spot_img
Home Blog Page 3934

ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ

ଭଦ୍ରକ: ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଦଳ ନିଷ୍ପତ୍ତି ବିରୋଧରେ ଯାଇ ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି । ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏନେଇ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଶିବ ମନ୍ଦିରରେ ଅଜବ ଦୃଶ୍ୟ, କ୍ଷୀର ପିଉଛନ୍ତି ବୃଷଭ

ବଲାଙ୍ଗୀର: ଲୋଇସିଂହା ହୀରାପୁର ବନ୍ଧଆଡିରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଶିବ ମନ୍ଦିରରେ ବୃଷଭ ପିଉଛନ୍ତି କ୍ଷୀର । ଦୀର୍ଘ ୫ ବର୍ଷ ହେବ ମନ୍ଦିର ନିର୍ମାଣ ହୋଇଛି । ପ୍ରତିଷ୍ଠା ପରଠୁ ବୃଷଭ ମୂର୍ତ୍ତି କ୍ଷୀର ପିଇବା ପ୍ରଥମ ଘଟଣା । ଧର୍ମମାସ ଚାଲିଥିବାରୁ ମହିଲାମାନେ ସକାଳୁ ନିତ୍ୟକର୍ମସାରି ଗାଁ ଶିବ ମନ୍ଦିରରେ ପୂଜା କରୁଛନ୍ତି ।

ଗତକାଲି ପୂଜା କଲା ବେଳେ ମନ୍ଦିରରେ ଥିବା ବୃଷଭଙ୍କୁ ପାଣି ଓ କ୍ଷୀର ଦେବାବେଳେ ଆପେ ଆପେ ଚାମଚରୁ କ୍ଷୀର କେଉଁଆଡେ ଗାଏବ ହୋଇଯାଉଥିବା ଦେଖିବାକୁ ମିଳିଥିଲା । ବୃଷଭ କ୍ଷୀର ପିଉଥିବା ଖବର ପବନ ବେଗରେ ପ୍ରଚାର ହୋଇଚାଲିଲା । ଏହାପରେ ଆଖପାଖ ଗ୍ରାମର ଲୋକଙ୍କ ଭିଡ଼ ମନ୍ଦିରରେ ଦେଖିବାକୁ ମିଳିଥିଲା । ଗତକାଲି ଦିନସାରା ମହିଳା ମାନେ ବୃଷଭଙ୍କୁ କ୍ଷୀର ଓ ପାଣି ପିଆଉଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଆଜି ପ୍ରକାଶ ପାଇବ ଏଆଇସିସି ଫଳ, ସକାଳ ୧୦ଟାରୁ ଗଣତି

ନୂଆଦିଲ୍ଲୀ:  କିଏ ହେବ ଆଗାମୀ ଏଆଇସିସି ସଭାପତି ? ଆଜି ପ୍ରକାଶ ପାଇବ ଫଳ । ମଲ୍ଲିକାର୍ଜ୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଟକ୍କର । ନୂଆ ସଭାପତି ବାଛିଛନ୍ତି ଦେଶର ୯ ହଜାରରୁ ଅଧିକ ପିସିସି ସଦସ୍ୟ । ମତଦାନ ହାର ରହିଛି ୯୬ ପ୍ରତିଶତ । ଦେଶର ୬୫ କେନ୍ଦ୍ରରେ ମତଦାନ ହୋଇଛି । ଅଧିକାଂଶ ସଦସ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ସମର୍ଥନ କରିଥିବା ଜଣାପଡିଛି । ସକାଳ ୧୦ଟାକୁ ଭୋଟ ଗଣତି ଆରମ୍ଭ ହେବ  ।

ତେବେ ଯିଏ ବି ସଭାପତି ହୁଅନ୍ତୁ ତାହା କଂଗ୍ରେସର ବିଜୟ ହେବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭୋଟ ଦେଇଥିଲ । ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ, ଜୟରାମ ରମେଶ ପ୍ରମୁଖ ଦିଲ୍ଲୀରେ ମତଦାନ କରିଥିଲେ । ସେହିପରି ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ କର୍ଣ୍ଣାଟକର ବେଲାରୀରେ ଭୋଟ ଦେଇଥିଲେ ।

ଦଳର ବରିଷ୍ଠ ନେତା ଦିଗବିଜୟ ସିଂ, ମନୀଷ ତିଓ୍ବାରୀ, ଅଶୋକ ଗେହଲଟ, ଏ.କେ. ଆଣ୍ଟୋନୀ, ଅଜୟ ମାକେନ, ଅମ୍ବିକା ସୋନି, ଭୂପିନ୍ଦର ସିଂ ହୁଡା , ପୃଥ୍ବୀରାଜ ଚୌହ୍ବାନ ପ୍ରମୁଖ ମଲ୍ଲିକାର୍ଜ୍ଜୁନ ଖାଡଗେଙ୍କୁ ସମର୍ଥନ କରିଥିଲେ । ଗତକାଲି ସମସ୍ତ ବାଲାଟ ବକ୍ସ ଦିଲ୍ଲୀକୁ ନିଆଯାଇଥିଲା । ଆଜି ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।

ଶ୍ରୀମନ୍ଦିରରେ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ, ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦ୍ଵିତୀୟ ଭୋଗମଣ୍ଡପ ବଢିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପ୍ରାକୃତିକ ରଙ୍ଗ ଯଥା କସ୍ତୁରୀ, ହରିତାଳ, ହିଙ୍ଗୁଳ, ପ୍ରିୟଙ୍ଗୁ, କଳା, ଧଳା, ନାଲି ଆଦି ରଙ୍ଗରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।

ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବ ଏବଂ ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।

ଋଷି ସୁନକଙ୍କୁ ଆଉ ଥରେ ମିଳିପାରେ ସୁଯୋଗ, ଲିଜ୍ ଟ୍ରସଙ୍କ ବଢୁଛି ବିପଦ

ଲଣ୍ଡନ: ବ୍ରିଟେନରେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଉପରେ ବିପଦ ଘନେଇବାରେ ଲାଗିଛି । ପାର୍ଟିର ସଦସ୍ୟ ଖୋଲାଖୋଲି ଟ୍ରସଙ୍କୁ ବିରୋଧ କରିଛନ୍ତି । ବଡ ସଂଖ୍ୟାରେ କଞ୍ଜରଭେଟିଭ୍ ପାର୍ଟିର ସଦସ୍ୟ ବୋରିସ୍ ଜନସନଙ୍କୁ ପୁଣି ଥରେ ବ୍ରିଟେନର ପ୍ରଧାନମନ୍ତ୍ରୀ କରାଯିବା ପକ୍ଷରେ ଅଛନ୍ତି । ଦ୍ଵିତୀୟ ପସନ୍ଦ ଭାବେ ଅଛନ୍ତି ଋଷି ସୁନକ । ଏକ ସର୍ଭେ ଅନୁଯାୟୀ, ଲିଜ୍ ଟ୍ରସ ନିଜ ପାର୍ଟିରେ ଭରସା ହରାଇ ଚାଲିଛନ୍ତି । ବହୁ ସଂଖ୍ୟାରେ ସଦସ୍ୟ ଟ୍ରସଙ୍କ ଇସ୍ତଫା ଦାବି କଲେଣି ।

୫୫ ପ୍ରତିଶତ ସଦସ୍ୟଙ୍କ ମତରେ ଟ୍ରସଙ୍କୁ ପଦରୁ ଇସ୍ତଫା ଦେବା ଉଚିତ୍ । ଋଷି ସୁନକଙ୍କୁ ପୁଣି ଥରେ ସୁଯୋଗ ଦେବା ଉଚିତ୍ । ମାତ୍ର ୨୫ ପ୍ରତିଶତ ହିଁ ଟ୍ରସଙ୍କ ସପକ୍ଷରେ ଅଛନ୍ତି । ମିନି ବଜେଟକୁ ନେଇ ୟୁଟର୍ଣ୍ଣ ନେବାରୁ ଟ୍ରସ୍ ନିଜ ପାର୍ଟିରେ ଭରସା ହରାଇଛନ୍ତି । ସର୍ଭେରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଢେର ସମର୍ଥନ ମିଳିବାରେ ଲାଗିଛି । ୬୩ ପ୍ରତିଶତ ସଦସ୍ୟଙ୍କ କହିବା କଥା ଜନସନ ଟ୍ରସଙ୍କ ଭଲ ବିକଳ୍ପ ହୋଇ ପାରିବେ ।

୩୨ ପ୍ରତିଶତ ଜନସନଙ୍କୁ ସବୁଠୁ ଯୋଗ୍ୟ ମନେ କରିଛନ୍ତି । ୨୩ ପ୍ରତିଶତ ପାର୍ଟି ସଦସ୍ୟ ସୁନକଙ୍କ ସହିତ ରହିଛନ୍ତି ।

୨୩ରୁ ବଢିବ ବର୍ଷା, ପ୍ରଭାବିତ ହେବେ ଆନ୍ଧ୍ର-ଓଡିଶା-ପଶ୍ଚିମବଙ୍ଗ

ଭୁବନେଶ୍ବର: ଆସୁଛି ବାତ୍ୟା ସି-ତ୍ରଙ୍ଗ । ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରେ ଗଭୀତ ଅବପାତ ଏବଂ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମୁହାଁଇବ ବୋଲି ଆଇଏମଡି ଆକଳନ କରିଛି । ତେବେ ବାତ୍ୟାର ଗତିପଥ, ତୀବ୍ରତା ଏବଂ କେତେ ପବନର ବେଗ ବହିବ ସେନେଇ କୌଣସି ଆକଳନ କରାଯାଇନାହିଁ । ୨୦ ତାରିଖ ପରେ ସ୍ପଷ୍ଟ ହେବ ଚିତ୍ର ।

୨୨ ତାରିଖରୁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ବାତ୍ୟା ପ୍ରଭାବରେ ୨୩ ସକାଳୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଉପକୂଳ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟାଟି ସିଭିୟର ସାଇକ୍ଳୋନିକି ଷ୍ଟର୍ମ କିମ୍ବା ଭେରି ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବା ସମ୍ଭାବନା ଥିବା ଟୁଇଟ୍ କରିଛନ୍ତି ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ । ପୂର୍ବ ଭାରତରେ ଆନ୍ଧ୍ର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଏଥିରେ ପ୍ରଭାବିତ ହେବ ।

ତାମିଲନାଡୁରେ ଦକ୍ଷତା ଦେଖାଇବେ କଳାହାଣ୍ଡିର ୨୨୦ ଯୁବତୀ, ଟାଟା କମ୍ପାନୀରେ ମିଳିଲା ନିଯୁକ୍ତି

ଭୁବନେଶ୍ବର: ଆଦିବାସୀ ଗାଁରୁ ଟାଟା ଇଲୋକ୍ଟ୍ରୋନିକ୍ସ କମ୍ପାନୀ । ଅଭାବୀ ପରିବାରରୁ ଜୁନିୟର ଟେକ୍ନିସିଆନ୍ ଚାକିରି । ଗରିବୀ ସହିତ ଲଢୁଥିବା ଝିଅ ଦେଖାଇବେ ଦକ୍ଷତା । ଆଜି ତାମିଲନାଡୁ ଗସ୍ତ କରିବେ କଳାହାଣ୍ଡିର ୨୨୦ ଜଣ ଯୁବତୀ । ସମସ୍ତେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣରେ ଅଧିନରେ ହୋସୁରରେ ଥିବା ଟାଟା ଇଲୋକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡରେ ନିଯୁକ୍ତି ପାଇଛନ୍ତି । ଆଜି ଭୁବନେଶ୍ବର ବିମାନବନ୍ଦରରୁ ସମସ୍ତେ ସ୍ବତନ୍ତ୍ର ବିମାନରେ ତାମିଲନାଡୁ ଯିବେ ।

ଏଥିପାଇଁ ସକାଳ ୭ଟାରୁ ୬ଟି ବସ ଯୋଗେ ଯୁବତୀମାନେ ଭବାନୀପାଟଣା ଠାରୁ ଭୁବନେଶ୍ବର ଆସୁଛନ୍ତି । ସେହିପରି ଆସନ୍ତାକାଲି ସୁନ୍ଦରଗଡ଼ରୁ ୭୦ଜଣ ତାମିଲନାଡୁ ଯିବେ । ୨୧ ତାରିଖରେ ଫୁଲବାଣୀରୁ ୫ ଜଣ ଯୁବତୀ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।

ଉପାନ୍ତ ଜିଲ୍ଲା ଗୁଡ଼ିକରେ ଆଦିବାସୀ ଯୁବତୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ତାଲିମ ଦିଆଯାଉଛି । ଗତକାଲି ବାରିପଦାର ୭୮ ଜଣ ଯୁବତୀ ଟାଟା ଇଲୋକ୍ଟ୍ରୋନିକ୍ସ କମ୍ପାନୀରେ ଚାକିରି ପାଇଁ ତାମିଲନାଡୁ ଗସ୍ତ କରିଥିଲେ । ପୂର୍ବରୁ ମଧ୍ୟ ଶହ ଶହ ଆଦିବାସୀ ଯୁବତୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି । ସେମାନେ ନୂଆ ପିଲାଙ୍କୁ ସେମାନଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି ।

ଚିନ୍ତା ବଢ଼ାଇଲା ନୂଆ ଓମିକ୍ରନ ଭାରିଆଣ୍ଟ

ନୂଆଦିଲ୍ଲୀ: ପୁଣିଥରେ ଚିନ୍ତା ବଢ଼ାଇଲା କୋରନା ମହାମାରୀ । ଓମିକ୍ରନର ଏକ ନୂଆ ସବ ଭାରିଆଣ୍ଟ ଏକ୍ସବିବିର ପ୍ରଥମ କେସ୍ ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳଯ ଆଲର୍ଟ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିଆ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ବୈଠକ କରିଛନ୍ତି । ଏହି ବୈଠକରେ ନୀତି ଆୟୋଗର ସଦସ୍ୟ ଭିକେ ପନ୍ତ, କୋଭିଡ-୧୯ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ, ଏନଟିଏଜିଆଇର ଅଧ୍ୟକ୍ଷ ଏନକେ ଅରୋରା, ଏନଟିଏଜିଆଇର ଅଧିକାରୀ, ଏନଇଜିବିଏସିର ଅଧିକାରୀ ଓ ଅନ୍ୟ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ବୈଠକରେ ନୂଆ ଭାରିଆଣ୍ଟକୁ କିପରି ବ୍ୟାପିବାରୁ ରୋକିହେବ ଏବଂ ପ୍ରତିହତ କରିହେବ ସେନେଇ ବିଚାର ବିମର୍ଶ କରାଯାଇଥିଲା । ଏହି ଭାରିଆଣ୍ଟର ଶିକାର ଲୋକ ସାର୍ବଜନିକ ସ୍ଥାନକୁ ଯିବା ସମୟରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଇନଫ୍ଲୁଏଞ୍ଜା ଭଳି ରୋଗରେ ପୀଡିତ ଲୋକଙ୍କୁ ଯଥାସମ୍ଭବ ସାର୍ବଜନିକ ସମ୍ପର୍କରୁ ଦୂରରେ ରହିବା ଆବଶ୍ୟକ ।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ; କଂଗ୍ରେସ ଜାରି କଲା ୪୬ ପ୍ରାର୍ଥୀଙ୍କ ସୂଚୀ

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ସୂଚୀ ଜାରି କରାଯାଇଛି । ଦଳ ୪୬ ଆଶାୟୀଙ୍କ ପ୍ରଥମ ସୂଚୀ ଜାରି କରିଛି । ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଦଳର ହାଇକମାଣ୍ଡ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରଯାଇଛି । ୨୦ ଆସନକୁ ନେଇ ଏବେ ବି ନିଷ୍ପତ୍ତି ହୋଇପାରି ନାହିଁ । ଖୁବଶୀଘ୍ର ଦଳ ପକ୍ଷରୁ ପ୍ରାର୍ଥୀମାନଙ୍କ ଦ୍ୱିତୀୟ ଓ ଶେଷ ସୂଚୀ ଜାରି କରାଯିବ ।

ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ କୌଲ ସିଂହ ଠାକୁର ମଧ୍ୟ ନାମାଙ୍କନ ଦାଖଲ କରିବା ପାଇଁ ଶୁଭ ସମୟ ବାହାର କରିଛନ୍ତି । କୌଲ ସିଂହ ଠାକୁର ୨୦ ଅକ୍ଟୋବରରେ ନାମାଙ୍କନ ପତ୍ର ଦାଖଲ କରିବେ । ୨୫ ଅକ୍ଟୋବର ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ଆସନ୍ତା ମାସ ୧୨ ତାରିଖରେ ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଗଣନା ହେବ । ନିର୍ବାଚନ ପ୍ରକ୍ରିୟା ୧୦ ଡିସେମ୍ବରରେ ଶେଷ ହେବ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଚଳିତ ଥର ୫୫,୦୭,୨୬୧ ମତଦାତା ଭୋଟ ଦେବେ ।

ଝାରସୁଗୁଡ଼ା-ଗୋନ୍ଦିଆ ପାସେଞ୍ଜର ଟ୍ରେନରେ ନିଆଁ

ଝାରସୁଗୁଡ଼ା: ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ଝାରସୁଗୁଡ଼ା-ବ୍ରଜରାଜନଗର ଷ୍ଟେସନରେ ଅଘଟଣ । ଝାରସୁଗୁଡ଼ା-ଗୋନ୍ଦିଆ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି । ଟ୍ରେନର ଇଞ୍ଜିନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ତେବେ ଟ୍ରେନରେ କେଉଁ କାରଣରୁ ନିଆଁ ଲାଗିଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।