spot_img
Home Blog Page 4126

ଭାରତ ବନ୍ଦର ଭୟଙ୍କର ଚିତ୍ର, ଘଣ୍ଟାଘଣ୍ଟା ଅଟକିଲେ ଶହଶହ ଗାଡି

ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ଯୋଜନା ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ହାଇଆଲର୍ଟରେ ଆରପିଏଫ୍ ଓ ଜିଆରପି । ଫଳରେ ୫୨୯ଟି ଟ୍ରେନକୁ ବାତିଲ କରାଯାଇଛି ।

ୟୁପିର ନୋଏଡା ଓ ରାଜସ୍ଥାନ ଜୟପୁର ସମେତ ଦେଶର ଅନ୍ୟ ବଡ ସହରରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଛି  । ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ଓ ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସ ମଧ୍ୟ ଆଜି ସମଗ୍ର ଦେଶରେ ଶାନ୍ତିପୂର୍ଣ୍ଣ ବିରୋଧ କରୁଛି । କଂଗ୍ରେସର ପ୍ରଦର୍ଶନକୁ ଦେଖି ଦିଲ୍ଲୀ ସରକାର ଟ୍ରାଫିକ ଆଡଭାଇଜରୀ ଜାରି କରିଛନ୍ତି  । ମାତ୍ର ଭାରତ ବନ୍ଦର ଭୟଙ୍କର ଚିତ୍ର ଆଜି ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ।

ନୋଏଡାରୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି ।ନୋଏଡା ଏକ୍ସପ୍ରେସ ୱେରେ ମହାମାୟା ପୁଲ ଠାରୁ ନୋଏଡା ଗେଟ ପର୍ଯ୍ୟନ୍ତ ପାଖାପାଖି ୨ କିଲୋମିଟର ଲମ୍ବା ଜାମ୍‌ ଲାଗି ରହିଛି  । ସେହିପରି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଜାମ୍‌ କାରଣରୁ ଲୋକଙ୍କୁ ନାକେଦମ ହେବାକୁ ପଡିଛି  । ଘଣ୍ଟାଘଣ୍ଟା ଧରି ରାସ୍ତାରେ ଧାଡ଼ି କରି ଅଟକି ରହିଛନ୍ତି ଗାଡି । ଦିଲ୍ଲୀ ଆସୁଥିବା ଗାଡି ଗୁଡିକର କଡା ଚେକିଂ ଚାଲିଥିବାରୁ ଏଭଳି ଭୟଙ୍କର ଟ୍ରାଫିକ ସମସ୍ୟା ଉପୁଜିଛି  ।

ଅଗ୍ନିପଥ ଯୋଜନା ବିରୋଧରେ ଭାରତ ବନ୍ଦକୁ ନଜରରେ ରଖି ୟୁପି ପୋଲିସ ମଧ୍ୟ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିଛି  । ଫଳରେ ନୋଏଡା-ଦିଲ୍ଲୀ ଲିଙ୍କ ରୋଡ ସ୍ଥିତ ଚିଲ୍ଲା ବର୍ଡରରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ଅନେକ ରାଜ୍ୟରେ ବ୍ୟାପକ ବିକ୍ଷୋଭ କରୁଛନ୍ତି ଆଶାୟୀ । ଏପଟେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଅଗ୍ନିପଥକୁ ବିରୋଧ ଆଶଙ୍କାରେ ଆଲର୍ଟ ମୋଡ଼ରେ ରହିଛି ପ୍ରଶାସନ । ରାଜଧାନୀ ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଓ ପଳାଶୁଣି, ରସୁଲଗଡ଼, ଖଣ୍ଡଗିର, ବରମୁଣ୍ଡା ଆଦି ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ସଜାଗ ରହିଛି ପୋଲିସ । ସାରା ରାଜଧାନୀର ବିଭିନ୍ନ ଛକରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

କରନ୍ ଜୋହରଙ୍କୁ ହତ୍ୟା ଷଡ଼ଯନ୍ତ୍ର, ବିଷ୍ଣୋଇ ଗ୍ୟାଙ୍ଗର ଲିଷ୍ଟରେ କରନ ଜୋହରଙ୍କ ନାଁ

ମୁମ୍ବାଇ: ସଲମାନଙ୍କ ପରେ ଏବେ ବଲିଉଡର ଫେମସ୍ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ହତ୍ୟା ଷଡଯନ୍ତ୍ର । ସିଦ୍ଧୁ ମୁସେଓ୍ବାଲାଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଥିଲେ କରନ ଜୋହର୍ । ଏହି ଗ୍ୟାଙ୍ଗ ପକ୍ଷରୁ କରନଙ୍କୁ ହତ୍ୟା କରିବା ପାଇଁ ଯୋଜନା ଥିଲା । ଏହି ଘଟଣା ଏବେ ସାମ୍ନାକୁ ଆସିଛି । ସିଦ୍ଧୁ ମୁସେଓ୍ବାଲା ଘଟଣାରେ ଧରାପଡ଼ିଥିବା ଅଭିଯୁକ୍ତ ସୌରଭ କାମ୍ବଲେ ଏ ନେଇ ବଡ଼ ଖୁଲାସା କରିଛି ।

ବଲିଉଡ ଅଭିନେତା ସଲାମାନ ଖାନ ଏବଂ ତାଙ୍କ ବାପା ସଲିମ୍ ଖାନଙ୍କୁ ମିଳିଥିବା ହତ୍ୟା ଧମକର ଏ ଯାଏ ପର୍ଦ୍ଦାଫାସ ହୋଇ ନଥିଲାବେଳେ ଏବେ ଏହି ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି ।

ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, କରନଙ୍କୁ ହତ୍ୟା କରିବା ପଛରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଜଡ଼ିତ ଥିଲା ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଷ୍ଣୋଇ ଗ୍ୟାଙ୍ଗର ଲିଷ୍ଟରେ କରନ ଜୋହରଙ୍କ ନାଁ ରହିଛି। ସଲମାନ ଖାନଙ୍କୁ ଧମକ ମାମଲାରେ ପଚରାଉଚରା ବେଳେ ପୁଣେ ପୁଲିସକୁ ସୌରଭ କହିଛି ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପାଇଁ ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ହିଁ ଦାୟୀ।  ସେଥିପାଇଁ ଆମେ କରନଙ୍କୁ ଧମକ ଦେଇ ୫ କୋଟି ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲୁ। ଯଦି ସେ ଟଙ୍କା ଦେଇନଥାନ୍ତେ ତେବେ ତାଙ୍କୁ ହତ୍ୟା କରିଥାନ୍ତୁ ବୋଲି ସେ ପୋଲିସକୁ କହିଛି।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ୨୦୨୦ ଜୁନ୍‌ ୧୪ରେ ମୁମ୍ବାଇ ସ୍ଥିତ ତାଙ୍କ ଘରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଚଳଚ୍ଚିତ୍ର ଶିଳ୍ପକୁ ଦୋହଲାଇ ଦେଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ କରନ ଜୋହର ଟାର୍ଗେଟରେ ଥିଲେ। ବଲିଉଡରେ ନେପୋଟିଜମର ଶିକାର ହୋଇ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ଥିଲେ ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା।

ସେତେବେଳେ ଏହା ମଧ୍ୟ କୁହାଯାଉଥିଲା ଯେ, କରଣ ଜୋହର ଏବଂ ଆଦିତ୍ୟ ଚୋପ୍ରା ସୁଶାନ୍ତ ସିଂହ ରାଜପୁତଙ୍କ ପରି ଇଣ୍ଡଷ୍ଟ୍ରି ବାହାର ଲୋକଙ୍କ ଅପେକ୍ଷା ଷ୍ଟାରକିଡସମାନଙ୍କୁ ପସନ୍ଦ କରନ୍ତି। ଏଥିପାଇଁ ସୁଶାନ୍ତ ଡିପ୍ରେସନରେ ଆତ୍ମହତ୍ୟା କରିଥିଲେ। ତେବେ ପରେ ଏହି ଦାବି ପ୍ରମାଣିତ ହୋଇପାରିନଥିଲା। ସେତେବଳେ ଏହି ବିଷୟ ବିଭିନ୍ନ ଗଣମାଧ୍ୟମଠୁ ଆରମ୍ଭ କରି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

 

ଫ୍ରାନ୍ସ  ସଂସଦୀୟ ନିର୍ବାଚନ: ଏଗଜିଟ୍ ପୋଲରେ ମାକ୍ରନଙ୍କୁ ଝଟକା !

ପାରିସ: ଫ୍ରାନ୍ସ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତିଙ୍କୁ ଏମାନୁଏଲ ମାକ୍ରନଙ୍କୁ ବଡ ଝଟକା ଲାଗିଛି । ଗତ ରବିବାର ପ୍ରକାଶିତ ଏଗଜିଟ୍ ପୋଲ୍ ଅନୁଯାୟୀ ନବନିର୍ମିତ ବାମପନ୍ଥି ଏବଂ ଦକ୍ଷିଣପନ୍ଥି ରାଜନୈତିକ ଦଳକୁ ବଡ ବିଜୟ ମିଳିପାରେ । ଏଥିପାଇଁ ନ୍ୟାସନାଲ ଆସେମ୍ବ୍ଲିରେ ମାକ୍ରନ ବହୁମତ ହରାଉଥିବାର ପରିଲକ୍ଷିତ ହେଉଛି  ।

ଏଗଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ଫ୍ରାନ୍ସ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ଯେପର୍ଯ୍ୟନ୍ତ ମାକ୍ରନ ଅନ୍ୟ ଛୋଟ ଦଳ ସହ ମେଣ୍ଟ କରିବାରେ ସଫଳ ହୋଇନାହାନ୍ତି ସେପର୍ଯ୍ୟନ୍ତ ସୁଦ୍ଧା ଫ୍ରାନ୍ସରେ ଝୁଲା ସରକାରର ସମ୍ଭାବନା ବଢିଯାଇଛି । ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ଦିଗରେ ୟୁରୋପୀୟ ନେତା ହିସାବରେ ମାକ୍ରନ ଏକ ବଡ ଭୂମିକା ଗ୍ରହଣ କରୁଛନ୍ତି  । କିନ୍ତୁ ଏପରି ସ୍ଥିତିରେ ନିଜ ଦେଶରେ ବହୁମତ ହାସଲ କରିନପାରିବା ଆଶଙ୍କା ସମସ୍ଯା ସୃଷ୍ଟି କରିଛି । ଆଂଶିକ ଫଳାଫଳ ଉପରେ ଆଧାରିତ ଆକଳନରୁ ଜଣାପଡୁଛି ଯେ ମାକ୍ରନଙ୍କ ପ୍ରାର୍ଥୀମାନେ ୨୦୦ରୁ ୨୫୦ ଆସନରେ ବିଜୟୀ ହେବେ  ।

ମୋଟ ଆସନ ସଂଖ୍ୟା ୫୭୭, ତେବେ ବହୁମତ ପାଇଁ ୨୮୯ ଆସନ ଆବଶ୍ୟକ  । ଆବଶ୍ୟକ ବହୁମତ ଠୁ ଆକଳନ କରାଯାଇଥିବା ଆସନ ସଂଖ୍ୟା ବହୁତ କମ୍ ରହିଛି  । ଯଦି ଆକଳନ ଅନୁଯାୟୀ ବାସ୍ତବିକ ଫଳାଫଳ ଆସେ ତେବେ ମାକ୍ରନଙ୍କୁ ବଡ ସମସ୍ଯାର ସମ୍ମୁଖୀନ ହେବାକୁ ପଡିପାରେ ।

ବିଦେଶରେ ରଜ ଉତ୍ସବ: ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହୁଳହୁଳି ଧ୍ୱନୀରେ ଦୁଲିକିଲା ନେଦରଲାଣ୍ଡସ

ଆମଷ୍ଟରଡାନ: ବିଦେଶରେ ରଜ ମହକ । ନେଦରଲାଣ୍ଡସରେ ରହୁଥିବା ଓଡ଼ିଆ ପାଳନ କଲେ ରଜ ମିଳନ ପର୍ବ । ନେଦରଲାଣ୍ଡସର ବିଭିନ୍ନ ସହରରେ ରହୁଥିବା ଶତାଧିକ ଓଡ଼ିଆ ପରିବାର ଏହି ଅନୁଷ୍ଠାନରେ ଯୋଗ ଦେଇଥିଲେ ଏବଂ ହର୍ଷ ଉଲ୍ଲାସରେ ରଜ ମିଳନ ପର୍ବ ପାଳନ କରିଥିଲେ । ଓଡ଼ିଆ ଶୋସିଓ କଲ୍ଚରାଲ ଆସୋସିଏସନ ନେଦରଲାଣ୍ଡସ ପକ୍ଷରୁ ଉତ୍ତରେକ୍ଟ ସହରର ଏକ ଭାରତୀୟ ଅନୁଷ୍ଠାନରେ ପାଳନ ହୋଇଥିଲା ରଜ ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନେଦରଲାଣ୍ଡ ଇନଫୋସିସର କଣ୍ଟ୍ରି ହେଡ୍ ପୁନିତ ଶୁକ୍ଳା ଯୋଗଦେଇଥିଲେ । ଓଡିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା ଉତ୍ସବ । ପରେ ପରେ ମୋ ଓଡିଶା ଗୀତ ଏବଂ ଅନେକ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହୁଳହୁଳି, ଅଳତା ଲଗା, ଲୁଗା ପିନ୍ଧା, ସଜବାଜ ପରି ଅନେକ କୌତୁହଳର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିପାଇଁ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ସହଯୋଗ କରିଥିଲେ । କୋଭିଡ ମହାମାରୀ ଲକଡାଉନ ପରେ ଏହା ନେଦରଲାଣ୍ଡସର ଓଡ଼ିଆ ମାନଙ୍କ ପାଇଁ ପ୍ରଥମ ମିଳନ ପର୍ବ ଥିଲା, ଯାହାକୁ ସମସ୍ତେ ଅନେକ ଆନନ୍ଦ ଉଲ୍ଲାସରେ ଉପଭୋଗ କରିଥିଲେ ।

ଅଗ୍ନିପଥ ନିଆଁରେ ତାତିଲା ପକେଟ, ମହଙ୍ଗା ହେଲା ବିମାନ ଯାତ୍ରା

ପାଟନା: ଅଗ୍ନିପଥ ଯୋଜନାର ବିରୋଧ କରି ହିଂସା ପ୍ରଦର୍ଶନ ପରେ ବିହାରରେ ରେଳସେବା ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବ ପାଟନା ବିମାନବନ୍ଦରରେ ଦେଖିବାକୁ ମିଳିଛି  । ବିପୁଳ ସଂଖ୍ୟାରେ ଯାତ୍ରୀ ବିମାନରେ ଯାତ୍ରା କରି ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି । ଭିଡକୁ ଦେଖି ବଡବଡ ସହରକୁ ବିମାନ ଯାତ୍ରା ମହଙ୍ଗା ହୋଇଛି  । ଯାହା ଫଳରେ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି ।

ପାଟନା ବିମାନ ବନ୍ଦରରୁ କୋଚି ଯାଉଥିବା ଜଣେ ଯାତ୍ରୀ କହିଛନ୍ତି ଯେ ସେ ଚେନ୍ନାଇ ପର୍ଯ୍ୟନ୍ତ ଟିକେଟ କାଟିଥିଲେ  । କିନ୍ତୁ ଟ୍ରେନ ବାତିଲ ପରେ ସେ କୌଣସି ପ୍ରକାର ପାଟନା ବିମାନ ବନ୍ଦରରେ ପହଞ୍ଚି ଏଠାରୁ ଚେନ୍ନାଇ ଯିବା ପାଇଁ ସ୍ଥିର କରିଥିଲେ । ଯେଉଁଥିପାଇଁ ତାଙ୍କୁ ୧୪ ହଜାର ଟଙ୍କା ବିମାନ ଭଡା ଦେବାକୁ ପଡିଛି ।

ସେହିପରି ପାଟନାରୁ ଦିଲ୍ଲୀ ଯାଉଥିବା ଜଣେ ଯାତ୍ରୀଙ୍କୁ ୭ ହଜାର ୩୦୦ ଟଙ୍କା ଦେବାକୁ ପଡିଛି । ସେ ୪ ଦିନ ପୂର୍ବରୁ ଟିକେଟ ବୁକିଂ କରିଥିଲେ  । କିନ୍ତୁ ତାଙ୍କ ବନ୍ଧୁ ଦିନକ ପୂର୍ବରୁ ଦିଲ୍ଲୀ ପାଇଁ ଟିକେଟ ବୁକ୍‌ କରିଥିବାରୁ ତାଙ୍କୁ ୨୧ ହଜାର ଟଙ୍କା ଗଣିବାକୁ ପଡିଛି  । ପାଟନା, ମୁମ୍ବାଇ ସମେତ କେତେକ ସହରରେ ବିମାନ ଭଡା ମହଙ୍ଗା ହୋଇଛି ।

ଅଗ୍ନିପଥ ତାତିରେ ଟ୍ରେନ ବାତିଲ ଯୋଗୁଁ ପୂର୍ବାପେକ୍ଷା ୩ ଗୁଣ ଅଧିକ ଦାମ ଦେଇ ବିମାନ ଯାତ୍ରା କରୁଛନ୍ତି ଯାତ୍ରୀ  । ଟ୍ରେନ ବନ୍ଦର ପ୍ରଭାବ ଯାତ୍ରୀଙ୍କ ପକେଟ ଉପରେ ପଡିଛି ।

 

ଓଡ଼ିଆ ଝିଅଙ୍କ ସାହାସିକତା: ଦେବଦୂତ ସାଜି ମୃତ୍ୟୁ ମୁହଁରୁ ପର୍ଯ୍ୟଟକଙ୍କୁ ଟାଣିଆଣିଲେ

ରାୟଗଡ଼ା: ଦୁଇ ଓଡ଼ିଆ ଝିଅଙ୍କ ସାହସିକତା । ପର୍ଯ୍ୟଟକଙ୍କୁ ମୃତ୍ୟୁମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଲେ ୨ଓଡ଼ିଆ ଝିଅ । ଏହି ଦୁଇଜଣ ହେଲେ ଆକାଂକ୍ଷା ଓ ତାଙ୍କ ସମ୍ପର୍କୀୟ ଭଉଣୀ ଆୟୁଷୀ । ହିମାଚଳ ପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନସ୍ଥଳୀକୁ ଏ ଦୁଇଜଣ ପରିବାର ସହ ବୁଲିବାକୁ ଯାଇଥିଲେ । ସେଠାରେ ଗ୍ଲାସିୟର ପଏଣ୍ଟରେ ବରଫ ତରଳିବା ଫଳରେ ରାଜସ୍ଥାନର ଦୁଇ ମହିଳା ପର୍ଯ୍ୟଟକ ଓ ଦୁଇ ଶିଶୁ ଫସି ରହିଥିଲେ ।

ସେଠାକୁ ଯିବା ବିପଦ ଯୋଗୁ କେହି ସେଠାକୁ ଯାଉନଥିଲେ । କିନ୍ତୁ ଦେବଦୂତ ସାଜିଥିଲେ ଆକଂକ୍ଷା ସାହୁ ଓ ଆୟୁଷୀ ସାହୁ । ସେମାନେ ପ୍ରଥମେ ଦୁଇ ପିଲାଙ୍କୁ ଓ ପରେ ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ଆକାଂକ୍ଷା ସାହୁ ଓ ଆୟୁଷୀ ସାହୁଙ୍କ ସାହସିକତାକୁ ପର୍ଯ୍ୟଟକଙ୍କ ପରିବାର ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଆକାଂକ୍ଷା ରାୟଗଡ଼ା ସହରର ରିଂ ରୋଡରେ ରହୁଥିବା ବେଳେ ତାଙ୍କ ସମ୍ପର୍କୀୟ ଭଉଣୀ ଆୟୁଷୀ ପାରଳାଖେମୁଣ୍ଡିରେ ରହୁଛନ୍ତି । ଅଘଟଣ ସମସୟରେ ଦେବଦୂତ ସାଜି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିବାରୁ ଆକାଂକ୍ଷା ଓ ଆୟୁଷୀଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

ରାଜଧାନୀରେ ଆଲର୍ଟ ମୋଡରେ ରହିଛି ପ୍ରଶାସନ

ଭୁବନେଶ୍ୱର: ଅଗ୍ନିପଥକୁ ନେଇ ଥମୁନି ଆକ୍ରୋଶ । କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ କରାଯାଉଛି ବିରୋଧ । ଏହାର ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁ ହାଇ ଆଲର୍ଟରେ ଆରପିଏଫ୍ ଓ ଜିଆରପି । ହିଂସାକାରୀଙ୍କ ଉପରେ ରହିଛି କଡ଼ା ନଜର । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଅଗ୍ନିପଥକୁ ବିରୋଧ ଆଶଙ୍କାରେ ଆଲର୍ଟ ମୋଡ଼ରେ ରହିଛି ପ୍ରଶାସନ ।

ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଛକରେ ପୋଲିସ ଫୋର୍ସ ମୁତୟନ । ବାଣୀବିହାର ଓ ପଳାଶୁଣି, ରସୁଲଗଡ଼, ଖଣ୍ଡଗିର, ବରମୁଣ୍ଡା ଆଦି ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ସଜାଗ ରହିଛି ପୋଲିସ । ସାରା ରାଜଧାନୀର ବିଭିନ୍ନ ଛକରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗଲା ୫ ଦିନ ଧରି ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ରିହାତି ଘୋଷଣା ସତ୍ତ୍ବେ ଥମୁନି ନିଆଁ । ଯୋଜନା ପ୍ରତ୍ୟାହାର ହେବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ତିନି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟ ଯବାନଙ୍କ ଭଳି ଅଗ୍ନିବୀରଙ୍କୁ ସୁବିଧା ମିଳିବ ।

ଆସନ୍ତା ୫ ବର୍ଷରେ ୫୦ରୁ ୬୦ ହଜାର ଯୁବକଙ୍କୁ ନିଯୁକ୍ତି ମିଳିବ । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇ ହେବ ୧ ଲକ୍ଷ ୨୫ ହଜାର । ଡ୍ୟୁଟି ବେଳେ ପ୍ରାଣ ଚାଲିଗଲେ ମିଳିବ ୧ କୋଟି ଚଙ୍କାର କ୍ଷତିପୂରଣ । ଏହା ସହ ନିୟମିତ ସୈନିକଙ୍କ ପରି ଅଗ୍ନିବୀରଙ୍କୁ ମିଳିବ ସମାନ ଭତ୍ତା ମିଳିବ ବୋଲି ପ୍ରେସମିଟରେ କୁହାଯାଇଛି । ଏହା ପରେ ବି ବିଭିନ୍ନ ସ୍ଥାନରେ ଜାରି ରହିଛି ବିକ୍ଷୋଭ । ଏହି ପ୍ରସଙ୍ଗରେ ମିଥ୍ୟା ଖବର ପ୍ରସାରଣ କରୁଥିବା ଅଭିଯୋଗରେ ୩୫ଟି ହ୍ବାଟସଆପ୍ ଗ୍ରୃପ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ନୂତନ ଯୋଜନା ବିଷୟରେ ଭୁଲ ତଥ୍ୟ ବିସ୍ତାର କରୁଥିବା ସମ୍ପୃକ୍ତ ଲୋକଙ୍କୁ ସରକାର ଟ୍ରାକିଂ କରୁଛନ୍ତି । ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ଥିବା ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯାଇଛି।

ଟିଭି ଅଭିନେତ୍ରୀଙ୍କ ମାଆ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣା । ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ମା’ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସନ୍ତୋଷ ନାମକ ଜଣେ ବ୍ୟକ୍ତି ରଶ୍ମରେଖାଙ୍କୁ ଜବରଦସ୍ତ ଶଙ୍ଖା ସିନ୍ଦୁର ପିନ୍ଧାଇ ପାଖରେ ରଖିଥିଲେ । ରଜ ପୂର୍ବରୁ ରଶ୍ମୀ ଯେତେବେଳେ ଗାଁକୁ ଯାଇଥିଲେ, ସେ କେଉଁଠି ଅଛନ୍ତି ବୋଲି ବୋଲି ଫୋନ୍ କରିଥିଲେ ସନ୍ତୋଷ । ଏହାର କିଛିଦିନ ପରେ ରଶ୍ମୀ ହାତଶିରା କାଟି ଦେଇଥିବା ବେଳେ ରଶ୍ମୀଙ୍କ ମା’ଙ୍କୁ ଫୋନ କରିଥିଲେ ସନ୍ତୋଷ । ରଶ୍ମୀ ଥାନାକୁ ଯିବାକୁ ଚାହୁଁଥିଲେ ହେଲେ ସେ ଛାଡ଼ିନଥିଲେ । ମେଡିକାଲ ନେବାକୁ ରଶ୍ମୀ କୁଆଡ଼େ ମନା କରୁଥିଲେ ବୋଲି ଫୋନରେ ରଶ୍ମୀଙ୍କ ମା’ଙ୍କୁ କହିଥିଲେ ସନ୍ତୋଷ । ଏହାପରେ ରଶ୍ମୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି ।

ତେଣୁ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଦାବି କରିଛନ୍ତି ରଶ୍ମୀ ପରିବାର ଲୋକ । ଗତକାଲି ନୟାପଲ୍ଲୀ ଥାନା ଗଡ଼ସାହିରେ ରଶ୍ମି ଆତ୍ମହତ୍ୟା କରିଥିଲେ । ଘର ଭିତରୁ ନୟାପଲ୍ଲୀ ଥାନା ପୋଲିସ ଏକ ସୁଇସାଇଡିଆଲ ନୋଟ ଜବତ କରିଥିଲା । ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି । ଗତକାଲି ରାତି ପ୍ରାୟ ୧୦ଟାରେ ରଶ୍ମି ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ଶବ ଜବତ କରିଥିଲା ।

ବାପା ଓ ପରିବାର ଲୋକଙ୍କୁ କାହାରିକୁ ଦାୟୀ କରିବାକୁ ସେ ଚିଠିରେ ମନା କରିଛନ୍ତି । କୌଣସି ଅଘଟଣ କିମ୍ବା ମାନସିକ ଚାପକୁ ନେଇ ରଶ୍ମି ଏଭଳି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢାଯିବ ପୋଲିସ ସୂଚନା ଦେଇଛି । ଓଡ଼ିଆ ଟେଲି ଧାରାବାହିକ କେମିତି କହିବି କହରେ ଅଭିନୟ କରିଥିଲେ ରଶ୍ମିରେଖା ।

ଚା’ ପାଉଁରୁଟି ବାଣ୍ଟୁଛନ୍ତି ବିଶ୍ବକପ ବିଜେତା ଖେଳାଳୀ

କଲୋମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା  । ଏହାରି ଭିତରେ ୧୯୯୬ ବିଶ୍ବକପ ବିଜେତା ଟିମର ଶ୍ରୀଲଙ୍କା ଖେଳାଳୀ ରୋଶନ ମହାନାମା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ପେଟ୍ରୋଲ ପମ୍ପରେ ଚା’ ପାଉଁରୁଟି ଲୋକଙ୍କୁ ବାଣ୍ଟୁଛନ୍ତି ଏହି ମହାନ ଖେଳାଳୀ । ମହାନାମା ପେଟ୍ରୋଲ ପମ୍ପରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଥିବାର ଫଟୋ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି  ।

ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ୱାର୍ଡ ପ୍ଲେସ ଓ ଭିଜେରାମା ମାୱଥାର ଆଖପାଖ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ଲାଇନରେ ଲାଗିଥିବା ଲୋକଙ୍କୁ ଚା’ ପାଉଁରୁଟି ବାଣ୍ଟୁଛୁ  । ଏହି ଲାଇନ ପ୍ରତିଦିନ ବଢିବାରେ ଲାଗିଛି  । ଯେଉଁଥିପାଇଁ ଲାଇନରେ ଛିଡା ହୋଇଥିବା ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି । ଦୟାକରି ତେଲଟାଙ୍କିରେ ଛିଡା ହୋଇଥିବା ଲୋକେ ନିଜର ଧ୍ୟାନ ରଖନ୍ତୁ ଓ ପରସ୍ପରକୁ ସାହାଯ୍ୟ କରନ୍ତୁ ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଭୟଙ୍କର ସ୍ଥିତିରେ ପହଞ୍ଚିଛି  । ଏଥିପାଇଁ ପ୍ରତିଦିନ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି । ଦେଶରେ ଇନ୍ଧନ ପାଇଁ ବି ସଂଘର୍ଷ ଚାଲିଛି  । କିଛିଦିନ ମଧ୍ୟରେ ମହଜୁଦ ପେଟ୍ରୋଲ ଡିଜେଲ ବି ଶେଷ ହେବା ନେଇ ଅନୁମାନ କରାଯାଉଛି । ଆଉ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି କଲୋମ୍ବୋରେ ଜନ୍ମିତ ୫୬ ବର୍ଷୀୟ ମହାନାମା ।

ଶ୍ରୀଲଙ୍କା ପକ୍ଷରୁ ୨୧୩ଟି ଦିନିକିଆ ଓ ୫୨ ଟେଷ୍ଟ ମ୍ୟାଚ ଖେଳିଛନ୍ତି ମହାନାମା  । ଟେଷ୍ଟରେ ୪ଟି ଶତକ ଓ ୧୧ ଅର୍ଦ୍ଧଶତକ ସହ ଦିନିକିଆରେ ୪ ଶତକ ଓ ୩୫ ଅର୍ଦ୍ଧଶତକ ସେ ଯୋଡିଛନ୍ତି। ୧୯୯୬ ବିଶ୍ବକପ ଜିତିଥିବା ଶ୍ରୀଲଙ୍କା ଟିମରେ ଖେଳିଥିଲେ ମହାନାମା  । ୧୯୯୯ ବିଶ୍ବକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସେ ବିଦାୟ ନେଇଥିଲେ ।

ଦାମୀ ମଦ ସହ ଲୁଟିନେଲେ ନଗଦ ଟଙ୍କା, ସିସିଟିଭିରେ କଏଦ ହେଲା ସେ ସମୟର ଦୃଶ୍ୟ

ଭୁବନେଶ୍ୱର: ତାଲା ଭାଙ୍ଗି ଲୁଟିନେଲେ ଦାମୀ ମଦ ସହ ନଗଦ ଟଙ୍କା । ସୁନା ଦୋକାନ ପରେ ଏବେ ମଦ ଦୋକାନରୁ ଲୁଟ୍ ହୋଇଛି ।  ଦିନକୁ ଦିନ ଚୋରଙ୍କ ଆଡାସ୍ଥଳୀ ପାଲଟାଲିଗଲାଣି ରାଜଧାନୀ । ରାତିପାହିଲେ ଲୁଟପାଟ୍ ଖବର ଭୟବିତ କରୁଛି । ଲୁଟେରାଙ୍କ ଗତିବିଧି ଘରୁ ବାହାରିବା ବି ମୁସକିଲ କରି ଦେଉଛି । ଛକଛକରେ ଛକି ବସୁଛନ୍ତି ଏମାନେ କେଉଁଠି କେମିତି ସୁଯୋଗ ମିଳିଲେ କେତେବେଳେ ସୁନା ଚେନ ଲୁଟୁଛନ୍ତି ତ କେତେବେଳେ ଦୋକାନ ।

ରାଜଧାନୀରେ ସକ୍ରିୟ ହୋଇପଡ଼ିଛନ୍ତି ଲୁଟେରା । ମଦ ଦୋକାନରୁ ଦାମୀ ମଦ ସହ ତାଲା ଭାଙ୍ଗି ଲୁଟିଲେ ୫ଲକ୍ଷ ୪୮ହଜାର ଟଙ୍କା । ଲୁହା ରଡ ସାହାଯ୍ୟରେ ଦୋକାନ ତାଡ଼ି ଲୁଟ ହୋଇଥିବା ସୂଚନା ମିଳିଛି । ସିସିଟିଭିରେ କଏଦ  ହୋଇଛି ଲୁଟର ଦୃଶ୍ୟ । ଲୁଟେରା ହାପ ପ୍ୟାଣ୍ଟ ପିନ୍ଧିଥିଲା, ମୁଣ୍ଡରେ ହେଲମେଣ୍ଟ ପିନ୍ଧିଥିଲା । ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।