spot_img
Home Blog Page 4137

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ମାଛ, ୧୮ ଲକ୍ଷରେ କିଣିଲେ କୋଲକାତାର ବ୍ୟବସାୟୀ

ପାରାଦ୍ୱୀପ: ମାଛ ଦାମ୍ ୧୮ ଲକ୍ଷ । ପାରାଦ୍ୱୀପ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିରଳ ତେଲିଆ ବୋରେହି ମାଛ । ପାରାଦୀପ-ଅଠରବାଙ୍କି ବାଲିପ୍ଲଟରେ ଜାଲରେ ପଡ଼ିଥିବା ବିରଳ ମାଛକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ମତ୍ସ୍ୟଜୀବୀ । ମତ୍ସ୍ୟଜୀବୀଙ୍କ ଜାଲରେ ୪ଟି ତେଲିଆ ମାଛ ପଡ଼ିଥିଲା । ଗୋଟିଏ ମାଛର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଅନ୍ୟ ତିନିଟି ୧୪, ୧୭ ଓ ୧୯ କିଲୋଗ୍ରାମ ଓଜନର ଥିଲା । କିଲୋଗ୍ରାମ ପ୍ରତି ୬୧ ହଜାର ଟଙ୍କା ହିସାବରେ ମାଛକୁ ୧୮ ଲକ୍ଷ ୩୦ ହଜାର ଟଙ୍କାରେ କିଣି ନେଇଛନ୍ତି କୋଲକାତାର ଜଣେ ବ୍ୟବସାୟୀ ।

 

ଅଗ୍ନିପଥ ବିରୋଧରେ ଦେଶବ୍ୟାପୀ ଜଳୁଛି ଅସନ୍ତୋଷର ନିଆଁ

ନୂଆଦିଲ୍ଲୀ: ଅଗ୍ନିପଥକୁ ନେଇ ଆକ୍ରୋଶ ଜାରି । କେନ୍ଦ୍ର ବିରୋଧରେ ଦେଶବ୍ୟାପୀ ଜଳୁଛି ଅସନ୍ତୋଷର ନିଆଁ । ଅଗ୍ନିପଥ ସ୍କିମକୁ ନେଇ ଆଜି ସକାଳୁ ଉତ୍ତରପ୍ରଦେଶ, ବିହାର ଆଦି ରାଜ୍ୟରେ ପୁଣି ବିକ୍ଷୋଭ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ବାଲିଆ ରେଳ ଷ୍ଟେସନରେ ବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଆରା ଷ୍ଟେସନରେ ବି ଭଙ୍ଗାରୁଜା ହୋଇଥିବା ବେଳେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି ।

ଏହା ସହ ୬୫୦ରୁ ଊର୍ଦ୍ଧ୍ୱ ଅଜଣା ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନର କିଛି ଜିଲ୍ଲାରେ ମଧ୍ୟ ବିକ୍ଷୋଭ ଜୋରଦାର ହେଉଛି । ବିକ୍ଷୋଭକାରୀମାନେ ବିଶେଷ କରି ରେଲଓ୍ୱେ ଷ୍ଟେସନ ଓ ରେଲଓ୍ୱେ ଟ୍ରାକ ଉପରେ ଆନ୍ଦୋଳନ କରୁଥିବାରୁ ଦେଶବ୍ୟାପୀ ଅନେକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ, କର ବା ମର ସ୍ଥିତିରେ ଭାରତ

ରାଜକୋଟ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜର ଚତୁର୍ଥ ଟି-୨୦ ମ୍ୟାଚ । ରାଜକୋଟର ସୌରାଷ୍ଟ୍ର ଆସୋସିଏନ୍ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ ରହିଛି ସବୁ କ୍ରିକେଟ ପ୍ରେମୀଙ୍କ ନଜର । ତୃତୀୟ ଟି-୨୦ ଜିତିବା ପରେ ଭାରତୀୟ ଦଳର ମନୋବଳ ବୃଦ୍ଧି ପାଇଛି । ତେଣୁ ଏହି ବିଜୟଧାରାକୁ ଜାରି ରଖିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଦିଲ୍ଲୀ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିଲା । ଦ୍ୱିତୀୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ଦୁଇଟି ମ୍ୟାଚରେ ଭାରତ ପରାଜୟ ବରଣ କରିବା ପରେ ବିଶାଖପାଟଣମରେ ଖେଳାଯାଇଥିବା ତୃତୀୟ ମ୍ୟାଚ ଜିତିଥିଲା ଟିମ୍ ଇଣ୍ଡିଆ । ଫଳରେ ବର୍ତ୍ତମାନ ସୁଦ୍ଧା ସିରିଜ୍ ୨-୧ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ତେଣୁ ମ୍ୟାଚ ଜିତି ସିରିଜ୍ ହାତେଇବା ଚକ୍କରରେ ଅଛି ଭ୍ରମଣକାରୀ ଟିମ୍ । ଦଳର ବ୍ୟାଟିଂ ଲାଇନକୁ ନେଇ ବେଶ ଆଶାବାଦୀ ଅଛି ଦକ୍ଷିଣ ଆଫ୍ରିକା ।

କେମିତି ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବସିବ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବସିବ ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପରାମର୍ଶର କାର୍ଯ୍ୟକାରିତା ଦିଗରେ ଆଲୋଚନା ହେବ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଗୁରୁମନ୍ତ୍ର ଦେଇଥିଲେ ସେସବୁର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯିବ । ଜିଲ୍ଲାସ୍ତରରେ ଆପାତକାଳୀନ ଯୋଜନା ପ୍ରସ୍ତୁତ କରାଯାଉଛି ।

ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ସବୁ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ୨୮୭ଟି ଯନ୍ତ୍ର ଚାଳିତ ଡ଼ଙ୍ଗାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଯୋଗେ ବନ୍ୟାଞ୍ଚଳରେ ମୁତୟନ କରାଯାଉଛି । ବିପର୍ଯ୍ୟୟ ମୁକାବିଲାର ରୋଲ ମଡେଲ ପାଲଟିଥିବା ଓଡ଼ିଶାରେ ଆଗକୁ ଆହୁରି ବୈଷୟିକ ପ୍ରଣାଳୀରେ କିପରି ମୁକାବିଲା କରାଯିବ, ତା’ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ଏହାସହ ଆସନ୍ତା ୧୯ ତାରିଖରେ ସବୁ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରାକ୍-ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଯିବ । ଯେଉଁଥିରେ ତହସିଲଦାର, ଅଗ୍ନିଶମ ଅଧିକାରୀ, ସିଡିଏମଓ, ଏନଜିଓ, ବହୁମୁଖୀ ଆଶ୍ରୟସ୍ଥଳୀର ସଦସ୍ୟ ଓ ବିଭାଗୀୟ ଅଧିକାରୀ ସାମିଲ ହେବେ ।

ମୌସୁମୀ ଆଣିଲା ଆଶ୍ୱସ୍ତି, ଆସନ୍ତା ସପ୍ତାହ ସୁଦ୍ଧା ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲାଣି ମୌସୁମୀ ବର୍ଷା । ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାକୁ ସଂପୂର୍ଣ୍ଣ ଛୁଇଁଛି ମୌସୁମୀ । ସେହିପରି ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଥିବା ବେଳେ ଆସନ୍ତା ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ଛୁଇଁବାର ସମ୍ଭାବନା ରହିଛି । ମୌସୁମୀ ପୁରା ଓଡ଼ିଶାରେ ସକ୍ରିୟ ହେବା ପାଇଁ ଏବେ ପାଗ ଅନୁକୂଳ ରହିଛି । ଓଡ଼ିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ସମ୍ପୂର୍ଣ୍ଣ ତେଲେଙ୍ଗାନା, ବିଦର୍ଭ, ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ, ଆନ୍ଧ୍ରପ୍ରଦେଶ ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋସାଗରକୁ ମୌସୁମୀ ଛୁଇଁଛି ।

ସେପଟେ ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେଲେ ତାହା ମୌସୁମୀକୁ ବାଟ କଢ଼ାଇ ସାରା ଓଡ଼ିଶାରେ ସକ୍ରିୟ କରାଇବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୨୨ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହା ସହ ୫ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଏବଂ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି ।

ସରିଲା ଖରାଛୁଟି, ୧୧ ଦିନ ପରେ ପୁଣି ସ୍କୁଲ ଆସିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସରିଲା ଖରାଛୁଟି, ଖୋଲିଲା ସ୍କୁଲ । ଆଜିଠୁ ଖୋଲିଛି ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ସକାଳୁ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଗତ ୬ ତାରିଖରୁ ରାଜ୍ୟରେ ଘୋଷଣା ହୋଇଥିଲା ଖରାଛୁଟି । ଗତ ଦୁଇ ବର୍ଷ ହେବ କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ଖରାଛୁଟି ଅବଧିକୁ କମାଯାଇଥିଲା । ପାଠପଢ଼ାକୁ ଦୃଷ୍ଟିରେ ରଖି ମାତ୍ର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଥିଲା । ପୂର୍ବରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ କ୍ଳାସ ଆରମ୍ଭ ହୋଇଛି । ସୂଚୀରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ଏବେ ମଧ୍ୟ ସକାଳ ୬ଟାରୁ ଦିନ ୯ଟା ପର୍ଯ୍ୟନ୍ତ କ୍ଲାସ ହେଉଛି । ପାଠପଢା ପ୍ରଭାବିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂ ରିକଭରୀ ପ୍ଲାନ୍ ଅବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରିଛି ଗଣଶିକ୍ଷା ବିଭାଗ ।

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ, ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ମିଳିବ ଅନୁମୋଦନ

ଭୁବନେଶ୍ୱର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ନୂଆ ମନ୍ତ୍ରୀ ମଣ୍ଡଳର ପ୍ରଥମ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ମିଳିବ । ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ଭିତ୍ତିଭୂମି ନିର୍ମାଣ ଉପରେ ପୂର୍ଣ୍ଣାଙ୍ଗ ବଜେଟରେ ଗୁରୁତ୍ୱ ଦିଆଯାଇଛି ।

ସୂଚନା ଅନୁସାରେ ଏହି ପୂର୍ଣ୍ଣାଙ୍ଗ ବଜେଟ ଆକାର ୨ ଲକ୍ଷ ୧୦ ହଜାର କୋଟିରୁ ଅଧିକ ହେବ । ଜୁଲାଇ ୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପିତ କରିବେ ଏହି ବଜେଟ୍ । ଏହାସହ ୨୦୧୯ ନିର୍ବାଚନର ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ନେଇ ମନ୍ତ୍ରୀ ପରିଷଦ ବୈଠକରେ ଗୁରୁତ୍ୱ ଦିଆଯିବ । ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ରୀମାନଙ୍କୁ ବିକାଶର ଏଜେଣ୍ଡା ନେଇ କାମ କରିବାକୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ।

ରାଜଧାନୀରେ ନାବାଳକଙ୍କୁ ହତ୍ୟା !

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ପଣ୍ଡା ପାର୍କରୁ ନାବାଳକର ମୃତଦେହ ଉଦ୍ଧାର । ମୃତକ ହେଲେ ଯୁଧିଷ୍ଠିର ନାୟକଙ୍କ ପୁଅ ଦୈତରାଜ ନାୟକ । ସେ ଗତ ସୋମବାରଠୁ ନିଖୋଜ ଥିଲେ । ପୁଅକୁ ହତ୍ୟା ପରେ ଅଖା ବ୍ୟାଗରେ ଭର୍ତ୍ତି କରି ପାର୍କକୁ ଲାଗିଥିବା ଜଙ୍ଗଲକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଯୁଧିଷ୍ଠିରଙ୍କ ଅଭିଯୋଗ ଅନୁସାରେ ଗତ ସୋମବାର ରାତିରେ ପୁଅର ସାଙ୍ଗ ଗେଡ଼ୁ ଘରେ ଆଣି ମୋବାଇଲ ଦେଇ ଯାଇଥିଲେ । ପରଦିନ ୧୦ଟା ପର୍ଯ୍ୟନ୍ତ ଦୈତରାଜ ଘରକୁ ନଫେରିବାରୁ ଗେଡ଼ୁଙ୍କ ଘରେ ପଚାରିଥିଲେ ଯୁଧିଷ୍ଟିର । ଗେଡୁ ସହ ସେ ପୁରୀ ଯାଇଥିବା କଥା କହିଥିଲେ ଗେଡ଼ୁର ପରିବାର । ଅପରାହ୍ନ ପର୍ଯ୍ୟନ୍ତ ପୁଅ ନଫେରିବାରୁ ପୁଣି ଗେଡ଼ୁ ଘରେ ପଚାରିବାରୁ ସେ ଘରେ ଶୋଇଥିବା କଥା କହିଥିଲେ । ଏହାପରେ ସନ୍ଧ୍ୟା ସୁଦ୍ଧା ପୁଅ ନ ଆସିବାରୁ ଥାନାରେ ଅଭିଯୋଗ କରିଥିଲେ ଯୁଧିଷ୍ଟିର । ପୁଅର ମୃତ୍ୟୁ ପଛରେ ସାଙ୍ଗ ଗେଡ଼ୁର ହାତ ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଏପରିକି ଗେଡୁର ପରିବାର ବ୍ରାଉନସୁଗାର କାରବାର କରୁଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି ।

ରାହୁଲଙ୍କ ଅନୁରୋଧ ରଖିଲା ଇଡି: ଆସନ୍ତାକାଲି ନୁହେଁ, ୨୦ ତାରିଖରେ ପୁଣି ପଚରାଉଚରା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅଡୁଆ ସରୁନି । ସୋନିଆ ଗାନ୍ଧିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଆସନ୍ତା ୨୦ ତାରିଖ ଯାଏଁ ତାଙ୍କୁ ଆଉ ପଚରାଉଚରା ନ କରିବାକୁ ଇଡିକୁ ଅନୁରୋଧ କରିଥିଲେ ରାହୁଲ । ରାହୁଲଙ୍କୁ ଲଗାତର ୩ ଦିନ ଜେରା କରିବା ପରେ ଆସନ୍ତାକାଲି ପୁଣି ହାଜର ହେବାକୁ ଇଡି ପକ୍ଷରୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପରେ ଇଡି ରାହୁଲଙ୍କ ଅନୁରୋଧ ରକ୍ଷା କରିଥିବା ଜଣାପଡିଛି । ଗତକାଲି ବଦଳରେ ଆସନ୍ତା ୨୦ ତାରିଖରେ ରାହୁଲଙ୍କୁ ପୁଣି ପଚରାଉଚରା କରିବ ଇଡି । ବର୍ତ୍ତମାନ ସୁଦ୍ଧା ନ୍ୟାସନାଲ ହେରାଲଡ ମାମଲାରେ ରାହୁଲଙ୍କୁ ୩୦ରୁ ଅଧିକ ଘଣ୍ଟା ଜେରା କରିସାରିଛି ଇଡି ।

ସେପଟେ ଆଜି ମଧ୍ୟ ଇଡି ବିରୋଧରେ ଦେଶବ୍ୟାପୀ କଂଗ୍ରେସର ଧାରଣା ଓ ବିକ୍ଷୋଭ ଜାରି ରହିଥିଲା । କେନ୍ଦ୍ର ସରକାର ଆକ୍ରୋଶମୂଳକ ରାଜନୀତି କରି ବିରୋଧୀଙ୍କୁ ଦମନ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦଳୀୟ ନେତା । ପଞ୍ଜାବ, ଦିଲ୍ଲୀ, ବେଙ୍ଗାଳୁରୁରେ କଂଗ୍ରେସ କର୍ମୀ କରିଛନ୍ତି ବିକ୍ଷୋଭ । ସେପଟେ ଏଏଜଏଲ ପ୍ରସଙ୍ଗରେ ସ୍ବର୍ଗତ ମୋତିଲାଲ ଭୋରାଙ୍କୁ ରାହୁଲ ଦାୟୀ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୁଅ ଅରୁଣ ଭୋରା । ଏଜେଏଲ ଓ ୟଙ୍ଗ ଇଣ୍ଡିଆନ ସହ ସମ୍ପର୍କ କ୍ଷେତ୍ରରେ ବାପାଙ୍କ ଭୂମିକା ନଥିଲା ବୋଲି କହିଛନ୍ତି ଅରୁଣ ।

ସଂଶୋଧିତ ହେବ ଆମସାର୍ ଆଇନ: ସାରା ଦେଶକୁ ବାଟ ଦେଖାଇବ ଓଡ଼ିଶା

ଭୁବନେଶ୍ବର: ସାରା ଦେଶକୁ ପୁଣି ବାଟ ଦେଖାଇବ ଓଡ଼ିଶା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଜିବ ଉଦାହରଣ । ଧାର୍ମିକ ସ୍ଥଳରେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ସୁବିଧା ପାଇଁ କେହି ବାଧକ ହେବେ ନାହିଁ । ଧର୍ମପୀଠରୁ ୧୦୦ ମିଟର ଭିତରେ ଥିବା ସଂରକ୍ଷିତ ଅଞ୍ଚଳରେ ଭକ୍ତଙ୍କ ପାଇଁ ବିଶ୍ରାମାଗାର, ଶୌଚାଳୟ ନିର୍ମାଣ ହୋଇପାରିବ । ଏହା ଆଗକୁ ୧୦୦ ମିଟର ନିୟନ୍ତ୍ରିତ ଅଞ୍ଚଳରେ ବି ଭକ୍ତଙ୍କ ସୁବିଧା ପାଇଁ ନିର୍ମାଣ ହୋଇପାରିବ । ଏଥିପାଇଁ ବାଧକ ସାଜୁଥିବା ଆମସାର୍ ଆଇନ ୧୯୫୮ରେ କରାଯିବ ସଂଶୋଧନ ।  ଏଥିପାଇଁ ସଂସଦର ସିଲେକ୍ଟ କମିଟି ସୁପାରିସ କରିଥିବା ବେଳେ ଦିନକ ତଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଷନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ବିକ ଉପଦେଷ୍ଟା କମିଟି ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି । ଆଇନ ସଂଶୋଧନ ପାଇଁ ସାରା ଦେଶକୁ ଓଡ଼ିଶା ବାଟ ଦେଖାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କ ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ । ଭକ୍ତଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଛି । କିନ୍ତୁ ଏହାକୁ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିରୋଧ କରି ଅଯଥା ବିବାଦ ସୃଷ୍ଟି କରିଥିଲେ । ଶେଷରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ମୋହର ମାରିଲେ । ଆମସାର ଆଇନ ସଂଶୋଧନ ହେବାର ବାଟ ଫିଟିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଶର ଅନ୍ୟ ଧାର୍ମିକ ପୀଠର ବିକାଶ ପାଇଁ ବାଟ ଖୋଲିଛି । ସୂଚନାଯୋଗ୍ୟ, ୧୯୫୮ ମସିହାର ଆମସାର ଆଇନ ୨୦୧୦ରେ ପ୍ରଥମ ଥର ସଂଶୋଧନ ହୋଇଥିଲା ।