spot_img
Home Blog Page 4121

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା, ପଞ୍ଚମ ଥର ଜେରାର ସମ୍ମୁଖୀନ ହେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା । ପଞ୍ଚମ ଥର ଜେରାର ସମ୍ମୁଖୀନ କଂଗ୍ରେସ ନେତା ରାହୁଲ ଗାନ୍ଧି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଆଜି ରାହୁଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ । ଇଡି ଅଧିକାରୀଙ୍କ ବିଭିନ୍ନ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ରାହୁଲ । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ ଚତୁର୍ଥ ଥର ଲାଗି ହାଜର ହୋଇଥିଲେ ରାହୁଲ । ରାହୁଲଙ୍କ ଜେରା ଏବଂ ଦଳୀୟ କର୍ମୀ ଓ ନେତାଙ୍କ ଉପରେ ପୋଲିସର ବଳପ୍ରୟୋଗକୁ ବିରୋଧ କରିଆସୁଛି କଂଗ୍ରେସ । ଗତକାଲି ଏନେଇ ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କଠାରେ ଫେରାଦ ହୋଇଥିଲେ । ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ରାହୁଲଙ୍କ ବୟାନ ରେକର୍ଡ କରାଯାଇଥିଲା । ରାହୁଲ ପ୍ରସଙ୍ଗ ନେଇ ଆଜି ମଧ୍ୟ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି । ଆସନ୍ତା ୨୩ରେ ଇଡିରେ ହାଜର ହେବାକୁ ସୋନିଆ ଗାନ୍ଧିଙ୍କୁ ବି ସମନ ଜାରି କରିସାରିଛି ଇଡି ।

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ବିଦ୍ରୋହୀଙ୍କୁ ମନାଇବାରେ ଶିବସେନା ବିଫଳ !

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି  । ମହାବିକାଶ ଅଘାଡି ମେଣ୍ଟ ସରକାର ଭାଙ୍ଗିବା ନେଇ ଚର୍ଚ୍ଚା ଜୋର ଧରିଛି  । ବିଦ୍ରୋହୀ ମନ୍ତ୍ରୀ ଏକନାଥ ସିନ୍ଦେ ୨୦ରୁ ଉର୍ଦ୍ଧ୍ବ ବିଧାୟକଙ୍କୁ ନେଇ ଗୁଜୁରାଟର ସୁରୁଟର ଏକ ହୋଟେଲରେ ରହିଛନ୍ତି  । ବିଧାୟକଙ୍କ ବିଦ୍ରୋହ ପରେ ସରକାର ଭାଙ୍ଗିବା ସମ୍ଭାବନା ବଢିଯାଇଛି  ।

ଏପଟେ ଶିବସେନା ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଙ୍କଟକୁ ନେଇ କରିଥିବା ବୈଠକରେ କେବଳ ୨୦ ବିଧାୟକ ସାମିଲ ଥିଲେ  । ୩୫ ବିଧାୟକଙ୍କ ଅନୁପସ୍ଥିତି ସରକାର ଭାଙ୍ଗିବା ଆଶଙ୍କାକୁ ବଢାଇ ଦେଇଛି  । ବିଦ୍ରୋହୀଙ୍କୁ ମନାଇବା ପାଇଁ ମିଲିନ୍ଦ ନାର୍ବେକରଙ୍କ ସହ ଜଣେ ଶିବସେନା ନେତା ସୁରଟ ହୋଟେଲ ଯାଇଥିଲେ  । ବିଦ୍ରୋହୀ ବିଧାୟକଙ୍କ ସହ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ହେଲେ କିଛି ସୁଫଳ ମିଳିନଥିଲା  । ପରେ ଖାଲି ହାତରେ ଦୁଇ ନେତା ମୁମ୍ବାଇ ଫେଆସିଥିଲା । ଆଲୋଚନା ସମୟରେ ଏକନାଥ ସିନ୍ଧେଙ୍କ ସହ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଫୋନରେ କଥା କରାଇଥିଲେ  । ପ୍ରାୟ ୨୦ ମିନିଟ୍ କଥାବାର୍ତ୍ତା ଚାଲିଥିଲା  । ୩୫ ବିଧାୟକ ତାଙ୍କ ସହ ଥିବା ଦାବି କରିଥିଲେ ସିନ୍ଦେ । ଏକନାଥ ସିନ୍ଦେ ବିଜେପି ସହ ମେଣ୍ଟ ସରକାର କରିବା ପାଇଁ ସର୍ତ୍ତ ରଖିଥିଲେ  । ଠାକରେ କିନ୍ତୁ ଏହି ସର୍ତ୍ତକୁ ପ୍ରତ୍ୟାକ୍ଷାନ କରିଥିବା ବିଶେଷ ସୂତ୍ରରୁ ସୂଚନା  ।

ଏପଟେ ଶିବସେନା ନେତା ସଞ୍ଜୟ ରାଉତ ଏପରି ସ୍ଥିତି ପାଇଁ ସିଧାସଳକ ବିଜେପିକୁ ଦାୟୀ କରିଛି  । ସେ କହିଛନ୍ତି ସରକାର ଭାଙ୍ଗିବା ପାଇଁ ବିଧାୟକଙ୍କୁ ବନ୍ଧକ ରଖିଛି ବିଜେପି  । ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ଅପରେସନ ଲୋଟସ୍ ଚଳାଇଛି ବିଜେପି  । ବିଜେପି ତାର ହୀନ ରାଜନୀତିରେ ସଫଳ ହେବ ନାହିଁ ବୋଲି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି  । କିଛି ଘଣ୍ଟା ପୂର୍ବରୁ ବିଦ୍ରୋହୀ ମନ୍ତ୍ରୀ ଏକନାଥଙ୍କୁ ମୁଖ୍ୟ ସଚେତକ ପଦରୁ ବହିସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ଠାକରେ  । ବହିସ୍କୃତ ପରେ ଏକନାଥ ଟ୍ବିଟ କରି ସଫେଇ ଦେଇଥିଲେ  । ସେ କହିଥିଲେ ଆମେ ବାଲାସାହେବ ଠାକରେଙ୍କ ସଚ୍ଚା ସୈନିକ  । ତାଙ୍କ ନୀତି ଆଦର୍ଶକୁ କେବେ ବି ଭୁଲିବୁନି  । କ୍ଷମତା ପାଇଁ ବିଶ୍ବାସଘାତ କରିବୁ ନାହିଁ  । ଶିବସେନାର ହିନ୍ଦୁତ୍ବର ମୂଳ ଧାରାକୁ ବଜାୟ ରଖିବୁ  ।

ଏପଟେ ଏନସିପି ଓ କଂଗ୍ରେସ ଦଳ ସଂକଟକୁ ନେଇ ବୈଠକ କରିଛନ୍ତି  । ସେମାନେ କହିଛନ୍ତି ଏହା ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର  । ମେଣ୍ଟରେ କୌଣସି ପ୍ରକାର ମତଭେଦ ନାହିଁ  । ସ୍ଥିତି ନିୟନ୍ତ୍ରଣ ପାଇଁ ଶିବସେନାର ସମସ୍ତ ପଦକ୍ଷେପ ସହ ସହମତ ବୋଲି ସୂଚନା ଦେଇଛନ୍ତି  । ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ସିନ୍ଦେ ଓ ସମର୍ଥକଙ୍କ ଉପରେ କ୍ରସ ଭୋଟିଂ ସନ୍ଦେହ ହୋଇଥିଲା । ଏହାପରେ ସିନ୍ଦେ ସମର୍ଥକଙ୍କ ସହ ବିଜେପି ଶାସିତ ଗୁଜୁରାଟ ଚାଲିଯାଇଥିଲେ  । ବିଧାନ ପରିଷଦ ନିର୍ବାଚନରେ ୧୦ ଆସନରୁ ମେଣ୍ଟ ସରକାରକୁ ୫ ଆସନରେ ବିଜୟ ମିଳିଥିବା ବେଳେ ବିଜେପିକୁ ୫ ଆସନ ମିଳିଥିଲା  ।

ପଶ୍ଚିମବଙ୍ଗରେ ଲ୍ୟାଣ୍ଡ ସ୍ଲାଇଡ, ପ୍ରବଳ ବର୍ଷା ଯୋଗୁ ଧସିଲା ପାହାଡ଼

କୋଲକାତା: ପଶ୍ଚିମବଙ୍ଗରେ ଲ୍ୟାଣ୍ଡ ସ୍ଲାଇଡ । ପ୍ରବଳ ବର୍ଷା ଯୋଗୁଁ ଧସିଲା ପାହାଡ଼ । ଅତିପ୍ରବଳ ବର୍ଷା ସହ ଲ୍ୟାଣ୍ଡ ସ୍ଲାଇଡ ଯୋଗୁ ପଶ୍ଚିମବଙ୍ଗରେ ଗମ୍ଭୀର ସ୍ଥିତି ଉପୁଜିଛି । ପଶ୍ଚିମବଙ୍ଗ ଜଳପାଇଗୁଡ଼ି ଜିଲ୍ଲାର ଚାଷ ବଗାନ ରାସ୍ତାରେ ଥିବା ଏକ ପାହାଡ଼ ଧସି ଯାଇଛି । ଅତିପ୍ରବଳ ବର୍ଷା ଯୋଗୁ ପାହାଡ଼ ଉପରି ଭାଗରୁ ଏକ ବିରାଟ ଅତଡ଼ା ଖସି ରାସ୍ତା ଉପରେ ଜମା ହୋଇଛି । ରାସ୍ତା ଜାମ ଯୋଗୁ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ମୋଟର ଅଟକି ରହିଛି । ସେପଟେ ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇଛି ଜଳପାଇଗୁଡ଼ି ଜିଲ୍ଲା । ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ତଳିଆ ଅଞ୍ଚଳଗୁଡ଼ିକରେ ବର୍ଷା ପାଣିଜମି ରହିଛି ।

ହସ୍ପିଟାଲ ବେଡରୁ ଉଠି ତଳେ ପାଦ ରଖିଲା ରାହୁଲ, ଡାକ୍ତର କହିଲେ, ରାହୁଲ ଏବେ ବିପଦମୁକ୍ତ

ବିଳାସପୁର: ଚାଲିଲା ରାହୁଲ  । ୫ଦିନର ଚିକିତ୍ସା ପରେ ମେଡିକାଲ ବେଡରୁ ତଳକୁ ଓହ୍ଲାଇଛି ରାହୁଲ । ଡାକ୍ତର ହାତ ଧରି ଠିଆ ହେବା ସହିତ ଚେୟାରରେ ବସିଛି । ଗତକାଲି ମୋବାଇଲ ଧରିବାକୁ ବେଡରୁ ଉଠିଥିଲା ରାହୁଲ । ଆଜି ତା’ର ଚାଲିବା ଭିଡିଓ ସାମ୍ନାକୁ ଆସିଛି । ବୋରଓ୍ବେଲରୁ ଉଦ୍ଧାର ପରେ ବିଳାସପୁର ଆପୋଲ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ଗାତରୁ ବାହାରିବା ପରେ ଧୀରେଧୀରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ହେଉଛି ରାହୁଲ । ଏବେ ତା’ର ସଂକ୍ରମଣ କମିଛି । ଆସନ୍ତାକାଲିଠୁ ତାକୁ ଇଞ୍ଜେକ୍ସନ ଦେବା ବନ୍ଦ କରାଯିବ । ତେବେ ଫିଜିଓଥେରାପି ଓ ଏକ୍ସରସାଇଜ୍ ଜାରି ରହିଛି । ଏବେ ରାହୁଲ ବିପଦମୁକ୍ତ ଥିବା କହିଛନ୍ତି ଡାକ୍ତର । ଆସନ୍ତା ୩- ୪ଦିନ ପର୍ଯ୍ୟନ୍ତ ହସପିଟାଲରେ ତା’ର ଚିକିତ୍ସା ଜାରି ରହିବ  । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଘରକୁ ପଠାଇଦିଆଯିବ ବୋଲି ଡାକ୍ତର କହିଛନ୍ତି ।

 

ଏମପିପିଏସସି ପରୀକ୍ଷା: କାଶ୍ମୀର ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ଘନାଉଛି ବିବାଦ

ଭୋପାଳ: ମଧ୍ୟପ୍ରଦେଶ ଲୋକସେବା ଆୟୋଗ (ଏମପିପିଏସସି) ପରୀକ୍ଷାରେ ଆପତ୍ତିଜନକ ପ୍ରଶ୍ନକୁ ନେଇ ବିବାଦ। କାଶ୍ମୀରକୁ ନେଇ ବିବାଦୀୟ ପ୍ରଶ୍ନ ପଚରାଯିବାକୁ ନେଇ ବିବାଦ ଘନେଇଛି। ସୂଚନା ମୁତାବକ ୧୯ଜୁନରେ ହୋଇଥିବା ମଧ୍ଯପ୍ରଦେଶ ଲୋକସେବା ଆୟୋଗ ପରୀକ୍ଷାରେ ପ୍ରଶ୍ନ ପଚରାଯାଇଥିଲା,  କଣ ଭାରତ ପାକିସ୍ତାନକୁ କାଶ୍ମୀର ଦେଇଦେବା ନିଷ୍ପତ୍ତି ନେବା ଉଚିତ? ବିରୋଧୀ କଂଗ୍ରେସ ଏହି ମାମଲାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛି  । କଂଗ୍ରେସ କହିଛି ରାଜ୍ୟର ସବୁଠୁ ବଡ ପରୀକ୍ଷାରେ ଏପରି ତ୍ରୁଟି ଅତ୍ୟନ୍ତ ଦୁର୍ଭାଗ୍ୟଜନକ  । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ଉପରେ ଦେଶଦ୍ରୋହ ମାମଲା ଲଗାଇବା ପାଇଁ କଂଗ୍ରେସ ଦାବି କରିଛି  ।

ସେହିପରି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି  । ଅନ୍ଯପକ୍ଷରେ ବିବାଧ ଘନେଇବା ପରେ ଏମପିପିଏସସି ଅଧ୍ୟକ୍ଷ ଡା. ରାକେଶ ଲାଲ ମେହରା କହିଛନ୍ତି ବିବାଦୀୟ ପ୍ରଶ୍ନର ନମ୍ବର ଗଣତି ହେବ ନାହିଁ  । ଏମପି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ ଏହି ପ୍ରଶ୍ନକୁ ଆପତ୍ତିଜନକ ସ୍ବୀକାର କରିଛନ୍ତି  । ପେପର ପ୍ରସ୍ତୁତ କରିଥିବା ଦୁଇ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି  । ଅନ୍ୟପକ୍ଷରେ କଂଗ୍ରେସ ନେତା ଭୁପେନ୍ଦ୍ର ଗୁପ୍ତା କହିଛନ୍ତି ସରକାର ଉତ୍ତର ଦିଅନ୍ତୁ ଯେ ଏଭଳି ଦେଶଦ୍ରୋହୀ ପ୍ରଶ୍ନ ପଛରେ ଲୋକସେବା ଆୟୋଗର କଣ ଏଜେଣ୍ଡା ରହିଛି ।

ଏମପିପିଏସସି ଅଧ୍ୟକ୍ଷ କହିଛନ୍ତି ଏହି ଆପତ୍ତିଜନକ ପ୍ରଶ୍ନକୁ ପେପରରୁ ଡିଲେଟ କରିଦିଆଯାଇଛି  । ପେପର ପ୍ରସ୍ତୁତ କରିଥିବା ଏକ୍ସପର୍ଟ ଏବଂ ମଡରେଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ଏମାନଙ୍କୁ ଆଗକୁ କେବେବି କାର୍ଯ୍ୟ କରିବାକୁ ସୁଯୋଗ ମିଳିବ ନାହିଁ  । ଅଧ୍ୟକ୍ଷ ଆଗକୁ ସୂଚନା ଦେଇ କହିଛନ୍ତି ପ୍ରଥମେ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ପେପର ତିଆରି କରିଥାନ୍ତି  । ଏହାପରେ ମଡରେଟର ସେହି ପ୍ରଶ୍ନ ପତ୍ରର ନୀରିକ୍ଷଣ କରିଥାନ୍ତି  । ଏହାପରେ ସିଲ୍ ବନ୍ଦ କରାଯାଇ ପେପରକୁ ସିଧା ପ୍ରିଣ୍ଟିଂ ପାଇଁ ପଠାଯାଇଥାଏ  । ଏଥିରେ ଅଧ୍ୟକ୍ଷ ଏବଂ କଣ୍ଟ୍ରୋଲରଙ୍କ ଦଖଲ ନଥାଏ  । ଏହି ଦୁଇ ଜଣଙ୍କ ନାଁ ଗୋପନ ରଖାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ  । ତେବେ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଜଣଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ମଧ୍ୟପ୍ରଦେଶରେ  ।

ପୁଣି ଭାଇରାଲ ହେଲା କାଚା ବାଦାମ, ମନମୁଗ୍ଧ କଲା ବଂଶୀ ଭର୍ସନ

ଭୁବନେଶ୍ବର: କିଛି ଦିନ ତଳେ ଖୁବ୍ ଭାଇରାଲ ହୋଇଥିଲା କାଚା ବାଦାମ ଗୀତ । ଏହି ଗୀତରେ ସୋସିଆଲ ମିଡିଆ ୟୁଜର୍ ଖୁବ୍ ରିଲ୍ସ କରି ମଜା ନେଇଥିଲେ । ପ୍ରତି ଫେନରେ ଥିଲା କାଚା ବାଦାମ ଗୀତର ରିଲ୍ସ । ପଶ୍ଚିମବଙ୍ଗର ଏକ ବାଦାମ ବିକାଳୀଙ୍କ ମୁହଁରୁ ବାହାରିଥିବା ଗୀତ ମାତ୍ର କିଛି ସମୟରେ ସାରା ଭାରତରେ ଭାଇରାଲ ହୋଇଯାଇଥିଲା ।

ଭୂବନ ବାଦ୍ୟକାରଙ୍କୁ ବିଲକୁଲ ଜଣା ବି ନଥିଲା ଯେ, ବାଦାମ ବିକ୍ରି ପାଇଁ ସେ ଗାଉଥିବା ଗୀତ ମାତ୍ର କେଇ ମିନିଟରେ ଭାଇରାଲ ହୋଇଯିବ । ଆମେ ଏବେ ତାଙ୍କ କଥା ଏଥିପାଇଁ କହୁଛୁ ଯେ, ଏବେ ପୁଣି କାଚା ବାଦାମ ଗୀତ ଭାଇରାଲ ହୋଇଛି । ଆଉ ଏହା ପଶ୍ଚିମବଙ୍ଗରେ ନ ହୋଇ ଆମ ରାଜ୍ୟରେ ହୋଇଥିବା ଜଣା ପଡ଼ିଛି ।

ପୁରୀର ଜଣେ ବଂଶୀ ବାଦକ କାଚା ବାଦାମ ଗୀତରେ ବଂଶୀ ବଜାଉଛନ୍ତି । ଆଉ ଏହି ଗୀତ ଶୁଣିବାକୁ ବି ବହୁତ ଭଲ ଲାଗୁଛି । ଭାଇରାଲ ହେଉଥିବା ଏହି ଭିଡିଓରେ ପୁରୀର ଜଣେ ବ୍ୟକ୍ତି ନିଜ ବଂଶୀ ପ୍ରତି ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ କାଚା ବାଦାମ ଗୀତରେ ବଂଶୀ ବଜାଉଛନ୍ତି ।

ଏହି ଭିଡିଓକୁ ଜଣେ ଟ୍ବିଟର ୟୁଜର ତାଙ୍କ ପେଜରେ ପୋଷ୍ଟ କରିଛନ୍ତି । ଏହି ଧୁନ୍ ଶୁଣିବା ପରେ ଅନେକ ୟୁଜରଙ୍କର ମନମୁଗ୍ଧ ହୋଇଯାଇଛି । ଭିଡିଓ ଦେଖି ସାରିବା ପରେ ବଂଶୀ ବାଦକଙ୍କୁ ଖୁବ୍ ପ୍ରଶଂସା ମିଳିଛି ।

ନୂଆପଡ଼ାରେ ପୁଣି ମାଓ ହମଲା

ନୂଆପଡା: ପୁଣି ନୂଆପଡ଼ାରେ ଲାଲବାହିନୀଙ୍କ ଆତଙ୍କ  । ସିଆରପିଏଫ୍ ଯବାନଙ୍କ ଉପରକୁ ଆକ୍ରମଣ  । ୩ ଯବାନ ଶହୀଦ ହୋଇଥିବା ସୂଚନା  । ସୂଚନାନୁଯାୟୀ, ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ପlଟଧରା ସଂରକ୍ଷିତ ଜଙ୍ଗଲରେ ଘଟିଛି ଘଟଣା । ପାଟଧରା କ୍ୟାମ୍ପକୁ ଯାଉଥିବା ବେଳେ ୨୧୬ ବାଟାଲିୟନର ୧୯ ନମ୍ବର ଟିମର ଯବାନଙ୍କ ଉପରକୁ ମାଓବାଦୀ ଆତର୍କିତ ଗୁଳି ମାଡ଼ କରିଥିଲେ  । ଯବାନଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା  । ହେଲେ ଗୁଳିବିନିମୟରେ ତିନି ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା କରାଯାଉଛି  ।

ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ ଯବାନମାନେ ହେଲେ ଏଏସଆଇ ଶିଶୁପାଳ ସିଂ, ଏଏସଆଇ ଶିବଲାଲ୍, କନେଷ୍ଟବଳ ଧର୍ମେନ୍ଦ୍ର ସିଂ  । ଘଟଣା ସ୍ଥଳରେ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡା ଆରକ୍ଷୀ ଅଧିକ୍ଷକ ପହଞ୍ଚିଛନ୍ତି  । ଅତିରିକ୍ତ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିବା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି  । ମାଓବାଦୀ ଅଞ୍ଚଳରୁ ହଟିବା ଯାଏ ପୋଲିସ ଅପରେସନ ଚାଲିବ ବୋଲି ସୂଚନା ଦେଇଛନ୍ତି ନୂଆପଡ଼ା ଏସପି  । ଶହୀଦ ୩ ଯବାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି  । ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର  । ଶହୀଦଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ  ।

ରୋମରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ରୋମ୍: ବିଶ୍ୱର ସର୍ବ ପୂରାତନ ସହର ରୋମରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ନବୀନ ରୋମରେ ମହାତ୍ମାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶାସନ ଓ ପ୍ରଶାସନରେ ଗାନ୍ଧୀବାଦକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ୨୦୧୮ରୁ ସମ୍ବିଧାନର ମୁଖବନ୍ଧରେ ମହାତ୍ମାଙ୍କ ଅହିଂସାକୁ ସ୍ଥାନୀତ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ପ୍ରଥମ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ । ଏହା ଜାତିର ପିତାଙ୍କ ପ୍ରତି ତାଙ୍କ ୧୫୦ ତମ ଜୟନ୍ତୀରେ ଶ୍ରେଷ୍ଠ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମହାତ୍ମାଙ୍କ ଉକ୍ତିକୁ ଆଧାର କରି ଶାନ୍ତି ବିନା ପ୍ରଗତି ସମ୍ଭବ ନୁହେଁ ବୋଲି କହିଥିଲେ । ସେହିଭଳି ସମାଜର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶୃତିବଦ୍ଧ । ନିସ୍ବାର୍ଥପର ଭାବେ ସମାଜର ଗରିବଗୁରୁବାଙ୍କ ପାଇଁ କାର୍ଯ୍ୟ କରିବାକୁ ଗାନ୍ଧୀଙ୍କ ଏହି ପରଶମଣୀକୁ ନବୀନ ଲୋକସେବା ଭବନରେ ମଧ୍ୟ ସ୍ଥାନୀତ କରିଛନ୍ତି । ଗାନ୍ଧୀ ଜୟନ୍ତୀରେ ରାଜ୍ୟର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀଙ୍କ ଉପସ୍ଥିତିରେ ଏହି ପରଶମଣୀକୁ ଲୋକସେବା ଭବନରେ ସ୍ଥାନୀତ କରାଯାଇଛି । ଏହା ଗରିବଗୁରୁବା ପାଇଁ ନିର୍ସ୍ବାର୍ଥପର ଭାବେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।

ଅନୁଭବଙ୍କ ଘରେ ରହିବେ ବର୍ଷା ପ୍ରିୟଦର୍ଶିନୀ

କଟକ: ଅନୁଭବ-ବର୍ଷା ପରିବାରିକ ବିବାଦ ମାମଲାରେ ଅନୁଭବଙ୍କୁ ଝଟକା । ଅନୁଭବଙ୍କୁ ଜିଲ୍ଲା ଦୌରାଜଜଙ୍କ ଝଟକା । ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ ରୋକ । SDJMଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଦୌରାଜଜଙ୍କ ଅନ୍ତରୀଣ ରୋକ୍ । ଅନୁଭବ ମହାନ୍ତିଙ୍କ ଘର ଛାଡ଼ି ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ SDJM କୋର୍ଟ । ଘର ଭଡ଼ା ବାବଦକୁ ଅନୁଭବ ୩୦ ହଜାର ଟଙ୍କା ଦେବାକୁ କହିଥିଲେ କୋର୍ଟ । ତେବେ SDJM କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି କଟକ ଜିଲ୍ଲା ଦୌରାଜଜ । ଏହି ମାମଲାରେ ପରବର୍ତ୍ତି ଶୁଣାଣି ଜୁଲାଇ ୪ ତାରିଖରେ ହେବ ।

ପାଣିପାଗ ବିଭାଗର ଅନୁମାନ, ଆସନ୍ତା ୨୭ ତାରିଖ ପରେ ରାଜ୍ୟରୁ ଗାଏବ ହୋଇଯିବ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ପରେ ରାଜ୍ୟରୁ ଗାଏବ ହୋଇଯିବ ବର୍ଷା । ଆରବ ସାଗରରୁ ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଶକ୍ତ ନ ହେବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । କାରଣ କେରଳ ଛୁଇଁବା ପରେ ମୌସୁମୀ ଦୁର୍ବଳ ହୋଇଥିଲା । ଜୁନ୍ ୧୬ ତାରିଖରେ ଦକ୍ଷିଣ ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ୪ ଦିନ ପର୍ଯ୍ୟନ୍ତ ଆଗକୁ ବଢିପାରି ନଥିଲା । ଗତକାଲି ସଂପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିଲା ।

କିନ୍ତୁ ଆଜି ସକାଳୁ ଆକାଶରୁ ଗାଏବ ହୋଇଯାଇଥିଲା ବାଦଲ । ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ କେବଳ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ନବରଙ୍ଗପୁରରେ ବର୍ଷା ହୋଇଛି । ତେବେ ସନ୍ଧ୍ୟା ସମୟରେ ବାୟୁମଣ୍ଡଳରେ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ବାଷ୍ପିଭୂତ ହୋଇ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢ଼ିବ । ପରେ ମୌସୁମୀ ଦୁର୍ବଳ ହେବା ସହ ବର୍ଷା ଗାଏବ ହୋଇଯିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରେ ସକ୍ରିୟ ହୋଇ ନଥିବାରୁ ମୌସୁମୀ ଟ୍ରପ ଲାଇନ୍ ଏବେ ସକ୍ରିୟ ନାହିଁ । ତେଣୁ ମୌସୁମୀ ସକ୍ରିୟ ଥିଲେ ମଧ୍ୟ ଓଡ଼ିଶାରେ ଏବେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ ୬୦ ରୁ ୯୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲାରେ ସ୍ଥିତି ସଂଙ୍ଗୀନ ରହିଛି । ପୁରୀରେ ସ୍ୱାଭାବିକଠାରୁ ୯୩ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜଗତସିଂହପୁରରେ ୯୨ ପ୍ରତିଶତ, ଖୋର୍ଦ୍ଧାରେ ୭୯ ପ୍ରତିଶତ, କେନ୍ଦ୍ରାପଡାରେ ୭୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉତ୍ତର ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କିଛି ନିଅଣ୍ଟିଆ ଭରଣ ହେବାର ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । କିନ୍ତୁ ସଂପୂର୍ଣ୍ଣ ଭରଣ ହେବା ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।