୁନି ବାତ୍ୟା ସି-ତ୍ରଙ୍ଗ । ଓଡିଶାରୁ ଏବେ ବି ଟଳିନି ବାତ୍ୟା ବିପଦ । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଧିମେଇ ଯାଇଛି । ଏବେବି ଆଣ୍ଡାମାନ ସାଗରରେ ସ୍ଥିର ରହିଛି ଲଘୁଚାପ । ଏନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ଉକ୍ତ ଲଘୁଚାପ ଘନୀଭୂତ ହୋଇପାରୁନାହିଁ ।

ଆସନ୍ତକାଲି ସୁଦ୍ଧା ଦୁଇ ଲଘୁଚାପ ମିଶି ଗୋଟିଏରେ ପରିଣତ ହେବ । ଏହା କ୍ରମେ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୨ ତାରିଖରେ ଏହା ଅବପାତ ଓ ୨୩ରେ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ଭଦ୍ରକ ଉପକୂଳବର୍ତ୍ତୀ ଅଞ୍ଚଳରେ ରିକର୍ଭ କରିବ ବାତ୍ୟା ।

ଓଡିଶା ଉପକୂଳରୁ ଉତ୍ତର ଆଡ଼କୁ ରିକର୍ଭ କରିବ ବାତ୍ୟା । ଏହା ସ୍ଥଳଭାଗ ଠାରୁ ପ୍ରାୟ ୫୦ ରୁ ୭୦ କିମି ଦୂରରେ ରିକର୍ଭ କରିବାର ସମ୍ଭାବନା ରହୁଛି ବୋଲି କହିଛନ୍ତି ଶରତ ସାହୁ । ଏହା ଫଳରେ ଉତ୍ତର ଓଡିଶା ତଟବର୍ତୀ ଅଞ୍ଚଳରେ ପଡିବ ପ୍ରଭାବ । ଘଣ୍ଟାପ୍ରତି ୮୦ ରୁ ୧୦୦ କିମି ବେଗରେ ବହିବ ପବନ ।

୨୩ରାତିରୁ ଉପକୂଳ ଓଡିଶାରେ ଆରମ୍ଭ ହେବ ବର୍ଷା । ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଠାରୁ ୧୫ କିଲୋମିଟର ମଧ୍ୟରେ ଜନବସତି ଙ୍କୁ ସୁରକ୍ଷିତ ସ୍ଥାନକୁ ନେବାପାଇଁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ସ୍ବାଭାବିକ ଠାରୁ ଦୁଇଗୁଣ ଉଚ୍ଚର ଆସିବ ଜୁଆର ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଟି-୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଆୟରଲ୍ୟାଣ୍ଡ

ହୋବାର୍ଟ: ଟି-୨୦ ବିଶ୍ୱକପ୍ ୨୦୨୨ରେ ଶୁକ୍ରବାର ବଡ଼ ଓଲଟ ପାଲଟ ଦେଖିବାକୁ ମିଳିଛି । ୨ଥରର ବିଶ୍ୱ ବିଜେତା ୱେଷ୍ଟ ଇଣ୍ଡିଜ କ୍ୱାଲିଫାଇଙ୍ଗ ରାଉଣ୍ଡରେ ହିଁ ଟୁର୍ଣ୍ଣାମେଣ୍ଟରୁ ବାହର ହୋଇଯାଇଛି । ଆୟରଲ୍ୟାଣ୍ଡ ବିଶ୍ୱବିଜେତା ଟିମକୁ ୯ ୱିକେଟରେ ପରାଜିତ କରି ବାହାରର ରାସ୍ତା ଦେଖାଇଛି । ଏପରି ପ୍ରଥମ ଥର ହୋଇଛି ଯେବେ କୌଣସି ବିଶ୍ୱ ବିଜେତା ଦଳ ମେନ୍ ରାଉଣ୍ଡରେ ପହଞ୍ଚି ପାରିନାହିଁ ।

ୱେଷ୍ଟଇଣ୍ଡିଜ ୨୦୧୨ ଏବଂ ୨୦୧୬ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା । ଚଳିତ ସଂସ୍କରଣର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ସ୍କଟଲ୍ୟାଣ୍ଡଠାରୁ ୪୨ରନରେ ପରାଜିତ ହୋଇଥିଲା । ଏହାପରେ ଜିମ୍ବାୱେକୁ ୩୧ରନ୍ ରେ ହରାଇ ସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରିଥିଲା ୱେଷ୍ଟଇଣ୍ଡିଜ୍ । ଆଜି କର ବା ମର ମ୍ୟାଚ୍ ଥିଲା । ହେଲେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି ।

ଆଇସିସି ରାଙ୍କିଂରେ ଆୟରଲ୍ୟାଣ୍ଡର ଟିମ୍ ୧୨ତମ ସ୍ଥାନରେ ରହିଛି, ୱେଷ୍ଟଇଣ୍ଡିଜ୍ ଟିମ୍ ୭ମ ସ୍ଥାନରେ ରହିଛି । ଆୟରଲ୍ୟାଣ୍ଡର ସ୍ପିନର୍ସ ଭଲ ପ୍ରଦର୍ଶନ କରିଥିଲେ । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ୱିକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା । ଜବାବରେ ଆୟରଲ୍ୟାଣ୍ଡ ନିଜର ଗୋଟିଏ ୱିକେଟ୍ ହରାଇ ୧୭.୩ ଓଭରରେ ୧୫୦ ରନ୍ କରି ବିଜୟୀ ହୋଇଛି । ୱେଷ୍ଟଇଣ୍ଡିଜ ଟିମ୍ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟର ସାମ୍ନା କରିଥିଲା ।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେ ମେୟର୍ସ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ସେହିପରି ଜେ ଚାର୍ଲସ ମଧ୍ୟ ୨୪ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ବ୍ରାଣ୍ଡନ କିଙ୍ଗ ଅବଶ୍ୟ ଆଜି ଭଲ ପ୍ରଦର୍ଶନ କରିଥିଲେ । ୪୮ ବଲ୍ ଖେଳି ୬୨ ରନ୍ କରି ଅପରାଜିତ ରହିଥିଲେ । ଇନିଂସ ଶେଷ ହେବା ବଳକୁ ବ୍ରାଣ୍ଡନ କିଙ୍ଗଙ୍କ ସହ ଓଡିନ ସ୍ମିଥ ୧୯ ରନ୍ କରି ଅପରାଜିତ ରହିଥିଲେ ।

ଆୟରଲ୍ୟାଣ୍ଡ ପକ୍ଷରୁ ଡେଲାନି ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଏମସି କାର୍ତ୍ତି ଏବଂ ସିମି ସିଂ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୪୭ ରନ୍ କୁ ପିଛା କରି ଆୟରଲ୍ୟାଣ୍ଡ ପକ୍ଷରୁ ପଲ ଷ୍ଟିରଲିଙ୍ଗ ଏବଂ ଆଣ୍ଡ୍ରିୟୁ ବାଲବିରିନ ପଡ଼ିଆକୁ ଓହ୍ଲାଇଥିଲେ । ଦଳକୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ ଦେଇଥିଲେ ।

ଆଣ୍ଡ୍ରିଉ ୩୭ ରନ୍ କରି ଅକିଲ ହୁସେନଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ଏହାପରେ ପଲଙ୍କ ସାଥ ଦେଇଥିଲେ ଲୋର୍କାନ ଟକର । ଉଭୟ ମିଶି ଦଳକୁ ବିଜୟୀ କରିଥିଲେ । ପଲ୍ ଷ୍ଟିର୍ଲିଂ ଅପରାଜିତ ୬୬ ରନ୍ ର ଯୋଗଦାନ କରିଥିବା ବେଳେ ଲୋର୍କାନ ଅପରାଜିତ ୪୫ ରନ୍ ଯୋଗଦାନ କରିଥିଲେ ।

ମାଲକାନଗିରି ଓ ଛତିଶଗଡ଼ ସୀମାନ୍ତରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଓ ଛତିଶଗଡ଼ ସୀମାନ୍ତରୁ ବିପୁଳ ବିସ୍ଫୋରକ ଜବତ । ମାଓବାଦୀଙ୍କ ଦ୍ବାରା ଗଚ୍ଛିତ ବିସ୍ଫୋରକ ଜବତ କରିଛି ପୋଲିସ । ମାଥିଲି ବ୍ଲକ ଅଧୀନ ତୁଳସୀ ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ବଡ଼ ସଫଳତା ମିଳିଛି । କତ୍ୱାପଦର୍ ଗ୍ରାମ ନିକଟରେ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ।

ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ବିସ୍ପୋରକ ଖଞ୍ଜା ଯାଇଥିବା ପୋଲିସ ସନ୍ଦେହ କରୁଛି । ଜବତ ସାମଗ୍ରୀ ମଧ୍ୟରେ ୬ଟି ଆଇଇଡି, ବିଦ୍ୟୁତ୍ ତାର ସମେତ ଲାପଟପନ, ୨ଟି ଦେଶୀ ବନ୍ଧୁକ ଓ ଡ୍ରେସ୍ ମଧ୍ୟ ଜବତ ହୋଇଛି । ଆଜି ସକାଳୁ ମାଓ ସାମଗ୍ରୀ ଜବତ ହେବା ପରେ କୁମ୍ବିଂ ଅବରେସନ ଜୋରଦାର କରାଯାଇଛି ।

ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି

ଇଟାନଗର: ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ସକାଳେ ବଡ଼ ଦୁର୍ଘଟଣା ଘଟିଯାଇଛି । ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିମି ଦୂର ମିଙ୍ଗିଙ୍ଗ ଗାଁ ପାଖରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ସୂଚନା ଅନୁସାରେ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ଯାଇଛନ୍ତି । ଦୁର୍ଘଟଣା ହୋଇଥିବା ସ୍ଥାନକୁ ରାସ୍ତା ନଥିବା କାରଣରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବିଳମ୍ବ ହେଉଛି । ହେଲିକପ୍ଟର ଦୁର୍ଘଟଣାର କାରଣ ଅସ୍ପଷ୍ଟ । ସେହିପରି କେତେଜଣ ଏଥିରେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନାନୁସାରେ ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନାର ଆକ୍ରାମକ ହେଲିକପ୍ଟର ହେଉଛି ରୁଦ୍ର । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ଭାରତୀୟ ସେନା ପାଇଁ ଏହାକୁ ବନାଇଛି । ଏହା ହାଲୁକା ଧ୍ରୁବ ହେଲିକପ୍ଟରର ୱିପନ ସିଷ୍ଟମ ଇଣ୍ଟିଗ୍ରେଟେଡ ଏମକେ-ଆଇଭି ସଂସ୍କରଣ ଅଟେ । ଏହା ପୂର୍ବରୁ ୫ ଅକ୍ଟୋବରରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳ ପାଖରେ ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ପାଇଲଟ୍ ପ୍ରାଣ ହରାଇଥିଲେ । ଅନ୍ୟ ଜଣେ ପାଇଲଟ୍ ଆହତ ହୋଇଥିଲେ ।

ପୁଣି ଆସିପାରେ କୋଭିଡ ବିପତ୍ତି, ବିଶ୍ବରେ ମାତିଛି ଓମିକ୍ରନର XBB ଭାରିଆଣ୍ଟ

ନୂଆଦିଲ୍ଲୀ: ପୁଣି ବିଶ୍ବରେ ଦେଖାଦେଇପାରେ କୋଭିଡ ବିପତ୍ତି । ଓମିକ୍ରନର XBB ଭାରିଆଣ୍ଟ ଯୋଗୁ କୋଭିଡ ଲହରୀ ପୁଣି ଜାରି ହେବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟ ସ୍ବାମୀନାଥନ କହିଛନ୍ତି ବିଶ୍ବର ବିଭିନ୍ନ ଦେଶରେ ଏବେ ଓମିକ୍ରନର ଭାରିଆଣ୍ଟ XBB ମାତିଛି ।

ଏହାର ଫଳ ସ୍ବରୂପ ପୁଣି ଥରେ ଏକ ଲହରୀ ସୃଷ୍ଟି ହୋଇପାରେ । ବିକାଶଶୀଳ ରାଷ୍ଟ୍ରର ଟିକା ପ୍ରସ୍ତୁତକାରୀଙ୍କ ନେଟଓ୍ବର୍କ ବା ଡିସିଭିଏମଏନର ବାର୍ଷିକ ଅଧିବେଶନରେ ଯୋଗ ଦେଇ ସ୍ବାମୀନାଥନ କହିଛନ୍ତି- ଓମିକ୍ରନର ବର୍ତ୍ତମାନ ୩୦୦ରୁ ଅଧିକ ସବଭାରିଆଣ୍ଟ ରହିଛନ୍ତି । ସେମାନଙ୍କ ମଧ୍ୟରେ ସବୁଠାରୁ ମାରାତ୍ମକ ଭୂତାଣୁ ହେଉଛି XBB ।

ଏହି ମିଶ୍ରିତ ଭାରିଆଣ୍ଟର ପ୍ରତିରୋଧକ ଶକ୍ତି ଅଧିକ ଏବଂ ଆଣ୍ଟିବଡି ଏହା କ୍ଷେତ୍ରରେ ବିଶେଷ ଶକ୍ତିଶାଳୀ ହୋଇ ନଥାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ BA.5 ଓ BA.1 ଭୂତାଣୁ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଏହି ଦୁଇ ଭାରିଆଣ୍ଟ ମଧ୍ୟ XBB ପରି ବିପଜ୍ଜନକ ବୋଲି ସେ କହିଛନ୍ତି । କୋଭିଡ ଏବେ ବି ଆନ୍ତର୍ଜାତିକ ସ୍ତରରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରି ରଖିଛି ବୋଲି କହିଥିଲେ ସଂଗଠନର ମହାନିର୍ଦ୍ଦେଶକ ।

ଟୁଇଟରର ୭୫ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିପାରନ୍ତି ଏଲନ ମସ୍କ

ନନ୍ଦିଘୋଷ ବ୍ୟୁରୋ: ଏଲନ ମସ୍କଙ୍କ ଟୁଇଟର ଡିଲକୁ ନେଇ ପୁଣି ଚର୍ଚ୍ଚା । ମସ୍କଙ୍କ ଟୁଇଟର ଡିଲ ଯୋଗୁ କର୍ମଚାରୀଙ୍କ ଚାକିରି ପ୍ରତି ବିଦକ ରହିଥିବା କୁହାଯାଉଛି । ନିବେଶକଙ୍କ ସହ ଆଲୋଚନା ବେଳେ ମସ୍କଙ୍କ ଇସାରା ଏବେ ଟ୍ବିଟର ଏମ୍ପଲୋଇଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ମାଇକ୍ରୋ ବ୍ଲଗିଂ ସାଇଟ ପାଇଁ କାର୍ଯ୍ୟ କରୁଥିବା ପ୍ରାୟ ୭୫ ହଜାର କର୍ମଚାରୀଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କୁ ଚାକିରିରୁ ବିଦା କରାଯାଇପାରେ ବୋଲି ଇସାରା ଦେଇଛନ୍ତି ମସ୍କ ।

ଏହି ଯୋଜନା ସମ୍ପର୍କରେ ଜଣାପଡ଼ିବା ପରେ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ଟେନସନ ବଢ଼ିଯାଇଛି । ହେଲେ ଟ୍ବିଟର ଇଙ୍କ୍ ତରଫରୁ ଏହି ରିପୋର୍ଟକୁ ଖଣ୍ଡନ କରାଯାଇଛି । ଏବେ କର୍ମଚାରୀ ଛଟେଇ କରିବାର କୌଣସି ଯୋଜନା ନାହିଁ ବୋଲି ଟୁଇଟର ଇଙ୍କ କହିଛନ୍ତି । କମ୍ପାନୀ ନାଁରେ ଲିକ୍ ହୋଇଥିବା ତଥ୍ୟ ଉପରେ ଧ୍ୟାନ ନଦେବାକୁ ଜେନରାଲ କାଉନସିଲ ମେମ୍ବର ସିନ ଏଗଗେଟ୍ କହିଛନ୍ତି ।

ୱାସିଂଟନ ପୋଷ୍ଟ ତରଫରୁ ଏକ ଇଣ୍ଟରଭ୍ୟୁ ଓ ଡକ୍ୟୁମେଣ୍ଟସ୍ ଆଧାରରେ ଏହି ଛଟେଇ ବାବଦରେ ସୂଚନା ମିଳିଥିଲା । ଓ୍ବାସିଂଟନ ରିପୋର୍ଟ ମୁତାବକ, ଆଆଗାମୀ କିଛି ମାସ ମଧ୍ୟରେ କମ୍ପାନୀ କର୍ମଚାରୀ ଛଟେଇ କରିବ । ମାଲିକ କେହି ବି ହୁଅନ୍ତୁ, କମ୍ପାନୀ ପେ ରୋଲରୁ ପାଖାପାଖି ୮୦ କୋଟି ଡଲାର କମ୍ କରିବ ବୋଲି ଯୋଜନା ରଖିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ।

୨୦୨୧ରେ ଭୀଷଣ ଗରମ ଯୋଗୁଁ ୧୫୯ ବିଲିୟନ ଡଲାର କ୍ଷତି ସହିଛି ଭାରତ: ରିପୋର୍ଟ

ଆସିଲା ଜଳବାୟୁ ପାରଦର୍ଶିତା ରିପୋର୍ଟ । ୨୦୨୧ରେ ଭୀଷଣ ଗରମ ପ୍ରବାହ ଯୋଗୁଁ ୧୫୯ ବିଲିୟନ ଡଲାରର କ୍ଷତି ସହିଛି ଭାରତ । ଆନ୍ତର୍ଜାତୀୟ ସଂଗଠନଗୁଡିକ ଦ୍ବାରା ପ୍ରକାଶିତ ଜଳବାୟୁ ପାରଦର୍ଶିତା ରିପୋର୍ଟରେ ଏହା ଦର୍ଶାଯାଇଛି । ଏପରିକି ଭାରତକୁ ଏଥିପାଇଁ ହରାଇବାକୁ ପଡିଛି ୧୬୭ ବିଲିୟନ ସମ୍ଭାବ୍ୟ କାର୍ଯ୍ୟ ସମୟ ।

ଏକ ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ଗରମ ଯୋଗୁ ସେବା, ଉତ୍ପାଦନ, କୃଷି ଏବଂ ନିର୍ମାଣ କ୍ଷେତ୍ରରେ ଭାରତ ଏହାର ମୋଟ ଘରୋଇ ଉତ୍ପାଦର ୫.୪ ପ୍ରତିଶତ ଅର୍ଥାତ ୧୫୯ ବିଲିୟନ ଡଲାଲର ଆୟ ହରାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ମସିହାରେ ଦେଶରେ ଗରମ ଯୋଗୁ ପ୍ରାୟ ୧୬ ବିଲିୟନ ସମ୍ଭାବ୍ୟ କାର୍ଯ୍ୟ ସମୟ ହରାଇବାକୁ ପଡିଛି ।

ଯଦି ସାରା ବିଶ୍ବରେ ତାପମାତ୍ରାରେ ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ହୁଏ, ତେବେ ଭାରତର ଶ୍ରମ ଉତ୍ପାଦକତା ୧୯୮୬ରୁ ୧୯୯୬ ମଧ୍ୟରେ ୫ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ରିପୋର୍ଟ ଅନୁଯାୟୀ ଯଦି ବିଶ୍ବ ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସ ଏବଂ ୩ ଡିଗ୍ରୀ ସେଲସିୟସ ପରିଧିରେ ୨.୭ ଗୁଣ ବୃଦ୍ଧି ହୁଏ, ତେବେ ଶ୍ରମ ଉତ୍ପାଦନରେ ୨.୧ ଗୁଣରୁ ଅଧିକ ହ୍ରାସ ଘଟିବ ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀକୁ ଉଠାଇନେଲା ପୋଲିସ୍

ଭୁବନେଶ୍ୱର: ଧରାପଡିଲା ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗର ସ୍ବାମୀ । ଅର୍ଚ୍ଚନା ଗିରଫ ପରେ ଫେରାର ଥିବା ସ୍ବାମୀ ଜଗବନ୍ଧୁ ନାଗକୁ ଉଠାଇ ନେଇଛି ପୋଲିସ । ଭୁବନେଶ୍ବର ସତ୍ୟବିହାର ସ୍ଥିତ ଘରୁ ଜଗବନ୍ଧୁକୁ ଉଠାଇ ନେଇଛି ପୋଲିସ । ଆଜି ଭୋର୍‌ ୫ଟାରେ ଜଗବନ୍ଧୁଙ୍କୁ ଉଠାଇ ନେଇଛି କମିସନରେଟ ପୋଲିସର ସ୍ବତନ୍ତ୍ର ଟିମ୍ । ଅଜ୍ଞାତ ସ୍ଥାନରେ ରଖି ଜଗବନ୍ଧୁଙ୍କୁ ପଚରାଉଚରା କରୁଛି ପୋଲିସ ।

କିଛି ଦିନ ତଳେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ହାଜର ହେବାକୁ ନୋଟିସ କରିଥିଲା କମିଶନରେଟ୍ ପୋଲିସ । ନିଜେ ଅସୁସ୍ଥ ଥିବା ଦର୍ଶାଇ ପୋଲିସ ନିକଟରେ ହାଜର ହୋଇନଥିଲା ଜଗବନ୍ଧୁ । ଏହାପରେ କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଆଜି ତାଙ୍କୁ ନିଜ ବାସଭବନରୁ ଉଠାଇ ନେଇଛି । ଅର୍ଚ୍ଚନାଙ୍କ ବ୍ଲାକମେଲ ସିଣ୍ଡିକେଟ୍ ପଛରେ ସ୍ବାମୀ ଜଗବନ୍ଧୁଙ୍କ ପ୍ରଚ୍ଛଦ୍ଦ ହାତ ଥିବା ସୂଚନା ପାଇଥିଲା ପୋଲିସ ।

ଏପରିକି ଭାଇରାଲ ଭିଡିଓକୁ ସୋସିଆଲ ମିଡିଆରେ ଛାଡିବା ପାଇଁ ବଡ଼ ବଡ଼ିଆଙ୍କୁ ବ୍ଲାକମେଲ କରୁଥିଲା ଜଗବନ୍ଧୁ । ଏନେଇ କିଛି ଦିନ ତଳେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପାଲିସ ତଦନ୍ତକୁ ଜୋରଦାର କରିଥିଲା । ଅର୍ଚ୍ଚନାଙ୍କ ଠାରୁ ମିଳିଥିବା କଲ୍ ରେକର୍ଡିଂ, ହାର୍ଡ ଡିସ୍କ, ପେନ୍ ଡ୍ରାଇଭରେ ଜଗବନ୍ଧୁର ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇଥିଲା ପୋଲିସ ।

ପ୍ଲାଜମା ବଦଳରେ ଚଢ଼ାଇଦେଲେ ଜୁସ୍, ରୋଗୀ ମୃତ

ପ୍ରୟାଗରାଜ: ପ୍ରୟାଗରାଜରେ ଡେଙ୍ଗୁ ରୋଗୀକୁ ପ୍ଲେଟଲେଟ୍ସ ସ୍ଥାନରେ ମୋସାମ୍ବି ଜୁସ୍ ଚଢ଼ାଇ ଦେବା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହି ମାମଲା ପ୍ରୟାଗରାଜର ଝଲୱା ଅଞ୍ଚଳରୁ ଅସିଛି । ଡେଙ୍ଗୁରେ ଆକ୍ରାନ୍ତ ପ୍ରଦୀପ କୁମାର ପାଣ୍ଡେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅଭିଯୋଗ ଅନୁଯାୟୀ, ରୋଗୀକୁ ପ୍ଲେଟଲେଟ୍ସ ସ୍ଥାନରେ ମୋସାମ୍ବି ଜୁସ ସାଲାଇନ ଆକାରରେ ଦିଆଯାଇଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ପ୍ରଦୀପ କୁମାର ପାଣ୍ଡେଙ୍କ ଶାଳକ ସୌରଭ ତ୍ରିପାଠୀ କହିଛନ୍ତି, ଯେତବେଳେ ତାଙ୍କ ଭିଣୋଇ ପ୍ରଦୀପ କୁମାର ପାଣ୍ଡେଙ୍କ ପ୍ଲେଟଲେଟ୍ସ ହ୍ରାସ ହେବାକୁ ଲାଗିଥିଲା ଏବଂ ୧୨-୧୩ ହଜାର ପର୍ଯ୍ୟନ୍ତ ପହଞ୍ଚିଯିବା ପରେ ହସ୍ପିଟାଲର ଡାକ୍ତର ତାଙ୍କୁ ୮ ୟୁନିଟ ପ୍ଲେଟଲେଟ୍ସ ଯୋଗାଡ଼ କରିବା ପାଇଁ କହିଥିଲେ ।

ଏହାପରେ ପ୍ରଦୀପ କୁମାର ପାଣ୍ଡେଙ୍କ ପରିବାର ଲୋକେ ୩ ୟୁନିଟ ପ୍ଲେଟଲେଟ୍ ଯୋଗାଡ଼ କରିବାକୁ ସକ୍ଷମ ହୋଇଥିଲେ । ଏହାଦ୍ୱାରା ପ୍ରଦୀପଙ୍କ ସ୍ଥିତିରେ ସାମାନ୍ୟ ସୁଧାର ହୋଇଥିଲା କିନ୍ତୁ ବାକି ୫ ୟୁନିଟ ପ୍ଲେଟଲେଟ୍ସ ମିଳିପାରୁନଥିଲା । ଏହି ସମୟରେ ହସ୍ପିଟାଲ ବିଲ୍ଡିଂର ମାଲିକଙ୍କ ପୁଅ ସତୀଶ ସାହୁ ତାଙ୍କୁ ୫ ୟୁନିଟ ପ୍ଲେଟଲେଟ୍ସର ଯୋଗାଡ଼ କରିବା ବଦଳରେ ୨୫ ହଜାର ଟଙ୍କାର ଦାବି କରିଥିଲେ ।

ପ୍ରଦୀପଙ୍କ ଘର ଲୋକେ ସତୀଶ ଠାରୁ ୨୫ହଜାର ଟଙ୍କାରେ ୫ୟୁନିଟ ପ୍ଲେଟଲେଟ୍ସ କିଣି ନେଇଥିଲେ, କିନ୍ତୁ ଯେତବେଳେ ପ୍ରଦୀପଙ୍କୁ ପ୍ଲେଟଲେଟ୍ସ ଚଢ଼ାଯାଇଥିଲା ସେତେବେଳେ ତାଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିଲା ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ହାତ ଟେକି ଦେଇଥିଲେ । ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ ପ୍ରଦୀପଙ୍କୁ ଅନ୍ୟସ୍ଥାନକୁ ନେବା ପାଇଁ ।

ପ୍ରଦୀପଙ୍କ ଘର ଲୋକେ ୧୮ ଅକ୍ଟୋବରରେ ତାଙ୍କୁ ଅନ୍ୟ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ ହେଲେ ସେପର୍ଯ୍ୟନ୍ତ ସୁଦ୍ଧା ପ୍ରଦୀପଙ୍କ ସ୍ଥିତି ଅଧିକ ବିଗିଡ଼ି ଯାଇଥିଲା । ପ୍ରଦୀପଙ୍କ କିଡନୀ ଡ୍ୟାମେଜ ହୋଇଯାଇଥିଲା । ଏହି ସମୟରେ ଘରଲୋକ ୨୫ ହଜାର ଟଙ୍କାରେ କିଣିଥିବା ୫ ୟୁନିଟ ପ୍ଲେଟଲେଟ୍ସରୁ ବଳିଥିବା ଏକ ୟୁନିଟ ପ୍ଲେଟଲେଟ୍ସ ସେହି ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ଦେଖାଇଥିଲେ ସେମାନେ କହିଥିଲେ ଏଥିରେ ପ୍ଲେଟଲେଟ୍ସ ନାହିଁ, ବରଂ ପ୍ଲେଟଲେଟ୍ସ ସ୍ଥାନରେ ମୋସାମ୍ବି ଜୁସ ଅଛି ଏବଂ କେମିକାଲ ମଧ୍ୟ ମିଶିଛି ।

ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାମଲାକୁ ଗୁରୁତର ସହ ନେଇ ଦୁଇ ଜଣିଆ ଡାକ୍ତରଙ୍କ ଯାଞ୍ଚ ଟିମ୍ ଗଠନ କରିଛନ୍ତି । ସେହି ତଦନ୍ତ ଟିମ୍ ରୋଗୀଙ୍କୁ ମୋସାମ୍ବି ଜୁସ୍ ଏବଂ କେମିକାଲ ଦେଇଥିବା ହସ୍ପିଟାଲର ସଞ୍ଚାଳକଙ୍କ ବୟାନ ରେକର୍ଡ କରିଛି । ଏଥିସହ ଘଟଣାରେ ପରିବାର ଲୋକଙ୍କୁ ପଚରା ଉଚରା କରିଛି ।

୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଆଜି ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀ ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିବେ । ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପର୍ଯ୍ୟାଲୋଚନା ନିମନ୍ତେ ପରିଷଦ ଦ୍ବାରା ପ୍ରସ୍ତୁତ ଏକ ମନିଟରିଂ ଆପ୍ଲିକେସନର ମଧ୍ୟ ଶୁଭାରମ୍ଭ ହେବାକୁ ଯାଉଛି ।

ବରଗଡ଼ ଜିଲ୍ଲାର ପଦ୍ମପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଏକ କଲ୍ୟାଣ ମଣ୍ଡପ ଓ ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ଏକାଡେମିକ୍ ବ୍ଲକ, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ସମ୍ପ୍ରସାରଣ, ଦେବଗଡ଼ ଜିଲ୍ଲାର ସାଂସ୍କୃତିକ ପ୍ରେକ୍ଷାଳୟ ତଥା କ୍ରୀଡ଼ା କକ୍ଷ, ଝାରସୁଗୁଡ଼ା ଜିଲ୍ଲାର ମରାକୁଟାଠାରେ କହ୍ନେଇନାଳ ଉପରେ ପୋଲ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ ଓ ଜୁନାଗଡ଼ ଏନ୍ଏସିଠାରେ ବିକାଶ ପରିଷଦ ଷ୍ଟାଡିୟମ୍ ଓ ନୂଆପଡ଼ା ଜିଲ୍ଲାର କୋମନାଠାରେ ମାଣ୍ଡିଆ ଆଦି ଶସ୍ୟର ପ୍ରକ୍ରିୟାକରଣ କେନ୍ଦ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ।

ଅନୁରୂପ ଭାବେ ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ ସନ୍ନିକଟ ବାରବଖରା ଜଳପ୍ରପାତ ଓ ଗୁମ୍ଫା ନିକଟରେ ଇକୋ ପର୍ଯ୍ୟଟନ ସ୍ଥଳୀର ବିକାଶ, ବରଗଡ଼ ସହରରେ ୫୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ, ପଦ୍ମପୁରଠାରେ ବଡ଼ବନ୍ଧର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ, ସହରର ବିକାଶ ବିଦ୍ୟାଳୟଠାରୁ ହଳଦୀପାଲି ଛକ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଡ୍ରେନ୍ ।

ବଲାଙ୍ଗିର ସହରରେ ଏକ ୫୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ, ବୌଦ୍ଧ ଜିଲ୍ଲା ବୀରନରସିଂହପୁରଠାରେ ବିକାଶ ପରିଷଦର ଇକୋ ପାର୍କ, କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁରଠାରେ କଲ୍ୟାଣ ମଣ୍ଡପ, ସମ୍ୱଲପୁର ଜିଲ୍ଲାର କୁଚିଣ୍ଡାଠାରେ ମୁକୁଣ୍ଡି ଷ୍ଟାଡୟିମ୍ର ଉନ୍ନତିକରଣ ଓ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରଠାରେ ହସ୍ତତନ୍ତ ମଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ଆଧୁନିକ ଅଡିଟୋରିୟମ୍, କଲ୍ୟାଣ ମଣ୍ଡପ, ଗୋଷ୍ଠୀ କେନ୍ଦ୍ର, ଖେଳପଡ଼ିଆର ଉନ୍ନତିକରଣକୁ ପ୍ରାଥମିକତା ଦିଆଯାଉଛି ।