spot_img
Home Blog Page 3931

କୁଶଳୀ ଓ ଅଣକୁଶଳୀ ଓ ଦକ୍ଷ ଶ୍ରମିକଙ୍କ ବଢିଲା ପାରିଶ୍ରମିକ, ଶ୍ରମିକଙ୍କ ଦୈନିକ ମଜୁରୀ ୭ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ଶ୍ରମିକଙ୍କ ଦୈନିକ ମଜୁରୀରେ ୭ ଟଙ୍କା ବୃଦ୍ଧି । କୁଶଳୀ, ଅଣକୁଶଳୀ ଏପରି ସମସ୍ତ ବର୍ଗର ଶ୍ରମିକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୪୧୬ ଟଙ୍କାରୁ ବଢି ୪୨୩ ଟଙ୍କା ହୋଇଛି । ସେହିଭଳି ଅତିକୁଶଳୀଙ୍କ ପାରିଶ୍ରମିକ ୪୭୬ ଟଙ୍କାରୁ ବଢି ୪୮୩ ଟଙ୍କା, ସ୍ୱଳ୍ପ କୁଶଳୀଙ୍କ ମଜୁରୀ ୩୬୬ ଟଙ୍କାରୁ ବଢି ୩୭୩ ଟଙ୍କା ହୋଇଛି । ଶେଷରେ ଅଣକୁଶଳୀଙ୍କ ଦୈନିକ ମଜୁରୀ ୩୨୬ ଟଙ୍କା ଥିବାବଳେ ଏବେ ଏହା ୩୩୩ ଟଙ୍କାରେ ପହଞ୍ଚିଛି । ଏନେଇ ଶ୍ରମ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଏହି ମଜୁରୀ ବୃଦ୍ଧି ଅକ୍ଟୋବର ପହିଲାରୁ ଲାଗୁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ରାଜ୍ୟ ଉପଦେଷ୍ଟା ବୋର୍ଡର ନିଷ୍ପତ୍ତି ଅନୁସାରେ ୨୦୧୯ ଏପ୍ରିଲରୁ ସରକାର ପ୍ରତିବର୍ଷ ମଜୁରୀ ବୃଦ୍ଧି କରିଆସୁଛନ୍ତି । ଏନେଇ ଦୁଇଟି ତାରିଖରେ ମଜୁରୀ ବୃଦ୍ଧି ଘୋଷଣା ହୋଇଥାଏ । ଏପ୍ରିଲ ପହିଲା ଓ ଅକ୍ଟୋବର ପହିଲାରେ ସରକାର ନୂଆ ମଜୁରୀ ଘୋଷଣା କରିଥାନ୍ତି ।

ଓଡ଼ିଶା ଆସିବ ଡାକୋଟା, ରାଜ୍ୟ ସରକାର ନେବେ ସବୁ ଦାୟିତ୍ୱ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ରହିବ ବିଜୁବାବୁଙ୍କ ଡାକୋଟା ବିମାନ । ବିମାନ ବନ୍ଦରର ୧.୧ ଏକର ଜମିରେ ବିଜୁବାବୁଙ୍କ ଏହି ଡାକୋଟା ବିମାନ ରହିବ । ଡାକୋଟାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ମିଳିଲା ଅନୁମତି । ଭାରତୀୟ ବିମାନ ପ୍ରାଧିକରଣ ଏହି ଅନୁମତି ପ୍ରଦାନ କରିଛି । ତେବେ ଏହି ଡାକୋଟାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ରାଜ୍ୟ ସରକାର କରିବେ । ବ୍ୟବସାୟିକ କାର୍ଯ୍ୟକଳାପ କରିପାରିବେନି ରାଜ୍ୟ ସରକାର । ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ସମ୍ଭାବ୍ୟ ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବ ପ୍ରସ୍ତୁତି । ବାତ୍ୟା ସ୍ଥିତି ନେଇ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରାକର । ଆଜି ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ବାତ୍ୟା ମୁକାବିଲା ରଣକୌଶଳ ନେଇ ଆଲୋଚନା ହେବ । ଏହି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ଉପସ୍ଥିତି ରହିବେ । ଏହା ସହ ଏହି ବୈଠକରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ଜାରି କରଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ରହିବେ ।

ସେପଟେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ୭ଟି ଜିଲ୍ଲାର ଜିଲ୍ଲପାଳଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଜିଲ୍ଲା ଗୁଡିକରେ ଔଷଧ, ପିଇବା ପାଣି, ଡଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ୭ଟି ଜିଲ୍ଲା ଉପରେ ନଜର ରଖାଯାଇଛି। ମାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି।

 

ବଢୁଛି ଧାମନଗର ପାରା, ମଇଦାନରେ ହାଇଭୋଲଟେଜ୍ ପ୍ରଚାର

ଧାମନଗର: କମ୍ପୁଛି ଧାମନଗର । ମଇଦାନରେ ହେଭିଓ୍ୱେଟଙ୍କ ଭିଡ଼ । ଘର ଘର ବୁଲି ଭୋଟ ମାଗୁଛନ୍ତି ନେତା । ନିଜ ନିଜ ପ୍ରାର୍ଥୀଙ୍କୁ ଧରି ଲୋକଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି ଦଳୀୟ କର୍ମୀ । ଧୂଷୁରୀ ଜୋନରେ ଆଜି ବିଜେଡିର ମାରାଥନ ପ୍ରଚାର ଆରମ୍ଭ ହୋଇଛି । ଧୂଷୁରୀ ମିର୍ଗାହାଟକୂଳ ଛକ ନିକଟରୁ ଏକ ବିଶାଳ ବାଇକ ରାଲି ଶୋଭାଯାତ୍ରାରେ ବାହାରି ଧୂଷୁରୀ ଜୋନର ସମସ୍ତ ପଞ୍ଚାୟତକୁ ଯିବ ।

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ଷ୍ଟାର ପ୍ରଚାରକ ଗାଁ ଗାଁ ବୁଲି ପ୍ରଚାର କରିବେ । ନିର୍ବାଚନ ବିଜୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ବିଜେଡି ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଆଧାରରେ ଭୋଟ୍ ମାଗୁଥିବା ବେଳେ ବିଜେପି ନିଜର ଗଡ଼ ବଞ୍ଚାଇବା ପାଇଁ ଜୋରଦାର କସରତ କରୁଛି । କଂଗ୍ରେସ ଭଲ ସ୍ଥିତିକୁ ଫେରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି ।

ଆତଙ୍କବାଦ ବିରୋଧୀ ଲଢ଼େଇରେ ପୁଣି କଣ୍ଟା ସାଜିଲା ଚୀନ୍, ଭାରତ-ଆମେରିକାର ପ୍ରସ୍ତାବ ଉପରେ ରୋକ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧୀ ଲଢ଼େଇରେ ପୁଣି କଣ୍ଟା ସାଜିଲା ଚୀନ୍ । ଜାତିସଂଘରେ ଭାରତ-ଆମେରିକାର ପ୍ରସ୍ତାବ ଉପରେ ଦ୍ୱିତୀୟ ଥର ଲାଗି ରୋକ ଲଗାଇଛି ଚୀନ୍ । ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ମୁଖ୍ୟ ହାଫିଜ ସଇଦର ପୁଅ ତଲହାକୁ ବ୍ଲାକ ଲିଷ୍ଟରେ ସାମିଲ କରିବାକୁ ଜାତିସଂଘରେ ପ୍ରସ୍ତାବ ଦିଆଯାଇଥିଲା । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜର ପୁଅ ହେଉଛି ତଲହା । ଚଳିତବର୍ଷ ଏପ୍ରିଲରେ ଭାରତ ସରକାର ତଲହାକୁ ଆତଙ୍କବାଦୀ ଘୋଷଣା କରିଥିଲେ । ପାକିସ୍ତାନରେ ଥିବା ଲସ୍କର-ଏ-ତୋଏବାର ବିଭିନ୍ନ ସେଣ୍ଟରକୁ ତଲହା ଯାଉଥିବା ବେଳେ ଭାରତ ବିରୋଧୀ ଷଡଯନ୍ତ୍ରରେ ସମ୍ପୃକ୍ତି ଥିବା ଜଣାପଡ଼ିଛି ।

୧୨୬୭ ଅଲ କାଏଦା ପ୍ରତିବନ୍ଧ ସମିତି ସହ ତଲହାର ସମ୍ପୃକ୍ତି ପ୍ରସ୍ତାବରେ ରୋକ ଲଗାଇ ଭାରତ-ଆମେରିକାର ଲଗାତାର ଦ୍ୱିତୀୟ ଥର ପାଇଁ ଝଟକା ଦେଇଛି । ପାକିସ୍ତାନର ଆତଙ୍କୀ ସଂଗଠନକୁ ବିଶ୍ୱ ଆତଙ୍କବାଦୀ ସଂଗଠନ ଭାବେ ନାମିତ କରିବା ପ୍ରସ୍ତାବ ଉପରେ ଭିଟୋ ଶକ୍ତି ପ୍ରୟୋଗ କରି ଏହା ଉପରେ ରୋକ ଲଗାଇଛି ।

 

ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ, ୪ ଗିରଫ

ସାନଖେମୁଣ୍ଡି: ବେଆଇନ ବାଣ ଦୋକାନ ଉପରେ ଚଢାଉ । ସାନଖେମୁଣ୍ଡି ଡେଙ୍ଗାଉସ୍ତା ମାର୍କେଟର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ କରିଛି ପାଟପୁର ଏବଂ ଦିଗପହଣ୍ଡି ପୋଲିସ । ବାଣ ଦୋକାନ ଉପରେ ଚଢ଼ାଉ କରି ପ୍ରାୟ ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସାନଖେମୁଣ୍ଡି ତହସିଲଦାରଙ୍କ ଉପସ୍ଥିତିରେ ଏହି ଚଢ଼ାଉ ହୋଇଥିଲା । ତେବେ ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ଦୀପାବଳି ପାଇଁ ପ୍ରଶାସନ ପକ୍ଷରୁ ଲାଇସେନ୍ସ ମିଳିନଥିବା ବେଳେ ବେଆଇନ ଭାବେ ବିକ୍ରି କରୁଥିଲେ ବାଣ ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କୁ ସତର୍କ କରାଇଛି କୃଷି ବିଭାଗ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଫସଲ ସୁପରିଚାଳନା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛି କୃଷି ବିଭାଗ । ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ଥିବାରୁ ଚାଷୀଙ୍କୁ ସତର୍କ କରାଇଛି ବିଭାଗ । ୮୫ ଭାଗ ପଚିଯାଇଥିବା ସହଳ କିସମ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ । ଅମଳ ହୋଇଥିବା ଧାନକୁ ବେଙ୍ଗଳା କରିଦିଅନ୍ତୁ । କିମ୍ବା ପଲିଥିନ ଘୋଡାଇ ସୁରକ୍ଷିତ ରଖନ୍ତୁ । ବର୍ଷା ଦିନିଆ ମକା ଫସଲ ଅମଳ କରିବାକୁ ପରାମର୍ଶ । ଖରିଫ ଫସଲ ନିରାପଦ ସ୍ଥାନକୁ ନେବାକୁ ସତର୍କତା ।

ବର୍ଷା ସ୍ଥିତି ଦେଖିବା ପରେ ଧାନ ଓ ଅଣଧାନ ଜମିରୁ ବଳକା ପାଣି ବାହାର କରି ନାଳ କରିଦିଅନ୍ତୁ । ପନିପରିବା ତଳି ଘେରାକୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ । ଫସଲରେ ସାର ଓ କୀଟନାଶକ ପ୍ରୟୋଗ ସାମୟିକ ବନ୍ଦ କରିବାକୁ ପରାମର୍ଶ । ବର୍ଷା ପବନରେ ବଡ଼ବଡ଼ ଗଛ ଭାଙ୍ଗିବା ସମ୍ଭାବନା ଥିବାରୁ ଗଛକୁ ଢିରା ଦିଅନ୍ତୁ । ବର୍ଷା ଛାଡିବା ପରେ ରବି ଫସଲ ବୁଣିବାକୁ ପରାମର୍ଶ ଦେଇଛି କୃଷି ବିଭାଗ ।

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୨ ତାରିଖରେ ନେବ ଅବପାତର ରୂପ

ଭୁବନେଶ୍ୱର: ଘନଉଛି ବାତ୍ୟା ବିପଦ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆସନ୍ତାକାଲି ନେବ ଅବପାତର ରୂପ । ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବ । ବାତ୍ୟାର ତୀବ୍ରତା କେତେ ରହିବ? କେଉଁଠି ଲ୍ୟାଣ୍ଡଫଲ କରିବ ? ପବନର ବେଗ କେତେ ରହିବ ? କେଉଁ ଦିଗରେ ଗତି କରିବ ? କେଉଁ କେଉଁ ଜିଲ୍ଲାରେ ପଡିବ ପ୍ରଭାବ ? ଫନି ବାତ୍ୟାର ଗତି ପଥରେ ଆସିଲେ ଅଧିକ ଘାତକ ହେବ କି ? ଏନେଇ ଖୁବ୍ ଶୀଘ୍ର ସ୍ପଷ୍ଟ କରିବ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ECMWF, GFS, NCUM ମଡେଲର ଆକଳନ ଅନୁସାରେ ୨୫ତାରିଖ ବେଳଳୁ ବାତ୍ୟା ପଶ୍ଚିମବଙ୍ଗର ଦୀଘା କିମ୍ବା ବାଂଲାଦେଶର ପଥରଘାଟରେ ଲ୍ୟାଣ୍ଡଫଲ କରିପାରେ । ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଝଡ ବର୍ଷା ସହ ଘଣ୍ଟା ପ୍ରତି ୪୫ରୁ ୫୫କିମି ଏବଂ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲଘୁଚାପ ଘନୀଭୂତ ହୋଇ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ ।

ଗଭୀର ସମୁଦ୍ରରେ ବାତ୍ୟା ଦେଖାଇବ କରାଳ ରୂପ । ଏଥିପାଇଁ ୨୨ ତାରିଖ ପୂର୍ବରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ୨୩ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ । ବାତ୍ୟାଟି ଅତି ଭୀଷଣ ରୂପ ନେବାପାଇଁ ପାଗ ଅନୁକୂଳ ରହିଛି ।

କନ୍ଧମାଳ ଜିଲ୍ଲାକୁ ଛୁଇଁଲା ପହିଲି ଶୀତ, ହାଲକା ଶୀତ ସ୍ପର୍ଶରେ ପୁଲକିତ ଜନଜୀବନ

କନ୍ଧମାଳ: କନ୍ଧମାଳରେ ପହିଲି ଶୀତ । କନ୍ଧମାଳ ଜିଲ୍ଲାକୁ ଛୁଇଁଲା ପହିଲି ଶୀତ । ଯୁଆଡ଼େ ଚାହିଁଲେ ଘନ କୁହୁଡିର ଆସ୍ତରଣ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ବେଲଘର ଆଦି ସବୁ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଶୀତ ଅନୁଭୂତ ହେଉଛି । ହାଲକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ ।

ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ସନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି । ସେପଟେ ଫୁଲବାଣୀ ସହରରେ ହାଲକା ଶୀତ ଓ ଘନ କୁହୁଡ଼ିର ମଜା ନେଉଛନ୍ତି ସହରବାସୀ  ।

ରାଜ୍ୟର ଶହେ ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ, ବିଦ୍ୟାଳୟରେ ଦ୍ୱାଦଶ ଯାଏ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରେ ଶହେଟି ହାଇସ୍କୁଲରେ ଖୋଲିବ ଯୁକ୍ତ ୨ । ଆସନ୍ତାବର୍ଷରୁ ପାଠପଢ଼ା ଆରମ୍ଭ ହେବ । ୨୮ ଶହରୁ ଅଧିକ ସିଟରେ ନାମଲେଖା ହେବ । ଗଞ୍ଜାମ ଜିଲ୍ଲାର ସର୍ବାଧିକ ୮ଟି ସ୍କୁଲ ଉନ୍ନୀତ ହେବ । ଏଥିପାଇଁ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ବିକାଶକୁ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୧୦୦ଟି ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ । ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ଦ୍ୱାଦଶ ଯାଏ ପଢ଼ିବେ । ପ୍ରାଥମିକ ପର୍ଯ୍ୟାୟରେ କେବଳ କଳା ବିଭାଗ ଖୋଲିବାକୁ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲିବ ।

ପ୍ରାଥମିକ ପର୍ଯ୍ୟାୟରେ ୧୨୮ଟି ଲେଖାଏଁ ସିଟ୍ ରହିବ । ଅର୍ଥାତ୍ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ୧୨ ହଜାର ୮୦୦ଟି ଅଧିକ ଯୁକ୍ତ ୨ କଳା ସିଟ୍ ଉପଲବ୍ଧ ହେବ । ଏଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ନିକଟରେ ଆବେଦନ କରାଯାଇଥିଲା, ଏବଂ ଅନୁମତି ମିଳି ସାରିଛି । ଶହେଟି ସ୍କୁଲ ଚିହ୍ନଟ କରି ପ୍ରକ୍ରିୟା ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ  । ପ୍ରଥମେ ୪୩ ପରେ ୫୭ଟି ହାଇସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ । ଅନୁମୋଦନ ଅନୁସାରେ ବଲାଙ୍ଗୀରର ୬ଟି, ଦେବଗଡ଼ର ୪ଟି , ଗଞ୍ଜାମର ୮ଟି, କଳାହାଣ୍ଡିର ୭ଟି, କେନ୍ଦୁଝରର ୩ଟି, ମାଲକାନଗିରି ଓ ନବରଙ୍ଗପୁରର ୫ଟି ଲେଖାଏଁ ଅନୁଗୁଳ, ବରଗଡ଼, କଟକ, ଗଜପତି ଓ ବୌଦ୍ଧର ୨ଟି ଲେଖାଏଁ ହାଇସ୍କୁଲ ଉଚ୍ଚମାଧ୍ୟମମିକ ବିଦ୍ୟାଳୟକୁ ଉନ୍ନୀତ ହେବ ।