spot_img
Home Blog Page 4000

ଧାମରା ବନ୍ଦର ଏବଂ ଆରଡ଼ି ପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରଥମେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଧାମରାରେ ପହଞ୍ଚି ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ଦୁଇସାରିଆ ରାସ୍ତାର ନିର୍ମାଣ କାର୍ଯ୍ୟ, ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ସଡ଼କ ସଂଯୋଗ ପାଇଁ ମନ୍ତେଇ ନଦୀ ସେତୁ କାର୍ଯ୍ୟ, ଭଦ୍ରକ ଧାମରା ରେଳଲାଇନ୍ ଦୋହରୀକରଣ, ଧାମରାଠାରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବାଲିମେଳାଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ, ଧାମରା ବନ୍ଦରରେ ଏଲ୍.ଏନ୍.ଜି. ଗ୍ୟାସ ଟର୍ମିନାଲ ଏବଂ ପାଇପ ଯୋଗେ ରାଜ୍ୟର ବିଭିନ୍ନ ଅଂଚଳକୁ ଗ୍ୟାସ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ଜାମୁଝାଡିରୁ ଧାମରା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅବଶିଷ୍ଟ କାମ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ପୂର୍ବରୁ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ପୁର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ମନ୍ତେଇ ନଦୀସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୨୦୦ ଏକର ଜମି ଏବଂ ଧାମରା ଏୟାର ଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବନ୍ଦରରେ ବାର୍ଷିକ ୫ ନିୟୁତ କ୍ଷମତା ବିଶିଷ୍ଟ ଏଲ୍.ଏନ୍.ଜି. ଗ୍ୟାସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ସନ୍ତୋଷଜନକ ହୋଇଛି । ଏଥିରେ ପ୍ରାୟ ୬୫୦୦ କୋଟି ଟଙ୍କା ବିନିଯୋଗ ହେବ, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ଟର୍ମିନାଲ ଓଡ଼ିଶା ସମେତ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଗ୍ୟାସ୍ ପରିବହନରେ ସହାୟକ ହେବ ।

ପରେ ପରେ ଏହି ଟିମ୍ ଆରଡ଼ିଧାମ ଯାଇ ଆଖଣ୍ଡଳମଣି ମନ୍ଦିର ଏବଂ ଚର୍ତୁପାର୍ଶ୍ୱ ବିକାଶ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ମନ୍ଦିରର ନୂଆ ସିଂହଦ୍ୱାର ନିର୍ମାଣ, ଶ୍ରାବଣମାସରେ ବାବା ଆଖଣ୍ଡଳମଣିଙ୍କ ଜଳାଭିଷେକ ପାଇଁ ଶ୍ରାବଣୀ ମଣ୍ଡପ ନିର୍ମାଣ, ଗଣେଶ ମଣ୍ଡପର ନବୀକରଣ, ଟ୍ରଷ୍ଟ୍ କାର୍ଯ୍ୟାଳୟ, ମନ୍ଦିର ଭିତରୁ ବାହାରକୁ ଜଳ ନିଷ୍କାସନ ବ୍ୟବସ୍ଥା, ମନ୍ଦିର ବେଢ଼ା ଭିତରେ ଖଣ୍ଡାଲାଇଟ୍ ପଥର ଦ୍ୱାରା ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ମନ୍ଦିରର ନୂଆ ପାଚେରୀ ନିର୍ମାଣ, ମନ୍ଦିରର ଚାରିଦିଗସ୍ଥ ଗୁମୁଟର ନବୀକରଣ ଓ ବୃକ୍ଷରୋପଣ ଆଦି କାର୍ଯ୍ୟ ଆରମ୍ଭ କରାଯାଇଛି । ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ଏହିସବୁ କାମ ନଭେମ୍ବର ୩୦ ତାରିଖ ସୁଦ୍ଧା ସାରିବା ପାଇଁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେ ଶ ଦେଇଥିଲେ ।

ପ୍ରକଳ୍ପର ୨ ୟ ପର୍ଯ୍ୟାୟ ପାଇଁ  ମହାପାତ୍ର ଏବଂ  ପାଣ୍ଡିଆନ୍ ମନ୍ଦିରର ସେବାୟତ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ଆରଡ଼ି ମନ୍ଦିରକୁ ସଡ଼କ ସଂଯୋଗ ପାଇଁ ସାଳନ୍ଦୀ ନଦୀ ତିନିତର ଘାଟ ନିକଟରେ ସେତୁ ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈତରଣୀ ନଦୀଉପରେ ପୋଲ ନିର୍ମାଣ ଏବଂ ସେବାୟତମାନଙ୍କର ଅଭାବ ଅସୁବିଧା ଆଦି ବିଷୟ ସେବାୟତମାନେ ଏହି ଟିମ୍ଙ୍କୁ ଜଣାଇଥିଲେ । ଏ ବିଷୟକୁ ସରକାର ସହୃଦୟତାର ସହ ବିଚାର କରି ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ । ପ୍ରସିଦ୍ଧ ଆରଡ଼ିପୀଠର ସର୍ବାଙ୍ଗିନ ବିକାଶ ପାର୍ଇ ୫-ଟି ଶାସନ ସଚିବ ପାଣ୍ଡିଆନ୍ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଗସ୍ତ ସମୟରେ ଭଦ୍ରଖର ଜିଲ୍ଲାପାଳ  ସିଦ୍ଧେଶ୍ୱର ବଳିରାମ ,ଏସ୍.ପି.ଚରଣ ସିଂ ମୀନାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

ଆଖଣ୍ଡଳମଣି ପୀଠର ହେବ ନବକଳେବର

ନନ୍ଦିଘୋଷ ବ୍ୟୁରୋ: ଆଖଣ୍ଡଳମଣି ପୀଠର ହେବ ନବକଳେବର। ଶୈବପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ। ବଦଳିବ ମନ୍ଦିର, ସୁନ୍ଦର ହେବ ପରିସର । ସାଇନ୍ସ ସିଟି, ଶିବଗଙ୍ଗା ପୋଖରୀର ପୁନରୁଦ୍ଧାର। ଆରଡ଼ି ବାବା ଆଖଣ୍ଡଳମଣି ପୀଠରେ ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ। ବିକାଶର ବ୍ଲୁପ୍ରିଣ୍ଟ ନେଇ ସେବାୟତଙ୍କ ସହ ଟିକିନିଖି ଆଲୋଚନା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଓ ପୀଠର ବିକାଶ ପାଇଁ ୨୧ କୋଟି ଟଙ୍କା ଦିଆଯାଇଛି।

ମନ୍ଦିର ପାଇଁ ୬କୋଟି, ସାଇନ୍ସ ସିଟି ପାଇଁ ୬କୋଟି ୬୦ ଲକ୍ଷ, ପାନ୍ଥନିବାସ ପାଇଁ ୩କୋଟି ୫୦ ଲକ୍ଷ, ଦୋକାନ ଘର ପାଇଁ ୪କୋଟି ଟଙ୍କା, ଶିବଗଙ୍ଗା ପୁଷ୍କରଣୀର ପୁନରୁଦ୍ଧାର ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିଲା। ଏସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ । ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ମାଷ୍ଚରପ୍ଲାନ ପ୍ରସ୍ତୁତ ହୋଇଚି । ଏନେଇ ସମୀକ୍ଷା କରି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ।

ପୀଠର ବିକାଶ ଓ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କୁ ଥଇଥାନ ନେଇ ମଧ୍ୟ ଆଲୋଚନା କରାଯାଇଛି। ଯାତ୍ରୀ ବିଶ୍ରାମାଗାର, ଆରଡ଼ି ବସଷ୍ଟାଣ୍ଡର ଉନ୍ନତିକରଣ, ବୈତରଣୀ-ସାଳନ୍ଦୀ ତିନିତର ଘାଟ ଉପରେ ବ୍ରିଜ୍ ନିର୍ମାଣକୁ ଗୁରୁତ୍ବ ଦିଆଯାଇଛି। ଏହାକୁ ସ୍ବାଗତ କରିଛନ୍ତି ସେବାୟତ ଓ ସ୍ଥାନୀୟ ବାସିନ୍ଦା। ମଧ୍ୟାହ୍ନରେ ଧାମରା ବିକାଶ ନେଇ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ। କଇଁଥଖୋଲାରେ ପହଞ୍ଚିବା ପରେ ଜାମୁଝାଡ଼ି-ଧାମରା ରାସ୍ତାକାମର ସମୀକ୍ଷା କରିଛନ୍ତି। କାମ ତ୍ବରାନ୍ବିତ କରି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୭୫୦ଏକର ଜମିରେ ନିର୍ମାଣ ହେବାକୁ ଥିବା ଇଣ୍ଡଷ୍ଟ୍ରି ପାର୍କ ନେଇ ମଧ୍ୟ ସମୀକ୍ଷା ହୋଇଛି। ସେଠାରେ ଶିଳ୍ପ ଅନୁଷ୍ଠାନ ପାଇଁ ଆବଶ୍ୟକ ରାସ୍ତା, ବିଦ୍ୟୁତ, ପାଣି ଆଦି ଆନୁଷଙ୍ଗିକ ସହଯୋଗ ଉପରେ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଦୁଇ ସଚିବ । ଧାମରା ପୋର୍ଟର କମ୍ୟୁନିଟି ହଲରେ ଆଦାନି ପୋର୍ଟର ସିଇଓ ଓ ମ୍ୟାନେଜରଙ୍କ ସହ ଆଲୋଚନା କରିଛନ୍ତି। ପର୍ଯ୍ୟଟନକୁ ଫୋକସ୍ କରି ମନ୍ଦିର ଓ ଧାର୍ମିକ ପୀଠର ବିକାଶ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଶିଷ୍ଟ ଶୈବପୀଠ ଆରଡ଼ିକୁ ପର୍ବପର୍ବାଣୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ପର୍ଯ୍ୟଟକଙ୍କୁ ଆଧ୍ୟାତ୍ମିକ ପରିବେଶରେ ଅନୁଭୁତି ଦେବା ସହ ପୀଠର ଶ୍ରୀ ବୃଦ୍ଧି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର।

କଟକ ଭରତିଆ ଟାୱାରରେ  ବଡ଼ ଧରଣର ଅଗ୍ନିକାଣ୍ଡ

କଟକ: ଭରତିଆ ଟାୱାରରେ  ବଡ଼ ଧରଣର ଅଗ୍ନିକାଣ୍ଡ  ।  ପଞ୍ଚମ ମହଲାରେ ଲାଗିଛି ଭୟଙ୍କର ନିଆଁ  ।  ନିଆଁ ଲାଗିବାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି  ।  ଟାଓ୍ବାରରେ ଶତାଧିକ ଦୋକାନ ରହିଥିବାବେଳେ ଭିତରେ ଲାଗିଛି ନିଆଁ  । ସେପଟେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି  ।

ଗୋଟିଏ ଦମକଳ ବାହିନୀ ନିଆଁ ଲିଭା କାମରେ ନିୟୋଜିତ ରହିଛି  । ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ସୂଚନା ରହୁଛି  । ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି  । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜାଣିବାକୁ ମିଳିଛି  ।

 

ମୋ ବସରେ ଲୁଟ୍ ଘଟଣା: ଦୁଇଜଣଙ୍କୁ ଗିରଫ କଲା ସହିଦନଗର ପୋଲିସ୍

ଭୁବନେଶ୍ୱର: ମୋ ବସରେ ଲୁଟ୍ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ସହିଦନଗର ପୋଲିସ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ସଞ୍ଜୟ ସିଂ, ଗଣେଶ ପ୍ରଧାନ । ଚୋରି ଗ୍ୟାଙ୍ଗର ଏହି ଦୁଇ ଜଣ ଥିଲେ ଲିଡର । ଏମାନଙ୍କ ସହ 6 ରୁ 7 ଜଣ ସାମିଲ ଅଛନ୍ତି । ଏହି ଗ୍ୟାଙ୍ଗ ବିଶେଷ କରି ଭିଡ଼ ଭିତରେ ଯାତ୍ରୀଙ୍କ ପକେଟରୁ ମୋବାଇଲ ଓ ପର୍ସ ଚୋରି କରୁଥିଲେ । ଏହାସହ ତାଲା ପଡ଼ିଥିବା ଘର ଓ ସକାଳୁ ମର୍ଣ୍ଣଂଓ୍ବାକରେ ଯାଉଥିବା ଲୋକଙ୍କୁ କରୁଥିଲେ ଟାର୍ଗେଟ । ଖାଲି ସ୍ଥାନ ଓ ସ୍କୁଲରେ ଏହି ଗ୍ୟାଙ୍କ ରାତି ବିତାଉଥିଲେ ।

ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 15 ଟି ମୋବାଇଲ, ଲ୍ୟାପଟପ୍, ଗୋଟିଏ ସୁନା କାନଫୁଲ ମଧ୍ୟ ଜବତ କରିଛି ପୋଲିସ୍ । ମହିଳା ଓ ଛୋଟ ପିଲାକୁ ବ୍ୟବହାର କରି ଏହି ଗ୍ୟାଙ୍ଗ ଚୋରି କରୁଥିଲେ । ବିଶେଷକରି ଜୟଦେବ ବିହାରରୁ ପଟିଆ ଓ ବରମୁଣ୍ଡାରୁ ରସୁଲଗଡ଼ ରୁଟରେ ଚୋରି କରୁଥିଲେ ଏହି ଗ୍ୟାଙ୍ଗ । ପାର୍ବଣ ଋତୁରେ ସମସ୍ତ ଥାନାକୁ ଆକ୍ଟିଭ କରାଯାଇଛି, ସମସ୍ତ ଥାନା ଆର୍ଲର୍ଟ ଅଛି, ପେଟ୍ରୋଲିଂ କରାଯାଉଛି । ସମସ୍ତ ଦୋକାନ, ସପିଙ୍ଗ ମଲ, ସୁନା ଦୋକାନ ଓ ଗହଳି ସ୍ଥାନ ଉପରେ ପୋଲିସ ନଜର ରଖିଛି ବୋଲି କହିଛନ୍ତି ଡିସିପି ।

ହାଇକୋର୍ଟରେ ମହମ୍ମଦ ମୋକିମଙ୍କ ଆବେଦନ ଖାରଜ

କଟକ: ହାଇକୋର୍ଟରେ କଟକ ବାରବାଟୀ ନିର୍ବାଚନୀ ମାମଲା । ମହମ୍ମଦ ମୋକିମଙ୍କ ଆବେଦନ ଖାରଜ ହୋଇଛି । ନିର୍ବାଚନୀ ମାମଲାକୁ ଖାରଜ କରିବା ପାଇଁ କରିଥିଲେ ଆବେଦନ । ନିର୍ବାଚନୀ ଆବେଦନରେ ଉପଯୁକ୍ତ ଚାଲାଣ ଦାଖଲ କରିନଥିବା ଅଭିଯୋଗ କରିଥିଲେ ମୋକିମ ।

ଅକ୍ଟୋବର ୧୪ରେ ଇସ୍ୟୁ ଫ୍ରେମ ପାଇଁ ଦିନ ଧାର୍ଯ୍ୟ ହୋଇଛି । କେଉଁ ଅଭିଯୋଗ ଆଧାରରେ ମାମଲାର ହେବ ଶୁଣାଣି ତାହା ଇସ୍ୟୁ ଫ୍ରେମରେ ସ୍ଥିର ହେବ । ନିର୍ବାଚନୀ ମାମଲାକୁ ଖାରଜ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ମୋକିମ୍  । ମୋକିମଙ୍କ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି  ।

 

ଗ୍ୟାସ୍ ସିଲିଣ୍ଡର ଖୋଲି ସ୍ତ୍ରୀକୁ ପୋଡ଼ିଦେଲା ସ୍ୱାମୀ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ପୋଡ଼ିଦେଲା ମଦ୍ୟପ ସ୍ବାମୀ । ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ଜଗନ୍ନାଥ ନଗରରେ ଘଟିଛି ଲୋମଟାଙ୍କୁରା ଘଟଣା । ଗ୍ୟାସ୍ ସିଲିଣ୍ଡର ଖୋଲି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ବାମୀ ଜଗନ୍ନାଥ ପ୍ରଧାନ । ସ୍ତ୍ରୀ ପ୍ରଭାତୀ ଗୁରୁତର ଅବସ୍ଥାରେ ଏସସିବିକୁ ସ୍ଥାନାନ୍ତର ହୋଇଛନ୍ତି । ଅଭିଯୋଗ ଅନୁସାରେ ଜଗନ୍ନାଥ ଭୁବନେଶ୍ବରରେ ଅଟୋ ଚଳାନ୍ତି ।

ପ୍ରଭାତୀଙ୍କୁ ସେ ବିବାହ କରିଥିବାବେଳେ ଉଭୟଙ୍କର ଛାଡପତ୍ର ହୋଇଛି । ହେଲେ ବିଭିନ୍ନ ସମୟରେ ନିଶାଗସ୍ତ ହୋଇ ପ୍ରଭାତୀଙ୍କ ଘରେ ପଶି ମାରପିଟ କରୁଥିଲେ ଜଗନ୍ନାଥ । ଗତକାଲି ରାତିରେ ଘରେ ପଶି ଛୋଟ ଝିଅକୁ ମାରିଦେବାକୁ ଧମକ ଦେଇଥିଲେ । ପରେ ପ୍ରଭାତୀୟଙ୍କ ସମ୍ପର୍କୀୟ ପୋଲିସକୁ ଡାକି ଜଗନ୍ନାଥକୁ ହସ୍ତାନ୍ତର କରିଥିଲେ ।

କିନ୍ତୁ ପୋଲିସ ନିକଟରୁ ଖସିଆସି ଘରର କବାଟ ଭାଙ୍ଗି ଗ୍ୟାସ ସିଲିଣ୍ଡରୁ ନିଆଁ ଲଗାଇ ପ୍ରଭାତୀଙ୍କୁ ପୋଡ଼ି ଦେଇଥିଲେ ଜଗନ୍ନାଥ । ପ୍ରଭାତୀଙ୍କୁ ପ୍ରଥମେ କ୍ୟାପିଟା ହସପିଟାଲ ଓ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ମାମଲାରେ ଅଭିଯୁକ୍ତ ଜଗନ୍ନାଥ ଫେରାର ହୋଇଯାଇଛି ।

ପାର୍ବତୀଗିରି ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କଟକ BJD

କଟକ: ବାଙ୍କୀ ଓ ଅନୁଗୁଳରେ ଦୂର ହେବ ଜଳସେଚନ ସମସ୍ୟା । ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ସହଜ ହେବ ଜଳସେଚନ । ପ୍ରକଳ୍ପ ପାଇଁ 466 କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଆସନ୍ତା ତିନି ବର୍ଷ ମଧ୍ୟରେ କାମ ସରିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି କଟକ ଜିଲ୍ଲା ବିଜୁ ଜନତା ଦଳ ।

ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । କେବଳ ଜିଲ୍ଲା ବାଙ୍କୀ ଅଞ୍ଚଳ ପାଇଁ 333 କୋଟି ଟଙ୍କା ମଞ୍ଜୁରୀ କରାଯାଇଛି। ଏହି ମେଗା ପ୍ରକଳ୍ପ ଦ୍ୱାରା ବାଙ୍କୀ ସମେତ ବାରଙ୍ଗ ଓ ଡ଼ମପଡା ଅଞ୍ଚଳର ହଜାର ହଜାର ଚାଷଜମି ଜଳସେଚିତ ହେବ । ପ୍ରାୟ 9ହଜାର ହେକ୍ଟର ଜମି ଜଳସେଚିତ ହେବ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

ନିର୍ଦ୍ୱନ୍ଦରେ ହକି ଇଣ୍ଡିଆ ସଭାପତି ହେଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର: ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ  । ପ୍ରଥମ ଥର ହକି ଇଣ୍ଡିଆ ସଭାପତି ହୋଇଛନ୍ତି ଓଡ଼ିଆ ତାରକା ଦିଲ୍ଲୀପ ତିର୍କୀ । ନିର୍ଦ୍ୱନ୍ଦ୍ୱରେ ଦିଲିପ ତିର୍କୀ ସଭାପତି ଭାବେ ମନୋନୀତ ହୋଇଛନ୍ତି  ।   ପୂର୍ବତନ ହକି ଅଧିନାୟକ ଦିଲିପ ତିର୍କି ୧୮ ତାରିଖରେ ନୋମିନେସନ ଦାଖଲ କରିଥିଲେ  ।  ଅକ୍ଟୋବର ୧ତାରିଖରେ  ହକି ଇଣ୍ଡିଆ ସଭାପତି ନିର୍ବାଚନ ଥିବାବେଳେ ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି  ।

ସେପଟେ ପ୍ରଥମ ଥର ପାଇଁ ହକି ଇଣ୍ଡିଆ ସଭାପତି ଭାବେ ଦିଲ୍ଲୀପ ତିର୍କୀ  ନିର୍ବାଚିତ ହେବାପରେ ଖୁସି ପ୍ରକଟ କରିଛନ୍ତି  । ସେ କହିଛନ୍ତି ଭାରତୀୟ ହକିକୁ ଶୀର୍ଷ ସ୍ତରରେ ପହଁଚାଇବା ମୋର ଲକ୍ଷ୍ୟ  । ତେଣୁ ଯଥା ସମ୍ଭବ ଦଳକୁ ଆଗକୁ ନେବାକୁ ପ୍ରୟାସ କରିବି ବୋଲି କହିଛନ୍ତି ଦିଲ୍ଲୀପ ତିର୍କି  । ଓଡିଶା ମାଟିର ପୁଅ ଦିଲ୍ଲିପ ତିର୍କିଙ୍କୁ ନେଇ ସମଗ୍ର ଓଡ଼ିଶା ଗୌରବାନ୍ୱୀତ  ।

ଦିଲ୍ଲୀପ ତିର୍କୀ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି । ସେପଟେ ବର୍ତ୍ତମାନ ହକି ଇଣ୍ଡିଆର ସଭାପତି ରହିଛନ୍ତି ନରିନ୍ଦର ବାତ୍ରା  । ତାଙ୍କର କାର୍ଯ୍ୟକାଳ ଖୁବ ଶୀଘ୍ର ସରୁଥିବାବେଳେ ଦିଲ୍ଲିପ ତିର୍କି ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ  । ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ହକି ଇଣ୍ଡିଆ ସଭାପତି ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ   । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ  । ଫଳରେ  ଦିଲ୍ଲୀପ ତିର୍କୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି  ।

 

ବଦଳିବ ଧାମରା ଚିତ୍ର, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ

ଭଦ୍ରକ: ଫୋକସରେ ଧାମରା ବିକାଶ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପ୍ରସ୍ତାବିତ ବାଲିମୁଣ୍ଡା ଏୟାର ଷ୍ଟ୍ରିପ୍‌ ଓ କଇଁଥଖୋଲା ଶିଳ୍ପାଞ୍ଚଳ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।

ସେହିପରି ଏଲଏନ୍‌ଜି ଟର୍ମିନାଲ ବୁଲି ଦେଖିବା ପରେ କମ୍ୟୁନିଟି ସେଣ୍ଟରରେ ପହଞ୍ଚିଛନ୍ତି ଫାଇଭ-ଟି ସଚିବ । ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଇରାନରେ ଜଳୁଛି ହିଜାବ ବିରୋଧୀ ନିଆଁ; ପ୍ରାଣ ହରାଇଲେଣି ୩୧ ନାଗରିକ

ତେହରାନ: ଇରାନରେ ଜଳୁଛି ହିଜାବ ବିରୋଧୀ ନିଆଁ। ଦେଶର ଅଧିକାଂଶ ସ୍ଥାନରେ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଥିବାବେଳେ ପ୍ରାଣ ହରାଇଲେଣି ୩୧ ନାଗରିକ । ଆନ୍ଦୋଳନକୁ ନିୟନ୍ତ୍ରଣକୁ ଆଣିବା ଲାଗି ବିଭିନ୍ନ ସ୍ଥାନରେ ଇଣ୍ଟରନେଟ ସେବା ରଦ୍ଦ କରାଯାଇଛି। ପାଲିସ ହେପାଜତରେ ଥିବାବେଳେ ମହସା ଆମିନି ନାମ୍ନୀ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଇରାନରେ ବଢ଼ିଚାଲିଛି ହିଜାବ ବିରୋଧୀ ଆନ୍ଦୋଳନ। ଇସଲାମିକ ଡ୍ରେସ କୋଡକୁ ଉଲ୍ଲଂଘନ କରିଥିବାରୁ ଇରାନ ପୋଲିସ ୨୩ ବର୍ଷ ବୟସ୍କା ମହସା ଆମିନିଙ୍କୁ ଅଟକ ରଖିଥିଲା। ତେବେ ପୋଲିସ ହେପାଜତରେ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସର୍ବସାଧାରଣରେ ଆନ୍ଦୋଳନକାରୀ ମହିଳା ହିଜାବ ପୋଡିବା ସହ ନିଜର କେଶ କାଟିବା ଦେଖାଯାଉଛି। ୩୦ରୁ ଅଧିକ ସହରରେ ଆନ୍ଦୋଳନ ତୀବ୍ର ହୋଇଥିବାବେଳେ ୬ ଦିନ ଧରି ପ୍ରତିବାଦ ଥମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ସେପଟେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ଇଚ୍ଛା ପ୍ରକାଶ କରିବାର ଅଧିକାରକୁ ସମର୍ଥନ ଜଣାଇଥିବାବେଳେ ହିଜାବ ବିରୋଧୀ ଆନ୍ଦୋଳନକୁ ସମାଲୋଚନା କରିଛନ୍ତି। ଆନ୍ଦୋଳନକୁ ଦବାଇବା ଲାଗି ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ସେବା ଉପରେ କଟକଣା ଲଗାଯାଇଛି । ତେଣେ ଆନ୍ଦୋଳନକୁ ବିରୋଧୀଙ୍କ ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି ଇରାନର ଶକ୍ତିଶାଳୀ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ। ସେପଟେ ଆମେରିକାର ଜଣେ ସାମ୍ବାଦିକା ହିଜାବ ପିନ୍ଧିବାକୁ ଅଗ୍ରାହ୍ୟ କରିବାରୁ ସାକ୍ଷାତକାର କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ।