spot_img
Home Blog Page 3982

ଭେଙ୍କିୟା ନାଇଡୁଙ୍କ ଅନୁଭବ ଯୁବବର୍ଗଙ୍କୁ ମାର୍ଗ ଦେଖାଇବ; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କୁ ଫେରଓ୍ୱେଲ ଦିଆଯାଇଛି । ବୁଧବାର ଜଗଦୀପ ଧନଖଡ଼ ନୂଆ ଉପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାକୁ ଥିବା ବେଳେ ଭେଙ୍କିୟାଙ୍କୁ ଆଜି ବିଦାୟୀ ସମ୍ୱର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସମସ୍ତ ସାଂସଦ ଏବଂ ଯୁବପିଢ଼ି ତଥା ସମାଜ ଓ ଦେଶ ନାଇଡୁଙ୍କ ଠାରୁ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି । ଉପ ରାଷ୍ଟ୍ରପତିଙ୍କ ଅନୁଭବ ଆମର ଯୁବପିଢ଼ିଙ୍କୁ ବାଟ ଦେଖାଇବ ଏବଂ ଲୋକତନ୍ତ୍ରକୁ ମଜବୁତ୍ କରିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମ ସଂସଦରେ ଥିବା ବର୍ତ୍ତମାନର ବାଚସ୍ପତି, ରାଷ୍ଟ୍ରପତି ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିଲେ । ସମସ୍ତେ ସାଧାରଣ ପରିବାରରୁ ଆସିଛନ୍ତି । ଏହାର ଏକ ସାଂକେତିକ ମହତ୍ତ୍ୱ ରହିଛି । ଏହା ଦେଶରେ ନୂଆ ଯୁଗର ପ୍ରତୀକ । ନାଇଡୁ ଦେଶର ଏଭଳି ଉପ ରାଷ୍ଟ୍ରପତି ଯିଏ ନିଜର ସବୁ ଦାୟତ୍ୱ କାଳରେ ଯୁବକଙ୍କ ପାଇଁ ସର୍ବାଧିକ କାର୍ଯ୍ୟ କରିଛନ୍ତି ।

ଉପ-ରାଷ୍ଟ୍ରପତି ଭାବେ ଭେଙ୍କିୟା ନାଇଡୁ ଯେଉଁ ଭାଷଣ ଦେଇଛନ୍ତି ସେଥିମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ଭାଷଣ ଯୁବପିଢ଼ି ଉଦ୍ଦେଶ୍ୟରେ ରହିଥିଲା । ଦଳୀୟ କର୍ମକର୍ତ୍ତା, ବିଧାୟକ, ସାଂସଦ, ଭାଜପା ଅଧ୍ୟକ୍ଷ, କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆପଣ କାର୍ଯ୍ୟ ଦ୍ୱାରା ଲୋକଙ୍କ ହିତ ସାଧନ ହୋଇପାରିଥିଲା । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ମୁଁ ଆପଣଙ୍କୁ ଭିନ୍ନ ଭିନ୍ନ ପଦବୀରେ କାର୍ଯ୍ୟ କରୁଥିବା ଦେଖିଛି । ଆପଣ କେବେ ବି କୌଣସି କାର୍ଯ୍ୟକୁ ବୋଝ ଭାବିନାହାନ୍ତି । ନିଜ କାମକୁ ଅଧିକ ଭଲ ଭାବେ କରିବାକୁ ଚେଷ୍ଟିତ ଥିଲେ ।

କିଭଳି ସଂସଦୀୟ ନୀତି ନିୟମ ପରମ୍ପରା ମଧ୍ୟରେ ଅତ୍ୟନ୍ତ ଶିଷ୍ଠଭାବେ ନିଜ କଥାକୁ ପ୍ରଭାବୀ ଢଙ୍ଗରେ ରଖିହେବ ସେ ଦିଗରେ ଆପଣଙ୍କ ଶୈଳୀ ସର୍ବଦା ପ୍ରେରଣାଦାୟୀ । ତାଙ୍କ କାର୍ଯ୍ୟକାଳ ସମୟରେ ସଂସଦର ପ୍ରଡକ୍ଟଭିଟି ପ୍ରାୟ ୭୦ ପ୍ରତିଶତ ବଢ଼ିଥିଲା । ଏବଂ ୧୭୭ ବିଲ୍ ପାସ୍ ହେଲା ଏବଂ ଏ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା । ବିଭିନ୍ନ ସମୟରେ ଆପଣ ନେଇଥିବା ନିର୍ଣ୍ଣୟ ଉଚ୍ଚ ସଦନର ଗରିମାକୁ ବୃଦ୍ଧି କରିଥିଲା ।

ବର୍ଷା ପାଇଁ ଗାଁକୁ ଯାଇପାରିଲେନି : ଡାକବାଜିରେ ସଚେତନ କଲେ, ପଥରରେ ଔଷଧ ବାନ୍ଧି ପକାଇଲେ

ନବରଙ୍ଗପୁର: ବର୍ଷା ସାଜିଲା ପ୍ରତିବନ୍ଧକ । ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ରୋଗୀଙ୍କ ପାଖରେ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍ । ହେଲେ ଉପସ୍ଥିତି ବୁଦ୍ଧି ପାଇଁ ଲୋକଙ୍କ ପାଖରେ ମେଡିସିନ ପହଞ୍ଚିଲା ଆଉ ସଚେତନ ମଧ୍ୟ କରାଗଲା ।  ନାଳ ଏପାଖରେ ରହି ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧ କୁ ପଥର ସହ ବାନ୍ଧି ଆରପାରିକୁ ଫିଙ୍ଗିଲେ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ । ଲଘୁଚାପ ଜନିତ ବର୍ଷା ଯୋଗୁଁ ସମସ୍ତ ନଦୀ ଓ ନାଳରେ ବଢ଼ିଛି ଜଳସ୍ତର । ଯାହାଫଳରେ ଝାଡାବାନ୍ତିରେ ଅକ୍ରାନ୍ତ ତୁଳସୀପଦର ଗାଁକୁ ପହଞ୍ଚିପାରିଲେନି ସ୍ବାସ୍ଥ୍ୟ ବିଭାଗ ଟିମ୍ । ତୁଳସୀପଦର ନଦୀ କୂଳରେ ରହି ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀଙ୍କୁ ଡାକି ସଚେତନତା କରାଇଲେ । ପଲିଥିନରେ ଔଷଧ ବାନ୍ଧି ଆରପାରିକୁ ଫୋପାଡି ଔଷଧ ପହଞ୍ଚାଇଲେ ସ୍ବାସ୍ଥ୍ୟ ଟିମ୍ ।

ସୂଚନାନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦରରେ ଗତ ସପ୍ତାହ ଧରି ଝାଡାବାନ୍ତି ଲାଗିରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିଲେ । ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଝାଡାବାନ୍ତି । ଗତ ୨ ତାରିଖ ରୁ ଲଗାତର ଭାବେ ଏମଏଚୟୁ ଓ ଏମଏଚଟିର ୨ ଟି ସ୍ବାସ୍ଥ୍ୟ ଟିମ୍ ତୁଳସୀପଦର ଗାଁ ରେ ପହଞ୍ଚି ଗାଁରେ ସଚେତନତା କରିବା ସହ ଔଷଧ ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି ।

ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ । ତେବେ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳସୀପଦର ନଦୀରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ପାଣିର ପ୍ରଖର ବଢ଼ିଚାଲିଛି ।  ତୁଳସୀପଦର ଠାରୁ ପ୍ରାୟ ୧ କିମି ଦୂରରେ ରହିଥିବା ନଦୀର ବନ୍ୟାପାଣିରେ ଯାଇନପାରି ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ଡାକି ସଚେତନ କରିଥିଲେ ଡାକ୍ତରୀ ଟିମ୍ ।

ଯଦି କାହାର କିଛି ତେବେ ଅଙ୍ଗନବାଡି ଦିଦିଙ୍କୁ ଫୋନ ମାଧ୍ୟମରେ ଜାଣିପାରିବେ ବୋଲି କହିବା ସହ ସାଙ୍ଗରେ ନେଇ ଆସିଥିବା ଔଷଧ କୁ ପଲିଥିନ ରେ ବାନ୍ଧି ନଦୀର ଆରପଟ କୁ ଫୋଫାଡ଼ି ଔଷଧ ପହଞ୍ଚାଇଥିଲେ । ନଦୀର ଅରପାରିରେ ଗ୍ରାମବାସୀଙ୍କ ସହ ଅଙ୍ଗନବାଡି ଦିଦି ଆସି ଉକ୍ତ ଔଷଧ କୁ ସଂଗ୍ରହ କରି ଗାଁ କୁ ନେଇଥିଲେ ।

ଗାଧୋଇବା ବେଳେ ଦୁଇ କର୍ମଚାରୀ ବୁଡ଼ିଯିବା ଘଟଣା: ମିଳିଲା ଆଉ ଜଣେ ନିଖୋଜ ଯୁବକଙ୍କ ମୃତଦେହ

ସମ୍ବଲପୁର: ହୀରାକୁଦ ଜିରୋ ପଏଣ୍ଟରେ ଗାଧୋଇବା ବେଳେ ଦୁଇ ଏମ୍.ସି.ଏଲ କର୍ମଚାରୀ ବୁଡିଯିବା ଘଟଣା । ମିଳିଲା ଆଉ ଜଣଙ୍କ ମୃତଦେହ । ଉଦ୍ଧାର ହୋଇଥିବା ମୃତ ଯୁବକ ହେଲେ ମହେଶ ଛିତୋରି । ଆଜି ସକାଳୁ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଦୁଇଟି ଓଡ୍ରାଫ୍ ଓ ଦୁଇଟି ଦମକଳ ବାହୀନି ।

ଗତକାଲି ବନ୍ଧୁତ୍ବ ଦିବସରେ ସମ୍ବଲପୁର ଝାଙ୍କରାଣୀ ମନ୍ଦିର ନିକଟ ହୀରାକୁଦର ଜିରୋ ପଏଣ୍ଟରେ ଏମସିଏଲର ୩ କର୍ମଚାରୀ ବୁଡ଼ିଯାଇଥିଲେ । ଜଣେ ପହଁରି ପହଁରି କୂଳକୁ ଚାଲିଆସିଥିବା ବେଳେ, ୨ଜଣ ନିଖୋଜ ଥିଲେ । ଆଜି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ବନ୍ଧୁତ୍ୱ ଦିବସରେ ଗତକାଲି ଭୋଜି କରି ଖାଇ ସାରିବା ପରେ ସମସ୍ତେ ଗାଧୋଇବାକୁ ଯାଇଥିଲେ ।

ବୁର୍ଲା ଝାଙ୍କରାଣୀ ମନ୍ଦିର ନିକଟକୁ ଗାଧୋଇବାକୁ ଯାଇଥିଲେ । ଜଣେ ସାଥି ପାଣିରେ ଭାସିଯିବା ବେଳେ ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ହେଲେ ଅନ୍ୟ ଦୁଇ ଜଣ ମଧ୍ୟ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଡଙ୍ଗା ଦ୍ୱାରା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଯାଇଥିଲେ । ବହୁତ ଖୋଜା ଖୋଜି ପରେ ଆଜି ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । 

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ ନବୀନ । ଗତକାଲି ବୈଠକରେ ଯୋଗଦେଇ ଓଡ଼ିଶାକୁ `ଫୋକସ୍ ଷ୍ଟେଟ୍’ ମାନ୍ୟତା ପାଇଁ ପୁଣି ଦାବି କରିଛନ୍ତି । ବିକାଶର ବାଟ ଓଗାଳୁଛି ପ୍ରାକୃତିକ ବିପର୍ଯ୍ୟୟ । ପ୍ରତିବର୍ଷ ବନ୍ୟା ଓ ବାତ୍ୟା ଦୋହଲାଇ ଦେଉଛି ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ।

ପ୍ରାକୃତିକ ବିପର୍ଯ୍ୟୟର ଦୀର୍ଘକାଳୀନ ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ପ୍ରଦାନ ଲାଗି ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲେ ନବୀନ ପଟ୍ଟନାୟକ । ରେଲୱେ, ବ୍ୟାଙ୍କିଙ୍ଗ୍‌ ଓ ଟେଲିକମ୍‌ କ୍ଷେତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ସେ ଦାବି କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ସ୍ବାଧୀନତାର ଅମୃତ ମହୋତ୍ସବ କମିଟି ବୈଠକରେ ଯୋଗଦେଇଥିଲେ । ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ବର୍ଣ୍ଣନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରକାଶ ପାଇଲା ଜେଇଇ ମେନ ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ ସେସନ ୨ ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ରେଜଲ୍ଟ ଜାରି କରାଯାଇଛି । ପରିକ୍ଷାର୍ଥୀଙ୍କ ସ୍କୋରକାର୍ଡ ଏବଂ କ୍ୟାଟେଗୋରୀ ଆଧାରରେ କଟ-ଅଫ୍ ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି । ପରିକ୍ଷାର୍ଥୀମାନେ ଏନଟିଏର ଅଫିସିଆଲ ୱେବସାଇଟ୍ jeemain.nta.nic.in ରେ ଭିଜିଟ କରି ରେଜଲ୍ଟ ଚେକ୍ କରିପାରିବେ । ରୋଲ ନମ୍ବର ଏବଂ ଜନ୍ମ ତାରିଖ ସହାୟତାରେ ପରୀକ୍ଷାର୍ଥୀ ବେୱସାଇଟରେ ଲଗଇନ କରି ନିଜ ସ୍କୋରକାର୍ଡ ଡାଉନଲୋଡ କରିପାରିବେ ।

ସେହିପରି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବେଆଇନ ଭାବେ ପରୀକ୍ଷା ଦେଇଥିବା ୫ଜଣ ପରୀକ୍ଷାର୍ଥୀଙ୍କ ଜେଇଇ-ମେନ ରେଜଲ୍ଟ ପ୍ରକାଶ କରାଯାଇନି । ସେସନ ୨ରେ ପରୀକ୍ଷା ପାଇଁ ମୋଟ ୬ ଲକ୍ଷ ୨୨ ହଜାର ପ୍ରାର୍ଥୀ ପଞ୍ଜିକରଣ କରିଥିଲେ । ହେଲେ ୫ ଲକ୍ଷ ୪୦ ହଜାର ୨୪୨ ଜଣ ପରୀକ୍ଷା ଦେଇଥିଲେ । ତେବେ ୭ଟି ପ୍ରଶ୍ନକୁ ଡ୍ରପ କରାଯାଇଛି । ଉତ୍ତର ସହ ମିଳୁନଥିବାରୁ ଏହି ପ୍ରଶ୍ନଗୁଡ଼ିକୁ ଡ୍ରପ କରାଯାଇଛି । ଏହି ପ୍ରଶ୍ନ ପାଇଁ ପରୀକ୍ଷାର୍ଥୀଙ୍କୁ କୌଣସି ମାର୍କ ମିଳିବ ନାହିଁ । ସୂଚନା ଥାଉକି ଗତ ଜୁଲାଇ ୧୧ ତାରିଖରେ ଜେଇଇ ମେନ୍ ସେସନ-୧  ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

ଭାଙ୍ଗିପାରେ ବିଜେପି-ଜେଡିୟୁ ମେଣ୍ଟ: ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିପାରନ୍ତି ନୀତିଶ

ପାଟନା: ବିହାର ମେଣ୍ଟ ସରକାରରେ ଅଲ୍ ଇଜ ନଟ୍ ଓ୍ବେଲ । ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ ! ବିହାରରୁ ବିଦା ହୋଇପାରେ ବିଜେପି । ବିଜେପିଠାରୁ ଅଲଗା ହୋଇ ଆରଜେଡି, ବାମଦଳ ଓ କଂଗ୍ରେସ ସହ ସରକାର ଗଠନ ପାଇଁ ନୀତିଶ କୁମାର ପ୍ଲାନ କରୁଥିବା ଜଣାପଡ଼ିଛି । ଯାହାକୁ ନେଇ ଦଳୀୟ ବିଧାୟକ ଓ ଏମପିଙ୍କ ସହ ଆଲୋଚନା ପାଇଁ ଜରୁରିକାଳୀନ ବୈଠକ ଡାକିଛନ୍ତି ନୀତିଶ କୁମାର । ଆସନ୍ତାକାଲି ଜେଡିୟୁ ବୈଠକ ଥିବା ବେଳେ ଏବେକାର ରାଜନୈତିକ ଅସ୍ଥିରତାକୁ ଏନଡିଏ ସମର୍ଥିତ ସବୁ ଦଳ ପକ୍ଷରୁ ମଧ୍ୟ ବୈଠକ ଡକାଯାଇଛି ।

ଅଗଷ୍ଟ ୧୧ ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତିଶ କୁମାର କଂଗ୍ରେସ ଅଧ୍ୟକ୍ଷ ନୀତିଶ କୁମାରଙ୍କ ସହ ଫୋନ ଯୋଗେ କଥା ହୋଇଥିବା ସୂଚନା । ଆରଜେଡି ମଧ୍ୟ ଜେଡିୟୁ ପ୍ରତି ସଫ୍ଟକର୍ଣ୍ଣର ଦେଖାଉଥିବା ବେଳେ ଦଳର ବିଧାୟକଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଜସ୍ବୀ ଯାଦବ ।

ଏକାଧିକ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେବ ଜେଡିୟୁ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି । ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନୀତିଶଙ୍କ ଅଜଣାତରେ ଆର୍ସିପି ସିଂଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା । ଫଳରେ ଏଥର ରାଜ୍ୟସଭାରେ ଆରସିପି ସିଂଙ୍କ କାର୍ଯ୍ୟକାଳ ବଢ଼ାଇ ନଥିଲା ଜେଡିୟୁ । ଶନିବାର ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ ।

ଏହାଛଡ଼ା ଗତକାଲି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବି ନୀତିଶ କୁମାର ସାମିଲ ହୋଇ ନଥିଲେ । ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହା ସବୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଥିଲେ ବି ଏଥିରେ ନୀତିଶ ଯୋଗ ଦେଇନଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା ଓ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଶପଥ ଗ୍ରହଣରେ ବି ନୀତିଶ କୁମାର ସାମିଲ ହୋଇ ନଥିଲେ ।

ବିଜେପି ନେତାଙ୍କୁ ଗୁଣ୍ଡାଗର୍ଦ୍ଦି କରିବା ମହଙ୍ଗା ପଡ଼ିଲା: ବେଆଇନ ଘର ଉପରେ ଚାଲିଲା ବୁଲଡୋଜର

ନଏଡା: ବିଜେପିର ଦବଙ୍ଗ ନେତାଙ୍କ ଗୁଣ୍ଡାଗର୍ଦ୍ଦି ପରେ ନୋଏଡ଼ା ପ୍ରଶାସନର ଆକ୍ସନ । ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ଘର ଭାଙ୍ଗିଛି ପ୍ରଶାସନ । ବୁଲଡୋଜର ଯୋଗେ ନୋଏଡ଼ାର ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଫ୍ଲାଟର ଅବୈଧ ନିର୍ମାଣକୁ ଭାଙ୍ଗି ଦିଆଯାଇଛି । ସୋସାଇଟି କମନ ଏରିଆରେ ଗଛ ଲଗାଇବାକୁ ନେଇ ଜଣେ ମହିଳାଙ୍କ ସହ ଶ୍ରୀକାନ୍ତଙ୍କର ଯୁକ୍ତିତର୍କ ହୋଇଥିଲା ।

ତେବେ ଶ୍ରୀକାନ୍ତ ମହିଳାଙ୍କୁ ଠେଲାପେଲା କରିବା ସହ ଗାଳିଗୁଲଜ କରିଥିଲେ । ଏପରିକି ମହିଳାଙ୍କ ସ୍ବାମୀ ଓ ପିଲାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଏହାର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଆକ୍ସନ ନେଇଥିଲା । ଦବଙ୍ଗ ନେତାଙ୍କୁ ଗିରଫ ପାଇଁ ପୋଲିସର ୧୨ଟି ଟିମ୍ ଖୋଜାଖୋଜି କରୁଥିବା ବେଳେ ସେ ଋଷୀକେଶରେ ଲୁଚି ରହିଥିବା କୁହାଯାଉଛି । ଶ୍ରୀକାନ୍ତ ନିଜ ଫ୍ଲାଟ ଆଖପାଖରେ ବେଆଇନ ନିର୍ମାଣ କରିଥିବା ବେଳେ ସୋସାଇଟିର ମେଣ୍ଟେନାନ୍ସ ଚାର୍ଜ ମଧ୍ୟ ଦେଉ ନଥିବା ଅଭିଯୋଗ ହୋଇଥିଲା

CT & GST ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଣିଜ୍ୟ କର (କମରସିଆଲ ଟ୍ୟାକ୍ସ) ଏବଂ ଜିଏସଟି ଅତିରିକ୍ତ କମିଶନର । ଅତିରିକ୍ତ କମିଶିନର ପିୟୁଶ କାନ୍ତ ପାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ୍ ହୋଇଛି । ଅତିରିକ୍ତ କମିଶନରଙ୍କ ସହ ସମ୍ବନ୍ଧିତ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । କଟକ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି ଚଢ଼ାଉ । ଭୁବନେଶ୍ବର ଚକେଇଶିଆଣିରେ ଥିବା ୩ ମହଲା କୋଠା, ଯାଜପୁର ଚୋର୍ଦ୍ଦା ଛକର ପୈତୃକ ଜମିରେ ଥିବା ଦୁଇଟି ୩ମହଲା କୋଠା ଓ ଗୋଟିଏ ଘରେ ରେଡ୍ ହୋଇଛି ।

କଟକ ଓଏମପିର ଓଏଫ୍ଏସସି ଟାୱାରରେ ଥିବା ଅଫିସରେ ହୋଇଛି ରେଡ୍ । ସେହିପରି ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ଥିବା ନିର୍ମାଣାଧିନ ପ୍ଲଟ୍, ସାମପୁର ମୌଜାରେ ଥିବା ନିର୍ମାଣାଧୀନ ପ୍ଲଟ୍, ସୁନ୍ଦରପୁର ମୌଜାରେ ଥିବା ନିର୍ମାଣାଧିନ ପ୍ଲଟ୍‌ରେ ଚାଲିଛି ଚଢ଼ାଉ । ଏହି ଚଢ଼ାଉ କାର୍ଯ୍ୟରେ ୫ ଜଣ ଡିଏସପି ଏବଂ ୧୧ ଜଣ ଇନିସପେକ୍ଟର ସାମିଲ ରହିଛନ୍ତି । କଟକ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ତଲାସି ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କାର୍ଯ୍ୟ କରୁଛି ଭିଜିଲାନ୍ସ ଟିମ୍ ।

ଗାଧୋଇବା ବେଳେ ୨ କର୍ମଚାରୀ ବୁଡ଼ିଯିବା ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ଅନ୍ୟଜଣେ ନିଖୋଜ

ସମ୍ବଲପୁର: ହୀରାକୁଦ ଜିରୋପଏଣ୍ଟରେ ଗାଧୋଇବା ବେଳେ ଦୁଇ ଏମ୍.ସି.ଏଲ କର୍ମଚାରୀ ବୁଡ଼ିଯିବା ଘଟଣା । ଦୁଇଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ଏମସିଏଲର ଏକ୍ସାଭେସନ ମ୍ୟାନେଜର ଅଭିଷେକ କୁମାର । ଅନ୍ୟଜଣେ ଏବେବି ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଏମସିଏଲର ମାଇନିଂ ମ୍ୟାନେଜର ମହେଶ ଛିଟୁରୀ ।

ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଦୁଇଟି ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି । ଦୁଇଟି ଦମକଳ ବାହୀନିକୁ ମଧ୍ୟ ରେସ୍କ୍ୟୁ ଅପରେଶନରେ ସାମିଲ କରାଯାଇଛି । ଗତକାଲି ବନ୍ଧୁତ୍ବ ଦିବସରେ ସମ୍ବଲପୁର ଝାଙ୍କରାଣୀ ମନ୍ଦିର ନିକଟ ହୀରାକୁଦର ଜିରୋ ପଏଣ୍ଟରେ ଏମସିଏଲର ୩ କର୍ମଚାରୀ ବୁଡ଼ିଯାଇଥିଲେ । ଜଣେ ପହଁରୀ ପହଁରି କୂଳକୁ ଚାଲିଆସିଥିବା ବେଳେ ଆଜି ସକାଳୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାନୁଯାୟୀ, ବନ୍ଧୁତ୍ୱ ଦିବସରେ ଗତକାଲି ଭୋଜି କରି ଖାଇ ସାରିବା ପରେ ସମସ୍ତେ ଗାଧୋଇବାକୁ ଯାଇଥିଲେ । ବୁର୍ଲା ଝାଙ୍କରାଣୀ ମନ୍ଦିର ନିକଟକୁ ଗାଧୋଇବାକୁ ଯାଇଥିଲେ । ଜଣେ ସାଥି ପାଣିରେ ଭାସିଯିବା ବେଳେ ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ହେଲେ ଅନ୍ୟ ଦୁଇ ଜଣ ମଧ୍ୟ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଡଙ୍ଗା ଦ୍ୱାରା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଯାଇଥିଲେ । ଉଦ୍ଧାର ବ୍ୟକ୍ତି ହେଲେ ଭିନେଶ ରାୟ । କାଲିଠୁ ଖୋଜା ଖୋଜି ଚାଲିଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା କ୍ରିକେଟ: ସ୍ୱର୍ଣ୍ଣ ସ୍ୱପ୍ନ ଭାଙ୍ଗିଲା, ଅଷ୍ଟ୍ରେଲିଆଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ଭାରତୀୟ ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ପାଇଁ ଚଳିତ ସିଜିନରେ ମହିଳା କ୍ରିକେଟକୁ ସ୍ଥାନ ଦିଆଯାଇଛି । ଚଳିତ ସିଜିନର ଫାଇନାଲ ମ୍ୟାଚ୍ ଗତକାଲି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଏଜବାଷ୍ଟନରେ ହୋଇଥିଲା । ସଂଘର୍ଷ କରି ଫାଇନାଲରେ ପହଞ୍ଚିଥିବା ଭାରତୀୟ ମହିଳା ଦଳ ଫାଇନାଲ ମ୍ୟାଚରେ ପରାଜୟର ସାମ୍ନା କରିଛି । ମହିଳା ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ୯ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ପରାଜୟ ସହ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ସ୍ୱପ୍ନ ମଧ୍ୟ ଅଧାରେ ରହିଯାଇଛି । ସେହିପରି ଅଷ୍ଟ୍ରେଲିଆ ସ୍ୱର୍ଣ୍ଣ ଜିତିଛି । ଭାରତକୁ ରୌପ୍ୟରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି ।

ଫାଇନାଲ ସ୍ୱର୍ଣ୍ଣ ମ୍ୟାଚରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୧ ରନ୍ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବେଥ ମୁନୀ ସର୍ବାଧିକ ୬୧ ରନ୍ ଓ ଅଧିନାୟକ ମେଗ ଲାନିଙ୍ଗ ୩୬ ରନ୍ କରିଥିଲେ । ସେହିପରି ଏସଲେଘ ଗାର୍ଡନର ୨୫ ରନ୍ ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ବୋଲର ରେଣୁକା ସିଂହ ଏବଂ ସ୍ନେହ ରାଣା ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଦିପ୍ତୀ ଏବଂ ରାଧା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ ।

ଭାରତ ଆଗରେ ୧୬୨ ରନର ଲକ୍ଷ୍ୟ ରହିଥିଲା । ଭାରତ ଶେଷ ପର୍ଯ୍ୟନ୍ତ ଜିତିବା ପାଇଁ ଲଢ଼ିଥିଲା । ହେଲେ ୨୦ତମ ଓଭର ଚାଲୁଥିବା ବେଳେ ସମସ୍ତ ୱିକେଟର ପତନ ଘଟିଥିଲା । ୧୫୨ ରନରେ ସୀମିତ ରହିଥିବା ମହିଳା ଭାରତୀୟ ଦଳ । ଅଧିନାୟକ ହରମନପ୍ରୀତ କୌର ୬୨ ରନର ଇନିଂସ ଖେଳି ଦଳକୁ ସମ୍ଭାଳିଥିଲେ । ହେଲେ ତାଙ୍କ ସାଥ ଦେବାରେ ଅନ୍ୟ ଖେଳାଳି ସମର୍ଥ ହୋଇନଥିଲେ । ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା । ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମଧ୍ୟ ଏହି ଫାଇନାଲ ମ୍ୟାଚରେ ଭଲ ଆରମ୍ଭ ଦେଇନଥିଲେ ।

 ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନାଙ୍କ ୱିକେଟ୍ ମାତ୍ର ଦୁଇ ଓଭର ଚାଲିଥିବା ବେଳେ ପଡିଥିଲା । ଏହାପରେ ଜେମିମା ରୋଡ୍ରିଗ୍ସ ଓ ଅଧିନାୟକ ହରମନପ୍ରୀତ କୌର ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ । ଏକ ଭଲ ପାର୍ଟନରସିପ୍ କରିଥିଲେ । ହେଲେ ଭାରତ ବିଜୟ ଠାରୁ ମାତ୍ର କିଛି ବାଟ ଦୂର ଥିବା ବେଳେ ରୋଡ୍ରିଗ୍ସ ୩୩ ରନ୍ କରି ଆଉଟ୍ ହୋଇଯାଇଥିଲେ । ୧୧୮ ରନ୍ ଥିବା ବେଳେ ତାଙ୍କ ୱିକେଟ ଯାଇଥିଲା । ଏହାପରେ କୌଣସି ବି ଖେଳାଳି କ୍ରୀଜରେ ଅଧିକ ସମୟ ରହିନଥିଲେ । ୧୯.୩ ଓଭର ଚାଲିଥିବା ବେଳେ ଭାରତ ନିଜର ସମସ୍ତ ୱିକେଟ୍ ହରାଇଥିଲା । ଏଥିସହ ସ୍ୱର୍ଣ୍ଣ ସ୍ୱପ୍ନ ଭାଙ୍ଗିଯାଇଥିଲା । ରୌପ୍ୟରେ ଭାରତୀୟ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଛି ।